Unknown

 

 

 

 

 

 

 

 

 

 

 

ପଥ ଓ ପଥିକ

ଡକ୍ଟର କୁଞ୍ଜବିହାରୀ ଦାସ

 

ସୂଚୀପତ୍ର

 

୧.

ମୋର କାଶ୍ମୀର ଯାତ୍ରା

୨.

ଅଜନ୍ତା, ଏଲୋରା ଓ ଧୂଆଁଧାର

୩.

ରାଜଗିରି ଓ ନାଳନ୍ଦା

୪.

ବାଦାମ୍‍ ପାହାଡ଼

୫.

ଖଣ୍ଡାଧାର ପଥେ

୬.

ଗୋପବନ୍ଧୁଙ୍କ ଜନ୍ମସ୍ଥାନ

୭.

କୁଲ୍‍ଟିରେ ଦୁଇଦିନ

୮.

ମେଘାସନେ

☆☆☆

 

ମୋର କାଶ୍ମୀର ଯାତ୍ରା

 

ଗୋଟିଏ ଜାଗାରେ ବେଶୀ ଦିନ ରହିଲେ ମନ ସ୍ଥାବର ହୋଇଯାଏ, ନ ଥାଏ ସେଥିରେ ଚିରଜଳା ଝରଣାର ଆବେଗ, ସ୍ୱାଧୀନ ମୌସୁମୀର ଗତି ଛନ୍ଦ । ହୃଦୟ ଖାଲି ଖାଲି ଲାଗେ, ଜୀବନ ଭାରି ଭାରି ବୋଧହୁଏ । ପ୍ରାଣର ପ୍ରାଚୁର୍ଯ୍ୟ ଯେପରିକି ଶେଷ ହୋଇ ଆସେ । ଶୁଷ୍କ ଜୀବନରେ ପୁଣି ରସର ଧାରା ବୁହାଇବା ଲାଗି ମୁଁ ବୁଲେ ପାହାଡ଼ରୁ ପର୍ବତ, ଅରଣ୍ୟରୁ ଜଳପ୍ରପାତ, ହ୍ରଦରୁ ସମୁଦ୍ର । ଦକ୍ଷିଣ ଭାରତର ଶେଷ ବିନ୍ଦୁ ଡେଇଁ ଲଙ୍କାର ଆଦିମ ଶୃଙ୍ଗ ଉପରକୁ ଉଠିଲାବେଳେ ମନରେ ଜାଗିଥିଲା ଏକ କ୍ଷୀଣ ଆଶା—ଭାରତର ହୀରକ ମୁକୁଟ ହିମାଳୟ ଦେଖିବି, ଦେଖିବି ଭୂସ୍ଵର୍ଗ କାଶ୍ମୀର । ଡାଲଲେକର ରୁପେଲି ଢେଉ ବାଜିଲା ମନକୂଳରେ । କାଶ୍ମୀର ଉପତ୍ୟକାର ଗୋଲାପ ଗନ୍ଧରେ ପୂରିଉଠିଲା ପ୍ରାଣ । ଶୃଙ୍ଗରୁ ଶୃଙ୍ଗ ହଳଦିବସନ୍ତ ପରି ଧାଇଁଲା ମୋର ସ୍ଵପ୍ନ । ଭାରତ ସରକାରଙ୍କ ବିନାନୁମତିରେ କାଶ୍ମୀର ପ୍ରବେଶ ନିଷିଦ୍ଧ । ଦେଶରକ୍ଷା ବିଭାଗକୁ ଦରଖାସ୍ତ କଲି । ଦିନ ପରେ ଦିନ ଗଡ଼ି ଚାଲିଲା, ପତ୍ର ଆସିଲା ନାହିଁ । ମୋ ଉତ୍ସାହ ଓ ଉଦବେଗର ବେଗରେ ସ୍ଥବିର ସରକାରୀ ଫାଇଲ ବୁଲୁଛି କେଉଁଠି ? ଆଖିର ଅଶ୍ରୁରେ ପଞ୍ଜାବ ଓ ଦିଲ୍ଲୀର ସହଯାତ୍ରୀମାନଙ୍କୁ ବିଦାୟ ଦେଲି । ଗ୍ରୀଷ୍ମଛୁଟି ଯିବାର ଦୁଇମାସ ପରେ ସରକାରୀ ପତ୍ର ଆସିଲା—ଆପଣଙ୍କର ଏବେ ଅନୁମତିପତ୍ର ଦରକାର ହେବ କି ?

 

ମନ କାଶ୍ମୀର ଶ୍ରୀର କଳ୍ପନାରେ ଏପରି ପ୍ରସାରିତ ହୋଇ ଯାଇଥିଲା ଯେ ତାକୁ ସଂକୁଚିତ କରି ଘରମୁଖୀ କରେଇବା କାଠିକର ପାଠ ହେଲା । ସୁଖଦୁଃଖର ନୀଡ଼ ଏଇ ଘର, ଯେଉଁଠି ଜନ୍ମି ବଢ଼ି ଏଡ଼ୁଟିଏ ହୋଇଛି । ମାଆ ବାଟ ଚାହିଁ ବସିଥିବ, ଭଉଣୀ ଦିନ ଗଣୁଥିବ, ସ୍ତ୍ରୀ ସ୍ଵପ୍ନ ଦେଖୁଥିବ, ସେ ଘରର ମାଦକତା ଆଜି ନାହିଁ । ଦୂରର ଡାକ, ବୃହତ୍ତର ସ୍ନେହ, ପ୍ରକୃତିର ବଂଶୀଧ୍ୱନି ଆଜି ପାଗଳ କରିଛି । ଯେଉଁ ସ୍ଵପ୍ନ ଆଜି ପ୍ରାଣକୁ ନବ ନବ ଭାବରେ ରସାଳ କରିଥାନ୍ତା, ସେ ବିଷାକ୍ତ ସର୍ପ ପରି ଦଂଶନ କରୁଛି । ଜୀବନର ଏଇ କାଶ୍ମୀରାୟିତ ମୁହୂର୍ତ୍ତକୁ ଉତ୍କଳାୟିତ ଆଉ ଗୃହାୟିତ କରିବାକୁ ହେବ । ପହଞ୍ଚିଲି କଟକରେ, କିଛି ଭଲ ଲାଗିଲା ନାହିଁ । ଭାବିଲି—ପୁରୀ, ଭୁବନେଶ୍ଵର କୋଣାର୍କ ଯାଇ ମନକୁ ଭୁଲାଇ ନେବି, କିନ୍ତୁ ଏ ମନ ବଡ଼ ଅଝଟିଆ, କୋରା ମିଠାଇରେ ତାକୁ ଜଟି ହେବ ନାହିଁ—ତଥାପି କଳ ପରି ଷ୍ଟେସନକୁ ଗଲି—ରିକ୍‍ସା, ଚଲା, ଚଲା, ଗାଡ଼ି ପହଞ୍ଚିଗଲାଣି । ଗାଡ଼ିଘୋଡ଼ା ମଣିଷ କଟେଇ ପଡ଼ିଉଠି ରିକ୍‍ସାବାଲା ଧାଇଁଲା । ରାସ୍ତା ବନ୍ଦ-? ଗାଡ଼ି ହାତ ପହୁଞ୍ଚରେ, ପାହୁଣ୍ଡେ ଦଉଡ଼ି ଯାଇଥିଲେ ଅକ୍ଳେଶରେ ପହଞ୍ଚିଥାନ୍ତୁ । ଗାଡ଼ି ପାଇବାରେ ଉଦବେଗ ନ ଥିଲା । ଗାଡ଼ି ଚାଲିଗଲା । ଆମ ମନର ଅବସ୍ଥା ପ୍ରତି ତା’ର ଭ୍ରୂକ୍ଷେପ ନାହିଁ । ନିଜକୁ ଗାଳିଦେଲି, ନିରାଶ ଭାବରେ ବହେ ହସିଲି । ଏ ହସରୁ ଲୁହ ଝରୁଥାଏ ।

 

ଛିଡ଼ା ହୋଇଥିଲା ତାଳଚେର ଗାଡ଼ି । ସେଥିରେ ବସିଲୁ । ମୋର ଯାତ୍ରା ସାଥି—ଶାନ୍ତିନିକେତନର ଗବେଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର । ସବୁ ଯାତ୍ରାର ଲକ୍ଷ୍ୟ ଥାଏ, ଏ ଯାତ୍ରାଟି ଲକ୍ଷ୍ୟହୀନ ହେଉ । ବ୍ୟବସାୟ ନୁହେଁ, ଚାକିରି ନୁହେଁ, ପ୍ରାକୃତିକ ଦୃଶ୍ୟ ନୁହେଁ, କିଛି ନୁହେଁ, ଯୋଉଠି ଇଚ୍ଛା ହେବ ଓହ୍ଳେଇବା । ଆମର ଗତି ନିୟନ୍ତ୍ରଣ କରିବ ମୁହୂର୍ତ୍ତର ମନ । ରୁଟିନ୍‍ବନ୍ଧା ଜୀବନରୁ ମୁକୁଳାଇ ମନକୁ ଖିଆଲୀ ଆବେଗରେ ଛାଡ଼ିଦେବାକୁ ବଡ଼ ସୁଖ ଲାଗୁଥାଏ । ବିଫଳତା ଦେଇଥାଏ ପ୍ରେରଣା, ଅଶାନ୍ତି କରୁଥାଏ ଆଶୀର୍ବାଦ । ଆଠଗଡ଼ର ଲାଲ୍‍ଗୁଲାଲ ପଥ, ସବୁଜ ବନ, ବାଙ୍ଗର ପାହାଡ଼ କାହିଁକି ଭାରି ଭଲ ଲାଗିଲା । ଓହ୍ଳେଇଲୁ । ରୌଦ୍ର ତାପରେ ଅରଣ୍ୟର ଶ୍ରାନ୍ତ ଶ୍ରୀ ପାହାଡ଼ର ରୁକ୍ଷ ଜଡ଼ତାକୁ ଦେଇଥାଏ ଜୀବନ୍ୟାସ । ଶ୍ଵେତ ଅଗ୍ନିକି ଧୂଳିରେ ରକ୍ତାକ୍ତ କରି ଚାଲିଥାଏ ଆମର ବସ୍‍ । ତିଗିରିଆ ଡେଇଁ ବଡ଼ମ୍ବାରେ ପହଞ୍ଚିଲୁ ।

 

ମହାପ୍ରଭୁ ସେତେବେଳକୁ ମୁଣ୍ଡ ଉପରେ । ଗହୀର ବିଲରେ ମରୀଚିକାର ଶିକୁଳି । ଖଣ୍ଡିଆଭୂତ ତା’ ଭିତରେ ଗୁଡ଼େଇ ତୁଡ଼େଇ ହୋଇଯାଉଛି । ପେଟରେ ଭୋକ, ଓଠରେ ଶୋଷ । ଏଇଠି ଆଜି ଡେରା ପଡ଼ୁ । ମାଧବବାବୁ ଡେପୁଟିଙ୍କ ଘରେ ଖରାବର୍ଷା ପାଳିଲୁ । ମତୁଳି ପଡ଼ିଲାରୁ ବଡ଼ମ୍ବା ସହରରେ ଘେରାଏ ବୁଲି ଆସିଲୁ । ବଡ଼ମ୍ବା ସହର ନୁହେଁ, ପଲ୍ଲୀ । ତିନିବର୍ଷ ହେଲା ରାଜ କବଳରୁ ମୁକୁଳି ଅଳ୍ପ ବହୁତ ଆଗେଇଛି । ଲୋକଙ୍କ ମନର ରୁଦ୍ଧ ଅସନ୍ତୋଷ ଆଜି ଧାରା ପାଇଛି । ତାକୁ ଏକ ବ୍ୟପ୍ଲବିକ ରୂପ ଦେବାର ପ୍ରଚେଷ୍ଟା ଚାଲିଛି । ଜୀବନକୁ ନୂଆ କରି ଗଢ଼ିବାର ଉନ୍ମାଦନା, ଅତ୍ୟାଚାର ପ୍ରତି ଅସହିଷ୍ଣୁତା ପ୍ରତି କ୍ଷେତ୍ରରେ ପ୍ରକାଶ ପାଇଛି । ସୁଖ ସମୃଦ୍ଧିର କାମନା ଜୀବନ ଉପରେ ନୂତନ ଆଲୋକପାତ କରିଛି । ଅନ୍ଧାରି ମୁଲକର କଳଙ୍କିଲଗା ସମାଜ ଆସ୍ତେ ଆସ୍ତେ ଭାଜି ପଡ଼ୁଛି ।

 

ପାହାନ୍ତି ତରା ଉଠିଲା, ନୂଆ ଆଲୋକର ଆବେଗ ଆକାଶର ଧମନୀରେ କ୍ରୀଡ଼ା କଲା-। ବଡ଼ମ୍ବାର ପ୍ରସିଦ୍ଧ ପୀଠ ସିଂହନାଥ ଦେଖି ବାହାରିଲୁ । ସାଥିରେ ଜଣେ ଭାରୁଆ, ବୁଦୁବୁଦିକିଆ ବଣ, ଗାଆଁ ଗଣ୍ଡା, ଗହୀର ଗୋହରୀ, ତୋଟା, ମଶାଣି ଦଣ୍ଡା ଡେଇଁ ବେଳ ପହରକୁ ଗୋପିନାଥପୁରରେ ପହଞ୍ଚିଲୁ । ବେସ୍ ବଡ଼ ଗାଆଁ; ରାସ୍ତା କଡ଼ରେ ଶଗଡ଼ ଥୁଆ ହୋଇଛି-। ପିଣ୍ଡାରେ ଲଙ୍ଗଳ ଡେରା ହୋଇଛି । ବାଡ଼ିରେ ନଡ଼ାଗଦା, କୁଟା ଗଦା, ଦାଣ୍ଡରେ ବନ୍ଧା ହୋଇଛନ୍ତି ବଳଦ । ଧୋବଧାବଳିଆ ଦେଖି ଲୋକେ ପ୍ରଶ୍ନକଲା ଆଖିରେ ଚାହୁଁଥାନ୍ତି, କିନ୍ତୁ ଭରସି ପାଖରେ ପଶି ପାରୁ ନ ଥାନ୍ତି । ଗାଆଁର ସାହୁ ମହାଜନ ବେସ୍ ଥିଲାବାଲା; ଦେଖୁଦେଖୁ ଚୌକି ଦିଖଣ୍ଡ ଆଣି ସିମେଣ୍ଟ ପିଣ୍ଡାରେ ପକାଇ ଦେଲେ—ଲୁଗା କାନିରେ ଧୂଳି ଝାଡ଼ି ଦେଇ କହିଲେ—ଆଜ୍ଞା, ବସନ୍ତୁ-। ସରବତ, ପାନ ବି ଆସିଗଲା—ରୋଷେଇର ବରାଦ ହୋଇଗଲା । କିନ୍ତୁ ଆମେ ଅଟକିଲୁ ନାହିଁ-। ଖରା ମାଡ଼ି ଆସୁଛି, ଗାଧୁଆବେଳ ଆଗରୁ ଥାନ ମୁଣ୍ଡାରେ ପହଞ୍ଚିବା ଦରକାର ।

 

ଅଧିକାରୀ ଡାଳୁଆ ଗାଆଁର ଜଣେ ନାମଜାଦା ଲୋକ । ଜଳଖିଆ ଆଉ ରୋଷେଇ ସରଞ୍ଜାମ ଘେନି ଆମ ସାଥିରେ ଚାଲିଲେ । ଆସିଲେ ଗାଆଁର କବି, ଗାଆଣ, ଦଣ୍ଡ–ନାଟୁଆ, କଥାକାର, ଚାଟୁକାର । ମହାନଦୀ ବାଲି ଖରାରେ ତାତି ଆସୁଥାଏ, ତାତିଲା କରେଇରେ ପାଦ ପକାଇଲା ପରି ଲାଗୁଥାଏ । ବେଳେବେଳେ ଗାମୁଛା ଫିଙ୍ଗିଦେଇ ବିକଳରେ ତା’ ଉପରେ ଠିଆ ହୋଇ ଯାଉଥାଉ । ସିଂହନାଥ ପାହାଡ଼କୁ ଲାଗି ପାଣିଚତରା, ଖରାରେ ଝିଲିମିଲି କରୁଥାଏ, ଯୁଆଡ଼କୁ ଚାହିଁଲେ ମୁଣ୍ଡ ବୁଲେଇ ଯାଉଥାଏ । ଏମିତି ଚାଲିଲୁ, ଚାଲିଲୁ, ଦିନ ଦଶଟାବେଳେ ସିଂହନାଥରେ ପହଞ୍ଚିଲୁ । ମହାନଦୀ ମଝିରେ ଏକ ଟାପୁ—ପାହାଡ଼ ଆଉ ବାଲିଛଡ଼ା; ଦି’ପଟେ ନଈ ସୁଅ । ପାହାଡ଼ର ଉଚ୍ଚତା ପ୍ରାୟ ୪୦୦ ଫୁଟ ହେବ । ବୁଦୁବୁଦିକିଆ ଅରଣ୍ୟରେ ବୃହତ ପ୍ରସ୍ତର ଖଣ୍ଡ ଫୁଟି ଦିଶୁଛି । ସମତଳ ନଈକୂଳ ଆଡ଼କୁ ଆମ୍ବ, ବଉଳ ଆଉ ବେଲ ଗଛ । ମହାନଦୀ ପଟୁର ସାର ଶୋଷି ବେସ୍ ସୁସ୍ଥ, ସବଳ ହୋଇଛନ୍ତି । ଝଙ୍କା ପବନର ସମସ୍ତ ମାଡ଼ ସହି ମର୍ମର ଗୀତରେ ଶୀତଳ ଶାନ୍ତି ଆମ ମନରେ ଭରି ଦେଉଥାନ୍ତି ।

 

ସିଂହନାଥଙ୍କ ଦେଉଳ କାରୁକାର୍ଯ୍ୟରେ ବୋଇତାଳ ଆଉ ରାଜାରାଣୀ ଦେଉଳର ସମକକ୍ଷ ହେଲେ ହେଁ ଏହାର ରକ୍ଷଣାବେକ୍ଷଣର କୌଣସି ବ୍ୟବସ୍ଥା ନାହିଁ । ବନ୍ୟାଜଳ ଶିବଙ୍କ ମସ୍ତକର ବିଷଜ୍ଵାଳା ନିବାରଣ କରେ, ଦେଉଳ ଅଧଯାଏ ପାଣି ଲାଗେ, ଏବେ ବି ମୂର୍ତ୍ତି ଆଉ ମନ୍ଦିରର ଲତା ପତ୍ରରେ ବର୍ଷାଦିନର ମେଞ୍ଚାମେଞ୍ଚା କାଦୁଅ ଲାଗିଛି । ଯେଡ଼େ ବଡ଼ ନଈବଢ଼ି ହେଉ ପଛେ ଠାକୁର ପୂଜା ବନ୍ଦ ହୁଏ ନାହିଁ । ପୂଜାହାରୀ ଡଙ୍ଗାରେ ବସି ଆସି, ଦେଉଳ ଆଡ଼କୁ ଫୁଲ ବେଲପତ୍ରି ଫିଙ୍ଗିଦିଏ, ଡଙ୍ଗାରେ ଭୋଗ ଲଗାଏ । ଶିବ ପାଆନ୍ତି କି ନାହିଁ ସେ ଜାଣନ୍ତି । ଖରାଦିନେ ମଧ୍ୟ ସେ ନିରାପଦରେ ନାହାନ୍ତି, ଛାଗଳମାନଙ୍କ ଅତ୍ୟାଚାରରେ ସେ ବ୍ୟତିବ୍ୟସ୍ତ । ଯେଉଁ ଦେବତାଙ୍କ ସାମ୍ନାରେ ମଣିଷ ଲକ୍ଷ ଲକ୍ଷ ମୁଣ୍ଡିଆ ମାରେ, ମିନତି ଜଣାଏ, ଛାଗଳ ନିର୍ଭୟରେ ତାଙ୍କ ମୁଣ୍ଡରେ ବିଚରଣ କରୁଛି, ଫୁଲ ବେଲପତ୍ରି ଚୋବେଇ ଯାଉଛି । ଶିବ ଅନେଇ ଦେଲେ ଏଗୁଡ଼ାକ ମୁହୂର୍ତ୍ତକେ ଭସ୍ମ ହୋଇଯାନ୍ତେ । ହେଲେ ଏଭଳି ସାମାନ୍ୟ ଘଟଣାରେ ତାଙ୍କର ଧୈର୍ଯ୍ୟ ଚ୍ୟୁତ ହୁଏ ନାହିଁ । ସେଦିନ ପୂଜାହାରୀ ଛେଳିଜଗା ଟୋକାକୁ ଭାରି ଭାରି ଧମକ ଦେଉଥାଏ—ଏମିତି ଛେଳି ଛାଡ଼ିଲେ ମହାଦେବେ ‘ତୋ’ ବଂଶ ନିପାତ କରିଦେବେ, ଅହିନରକରେ ଘାଣ୍ଟି ହଉଥିବ ।

 

ପର୍ବତ ଶୃଙ୍ଗରେ ଗୋଟିଏ ଗୁମ୍ଫା, ପାଞ୍ଚ ସାତଜଣ ବସି ପାରିବେ, ତେବେ ଛିଡ଼ାହେଲେ ମୁଣ୍ଡରେ ପଥର ବାଜେ, ଜଣେ ବାବାଜି ଏଥିରେ ରହନ୍ତି । ଧ୍ୟାନ ଧାରଣା ପାଇଁ ଜାଗାଟି ଉପଯୁକ୍ତ । ଦେଉଳ ଭୋଗରାଗରେ ବାବାଜିଙ୍କ ଠୁକ ଚଳେ । ଭକ୍ତମାନଙ୍କ ଭେଟି ବାବାଜିଙ୍କ ପ୍ରାଣ । ସେଇ ଗୁମ୍ଫାରେ ବସି ଚୁଡ଼ା କଦମ୍ବା ହେଲା । ପଙ୍ଗତ ପରେ ଘନ ଛାଇ ତଳେ ଗୋଟିଏ ସାଉଁଳିଆ ପଥରରେ ବସିଲୁ । ବେଣା ପତର ଅଗରେ ବସି ଝିଙ୍କାରି ଧରିଥାଏ ଦୀର୍ଘ ସ୍ୱର । ନୀଡ଼ରେ କ୍ଳାନ୍ତ ପକ୍ଷୀ ଘୁମଉଥାଏ । କଥାକାର ଆରମ୍ଭିଲେ ଗଳ୍ପ, କବି ତାଙ୍କର କବିତା, ଚାଟୁକାର ପରିହାସ; ଏଇ ଗାଆଁ ଲୋକଙ୍କ ହାଡ଼ୁଆ ଛାତିତଳେ କି ଜୀବନ୍ତ ରସପ୍ରାଣ ଲୁଚି ରହିଚି ! ଯୁଗ ଯୁଗର ନିଷ୍ପେଷଣ ତାକୁ ଶୁଖାଇ ପାରିନାହିଁ । ପାଶବ କୋଳାହଳ ମଧ୍ୟରେ ପ୍ରାଣର ପ୍ରାଚୁର୍ଯ୍ୟ ଘେନି ସେମାନେ ବଞ୍ଚିଛନ୍ତି । ରସବନ୍ତ କଳାପ୍ରାଣ ମଣିଷ—ବାହାରେ କଙ୍କର ପରି ରୁକ୍ଷ, ଭିତରେ ଝରଣା ପରି ତରଳ-। ଆଜିର ଦୀର୍ଘ ବୈଶାଖ ମଧ୍ୟାହ୍ନ ଗୋଟିଏ ମୁହୂର୍ତ୍ତ ପରି ଲାଗିଲା । ରସ ପ୍ରବାହ ରୌଦ୍ରକୁ ଚନ୍ଦ୍ରିକା କରିଦେଲା । କାଶ୍ମୀରର ସ୍ଵପ୍ନ ତୁଳି ସ୍ପର୍ଶରେ ସିଂହନାଥ ଗୌରୀଶଙ୍କର ପରି ଉଚ୍ଚ ହୋଇଗଲା-। ବନର ଅଜଣା ଅଶୁଣା ଫୁଲ ଗୋଲାପ ପରି ମହକିଲା । ସିଂହନାଥ, କାଶ୍ମୀର ଏକ–ଅଭିନ୍ନ-। କେବଳ ଦୂରତାର ମୋହ ଛଡ଼ା ଆଉ କି ତଫାତ୍‍ ଅଛି ?

 

ସେଇଦିନ ରାତିରେ ବାହାରିଲୁ ଭଟ୍ଟାରିକା ଅଭିମୁଖେ । ଭଟ୍ଟାରିକା ପର୍ଯ୍ୟନ୍ତ ବସ୍‍ ଯାଏ ନାହିଁ, ଚାରି ପାଞ୍ଚ ମାଇଲ ଦୂରରୁ ବାଟ ଭାଙ୍ଗି ଅନ୍ୟ ରାସ୍ତାରେ ନରସିଂହପୁର ଯାଏ । ବାଟରେ ପ୍ରାୟ ରାତି ଏଗାରଟାରେ ଓହ୍ଳାଇ ଗୋଟିଏ ସ୍କୁଲ ପିଣ୍ଡାରେ ଶୋଇଲୁ, ବାଟଚଲା ବାଧା । ଶେଯ ଶୁଙ୍ଘୁ ଶୁଙ୍ଘୁ ନିଦ ଆସିଲା । ରାତି ପ୍ରାୟ ପହରେ ଅଛି । ଗୋଟିଏ ଭାରୁଆକୁ ସାଥିରେ ଘେନି ଚାଲିଲୁ ଭଟ୍ଟାରିକା । ଖରାଦିନେ ରାତି ବାଟଚଲା ସୁଖ ।

 

କନିଅର ଗଛରେ ଜୁଳୁଜୁଳିଆ ଜୁଳୁଜୁଳୁ କରୁଥାନ୍ତି । ଆକଶରେ ବଉଦର ସର ପଡ଼ିଥାଏ । ପାଣିଆ ଦୁଧପରି ପାତଳ ଚନ୍ଦ୍ରିକା । ତାରାମାନେ ନିର୍ଜନତାର ସୁଯୋଗ ନେଇ କଥା କହିବା ଭଙ୍ଗୀରେ ଥାଆନ୍ତି । ବିଜନତା କାନପାରି ଶୁଣୁଥାଏ ପ୍ରକୃତିର ସଙ୍ଗୀତ । ରାତିର ନିବିଡ଼ ରହସ୍ୟ ସିନ୍ଦୂରାରେ ଫୁଟି ପଡ଼ିଲା । ନୂତନ ସୂର୍ଯ୍ୟର ସ୍ନେହ ସ୍ପର୍ଶରେ ପୁଲକିତ ହେଲି । ଜଞ୍ଜାଳିଆ ଦୁନିଆରୁ ଦୂରରେ ରହି ମୁଁ ତାଙ୍କୁ ଆଜି ପାଇଛି । ସେ ବହୁତ ଭିତରେ ମୋତେ ଯେପରି ଆଜି ଏକୁଟିଆ ପାଇଛନ୍ତି । ଏଇ ନିବିଡ଼ ସ୍ନେହରେ ଆତ୍ମହରା ହୋଇ ଯାଉଁ ଯାଉଁ ଦେଖାଗଲା ମହାନଦୀର ବିପୁଳ ବିସ୍ତାର ମଧ୍ୟରେ କ୍ଷୀଣ ଜଳଧାର । ଏ ଆମ ମହାନଦୀ, ଯୋଉଠି ଥିଲେ ବି ଆମର । ନିକଟରେ ଧୂସର, ଶ୍ୟାମଳ, ନୀଳ ପର୍ବତମାଳା । ଅପରିଚୟର ଦୂରତା ନାହିଁ । ସମସ୍ତେ ମୋ ପ୍ରାଣରେ ପ୍ରାଣବନ୍ତ । ପାଖରେ ବାଙ୍ଗୁରା ପାହାଡ଼, ତଳେ ନଈ, ମଝିରେ ଭଟ୍ଟାରିକା ଠାକୁରାଣୀ-। ନଈ କୂଳେ କୂଳେ ଆମ୍ବତୋଟା । ବଙ୍କେଇ ବଙ୍କେଇ ପାହାଡ଼କୁ ଉଠିଲୁ—ମନରେ ସମସ୍ତ ପ୍ରାକୃତିକ ପରିବେଶର ଗୋଟିଏ ଫଟୋ ନେବାପାଇଁ । ଫଟୋ ନେବାର ବିରୋଧୀ ମୁଁ-। ଯେ ମୋର ଅତି ନିଜର ତାକୁ ବାହାରେ ରଖିବାକୁ ଚାହେଁ ନାହିଁ । ସେ ମୋ ମନରେ ଛାପିହୋଇ ରହୁ-। ଯେତେବେଳେ ମନ ରୁକ୍ଷ ହୋଇଯିବ, ସେତେବେଳେ ସ୍ମରଣ କରିବି ।

 

ପାହାଡ଼ ଫଟାଇ ଗଛ ଉଠିଛି, ଲମ୍ବା ଲମ୍ବା ସାଉଁଳିଆ ଚେର ଅଜଗର, ଅହିରାଜର ଭ୍ରମ ଜନ୍ମାଉଛନ୍ତି । ଏ ଗଛଲତା ମୋର ଅତି ଆପଣାର । ଆଲିଙ୍ଗନରେ ଅନୁଭବ କଲି ସବୁଜ ନାଡ଼ିର ନିବିଡ଼ ସ୍ପନ୍ଦନ । ପାହାଡ଼ରୁ ଗୁମ୍ଫା, ଗୁମ୍ଫାରୁ ଗଛରେ ଚଢ଼ି ପାଇଲି ପ୍ରକୃତି ସ୍ପର୍ଶର ସଜୀବ ଅନୁଭୂତି । ଭଟ୍ଟାରିକାରେ ସତେ ଯେପରି କାଶ୍ମୀରର ପ୍ରାଣ ଅବତରିଛି ! ଦୃଶ୍ୟର ସମୃଦ୍ଧି ମଧ୍ୟରେ ମନ ମୋର ଅମୀର ହୋଇଗଲା ।

 

ଦେଉଳରେ ପ୍ରସାଦସେବାର ବ୍ୟବସ୍ଥା ହୋଇଛି । ଲାଲ୍‍ ବଗଡ଼ା ଅନ୍ନ, ଭରିଏ ଓଜନର ଡାଲି, ଦୁଇ ତିନୋଟି ଗିଲିଚୁଙ୍ଗୁଡ଼ି । ଠାକୁରାଣୀଙ୍କର ବହୁ ଭକ୍ତ, ବିଶେଷ ଖ୍ୟାତି ଥିଲେ ବି ସେ ସର୍ବହରାର ଜୀବନ ଯାପନ କରନ୍ତି । ସେବକମାନେ ନିତାନ୍ତ ଦରିଦ୍ର, ମନୋବୃତ୍ତିରେ ଦରିଦ୍ରତର । କାହିଁକି ଯେ ଏତେଗୁଡ଼ାଏ ଲୋକ ଦୁଇ ତିନିଅଣା ପଇସା, ମୁଠିଏ ବଗଡ଼ା ଭାତ ଲାଗି ପଡ଼ି ରହିଛନ୍ତି, ବୁଝିବା ମୁସ୍କିଲ । ଯେଉଁଠି ଜଣେ ଦୁଇଜଣରେ କାମ ଚଳନ୍ତା, ସେଠି ବହୁସଂଖ୍ୟକ କର୍ମକୋଢ଼ି ପଡ଼ି ରହିବା ଏକ ଜାତୀୟ କ୍ଷତି । ଏ ଦଳକୁ ଦେଖିଲେ ବାସ୍ତବିକ୍‍ କରୁଣା ଆସେ । ପଇସେ ଦୁଇ ପଇସା ଲାଗି ସେମାନେ କି ସ୍ତୁତି ନ କରନ୍ତି ! କେବେ ଭାବନ୍ତି କି ସେମାନଙ୍କ ବାହାରେ କେତେ ବଡ଼ ସମୃଦ୍ଧ ଦୁନିଆ ଅଛି !

 

ରାତି ଚାରିଟାରେ ଉଠି ମାଝିକୁ ଉଠାଇଲୁ । ବଡ଼ ଅନିଚ୍ଛାରେ ନିଦରଙ୍ଗା ଆଖିରେ ସେ ଘାଟକୁ ଆସିଲା । ଭାରୁଆ ବି ସେହିପରି କୁନ୍ଥୁ କୁନ୍ଥୁ ହୋଇ ଆସିଲା—ଏଇଟା ସେମାନଙ୍କୁ ଅବେଳ-। ଖରାକୁ ଡରି ଆମର ଏ ବ୍ୟବସ୍ଥା । ତଥାପି ମହାନଦୀ ପାରି ହେଲା ବେଳକୁ ଫସର ଫାଟିଗଲା-। କୋଶେ ବାଟ ନଈରେ ଚାଲିବାକୁ ହେବ । ଗୋଡ଼ ଗଳି ପଡ଼ୁଥାଏ, ଚରାଖୋଜା ଚଢ଼େଇର ଖୋଜ ଚିହ୍ନ ଛଡ଼ା ବାଲିରେ ଆଉ କୌଣସି ଚିହ୍ନ ନାହିଁ । ଠାଏ ଠାଏ ପବନ ବାଲିକି ଗଦେଇ ବନ୍ତ ତିଆରି କରିଛି । ସୂର୍ଯ୍ୟ ଉଠିଲେ—ଚାହୁଁ ଚାହୁଁ ଆକାଶ ଉପରକୁ ଉହୁଙ୍କି ଉହୁଙ୍କି ଚାଲିଲେ । ଆମ ଦୁଃଖକୁ ଗଭୀରତର କରିବା ପାଇଁ ଭାରୁଆର ପୋକରା ବାହୁଙ୍ଗିଟି ଭାଙ୍ଗିଗଲା । ବୁଢ଼ାଲୋକ, ଭାର ବୋହି ବୋହି କାନ୍ଧରେ ବିଣ୍ଡି ବସିଛି । କିନ୍ତୁ ବୋଝ ବୋହିବାର ଅଭ୍ୟାସ ନାହିଁ । ଡାକେ ବାଟ ଯାଉଣୁ ସେ ଥକି ପଡ଼ିଲା । କ’ଣ କରିବୁ ? କାନ୍ଧରେ ସୁଟକେସ୍‍ , ବିଛଣା ଥୋଇ ପାଦରେ ବାଟ ମାପି ମାପି ଚାଲିଲୁ—ଡାଳଭଙ୍ଗା ଚାରି କୋଶ । ଜଳନ୍ତା କୋଇଲା ଗୁଣ୍ଡ ପରି ବାଲି ତାତିଥାଏ । ଗରମ ଦୁଧପରି ଉପରୁ କୁଢ଼େଇ ହୋଇ ପଡ଼ୁଥାଏ ଧାର ଧାର ଖରା; ମହାନଦୀ କୂଳର ଅରମା ବଣେ ବଣେ ଯାଇ କଣ୍ଟିଲୋରେ ବେଳ ୧୧ ଟାରେ ପହଞ୍ଚିଲୁ । ଝାଳରେ ଏକଦମ ଗାଧୋଇ ପଡ଼ିଛୁ-। କାମିଜ ଦେହରେ ଚମଡ଼ା ପରି ଲାଗିଯାଇଛି । ଦୀର୍ଘ ନିଦ୍ରାରେ ଦିନଟା ରାତି ପରି ବ୍ୟବହାର କଲୁ-। ପାଞ୍ଚଟାବେଳକୁ ନିଦ ଭାଜିଲା । ନୀଳମାଧବ ମନ୍ଦିର ଦେଖିଗଲୁ ।

 

ମନ୍ଦିରଟି ଗୋଟିଏ ଛୋଟ ପାହାଡ଼ ଉପରେ ଛିଡ଼ା ହୋଇଛି । ପାହାଡ଼ରେ ବସି ଗୋଡ଼ ଲମ୍ବାଇଲେ ମହାନଦୀର ଢେଉ ବାଜେ । ଏହି ସ୍ଥାନରେ ବିଶ୍ଵାବସୁ ନୀଳମାଧବଙ୍କୁ ପୂଜା କରୁଥିଲା ବୋଲି ଜନଶ୍ରୁତି ଅଛି । ମନ୍ଦିର ଆକାରରେ ବୃହତ ନୁହେଁ, କେତେକ ଚମତ୍କାର ମୂର୍ତ୍ତିକୁ ବାଦ ଦେଲେ କାରୁକାର୍ଯ୍ୟରେ କିଛି ବଶେଷତ୍ଵ ନାହିଁ । ରାତିରେ ମନ୍ଦିର ମଧ୍ୟରେ କେତେକ ପ୍ରଦୀପ ଜଳିବାର ଦେଖିଲି, ପ୍ରାଙ୍ଗଣ ଅନ୍ଧକାରମୟ । ଯାତ୍ରୀସମାଗମ ନାହିଁ କହିଲେ ଚଳେ । କିନ୍ତୁ ଏ ବିଜନତାରେ ଏକ ସ୍ଵତନ୍ତ୍ର ଆନନ୍ଦ ଅଛି, ଯାହା ଅନ୍ୟତ୍ର ବିରଳ ।

 

ଏଠାରେ ବସି ପ୍ରାକୃତିକ ଦୃଶ୍ୟ ଦେଖିବାର ସୁବ୍ୟବସ୍ଥା ହୋଇଅଛି । ଅପରାହ୍ନ ସୂର୍ଯ୍ୟ ଧୀରେ ଧୀରେ ତାମ୍ରବର୍ଣ୍ଣ ଧାରଣ କଲା । ରୌଦ୍ର କ୍ରମେ ଦୁଗ୍‍ଧ ମଧୁ ମିଶ୍ରିତ ଧାର ପରି ମନୋହର ଦେଖାଗଲା । ଆଜିର ଗୋଧୂଳି ମୋ ଜୀବନର ଗୋଟିଏ ସ୍ମରଣୀୟ ଗୋଧୂଳି । ଶତ ଶତ ଗୋଧୂଳି ମୋ ମନରେ ରତ୍ନ ମେଘର ଜ୍ୟୋତି ଜଳାଇ ନିଭି ଯାଇଛି । କିନ୍ତୁ ଦିନ ଶେଷର ଏଇ ରକ୍ତିମ ମୁହୂର୍ତ୍ତଟି ଆଜି ପ୍ରାଣରେ ଅମର ହୋଇଗଲା । ଶୈଳର ଏକ ସ୍ଥିର ଲହରୀମୟ ସମୁଦ୍ର । ଅସ୍ତଗାମୀ ରବି ପ୍ରତ୍ୟେକ ପର୍ବତ ସହିତ ସ୍ନେହ ସଂପର୍କ ରଖିଅଛି । ସେ ନିଜେ ଧନୀ । ଦାନର ଅଜସ୍ରତାରେ ପ୍ରତ୍ୟେକ ଅରଣ୍ୟ, ପ୍ରପାତ, ପର୍ବତକୁ କରିଛି ସମୃଦ୍ଧ । ମହାନଦୀର ବାଲି ସୁନାର ରେଣୁ । ଜଳ ତରଳ ସୁବର୍ଣ୍ଣ ସ୍ରୋତ ପରି ବହି ଯାଉଅଛି । ସ୍ଵର୍ଣ୍ଣଭ ଶାନ୍ତି ନଇଁ ଆସିଛି ନିବିଡ଼ ନୀଳ ଅରଣ୍ୟ ମଧ୍ୟରେ । ଗୋଲାପୀ କାଶ୍ମିରୀ ଶାଲ ପରି ଲମ୍ବିଛି ଅସ୍ତରାଗର ବିତାନ, ଲମ୍ବିଛି ଗୋଲାପର ମାଳା । ଡାଲଲେକକୁ କାଶ୍ମିରିଣୀ ପରି ମହାନଦୀକୁ ଓହ୍ଳାଇ ଆସୁଛନ୍ତି ଓଡ଼ିଆଣୀ, କାଖରେ ସୁବର୍ଣ୍ଣଘଟ, ଚାଲିରେ ନାଚର ସୌକୁମାର୍ଯ୍ୟ, ଚାହାଣୀରେ ଉଲାର ହ୍ରଦର ପଦ୍ମ । ଶାନ୍ତ, ସୁସ୍ଥ, ବଳିଷ୍ଠ କଳାପ୍ରାଣ ଓଡ଼ିଆ କେଉଁ ଗୁଣରେ କାଶ୍ମିରୀଙ୍କ ଠାରୁ ଊଣା ? ଏଠି ହିମାଦ୍ରି ନାହିଁ, ବନାଦ୍ରି , ଗୁଳ୍ମାଦ୍ରି ତ’ ଅଛନ୍ତି ।

 

ସକାଳୁ ଉଠି ଖଣ୍ଡପଡ଼ା ଯିବାର କଥା । ବସ୍‍ବାଲାକୁ ରାତିରେ କହିଛୁ–ଆମେ ଯେମିତି ହେଲେ ଯିବୁ, ଦୁଇଟି ସିଟ୍‍ ! ବଡ଼ିଭୋରରୁ ଉଠି ଗଣ୍ଠିଲିପତ୍ର ଧରି ଧାଇଁଛୁ । ବସ୍‍ଷ୍ଟାଣ୍ଡ ରହଣି ଜାଗାରୁ ପ୍ରାୟ ମାଇଲିଏ ବାଟ । ଲକ୍ଷ୍ୟସ୍ଥଳରେ ପହଞ୍ଚୁ ପହଞ୍ଚୁ ଊର୍ଦ୍ଧ୍ଵଶ୍ଵାସ ଓ ଉତ୍କର୍ଣ୍ଣ ହୋଇ ଶୁଣିଲୁ–ବସ୍‍ ଚାଲିଗଲାଣି । ଆଜି ଦଶମିନିଟ ଆଗରୁ ଛାଡ଼ିଦେଇଛି । ବସ୍‍ବାଲାକୁ ଯାହା ଶୋଧିଥାନ୍ତୁ, ଉପସ୍ଥିତ ଲୋକେ ତା’ ଠାରୁ ଢେର ବଳିଗଲେ । ମର୍ଯ୍ୟାଦା ଜଗି ଅନ୍ତରରେ ଦୁଃଖ ଚପାଇଲୁ, ମୁଁହରେ ହସ ଫୁଟାଇଲୁ—ଯେପରିକି କିଛି ଘଟି ନାହିଁ । ଲୋକଙ୍କ କରୁଣ ସହାନୁଭୂତି ମାଡ଼ ପରି କାଟିଲା । ଆମେ ବାବୁ, ବାବୁ ଜାତୀୟ ଜୀବ ଗାଡ଼ିର ଆତ୍ମୀୟ, ବାଟଚଲା ସଙ୍ଗେ ତାଙ୍କର ଯତି ମିଳେ ନାହିଁ । ଲୋକଙ୍କର ଏ ଧାରଣାକୁ ଅମୂଳକ ପ୍ରମାଣ କରିବା ଲାଗି ଆମେ ସଂକଳ୍ପକୁ ଶାଣିତ କଲୁ । ଆମ ଲଗ୍ନ ତ’ ମୂଳରୁ ଭ୍ରଷ୍ଟ, ତେଣୁ ବରାବର ଭ୍ରଷ୍ଟ ହେଉଥିବ—ଏହା ଏକ ବିଶ୍ଵାସରେ ପରିଣତ ହେଲାଣି । କଣ୍ଟିଲୋରୁ ଖଣ୍ଡପଡ଼ା ଦଶମାଇଲ ବାଟ । ଭାରୁଆ ନବଯବାନ୍‍, ଭାର କାନ୍ଧରେ ଥୁଆ ହେଲା କ୍ଷଣି ଦୌଡ଼ିଲା ଗତିରେ ଚାଲିଲା । ତା’ ସଙ୍ଗରେ ତାଳ ଦେଇ ଚାଲିବା ମାନେ ଡବଲ ମାର୍ଚ୍ଚ । ଆମେ ତ ଖାଲି ବାଟ ଚାଲିବାକୁ ଆସିନୁ, ଆସିଛୁ ବାଟର ରସ ଉପଭୋଗ କରିବାକୁ । ଚାଲିବାଟା ଯେପରି ଆମ ଉପରେ ଭାର ନ ହୁଏ, ଚେଷ୍ଟା କଲୁ । ପ୍ରାକୃତିକ ଦୃଶ୍ୟ ଦେଖି ନାନାପ୍ରକାର ସୁଖାଳାପ କରି ବାଟ କଟାଇ ନେଲୁ । ବାଟୋଇକି ଆପଣାର କରି ତା’ ସଙ୍ଗେ ସୁଖଦୁଃଖ ହେଲୁ , ବାଧିଲେ ବରଗଛ ଛାଇରେ ଥକା ମାଇଲୁ । ଗାଆଁ ସାହୁଠାରୁ ନବାତ କିଣି ପିଇଲୁ । ଚାଲିଟା ଚାହୁଁ ଚାହୁଁ ଘତରେ ପଡ଼ିଗଲା । ସତେ ଯେପରି ଗାଡ଼ି ଘୋଡ଼ା ଯୁଗର ଦୁର୍ବଳ ମଣିଷ ନୁହେଁ, ଆତ୍ମଶକ୍ତି ଉପରେ ନିର୍ଭରଶୀଳ ଆଦିମ ଉଠୁଛି କାଶ୍ମୀରର କୌଣସି ଗିରିଶୃଙ୍ଗକୁ । ଦୃଶ୍ୟର ବୈଚିତ୍ର୍ୟ ଓ ଅନୁଭୂତିର ନିବିଡ଼ତା ମଧ୍ୟରେ ଏ ବର୍ଷର କାଶ୍ମୀର ଦର୍ଶନ ସ୍ଵପ୍ନ ନିଭିଗଲା ।

 

ଚାହୁଁଚାହୁଁ ଗୋଟିଏ ବର୍ଷ ଗଡ଼ିଗଲା । ପୁଣି ଗ୍ରୀଷ୍ମଛୁଟି । ଚୈତ୍ରର ଉତ୍ତପ୍ତ ସୂର୍ଯ୍ୟ ପ୍ରଶ୍ନ କଲା—ଏ ବର୍ଷ କାଶ୍ମୀର ଯିବ ନାହିଁ କି ? ଉତ୍ତର କଥାରେ ନୁହେଁ, ଉତ୍ସାହିତ ଉଦ୍ୟମରେ ଫୁଟିଉଠିଲା । ବୀରଭୂମି ଜିଲାର ମାଜିଷ୍ଟ୍ରେଟଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ମନ କଥା ଜଣାଇଲି । ସେ କେବଳ ଜଣେ ଅଫିସର ନୁହନ୍ତି, ଜଣେ ସାହିତ୍ୟରସିକ ମଧ୍ୟ । ଯିବାର ୧୫ ଦିନ ଆଗରୁ ଅନୁମତିପତ୍ର ପଠାଇ ଦେଲେ । ଗତ ବର୍ଷ ଅର୍ଥାଭାବ ନୁହେଁ, ଏଇ ଅନୁମତିପତ୍ର ହିଁ ପ୍ରଧାନ ଅନ୍ତରାୟ ସୃଷ୍ଟି କରିଥିଲା । ଏଥର ଅନୁମତିପତ୍ରଟି ସହଜରେ ଆସିବାର ଦେଖି ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା ଏଥର ନିଶ୍ଚୟ ନିଶ୍ଚୟ କାଶ୍ମୀର । ରବୀନ୍ଦ୍ରନାଥ ଠାକୁର (କୁଳପତି), କଳାବିତ ନନ୍ଦଲାଲ ବୋଷ ଆଉ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କଠାରୁ ପରିଚୟପତ୍ର ସଂଗ୍ରହ କଲି । ଏହା ସାହାଯ୍ୟରେ କାଶ୍ମୀରର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ କରିପାରିବି, ଯାତ୍ରା ସହଜ, ସୁଗମ ହେବ ।

 

କାଶ୍ମୀରର ନୌକାଗୃହଗୁଡ଼ିକ ବ୍ୟୟବହୁଳ, ହୋଟେଲ ଖର୍ଚ୍ଚ ତତୋଽଧିକ । ରେସନ କାର୍ଡ଼ର ଜଞ୍ଜାଳ ତ ଅଛି । ଏଥିରୁ ରକ୍ଷା ପାଇବାପାଇଁ ଶ୍ରୀନଗରର ଜଣେ ଡାକ୍ତର ବନ୍ଧୁଙ୍କ ବସାରେ ରହିବାର ବ୍ୟବସ୍ଥା ହୋଇଗଲା । ଦେହ ଯିବା ପୂର୍ବରୁ ମନ କେତେ ଥର ଯାଇ ବୁଲି ଆସିଲା । ଗାଡ଼ିରେ ପଠାଣକୋର୍ଟ ଯାଇ ସେଠାରୁ ଉଡ଼ାଜାହାଜରେ ଶ୍ରୀନଗର ଯିବା କଥା । ଯାତ୍ରାର ଦୁଇ ଚାରିଦିନ ପୂର୍ବରୁ ସ୍ୱପ୍ନରେ ଥରେ କାଶ୍ମୀର ଚାଲିଗଲି । ଆକାଶ ପଥିକ ହେବାର କଳ୍ପନା ମନକୁ ଅସ୍ଥିର କରୁଥିଲା । ରାତି ଆଠଟା, ଆକାଶରେ ଚନ୍ଦ୍ର, ମୋ ମନ ଭିତରେ ପୂରିଥାଏ ଚନ୍ଦ୍ରିକା । ଆକାଶମଲ୍ଲୀର ଆଲୋକ ବିନ୍ଦୁ ପରି ଗଛପତ୍ରରୁ ଟୋପା ଟୋପା ଚନ୍ଦ୍ରକିରଣ ଝରୁଥାଏ । ମନ ସ୍ଵଚ୍ଛ, ଆନନ୍ଦସିକ୍ତ; କାଶ୍ମୀର କୋକିଳ କହିଲା—‘କୁହୁ’ । ଉଡ଼ାଜାହାଜ ଉଠିଲା, ଉଡ଼ିଲା ମୋର ମନ । ଦଣ୍ଡକେ ଭୁଲିଗଲି ଯେ ମୁଁ ପୃଥିବୀର ଜୀବ, ଗଛଲତା ଆଉ ମନୁଷ୍ୟ ଲୁଚିଗଲେ ଚନ୍ଦ୍ରାଲୋକର ଧଳା ପର୍ଦ୍ଦା ତଳେ । ଆକାଶରେ ଅଜସ୍ର ବିପୁଳତା, ପୃଥିବୀରେ ଚନ୍ଦ୍ରଘେରା ରହସ୍ୟ, କୁହୁଡ଼ି ଝଡ଼ରେ ଶିଶିରବିନ୍ଦୁ ପରି ଆମର ଯାତ୍ରା । ପୃଥିବୀରୁ ଚେର ଛିଣ୍ଡିଛି, କିନ୍ତୁ ଆକାଶରେ ଡାଳ ଲାଗିନାହିଁ । କେଡ଼େ ନିଆଶ୍ରୀ ଆମେ । ଦେଖାଗଲା ଶତଶୃଙ୍ଗିତ ହିମାଦ୍ରି, ତରଳ ଚନ୍ଦ୍ରିକାରେ ଦର୍ପଣ ପରି ଚକ୍‍ ଚକ୍‍ କରୁଥାଏ । ଏଇ ବାଁ’ପଟେ ରହିଲା ବହୁପୁଷ୍ପିତ କାଶ୍ମୀର ଉପତ୍ୟକା, ଏଇ ଗୋଟିଏ ହ୍ରଦ, ଚନ୍ଦ୍ରର ଛାଇ ଜଳରେ ଆଲୋକସ୍ତମ୍ଭ ସୃଷ୍ଟି କରିଛି । ପ୍ରତି ମୁହୂର୍ତ୍ତରେ ଅଳକା ଭାଙ୍ଗୁଛି ଗଢ଼ୁଛି ।

 

ଉଡ଼ାଜାହାଜର ବିକଟ ଗର୍ଜ୍ଜନରେ ହଠାତ ମୋ ସ୍ଵପ୍ନ ଭାଜିଗଲା । ଆକସିଡେଣ୍ଟ ! ! ଉଲକା ବେଗରେ ଉଡ଼ାଜାହାଜଟା ତଳକୁ ଖସି ଆସିଲା । ଆକାଶରେ ଚନ୍ଦ୍ର ନିଭିଗଲା, ଛାଇ ପାଲଟିଗଲା ଚନ୍ଦ୍ରିକା । ସମ୍ମୁଖରେ ମୃତ୍ୟୁ ଆଉ ଅନ୍ଧକାର । ହଠାତ୍‍ ଆଖି ଖୋଲି ଦେଖେ ତ ମୁଁ ହିମାଳୟର ଗୋଟିଏ ଶୃଙ୍ଗରେ । ନିତାନ୍ତ ଏକାକୀ । ଜନମାନବଶୂନ୍ୟ ଏ ଶୃଙ୍ଗ । ଥଣ୍ଡାରେ ରକ୍ତ ଜମାଟ ବାନ୍ଧୁଛି, କୁଆଡ଼େ ଯିବି ? ଚାରିଆଡ଼ ଦରାଣ୍ଡିଲି । ହାତରେ ତକିଆଟା ବାଜିଲା । ଦେଖିଲାବେଳକୁ ମୁଁ ଶୋଇଛି ଗୋଟିଏ ନିର୍ଜ୍ଜନ କୋଠରୀରେ । ଶେଯରେ ପଡ଼ିଛି ଅଟକାଳି ପରି ବହଳ ଚନ୍ଦ୍ରିକା । କାହିଁ ଉଡ଼ାଜାହାଜ, କାହାନ୍ତି ମୋର ଯାତ୍ରାସଙ୍ଗୀ ଆଉ ସଙ୍ଗିନୀ ?

 

ଯାହାହେଉ, ଯିବାର ତ କଥା, ବନ୍ଧୁମାନଙ୍କୁ ଜଣାଇ ଦେଲି—ଯାଉଛି କାଶ୍ମୀର । ଏତେ ବଡ଼ ଆନନ୍ଦ ସମ୍ବାଦ ଛାତିରେ ସମ୍ଭାଳି ରଖିବା ଅସମ୍ଭବ । କାଲି ଯିବାର କଥା । ଗଣ୍ଠିଲି ପତ୍ର ବନ୍ଧାବନ୍ଧି ହେଲା । ତୃତୀୟ ଶ୍ରେଣୀରେ ଯିବି । ଭିଡ଼କୁ ଭୟ ନାହିଁ, କୌଣସି ଦୁଃଖକଷ୍ଟକୁ ଖାତିର ନାହିଁ । ମୋର ଅଭିଯାନ ସିଂହଳରୁ କାଶ୍ମୀର । ପୃଥିବୀ ନ ହେଲା ନାହିଁ, ଅନ୍ତତଃ ପ୍ରିୟତମ ଜନ୍ମଭୂମି ଭାରତବର୍ଷ ଦେଖିନେବି । ମାତ୍ର ୨୪ ଘଣ୍ଟା ବାକି । ପତ୍ର ଆସିଲା–ମାଆ ଦଶଦିନ ହେଲା ଅସୁସ୍ଥ । ବଡ଼ ଭାବନାରେ ପଡ଼ିଲି । ଏକ ଦିଗରେ ସ୍ଵପ୍ନର କାଶ୍ମୀର, ଅନ୍ୟ ଦିଗରେ ସ୍ନେହଶୀଳା ଜନନୀ । ୭୦ ବର୍ଷର ବୁଢ଼ୀ । ରୋଗ ଶଯ୍ୟାରେ ପଡ଼ି ମୋତେ ଖୋଜୁଥିବ । କିଏ ଆଣି ଔଷଧ ଟିକିଏ ଦେବ, ଆଶ୍ଵାସନା ବାଣୀ ଶୁଣାଇବ ? ଏ ମୁହୂର୍ତ୍ତରେ କିଏ ବଡ଼ ? କାଶ୍ମୀର ନା ମାଆ ? ଏ ଜୀବନ ଥିଲେ ହାତରେ ପଇସା ହେଲେ ଯେ କୌଣସି ମୁହୂର୍ତ୍ତରେ କାଶ୍ମୀର ଉଡ଼ିଯିବି । କିନ୍ତୁ ମାଆ ଚାଲିଗଲେ ଆଉ ଥରେ ଦେଖି ପାରିବି ନାହିଁ । ସେ ଯେଉଁଠିକି ଯିବ ସେଠିକି ଉଡ଼ାଜାହାଜର ଯାତାୟାତ ନାହିଁ । ମନରେ ମାତୃ ଅସୁସ୍ଥତାର ବେଦନା ଘେନି କାଶ୍ମୀରର ଦୃଶ୍ୟ ଉପଭୋଗ କରିପାରିବି ନାହିଁ । ସମସ୍ତ ହିମାଦ୍ରିର ହିମ ମୋ ଚିତ୍ତର ଦାହ ନିଭାଇ ପାରିବ ? କେଉଁ କାଶ୍ମୀର ଗୋଲାପର ଏପରି ମହକ ଅଛି, ଯାହାକି ମାତୃସ୍ନେହର ମହକକୁ ବଳିଯିବ ? ମାଆ ଆଖିର ବିନ୍ଦୁଏ ଲୁହକୁ କେଉଁ ତୀର୍ଥର ଜଳ ସରି ହେବ ?

 

ଡାଲଲେକ ପରି ଫୁଟି ଦିଶିଲା ଆମ ଗାଆଁର ବଇଡାଙ୍ଗ ପୋଖରୀ—ଫୁଟିଛି କଇଁଫୁଲ-। ଚପଳ ଢେଉରେ ନାଚୁଛି ତା’ର ଛାଇ । ନାରୀକେଳ କୁଞ୍ଜରୁ ଝରୁଛି କେଣ୍ଡା କେଣ୍ଡା ଫୁଲ । ଫୁଟିଛି କୃଷ୍ଣଚୂଡ଼ା । ଗାଉଛନ୍ତି ଶୀତଳ ତୋଟାମାଳରେ ଗାଉଁଲି ପକ୍ଷୀ–ସ୍ଵରରେ ଅଶିକ୍ଷିତ ପଟୁତ୍ଵ-। ମାଟିରେ ମିଶି ଖରାରେ ଭାଜି ହୋଇ କାମ କରୁଛନ୍ତି କୃଷକ ତରୁଣ ତରୁଣୀ । ଏ ଭିତରେ ମୁଁ ଭୁଲିଯାଇଛି ମୋର କାଶ୍ମୀରଯାତ୍ରା । କାଶ୍ମୀର ଗଲି ନାହିଁ ସତ୍ୟ, କିନ୍ତୁ କାଶ୍ମୀର ମୋ ନିକଟକୁ ଆସିଲା, ଆମ ଗାଆଁର ଫୁଲପତ୍ର, ଝରଣା, ପୁଷ୍କରିଣୀ, ଉଷାମେଘ, ଉଷାସନ୍ଧ୍ୟା ଚାନ୍ଦିନୀ ଅନ୍ଧକାର ସମସ୍ତେ କହିଲେ–ସୁନାର କାଶ୍ମୀର ତୁମ ମନରେ । ମାଆକୁ ଆଉ କବିତାର କାଶ୍ମୀରକୁ ପାଇଲି ଏଇ ଆମ ଗାଆଁରେ ।

☆☆☆

 

ଅଜନ୍ତା, ଏଲୋରା, ଧୂଆଁଧାର

 

ଶାନ୍ତିନିକେତନର ମେଳା ଆଜି ଶେଷ ହେଲା । ଭିଡ଼ ଭାଜିଲା, ଯେମିତି ଜୁଆର ଆସେ, ଭଟ୍ଟା ପଡ଼େ । ଭଙ୍ଗାର କାରୁଣ୍ୟ ଚତୁର୍ଦ୍ଦିଗରେ । ନିର୍ବେଦ ନିର୍ଜନତା ଘନେଇ ଆସିଲା, ଯେଉଁଠି ଗୋଟାଏ ଝଡ଼ ସମୁଦ୍ରର ଅଶାନ୍ତ କୋଳାହଳ ଶୁଣା ଯାଉଥିଲା । ଭିଡ଼ର କ୍ଷତ ଶୁଖି ନାହିଁ; ବାତାବରଣରେ ବିରକ୍ତି, ପଥେ ପଥେ ଅବସନ୍ନତା, ମୁଖେ ମୁଖେ କ୍ଲାନ୍ତି । ରସର ଉତ୍ସ ଯେପରିକି ନିଃଶେଷ ହୋଇ ଯାଇଛି । ଅଜସ୍ର ଜନସ୍ରୋତ ମନକୁ ଯେପରି ରୋଗାକ୍ରାନ୍ତ କରୁଥିଲା, ନିର୍ଜନତାର ନିପୀଡ଼ନ ତହୁଁ ବଳି ଅସହ୍ୟ ହେଲା । ମନରେ ନୂଆ ଋତୁର ଆବେଶ ଲୋଡ଼ା । ନୂଆ ଫୁଲ ଫୁଟାଇବି, ନୂଆ ହିଲ୍ଲୋଳ ଛୁଟାଇବି, ଏଇ ଆଶାରେ ମୁଁ ବାହାରିଲି ।

 

ଏ ବର୍ଷ ବିଦ୍ୟାଭବନଦଳ ଅଜନ୍ତା ଯାଉଥାନ୍ତି, ସଂଖ୍ୟାରେ ଚଉବନ । ଯେତିକି ଛାତ୍ର ପ୍ରାୟ ସେତିକି ଛାତ୍ରୀ । ଦୁଇଜଣ ବିଦେଶିନୀ ଅଧ୍ୟାପିକା, ଜଣେ ଫରାସୀ ମହିଳା, କ୍ଷୀଣାଙ୍ଗୀ ଯୁବତୀ, ବିଦୁଷୀ; କଣ୍ଠ ଧୀର । କୋମଳ ହାସ୍ୟ ସ୍ମିତର ଊର୍ଦ୍ଧ୍ଵକୁ ଯାଏ ନାହିଁ, ବନ୍ଧୁ ଅର୍ଜନ କରିବାର କ୍ଷମତା ଅଛି ତା’ର । ଆଉ ଜଣେ ବଲିଭିଆର, ସ୍ପାନିସ ଭାଷା ଭାଷିନୀ; ବୟସ୍କା । ଦାନ୍ତରେ ସୁନାଛାଆଣି, କଣ୍ଠ ଚଢ଼ା, କଥା ତେଢ଼ା । କଥା ଆଉ ଅଟ୍ଟହାସ୍ୟର ଜୁଆର ଏକାବେଳକେ ଛୁଟାନ୍ତି, ସେଥିରେ ଯେ ହେଲେ ଦୂରେଇ ଦୂରେଇ ଯିବ । ଅଧ୍ୟକ୍ଷ ଭଟ୍ଟାଚାର୍ଯ—ସ୍ଥୂଳଶରୀର, ସୂକ୍ଷ୍ମବୁଦ୍ଧି, ସେ ଦଳର ଚାଳକ । ଅଧ୍ୟାପକ ବିଶ୍ଵନାଥ—ଦୀର୍ଘକାୟ, ଅସ୍ଥୂଳତାରୁ ଦୀର୍ଘତର ଦିଶନ୍ତି, ଚାଳକଙ୍କ ଡାହାଣ ହାତ ସେ । ନେତାଙ୍କ ଚିନ୍ତାକୁ ଚଟାପଟ କାର୍ଯ୍ୟରେ ପରିଣତ କରିଦେବା ଲାଗି ଏକା ଜଣେ ମଣିଷ । ବିଶ୍ଵଭାରତୀର ଫେଲୋ ଡକ୍ଟର ରାୟ, ବୟସକୁ ଚାହିଁ ବିଦ୍ୟା ବେଶୀ । ଲୋଡ଼ା ଥାଉ ନ ଥାଉ, ସାହାଯ୍ୟ କରିବାକୁ ଆଗଭର ହୋଇ ବାହାରନ୍ତି । ଏ ତାଙ୍କ ଦେଖେଇ ହେବା ଭଦ୍ରତା ନୁହେଁ, ଅଭ୍ୟାସଗତ ସୌଜନ୍ୟ, ପାଶ୍ଚାତ୍ୟ ସଭ୍ୟତାରୁ ଆମଦାନୀ । ପୂଜାହାରୀ ଗୋପାଳ, ଛାପଚିକଣିଆ ଚେହେରା, ଖାଲି କାର୍ଯ୍ୟ ତୁଲାଇବା ଲାଗି ‘ନୂଆ’ ଦେଖିବା ମୋହରେ ଆସିଛି । ଅଫିସ୍‍ ପିଅନ୍‍ ନନି, ଅନ୍ଧାରରୁ କଳା, ହସିଲେ କଳାଟା ଘନେଇ ଆସେ, କଳାହାଣ୍ଡିଆ ବଉଦରେ ଦଳେ ବଗ ଉଡ଼ିଗଲେ ଯେମିତି । ଭିଡ଼ କାମକୁ ପାରେ, ସେ ଆସିନାହିଁ, ତାକୁ ଅଣା ହୋଇଛି ।

 

ଅଧିକାଂଶ ଛାତ୍ରଛାତ୍ରୀ ଅଧାଜଣା ଦିଗ୍‍ବଳୟର ରହସ୍ୟ ଭିତରେ ରହିଯାଇଛନ୍ତି । ତେବେ ଜଣ ଅଧକ କଥା ନ ଲେଖି ରହି ହେଉନାହିଁ । ଦୀପାଲ୍‍—ଟାଆଁସିଆ ଦେହ, ସାବେନା ରଙ୍ଗ, ପୋଛି ଦେଲା ପରି ଦାଢ଼ୁଆ ଗାଲ । ଖଣ୍ଡେ ଟାଙ୍ଗଣ ସେ । ନେତାଙ୍କ ସଙ୍ଗେ ଯୋଡ଼ ଦେଇ ଦଳର ସୁଖ ସୁବିଧା ଲାଗି ଖୁବ୍‍ ଧାଆଁ ଧପଡ଼ କରୁଥାଏ ।

 

‘ଆଲୋ’, ଦେଖିଲେ ମନ ହାଲ୍ଲୋଳ ହୋଇଯାଏ, ଏଇ ଚେହେରାଟିକି ଛବିରେ ଫୁଟାଇବା ଲାଗି କଳାଭବନ ଛାତ୍ରଙ୍କର ଖୁବ୍ ଲୋଭ, ଛବିରେ ରହିବାରେ ‘ଆଲୋ’ର ଆନନ୍ଦ ବି ଊଣା ନୁହେଁ । ଏଇ ଚେହେରାକୁ ବିନୟ ବଡ଼ମାନେ; କର୍ମତତ୍ପରା, କାର୍ଯ୍ୟ କଲାବେଳେ ‘ଆଲୋ’ର ତେଜ ବଢ଼େ, ସତେ କି କେହି ବତୀ ତେଜି ଦିଏ ! ଆଉ କେତୋଟି ଝିଅ, ବେଶଭୂଷଣକୁ ବେଳ ନିଅଣ୍ଟ । ଚଉଦଳର ମଣ୍ଡଣି ଏମାନେ; ନ ଥିଲେ ଦଳଟା ବଡ଼ ଖଣ୍ଡିଆଖାବରା ଦିଶନ୍ତା ପରା ! ଏମାନଙ୍କ ମଧ୍ୟରେ ମୁଁ ଘାସକୁ ଲମ୍ବ, ପାଳକୁ ଛୋଟ । ମୋ ଉପରେ କିଛି କାମର ଭାର ନାହିଁ, ବୋହିବାକୁ ବି ମୁଁ ତତ୍ପର ନୁହେଁ । ଅକର୍ମାକୁ କର୍ମତତ୍ତ୍ଵ ବୁଝାଏ–‘ନିୟତଂ କୁରୁ କର୍ମ ତ୍ଵଂ’, କିନ୍ତୁ ଅନ୍ୟ ଉପରେ ନିର୍ଭର କରି ମୋର ଜୀବନଯାତ୍ରା ଚାଲେ । ପୁଣି କାମ ପଡ଼ିଲେ ତରୁଣ ତରୁଣୀଙ୍କର ଏଭଳି ଗୋଟାଏ ଉଚ୍ଛ୍ଵସିତ ତରଙ୍ଗ ଧାଇଁ ଆସେ ଯେ ମୁଁ ବାଟରୁ ପାଖେଇ ଆସିବାକୁ ହିଁ ଶ୍ରେୟସ୍କର ମନେ କରେ । ସମସ୍ତେ ଦେଖିବାକୁ ସିନା ମୁଁ ଛିଡ଼ା ହୋଇଥାଏ, ହେଲେ ମୋ ମନ ? ଫଗୁ ପରି ଲଘୁ ହୋଇ ଦିଗବଳୟରେ ଉଡ଼ି ବୁଲୁଥାଏ, କାହିଁ କୁଆଡ଼େ ।

 

ଆମ ସଙ୍ଗେ ବସ୍ତା ବସ୍ତା ଚାଉଳ, ଅଟା, ଆଳୁ, ଝୁଡ଼ି ଝୁଡ଼ି କୋବି, ବାଲ୍‍ଟି, ଡ୍ରାମ, ହଣ୍ଡା, ଚୂଲୀ ଖୋଳିବା ଲାଗି କୋଦାଳ, ହଣ୍ଡା ଟେକିବା ଲାଗି ସାବଳ, ତା’ ସାଙ୍ଗକୁ ବିଛଣାପତ୍ର ପ୍ରାୟ ଦଶଗାଡ଼ି । ଆଶ୍ଚର୍ଯ୍ୟ ସହଯୋଗିତା, ଦୁଇ ତିନିମିନିଟ ମଧ୍ୟରେ ସମସ୍ତ ଜିନିଷ ସ୍ଵତନ୍ତ୍ର ଡବାକୁ ଉଠିଗଲା ।

 

ଅପରାହ୍ନରେ ଶେଷ ପର୍ବ, ସ୍ଵପ୍ନରେ ଢଳା ପୃଥିବୀ, କୃତୀ ଶିଳ୍ପୀ ହାତର ନୂଆ ଛବି ପରି ଦିଶୁଥାଏ । ଆମ ଆଶାର ଭାଷା ପକ୍ଷୀର କାକଳିରେ, ପ୍ରାଣର ଆନନ୍ଦ ବୋଳା ହୋଇଛି ସ୍ଵର୍ଣ୍ଣାଭ ଚତୁର୍ଦ୍ଦିଗରେ; ଗାଡ଼ି ଚାଲିଲା, ତା’ ଶବ୍ଦକୁ ଡୁବାଇ ସମବେତ କଣ୍ଠର ସଙ୍ଗୀତ ।

 

ଅଞ୍ଜନା, ଅର୍ଚ୍ଚନା, ସାନ୍ତ୍ୱନା, ନମିତା, ଦୀପା, ଇଳା, ପ୍ରତିମା, ପ୍ରତିଭା, ଅରୁନ୍ଧତୀ, ଇରାନୀ, ସୁନ୍ଦରୀ, ହାସ୍ୟମୟୀ ଆଉ କେତେ କିଏ ସଙ୍ଗୀତ ଧରିଛନ୍ତି, ଆନନ୍ଦ ସମସ୍ତଙ୍କୁ ଏକାତ୍ମ କରିଛି । ସଙ୍ଗୀତ ଶେଷରେ ଉଠୁଛି କଳୋଚ୍ଛ୍ୱାସ, ସାମାନ୍ୟ କାରଣ ବା ଅକାରଣରେ ବିପୁଳ ହର୍ଷଧ୍ଵନି; ଯୌବନର ସମୃଦ୍ଧି ଏ, କାର୍ପଣ୍ୟ ନାହିଁ ସେଥିରେ । ଅଜସ୍ର ଫୁଲରେ ଗଛ ନିଜକୁ ଚତୁର୍ଦ୍ଦିଗରେ ଲୋଟାଇ ଦେବାକୁ ଚାହେଁ, ଛୁଟାଇ ଦେବାକୁ ଚାହେଁ ତା’ର ସୌରଭ । ଶ୍ରୋତା ହେବାର ଧୈର୍ଯ୍ୟ କାହାରି ନାହିଁ, ସମସ୍ତେ ଏକାବେଳକେ କହୁଛନ୍ତି । ତଥାପି ଏହା କଥାର କୋରସ ନୁହେଁ, ବହୁ କୋକିଳାଙ୍କ ତାଳହୀନ କଳଧ୍ଵନି । ଯେତେ ଶୁଣିଲେ ବି କର୍ଣ୍ଣ ପିପାସିତ । କମ୍ପୁଛି ଅଳକ, ଦୋଳୁଛି ଦୁଲ, ଉଡ଼ୁଛି ଢେଉଢେଉକା ଶାଢ଼ି, ସୂଚୀ ଶିଳ୍ପର ପରିପାଟିରେ ହସୁଛି ବ୍ଲାଉସ୍‍, ଅଧରରେ ନାଚୁଛି କଥା, ମୁଖରେ ବୁଣି ହୋଇ ଯାଉଛି ଆଲୋକ, ହସର ପ୍ରତ୍ୟେକ ଭାଙ୍ଗରେ ଫୁଟୁଛି କେତେ କମନୀୟ ଭଙ୍ଗୀ । କାନେଇ କାନେଇ ଶୁଣୁଥିଲି ଏମାନଙ୍କ କଥା, ଗମ୍ଭୀରତାର ସ୍ତମ୍ଭୀଭୂତ ପ୍ରତୀକ ହୋଇ । ସତେ ଯେପରି ଏ ହସଖୁସିକି ମୋର କିଛି ଦାନ ନାହିଁ । ଏଥିରୁ ମୋର କିଛି ପ୍ରାପ୍ୟ ନାହିଁ । ମୁହଁଗୁଡ଼ିକ ସବୁ ଚିହ୍ନା । ଅପଟୁ ଶିଳ୍ପର ଛବିପରି ମନରେ ରେଖା ରଙ୍ଗ ଛଡ଼ା ରସର ନିବିଡ଼ ଆବେଦନ ସେଥିରେ ନ ଥାଏ । ଚିହ୍ନା ଅପରିଚୟରୁ କରୁଣତର କ’ଣ ଅଛି ?

 

ନାରୀବହୁଳ ଦଳରେ ଏ ମୋର ପ୍ରଥମ ଯାତ୍ରା, ତରୁଣୀଙ୍କ ସଙ୍ଗେ ମିଶିବାର ସୁଯୋଗ ପାଇନାହିଁ, ଚାହିଁ ନାହିଁ ମଧ୍ୟ । ନାରୀର ଲଜ୍ଜାଶୀଳତା ଅପେକ୍ଷା ଏ ଦିଗରେ ମୋର ସଂକୋଚ ହିଁ ଅଧିକ । ତେଣୁ ଅପାଂକ୍ତେୟ ସ୍ଥାଣୁ ହୋଇ ବସିଥାଏ । ଶାନ୍ତିନିକେତନର ଝିଅ ଏମାନେ, ପଚାଶବର୍ଷରୁ ଊର୍ଦ୍ଧ୍ଵ ହେବ, ଟାଗୋର ଏମାନଙ୍କୁ ସ୍ଵରାଜ ଦେଇଛନ୍ତି, ସହଶିକ୍ଷା ଫଳରେ ସଂକୋଚ ଉଡ଼ି ବାଷ୍ପ ହୋଇଗଲାଣି । ବି.ଏ., ଏମ.ଏ. ପଢୁଛନ୍ତି, ପି.ଏଚ୍‍.ଡି. କରୁଛନ୍ତି । ଷୋଡ଼ଶୀର ରଙ୍ଗୀନ୍‍ ସ୍ଵପ୍ନ ଆଉ ନାହିଁ, ବାସ୍ତବିକା, ପୁରୁଷର ସହକର୍ମିଣୀ ଆଧୁନିକା । ତରୁଣୀ ସଙ୍ଗେ ତରୁଣର ମେଳାପ ବା ଆଳାପରେ ପାପ ହୁଏ ନାହିଁ, ଏ ଧାରଣାରେ ସେମାନେ ଦୃଢ଼ । ଘଡ଼ିଏ ପହରେ ମୋ ଉପରେ ଦୃଷ୍ଟି ପକାଇଲେ—ଶୁଷ୍କଂ କାଷ୍ଠାଂ ତିଷ୍ଠତ୍ୟଗ୍ରେ । ଭ୍ରମଣଟା ଗମ୍ଭୀର ବ୍ୟାପାର ନୁହେଁ, ହସଖୁସିର ସମୁଦ୍ରରେ ଟାପୁ ପରି ଏ ଲୋକଟି ବସି ରହିବ କାହିଁକି ? ଉଷ୍ମ ସାମୁଦ୍ରିକ ସ୍ରୋତ ପରି ସେମାନେ ବରଫ ପାହାଡ଼ର ପୁରୁଷ ଗାମ୍ଭୀର୍ଯ୍ୟ ଭାଙ୍ଗିଲେ । କୋମଳ ଆଳାପରେ ଶୈଶବର ରୁଦ୍ଧ କେତେ ଦ୍ଵାର ହଠାତ୍‍ ଖୋଲିଗଲା । ସଂକୋଚ କଟିଲା, ସଂପର୍କ ସହଜ ହେଲା; ସୁସ୍ଥ, ମଧୁର ସୌଖ୍ୟହିଁ ଏହାର ପରିଣତି ।

ରାତି ନ’ଟାରେ ଗାଡ଼ି ହାବଡ଼ାରେ ପହଞ୍ଚିଲା; ଘଷରା ଦୃଶ୍ୟ, ମନରେ ତା’ର ଝଙ୍କାର ବାଜେ ନାହିଁ । ଗୋଟାଏ ମେଳଣର ମଣିଷ ସବୁବେଳେ ହାଉଯାଉ ହେଉଛନ୍ତି, ଆସୁଛନ୍ତି, ଯାଉଛନ୍ତି, ଓହ୍ଳାଉଛନ୍ତି, ଗାଡ଼ିରେ ଚଢ଼ୁଛନ୍ତି । ଛିନ୍ନବିଛିନ୍ନ ବକ୍ର ସରଳ ମଣିଷର ସ୍ରୋତ, ଡେଙ୍ଗା ବାଙ୍ଗରା, ଶିଶୁ କିଶୋର, ତରୁଣ ବୃଦ୍ଧ, କେତେ ଆକାର କେତେ ପ୍ରକାରର ମଣିଷ । କେହି କାହାକୁ ଚାହୁଁନାହିଁ । ଜୀବନ ଅସ୍ଥିର, ଚଞ୍ଚଳ । କେବଳ ବ୍ୟସ୍ତତା, ପଳାୟନ ମନୋଭାବ ।

କେତେକ ଆହାର, ନିଦ୍ରା, ସୌଖ୍ୟ ଉପଭୋଗ ଲାଗି ବନ୍ଧୁବାନ୍ଧବଙ୍କ ଘରକୁ ଗଲେ । ଆମେ ରାତି ସାରା ଗାଡ଼ିରେ ପଡ଼ି ରହିଲୁ । ଅଧାନିଦ୍ରା, ଅଧା ଅନିଦ୍ରାରେ ରାତି ପାହିଲା । ଘଟଣାବିହୀନ ମୁହୂର୍ତ୍ତଗୁଡ଼ିକ ମନ୍ଥର ଗତିରେ ଚାଲିଲା—ଯାହା ଛାତିକି ହାଣେ, ଗୋଟିଏ ରସାଳ ଗାର ଟାଣିପାରେ ନାହିଁ । ସୂର୍ଯ୍ୟ ଉଇଁଲେ, କଲିକତାର ଉଚ୍ଚତମ ଗମ୍ବୁଜ ଚୂଡ଼ାକୁ ଉଠିଲେ । ଗଙ୍ଗାରେ କେତେ ଜାହାଜ ଗଲା, ଆସିଲା । ଷ୍ଟେସନରେ କେତେ ଛୋଟ ବଡ଼ ଘଟଣା ଘଟିଲା, ତା’ର ଛାୟା ମନରେ ନାହିଁ । ସକାଳ ନ’ଟାରେ ନାଗପୁର ଫାଷ୍ଟ ପାସେଞ୍ଜର ଛାଡ଼ିଲା, ଷ୍ଟେସନ ପରେ ଷ୍ଟେସନ ଲଙ୍ଘି ଚାଲିଲା । ଦୁଇ ପାଖର ଦୃଶ୍ୟ ପରିଚିତ; ଦେଖି ଦେଖି ମନ କ୍ଳାନ୍ତ ହୁଏ । ବହିକି ଆଖି ଫେରାଏ । ଦୁଇ ତିନିଘଣ୍ଟା ପରେ ଧୈର୍ଯ୍ୟଚ୍ୟୁତି ଘଟେ । ଆଳାପ କରେ, ନିବିଡ଼ ବନ୍ଧୁତା ନ ଥିଲେ ସେତେ ଜମେ ନାହିଁ । ପୁଣି ଗାଡ଼ିର ଶବ୍ଦ ଡୁବାଇ କେତେ ଗର୍ଜନ କରିବ ? ଅଧମ ଉଦ୍ଧାରଣ ପନ୍ଥା—ତାସ ଖେଳେ । ସେଥିରେ ବି କାଳ କଟେ ନାହିଁ । ବସି ଭାବେ । ବହୁ ଲୋକରେ ଭାବନାର ମଙ୍ଗ ଦୋହଲେ । ଗୀତ ପୁରୁଣା, ମନଘଷା ହୁଏ ! ନୂତନ କଣ୍ଠର ରୋମାଞ୍ଚ ମାଧୁରୀ ଊଣା ହୋଇ ଆସେ । ପାହାଡ଼ ଧାଏଁ, ଅରଣ୍ୟ ନାଚେ, ଗହିର ଜମିର ପଟୁଆର ଚାଲେ, ନୂଆ ନୂଆ ପୃଥିବୀ ଆଗେଇ ଆସେ । ତଥାପି ଅଧୈର୍ଯ୍ୟ ମନ ଅସ୍ଥିର ହୁଏ । କେତେଦିନ ଗୋଟାଏ ଚଳନ୍ତା ଘରେ ଅଚଳ, ଅଥର୍ବ ହୋଇ ପଡ଼ି ରହିଥିବା ?

ଓହୋ, ଚାରି ଦିନ ପରେ ପାଦ ପୃଥିବୀ ଛୁଇଁଲା । ମାଟିର ରୋମାଞ୍ଚକର ସ୍ପର୍ଶ ରକ୍ତ ସ୍ରୋତକୁ ଖରତର କଲା । ଶୀତ ରୌଦ୍ରର ସ୍ନେହଳ ମାଧୁରୀ, ସ୍ଥିର ଶାନ୍ତ ବୃକ୍ଷଲତା ମନକୁ ପୁଲକିତ କଲା । ନୂଆ ବଳ, ନୂଆ ଆଶ୍ଵାସ ମିଳିଲା । ଦେହରୁ ଜଡ଼ତା, ମନରୁ ଗୋଟିଏ ଭାରି ଚିନ୍ତା ଯେପରି ଖସିଗଲା । ଏ ଭୁଷାବଲ୍‍ ଷ୍ଟେସନ । ଆମ ବଗି ଏଠାରେ ଚାରି ପାଞ୍ଚଘଣ୍ଟା ରହିବ । ମହାରାଷ୍ଟ୍ରୀ ସହରରେ ଘେରାଏ ବୁଲି ଆସିଲି । ଭୁଷାବଲ୍‍ ସହରଟି ବୃହତ୍‍, କିନ୍ତୁ ଅପରିଚ୍ଛନ୍ନ । ମଣିଷ ଆକାରରେ କ୍ଷୁଦ୍ର, କିନ୍ତୁ କର୍ମଠ । ବଜାରରେ ପ୍ରଚୁର ଫଳ, ବିଶେଷତଃ କଦଳୀ, ଆକାରରେ ବଡ଼, ସୁମିଷ୍ଟ, ଶସ୍ତା, ଡଜନ ମାତ୍ର ତିନିଅଣା । ଚାରିଦିନ ପରେ ଆଜି ମନବୋଧ କରି ଗାଧୋଇଲୁ, ମୁଠିଏ ଭଲ କରି ଖାଇଲୁ । ଆତ୍ମା ପୁରୁଷ ସନ୍ତୋଷ ହେଲା ।

ଦିନ ତିନିଟାବେଳେ ଗାଡ଼ି ଜଲଗାଁଓରେ ପହଞ୍ଚିଲା, ବଡ଼ ସହର, ରେଲ ଜଙ୍କସନ୍‍, ଖାନ୍ଦେଶର ବାଣିଜ୍ୟ କେନ୍ଦ୍ର । ଏଠାରୁ ଅଜନ୍ତା ମାତ୍ର ୩୭ ମାଇଲ ଦୂର, ବସରେ ଯିବାକୁ ହେବ । ନିଜେ ନିଜେ ଜିନିଷପତ୍ର ବୋହି ଆଣି ବସରେ ନଦିଲୁ, ଝିଅମାନେ ଟ୍ରଙ୍କ, ବେଡିଂ ମୁଣ୍ଡେଇ ଆଣୁଥାନ୍ତି । ଏକୁଟିଆ କରିବାକୁ ଯାହା ଲାଜମାଡ଼େ, ଦଳରେ ସହଜ ବୋଧ ହୁଏ । ବସ୍‍ ଚାଲିଲା, ତା’ ସଙ୍ଗେ ଆମର ଗୀତ–

ଏଇ ଆମାଦେର ଶାନ୍ତିନିକେତନ

ମୋଦେର ତରୁ ମୂଲେର ମେଲା,

ମୋଦେର ଖୋଲା ମାଠେର ଖେଲା

ମୋଦେର ନୀଲ ଗଗନେର ସୋହାଗ-

ମାଖା ସକାଲ ସନ୍ଧ୍ୟା ବେଲା ।

 

ସଙ୍ଗୀତର ସୁଅ ଭାସିଯାଉଛି । ସହରୀ ଲୋକେ କାବା ହୋଇ ଚାହୁଁଛନ୍ତି—ଏ କିଏ ? କିଏ ? ବାତାବରଣର ଯାବତୀୟ କ୍ଳେଦ ଯେପରିକି ଗୀତର ସୁଅରେ ଧୋଇ ହୋଇଯାଉଛି !

 

ରାସ୍ତାର ଦୁଇ ଧାରରେ ଗଛ, ବିଶେଷତଃ ଲିମ୍ବ । ଗହିର ମାଟି ଗାଢ଼ କଳା, ଉର୍ବର, କପା ଚାଷକୁ ଅତି ଉପଯୋଗୀ । ଏ ଅଞ୍ଚଳରେ ବମ୍ବେ ବ୍ୟବସାୟୀଙ୍କର ବଡ଼ବଡ଼ ତୂଳା ଖମାର ଅଛି-। ଚାଷୀ ସେଠି ବିକି ଦେଇ ଆସେ । ରାସ୍ତାରେ ଶହ ଶହ ତୂଳା ବୋଝେଇ ଶଗଡ଼ ଦେଖିଲୁ-

 

ଦୁଇ ପାଖରେ ପ୍ରାନ୍ତର, ଆଖି ପାଉନାହିଁ, ଘାସ ଶୁଖି ମାଟିଆ ହୋଇଯାଉଛି । ଗାଈଗୋରୁ ୟା’ ଉପରେ ନିର୍ଭର କରନ୍ତି ନାହିଁ । ଗହମ ବା ବାଜରା ଭୁଷା ଖାନ୍ତି । ଦେଖିବାକୁ ବେସ୍ ସୁସ୍ଥ, ସବଳ । ଧେନୁ ଦୁଗ୍‍ଧବତୀ ।

 

ସ୍ଥାନେ ସ୍ଥାନେ ବଡ଼ ବଡ଼ କଦଳୀ ବଗିଚା, ଏକ ସମାନ ହୋଇ ଗଛ ବଢ଼ିଛି । ଖଣ୍ଡିଏ ପତ୍ର କଟା ହୋଇ ନାହିଁ । କଥା ଅଛି ‘ଗଛ କରି ପତ୍ର ନ କାଟୁ ଯେବେ, ଏଥୁ ଅନ୍ନ ବସ୍ତ୍ର ପାଇବୁ ତେବେ ।‘ ବୃହତ କଦଳୀ କାନ୍ଦିକି ଦେଖିଲେ ମନେ ହୁଏ—ଚାଷୀ ନିଶ୍ଚୟ ଏଥିରୁ ଅନ୍ନ ବସ୍ତ୍ର ଛଡ଼ା କିଛି ହାତ ଖର୍ଚ୍ଚ ବି ପାଉଥିବେ ।

 

କେଉଁଠି ପଲ୍ଲୀ, କେଉଁଠି ସହର, କେଉଁଠି ନଦୀ ପ୍ରାନ୍ତର ଲଙ୍ଘି ଆମେ ଫରିଦାପୁର ଡାକବଙ୍ଗଳାରେ ପହଞ୍ଚିଲୁ । ସେତେବେଳକୁ ଅଜନ୍ତା ଭିତ୍ତି ଚିତ୍ରର ଅନୁକରଣରେ ସୂର୍ଯ୍ୟ ପାହାଡ଼, ବୃକ୍ଷ ଆଉ ଭୂମିରେ ସହସ୍ର ହସ୍ତରେ ତୂଳୀ ଚଳାଉଛନ୍ତି । ମୁହୂର୍ତ୍ତେ ତେଣିକି ଦୃଷ୍ଟି ପକାଇ ଲାଗିଗଲୁ କାର୍ଯ୍ୟରେ ।

 

ଚୂଲୀ ଗାତ ଖୋଳା ହେଲା, ଚା’ ବସିଲା, ସତରଞ୍ଜି ପରା ହେଲା, ପେଟ୍ରୋମାକସ ଜଳା ହେଲା । କିଏ ପରିବା କାଟିଲା, କିଏ ପାଣି ବୋହିଲା । ରୋଷେଇର ଆୟୋଜନ ଧୁମ୍‍ଧାମ୍‍ ଲାଗିଗଲା । ଏଣେ ଜିନିଷପତ୍ର ବସ୍‍ରୁ ଓହ୍ଳାଇ ବଙ୍ଗଳାରେ ରଖାଗଲା । ଚଉବନଜଣଙ୍କୁ ମାତ୍ର ତିନିଗୋଟି କୋଠରୀ । ବଣ୍ଟରାରେ ଆଗେ ଝିଅ । ଝିଅ ରହି ବଳକା ରହିଲା ମାତ୍ର ଗୋଟିଏ କୋଠରୀ । ସେଥିରେ ଛାତ୍ର, ଅଧ୍ୟାପକ ଖୁନ୍ଦାଖୁନ୍ଦି ହୋଇ ରହିଲେ । ଏତେ ବଡ଼ ଶୀତରେ ବି ଝାଳ ବୋହିଲା ।

 

ସବୁ ଅଭ୍ୟାସ ଭାଙ୍ଗିବାକୁ ହେବ, ସବୁ ସୁଖ ସୌଖୀନତା ତ୍ୟାଗ କରିବାକୁ ହେବ, ତାହା ହିଁ ଭ୍ରମଣରେ ମାଦକତା । ନାନା ରୁଚିର ଲୋକ, କାହାକୁ ଆଲୁଅ ନ ଜାଳିଲେ ନିଦ ହୁଏ ନାହିଁ, କିଏ ଗାଢ଼ ଅନ୍ଧାର ହେଲେ ହିଁ ଶୁଏ; କିଏ ଖାଇ ସାରିବା ସଙ୍ଗେ ସଙ୍ଗେ ଶେଯ ଧରେ, କିଏ ନିଦ ଆଣିବା ଲାଗି ଶୋଇ ଶୋଇ ବହି ପଢ଼େ । ନାନା ରୁଚି, ନାନା ଅଭ୍ୟାସର ସଂଘର୍ଷ । ତହିଁକି ଫେର ଘୁଙ୍ଗୁଡ଼ି; ନିଜେ ଘୁଙ୍ଗୁଡ଼ି ମାରି ଅନ୍ୟକୁ ଅଭିଯୁକ୍ତ କରିବା ଲୋକ ଏଠି ବେଶୀ । ଏଥିରେ ନିଦ ନ ହେବା କଥା-। ହେଲେ ଗୁଡ଼ାଏ ନିଦ ବାକି ତାଲିକାରେ କମିଥିଲା । କୁହୁଡ଼ି ପରି ଘୋଟି ଆସିଲା । ଏକା କଡ଼କେ ରାତି ଫତେ ।

 

ଫରଦାପୁରେ ସକାଳ—

 

ଉଚ୍ଚନୀଚ ପାହାଡ଼ୀ ଭୂଇଁ, ଗୋଡ଼ିମିଶା ରଙ୍ଗମାଟି, ଉପତ୍ୟକାର ନାଳି କୁହୁଡ଼ି, ସକାଳ କିରଣ ଗଛବୃଛରେ ଲଗାଇଛି ରଙ୍ଗୀନ ନିଶା । ଚଉଦିଗରେ ଶ୍ରୀଲୋଭାତୁର ଆଖି ବୁଲଉ ବୁଲଉ ମୁଁ ପହଞ୍ଚିଲି ଗୋଟିଏ ଝରଣା କୂଳେ । ବନ୍ଧର ଶିଳା ଓ ଶାଳଗ୍ରାମର ଶଯ୍ୟା, ବାଲି କି ମାଟି ଦିଶୁନାହିଁ । ସାପ ପରି ସରୁ ଧାରଟିଏ ପଥର ଭିତରେ ଗଳି ଗଳି ଯାଉଛି । କୂଳରେ ଦୁଇଟି କିଶୋର ଗୋଡ଼ରେ ବାଲି ଖସାଇ ଖେଳୁଛନ୍ତି । ଆମକୁ ଦେଖି ସ୍ଥିର ହୋଇଗଲେ, ଯେମିତି ଅପରାଧୀ ! ଦେହରେ ଛିଣ୍ଡା ଜାମା, କିନ୍ତୁ ମୁଖ ନିରକ୍ଷର ନୁହେଁ । ତହିଁରେ ବାଳୁତ ଲାବଣ୍ୟ ଛଡ଼ା ଆଉ ଗୋଟିଏ ତେଜ ଅଛି, ପାଠ ପଢ଼ି ଦୁହେଁ ସେଇ ତେଜର ଅଧିକାରୀ ହୋଇଅଛନ୍ତି । ହସର ଫାଙ୍କେ ଫାଙ୍କେ ଯେପରି ତା’ର ଶାଣିତ ପ୍ରଭାବ, ଢଙ୍ଗଢାଙ୍ଗରେ ବି ସେହିପରି । ଆମକୁ ଦେଖି ସେମାନେ ଆଗେଇ ଆସିଲେ, ପ୍ରଶ୍ନଆଖିରେ ଚାହିଁଲେ—ମାନେ ଆପଣ ଅପରିଚିତ ବିଦେଶୀ, ଆମେ କିଛି ସାହାଯ୍ୟ କରି ପାରିବୁ କି ? କହିଲି—ଝରଣାର ତାନ ଅତି କ୍ଷୀଣ, ପକ୍ଷୀ ବି ଗାଉନାହିଁ । ତୁମେ ଗୀତ ବୋଲି ଏ ସକାଳଟିକୁ ମଧୁରତର କର । ଏ ଅଦ୍ଭୁତ ଅନୁରୋଧ ବହୁ ପ୍ରବର୍ତ୍ତନାରେ ସେମାନେ ରଖିଲେ, ପାଠ୍ୟ ବହିରୁ ଦୁଇଟି ହିନ୍ଦୀ ଗୀତ ଆବୃତ୍ତ ହେଲା । ପରିବେଶ ମଧୁର ହେଲା କି ନାହିଁ, ଜାଣେ ନାହିଁ, ମୋ ମନର ରଙ୍ଗ ଟିକିଏ ବଦଳିଲା । ନଈ ଆରପାଖରେ ଫରଦାପୁର ଗ୍ରାମ, କିଶୋର ସାଥୀଙ୍କି ଘେନି ଗାଆଁରେ ପଶିଲୁ ।

 

ଉଠାଣି ରାସ୍ତାରେ ଆଣ୍ଠୁଏ ଧୂଳି, ଗୋଟାଏ ତିନ୍ତୁଳି ଗଛ, ଫଳରେ ପତ୍ର ଦିଶୁନାହିଁ, ତା’ ମୂଳରେ ଅତଡ଼ାଏ ନିଆଁ ଜଳୁଛି । ଘେରି ବସିଛନ୍ତି ବୁଢ଼ାବୁଢ଼ୀ ଦଶଜଣ । ଦୁଃଖସୁଖ ପଡ଼ିଛି । ଆମ ଗାଆଁରେ ପିଲାଦିନେ ଉଆଳି କୁଟା ଓ ଲଟା ପତର ଜାଳି ନଆଁ ପୋହିବା ଦୃଶ୍ୟ ମନେ ପକାଇଦେଲା । ଦରଭଙ୍ଗା କୁଡ଼ିଆରେ ପିଲାଟିଏ ମାଆର କାନି ଧରି କାନ୍ଦୁଛି ମତେ ଶଗଡ଼ କରି ଦେ’ । ମାଆ କେତେ କ’ଣ ଯାଚୁଛି । ସେ ବୁଝୁ ନାହିଁ । ଅନ୍ୟ ପିଲା ଶଗଡ଼ ଘେନି ଖେଳୁଛନ୍ତି, ସେ ସେହିପରି ଖେଳିବ !

 

ମାଇପଙ୍କ ଭିତରୁ କିଏ ଦୁଆର ଖରକୁଛି, କିଏ ବାସନ ମାଜୁଛି, କିଏ ବାମ୍ଫୀରୁ ପାଣି କାଢ଼ୁଛି । କୁକୁଡ଼ା ଭୂଇଁ ରାମ୍ପୁଡ଼ି ରାମ୍ପୁଡ଼ି ଦାନା ଖୁଣ୍ଟୁଛନ୍ତି, ମଝିରେ ମଝିରେ ଡାକ ଦେଉଛନ୍ତି—ଚକ୍ରଧର ରଖ । ଘୁଷୁରିଟିଏ ଧାଇଁଛି, କେବଳ ଧାଇଁଛି । ଗେରଦ ଭିତରେ ଶୋଇ ଛେଳି ପାକୁଳି କରୁଛି; ଗମ୍ଭୀର, ଦୁନିଆଯାକର ଚିନ୍ତା ଯେପରି ତା’ ମୁଣ୍ଡରେ । ଦେହଯାକ ଲାଗିଛି ‘ଚିକଟି’ । ପାହାଡ଼ରେ ଚରୁ ଚରୁ ଏ କଣ୍ଟାଫଳ ରୁମରେ ଲାଗେ, ନ କାଢ଼ିଲେ ଘାଆ ହୋଇଯାଏ ।

 

ଗାଆଁ ଭିତରେ ଆମେ ପଶିଲୁ, ଛୋଟ ଛୋଟ ସାଇ, ମଝିରେ ମଝିରେ ମେଲା ଡିହ, ଗାଆଁଟି ବଙ୍କାଢଙ୍କା । ଖାଲଢିପ, ଅଣଓସାରିଆ ରାସ୍ତା । ଗୋରୁମୂତର ଧାରଟିଏ ବହୁ ଉପନଦୀରେ ପୁଷ୍ଟ ହୋଇ ଝରଣାକୁ ବୋହି ଯାଉଛି । ଦି’ ପାଖରେ ଗୋଟିକିଆ ବା ପୁଞ୍ଜିପୁଞ୍ଜିକିଆ ଘର । କିଏ ଭାଗ୍ୟବନ୍ତ, କିଏ ଅଭାଗା ଘର, ଚେହେରାରୁ ବୁଝାଯାଉଛି । ଅବଶ୍ୟ ଏହାର ନିପାତନ ଅଛି । ଘରେ ଅମାର ଡେରା ହେଲେ ବି କେତେକ ପେଟକୁ ମୁଠିଏ ଖାନ୍ତି ନାହିଁ, ଲୁଗା ବୋଲି ଯାହା ପିନ୍ଧନ୍ତି, ତେଲଚିକିଟା କେରପାଲରୁ ହୀନ । ଚୋର ତସ୍କରଙ୍କୁ କାଳେ ଘରର ଗୁମର ଜଣାପଡ଼ିଯିବ, ସେଥିଲାଗି କେହି କେହି ଖଣ୍ଡିଏ ଭଲ ବାସଘର କରନ୍ତି ନାହିଁ ।

 

ଅବସ୍ଥାର ତାରତମ୍ୟ ମଣିଷକୁ ଭାଗ୍ୟବିଶ୍ୱାସୀ କରାଏ । କଥା ଅଛି–

 

“ଜଗନ୍ନାଥଙ୍କର ବଡ଼େଇ

କାହାକୁ ଦିଅନ୍ତି ଖିରି ଖିରିସା

କାହାକୁ ଦିଅନ୍ତି ଗଡ଼େଇ ।’’

 

ଗାଆଁରେ ନାନା ଅବସ୍ଥାର ଲୋକ ଅଛନ୍ତି । କିଏ ଅୟସରେ ଅଛି, କାହାର ବାସି ଓଳିକି ଦାନା ନାହିଁ । ଏ ଘରଟି ଖାଲି ପଡ଼ିଛି, ରୋଗରେ ତା’ ବଅଁଶ ନିପାତ ହୋଇଛନ୍ତି । କାହିଁକି ? କିଏ କହେ ‘ଭାଗ୍ୟ’ । ଯେତେଦିନକୁ ଆୟୁଷ ଘେନି ଆସି ଗଲେ, ସଂସାର ଭୋଗ କରିଗଲେ । କିଏ କହେ—‘ଆପଣା କଲା କର୍ମମାନ’ । ମାନେ ଘର ମାଲିକର ବହୁତ ଗର୍ବ ହୋଇଗଲା । ଗର୍ବଗଞ୍ଜନ ତେଣୁ ତାକୁ ଘେନିଗଲେ । କିଏ କହେ—‘ଚିକିତ୍ସାର ସୁବ୍ୟବସ୍ଥା ଥିଲେ ମରି ନ ଥାନ୍ତେ । ଏ ଅକାଳ ମୃତ୍ୟୁ । ଗାଆଁରେ ତା’ରି ଉପରେ କୋଡ଼ି ପଡ଼ିଲା ? କୁଳରେ ଟୋପାଏ ପାଣି ଦେବାକୁ କେହି ରହିଲେନି ?’ ଏବେ ଆଳିଆ ଲେଖାରେ ବାଳିଆ ବନ୍ଧୁ କିଏ ଦୁଆରେ ଚାବି ପକାଇଛି ।

 

ତାକୁ ଲାଗି ଗୋଟିଏ ଘର, ଚାଳରୁ ଏବେ କୋଠା ହୋଇଛି । ଘର ମାଲିକ ବ୍ୟବସାୟୀ-। ତା’ର ପଡ଼ୋଶୀ ଜଣେ ନିମ୍ନ ମଧ୍ୟବିତ୍ତ । ଜମିବାଡ଼ି ଯାହା ଅଛି ଅକର୍ମା ହାତରେ ଥିଲେ ଦୁଇମାସରୁ ବେଶୀ ଭାତ ଯାଆନ୍ତା ନାହିଁ । ମାଲିକ୍‍ ଓ ତା’ର ତିନି ଜୁଆନ୍‍ ପୁଅ ଉଦ୍ୟମୀ-। ଖଟି ଯାହା ଫଳାନ୍ତି, ବରଷକ ଯାଏ । ଏବେ ସାନ ପୁଅର ବାହାଘର ହେଲା ଯେ କରଜ ତ’ ଦୂରର କଥା, ପଇସାଟିଏ ହାତଉଧାରି ବି କରିନାହାନ୍ତି ।

 

ଏ ଗୋଟିଏ ଦୋକାନ । ଦୁଇ ଚାରି ଗଣ୍ଡା ସେନ୍ତେରା ଚାଉଳିଆ, ସୁକୁଟା ବାଇଗଣ, ଲୁଣ ତେଲ, ବିଡ଼ି ବିସକୁଟ ବିକ୍ରି ହେଉଛି । କେତୋଟି ଛବି ଦୋକାନ କାନ୍ଥରେ ମରା ହୋଇଛି । ହନୁମାନ ଗନ୍ଧମାର୍ଦନ ମୁଣ୍ଡାଇ ଯାଉଛି, ତା’ ପାଖରେ ଏ କିଏ ? ନର୍ଗିସ୍‍ ? ହଁ, ନର୍ଗିସ୍‍ ତ । ଏ ଯୁଗର ସୀତା ତ ସେ । ବରଂ ସୀତା ଚରିତରୁ ୟାଙ୍କ ଚରିତ ଏବେ ବେଶୀ ଲୋକ ପଢ଼ନ୍ତି । କେବଳ ୟାଙ୍କ ଜୀବନର କରୁଣତା ନାହିଁ । ରାଜକନ୍ୟା, ରାଜବଧୂ ସୀତା, ଅରଣ୍ୟକୁ ଆସି ବି ତାଙ୍କୁ ସୁନାର ନିଶା ଛାଡ଼ି ନ ଥିଲା । ଛାର ସୁନାର ମିରିଗଟିଏ ପାଇଁ କେତେ ହନ୍ତସନ୍ତ ହେଲେ । ନର୍ଗିସ୍‍ ବିଚାରିଲେ ଅକ୍ଳେଶରେ ଗୋଟାଏ ସୁନାର ହରିଣ ବନାଇ ଦେବେ ।

 

ଗାଁ ମଝିରେ ହୋଇଛୁ, ଜଣେ ଲୋକ ଆମ ପିଛା ଲାଗିଲା, ନାଆଁ ରାମଜି, ବୟସ ଚାଳିଶ ଉପରେ ହେବ; ଗହଳିଆ ନିଶ, ଓଠର ପାତଳିଆ ହସ ମୁହଁକୁ ମାନେ । ପାଠ ନାହିଁ, ଶାଠରେ ସେ ମାରେ । ସଂକୋଚ ନାହିଁ, ମନେ ହୁଏ ବାବୁଭୟାଙ୍କ ସଙ୍ଗେ ଆଗରୁ ମିଶିଛି । ଆମ ପଛେ ପଛେ ଆସୁ ଆସୁ ଆଗକୁ ଆସି ଗାଆଁ ଦେଖାଇଲା । ରାମଜିର ସୌଜନ୍ୟରେ ଆମେ ମୁଗ୍‍ଧ ହେଲୁ ।

 

ମୋ ସାଥୀ ପୀୟୂଷର ଇଚ୍ଛା–ଗାଆଁରୁ କିଣି ଦୁଧ ପିଇବ । ରାମ୍‍ଜି କହିଲା–ବହୁତ ଆଚ୍ଛା । ତା’ର ଦୁଇଟି ଗାଈ ଦୁହାଁଳ, ତିନୋଟି ମଇଁଷି ବି ଅଛନ୍ତି । ଆମକୁ ଘରକୁ ଡାକିନେଲା । ଦୁଆର ମୁହଁ ଗୋରୁମୂତରେ ଧୁଆ, ଗୁମ୍ଫ ଘର ଦୁଆରେ ଖଟିଆଟିଏ ପକାଇ ଆମକୁ ବସେଇଲା । ଚାରିଆଡ଼େ ଆଖି ବୁଲାଇଲି । ଏ କ’ଣ ? କଙ୍ଗା । ଶିଆଳି ଆଉ ନିର୍ଗୁଡ଼ି ଲତାରେ ବୁଣା ହୋଇ ଗୋବର ଲେପା ହୋଇଛି । ଏଥିରେ ବାଜରା, ଗହମ ବା ଯଅ ରହେ । ବଡ଼ବଡ଼ ଘୁମା ବି ରଖାହୋଇଛି । ଏଥିରେ ମାଣ୍ଡିଆ, ରାଶି ବା ବିରି ରହେ ।

 

ରାମ୍‍ଜିର ମାଆ ବଇଜା ବାଇ ଦୁଧ ଆଉଟୁଛି, ଷାଠିଏବର୍ଷର ବୁଢ଼ୀ, ହାତରେ ପଟ୍‍ଲି, ବାହାରେ ଦଣ୍ଡୁଲି, ବେକରେ ପୋହଳାମାଳା । ଆମକୁ ଆଣି ଦୁଧ ଦେଲା । ଗାଈ ପେଟରୁ କ’ଣ ଦୁଧରେ ପାଣି ମିଶୁଛି ? ବୁଝିଲୁ–ରାମ୍‍ଜି ବ୍ୟବସାୟୀ, ଆମେ ଗର୍‍ହାକ, ପୁଣି ବିଦେଶୀ । ସ୍ଥାନୀୟ ଲୋକଙ୍କଠୁଁ ସେର ଆଠଅଣା, ଆମଠୁଁ ବାରଅଣା ନେବା ତା’ର ଫାବେ । ସେ ତାହା ନିଃସଂକୋଚରେ ନେଲା ।

 

ହନୁମାନ ମନ୍ଦିରକୁ ଗଲୁ–ଚୂନଲିପା ଛୋଟ ଦେଉଳଟିଏ, କାରୁକାର୍ଯ୍ୟର ସ୍ପର୍ଶ ନାହିଁ । ତା’ ଭିତରେ ମୁଣ୍ଡାଏ ପଥର, ମେଞ୍ଚାଏ ସିନ୍ଦୂର ବୋଳା । ଏଇ ହନୁମାନଜି ? ରାମ୍‍ଜି ମୁଣ୍ଡିଆ ମାଇଲା, ତା’ ପତିଆରାକୁ ଆମେ ବି ନମସ୍କାର କଲୁ ।

 

ଗାଆଁର ଏ ପାଖଟି ଖୋଲା, ଲୋକଙ୍କ ବାଡ଼ିପଟ, ଖଣ୍ଡିଏ ଖଣ୍ଡିଏ ଚାଳି, କଙ୍ଗାରେ ଗୋରୁଗାଈଙ୍କ ଲାଗି ଭୁଷା ରହିଛି, କିଛି ଦୂରରେ ଗୋବର ଖାତ । କାଠର ଅଭାବ ନାହିଁ, ତଥାପି ଲୋକେ ଘଷି ପାରୁଛନ୍ତି । ଗାଆଁର ଫସଲ ଖଳାଗୁଡ଼ିକ ଗୋଟିଏ ଜାଗାରେ । ପ୍ରତ୍ୟେକ ଖଳାବାଡ଼ି ବାଡ଼ ଘେରାହୋଇଛି; କୋଳଥ, ବିରି, ତୁଅର କଟା ହୋଇ ଗଦା ମରିଛି । ଖଳାରେ କୁଡ଼ିଆ, ଏଇଟି ସାମୟିକ, ଫସଲ ଅମଳ ପରେ ଭାଙ୍ଗି ଦିଆଯାଏ । ରାତିରେ ମାଲିକ ବା ତା’ ଘରୁ କେହି ଫସଲ ଜଗି ଶୁଅନ୍ତି ।

 

ଫରଦାପୁର ଗାଆଁଟି ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖେ ହିନ୍ଦୁ, ଅନ୍ୟ ପାଖେ ମୁସଲମାନ୍‍ ଅଛନ୍ତି । ଗୋଟିଏ ପାଖେ ଦେଉଳ, ଅନ୍ୟ ପାଖେ ମସଜିଦ୍‍ ସରାଇ ଅଛି । ମୁସଲମାନ୍‍ ପଡ଼ାରେ ବେଶୀ କୁକୁଡ଼ା, ଛେଳି, ହିନ୍ଦୁ ପଡ଼ାରେ ଗୋରୁ, ହରିଜନ ପଡ଼ାରେ ଘୁଷୁରି ଅଛନ୍ତି । ଗାଆଁରେ ସାଂପ୍ରଦାୟିକ ଅଶାନ୍ତି କେବେ ଉପୁଜି ନାହିଁ ।

 

ଗାଆଁର ପ୍ରାକୃତିକ ପରିବେଶ ସୁନ୍ଦର, ଗୋଟିଏ ଦିଗରେ ଅଜନ୍ତା ପାହାଡ଼ଶ୍ରେଣୀ, ଅନ୍ୟ ଦିଗରେ ଖାଲୁଆ ଗହୀର, ନଦୀ, ମନରେ ରେଖାପାତ କରେ ।

 

ଅଜନ୍ତା ଯିବାକୁ ହେବ । ଗୋଠଛଡ଼ା ହୋଇ ଆମେ ଆସିଛୁ । ତେଣୁ ଦ୍ରୁତ ଦୃଷ୍ଟିକ୍ଷେପ ଓ ଦ୍ରୁତତର ପଦକ୍ଷେପରେ ଆମେ ପଳାଇ ଆସୁଛୁ । କିନ୍ତୁ ରାମ୍‍ଜି ଗପିବାକୁ ଲାଗିଛି, ଅମକ ସାହେବ ଗାଆଁ ଦେଖି ଆସିଥିଲେ, ମୋତେ ପାଞ୍ଚଟଙ୍କା ଦେଲେ । ଅମକ ବାବୁ ତିନିଟଙ୍କା ଦେଲେ । ଆମେ ସାହେବ ଅଥବା ବାବୁ । ତେଣୁ ପୂର୍ବବର୍ତ୍ତୀ ଦାତାଙ୍କ ଆଦର୍ଶ ଅନୁକରଣ ବିଧେୟ । ଗାଆଁକୁ, ତା’ ଘରକୁ ଗଲି, ଗିଲାସେ ପାଣିକି ଭାଜନ ନୁହେଁ । ଓଲଟି ପଇସା ମାଗୁଛି ? ଭାବିବାକୁ ବେଳ ନାହିଁ, କହିବାକୁ ଭାଷା ସ୍ଫୁରିଲା ନାହିଁ । ହାତରେ କିଛି ଗୁଞ୍ଜି ଦେଇ ପଳାଇ ଆସିଲୁ ।

☆☆☆

 

ଅଜନ୍ତା

 

ଡାକବଙ୍ଗଳାରୁ ଅଜନ୍ତା ପାହାଡ଼ ଚାରି ମାଇଲ ଦୂର । ଖାଇ ଉଠୁଛନ୍ତି, ଦିପହର ଖରା, ଖାଲ ଢିପ ପାହାଡ଼ୀ ରାସ୍ତା । ଚାଲି ଚାଲି ଯିବାକୁ ହେବ ଶୁଣି କେତେକ ଚମକି ପଡ଼ିଲେ । ପାହାଚରୁ ଓହ୍ଳେଇଲେ ଯେ ଗାଡ଼ିରେ ବସନ୍ତି, ଖରା ନାଁ ଶୁଣିଲେ ଯେ ଝାଉଁଳି ପଡ଼ନ୍ତି, ସିଲ୍‍କଶାଢ଼ି ପିନ୍ଧି ଯେ ଲୀଳାୟିତ ଭଙ୍ଗୀରେ ବଗିଚାରେ ଟହଲ ମାରନ୍ତି, ତାଙ୍କୁ ଏତକ ବାଟ ଖାଇ ଗୋଡ଼େଇବ, ବିଚିତ୍ର କ’ଣ ?

 

ଜଲଗାଁଓରୁ ସିଧା ଅଜନ୍ତା ବସ୍‍ ଯାଏ, ସୋରିଷ ପକେଇବାକୁ ଯାଗା ନାହିଁ । ପଛକୁ ଅଧମାଇଲିଏ ଯାଇ ବସ୍‍ ଷ୍ଟାଣ୍ଡରେ ଅପେକ୍ଷା କରିବାରେ ଦୁଇ ଘଣ୍ଟା ସମୟ ଗଲା, ମାଇଲିଏ ଅଧିକ ଚାଲିବାକୁ ପଡ଼ିଲା । ମନ ବିଷଣ୍ଣ । ଚାଲିଲୁ, ତା’ ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି । ପିଚୁ ରାସ୍ତାର ଦୁଇ ପାଖେ ପ୍ରାନ୍ତର, ସ୍ଫଟିକ ଆଉ ଶଙ୍ଖମଲମଲରେ ତାରକିତ । ରକ୍ତ, ପୀତ, ନୀଳ ବର୍ଣ୍ଣର ପ୍ରସ୍ତରଖଣ୍ଡ ସତେ ବା ଅଗ୍ନିଗିରିର ଗହ୍ଵରରୁ ବାହାରି ଏବେ ଶୀତଳ ହୋଇଛି; ଢଳା, ପୋଡ଼ା ଚିହ୍ନ ନିଭିନାହିଁ ।

 

ବାଆଁ ପାଖେ ପାହାଡ଼, ତା’ ପଛକୁ ପାହାଡ଼, ପୁଣି ପାହାଡ଼ ଲମ୍ବିଛି ଅଜନ୍ତା ଗାଆଁ ଯାଏ । ଦୋଛକି ରାସ୍ତା, ଦଳେ ସବଜାନତା ଅମଡ଼ା ମାଡ଼ି ବାରମାଇଲ ଭୁଆଁ ବୁଲିଲେ । ଶୁଷ୍କ ମୁଖରେ ଉପରବେଳା ଯେତେବେଳେ ସେମାନେ ଅଜନ୍ତାରେ ପହଞ୍ଚିଲେ, ସମବ୍ୟଥୀ ହେବୁ ନା ହସିବୁ ?

 

ପାହାଡ଼ ମଝିରେ ରାସ୍ତା, ବଙ୍କାଢଙ୍କା । ତଳେ ୱାଗୁର ନଦୀ, ସ୍ଵଳ୍ପଜଳା । ସ୍ୱଳ୍ପ ସମ୍ପଦରେ ମୁଖରତା ହିଁ ବେଶୀ । ଡାହାଣେ ପାହାଡ଼ ତିଖ ଉଠିଛି, ଶିଶୁ ଓ ସାଗୁଆନ ରୋପିତ ହୋଇଛି । ରାଶି ରାଶି ପୀତ ପତ୍ର ପବନର କ୍ଷୀଣ ଶ୍ଵାସକୁ କରୁଣ ଭାବରେ ଅପେକ୍ଷା କରିଛନ୍ତି । ପାହାଡ଼କୁ ପାହାଡ଼ ରେଖା ଟାଣି ଉଡ଼ିଯାଉଛି ଚିଲ, ବୃତ୍ତ କାଟୁଛି ଶାଗୁଣା । ଏଠି ଅଜଣା ପକ୍ଷୀର କଳସଙ୍ଗୀତ ଛଡ଼ା ଅନ୍ୟ ଶବ୍ଦ ନାହିଁ । ଶାନ୍ତି ଛଡ଼ା ଅନ୍ୟ ବାଣୀ ନାହିଁ । ଆମେ ଗୋଟାଏ ବେଳେ ପହଞ୍ଚିଲୁ ଅଜନ୍ତାରେ ।

 

ପାହାଡ଼ର ଉଚ୍ଚତା ୨୫୦ ଫୁଟ, ତିଆରି ପାହାଚ, ଅଧାରୁ କମ୍‍ ଉଠିବାକୁ ହେଲା, ଏଥକୁ କିଛି କଷ୍ଟ ଜଣାଗଲା ନାହିଁ । ପାହାଡ଼ର ଅଧାକାନ୍ଥିରେ ଗୁମ୍ଫା । ପାହାଡ଼ଟି ବଙ୍କାଢ଼ଙ୍କା ହୋଇ ବାଟୁଳିଖଡ଼ା ପରି ବୁଲି ଯାଇଛି । ବାଁପଟ ଅଂଶ ଖଣ୍ଡବିଖଣ୍ଡିତ, ଗୁମ୍ଫା ଲାଗି ଅନୁପଯୁକ୍ତ, ଘଞ୍ଚ ଅରଣ୍ୟରେ ଆବୃତ । ଡାହାଣ ପାଖ ପାହାଡ଼ ଗୋଟାଳିଆ ।

 

ଦୁଇ ପାହାଡ଼ ମଧ୍ୟରେ ଉପତ୍ୟକା, ତହିଁରେ ୱାଗୁର ନଦୀ । ବର୍ଷାଦିନେ ଏହା ପ୍ରବଳ ଆକାର ଧାରଣ କରେ । ବିଷମ, ପୁଣି ସ୍ରୋତ ପ୍ରଖର, ନୌକାଚାଳନ ପକ୍ଷେ ଅନୁପଯୋଗୀ । ତେଣୁ ଗୋଟିଏ ପୋଲ ହୋଇଛି । ପୋଲ ଉପରେ ଯାଇ ଆରପଟ ପାହାଡ଼ୀ କାନ୍ଥରେ ପହଞ୍ଚିଲେ ଗୋଟିଏ ପ୍ରପାତ ଦିଶେ, ନାଆଁ ସାତକୁଣ୍ଡ । ଅନୁଚ୍ଚ, ଦନ୍ତୁର ପାହାଡ଼ରୁ ଗୋଟିଏ ରୂପାଜିଭ ପରି ଲମ୍ବିଯାଇଛି । ଧାରାରେ ଜଳର ପରିମାଣ ଅଳ୍ପ, ସ୍ନାନ କରାଯାଏ ।

 

ଏଠି ପ୍ରକୃତି ସୁନ୍ଦର, ମଣିଷ ତା’ ସଙ୍ଗେ ମହତ ଅନ୍ତର ମିଳାଇଛି । କାଞ୍ଚନ ସଙ୍ଗେ ମଣିର ସଂଯୋଗ ହୋଇଅଛି । ବୈରାଗ୍ୟର ନିସ୍ପୃହତା ସଙ୍ଗେ ମାଧୁରୀର ମହନୀୟତା ମିଶିଛି । ସ୍ତୂପରେ ମଣିଷ ଆଉ ତା’ର ସଖୀ ପ୍ରକୃତିର ମଧୁର ପ୍ରଣୟ ରୂପାୟିତ । କିନ୍ତୁ ଏଥିରେ ପ୍ରବୃତ୍ତି ନାହିଁ, ନିବୃତ୍ତି ଯେପରି ମହାନିର୍ବାଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

 

ଆବିଷ୍କାର–

 

ସପ୍ତମ ଶତାବ୍ଦୀ ପରେ ବୌଦ୍ଧ ଧର୍ମର ପତନ ହେଲା । ରକ୍ଷଣାବେକ୍ଷଣ ଅଭାବରୁ ବିହାର, ସ୍ତୂପ, ସଂଘାରାମସବୁ ଭାଜି ପଡ଼ିଲା । ବର୍ଷାକାଳରେ ଅଜନ୍ତା ଗୁମ୍ଫାରେ ବୌଦ୍ଧ ଭିକ୍ଷୁମାନେ ସାଧନ, ଭଜନ କରୁଥିଲେ, ବହୁ ଜନସମାଗମ ଘଟୁଥିଲା । ବୌଦ୍ଧ ଧର୍ମର ପତନ ପରେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂଖ୍ୟା ଊଣା ହୋଇ ଆସିଲା, କ୍ରମେ ଏହି ସ୍ଥାନ ପରିତ୍ୟକ୍ତ ହୋଇ ପେଚକ, ଚେମଣି ଓ ବଣ୍ୟ ଭଲ୍ଲୁକର ବାସସ୍ଥାନରେ ପରିଣତ ହେଲା । ଚୋର ଡକେଇତମାନଙ୍କର ଏହା ଆଶ୍ରୟସ୍ଥଳ ହେଲା । ଯେଉଁଠି ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ଧ୍ୱନି ଝଙ୍କୃତ ହେଉଥିଲା, ସେଠି ଅତ୍ୟାଚାରିତା ଯୁବତୀର ଆର୍ତ୍ତନାଦ ଶୁଣାଗଲା, ଲୁଣ୍ଠିତ ଧନର ବଣ୍ଟନ ଲାଗି ରକ୍ତାକ୍ତ ଯୁଦ୍ଧ ଲାଗିଲା । ଅହିଂସା ଓ ଶାନ୍ତି ମୈତ୍ରୀର ପୂର୍ଣ୍ଣତମ ପ୍ରତୀକ ବୁଦ୍ଧଙ୍କ ସମକ୍ଷରେ ଏଭଳି ପୈଶାଚିକ କାଣ୍ଡ ଘଟୁ ଥିଲା । ଏହିପରି ସପ୍ତମରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ ବାରଶତ ବର୍ଷ କାଳ ଅଜନ୍ତା ଲୋକଲୋଚନ ଅଗୋଚରରେ ରହିଲା ।

 

ଏହି ପଥରେ ଯାତ୍ରା କରୁ କରୁ ୧୮୧୯ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ସୈନ୍ୟମାନେ ଦୈବାତ ଅଜନ୍ତା ଆବିଷ୍କାର କଲେ । ଗୌରବୋଜ୍ଜ୍ୱଳ ଅତୀତ ଭାରତର ଏହି ରତ୍ନପେଟିକା ଉନ୍ମୋଚିତ ହେଲା । ୧୮୨୯ରେ ପହିଲେ ରୟାଲ୍‍ ଏସିଆଟିକ ସୋସାଇଟି ଦୁର୍ଗମ ଅରଣ୍ୟାବୃତ ଶୈଳଗୃହର ଗୋଟିଏ ସ୍ଥୂଳ ଲିଖିତ ବିବରଣୀ ପ୍ରକାଶ କଲେ । କଳାପ୍ରେମୀ ଫର୍ଗୁସନ୍‍ଙ୍କ ଆନ୍ତରିକ ପ୍ରୟାସରେ ଏହା ସମ୍ଭବ ହୋଇଥିଲା । ତା’ପରେ ଏହି ସୋସାଇଟି ଅଜନ୍ତାର ରକ୍ଷଣାବେକ୍ଷଣ ଲାଗି କମ୍ପାନୀର ଡିରେକ୍ଟରମାନଙ୍କୁ ନିବେଦନ କଲେ । ୧୮୪୪ରେ କମ୍ପାନୀ ଭିତ୍ତିଚିତ୍ରର ଅବିକଳ ନକଲ ଆଣିବା ଲାଗି ମାଡ୍ରାସ ସୈନ୍ୟବିଭାଗର ରବର୍ଟ ଗିଲଙ୍କୁ ନିଯୁକ୍ତ କଲେ । ୧୮୫୭ ପର୍ଯ୍ୟନ୍ତ ଅଜନ୍ତାରେ ରହି ଗିଲ୍‍ ତିରିଶଟି ଛବି ଲଣ୍ଡନ ଯାଦୁଘରକୁ ପ୍ରେରଣ କରିଥିଲେ । ୧୮୭୨ରେ ଫର୍ଗୁସନ ଓ ଡକ୍ଟର ବରଗେସ୍‍ ଅଜନ୍ତା ଫ୍ରେସକୋର ନୂଆ ପ୍ରତିଲିପି ପ୍ରସ୍ତୁତ କରିବା ଲାଗି ଭାରତ ସରକାରଙ୍କୁ ନିବେଦନ କଲେ । ଫଳରେ ଗ୍ରିଫିଥସ୍‍ ନିଯୁକ୍ତ ହେଲେ । ୧୮୯୬ରେ ତାଙ୍କର ‘The paintings in the Buddhist Caves of Ajanta’ ପ୍ରକାଶିତ ହେଲା । ଭିକ୍ଟୋରିୟା ଓ ଆଲ୍‍ବଟ୍‍ ମିଉଜିଅମରେ ଏବେ ଗ୍ରିଫିଥସ୍‍ଙ୍କ ଛପନଟି ଛବିଲିପି ସଂରକ୍ଷିତ ହୋଇ ରହିଅଛି ।

 

୧୯୧୪ରୁ ନିଜାମ୍‍ ସରକାର ଏହି ଗୁମ୍ଫାର ରକ୍ଷଣାବେକ୍ଷଣ ଦାୟିତ୍ଵ ଗ୍ରହଣ କଲେ । ପର୍ବତ ମୂଳକୁ ଗୋଟିଏ ପିଚୁ ରାସ୍ତା ସଂଯୁକ୍ତ କରାଗଲା, ଫରଦାପୁରରେ ବିଶ୍ରାମଗାର ନିର୍ମିତ ହେଲା, ଅରଣ୍ୟ ପରିଷ୍କୃତ ହେଲା, ଗୁମ୍ଫାକୁ ପର୍ବତମୂଳରୁ ସେ ପାନ—ସଂଯୁକ୍ତ କରାଗଲା । ଏବେ ଭାରତସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗର ପରିଚାଳନାରେ ଏହା ଅଛି । ବସବାସ, ଯାନବାହନ ଓ ଦର୍ଶନର ନାନା ସୁବିଧା କରାଯାଉଛି । ସାରା ଜଗତର ବହୁ ପରିଦର୍ଶକ ଏହି କାରୁକୀର୍ତ୍ତି ଓ ଚିତ୍ରକଳା ଦେଖିବାକୁ ଆସୁଛନ୍ତି ।

 

ନିର୍ମାଣକାଳ–

 

ଖ୍ରୀ: ପୂ: ଦ୍ଵିତୀୟ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ମଧ୍ୟରେ ଗୁମ୍ଫାଗୁଡ଼ିକ ଖୋଦିତ । ଏହା ଅଜନ୍ତାର ଶିଳାଲିପି ଓ ହୁଏନସାଂଙ୍କ ବିବରଣୀରୁ ଜଣାଯାଏ । ଚିତ୍ରଗୁଡ଼ିକ ବିଭିନ୍ନ ଯୁଗରେ ଅଙ୍କିତ । ଖ୍ରୀ: ପୂ: ଦ୍ଵିତୀୟ ଶତାବ୍ଦୀର ଚିତ୍ର ବିନଷ୍ଟ ହୋଇ ଯାଇଅଛି । ଏହାର କ୍ଷୀଣ ଅବଶେଷ ୯ ।୧୦ ନମ୍ବର ଗୁମ୍ଫାରେ ଦୃଷ୍ଟିଗୋଚର ହୁଏ ।

 

ଖୋଦନ କୌଶଳ–

 

ଖଣ୍ଡଗିରି ଓ ଉଦୟଗିରି ପରେ ଅଜନ୍ତା ଦେଖିଲେ ମନେ ହୁଏ, ଏହା ଯେପରିକି ତା’ର ପରବର୍ତ୍ତୀ ସ୍ତର, ଉନ୍ନତତର ବିକାଶ । ପ୍ରାକୃତିକ ପରିବେଶ ମନୋହର; ଏହା ଆକୃତିରେ ବିଶାଳତର, ଖୋଦିତ ମୂର୍ତ୍ତିକଳା ଉଚ୍ଚତର କୋଟୀର । ଖଣ୍ଡଗିରି ବା ଉଦୟଗିରିରେ ଭିତ୍ତିଚିତ୍ର ନାହିଁ, ଚିତ୍ରକଳା ଯୋଗୁଁ ହିଁ ଅଜନ୍ତା ଜଗତପ୍ରସିଦ୍ଧି ଲାଭ କରିଛି । ସୌନ୍ଦର୍ଯ୍ୟ ଅଜନ୍ତାର ସର୍ବଶ୍ରେଷ୍ଠ ବାଣୀ, ଯାହାର ଅଙ୍କୁର ଖଣ୍ଡଗିରିରେ ଅଛି, ବିକଶିତ ରୂପ ନାହିଁ ।

 

ହେଲେ ହେଁ ଉଭୟତ୍ର ଖୋଦନ କ୍ରିୟାରେ ଚମତ୍କାର କୌଶଳ ପ୍ରଦର୍ଶିତ ହୋଇଅଛି । ଖୋଦନ ଓ ନିର୍ମାଣ ମଧ୍ୟରେ ଗଭୀର ତାରତମ୍ୟ ଅଛି । ନିର୍ମାଣ ସହଜ, ଖୋଦନ କଷ୍ଟକର । ନିର୍ମିତ ଅପେକ୍ଷା ଖୋଦିତ କୀର୍ତ୍ତି ଅଧିକ ଦୀର୍ଘଜୀବୀ । ଅଜନ୍ତା ବା ଖଣ୍ଡଗିରି ଯୁଗର ନିର୍ମିତ କୌଣସି ମନ୍ଦିର ଏବେ ଭୂତଳରେ ଦଣ୍ଡାୟମାନ ହୋଇ ନାହିଁ, କିନ୍ତୁ ଗୁମ୍ଫାଗୁଡ଼ିକ ସଦ୍ୟନିର୍ମିତ ଓ ଚିତ୍ରର ଯାହା ଅବଶେଷ ଅଛି, ତାହା ସଦ୍ୟ ଅଙ୍କିତ ପରି ଜଣାଯାଏ ।

 

ଗୁମ୍ଫା କିପରି ଖୋଦନ କରୁଥିଲେ, ଅଜନ୍ତାର କେତେକ ଅସଂପୂର୍ଣ୍ଣ ଗୁମ୍ଫାରୁ ତା’ର କିଞ୍ଚିତ ସଂକେତ ମିଳେ । ପହିଲେ ଛାତ ଖୋଳି କଟାଳି ଚଟାଣ ଆଡ଼କୁ ଶିରା ଶିରା କାଟି ଆସୁଥିଲା, ତା’ପରେ ଦୁଇ ଶିରା ମଝି କାନ୍ଥକୁ ହାତୁଡ଼ିରେ ପିଟି ଭାଙ୍ଗୁଥିଲା, ଯେଉଁଠି ଲୋଡ଼ା ମାପି ଖମ୍ବ ଖୋଳି ରଖୁଥିଲା । କଟା କାମ ଶେଷ ହେବା ପରେ ନିହାଣରେ ଛାତ, କାନ୍ଥ ଓ ଚଟାଣ ସମାନ କରୁଥିଲା । ପିଣ୍ଡା ଆଉ ବଡ଼ ହଲ୍‍ ହେଲା ପରେ ଛୋଟ ଛୋଟ ପାଖ ଘର ଖୋଳା ହେଉଥିଲା । ମୂର୍ତ୍ତିଗୁଡ଼ିକ କାନ୍ଥର ଅଂଶବିଶେଷ ହୋଇ ରହିଅଛି, ତେଣୁ ଅପହୃତ ବା ବିଶେଷ ଖଣ୍ଡିତ ହୋଇ ନାହିଁ ।

 

ଚିତ୍ରାଙ୍କନ ନିମ୍ନ ରୀତିରେ ହେବାର ଅନୁମିତ ହୁଏ । ମାଟିରେ ଚଷୁ ବା କୌଣସି ଲତା ପତ୍ରର ରସ ମିଶାଇ ପହିଲେ ଆବୁଖାବୁଡ଼ିଆ କାନ୍ଥ ବା ଛାତରେ ଲିପି ସମାନ କରୁଥିଲେ, ତା’ ଉପରେ ବହଳ ଚୂନ ବୋଳି ବଡ଼ ବଡ଼ ଗାରରେ ଛବି ଆଙ୍କୁଥିଲେ, ତା’ପରେ ସୂକ୍ଷ୍ମ କାର୍ଯ୍ୟ କରି ରଙ୍ଗ ମଡ଼ାଉଥିଲେ । ରଙ୍ଗ ଭିତରେ ରକ୍ତ, ପୀତ ଓ କଜ୍ଜ୍ୱଳ ରଙ୍ଗ ବିଶେଷ ବ୍ୟବହୃତ, ଏହା ଅଜନ୍ତା ମାଟିରୁ ସଂଗୃହୀତ ଓ ସ୍ଥାୟୀ ।

 

ଚିତ୍ରକଳା–

 

ଅଜନ୍ତା ଭାରତ, ଏସିଆ କାହିଁକି, ସମଗ୍ର ପୃଥିବୀର, ମାନବଜାତିର ଗୌରବ । ପ୍ରାଚୀନ ଚିତ୍ରକଳାର ଅବଶେଷ ଦୁର୍ଲଭ, ସେ ଦୃଷ୍ଟିରୁ ଏହାର ଉପାଦେୟତା ଅଧିକ । ଶିଳା ଗୃହରେ ରହି ଏହା ଝଡ଼ ବର୍ଷା ଦାଉରୁ ସୁରକ୍ଷିତ ହୋଇଅଛି, ନୋହିଲେ ଚିହ୍ନବର୍ଣ୍ଣ ନ ଥାନ୍ତା । ଛିଞ୍ଚଡ଼ା ବା ପାହାଡ଼ ଛାତର ଗଡ଼ାଣି ପାଣିରେ କେଉଁଝରର ରାବଣଛାୟା ପରି ଏହା ବିନଷ୍ଟ ହୋଇଯାଇଥାନ୍ତା । ରାବଣଛାୟାରେ ଚିତ୍ରର କଙ୍କାଳ ଛାୟାଟି ମାତ୍ର ଅବଶିଷ୍ଟ ଅଛି ।

 

ଅଜନ୍ତା ଗୋଟିଏ ଯୁଗର କୀର୍ତ୍ତି ନୁହେ, ହଜାର ବର୍ଷ ବ୍ୟାପି ଭାରତୀୟ ଚିତ୍ର ସାଧନାର ପ୍ରତୀକ । ଏହା ଏକ ସାମାଜିକ ଇତିହାସ, ଲିଖିତ ନ ହୋଇ ଅଙ୍କିତ ହୋଇଛି ମାତ୍ର । ରାଜା ରାଣୀ, ଭିକ୍ଷୁ ଭିକ୍ଷୁଣୀ, ଉଦ୍ୟାନରେ, ଅରଣ୍ୟରେ, ଅଳିନ୍ଦରେ, ଅଙ୍ଗନରେ, ଗୃହରେ, ବେଦିକାରେ, ନଗରରେ, ଗ୍ରାମରେ, ଦରବାରରେ, ବଜାରରେ, ବିଦ୍ୟାଳୟରେ, ସଂଗ୍ରାମରେ, ମଦ୍ୟପାନରେ, ଯୋଗଧ୍ୟାନରେ ବିଭିନ୍ନ ସାମାଜିକ ଶ୍ରେଣୀର, ନାନା ଆକାରର, ନାନା ପ୍ରକାରର ମଣିଷ; ଯାତ୍ରାର ସୁଆଙ୍ଗ ପରି ଗୋଟିଏ ପରେ ଅନ୍ୟଟି, ସତେ ଯେପରି ଜୀବନ୍ୟାସ ପାଇଛି । ସେ କାଳର ଧର୍ମଚର୍ଚ୍ଚା, ବେଶବିନ୍ୟାସ, ନୃତ୍ୟ, ବାଦ୍ୟଯନ୍ତ୍ର, ଶିକାର, ଯୁଦ୍ଧ, ଦୈନନ୍ଦିନ ସୁଖ ଦୁଃଖର ଜୀବନ ଜୀବନ୍ତ ଭାବେ ଚିତ୍ରିତ ହୋଇଅଛି । ଅତିରଞ୍ଜନ ନାହିଁ, ବାସ୍ତବ ଜୀବନର ନିବିଡ଼ ଅନୁଭୂତି ରସାଳ ଅଭିବ୍ୟକ୍ତିରେ ସଂଜୀବିତ ହୋଇଅଛି ।

 

ଗୋଟିଏ ଗୋଟିଏ ଚିତ୍ରରେ ଦୈତ୍ୟଭାବ ପ୍ରକାଶିତ ହୋଇଅଛି । ଏକ ଦିଗରେ ଇନ୍ଦ୍ରିୟଗ୍ରାହ୍ୟ ଜଗତ ପ୍ରତି ଆକର୍ଷଣ, ସ୍ନେହ, ମୋହ, ମମତା; ଅନ୍ୟ ଦିଗରେ ସନ୍ନ୍ୟାସ, ବୈରାଗ୍ୟ, ଅନାସକ୍ତି । ବ୍ୟେପରୀତ୍ୟରେ ଦୁଇର ପ୍ରାଣଶକ୍ତି ବଳିଷ୍ଠ ହୋଇଅଛି ।

 

ଅଙ୍କନର ପରିମାପ ନିର୍ଭୁଲ । ରାତିରେ ଶକ୍ତିର ନ୍ୟାସ ଶିଳ୍ପ-କୃତିତ୍ଵର ପରିଚାୟକ । ଯେ ଉଡ଼ୁଛି, ଯେ ଦୌଡ଼ୁଛି, ଶିଳ୍ପ ତହିଁରେ ବେଗର ଦୃଢ଼ତା ଦେଇଅଛି । ଦେବତାର ମୁଖରେ ଅପୂର୍ବ, ଅଦ୍ଭୁତ ତେଜର ଆଧାର ହୋଇଅଛି । ଜନନୀର ମୁଖରେ ସ୍ନେହ, ଶିଶୁ ମୁଖରେ ସ୍ଵପ୍ନାଚ୍ଛନ୍ନ କୋମଳ ହାସ୍ୟ, ସନ୍ନ୍ୟାସୀ ମୁଖରେ ଯୋଗନିଷ୍ଠା, ଭାବୁକ ମୁଖରେ ଚିନ୍ତା, ପରଦୁଃଖକାତର ମୁଖରେ କରୁଣା ଅତି ସୂକ୍ଷ୍ମ ରୂପେ ବ୍ୟଞ୍ଜିତ ହୋଇଅଛି ।

 

ହେଲେ ହେଁ ତା’ର କଳ୍ପନା ଚୂଡ଼ାନ୍ତ ସୀମା ସ୍ପର୍ଶ କରିଛି ନାରୀର ଚିତ୍ରଣରେ । ନାରୀ ତା’ ଅଳଙ୍କରଣର ମୁଖ୍ୟ ଉପାଦାନ । ନାରୀର ପାଖୁଡ଼ା ଖଞ୍ଜି ସେ କେଉଁଠି ପଦ୍ମ ଆଙ୍କିଚି ତ, ତାକୁ ଲତା ପତ୍ର ଗହଳରେ ବା ବ୍ୟୂହ ଆକାରରେ କେଉଁଠି ସଜାଇଛି । ଶିଳ୍ପୀଦୃଷ୍ଟିରେ ନାରୀ ଗୋଟିଏ ପୁଷ୍ପଗୁଚ୍ଛ-। ମୁଖରେ ପଦ୍ମ, ନାସାରେ ତିଳ ପୁଷ୍ପ, ଅଧରରେ ମନ୍ଦାର, ମହାରାଜାଙ୍କ ଚତୁର୍ଦ୍ଦିଗରେ ନାରୀର ମାଳା ମଣ୍ଡିତ । ରାଜବାଟିରେ, ନଗର ପ୍ରାଙ୍ଗଣରେ, ତୋରଣରେ, ଗବାକ୍ଷରେ, ଛାତରେ, କାନ୍ଥରେ, ସର୍ବତ୍ର ନାରୀ; ନାରୀର ନିକୁଞ୍ଜ, ନାରୀର ଲତା, ନାରୀର ପୁଷ୍ପ । ଏ ନାରୀ ଯେପରି ଅସ୍ଥି, ରକ୍ତର ନୁହେଁ, କେବଳ ଲାବଣ୍ୟର । କଟାକ୍ଷର ଇଙ୍ଗିତ, ଅଙ୍ଗର ପ୍ରତ୍ୟେକ ଭାଙ୍ଗ, ମୁଖର ପ୍ରତ୍ୟେକ ଭଙ୍ଗୀ, ଚରଣର ନ୍ୟାସ, ହସ୍ତର ମୁଦ୍ରା, ଅଧରର ମାଧୁରୀ, ମୁଣ୍ଡବନ୍ଧାର ବିଚିତ୍ର ରୀତି, ଫୁଲମଣ୍ଡଣି, ଅଳଙ୍କାରପରିଧାନ ମନ ମୁଗ୍‍ଧ କରେ । ବସ୍ତ୍ର ପରିଧାନର ପରିପାଟି ପୃଥିବୀରେ ଅନ୍ୟତ୍ର ଦୁର୍ଲଭ-। ପ୍ରକୃତରେ ଅଜନ୍ତାରେ ନାରୀର ହିଁ ପୂଜା । ସେ ନାରୀ ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ।

 

ଚିତ୍ର ଓ ଚିତ୍ରଗୃହର କାହାଣୀ—

 

ଅଜନ୍ତାରେ ମୋଟରେ ୩୦ଟି ଶୈଳଗୃହ ଅଛି । ଏହା ପାହାଡ଼ର ଛ’ଶ ଗଜ ମଧ୍ୟରେ ସୀମିତ । ଗୃହସବୁ କଳ୍ପିତ ଯୋଜନା ଅନୁସାରେ ନିର୍ମିତ ହୋଇନାହିଁ । ଯେଉଁ ରାଜା ବା ମନ୍ତ୍ରୀ ଯେତେବେଳେ ଯେଉଁଟି ଯେଉଁଠି କଲା, ତେଣୁ ଗୋଟିଏ ଧାଡ଼ିରେ ସଜ୍ଜିତ ନ ହୋଇ ପାହାଡ଼ର ଊର୍ଦ୍ଧ୍ଵ, ମଧ୍ୟ ବା ପାଦ ମୂଳରେ ଖୋଦିତ ହୋଇଅଛି । ତେଣୁ ଊର୍ଦ୍ଧ୍ଵକୁ ଉଠିବାକୁ, ନିମ୍ନକୁ ଖସିବାକୁ ପଡ଼େ । ୨୯ ନମ୍ବର ଗୁମ୍ଫା ଉଚ୍ଚତମ ଓ ୮ ନମ୍ବର ଗୁମ୍ଫା ନିମ୍ନତମ ସ୍ତରରେ ଅବସ୍ଥିତ ।

 

ପ୍ରଥମ ଗୁମ୍ଫାଟି ରାଜା ହରିସେନଙ୍କ ମନ୍ତ୍ରୀ ବରାହଦେବ ୪୭୫ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଖୋଦନ କରିଥିଲେ । ଏହା ଗୋଟିଏ ବୃହତ୍‍ ସୌଧ । ଏହାର ଅଳିନ୍ଦ ଲମ୍ବାରେ ଚୌଶଠି ଫୁଟ, ଏଥିରେ ତିନୋଟି ଦରଜା, ଛ’ ଟି ଗବାକ୍ଷ ଅଛି । ବୃହତ ପ୍ରାର୍ଥନା ଗୃହର ଦୁଇ ପାର୍ଶ୍ଵରେ ଚୌଦଟି ଛୋଟ ଛୋଟ ଗୃହ ଅଛି, ଏହା ବୋଧେ ଭୀକ୍ଷୁଙ୍କ ବାସଗୃହ ରୂପେ ବ୍ୟବହୃତ ହେଉଥିଲା । ଗୃହର ସ୍ତମ୍ଭ, କାନ୍ଥ ଓ ଛାତ ଚିତ୍ରିତ । ଅଜନ୍ତାର ମନୋହରତମ ଗୁହା ମଧ୍ୟରୁ ଏହା ଗୋଟିଏ ।

 

ଚିତ୍ରର ବିଷୟବସ୍ତୁ ଧର୍ମାତ୍ମକ । ବୁଦ୍ଧ ବା ବୋଧିସତ୍ତ୍ଵଙ୍କ ଜୀବନ କାହାଣୀ କିମ୍ବା ବିବିଧ ଜାତକ ଗାଥା ଏହାର ଉପଜୀବ୍ୟ । ଏହି ଗୁହାର ‘ମାର ବିଜୟ’ ଚିତ୍ରଟି ଜଗତବିଖ୍ୟାତ । ବୁଦ୍ଧ ବଜ୍ରାସନରେ ଆସୀନ, ଭୂମିସ୍ପର୍ଶ ମୁଦ୍ରାରେ ସାଧନାରତ, ଆଲୋକପ୍ରାପ୍ତି ପୂର୍ବରୁ ଯୋଗାସନରୁ ଉଠିବେ ନାହିଁ, ସଂକଳ୍ପ କରିଅଛନ୍ତି । ତାଙ୍କୁ ସଂକଳ୍ପଚ୍ୟୁତ କରିବା ଲାଗି ମାରର ଅଭିଯାନ । କାମ କ୍ରୋଧାଦି ତାର ଅନୁଚର, କିଏ ନାନା ବିକୃତ ମୁଖଭଙ୍ଗୀ ଦେଖାଉଛି, କିଏ ତାଙ୍କୁ ପ୍ରହାର କରିବା ଲାଗି ଗଦା ବା ଅସି ଉତ୍ତୋଳନ କରିଛି, ନାଭି ତଳକୁ ବସ୍ତ୍ର ଖସାଇ ମଦ୍ୟପାତ୍ର–ହସ୍ତରେ ମାରର ଦୁଇ କନ୍ୟା ପ୍ରୀତି ପ୍ରାର୍ଥନା କରୁଛନ୍ତି । ରିପୁ କୋଳାହଳ ମଧ୍ୟରେ ବୁଦ୍ଧ ଶାନ୍ତ, ସ୍ଥିର, ଗମ୍ଭୀର ରହିଅଛନ୍ତି । ମାର ପରାଜିତ ହୋଇ ପଳାୟନ କରିଅଛି ।

 

ଛାତଟି କେବଳ ଅଳଙ୍କୃତ, କାନ୍ଥରେ ଜାତକକାହାଣୀ ଅଙ୍କିତ । କାହାଣୀର ସଂକ୍ଷିପ୍ତ ସୂଚନା ନ ଦେଲେ ଚିତ୍ରର ବିଷୟ ସ୍ପଷ୍ଟ ହେବ ନାହିଁ ।

 

ଶଙ୍ଖପାଳ ଜାତକ :–

 

ପାତାଳର ରାଜା ଶଙ୍ଖପାଳଙ୍କ ସମୃଦ୍ଧି ଦେଖି ବୋଧିସତ୍ତ୍ଵଙ୍କ ମନରେ ଧନୀ ଗୃହରେ ଜନ୍ମିବାର ଆକାଙ୍‍କ୍ଷା ଜାଗ୍ରତ ହୋଇଥିଲା । ସେ ନାଗଲୋକରେ ଜନ୍ମିଥିଲେ । କିନ୍ତୁ ବିଳାସବ୍ୟସନ ତାଙ୍କୁ ସୁଖ ଲାଗିଲା ନାହିଁ । ସେ ପଳାଇ ଆସି ଗୋଟିଏ ଉଇ ହୁଙ୍କାରେ ରହିଲେ, ଭକ୍ଷଣ କରିବା ଲାଗି କୀଟ ପତଙ୍ଗଙ୍କୁ ନିଜ ଶରୀର ଛାଡ଼ିଦେଲେ । କେତେକ ଦୁଷ୍ଟ ଲୋକ ନାକରେ ଦୌଡ଼ି ବାନ୍ଧି ତାଙ୍କୁ ଘୋଷାରି ନେଲେ । ଆଲାର ନାମକ ଜଣେ ଗୃହସ୍ଥ ତାଙ୍କୁ ଉଦ୍ଧାର କଲେ । ବୋଧିସତ୍ତ୍ଵ ସ୍ଵପ୍ରାସାଦକୁ ନେଇ ଆଲାରଙ୍କୁ ବହୁ ଚର୍ଚ୍ଚା କଲେ । ତାଙ୍କ ଉପଦେଶରେ ଆଲାର ସନ୍ନ୍ୟାସୀ ହେଲେ-

 

ମହାଜନକ ଜାତକ :–

 

ମିଥିଳାର ରାଜାଙ୍କୁ ତାଙ୍କ ଭାଇ ଯୁଦ୍ଧରେ ବିନାଶ କଲା ପରେ ରାଣୀ ଅନ୍ତଃପୁର ଛାଡ଼ି ପୁତ୍ରକୁ ଘେନି ଚମ୍ପା ରାଜ୍ୟକୁ ପଳାଇଗଲେ । ରାଜପୁତ୍ର ସୁବର୍ଣ୍ଣ ଦ୍ଵୀପକୁ ବୋଇତ ଘେନି ଗଲେ । ପଥରେ ନାନା ବିପଦର ସମ୍ମୁଖୀନ ହୋଇ, କୌଣସି ଦେବୀଙ୍କ କୃପାରୁ ରକ୍ଷା ପାଇଲେ । ରାଜକନ୍ୟା ଶିବାଳିକି ବିଭା ହୋଇ ମିଥିଳାରେ ରାଜତ୍ଵ କଲେ । ତାଙ୍କ ମନ ସନ୍ନ୍ୟାସ ଧର୍ମ ପ୍ରତି ଆକୃଷ୍ଟ ହେଲା । ଶିବାଳି ମଧ୍ୟ ସନ୍ନ୍ୟାସିନୀ ହୋଇ ପତିଙ୍କର ଅନୁଗାମିନୀ ହେଲେ ।

 

ବୋଇତ ଭଙ୍ଗା, ସଂସାର ପ୍ରତି ରାଜାଙ୍କ ମନକୁ ଆକର୍ଷଣ କରିବା ଲାଗି ଶିବାଳିଙ୍କ ବିବିଧ ଚେଷ୍ଟା, ସନ୍ନ୍ୟାସୀଙ୍କଠାରୁ ରାଜାଙ୍କ ଧର୍ମ ବ୍ୟାଖ୍ୟା ଶ୍ରବଣ, ଅଶ୍ଵ ଯୋଗେ ରାଜାଙ୍କ ରାଜ୍ୟ ତ୍ୟାଗ, ଶିବାଳିଙ୍କ ଅନୁସରଣ ଦୃଶ୍ୟ ଅନବଦ୍ୟ ହୋଇଅଛି ।

 

ଚମ୍ପେୟ ଜାତକ :–

 

ନାଗରାଜା ବୋଧିସତ୍ତ୍ଵଙ୍କୁ ସରୀସୃପ ଜୀବନ ସୁଖ ନ ଲାଗିବାରୁ ସେ କେଳା ହାତରେ ଧରା ଦେଲେ । ବନାରସ ଦରବାରରେ ସାପ ଖେଳେଇବାବେଳେ ନାଗିନୀ ସୁମନା (ଚମ୍ପେୟଙ୍କ ରାଣୀ, ବୋଧିସତ୍ତ୍ଵଙ୍କ ନାମ ଚମ୍ପେୟ ଥିଲା) ଚମ୍ପେୟଙ୍କୁ ମୁକ୍ତି ଦେବାଲାଗି ରାଜାଙ୍କୁ ପ୍ରାର୍ଥନା କଲେ । ଚମ୍ପେୟ ମୁକ୍ତ ହେଲା ପରେ ରାଜାଙ୍କୁ ଘେନି ପାତାଳ ପୁରକୁ ଗଲେ, ତାଙ୍କୁ ବହୁ ଅମୂଲ୍ୟ ରତ୍ନ ଉପହାର ଦେଲେ ।

 

କେଳା ସାପ ଖେଳାଇବା ଦୃଶ୍ୟ ସୁରୁଚିର ହୋଇଅଛି ।

 

ଏ ଗୁମ୍ଫାରେ ବହୁ ଭଙ୍ଗୀର ଗୋଟିଏ ବୁଦ୍ଧମୂର୍ତ୍ତି ଶିଳ୍ପନିପୁଣତରତାର ଚୂଡ଼ାନ୍ତ ନିଦର୍ଶନ ରୂପେ ରହିଛି । ତଳୁ ଦେଖିଲେ ବୁଦ୍ଧ ଗମ୍ଭୀର ତପସ୍ୟାରତ, ବାମପଟେ ହାସ୍ୟମୁଖ, ଡାହାଣ ପଟେ କରୁଣ, ଅବସନ୍ନ ଦେଖାଯାନ୍ତି ।

 

ଦ୍ଵିତୀୟ ନମ୍ବର ଗୁମ୍ଫାଟି ଆକୃତିରେ ଅପେକ୍ଷାକୃତ କ୍ଷୁଦ୍ର । ଏହାର ସମସ୍ତ ସ୍ତମ୍ଭ ଅଳଙ୍କୃତ-। ମଧ୍ୟବର୍ତ୍ତୀ ସ୍ତମ୍ଭରେ ଶିଳ୍ପୀର ତୂଳୀ ଏକାନ୍ତ ମୁଖର । ମୂଳରୁ ଚୂଳ ପର୍ଯ୍ୟନ୍ତ ଲତା, ପତ୍ରପୁଷ୍ପ ଓ ଜୀବଜନ୍ତୁରେ ଏହା ପରିପୂର୍ଣ୍ଣ ହୋଇଛି । କାନ୍ଥରେ ଲୀଳାୟିତ ଭଙ୍ଗୀରେ ଗୋଟିଏ ରୂପସୀ, ଦକ୍ଷିଣ ହସ୍ତରେ ପୁଷ୍ପ, ବାମ ହସ୍ତରେ ପକ୍ଷୀ । ପୁଷ୍ପ ପରି ଫୁଟେଇବା, ପକ୍ଷୀ ପରି ମନକୁ ଚୌଦିଗରେ ଛୁଟେଇବା ବୟସ ତାର । ଯାହା କିଛି କୋମଳ, ସୁନ୍ଦର ତା’ ପ୍ରତି ତା’ର ଆଦର ପ୍ରସାରିତ-

 

ଗୋଟିଏ କାନ୍ଥରେ ମାୟାଦେବୀଙ୍କ ଶୟନ ମନ୍ଦିର, ଶ୍ଵେତହସ୍ତୀ ଗର୍ଭରେ ପ୍ରବେଶ କରିବାର ସ୍ଵପ୍ନ ସେ ଦେଖୁଛନ୍ତି । ଶୁଦ୍ଧୋଦନ ବ୍ରାହ୍ମଣ ପଣ୍ଡିତଙ୍କୁ ଡକାଇ ସ୍ଵପ୍ନର ଫଳାଫଳ ପଚାରି ବୁଝୁଛନ୍ତି । ପଣ୍ଡିତମାନେ କହୁଛନ୍ତି–ଲକ୍ଷଣବନ୍ତ ପୁତ୍ର ଜନ୍ମ ହେବ, ସେ ରାଜା ହେଲେ ରାଜଚକ୍ରବର୍ତ୍ତୀ, ସନ୍ନ୍ୟାସୀ ହେଲେ ବୁଦ୍ଧ ହେବେ ।

 

ଅନ୍ୟ କାନ୍ଥମାନଙ୍କରେ ନିମ୍ନ ଜାତକକାହାଣୀଗୁଡ଼ିକ ଚିତ୍ରିତ ହୋଇଅଛି ।

 

ହଂସ ଜାତକ :–

 

ବନାରସର ରାଣୀ କ୍ଷମା ସ୍ଵପ୍ନ ଦେଖିଲେ–ଗୋଟିଏ ସୁବର୍ଣ୍ଣ ହଂସ ତାଙ୍କୁ ଧର୍ମୋପଦେଶ ଦେବ । ରାଜା ଶିକାରୀ ପଠାଇ ଗୋଟିଏ ହ୍ରଦରୁ ସୁବର୍ଣ୍ଣ ହଂସ (ବୋଧିସତ୍ତ୍ଵ) ଓ ହଂସୀକି ଧରାଇ ଆଣିଲେ । ରାଣୀ ଧର୍ମୋପଦେଶ ପାଇବା ପରେ ହଂସ ଦମ୍ପତିଙ୍କି ମୁକ୍ତି ଦିଆଗଲା ।

 

ପଦ୍ମ ପୁଷ୍କରିଣୀରେ ପଶି ଶିକାରୀ ହଂସକୁ ଧରିବା, ରାଜାଙ୍କ ସମକ୍ଷରେ ସୁବର୍ଣ୍ଣ ସିଂହାସନରେ ବସେଇବା, ହଂସ ରାଣୀଙ୍କି ଧର୍ମୋପଦେଶ ଦେବା ଚିତ୍ର ମନୋହର, ହ୍ରଦର ପଦ୍ମଗୁଡ଼ିକ ସଦ୍ୟ ଅଙ୍କିତ ହେଲା ପରି ବୋଧ ହେଉଅଛି । ବିଧୁର ପଣ୍ଡିତ ଜାତକ :–ନାଗକନ୍ୟା ଇରାନ୍ଦତୀର ପାଣି ଗ୍ରହଣ କରିବା ଲାଗି ଯକ୍ଷ ସେନାପତି ପୁର୍ଣ୍ଣକ ବିଧୁର ପଣ୍ଡିତ (ବୋଧିସତ୍ତ୍ଵ)ଙ୍କୁ ସଙ୍ଗେ ଘେନି ନାଗଲୋକକୁ ଯାଇଛନ୍ତି । ନାଗରାଣୀ ବିଧୁରଙ୍କ ଧର୍ମୋପଦେଶ ଶୁଣି ମୁଗ୍‍ଧ ହେଉଛନ୍ତି । ଇରାନ୍ଦତୀ ଦୋଳି ଖେଳୁଛନ୍ତି, ଏଣେ ପ୍ରଣୟୀ ପୁର୍ଣ୍ଣକଙ୍କ ସଙ୍ଗେ ଆଳାପ କରୁଛନ୍ତି । ନାଗରାଜ ବିବାହ ସଂପର୍କରେ ଜ୍ଞାତି କୁଟୁମ୍ବଙ୍କ ସହ ଆଲୋଚନା କରୁଛନ୍ତି ।

 

ଦଶମ ଗୁମ୍ଫା ଅଜନ୍ତାର ପ୍ରାଚୀନତମ ଚୈତ୍ୟ । ଶିଳାଲିପିରୁ ଜଣାଯାଏ ଯେ ଏହା ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀରେ ଖୋଦିତ ହୋଇଥିଲା । ସେକାଳ ଚିତ୍ରରୁ ଅତି ଅଳ୍ପ ଅବଶେଷ ଅଛି । ସୈନ୍ୟ, ନର୍ତ୍ତକ ନର୍ତ୍ତକୀଙ୍କ ସହିତ ରାଜା ଏହି ଚୈତ୍ୟ ପରିଦର୍ଶନ କରୁଅଛନ୍ତି । ଏହା ବ୍ୟତୀତ ଦୁଇଟି ଜାତକ ଗଳ୍ପର ଚିତ୍ର ଅକ୍ଷୁଣ୍ଣ ଅବସ୍ଥାରେ ରହିଅଛି ।

 

ସାମଜାତକ :–ବୋଧିସତ୍ତ୍ଵ ଅନ୍ଧ ପିତାମାତାଙ୍କର ଏକମାତ୍ର ସନ୍ତାନ ରୂପେ ଜନ୍ମିଥିଲେ । ତାଙ୍କ ନାମ ଥିଲା ସାମ । ସେ ଦିନେ ପାଣି ଆଣିବା ଲାଗି ଝରଣାକୁ ଯାଇଥିଲେ । କଳସୀବୁଡ଼ା ଶବ୍ଦ ଶୁଣି ବନ୍ୟ ଜନ୍ତୁ ଜଳପାନ କରୁଛି ଭାବି ବାରାଣସୀର ରାଜା ଶର ନିକ୍ଷେପ କଲେ । ଗୋଟିଏ ମାତ୍ର ଆକୁଳ ଚିତ୍କାର କରି ସାମ ଢଳି ପଡ଼ିଲେ । ଅନୁତପ୍ତ ରାଜା ରାଜବାଟିକି ବାହୁଡ଼ି ନ ଯାଇ ସାମର ପିତାମାତାଙ୍କୁ ସେବା କରିବାକୁ ଲାଗିଲେ । ଅନ୍ଧଅନ୍ଧୁଣୀଙ୍କ କରୁଣ ବିଳାପରେ ଦେବତାଙ୍କ ଆସନ ଟଳିଲା । ସେ ସାମକୁ ଜୀବନ ଓ ଅନ୍ଧଅନ୍ଧୁଣୀଙ୍କି ଦୃଷ୍ଟିଶକ୍ତି ଦାନ କଲେ ।

 

ରାଜା ସାମକୁ ଶର ନିକ୍ଷେପ କରିବା, ଅନୁତପ୍ତ ହେବା, ତପୋବନର ଅନ୍ଧଅନ୍ଧୁଣୀ ମୃତ ପୁତ୍ରର ଶରୀର ସ୍ପର୍ଶ କରି ଶୋକୋଚ୍ଛ୍ୱାସ ପ୍ରକାଶ କରିବା ଚିତ୍ର ବଡ଼ ହୃଦୟସ୍ପର୍ଶୀ ହୋଇଅଛି ।

 

ଛଦନ୍ତ ଜାତକ :–ଛଦନ୍ତମାନେ ଛ’ଦାନ୍ତିଆ ହାତୀ । ବୋଧିସତ୍ତ୍ଵ ସେହି ଦେହରେ ଥରେ ମର୍ତ୍ତ୍ୟରେ ଜନ୍ମିଥିଲେ । ତାଙ୍କର ଦୁଇଟି ସ୍ତ୍ରୀ–ମହାଶୁଭଦ୍‍ଦ, ଚୂଳଶୁଭଦ୍‍ଦ । ମହାଶୁଭଦ୍‍ଦକୁ ସ୍ଵାମୀ ଅଧିକ ସୁଖ ପାଉଛନ୍ତି ଭାବି ପ୍ରତିଶୋଧ ନେବା ବାସନାରେ ଚୂଳଶୁଭଦ୍‍ଦ ପୁନର୍ଜନ୍ମରେ ବାରାଣସୀର ରାଣୀ ହେଲା । ରାଣୀ ହେବା ସଙ୍ଗେ ସଙ୍ଗେ ସେ ଛଦନ୍ତର ଛ’ଟିଯାକ ଦାନ୍ତ କରତେଇ ଆଣିବା ଲାଗି ଶିକାରୀଙ୍କି ଆଦେଶ ଦେଲା । ଛଦନ୍ତ ବାଣରେ କ୍ଷତବିକ୍ଷତ ହୋଇ ବି ଶିକାରୀଙ୍କି ଦନ୍ତ କରତିବାରେ ସାହାଯ୍ୟ କଲା । କରତା ଦନ୍ତ ଦେଖିବା ମାତ୍ରେ ଶୋକୋଚ୍ଛ୍ୱାସରେ ରାଣୀଙ୍କ ପ୍ରାଣବାୟୁ ଉଡ଼ିଗଲା ।

 

୧୬ ନମ୍ବର ଗୁମ୍ଫା ଗୋଟିଏ ବିହାର । ଶିଳାଲିପିରୁ ଜଣାଯାଏ ଯେ ବାକାତକ ରାକା ହରିସେନଙ୍କ ମନ୍ତ୍ରୀ ଖ୍ରୀ: ପୂ: ୪୭୫ ରୁ ୫୦୦ ମଧ୍ୟରେ ଏହି ବିହାରଟି ନିର୍ମାଣ କରିଥିଲେ । ଗବାକ୍ଷ, ଦ୍ଵାର, ଅଳଙ୍କୃତ ସ୍ତମ୍ଭାଦି ଯାହା ଏହି ବିହାରର ଶିଳାଲିପିରେ ବର୍ଣ୍ଣିତ, ତାହା ସେହିପରି ଅକ୍ଷୁଣ୍ଣ ରହିଅଛି । କେବଳ ଅଧିକାଂଶ ଚିତ୍ର ନଷ୍ଟ ହୋଇ ଯାଇଅଛି ।

 

ଅସିତ ମହର୍ଷିଙ୍କ ଭବିଷ୍ୟତବାଣୀ, କପିଳବାସ୍ତୁରେ ହଳକର୍ଷଣ ଉତ୍ସବରେ ଗୌତମଙ୍କ ଯୋଗଧ୍ୟାନ, ଗୌତମଙ୍କ ଧନୁର୍ବିଦ୍ୟା ଶିକ୍ଷା, ବିମ୍ବିସାରଙ୍କ ଆଗମନ, ରାଜଗୃହରେ ଭିକ୍ଷାପାତ୍ରହସ୍ତରେ ବୁଦ୍ଧଙ୍କ ପର୍ଯ୍ୟଟନ, ବୁଦ୍ଧଙ୍କୁ ସୁଜାତାଙ୍କ ପାୟସ ଅର୍ପଣ, ବୁଦ୍ଧଙ୍କୁ କଳିଙ୍ଗ ବଣିକ ତ୍ରପୁସ୍‍ସ, ଭଲ୍ଲିକଙ୍କ ଇକ୍ଷୁମଧୁ ଅର୍ପଣ, ବୁଦ୍ଧଙ୍କ ଶିକ୍ଷାଦାନ ଇତ୍ୟାଦି ଏହି ବିହାରରେ ଚିତ୍ରିତ ହୋଇଅଛି ।

 

ଚିତ୍ରିତ ଗଳ୍ପ ମଧ୍ୟରେ ‘ହସ୍ତୀଜାତକ’ ‘ମହାସମ୍ମଗ୍‍ଗ’ ପ୍ରଧାନ । ବୁଭୁକ୍ଷୁ ପଥିକଙ୍କ ବିକଳ ସହି ନ ପାରି ହସ୍ତୀରୂପୀ ବୋଧିସତ୍ତ୍ଵ ନିଜକୁ ପାହାଡ଼ ତଳକୁ ନିକ୍ଷେପ କରିଥିଲେ, ହସ୍ତୀ ମାଂସ ଖାଇ ପଥିକମାନଙ୍କ କ୍ଷୁଧା ନିବାରିତ ହୋଇଥିଲା । ଗୋଟିଏ ଶିଶୁ ଲାଗି ଦୁଇ ସ୍ତ୍ରୀଙ୍କ ମଧ୍ୟରେ କଳହ, ତାକୁ ଦୁଇଖଣ୍ଡ କରି ବାଣ୍ଟିବା ପ୍ରସ୍ତାବ କରନ୍ତେ ପ୍ରକୃତ ମାଆର ଅନ୍ତର କାନ୍ଦିବା, ଶିଶୁକୁ କାଟିବା ପ୍ରସ୍ତାବରେ ସମ୍ମତ ନ ହେବା ଦ୍ଵାରା ତା’ର ଅଧିକାର ସାବ୍ୟସ୍ତ ହେବା ଇତ୍ୟାଦି ‘ମହାସମ୍ମଗ୍‍ଗ’ ଗଳ୍ପର ବିଷୟ ।

 

୧୭ ନମ୍ବର ଗୁମ୍ଫା ରାଜା ହରିସେନଙ୍କର ଜଣେ ସାମନ୍ତ ଖୋଦନ କରିଥିଲେ । ଲତା, ପୁଷ୍ପ ଓ ନାରୀର ତୋରଣ ସୁସଜ୍ଜିତ । କିନ୍ନରୀ, ଉଡ଼ନ୍ତ ଅପସରା, ରାଣୀଙ୍କୁ ରାଜାଙ୍କ ମଦ୍ୟପାତ୍ର ପ୍ରଦାନ, ଭିକାରି, ସନ୍ନ୍ୟାସୀଙ୍କ ଭିକ୍ଷା ବିତରଣ ବିଶେଷ ଦୃଷ୍ଟି ଆକର୍ଷଣ କରେ ।

 

ବାରଣ୍ଡାର ପଶ୍ଚିମ କାନ୍ଥରେ ଗୋଟିଏ ଚକ୍ର ଖୋଦିତ ହୋଇଅଛି, ଏ ଜୀବନଚକ୍ର, ଏହାର ଅରରେ ଜୀବନର ବିଭିନ୍ନ ଅବସ୍ଥାର ଚିତ୍ର ପ୍ରଦର୍ଶିତ ହୋଇଅଛି, ବିଶେଷ ଭାବୋଦ୍ଦୀପକ ।

 

ଏହି ଗୁମ୍ଫାଟିରେ ଗୋଟିଏ ବୃହତ ପ୍ରାଚୀନ ପାଣ୍ଡୁଲିପି ବିଷୟ ଚିତ୍ରିତ ହୋଇଥିବାରୁ ଏହା ଯେ କୌଣସି ଉପାଦେୟ ଗ୍ରନ୍ଥ ଅପେକ୍ଷା ଅଧିକ ଚିତ୍ତାକର୍ଷକ ହୋଇଅଛି । ସର୍ବାପେକ୍ଷା ବହୁ ସଂଖ୍ୟାରେ ଜାତକ ଗଳ୍ପ ଏହି ଗୁମ୍ଫାରେ ଚିତ୍ରିତ ହୋଇଅଛି ।

 

ନାଲାଗିରି ଉପାଖ୍ୟାନ :–ବୁଦ୍ଧଙ୍କୁ ବିନାଶ କରିବା ଲାଗି ଅଜାତଶତ୍ରୁଙ୍କ ବଳ ପାଇ ଦେବଦତ୍ତ ଗୋଟିଏ ପାଗଳା ହାତୀ ଛାଡ଼ି ଦେଇଥିଲା; ବୁଦ୍ଧ ତାକୁ ଅହିଂସା ମନ୍ତ୍ରରେ ବଶୀଭୂତ କରିଥିଲେ । ଅଜାତଶତ୍ରୁ ଓ ଦେବଦତ୍ତର ଷଡ଼ଯନ୍ତ୍ର ବ୍ୟର୍ଥ ହେଲା । ଅଜାତଶତ୍ରୁଙ୍କ ସହିତ ଦେବଦତ୍ତର ମନ୍ତ୍ରଣା, ରାଜଗୃହର ଗୋଟିଏ ଗଳି, ତହିଁରେ ଥିବା ଦୋକାନ, ହସ୍ତୀର ଉତ୍ପାତ ଆଦି ଚିତ୍ରରୁ ନିପୁଣ ତୂଳୀର ପରିଚୟ ମିଳେ ।

 

ମହାକପି ଜାତକ :–

 

ବୋଧିସତ୍ତ୍ଵ ବାନରମାନଙ୍କ ରାଜା ହେବା, ଗଙ୍ଗାକୂଳରେ ଗୋଟିଏ ଆମ୍ରବୃକ୍ଷରେ ବାସ କରିବା, ବାରାଣସୀର ରାଜା ଆମ୍ର ଲୋଭରେ ସେ ବୃକ୍ଷ ଘେରଉ କରିବା, ପଳାୟନର ଉପାୟ ନ ଦେଖି ବୋଧିସତ୍ତ୍ଵ ନିଜ ଶରୀରକୁ ଗଙ୍ଗାରେ ବିସ୍ତୃତ କରିବା, ଅନ୍ୟ ବାନରମାନେ ତାଙ୍କୁ ପୃଷ୍ଠ ଉପରେ ଚାଲିଯାଇ ଉଦ୍ଧାର ପାଇବା, ବାନର ହୋଇ ଜନ୍ମିଥିବା ଚିରଶତ୍ରୁ ଦେବଦତ୍ତ ଦାଉ ସାଧିବା ଲାଗି ତାଙ୍କ ପୃଷ୍ଠକୁ ଲମ୍ଫ ଦେବା, ଫଳରେ ବୋଧିସତ୍ତ୍ଵଙ୍କ କଲିଜା ଫାଟିଯିବା, ଏ ଦୃଶ୍ୟରେ ରାଜା ଅଭିଭୂତ ହେବା, ମୃତ୍ୟୁ ପୂର୍ବରୁ ବୋଧିସତ୍ତ୍ଵ ରାଜାଙ୍କୁ ଧର୍ମୋପଦେଶ ଦେବା ଇତ୍ୟାଦି ଗଳ୍ପରେ ବର୍ଣ୍ଣିତ ।

 

ଗଙ୍ଗାରେ ବହୁଲୋକ ସ୍ନାନ କରୁଛନ୍ତି, ମତ୍ସ୍ୟ ସନ୍ତରଣ କରୁଛନ୍ତି, ରାଜା ବ୍ରହ୍ମଦତ୍ତ ଅଶ୍ଵପୃଷ୍ଠରେ ବିଜେ କରିଛନ୍ତି, ଧନୁରେ ଶର ଯୋଖି ସୈନ୍ୟମାନେ ବାନରଙ୍କ ଆଡ଼କୁ ଲକ୍ଷ୍ୟ ସ୍ଥିର କରୁଛନ୍ତି, ବୋଧିସତ୍ତ୍ଵଙ୍କ ପୃଷ୍ଠରେ ଚଢ଼ି ବାନରମାନେ ପଳାୟନ କରୁଛନ୍ତି ଇତ୍ୟାଦି ଚିତ୍ର ଖୁବ୍ ଜୀବନ୍ତ ରହିଅଛି ।

 

ମହାକପି ଜାତକ (ଦ୍ଵିତୀୟ) :–ବୋଧିସତ୍ତ୍ଵ ବାନର ହୋଇ ଜନ୍ମ ହେବା, ଗର୍ତ୍ତରେ ପଡ଼ିଯାଇଥିବା ଜଣେ କୃଷକକୁ ବହୁ କଷ୍ଟରେ ଉଦ୍ଧାର କରିବା, ପ୍ରତ୍ୟୁପକାର ସ୍ଵରୂପ ଶୟନ କାଳରେ ସେହି କୃତଘ୍ନ ବୋଧିସତ୍ତ୍ଵଙ୍କ ଉପରକୁ ପ୍ରସ୍ତର ନିକ୍ଷେପ କରିବା, ବୋଧିସତ୍ତ୍ଵ ଲମ୍ଫଦେଇ ଆତ୍ମରକ୍ଷା କରିବା, ତା’ ସତ୍ତ୍ୱେ ସେ କୃଷକକୁ ପଥ ଦେଖାଇବା, ଅନୁତପ୍ତ କୃଷକ କୃପାଭିକ୍ଷା କରିବା ଇତ୍ୟାଦିରୁ କେତୋଟି ବିଷୟ ଚିତ୍ରରେ ପ୍ରଦର୍ଶିତ ହୋଇଅଛି ।

 

ବସନ୍ତରା ଜାତକ :–ଦୟା, କ୍ଷମା ଓ ଉଦାରତାର ଅବତାର ବୋଧିସତ୍ତ୍ଵ ବାରାଣସୀର ରାଜାହେବା, ତାଙ୍କ ନାମ ବସନ୍ତରା ହେବା, କଳିଙ୍ଗରେ ଅନାବୃଷ୍ଟି ହେବାରୁ ସେ ସେହି ଦେଶର ବ୍ରାହ୍ମଣମାନଙ୍କୁ ଗୋଟିଏ ହସ୍ତୀ ଉପହାର ଦେବା, ସେହି ହସ୍ତୀର ବୃଷ୍ଟି କରିବା ଶକ୍ତି ଥିବା, ତହିଁରୁ ବଞ୍ଚିତ ହେବାରୁ ପ୍ରଜାମାନେ ଉତ୍‍କ୍ଷିପ୍ତ ହୋଇ ତାଙ୍କୁ ନିର୍ବାସିତ କରିବା, ରାଜା ପଥରେ ନିଜର ଅଶ୍ଵ ଓ ରଥ ଦାନ କରିବା, ଯୁଜକ ନାମକ ବ୍ରାହ୍ମଣକୁ ନିଜର ପୁତ୍ର, ବ୍ରାହ୍ମଣରୂପୀ ଶତ୍ରୁଙ୍କୁ ନିଜର ଭାର୍ଯା ଦାନ କରିବା, ଶତ୍ରୁ ତାଙ୍କ ଭାର୍ଯାକୁ ଫେରାଇ ଦେବା, ବସନ୍ତରାଙ୍କ ବୃଦ୍ଧ ପିତା ଯୁବକକୁ ଧନ ରତ୍ନ ଦେଇ ନାତିମାନଙ୍କୁ ଉଦ୍ଧାର କରିବା ଏହି ଗଳ୍ପର ସଂକ୍ଷିପ୍ତ ସାର ।

 

ସେଥିରୁ ପିତାମାତାଙ୍କଠାରୁ ବସନ୍ତରାଙ୍କ ବିଦାୟ ଗ୍ରହଣ, ରଥରେ ପରିବାର ସହିତ ନିର୍ବାସିତ ରାଜାଙ୍କ ଯାତ୍ରା, ରାଜାଙ୍କ ତପୋବନ ଜୀବନ, ସ୍ତ୍ରୀଙ୍କ ଅନୁପସ୍ଥିତିରେ ଯୁବକକୁ ପୁତ୍ରଦାନ, ପୁତ୍ରମାନଙ୍କ ଉଦ୍ଧାର, ରାଣୀଙ୍କ ସହିତ ବସନ୍ତରାଙ୍କ ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଙ୍କିତ ହୋଇଅଛି ।

 

ସୁତସୋମ ଜାତକ :–ସିଂହଳବିଜୟୀ ‘ବିଜୟସିଂହ’ କାହାଣୀ ସହିତ ଏହି କାହାଣୀର ଯଥେଷ୍ଟ ସାମଞ୍ଜସ୍ୟ ଅଛି । ବୋଧିସତ୍ତ୍ଵ ଜନ୍ମ ହୋଇ ସୁତସୋମ ନାମରେ କୁରୁରାଜ୍ୟର ରାଜା ହେବା, ସିଂହୀଠାରୁ ଜାତ ସୌଦାସକୁ ନରମାଂସ ଭକ୍ଷଣରୁ ନିବୃତ୍ତ କରିବା ଏହି ଗଳ୍ପର ମର୍ମ ।

 

ସୌଦାସ ଅଶ୍ଵ ପୃଷ୍ଠରେ ନଗର ତୋରଣ ପାର ହେବା, ଦଳେ କୁକୁର ଘେନି ଶିକାର କରିବା, ହିଂସ୍ରଜନ୍ତୁ ସଂକୁଳ ଅରଣ୍ୟରେ ଏକାକୀ ଶୋଇ ରହିବା, ସିଂହୀ ତାଙ୍କ ପାଦ ଲେହନ କରିବା, ସୌଦାସର ଶିକ୍ଷା, ବର୍ଚ୍ଛାନିକ୍ଷେପ, ସିଂହାସନାରୋହଣ, ନରମାଂସ ଭକ୍ଷଣ, ସେଥିରୁ ନିବୃତ୍ତ ନ ହେବାରୁ ରାଜ୍ୟରୁ ନିର୍ବାସନ, ସୌଦାସ ସୁତସୋମଙ୍କ ଶହେ ରାଜାଙ୍କୁ ବନ୍ଦୀ କରିବା, ସୁତସୋମ ତାଙ୍କ ମନ ପରିବର୍ତ୍ତନ କରିଦେବା ଇତ୍ୟାଦି ବହୁ ଦୃଶ୍ୟ ଚିତ୍ରିତ ହୋଇଅଛି ।

 

ନିଗ୍ରୋଧମିଗ୍‍ଗ ଜାତକ :–ଅତ୍ୟଧିକ ବିନାଶ ନ ଘଟେଇବା ଲାଗି ବନସ୍ତର ପ୍ରାଣୀମାନେ ପ୍ରତିଦିନ ବାରାଣସୀର ରାଜାଙ୍କୁ ଗୋଟିଏ ମୃଗ ଉପହାର ଦେବା, ଦିନେ ଗର୍ଭିଣୀ ମୃଗୀର ପାଳି ପଡ଼ିବା, ବିକଳ ସହି ନ ପାରି ବୋଧିସତ୍ତ୍ଵ (ମୃଗ ରୂପେ ଜାତ) ଆତ୍ମସମର୍ପଣ କରିବା, ଏଥିରେ ରାଜା ବିଚଳିତ ହୋଇ ରାଜ୍ୟରେ ଜୀବଜନ୍ତୁ ବଧ ନିଷେଧ କରିବା ଏହି ଗଳ୍ପର ଉପଜୀବ୍ୟ-। ରୋଷେଇ ଘର ଦ୍ଵାରରେ ବୋଧିସତ୍ତ୍ଵ ମୃତ୍ୟୁକୁ ଅପେକ୍ଷା କରିବା, ସିଂହାସନରେ ବସି ମୃଗ ରାଜାଙ୍କୁ ଉପଦେଶ ଦେବା ଦୃଶ୍ୟର ଚିତ୍ର ରମଣୀୟ ହୋଇଅଛି ।

 

ମତ୍ସ୍ୟ ଜାତକ :–ଗୋଟିଏ ବୃହତ ମତ୍ସ୍ୟର ଚତୁର୍ଦ୍ଦିଗରେ କ୍ଷୁଦ୍ର କ୍ଷୁଦ୍ର ବହୁ ମତ୍ସ୍ୟ ଓ ଜଳଜୀବଙ୍କ ସନ୍ତରଣ ଚିତ୍ରରେ ପ୍ରଦର୍ଶିତ ହୋଇଅଛି ।

 

ବୋଧିସତ୍ତ୍ଵ ମତ୍ସ୍ୟ ହୋଇ ଜନ୍ମିବା, ଅନାବୃଷ୍ଟି ଯୋଗୁ ଜଳାଶୟ ଶୁଷ୍କ ହେବା, ଜ୍ଞାତିକୁଟୁମ୍ବଙ୍କୁ ହିଂସ୍ର ଜନ୍ତୁମାନେ ଭକ୍ଷଣ କରିବା ଦେଖି ସେ ଦେବତାର ରାଜାଙ୍କୁ ଡାକି ବର୍ଷା କରେଇବା ଇତ୍ୟାଦି ଗଳ୍ପର ସାରାଂଶ ।

 

ବଳାହଂସ ଜାତକ :–ଏଇଟି ବିଜୟସିଂହଙ୍କ ସିଂହଳ ବିଜୟ କାହାଣୀ, ପାଞ୍ଚହଜାର ବଣିକଙ୍କ ସହିତ ସମୁଦ୍ରରେ ବିଜୟଙ୍କ ଯାତ୍ରା; ଜାହାଜଭଙ୍ଗ, ତାମ୍ରପର୍ଣ୍ଣୀ କୂଳରେ ପତିତ ହେବା ମାତ୍ରେ ରୂପସୀ ରାକ୍ଷସୀମାନେ ତାଙ୍କର ସେବା କରିବା, ବୋଧିସତ୍ତ୍ଵ ଅଶ୍ଵରୂପ ଧରି ବିଜୟ ଓ ତାଙ୍କର କେତେକ ସାଥୀଙ୍କି ସମୁଦ୍ରରୁ ଉଦ୍ଧାର କରି ଘେନିଯିବା, ରାକ୍ଷସୀଙ୍କ ପ୍ରେମରେ ପଡ଼ି କେତେକ ଅନୁଚର ଭକ୍ଷିତ ହେବା, ବିଜୟ ରାକ୍ଷସ ରାକ୍ଷସୀଙ୍କି ନିପାତ କରିବା, ସିଂହଳର ରାଜା ହେବା ଇତ୍ୟାଦିର ଚିତ୍ର ବିଶେଷ ଉପଭୋଗ୍ୟ ହୋଇଅଛି ।

 

ଖ୍ରୀ: ପୂ: ୪୫୦ରୁ ୫୨୫ ମଧ୍ୟରେ ୨୬ ନମ୍ବର ଗୁମ୍ଫାଟି ଖୋଦିତ ହୋଇଥିଲା । ଉଭୟ ଚିତ୍ର ଓ ଭାସ୍କର୍ଯ୍ୟରେ ଏଇଟି ପରମ ରମଣୀୟ । ତୋରଣ ଓ ଗୁହାରେ ଅଗଣିତ ବୌଦ୍ଧମୂର୍ତ୍ତି, କାନ୍ଥରେ ବିବିଧ ଚିତ୍ର ଓ ଛାତରେ ଚମତ୍କାର ଅଳଙ୍କରଣ । ପରିନିର୍ବାଣ ଅବସ୍ଥାରେ ବୁଦ୍ଧଙ୍କ ଶୟାନ ମୂର୍ତ୍ତି ବିଶେଷ ଦୃଷ୍ଟି ଆକର୍ଷଣ କରେ । ଦୁଇଟି ଶାଳବୃକ୍ଷ ମଧ୍ୟରେ ବୁଦ୍ଧ ଶାୟିତ, ମୁଖରେ ବିଷଣ୍ଣତା ନାହିଁ, ଅବଶ୍ୟମ୍ଭାବୀକି ସେ ଆଦରରେ ବରଣ କରି ନେଇଛନ୍ତି, ତାଙ୍କ ଆତ୍ମାକୁ ଘେନି ଅପସରାମାନେ ଉଡ଼ି ଯାଉଛନ୍ତି, ଆନନ୍ଦାଦି ଶିଷ୍ୟମାନେ ଅଶ୍ରୁମୋଚନ କରୁଛନ୍ତି ।

 

ବିଶ୍ୱର ଶ୍ରେଷ୍ଠ ଆତ୍ମୀୟ, ଦେବତା, ମନୁଷ୍ୟ ଆଉ ପ୍ରାଣୀଜଗତର ପରମପ୍ରିୟ ବୁଦ୍ଧ ଜଗତକୁ ଆଲୋକର ପଥ ଦେଖାଇଲେ, କିନ୍ତୁ ଯେଉଁ ଜରା, ବ୍ୟାଧି ଓ ମୃତ୍ୟୁ ଦେଖି ତାଙ୍କ ଚିତ୍ତ ବିଚଳିତ ହୋଇଥିଲା, ସେଥିରୁ ମନୁଷ୍ୟ ସମାଜକୁ ସେ ରକ୍ଷା କରିପାରିଲେ ନାହିଁ ।

 

ଶ୍ଳୋକ ଅଛି :–

 

ଦେହିନୋସ୍ମିନ୍‍ ଯଥା ଦେହେ କୌମାରଂ ଯୌବନଂ ଜରା,

ତଥା ଦେହାନ୍ତରପ୍ରାପ୍ତିଃ ଧୀରସ୍ତତ୍ର ନ ମୁହ୍ୟତି ।

 

କୌମାର, ଯୌବନ ପରି ମୃତ୍ୟୁ ଗୋଟିଏ ଅବସ୍ଥା, ତାରତମ୍ୟ ଏତିକି ଯେ ମୃତ୍ୟୁ ପରେ ଦେହର କୌଣସି ମୂଲ୍ୟ ରହେ ନାହିଁ । ଆତ୍ମା କେଉଁଠିକି ଯାଏ, କେଉଁଠି ରହେ, ଦେହାନ୍ତର ଗ୍ରହଣ କରେ କି ନାହିଁ, ସାଂସାରିକ ଦ୍ରବ୍ୟ ପ୍ରତି ତା’ର ପୂର୍ବ ଆକର୍ଷଣ ରହେ କି ନାହିଁ, ତାହା ଜଣାଯାଏ ନାହିଁ । ପ୍ରକୃତରେ ମୃତ୍ୟୁ ବିଚ୍ଛେଦ ନୁହେଁ, ମୂଳୋଚ୍ଛେଦ । ଯେ ଯାଏ, ସେ ଯାଏ, ଜୀବନସାରା ବନ୍ଧା ହୋଇଥିବା ସ୍ନେହ ମମତାର ଡୋରି ଛିନ୍ନ ହୁଏ । ସେଥିଲାଗି ମନୁଷ୍ୟ ମୃତ୍ୟୁକୁ ଭୟ କରେ । ବୁଦ୍ଧ ସେ ଭୟକୁ ଜୟ କରିଥିଲେ, ତେଣୁ ତାଙ୍କ ମୁଖରେ ଭୟର ଛାୟା ନାହିଁ । କୈଶୋରରୁ ଯୌବନକୁ ଆସିଲେ ଯେପରି ପୂର୍ଣ୍ଣତର ବିକାଶ ହୁଏ, ମୃତ୍ୟୁରେ ମଧ୍ୟ ତାଙ୍କର ସେହିପରି ଘଟିଅଛି । ମୃତ୍ୟୁ ଏଠି ବିନାଶ ନୁହେଁ, ଯଥାର୍ଥରେ ଏକ ବିକାଶ । କିନ୍ତୁ ତାହା ରୂପାନ୍ତରରେ । ବର୍ତ୍ତମାନ ଇନ୍ଦ୍ରିୟରେ ତା’ର ସ୍ଥିତି, ଗତି ଅନୁଭବ କରିବା ଅସମ୍ଭବ ।

 

ଅନ୍ୟାନ୍ୟ ଗୁମ୍ଫାରେ ସେଭଳି ଉଲ୍ଲେଖଯୋଗ୍ୟ ବିଶେଷତ୍ଵ ନାହିଁ । ଶୈଳ ଗୃହରେ ସ୍ତୂପର ବିକାଶ ଲକ୍ଷ୍ୟଣୀୟ । ପ୍ରାଥମିକ ଅବସ୍ଥାରେ ସ୍ଵୟଂ ବୁଦ୍ଧ ବା ତାଙ୍କର କୌଣସି ଚକ୍ରବର୍ତ୍ତୀ ଶିଷ୍ୟଙ୍କ ଅସ୍ଥି ବା ଭସ୍ମ ଉପରେ ସ୍ତୂପ ନିର୍ମିତ ହେଉଥିଲା । ପରେ ଯେ କୌଣସି ଶିଷ୍ୟଙ୍କ ସ୍ମାରକ ରୂପେ ଏହା ନିର୍ମିତ ହେଲା । ସ୍ତୂପ ବୋଇଲେ ସମାଧି ମନ୍ଦିର । ଏଥିରେ ଦ୍ଵାର ବା ଗବାକ୍ଷ ନାହିଁ, ସ୍ଵତନ୍ତ୍ର ଆକୃତିରେ ନିର୍ମିତ ଏହା ଗୋଟିଏ ପ୍ରସ୍ତର ବା ଇଟାର କୁଦ । ଅସ୍ଥି ବା ଭସ୍ମ ଛଡ଼ା ଏହା ତଳେ ଅର୍ହତଙ୍କ ବ୍ୟବହୃତ ଭିକ୍ଷାପାତ୍ର, ଦଣ୍ଡ ବା ପବିତ୍ର ଗ୍ରନ୍ଥ ଥାଏ ।

 

ସେତେବେଳେ ଏହି ସ୍ତୂପ ବାହାରର ଆବରଣ ମାତ୍ର । ଏଥିରେ ଅସ୍ଥି, ଭସ୍ମ ବା ଗ୍ରନ୍ଥ ପୂଜିତ ହେଉଥିଲା । ପରବର୍ତ୍ତୀ ଯୁଗରେ ସ୍ତୂପ ବୌଦ୍ଧଧର୍ମ ବିଶ୍ଵାସର ପ୍ରତୀକ ହୋଇ, ଏହା ବୋଧି ବା ନିର୍ବାଣର ସଙ୍କେତ ଦେଲା । ସେତେବେଳେ ଉନ୍ମୁକ୍ତ ପ୍ରାନ୍ତରରେ ନିର୍ମିତ ନ ହୋଇ ଏହା ଶୈଳଗୃହ ବା ମନ୍ଦିରରେ ଅବସ୍ଥାପିତ ହେଲା, ନାନା କାରୁକୀର୍ତ୍ତି ବିଶେଷତଃ ବୌଦ୍ଧ ମୂର୍ତ୍ତିରେ ମଣ୍ଡିତ ହୋଇ ପୂଜିତ ହେଲା । ପରଲୋକଗାମୀ ଆତ୍ମାର ସତେ ବା ଏହା ଆଲୋକବର୍ତ୍ତିକା !

 

ଅଜନ୍ତାର ଯାତ୍ରୀ–

 

ଦେହରେ ମୋଟା ଗରମ ଜାମା, ମୁଣ୍ଡରେ ଗରମ ଟୋପି, ପାଦରେ ମୋଟା ଜୋତା । ଏମାନେ ଯାତ୍ରୀ, ଯେମିତି ଯାତ୍ରୀ ପୁରୀ ଆଉ ଭୁବନେଶ୍ଵର ପ୍ରଭୃତି ତୀର୍ଥକ୍ଷେତ୍ରକୁ ଆସନ୍ତି । ନେପାଳୀ ବା ତିବ୍ଦତୀ ବୌଦ୍ଧ, ଭାରତର ବୌଦ୍ଧ କ୍ଷେତ୍ରମାନ ବୁଲି ଦେଖୁଛନ୍ତି । ପ୍ରତି ବୌଦ୍ଧ ମୂର୍ତ୍ତି ଆଗରେ ଏମାନେ ମୁଣ୍ଡିଆ ମାରୁଛନ୍ତି, ଧୂପକାଠି ଜାଳୁଛନ୍ତି, ଗୁଣୁଗୁଣୁ ମନ୍ତ୍ର ପଢ଼ୁଛନ୍ତି–ଭକ୍ତ ।

 

ଆଉ ଦଳେ ନିତାନ୍ତ ବାବୁ, ଅଜନ୍ତା ନାଆଁ ଶୁଣି ଆସିଛନ୍ତି, ଚିତ୍ର ଦେଖିବା ଲାଗି ଯେଉଁ କଳାଜ୍ଞାନ, ରୁଚି, ପୁଣି ଅନ୍ଧକାର ଗୃହାରେ ଯେଉଁ ବିପୁଳ ଧୈର୍ଯ୍ୟ ଆବଶ୍ୟକ, ତାହା ଏମାନଙ୍କର ନାହିଁ । ଗୁମ୍ଫାକୁ ଗୁମ୍ଫା ଉଙ୍କିମାରି ଡେଙ୍ଗେ ଡେଙ୍ଗେ ଚାଲିଯାଉଛନ୍ତି । ଆହା ! ସିନେମା ପରି ଏଥିରେ କିଛି ହେଲେ ଚମକପ୍ରଦ ଜିନିଷ ନାହିଁ !

 

କେତେକ ସ୍ତ୍ରୀଲୋକ ଆସିଛନ୍ତି, କାନ୍ଥ ମୂଳରେ ଛିଡ଼ାହେଲେ ନିଜେ ଫ୍ରେସକୋ ପେଣ୍ଟିଂ ପରି ଦିଶିବେ । ସେମାନେ ‘ଆସୁ ଆସୁ ଧୂଳି ପଡ଼ିଲା କେତେ’ ଶ୍ରେଣୀର । ଅଜନ୍ତା ଦେଖିବେ କ’ଣ, ଅଜନ୍ତାର ଭାଗ୍ୟ ସେମାନଙ୍କୁ ଦେଖୁଥାଏ । ବିଭିନ୍ନ କଳାଭବନରୁ ଯେଉଁମାନେ ଆସିଛନ୍ତି, ସେମାନେ ରୀତିମତେ ଶିଖୁଛନ୍ତି । ଶରୀରର ପରିମାପ, ଅଙ୍କନ ପାଟବ, ଛବିର ଇତିହାସ, ରଙ୍ଗର ଚମତ୍କାରିତା, ଭୂଗୋଳ ଶିକ୍ଷକ ମାନଚିତ୍ର ଦେଖାଇଲା ପରି ଛବି ଦେଖାଇ ଗୁରୁ ଛାତ୍ରଙ୍କୁ ବୁଝାଉଛନ୍ତି-। ଏଠି ତ୍ରିଦିବ ଚୌଧୁରୀ ବୋଲି ବମ୍ବେର ଜଣେ କଳା ଛାତ୍ର ସଙ୍ଗେ ମୋର ପରିଚୟ ହେଲା । ଛବି ଦେଖିବାରେ ମୋର ଅନିବିଷ୍ଟତା ଦେଖି କହିଲା—ଆପଣ ତ କିଛି ଦେଖୁନାହାନ୍ତି ?

 

ମୁଁ କହିଲି–ପ୍ରଥମ ଦୃଷ୍ଟିରେ ଯଥେଷ୍ଟ ଦେଖା ହୋଇଛି ।

 

‘ମାନେ ?’

 

'Love at the first sight'

 

‘ହାଃ ହାଃ, ଛବିକି ପ୍ରେମ କରୁଛନ୍ତି ?’

 

‘ଜୀବନ୍ତ ପରି ଏତେ ସ୍ୱାର୍ଥପର ନୁହେଁ ଯେ, ଏ ମୋ ବିରୁଦ୍ଧରେ ନାଲିସ୍ କରିବ । ମୋର ଅପରାଧ କେଉଁଠି ?’

 

‘ଅପରାଧ ବୋଲି କହୁନାହିଁ । ଯେ ଯାହାକୁ ଭଲପାଏ, ସେ ତା’ ମୁହଁକୁ ଚାହିଁରହେ । କିନ୍ତୁ ଆପଣ..........’

 

‘ସୌନ୍ଦର୍ଯ୍ୟକୁ ଦେଖି ଦେଖି ଘଷରା କରିବାକୁ ମୁଁ ଚାହେଁ ନାହିଁ, ଥରେ ଯାହା ଦେଖିଛି, ମୋତେ ବିଭୋଳ କରିଛି । ‘ଦିନ ରାତି ଚିନ୍ତୁଥିବି ବସି ।’ କଳା ଆପଣଙ୍କ ପାଳିତା, ପୋଷିତା ଭାର୍ଯା, ମୋର ଏକାନ୍ତ ନୂତନା ପ୍ରିୟା । ବେଶୀ ଚାହୁଁ ନାହିଁ ତା’ ମୁଖକୁ, ବେଶୀ ଚାହିଁ ପାରୁ ନାହିଁ ବୋଲି ।’

 

‘ଏତେ ତ କହୁଛନ୍ତି, ଚିତ୍ରର ଏହି ତରୁଣୀଟି ଯଦି ମଣିଷ ହୋଇଯାଏ, ପ୍ରିୟା ରୂପେ ଗ୍ରହଣ କରିପାରିବେ ?’

 

‘ତା ହେଲେ ଗୃହବିପ୍ଳବ ଘଟିଯିବ; ଜଣେ ଆଧୁନିକା, ଜଣେ ପ୍ରାଚୀନା । ଦୁଇ ସଉତୁଣୀଙ୍କ ଭିତରେ ମୋ ଅବସ୍ଥା ଯାହା ହେବ, ସ୍ଵୟଂ ବୁଦ୍ଧ ବି ମୋତେ ତ୍ରାଣ କରି ପାରିବେ ନାହିଁ-। ଚିତ୍ର ନାରୀର କଟାକ୍ଷ ଭଙ୍ଗୀରେ, ବେଶବିନ୍ୟାସରେ ମୁଁ ମୁଗ୍‍ଧ, ଏ କଥା ସତ । କିନ୍ତୁ ଚିତ୍ରରୁ ମଣିଷ ହେବା ମାତ୍ରେ ‘ବୁଦ୍ଧମ୍ ଶରଣଂ ଗଚ୍ଛାମି’, ‘ସଘଂ ଶରଣଂ ଗଚ୍ଛାମି’ କରିବ, ଆଧୁନିକ ଯୁଗରେ ମୁଁ ଏହା ବରଦାସ୍ତ କରିପାରିବି ନାହିଁ । ଚିନ୍ତା ଦିଗରୁ ଆମ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ତଫାତ୍‍; ମୁଁ ତା’ ଭାଷା ବୁଝି ପାରିବି ନାହିଁ, ସେ ମୋ ଭାଷା ବି । ‘ପରେ ଠାରଠୁର, ବେଟା ଚୋର’ ଅବସ୍ଥା ହେବ । ତା’ ପ୍ରତି ମୋର ପ୍ରେମ ନିବିଡ଼ ହେବ କିପରି ? ତେଣୁ ଯେ ତାକୁ ଗଢ଼ିଛି, ତା’ ପ୍ରତି ହିଁ ମୋର ଅଧିକ ପ୍ରେମ–ଶିଳ୍ପୀ ! ଶିଳ୍ପରେ ଶିଳ୍ପୀଙ୍କି ମୁଁ ଭଲପାଇଛି ।

 

‘ବେଶ୍‍, ବାରମ୍ବାର ଦେଖିଲେ ଶିଳ୍ପୀର ମର୍ଯ୍ୟାଦା କ’ଣ ହାନି ହେବ ?’

 

‘ବାରମ୍ବାର ଦେଖିଲେ କ’ଣ ବେଶୀ ଦେଖା ହୁଏ ? ପ୍ରେମରେ ଦଣ୍ଡେ ଦେଖି ଜୀବନସାରା ଲାଗି ଦେଖା ହୋଇଯାଏ । ପ୍ରେମ ନ ଥାଇ ଯେତେ ଦେଖିଲେ ବି କିଛି ଦେଖା ହୁଏ ନାହିଁ ।’

 

ଆଲୋଚନା ଆଉ ବା ଆଗେଇଥାନ୍ତା, ଗୁରୁଜି ଡାକିବାରୁ ତ୍ରିଦିବ ଚାଲିଗଲା । ପାହାଡ଼ ଆଗରେ ଖଣ୍ଡେ ଚଲା ବଉଦ ପଛରେ ମୁଁ ଦୃଷ୍ଟି ଚଲାଇଲି ।

 

ଦଳପତିଙ୍କ ଡାକ ପଡ଼ିଲା । ପାହାଡ଼ ତଳକୁ ଆମେ ଓହ୍ଳାଇ ଆସିଲୁ । ସେତେବେଳକୁ ଗୋଧୂଳି । କେହି ତରୁଣୀ ଜଙ୍ଗଲରୁ ଫୁଲ ତୋଳି ଆଣି କେଶରେ ଖୋସିଲା । କେହି ଉପଳ ସଂଗ୍ରହ କଲା, କେହି ୱାଗୁର ନଦୀର ବାଲୁକା ଆଲୋଡ଼ନ କରି କୁଟୀର ନିର୍ମାଣ କଲା, କେହି ଗୀତ ଧଇଲା, କେହି ପ୍ରସ୍ତର ଖଣ୍ଡ ଉପରେ ବସି କ୍ଷୀଣ ସ୍ରୋତଧାରାକୁ ଅଳତା ଲଗା ପାଦ ଦିଓଟି ଲମ୍ବାଇ ଦେଲା, ଏଇ ଅସମ୍ଭବ ପଦ୍ମ ଦୁଇଟି ପାଇ ଜଳସ୍ରୋତ ଉଚ୍ଛ୍ଵସିତ ହେଲା । ସେତେବେଳକୁ ସନ୍ଧ୍ୟା କିରଣ ସାତକୁଣ୍ଡ ପ୍ରପାତ ଡେଇଁ ଝରଣା ଉପରେ ସ୍ଵପ୍ନାବେଶ ସୃଷ୍ଟି କରିଥାଏ । କହିଲି, ସାମ୍ନା ଗୋଟାଳିଆ ପଥର ଉପରେ ବସ ସାନ୍ତ୍ୱନା, ଛବି ଆଙ୍କିବାର ଲୋଭ ହେଉଛି ମୋର, କିନ୍ତୁ କେବେ ତୂଳୀ ଧରିନି, ପୂର୍ବକୁ ଗାର ଟାଣିଲେ ପଶ୍ଚିମକୁ ଯାଏ । ଯଦି ଲୋଭର ବଶୀଭୂତ ହୁଏ, ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ଗଢ଼ିବି ।

 

‘ମାଙ୍କଡ଼ ହେବାକୁ କାହାର ଇଚ୍ଛା ହେବ ?’

 

‘ବସ, ଗୋଟିଏ କବିତା ଲେଖିବି, ମାନେ ତୁମକୁ ମିଶାଇ ସବୁ ଦୃଶ୍ୟର ଗୋଟାଏ ସ୍କେଚ୍‍-।’

 

‘ହଁ’ ‘ନାହିଁ’ ହୋଇ ଅଳସ ଭଙ୍ଗୀରେ ସାନ୍ତ୍ଵନା ଆସି ବସିଲା, କହିଲା ପାଞ୍ଚ ମିନିଟ୍ ମଧ୍ୟରେ ଲେଖା ଶେଷ କର । ଲେଖିଲି–

 

‘ସନ୍ଧ୍ୟାର ମାନୁଷ ମୂର୍ତ୍ତି ବସ ମୋର ପାଶେ

ପ୍ରପାତର ସହଚରୀ

ଚରଣରୁ ଅଳତା ସମ ଝରି

ବହି ଆସୁ ୱାଗୁର ନଦୀ ଲୋହିତ ଉଚ୍ଛ୍ୱାସେ ।

ଅଜନ୍ତାର ଦୁଇ ପାହାଡ଼ ତୁମର ସୀମନ୍ତ

ସିନ୍ଦୂର ବିନ୍ଦୁଟି ତୁମ ଲାଲ ସୂର୍ଯ୍ୟ

ଆବରିଚି ତୁମର ଅଞ୍ଚଳ

ପାହାଡ଼, ଅରଣ୍ୟ, ଅସ୍ତପଥ ।

ସନ୍ଧ୍ୟାର ମାନୁଷ ମୂର୍ତ୍ତି

ନିଖିଳ ପ୍ରକୃତିର ଠାଣି ଘେନି

ମୋ ସାମ୍ନାରେ ବସ

ତୁମ ଅଧରରେ ଅନୁଭବ କରେ

ଅଜନ୍ତା ଗୋଧୂଳିର ଯାହା କିଛି ଲାବଣ୍ୟ

ତା’ର ରସ ।’

 

ସାନ୍ତ୍ୱନା ହସି ହସି କହିଲା—ଏ କ’ଣ କଲ ? ପ୍ରକୃତି ସଙ୍ଗେ ମୋତେ ମିଶାଇ ଦେଲ ଯେ ।

 

କହିଲି—ତୁମେ ତା’ ଭିତରେ ବଡ଼ ହୋଇ ଦିଶୁଚ, ‘ସବାର ଉପରେ ମାନୁଷ ସତ୍ୟ’………. ।

☆☆☆

 

ଏଲୋରା ପଥେ

 

କିଛି ଆକ୍‍ସିଡେଣ୍ଟ ? ଟଙ୍କା ଥଳିଟି ଚୋରିଗଲା ? ମୁଖେ ମୁଖେ ‘କାହିଁକି’ । ଅଜବ ଚିନ୍ତା, ଅଳସ କଳ୍ପନା, ଅମୂଳକ ଆଶଙ୍କା । ଏକ ପ୍ରକାର ପ୍ରଶ୍ନ, ଯେ ଜିଜ୍ଞାସୁ ତାକୁ, ସମସ୍ତେ ସମସ୍ତଙ୍କୁ, ଉତ୍ତର ଆଶାରେ ନୁହେଁ, ବ୍ୟାକୁଳ ବିକ୍ଷୋଭ ପ୍ରକାଶ ମାତ୍ର ।

 

ଦିନସାରା ଅପେକ୍ଷା କରି କରି ଗଲା । ରାତି ଆଠଟାବେଳେ ଡାକବଙ୍ଗଳାରେ ବସ୍‍ ପହଞ୍ଚିଲା । ଦୀପାଲ୍‍ ବୋଲି ଛାତ୍ର ଅଉରଙ୍ଗାବାଦକୁ ବସ୍‍ ଆଣି ଯାଇଥିଲା । କ୍ଳାନ୍ତ । ଓହ୍ଳେଇ ଅଚେତା ହୋଇ ପଡ଼ିଗଲା—କୋଲାପସ ! ସାଥୀମାନେ ବାରଣ୍ଡାକୁ ଟେକି ନେଲେ । ଦିଦିମନିମାନେ କିଏ କୁଆଡ଼େ ଥିଲେ ଆସି ବେଢ଼ିଗଲେ । କିଏ ଆଣିଲା ଚା, କିଏ ଆଣିଲା ଓଷଦ, କିଏ ଅଡ଼ୁଆ ବାଳରେ ଚମ୍ପାକଢ଼ି ପରି ଆଙ୍ଗୁଠି ବୁଲାଇଲା, କିଏ ନିଜ ଦେହରୁ ସାଲ କାଢ଼ି ଘୋଡ଼େଇ ଦେଲା । କିଏ ସେବା କରିବାର ସୁଯୋଗ ନ ପାଇ ‘ଆହା’ ‘ଆହା’ କଲା । ଏ ସବୁ ଦେଖି ଯେ ସୁସ୍ଥ, ସେ ବିଚାରିବ, ଘଡ଼ିଏ ଅସୁସ୍ଥ ହୁଅନ୍ତି ହେଲେ ! ଦୀପାଲ ଏ ରୋମାଞ୍ଚରେ ଆହୁରି ଅଚେତା ହେଲା, ସୁଖନିଦ୍ରା ଗଲା ।

 

ରାତି ଚାରିଟା ବେଳକୁ ଏଲୋରା ଯାତ୍ରା ସ୍ଥିର ହେଲା । ବେଶୀ ହେଙ୍ଗାମ୍ କରୁଛି କିଏ ? ଖେଚୁଡ଼ି, ବାଇଗଣ ଭଜା ! ଖେଚୁଡ଼ି ନଡ଼ିଆ ନାହିଁ, ଚିନି ନାହିଁ, କିସମିସ୍‍ ନାହିଁ, ଆଳୁ କୋବିଦିଆ ହଳଦିଆ ଜାଉଆ ଘାଣ୍ଟ । ଏଥିରେ ବିଶେଷ ଅସୁବିଧା ହୋଇଥାଏ ବଦେଶିନୀମାନଙ୍କର । କିନ୍ତୁ ପ୍ରକାଶ କରୁ ନ ଥାନ୍ତି, ପଚାରିଲେ କହନ୍ତି—Quite good । ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର ଶକ୍ତି ଏମାନଙ୍କର ଅଦ୍ଭୁତ ।

 

ରାତି ଦଶଟାବେଳେ କ୍ୟାମ୍ପ ଫାୟାର । ଏଇଟି ଗୋଟିଏ ଶାନ୍ତିନିକେତନ ଫେସନ୍‍ । ଯୁଆଡ଼େ ଭ୍ରମଣରେ ଗଲେ ବି ସନ୍ଧ୍ୟାରେ କ୍ୟାମ୍ପଫାୟାର ହେବା କଥା । ନିଆଁ ଯେତେବେଳେ ହୁ ହୁ ହୋଇ ଜଳେ, ଛାତ୍ରଛାତ୍ରୀମାନେ ଗୀତ ଗା’ନ୍ତି, କେହି କେହି ନାଚନ୍ତି, କେହି କେହି ରସରସିଆ ଗଳ୍ପ କହନ୍ତି । ବେଳେବେଳେ ସମସ୍ତ ରାତି ଏହିପରି କଟିଯାଏ । Archaelogical ସୁପରିଣ୍ଟେଣ୍ଡେଣ୍ଟ କେତେକ ଗାୟକ ଗାୟିକା ସଙ୍ଗେ ଘେନି ଆସିଥିବାରୁ ଗୀତର ପ୍ରତିଯୋଗିତା ହେଲା । କ୍ୟାମ୍ପଫାୟାରଟି ଖୁବ୍‍ ଜମିଲା, କିନ୍ତୁ ସଂକ୍ଷିପ୍ତ । ରାତି ଚାରିଟା ବେଳେ ଆମକୁ ଏଲୋରା ଯିବାକୁ ହେବ ।

 

ବାରଟା ରାତିରେ ଶୋଇ ଘମାଘୋଟିଆ ନିଦ ଲାଗି ଆସିଲା ବେଳକୁ ଡାକ ପଡ଼ିଲା । ଜିନିଷପତ୍ର ବସରେ ନଦିଲୁ, ଉପରେ ରଖିବାର ସୁବିଧା ନାହିଁ, ସବୁ ଗାଡ଼ି ଭିତରେ । ଗାଡ଼ି ପୂର୍ଣ୍ଣ । ମୋଟେ ୩୮ଟି ସିଟ, ୫୪ ଜଣ ବସିବେ କିପରି ? ସ୍ଥୂଳ ଆଉ ଦୀର୍ଘ ଦେହ ଉପରେ ସମସ୍ତଙ୍କର କଡ଼ରସ । ଭାବିଲି—ସରୁଆ, ବାଙ୍ଗରାଟିଏ ହୋଇଯାନ୍ତି କି ! ଇଚ୍ଛା ଅନୁସାରେ ସ୍ଥୂଳରୁ ସୂକ୍ଷ୍ମ ହେବାର ଶକ୍ତି ଯଦି ଥାନ୍ତା ମୋର ।

 

ବାଧ୍ୟ ହୋଇ ରହିଲି, ମୋ ସଙ୍ଗେ ରହିଲେ ପୁଣ୍ୟଶ୍ଳୋକ, ତାଙ୍କ ସ୍ତ୍ରୀ ଗୀତୁ, ଭଉଣୀ ଜୟା । ପାଞ୍ଚଟାବେଳେ ବସ୍‍ ଷ୍ଟାଣ୍ଡକୁ ଗଲୁ । ବସ୍‍ଟା ଖାଲି । ବେଶ୍ ମଜ୍ଜା ।

 

ଘଡ଼ିକ ପରେ ଗାଡ଼ି ସମତଳ କ୍ଷେତ୍ରରୁ ଅଜନ୍ତା ପାହାଡ଼ ଉପରେ ଉଠିଲା—ହଜାରେ ଫୁଟ—ଏଇ ସ୍ତରରେ ଏଲୋରା ଆଡ଼କୁ ଗହୀର ଲମ୍ବିଛି । ପାହାଡ଼ ଦୁଇ ପାଖ ଜମିର ଉଚ୍ଚତାରେ ଏତେ ତାରତମ୍ୟ !

 

ଗାଢ଼ କଳାମାଟି, ଥୋଡ଼ ଗହମ ଖେତ, ବାଜରା ନଡ଼ାଗଦା ଭିତରେ କିଛି ଦୂର ଯିବା ପରେ ଅଜନ୍ତା ଗ୍ରାମ ପଡ଼ିଲା, ଶିଳ୍ପ ବିକାଶ ଯୁଗରେ ଏହି ଗ୍ରାମଟି ଆସ୍ତେ ସହର ପାଲଟି ଯାଉଛି । ଏଇଟି ଗୋଟିଏ ପ୍ରାଚୀନ ଦୁର୍ଗ, ମୋଗଲ ରାଜତ୍ଵରେ ସେହି ଭାବରେ ଏହା ବ୍ୟବହୃତ ହେଉଥିଲା ! ଦୁର୍ଗର ଭଗ୍ନାଂଶ, ତୋରଣ ଓ ପରିଖା ଅଛି, ସରେଇଟି ପ୍ରାଚୀନ ।

 

୬୦ ମାଇଲ୍‍ ପଥ ଅତିକ୍ରମ କରି ଦିନ ଏଗାରଟାରେ ଔରଙ୍ଗାବାଦରେ ପହଞ୍ଚିଲୁ । ୧୬୧୦ ଖ୍ରୀଷ୍ଟାବ୍ଦରେ ଆବିସିନୀୟ ମଲ୍ଲିକ୍‍ ଅମ୍ବରଙ୍କ ଦ୍ଵାରା ଏହି ସହର ପ୍ରତିଷ୍ଠିତ ହୋଇଥିଲା । ତା’ ପୂର୍ବରୁ ଏଠି ଖର୍କା ସହରର ଧ୍ଵଂସାବଶେଷ ମାତ୍ର ଥିଲା । ପରେ ଅମ୍ବରଙ୍କ ପୁତ୍ର ନିଜ ନାମ ଅନୁସାରେ ଏହାର ନାମ ‘ଫତେ ନଗର’ ରଖିଲେ । ଡେକାନ୍‍ ସାମ୍ରାଜ୍ୟର ଶାସକ ଥିଲାବେଳେ ଅଉରଙ୍ଗଜେବ୍‍ ଏହାକୁ ରାଜଧାନୀ କରି ଏହାର ନାମ ଅଉରଙ୍ଗାବାଦ ରଖିଲେ । ଅଉରଙ୍ଗାବାଦ ଐତିହାସିକ ସ୍ଥାନ, ଏଠି ଶୈଳଗୃହ ଆଉ ଭିତ୍ତିଚିତ୍ର ଅଛି । କିନ୍ତୁ ଅଜନ୍ତାର ଗୌରବରେ ଏହା ମ୍ଳାନ ହୋଇଅଛି ।

 

ଅଉରଙ୍ଗାବାଦରୁ ଅଳ୍ପ ଦୂରରେ ‘ବିବିକା ‘ମକବାରା’, ଅଉରଙ୍ଗଜେବଙ୍କ ସ୍ତ୍ରୀ ରବୀୟା ଦୂରାନୀଙ୍କ କବର, ତାଜ ଅନୁକରଣରେ ଶଙ୍ଖମଲମଲ ପ୍ରସ୍ତରରେ ଏହା ନିର୍ମିତ ।

 

ଏହି ବୃହତ ସହରର ୯ ମାଇଲ ଦୂରରେ ଦୌଲତାବାଦ, ମହମ୍ମଦ୍‍ ଟୋଗଲକଙ୍କ ସାମୟିକ ରାଜଧାନୀ, ତା’ର କରୁଣ କାହାଣୀ ସ୍ମୃତି ପଥକୁ ଆସି ଚିତ୍ତରେ ଶିହରଣ ଆଣିଲା । ଦୌଲତାବାଦର ଏକ ମାଇଲ୍‍ ଦୂରରେ ବିରାଟ ଦୁର୍ଗ, ୨୨୫୦ ଫୁଟ ପାହାଡ଼ ଉପରେ ନିର୍ମିତ, ଅକ୍ଷୁଣ୍ଣ ଅବସ୍ଥାରେ ଅଛି, ସାମ୍ନାରେ ପାହାଡ଼ ଘାଟି । ଦିନେ ଏହି ଦୁର୍ଗ ଉପରେ ଦକ୍ଷିଣ ମୋଗଲ ସାମ୍ରାଜ୍ୟର ଭାଗ୍ୟ ନିର୍ଭର କରୁଥିଲା । ଏବେ ଶୂନ୍ୟ-ଶୂନ୍ୟ, ମହାଶୂନ୍ୟ । ଏଠାରୁ ମାତ୍ର ୫ ମାଇଲ୍‍ ଦୂରରେ ଅଉରଙ୍ଗଜେବଙ୍କ ସମାଧି, ସାମାନ୍ୟ ସୌଧ ମାତ୍ର । ଏଠାରୁ ଅଳ୍ପ ଦୂରରେ–ଏଇ ଯୋଉ ପାହାଡ଼ ଦିଶୁଚି–ଓ, ଏଇ ଏଲୋରା !

☆☆☆

 

ଏଲୋରା

 

ଅଜନ୍ତାର ଚଉକତିରେ ପାହାଡ଼, ମଝିରେ ସଂକୀର୍ଣ୍ଣ ଉପତ୍ୟକା, ଉପତ୍ୟକାରେ ଛୋଟ ପ୍ରପାତଟିଏ, ପ୍ରପାତରୁ ନଦୀର ଗୋଟିଏ ସରୁ ଧାର, ନଦୀର ଦି କୂଳରେ, ପାହାଡ଼ରେ ଅଘଞ୍ଚ ଅରଣ୍ୟ, ହିଂସ୍ରଜନ୍ତୁସଂକୁଳ । ଅଜନ୍ତା ଗୋଟିଏ ମୁଦା ସିନ୍ଦୁକ ପରି, ସିନ୍ଦୁକରେ ହୀରାନୀଳାଦି ରତ୍ନ ପରି ଚିତ୍ର ଆଉ ମୂର୍ତ୍ତି । କିନ୍ତୁ ଏଲୋରାର ପ୍ରାକୃତିକ ପରିବେଶ ଭିନ୍ନ । ଏଲୋରା ପାହାଡ଼ ଶ୍ରେଣୀର ନାମ ସନ୍ଧ୍ୟାଦ୍ରି । ଏହା ଈଷତ୍‍ ବକ୍ର । ଏହାର ଚତୁର୍ଦ୍ଦିଗରେ ଉନ୍ମୁକ୍ତ ପ୍ରାନ୍ତର, ଗହୀର ବିଲ, ପଲ୍ଲୀଗ୍ରାମ-। ବିଲରେ ଛିଡ଼ା ହେଲେ ଗୁମ୍ଫା ଭିତର ମୂର୍ତ୍ତି ଦିଶେ । ସନ୍ଧ୍ୟାଦ୍ରି, ବିନ୍ଧ୍ୟାଦ୍ରି, ସହ୍ୟାଦ୍ରି ପରସ୍ପରରୁ ଖୁବ୍‍ ଦୂରବର୍ତ୍ତୀ ନୁହନ୍ତି । ସନ୍ଧ୍ୟାଦ୍ରି ଲଣ୍ଡିତ, କେଉଁଠି କିପରି ଘାସ ବା ଗୁଳ୍ମ କେରା କେରା ହୋଇଅଛି-। କ୍ଷୁଦ୍ର ପ୍ରାକୃତିକ ଝରଣାଟି ନିର୍ଜନତାର ମୁଖରେ ଗୀତର ଗୁଞ୍ଜନ ଦେଇଛି । ଧାରା କ୍ଷୀଣ, କିନ୍ତୁ ପ୍ରପାତ ଯୋଗୁଁ ମୁଖର ।

 

ଅଜନ୍ତାର ଅଧିକାଂଶ ଗୁହା ଓ ଚିତ୍ର ଏଲୋରାରୁ ପ୍ରାଚୀନତର । ଖ୍ରୀଷ୍ଟ ପର ୫୫୦ ରୁ ୭୫୦ ମଧ୍ୟରେ ଚାଲୁକ୍ୟ ଓ ରାଷ୍ଟ୍ରକୂଟ ବଂଶ ରାଜାଙ୍କ ପୋଷକତାରେ ଏଲୋରାର ଶୈଳମନ୍ଦିରଗୁଡ଼ିକ ନିର୍ମିତ ହୋଇଥିଲା । ଦଶମ ଶତାବ୍ଦୀରେ ଆରବୀୟ ଭୌଗୋଳିକ ମହସୁଦି ଏଲୋରା ଗୋଟିଏ ତୀର୍ଥସ୍ଥାନ ବୋଲି ପହିଲେ ଉଲ୍ଲେଖ କରିଥିଲେ । ୧୩୦୪ ଖ୍ରୀଷ୍ଟାବ୍ଦରେ ଗୁଜୁରାଟର ରାଜଜେମା ଦେବଳ ଦେବୀ ଏଲୋରା ଯିବାବେଳେ ଆଲ୍ଲାଉଦ୍ଦୀନଙ୍କ ସୈନ୍ୟମାନେ ତାଙ୍କୁ ବାଟରେ ଧରି ନେଲେ । ସେତେବେଳେ ଏହି କୁଖ୍ୟାତ କାହାଣୀ ସଙ୍ଗେ ଏଲୋରା ଗୁହା କଥା ପ୍ରଚାରିତ ହୋଇଥିଲା । ଏଲୋରା ସଂପର୍କରେ ବହୁ ଇଉରୋପୀୟ ପଣ୍ଡିତ ଲେଖିଛନ୍ତି । କିନ୍ତୁ ୧୮୮୪ରେ ପ୍ରକାଶିତ ଫର୍ଗୁସନ୍ ଓ ବର୍ଗେସଙ୍କ 'Cave Temples of Ellora' ଏଲୋରାକୁ ଜଗତରେ ସୁପରିଚିତ କରାଇଅଛି ।

 

ସନ୍ଧ୍ୟାଦ୍ରିରେ ଦୀର୍ଘ ଏକ ମାଇଲ୍‍ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଗୁମ୍ଫା ଖୋଦିତ ହୋଇଅଛି । ଅଜନ୍ତା କେବଳ ବୌଦ୍ଧ । ଏଲୋରାରେ ତିନି ଧର୍ମାବଲମ୍ବୀଙ୍କର ଗୁମ୍ଫା ଅଛି–ବୌଦ୍ଧରେ ଆରମ୍ଭ, ଜୈନରେ ଶେଷ, ମଧ୍ୟରେ ହିନ୍ଦୁ । ମାଳାର ମଧ୍ୟ ଫୁଲଟି ହିନ୍ଦୁର କୈଳାସ ମନ୍ଦିର, ପୃଥିବୀର ଶୈଳଖୋଦିତ ମନ୍ଦିର ମଧ୍ୟରେ ସର୍ବଶ୍ରେଷ୍ଠ । ପାହାଡ଼ରେ ଏକ ସମୟରେ ଉଚ୍ଚାରିତ ହେଉଥିଲା–ଓଁ ମଣିପଦ୍ମେ ହୁଁ, ବୁଦ୍ଧଂ ଶରଣ ଗଚ୍ଛାମି, ଓଁ ଶିବାୟ ନମଃ । ଧର୍ମାଚରଣରେ ପ୍ରତ୍ୟେକର ସ୍ଵାଧୀନତା ଥିଲା । କେହି କାହା ପ୍ରତି ବିଦ୍ଵେଷ ଘୋଷଣା କରୁ ନ ଥିଲେ । ଭାରତୀୟ ଧର୍ମ ସହିଷ୍ଣୁତାର ଚମକପ୍ରଦ ଦୃଷ୍ଟାନ୍ତ ଏ ।

 

ଏଲୋରାରେ ମୋଟରେ ୩୪ଟି ଗୁମ୍ଫା ଅଛି । ସେଥିରୁ ପ୍ରଥମ ତେରଟି ବୌଦ୍ଧ । ପ୍ରଥମ ଜୈନ, ପ୍ରଥମ ବୌଦ୍ଧ ଓ ପ୍ରଥମ ହିନ୍ଦୁ ଗୁମ୍ଫାରେ କୌଣସି ମୂର୍ତ୍ତି ନାହିଁ । ବୋଧହୁଏ, ଏହା ଶିଳ୍ପୀମାନଙ୍କର ବାସଗୃହ ରୂପେ ବ୍ୟବହୃତ ହେଉଥିଲା । ଦୁଇରୁ ତେର ପର୍ଯ୍ୟନ୍ତ ବହୁ ବୁଦ୍ଧ ଓ ବୋଧିସତ୍ତ୍ଵଙ୍କର ମୂର୍ତ୍ତି ଅଛି, ଆକୃତିରେ ବିଶାଳ, କିନ୍ତୁ ବୈଚିତ୍ର୍ୟର ଶୋଚନୀୟ ଅଭାବ ରହିଅଛି । ଅଧିକାଂଶ ଅପଟୁ ହସ୍ତର କୀର୍ତ୍ତି, ମନର ସୂକ୍ଷ୍ମ ଭାବ ମୁଖରେ ଫୁଟି ନାହିଁ, ତେଣୁ ଦୃଷ୍ଟି ଫେରି ଆସେ-। ଅଜନ୍ତା ସହିତ ଏହାର ତୁଳନା ହୋଇ ନ ପାରେ ।

 

ପଞ୍ଚମ ଗୁମ୍ଫାଟି ବୃହତ୍ତମ, ହଲ୍‍ ସହିତ କୋଡ଼ିଏଟି ଛୋଟ ଛୋଟ ଘର ସଂଲଗ୍ନ ଅଛି । ବୋଧହୁଏ, ଧର୍ମଶାଳା ରୂପେ ଏହା ବ୍ୟବହୃତ ହେଉଥିଲା । ଷଷ୍ଠର ଲୀଳାକମଳହସ୍ତା ନାରୀ ମନୋରମ, ଶିରୋଭୂଷଣ ଚମତ୍କାର; ଏକାଦଶ ଗୁମ୍ଫାଟି ତିନି ମହଲା, ଆଲୋକ ପ୍ରବେଶର ପଥ ଅଛି । ପଦ୍ମାସନ ବୃଦ୍ଧ ଭୂମିସ୍ପର୍ଶ ମୁଦ୍ରାରେ ଆସୀନ, ସୁଜାତା କଳସୀଟିଏ ଧରି ଛିଡ଼ା ହୋଇଛନ୍ତି । ଦ୍ଵାଦଶଟି ବୃହତ୍‍, ମଧ୍ୟପୀଠରେ ବୃଦ୍ଧ, ତାଙ୍କ ବାମରେ ବଜ୍ରପାଣି, ଡାହାଣରେ ପଦ୍ମପାଣି ଅବଲୋକିତେଶ୍ଵର, ପଦ୍ମପାଣି ତାରା ବା ପ୍ରଜ୍ଞା । ଜ୍ଞାନମୁଦ୍ରା, ଧର୍ମଚକ୍ର ପ୍ରଦର୍ତ୍ତନ ମୁଦ୍ରା ଓ ଭୂମିସ୍ପର୍ଶ ମୁଦ୍ରାରେ କେତେକ ବୌଦ୍ଧମୂର୍ତ୍ତି ଏଥିରେ ଅଛି ।

 

ଚତୁର୍ଦ୍ଦଶରୁ ହିନ୍ଦୁଗୁମ୍ଫା ଆରମ୍ଭ । ଚତୁର୍ଭୁଜା, ତ୍ରିଶୂଳହସ୍ତା ଭବାନୀଙ୍କ ମୂର୍ତ୍ତି ପ୍ରଥମେ ଦୃଷ୍ଟି ଆକର୍ଷଣ କରେ, ତାଙ୍କ ଉପରେ ଗନ୍ଧର୍ବଗଣ ଉଡ଼ୁଛନ୍ତି । ବାମ ପଟ କାନ୍ଥରେ ବିଷ୍ଣୁ ଓ ଲକ୍ଷ୍ମୀ, ଡାହାଣପଟେ ଶିବ ଓ ସପ୍ତମାତୃକା । ମରାଳରେ ସରସ୍ୱତୀ, ବୃଷଭରେ ପାର୍ବତୀ, ମୟୂରରେ କୌମାରୀ, ଗରୁଡ଼ରେ ଲକ୍ଷ୍ମୀ, ବରାହରେ ବାରାହୀ, ହସ୍ତୀରେ ଇନ୍ଦ୍ରାଣୀ, ପେଚକରେ ଚାମୁଣ୍ଡା ମୂର୍ତ୍ତି ବିଜେ କରିଛନ୍ତି । କାରୁକଳା ଉନ୍ନତ ।

 

କୈଳାସ ମନ୍ଦିର–

 

ଏଲୋରାର ଷୋଳ ନମ୍ବର ଗୁମ୍ଫା; ଏଇଟି ଗୁମ୍ଫା ନୁହେଁ, ଖୋଦିତ ମନ୍ଦିର । ମନ୍ଦିର ମୁଲକର ଲୋକ ମୁଁ । ବହୁ ତୋଳା ମନ୍ଦିର ଦେଖିଛି । ଦେଖି ଦେଖି ଆଖିରେ ଆଉ ଚମକ ଲାଗୁ ନାହିଁ । କିନ୍ତୁ ଖୋଳା ମନ୍ଦିର ଦେଖିବା ଏଇ ପ୍ରଥମ; ପ୍ରଥମ ଦେଖାରେ ହିଁ ବିସ୍ମୟ ଅଧିକ । କୈଳାସ ମନ୍ଦିରର ବିଶେଷତ୍ଵ ଏହି ଯେ ବହୁ ଦେଖାରେ ବି ସେ ବିସ୍ମୟ ସ୍ତିମିତ ହୁଏ ନାହିଁ । ଓଡ଼ିଆ ପୃଥିବୀରେ ଅସମ୍ଭବ ପାଷାଣ କୀର୍ତ୍ତି କରିଛନ୍ତି, କରିଛନ୍ତି ନିଶ୍ଚିତ । କିନ୍ତୁ ଅନ୍ୟ ପ୍ରଦେଶରେ କୌଣସି କୌଣସି ରାଜବଂଶ କାହିଁ କେଉଁଠି ତତ୍‍ତୁଲ୍ୟ କୀର୍ତ୍ତି ସ୍ଥାପନ କରିଅଛନ୍ତି । ଏହା ସ୍ଵୀକାର ନ କରିବା ଅନୁଦାରତା ବା କୂପମଣ୍ଡୁକତା । ବାସ୍ତବିକ ଭାରତରେ ବା ପୃଥିବୀରେ ଏଲୋରା ମନ୍ଦିରର ତୁଳନା ନାହିଁ । ମନୁଷ୍ୟ ପକ୍ଷରେ ଅସମ୍ଭବ, ଅସାଧ୍ୟ କିଛି ନାହିଁ, କୈଳାସ ହିଁ ତା’ର ଦୃଷ୍ଟାନ୍ତ ।

 

ସନ୍ଧ୍ୟାଦ୍ରିର ଏହି ଅଂଶଟି ଅତି ଶକ୍ତ, ଶୁଦ୍ଧ କଳାମୁଗୁନି ବା କଳାମୁଗୁନିମିଶା ପଥର । ଏହାକୁ କାଟିବା ଯେପରି ଦୁଃସାଧ୍ୟ ତହିଁରେ ସୂକ୍ଷ୍ମ କାରୁକଳା ଫୁଟେଇବା ତତୋଽଧିକ କଷ୍ଟକର । ସର୍ବୋପରି ଏହା ବହୁ ସମୟସାପେକ୍ଷ, ବ୍ୟୟସାଧ୍ୟ, ରାଜକୋଷର ଅଶେଷ ସମୃଦ୍ଧିର ଅପେକ୍ଷା ରଖେ । ରାଷ୍ଟ୍ରକୂଟ ବଂଶର ଦ୍ଵିତୀୟ ରାଜା କୃଷ୍ଣ (ଦ୍ଵିତୀୟ ଖ୍ରୀ: ପ: ୭୫୭-୭୫୮) କୈଳାସର ଖୋଦନ ଲାଗି ଅକାତରରେ ଅର୍ଥ ଢାଳି ଦେଇଛନ୍ତି, ଶିଳ୍ପୀ ଢାଳି ଦେଇଛନ୍ତି ମନ ଆଉ ପ୍ରାଣ । ଧର୍ମସାଧନ ଓ ଅକ୍ଷୟ କୀର୍ତ୍ତି ଅର୍ଜନ ରାଜାଙ୍କର ଲକ୍ଷ୍ୟ, ପାରମ୍ପରିକ ସାଧନାରେ ସିଦ୍ଧିଲାଭ ଶିଳ୍ପୀର ଉଦ୍ଦେଶ୍ୟ ।

 

ପୃଷ୍ଠଦେଶରେ ପାହାଡ଼, ଆଗରେ ନିରାଡ଼ମ୍ବର ତୋରଣ, ତୋରଣରୁ ମନ୍ଦିରର ବିଶାଳତା ବା ମହତ୍ତ୍ଵ କଳନା କରି ହୁଏନାହିଁ । ଏ ସ୍ଥାନଟି ନିର୍ଜନ, ନିର୍ଜନତାରେ ହିଁ ପାହାଡ଼ର, ଗୁହାର ମନ୍ଦିରର ବ୍ୟକ୍ତିତ୍ଵ କଳନାରେ ଆଣି ହୁଏ । କୈଳାସନାଥ ଅପୂଜା ରହିଛନ୍ତି, ହୁଏତ ପୂଜା ହେଉଥିଲା, କେବେ ବନ୍ଦ ହୋଇଯାଇଛି । ହୋଇଛି ତ ହୋଇଛି, କେହି ଆଉ ଚଳାଇ ନାହିଁ । ଶିବ ପ୍ରଜାଲୋଭରେ କାହାକୁ ସପନେଇ ନାହାନ୍ତି, ଭକ୍ତ ବର ଲାଭ ଆଶାରେ ଆଗେଇ ଆସିନାହିଁ । ତୀର୍ଥକ୍ଷେତ୍ର ହିସାବରେ କୈଳାସ କ୍ଷେତ୍ରର ପ୍ରତିଷ୍ଠା ଊଣା ହୋଇଛି ନୁହେଁ, ନିଭିଯାଇଛି କହିଲେ ଚଳେ । ଖୁବ୍‍ ଭଲ ଲାଗୁଛି, ପଣ୍ଡା ନାହାନ୍ତି, କଳ୍ପନାର ଉଡ଼ାଣକୁ ପଦେ ପଦେ ବ୍ୟର୍ଥ କରିବାର ପ୍ରୟାସ ନାହିଁ । ଗଦାଗଦା ବେଲପତ୍ରି ପାଦୁକା କୁଣ୍ଡରେ ସଢ଼ୁନାହିଁ । ମନରେ ନାନା ବାସନା ଘେନି ଭକ୍ତବୃନ୍ଦ ଆସୁନାହାନ୍ତି । ‘ବଂ ବଂ ଭୋଳାନାଥ’ ନାଦରେ, ଘଣ୍ଟା ଆଉ ଘଣ୍ଟି ଶବ୍ଦରେ ମନ୍ଦିର ପ୍ରାଙ୍ଗଣ ବିକମ୍ପିତ ହେଉନାହିଁ । ଭୋଗରାଗ ନାହିଁ, ଯାଗ ଯଜ୍ଞ ନାହିଁ, ଧୂପ ଦୀପ ଆଳତି ନାହିଁ । ଏବେ କେହି ଦିଅଁ ଦେଖି ଆସେ ନାହିଁ । ଯେ ଆସେ ଖାଲି ଦେଉଳ ଦେଖି । ତେଣୁ ସିନ୍ଦୂର ବା ଚୁଆଚନ୍ଦନରେ କୌଣସି ମୂର୍ତ୍ତିର ମୁଖ ବିକୃତ ହୋଇନାହିଁ, ଲୋକ କୋଳାହଳରେ ସୌନ୍ଦର୍ଯ୍ୟର ସ୍ଵର ମୂର୍ଚ୍ଛନା ହଜିଯାଇ ନାହିଁ । ଦିଅଙ୍କ ମହିମା ନାହିଁ, ତେଣୁ ଦେଉଳର ଗୌରବ ବଢ଼ିଛି । ନିର୍ଜନତା ଦେଇଛି ଏହାକୁ ସ୍ଵତନ୍ତ୍ର ସମୃଦ୍ଧି । ଏଠି ଦେବତାର ପୂଜା ନାହିଁ, ଦେବତା-ସ୍ରଷ୍ଟାର ପୂଜା, ଶିଳ୍ପୀର ପୂଜା, ଶିଳ୍ପର ପୂଜା ।

 

ତୋରଣର ବରାହମୂର୍ତ୍ତି ଖଣ୍ଡିତ, ଅନ୍ୟାନ୍ୟ ବହୁ ମୂର୍ତ୍ତି ବିକଳାଙ୍ଗ, ମନ୍ଦିର ପ୍ରାଙ୍ଗଣଟି ସଂକୀର୍ଣ୍ଣ । ପାହାଡ଼ ପ୍ରାଚୀର ପୀଠରେ ମୂର୍ତ୍ତି ସବୁ ଖୋଦିତ । ପ୍ରାଙ୍ଗଣର ମଧ୍ୟ ଭାଗରେ ମୁଖଶାଳା ମନ୍ଦିର, ବିରାଟ ଗଜଲକ୍ଷ୍ମୀ ମୂର୍ତ୍ତି ପହିଲେ ଦୃଷ୍ଟି ଆକର୍ଷଣ କରେ । ସେ ପଦ୍ମ ସିଂହାସନରେ ବସିଛନ୍ତି, ଦୁଇ ଦିଗରେ ଦୁଇଟି ହସ୍ତୀ ଥୋରପାର ଟେକି ଛିଡ଼ା ହୋଇଛନ୍ତି । ଦୁଇ ପାଖରେ ଚତୁର୍ଭୁଜ ଦ୍ଵାରପାଳ ।

 

ପ୍ରାଙ୍ଗଣର ବାମ ଭାଗରେ କେତୋଟି ସୋପାନ ଉଠିଲା ପରେ ଗୋଟିଏ ପୀଠ । ଏଇଟି ତ୍ରିବେଣୀ ସଙ୍ଗମ, ଜଳଧାରାରେ ନୁହେଁ, ତିନୋଟି ନାରୀରେ । ସରସ୍ଵତୀ ଅଦୃଶ୍ୟମାନା ନୁହନ୍ତି, ଶ୍ରୀସମ୍ପନ୍ନା । ସେ ନଦୀରୁ ନାରୀ, କି ନାରୀରୁ ନଦୀ ହେଲେ, ପୁଣି କେବେ ବାଗଦେବୀ ହେଲେ ସେ କଥା ଧର୍ମ ଇତିହାସ କହିବ । ସାଧାରଣ ଦୃଷ୍ଟିରେ ଆମେ ଦୁହିଙ୍କି ସ୍ଵତନ୍ତ୍ର ରୂପରେ ଦେଖୁ । ତିନୋଟି ନାରୀରେ ଗଙ୍ଗା ପ୍ରଧାନ; ଯମୁନା, ସରସ୍ଵତୀ ତାଙ୍କ ସହଚରୀ, ଦୁହେଁ ତାଙ୍କ ଆଡ଼କୁ ଟିକିଏ ଝୁଙ୍କି ପଡ଼ିଛନ୍ତି; ବୋଧହୁଏ, ବିନୀତ ଭାବରେ ତାଙ୍କ କଥା ଶୁଣିବା ଲାଗି । ଏହି ମୂର୍ତ୍ତି ମଧ୍ୟରେ କାହାର ପଦ କାହାର ବାହୁ କାହାର ସ୍ତନ ଭଗ୍ନ ହୋଇଅଛି । କଳାପାହାଡ଼ ନୁହେଁ, କାଳ ହିଁ ଭାଙ୍ଗିଛି । ଯାହା କଳାପାହାଡ଼ ଭାଙ୍ଗି ପାରେ ନାହିଁ, କାଳ ଭାଙ୍ଗେ, ଯେତେ ବିଳମ୍ବରେ ହେଉନା କାହିଁକି । ପାଷାଣ କୀର୍ତ୍ତି ଚିରସ୍ଥାୟୀ ନୁହେଁ ।

 

ପ୍ରଧାନ ମନ୍ଦିରଟି ପାଷାଣର ପୁରାଣ, ଲିଖିତ ନୁହେଁ, ଖୋଦିତ । ପୁରାଣ ବୋଇଲେ ମୁଖ୍ୟତଃ ଶିବ ପୁରାଣ । ଶିବ ପାର୍ବତୀଙ୍କ ଜୀବନ ଚରିତ ଓ କୀର୍ତ୍ତିଗାଥା ଏହି କାବ୍ୟର ଉପଜୀବ୍ୟ । ମୂର୍ତ୍ତିର ଗଡ଼୍‍ଡ଼ାଳିକା ପ୍ରବାହ ବିରକ୍ତିକର ହୁଏ ନାହିଁ, ଶିଳ୍ପୀର ପ୍ରତିଭା ପ୍ରତ୍ୟେକ ସଂଗଠନକୁ ସ୍ଵତନ୍ତ୍ର ବ୍ୟକ୍ତିତ୍ଵରେ ଭୂଷିତ କରିଛି । ଅଭିବ୍ୟକ୍ତିରେ ପ୍ରତ୍ୟେକ ପ୍ରତ୍ୟେକଠାରୁ ଭିନ୍ନ; ସେହି ଦୃଶ୍ୟ, ସେହି କାହାଣୀର ପୁନରାବୃତ୍ତି ଭିନ୍ନ ଭିନ୍ନ ଶିଳ୍ପୀ ହାତରେ ସ୍ଵତନ୍ତ୍ର ଲିଳାବିଳାସ ଘେନି ଫୁଟି ଉଠିଅଛି । କେଉଁଠି ଶିବ ଲିଙ୍ଗରୁ ବାହାରି ମାର୍କଣ୍ଡେୟଙ୍କୁ ଅଭୟ ଦେଉଛନ୍ତି, କେଉଁଠି ଶିବ ପାର୍ବତୀଙ୍କ ବିବାହ ହେଉଅଛି, କେଉଁଠି ଶିବ ପାର୍ବତୀଙ୍କି ପଶା ଖେଳିବାକୁ ଡାକୁଛନ୍ତି, କେଉଁଠି ଦୁହେଁ କଥାବାର୍ତ୍ତା ହେଉଛନ୍ତି, କେଉଁଠି ଶିବ ଅନ୍ଧକ ବା ତ୍ରିପୁରାସୁରକୁ ବିନାଶ କରୁଛନ୍ତି, କେଉଁଠି ବ୍ରହ୍ମା ଶିବଲିଙ୍ଗ ଓପାଡ଼ୁଛନ୍ତି, କେଉଁଠି ରାବଣ ଗୋଟିଏ ଗୋଟିଏ ମୁଣ୍ଡ କାଟି ଶିବଙ୍କୁ ଉପହାର ଦେଉଅଛି, କେଉଁଠି ଶିବ ଭୈରବ, କାନ୍ଧରେ ତ୍ରିଶୂଳ, ବାମହସ୍ତରେ ଭିକ୍ଷାପାତ୍ର, ଦକ୍ଷିଣ ହସ୍ତରେ ଡମ୍ବରୁ, ବାଙ୍ଗର ଉପରେ ନୃତ୍ୟ କରୁଛନ୍ତି; କେଉଁଠି ଶିବ କପାଳ ଭୈରବ, ପଦ୍ମପୁଷ୍ପରୁ ବାହାରି ଆସୁଛନ୍ତି, ସଙ୍ଗରେ ପାର୍ବତୀ, କେଉଁଠି ବୀର ମୂର୍ତ୍ତି ଧରି ରାବଣ କୈଳାସ ପର୍ବତ ଉତ୍‍ପାଟନ କରୁଛି, ଭୟରେ ପାର୍ବତୀ ଶିବଙ୍କୁ ଧରିଛନ୍ତି, ଶିବ ଅବିଚଳିତ ରହିଛନ୍ତି, ସେ କୈଳାସ ତଳେ ରାବଣକୁ ବନ୍ଦୀ କରିଛନ୍ତି, କେଉଁଠି ଶିବ ଦଶଭୁଜ, ଏକ ହସ୍ତ ପ୍ରସାରିତ କରି ପାର୍ବତୀଙ୍କି ଆଦର କରୁଛନ୍ତି, ଏକ ହସ୍ତରେ ଡମ୍ବରୁ, ଅନ୍ୟ ହସ୍ତରେ ତ୍ରିଶୂଳ, ପ୍ରଳୟ ତାଣ୍ଡବ କରୁଛନ୍ତି, ମୁଖରେ ବିଭୀଷିକା, ଶରୀରରେ ଦୁର୍ଦ୍ଧର୍ଷ ଶକ୍ତି ବ୍ୟଞ୍ଜିତ ହେଉଅଛି । ଐରାବତରେ ଇନ୍ଦ୍ର, ମହିଷୀରେ ଯମ, ମେଷରେ ଅଗ୍ନି, ମକରରେ ଗଙ୍ଗା ବସି ଶିବଙ୍କୁ ପ୍ରାର୍ଥନା କରୁଅଛନ୍ତି ।

 

ଉତ୍ତର ଓ ଦକ୍ଷିଣ ଦିଗର ମନ୍ଦିର ଗାତ୍ରରେ ରାମାୟଣ ଓ ମହାଭାରତ ଘଟଣାବଳୀ ଖୋଦିତ ହୋଇଅଛି । ଭୂମିରୁ କିଛି ଅଂଶ ଛାଡ଼ି ମନ୍ଦିରରେ ବହୁ ହସ୍ତୀ ଓ ସିଂହର ମୂର୍ତ୍ତି ଖୋଦିତ । ବୋଧହୁଏ, ପୃଷ୍ଠ ଦେଶରେ ଯେପରି କି ଏମାନେ ମନ୍ଦିରର ସମସ୍ତ ଭାର ସମ୍ଭାଳିଛନ୍ତି । କେଉଁଠି ହସ୍ତୀ ପଦ୍ମବନ ଧ୍ୱଂସ କରି ଗୋଛାଏ ପଦ୍ମଫୁଲ ଘେନି ଧାଇଁଛି, ହସ୍ତୀ ମୁଖରେ ଶିଳ୍ପୀ ହର୍ଷୋତପୁଲ୍ଲ ଭାବ ଫୁଟାଇଅଛି ।

 

ମନ୍ଦିର ଅଭ୍ୟନ୍ତରରେ ଗୋଟିଏ ପୀଠରେ ଶିବ ଲିଙ୍ଗ ରହିଛନ୍ତି, ହସ୍ତରେ ଗଦା ଘେନି ନନ୍ଦୀଭ୍ରୁକୂଟି ଦ୍ଵାରପାଳ ରୂପେ ଦ୍ଵାର ଜଗିଛନ୍ତି, ସ୍ତମ୍ଭରେ ନାନା କାରୁକାର୍ଯ୍ୟ, ପତ୍ରପୁଷ୍ପର ଡିଜାଇନ୍‍ । ତଳ ଛାତର କେନ୍ଦ୍ରରେ ଗୋଟିଏ ବୃହତ ପଦ୍ମପୁଷ୍ପ ଖୋଦିତ, ଦଳଗୁଡ଼ିକ ସଦ୍ୟାଙ୍କିତ ବୋଧ ହୁଏ । ମୁଖଶାଳାର ତଳ ଛାତଟି ଚିତ୍ରିତ ହୋଇଥିଲା, ଏବେ ସ୍ଥାନେ ସ୍ଥାନେ ଲିପାଚୂନ ଓ ଚିତ୍ରର ଖଣ୍ଡିତାଂଶ ଅବଶେଷ ରହିଅଛି ।

 

ଚତୁର୍ଭୁଜା ଦୁର୍ଗା, ପଦ୍ମାସନୀ ଦୁର୍ଗା, କାଳୀ, ଅଷ୍ଟମାତୃକା, ତ୍ରିମୂର୍ତ୍ତି, ଗଣେଶ, ଅନନ୍ତ ଶୟନରେ ବିଷ୍ଣୁ, ନାଭି ପଦ୍ମରେ ବ୍ରହ୍ମାଙ୍କ ତପସ୍ୟା, ବରାହ, ବାମନ ନୃସିଂହାଦି ଅବତାର, କାଳୀୟ ଦଳନ ଶ୍ରୀକୃଷ୍ଣ, ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ, ପ୍ରଭୃତି ମୂର୍ତ୍ତି ମନମୁଗ୍‍ଧକର ହୋଇଅଛି । କେଉଁଠି ଅପସରା ଘୁମନ୍ତ ଅବସ୍ଥାରେ ଉଡ଼ିଯାଉଅଛି, ଊର୍ଦ୍ଧ୍ଵକୁ ନମସ୍କାର ଜଣାଇ ଶୂନ୍ୟେ ଶୂନ୍ୟେ ଋଷି ଉଡ଼ିଯାଉଛନ୍ତି, କେଉଁଠି ନାଗ କନ୍ୟା, କେଉଁଠି ଗନ୍ଧର୍ବ ବିଦ୍ୟାଧର, କେଉଁଠି ପ୍ରେମିକ ପ୍ରେମିକା, କେଉଁଠି ବାଦକ, କେଉଁଠି ନର୍ତ୍ତକ, କେଉଁଠି ଗାୟକ, ସମସ୍ତ ମନ୍ଦିରଟି ଯେପରିକି ନିତ୍ୟ ଆନନ୍ଦରେ ଝଙ୍କୃତ ।

 

ଭୁବନେଶ୍ଵରର ବୋଇତାଳ ମନ୍ଦିର ସହିତ ମୁଖଶାଳାର ସାମଞ୍ଜସ୍ୟ ଅଛି । ମୁଖ୍ୟ ମନ୍ଦିରଟି ଲିଙ୍ଗାକୃତି । ବିଭିନ୍ନ ଦିଗରୁ ଦୃଷ୍ଟିପାତ କଲେ କେଉଁଠି ପୋତ, କେଉଁଠି ସୌଧ, କେଉଁଠି ରଥ ପରି ପ୍ରତୀତ ହୁଏ । ଓଡ଼ିଶା ପରି ଅଜନ୍ତାର ଗୁହା ଓ ଏଲୋରାର ମନ୍ଦିରରେ ବହୁ ମୈଥୁନ ମୂର୍ତ୍ତି ମଧ୍ୟ ଖୋଦିତ ହୋଇଅଛି ।

 

ଏ ମନ୍ଦିରଟି ଭୋଳ ହୋଇ ଆମେ ଦେଖିଛୁ । ପାଷାଣ ରାକ୍ୟର ସଙ୍ଗୀତରେ ଆମ କଣ୍ଠ ସ୍ୱର ମିଶାଇଛୁ, ଜ୍ଞାନୀ ସଙ୍ଗେ ଜ୍ଞାନୀ, ଧ୍ୟାନୀ ସଙ୍ଗେ ଧ୍ୟାନୀ, ସୁଖୀ ସଙ୍ଗେ ସୁଖୀ, ଦୁଃଖୀ ସଙ୍ଗେ ଦୁଃଖିତ ହୋଇଛୁ, ହାସ୍ୟମୟୀ ରୂପସୀ ସଙ୍ଗେ ହାସ୍ୟ ବିନିମୟ କରିଛୁ; ପ୍ରେମିକାକୁ ପ୍ରେମ ଦେଇଛୁ, ଅନ୍ତର୍ଯାମୀକି ଅନ୍ତର, ସମଗ୍ର ମନ୍ଦିରର ଭାବରେ ଭାବିତ ହୋଇଛୁ । ମୂର୍ତ୍ତି ପାଷାଣରେ ଗଢ଼ା, ଆମେ ରକ୍ତ ମାଂସର, ଏ ଭେଦ ଆମେ ସ୍ୱୀକାର କରିନାହୁଁ, ସୌନ୍ଦର୍ଯ୍ୟର ଶାଶ୍ଵତ ସଙ୍ଗୀତ ଆମକୁ ମିଳାଇ ଦେଇଛି । ମନ୍ଦିରର ସ୍ଥାବର, ମର୍ତ୍ତ୍ୟର ମନୁଷ୍ୟ ଏହି ତୀର୍ଥରେ ଏକାତ୍ମ ହୋଇଅଛନ୍ତି ।

 

ଜୈନଗୁମ୍ଫା–

 

ନବମରୁ ଏକାଦଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଜୈନଗୁମ୍ଫାସବୁ ଖୋଦିତ ହୋଇଥିଲା । ସନ୍ଧ୍ୟାଦ୍ରିର ଶେଷ ଭାଗରେ ଅବସ୍ଥିତ, ଏହାର ସଂଖ୍ୟା ପାଞ୍ଚ । ବତିଶ ନମ୍ବର ଗୁମ୍ଫାକୁ ‘ଇନ୍ଦ୍ରସଭା’ କହନ୍ତି । ତୀର୍ଥଙ୍କର ବର୍ତ୍ତମାନ ମହାବୀର ସିଂହାସନରେ ଆସୀନ । ମାତଙ୍ଗ ଓ ସିଦ୍ଧୈକୀ ଦ୍ଵାର ଜଗିଛନ୍ତି । ମାତଙ୍ଗର ଦନ୍ତ ଭଗ୍ନ, ସିଦ୍ଧୈକୀ ମଧ୍ୟ ଖଣ୍ଡିତ । ଗୁମ୍ଫାର ଏକାଂଶରେ ଜୈନ ଋଷି ଗୋମତେଶ୍ଵର ଛିଡ଼ା ହୋଇଛନ୍ତି । ଛିଡ଼ା ହୋଇ ଯୁଗ ଯୁଗ ଧରି ତପସ୍ୟା କରୁଛନ୍ତି, ଦେହରେ ଜଙ୍ଗଲ ଚରିଯାଇଛି, ପଦ ହୁଙ୍କାରୁ ସର୍ପ ବାହାରି ଆସୁଛନ୍ତି । ଋଷି ଅବିଚଳିତ ରହିଛନ୍ତି ।

 

ଏହି ଗୁମ୍ଫାର ତଳ ଛାତ ଚିତ୍ରିତ ଥିଲା, ଚିତ୍ରଗୁଡ଼ିକ ବିନଷ୍ଟ ହୋଇ ଯାଇଅଛି । ତେତିଶି ଓ ଚଉତିରିଶି ନମ୍ବର ଗୁମ୍ଫାକୁ ‘ଜଗନ୍ନାଥ’ ସଭା କହନ୍ତି । ପ୍ରଥମ ମହଲାର ତୋରଣରେ ନାନା ପତ୍ର ପୁଷ୍ପ, ପଶୁପକ୍ଷୀ, ଅଭ୍ୟନ୍ତରରେ ପାର୍ଶ୍ଵନାଥ, ଗୋମତେଶ୍ଵର ଓ ଅନ୍ୟାନ୍ୟ ଜୈନ ତୀର୍ଥଙ୍କର ମୂର୍ତ୍ତି ଖୋଦିତ ହୋଇଅଛି ।

 

ଦୁରାଶୟ ମଧୁବ୍ରତ–

 

କ୍ଷୁଧାର୍ତ୍ତ, ଅବସନ୍ନ । ପାଦେ ଚଙ୍କିବାକୁ ଇଚ୍ଛା ହେଉ ନ ଥାଏ । ଆମେ ଏଲୋରା ପାହାଡ଼ ତଳ ତୋଟାକୁ ଓହ୍ଳାଇ ଗଲୁ । ଏତିକିବେଳେ ଦୁଇଟି ଝିଅ ପାହାଡ଼ ଉପରକୁ ଉଠିଲେ; ଯୌବନ କ୍ଳାନ୍ତି ମାନେ ନାହିଁ । ଉପରେ ଗୋଟିଏ ଗୁମ୍ଫା, ତହିଁରେ ବିଘ୍ନବିନାଶନ ଗଣନାଥ ମୂର୍ତ୍ତି ଅଛନ୍ତି । ତାଙ୍କ ମୁଣ୍ଡ ଉପରେ ମୂର୍ତ୍ତିମନ୍ତ ବିଘ୍ନ ପରି ବାଘୁଆ ମହୁଫେଣା, ଖଣ୍ଡେ କଳାମୁଗୁନି ପରି ତଳକୁ ଓହଳିଛି । ଟାଙ୍ଗର ପାହାଡ଼ ଉପରେ ଫୁଲରଙ୍କା, ମଧୁଲୋଭୀ ସେଇ ମହୁମାଛି, ଫୁଲରୁ କଅଁଳ, ସୁନ୍ଦର ମୁହଁ ଉପରେ ଯେମିତି ଆଖି ପଡ଼ିଛି, ଚିହିଙ୍କିଲେ । ତଡ଼ିତ୍‍ ଲତାର ଅଭିନୟ କରି ଧାଇଁଲେ ଶାନ୍ତା, ଶୋଭନା–ଦୁଇ ଦିଦିମନି–ବିଘ୍ନରାଜ, ରକ୍ଷା କର । ଯେ ବିଘ୍ନକୁ ପୋଷିଛନ୍ତି, ପାଳିଛନ୍ତି, ସେ ରକ୍ଷା କରିବେ କିପରି ?

 

ବିନ୍ଦୁ ବିନ୍ଦୁ ବିଘ୍ନ କୁହୁଡ଼ି ପରି ଘୋଟି ଆସିଲା; କଣ୍ଵଙ୍କର ଆଶ୍ରମ ଏ ନୁହେଁ, ତପସ୍ୟାର ପୁଣ୍ୟ ପ୍ରଭାବ ଆସିବ କାହୁଁ ?

 

ଦୁଷ୍ମନ୍ତ ନାହାନ୍ତି, ନାଟକୀୟ ଛଟାରେ ଲତାକୁଞ୍ଜ ଆଢ଼ୁଆଳରୁ ହଠାତ୍‍ ବାହାରି ଆସି ଦୁରାଶୟ ମଧୁବ୍ରତ କବଳରୁ ସୁନ୍ଦରୀ ଶକୁନ୍ତଳାକୁ ରକ୍ଷା କରିବେ, ଆର୍ତ୍ତ ଚିତ୍କାର ବ୍ୟର୍ଥ; ଶାଢ଼ି, ବ୍ଲାଉସ୍ ବମଂ ନୁହେଁ । ପଦ ଅପେକ୍ଷା ପକ୍ଷ ଦ୍ରୁତତର; ମଧୁମକ୍ଷି ଆକ୍ରମଣ କଲେ, କେବଳ ଅଧର ନୁହଁ, ମୁଖରୁ ସମସ୍ତ ମଧୁ ଲୁଟ୍‍ କରିନେଲେ । ଏ ଯୁଗର ନିରାଶ୍ରୟା ଶକୁନ୍ତଳା, ପ୍ରିୟମ୍ବଦା ! କାଳିଦାସ ଯୁଗରେ ଯେଉଁମାନେ କାବିୟକ ଭଙ୍ଗୀରେ ଅନୁସରଣ କରିଥିଲେ, ରବୀନ୍ଦ୍ର ଯୁଗରେ ସେମାନେ ଦଂଶନ କଲେ । ବାସ୍ତବ ଯୁଗ ଏ, କଳ୍ପନାର ସ୍ଥାନ ଏଥିରେ ଗୌଣ । ଦଂଶନର ଜ୍ଵାଳାରେ ଅସ୍ଥିର ହୋଇ ଶାନ୍ତା ଆଉ ଶୋଭନା ଅଜ୍ଞାନ ହୋଇଗଲେ । ମୁହଁରେ ଉଇମାଟି ବୋଳା ହେଲା, ଦହି ଖାଇବାକୁ ଦିଆହେଲା । ବହୁ ଛିଞ୍ଚାବିଞ୍ଚା ପରେ ଦୁହେଁ ସାଷ୍ଟମ ହେଲେ ।

 

ସନ୍ଧ୍ୟା । ତୋଟାରେ ରୋଷେଇବାସ ହେଲା, ଖିଆପିଆ ଶେଷ ହେଲା ବେଳକୁ ରାତି ଏଗାର । ଜିନିଷପତ୍ର ବସରେ ନଦା ହେଲା, ମଣିଷ ବି । ଏଲୋରାରୁ ଜଲଗାଁଓ ୬୫ ମାଇଲ ଦୂର-। ପହଞ୍ଚିଲା ବେଳକୁ ପୂର୍ବାକାଶରେ ସିନ୍ଦୂରା ଫାଟିଥିଲା ।

☆☆☆

 

ଧୂଆଁଧାର

 

ଭେରାଘାଟ, ଏ ଗୋଟିଏ ଘାଟ; ତଳକୁ ପାହାଚ ଲମ୍ବିଛି, ଦୃଷ୍ଟି ବହୁତ ତଳକୁ ଖସିଲେ ନର୍ମଦାର ଗାଢ଼ ନୀଳ ଧାରରେ ପହଞ୍ଚେ । ଦୁଇ ପାଖରେ ପାହାଡ଼ର ଦାନ୍ତୁରା କାନ୍ଥ, କେଉଁଠି ଆଁ ତ’ କେଉଁଠି ଆବୁ । ସ୍ତରକୁ ସ୍ତର ପଥର, ଗଛବୃଛ ନାହିଁ, ଟାଆଁସିଆ ବାଳ ପରି ଗୋଟେ ଅଧେ ଘାସ ।

ଏ ଗୋଟିଏ ତୀର୍ଥଘାଟ, ସ୍ନାନରେ ସାମୟିକ ଶାନ୍ତି ନୁହେଁ, ସ୍ଥାୟୀ ପୁଣ୍ୟାର୍ଜନ ହୁଏ, ପରଲୋକ ଲାଗି ‘ଭିସା’ ମିଳେ । ତଥାପି ଜଣେ ହେଲେ ସ୍ନାନାର୍ଥୀ ଦେଖୁ ନାହିଁ । ଇହଲୋକର ତାଡ଼ନାରେ ପରଲୋକ ଚିନ୍ତା ଏବେ ଊଣା ହୋଇଛି ।

ଘାଟ ଉପରେ କେତୋଟି ଛୋଟ ଛୋଟ ଦେଉଳ ଅଛି, ଦେଉଳରେ ଦିଅଁ ଅଛନ୍ତି, ଦିଅଁଙ୍କୁ ସେବା କରିବା ଲାଗି ପଣ୍ଡା ଅଛନ୍ତି । ଠାକୁର ଦର୍ଶନ ଲାଗି ପଣ୍ଡା ଡାକିଲା, କିନ୍ତୁ ଆମ ମନ ଡାକିଲା ନାହିଁ । ଆମ ପରି ଅଭକ୍ତଙ୍କୁ ଦିଅଁ ଦେଖିବା ଉଚିତ ନୁହେଁ । ତହିଁରେ ଠାକୁରଙ୍କ ଠାକୁରତ୍ଵ ଊଣା ହେବ, ଆମ ମାନବତା ଉପରେ ଆଞ୍ଚ ଆସିବ । କଥା ଅଛି–ଯାହାର ମନ ଯେଡ଼େ, ତାହାର ପ୍ରଭୁ ସେଡ଼େ । ଆମ ମନ ଏବେ କେଡ଼େବଡ଼ ହୋଇ କେଉଁଠୁ କେଉଁଯାଏ ଘେରିଛି କଳନା ନାହିଁ, ତେବେ ତା’ର ନିବିଷ୍ଟ ବିନ୍ଦୁ ଲକ୍ଷ୍ୟ କଲି ନର୍ମଦାର ଏଇ ପ୍ରପାତରେ, ଏଇ ମୋର ସୁନ୍ଦର ପ୍ରଭୁ, ଅଂଶାବତାର, ଧୂଆଁଧାର ।

‘ଧୂଆଁଧାରେ ଯହିଁ ହୋଇ ଶତଧାର

ଭୈରବ ଆରବେ ରେବା ଦେଇ ଲମ୍ଫ

ଜନମାଏ ଜନମାନସେ ପ୍ରକମ୍ପ ।‘

ଭେରାଘାଟରୁ ଅଧକୋଶ ଦୂରରେ ଏଇ ପ୍ରପାତ, ପଦଚଲା ରାସ୍ତା, ଛାୟା ଶୀତଳ ନୁହେଁ, ବାଲିବହୁଳ । ନିର୍ଜନ ପ୍ରାନ୍ତର, ସ୍ଥାନେ ସ୍ଥାନେ ଟାଙ୍ଗରା ପାହାଡ଼ର ନିର୍ଜୀବ କଙ୍କାଳ । ତୃଣହୀନ ଉପତ୍ୟକାରେ ସ୍ଥବିର ଶ୍ମଶାନର କାରୁଣ୍ୟ । ପହଞ୍ଚିଲୁ ଧୂଆଁଧାରରେ । ନର୍ମଦାର ପଞ୍ଜିରାକାଠି ଉପରେ ଉଲଗ୍ନ ଏଇ ପ୍ରପାତ, ଉଦ୍ଧତ ତା’ର ନୃତ୍ୟ, ତାଳ ନାହିଁ, ଛନ୍ଦ ନାହିଁ । ଆଦିମ ବନ୍ୟତାରେ ଉଚ୍ଛୃଙ୍ଖଳ, ଫେନିଳ ଉଚ୍ଛ୍ୱାସରେ ଉର୍ଜ୍ୱସ୍ଵଳ । ପ୍ରପାତରୁ ଆକାଶ ପର୍ଯ୍ୟନ୍ତ ଜଳବିନ୍ଦୁର ଗୋଟିଏ ବୃଶାଳ ଦେହ, ତହିଁରେ ସୂର୍ଯ୍ୟର ମସ୍ତକ, ତାଣ୍ଡବର ଛନ୍ଦେ ଛନ୍ଦେ ତା’ର ଗୁଣ୍ଡା ହୋଇଯାଉଛି ପାହାଡ଼, କୋରଡ଼କରା ପ୍ରସ୍ତର ଶଯ୍ୟା, ଇନ୍ଦ୍ରଧନୁର ଇନ୍ଦ୍ରଜାଲ । ତନ୍ଦାଚ୍ଛନ୍ନ ହେବାର ସ୍ଥାନ ଏ ନୁହେଁ, ରକ୍ତେ ରକ୍ତେ ତଡ଼ିତର ପ୍ରବାହ ଖେଳେ, ଚିତ୍ତ ହୁଏ ଶୌର୍ଯପୂର୍ଣ୍ଣ । ଅସାଧ୍ୟ ସାଧିବାର ପ୍ରେରଣା ଆସେ; ଦିଗ୍‍ବିଜୟୀ, କାଳଜୟୀ ହେବାର କାମନା ମନକୁ ଝପଟାଇ ଦିଏ ଅଶ୍ରାନ୍ତ ଝଟିକା ପରି ।

ଯେଉଁଠି ସ୍ରୋତ ଉତୁରୁଛି, ଉଛୁଳୁଛି, ଡଅଁର ଚକାଭଉଁରୀ ଖେଳୁଛି, ଢେଉ ମରାମରି ହେଉଛନ୍ତି, ତା’ ପାଖର ଖଣ୍ଡିଏ ସାଉଁଳିଆ ଶିଳା ଉପରେ ବସି ପଚାରିଲି–ଲୀଳା, ଏଠି ଗୋଟିଏ କୁଟୀର ନିର୍ମାଣ କରି ରହିଲେ କେମିତି ହୁଅନ୍ତା ?

ଲୀଳା ହସି କହିଲା, ‘ଗୋଟିଏ ବଣଜନ୍ତୁ ହୋଇଯାନ୍ତ, ଯେଉଁଠୁ ମଣିଷ ଜୀବନ ଆରମ୍ଭ କରିଛି, ସେଇଠି ପୁଣି ପହଞ୍ଚନ୍ତ ।’ ‘ମାନେ ବିନ୍ଧ୍ୟ କାନ୍ତାରର ଏ ଶାନ୍ତ ବାତାବରଣଟି ବଡ଼ ଭଲ ଲାଗୁଛି, ମାନସିକ ଶାନ୍ତି ଲାଗି ଏଠି ରହିବା କଥା କହୁଛି ।’

କାନ ଦୁଲଯୋଡ଼ିକ ଲୀଳାରେ ଦୋହଲାଇ ଲୀଳା କହିଲା, ‘ଉହୁଁ, ରେଡିଓ ନାହିଁ, ସିନେମା ନାହିଁ, ଟ୍ରାମ କି ବସ୍‍ ନାହିଁ, ରାସ୍ତାଘାଟ ନାହିଁ, ଖବରକାଗଜ ନାହିଁ, କ୍ଳବ୍‍ ନାହିଁ କି ବନ୍ଧୁବାନ୍ଧବ ନାହାନ୍ତି । ଜଣେ ଆଧୁନିକ ଏଠି ଚଳିବ କେମିତି ?’

‘ସେ ସବୁରୁ ଦୂରରେ ରହିବା କଥା ତ କହୁଛି, How many things we can do without : ନିବୃତ୍ତି ମାର୍ଗ । ଶାନ୍ତ ମନରେ ବସି ଚିନ୍ତା କରିବା, ଲେଖିବା, ପଢ଼ିବା, ପାହାଡ଼େ ପାହାଡ଼େ ବୁଲିବା ।’

‘ଏ ପାହାଡ଼ ପର୍ବତରୁ ମୁଁ କିଛି ରୋମାଞ୍ଚ ପାଉନାହିଁ । ଏଇଟା ବିଜୁଳି ଯୁଗ, ଧୂଆଁଧାରରୁ ବିଜୁଳି ବାହାରିବ; ସେଇ ଆଲୁଅରେ ପଢ଼ିବାରେ ରୋମାଞ୍ଚ ଅଛି । ନର୍ମଦାରେ ବନ୍ଧ ପଡ଼ି ଯୋଉ ହ୍ରଦ ହେବ, ତା’ କୂଳରେ ଗୋଟିଏ ଆଧୁନିକ ରୁଚିସମ୍ପନ୍ନ କୋଠା, ଶ୍ଵେତ ପ୍ରସ୍ତରର ଚଟାଣ, ସୋପାନ (nasty ପତରକୁଡ଼ିଆ ନୁହେଁ) ଅଜନ୍ତାର ଫ୍ରେସକୋ ଓ ଓଡ଼ିଶୀ କାରିଗରଙ୍କ ମୂର୍ତ୍ତିରେ ସୁସଜ୍ଜିତ । ଏଇ ଘଞ୍ଚ ଅରଣ୍ୟରୁ ଗୋଟାକେତେ ହଂସ, ମୟୂର, ହରିଣ ଆଦି ଗୃହ ଉଦ୍ୟାନରେ ଛାଡ଼ି ଦେଇପାର । ଯୋଉ ପଟୁ, ବାଲି ଆବର୍ଜନାର ସ୍ତୂପ କୂଳେ କୂଳେ ଦେଖୁଛ, ସେଠି ପାର୍କ, ଖାଲି ଲାଲ୍ ଗୋଲାପର ପାର୍କ ହେବା ଦରକାର । ଧୂଆଁଧାରର ଧୂଆଁରେ ବସି ଦୃଶ୍ୟ ଉପଭୋଗ ଲାଗି ଗୋଟାକେତେ ସିମେଟ୍‍ ଚଉକି ଗଢ଼ି ଦେଇପାର ।’

‘ଏ ବନ୍ୟ ବନ୍ଧୁରତାର ମାଧୁରୀ ସେଥିରେ ରହିବ ନାହିଁ । ସବୁ ପୋଷା, ଘଷରା ହୋଇଯିବ । ବହୁ ଜନସମାଗମରେ ଏ ସ୍ଥାନ କୋଳାହଳମୟ ହେବ । ଆସ୍ତେ ଆସ୍ତେ ଗୋଟାଏ ସହର ଗଢ଼ି ଉଠିବ, ବଢ଼ି ଚାଲିବ–କଳକାରଖାନା, ହାଟବଜାର, ସିନେମା ଥିଏଟର୍‍, ସ୍କୁଲ କଲେଜ-।’

‘ତା ହେଲେ ଖାଲି ବହି ନ ପଢ଼ି, ତୁମେ ମଣିଷଙ୍କୁ ପଢ଼ିବ, ପ୍ରକୃତିର ଶ୍ରୀ ନୁହେଁ, ତା’ର ଉପାଦେୟତା ବର୍ଣ୍ଣିବ, ସାହିତ୍ୟ ଆଉ ବିଜ୍ଞାନ ହାତ ଧରାଧରି ହୋଇ ଚାଲିବେ, ସ୍ଵପ୍ନ ଆଉ ବାସ୍ତବତା ଏକାତ୍ମ ବନ୍ଧୁ ହେବେ ।’

 

‘ସବୁବେଳେ ଦେହଘଷା ହୋଇ ରହିଲେ ମଣିଷକୁ ଠିକ୍‍ ବିଚାର କରି ହୁଏନି । ତାକୁ ଜାଣିବା ଲାଗି ଲୋଡ଼ା ଦୂରତା, ନିର୍ଜନ, ନିସ୍ପୃହ ବାତାବରଣ ।’

 

‘ସେ ଯାହାହେଉ, ମୁଁ ଆଉ ବନ୍ୟ ହେବାକୁ ଚାହେଁ ନାହିଁ, ବନରୁ ଗ୍ରାମ, ଗ୍ରାମରୁ ସହର, ସେଇ ବିକାଶରେ ବିକଚ ହୋଇ ରହିବାରେ ମୋର ଆନନ୍ଦ ।’

 

ଇଳା ଆମ ଆଲୋଚନାରେ ବାଧାଦେଇ କହିଲା—‘ତୁମେ ଯାହା ହେବାକୁ ଚାହଁନା କାହିଁକି, ଏବେ ଯାଇ ରୋଷେଇ ନ କଲେ ପୁଣ୍ୟ ଏକାଦଶୀ ବ୍ରତ ପାଳନ କରିବାକୁ ହେବ । ପେଟ ହାକୁ ହାକୁ ପୋଡ଼ିଲେ ବନ୍ୟ ଜୀବନ, ଆଧୁନିକ ଜୀବନ ସବୁ ଅରୁଚିକର ହୋଇଯିବ । ଯୋଉଠି ଇନ୍ଦ୍ରଧନୁ ହସୁଛି, ସେଠି ଛାଇଁ ଜୁଳୁକିର ମରୀଚିକା ନାଚିବ ।’

 

‘ଏଁ ଏତେକଥା ହୋଇଯିବ ?’ କହି ହସି ହସି ଉଠିପଡ଼ିଲୁ । ଖଣ୍ଡ ଖଣ୍ଡ ଧଳାମେଘ ନର୍ମଦାର ଏ ପାରିରୁ ସେପାରି ବଣକୁ ପହଁରି ଯାଉଥାଏ । ବିନା ତୂଳୀରେ ଧୂଆଁଧାରକୁ ମନରେ ଆଙ୍କିନେଲୁ, ଦେଲୁ ପ୍ରୀତିର ରଙ୍ଗ ଯାହା ଆଜୀବନ ସଜୀବ ରହିବ, ତା’ ବାକ୍‍ ଓ ବାଗ୍ମିତାର ଯେଉଁ ରେକର୍ଡ ଆଣିଛୁ, ତା’ ଏବେ କ’ଣ ଚିତ୍ତକୁ ମୂର୍ଚ୍ଛିତ କରୁନାହିଁ ? ବିନ୍ଧ୍ୟାଦ୍ରି କାନ୍ତାରରେ ନିଷ୍ଫଳ ଝଙ୍କାର ଶୁଣାଇବା ଲାଗି ଆମେ ଧୂଆଁଧାରକୁ ଏକୁଟିଆ ଛାଡ଼ିଦେଇ ଆସିନାହୁଁ । ଏଠି ବି ଏବେ ସେ ଅନ୍ତରର ଦୋସର ହୋଇ ରହିଛି ।

 

ନର୍ମଦା କୂଳରେ ଗୋଟିଏ ପସରା, ଜଣେ ବୁଲା ବିକାଳି ପେଡ଼ା ବିକୁଥାଏ; କାହାର ଖୋଇବାରେ, ମୋର କିନ୍ତୁ ଖାଇବାରେ ଆନନ୍ଦ । ଜୀବନକୁ କେବେ କାହାକୁ ଦେଇ ନାହିଁ, ଗୋଟି ସୁଦ୍ଧା ନିଜର କରି ରଖିଛି, ଆତ୍ମନିଷ୍ଠ ସ୍ଵାର୍ଥୀ ମୁଁ । ଅନ୍ୟଠୁଁ ଆଖିର କଥା, ଓଠର ଗୀତ, ରୂପର ତନ୍ଦ୍ରାଚ୍ଛନ୍ନ ଚନ୍ଦ୍ରିକା ଆଣିଛି, ଫୁଲରେ ଫୁଟାଇଛି, ଲୁହରେ ଲୋଟାଇଛି । ତା’ ବଦଳରେ ଦେଇନାହିଁ, ଦେବାକୁ କିଛି ନାହିଁ ବୋଲି ।

 

ପେଡ଼ା ଦୋକାନ ପାଖେ ଜଣେ କାରିଗର ନରମ ସାବୁନ ପଥରରେ ମୂର୍ତ୍ତି ଗଢ଼ୁଛି । କେତେ ମନ୍ଦିର, ମୂର୍ତ୍ତି, ପେଡ଼ି, ବାକ୍‍ସ । ମୁଁ ଗୋଟିଏ ବାକ୍‍ସ କିଣିଲି । ଓଃ, କାହିଁକି କିଣିଲି ? ତା’ ଉପରେ ଲେଖା ହୋଇଛି–‘Love me.’ ସେଇଟି ଲୁଚେଇ ରଖିଥାଏ, ଚୌଷଠି ଯୋଗିନୀଙ୍କ ଆଖି ନ ପଡ଼ୁ । ଯୋଗିନୀଙ୍କ ଆଖି କ’ଣ ଆଖି ? ସେଥିରେ ବର୍ଚ୍ଛା ଥାଏ, ଟିକିଏ ତେରଛେଇ ଦେଲେ ଚମ ମାଂସ ଚିରି ତା’ ଛାତି ଭିତରେ ପଶିଯାଏ, ମୋ ଲୁଚେଇବାଟି ହେଲା କାଳ, ଲୀଳା ଛକି ଛକି ଜିନିଷଟି ଝାମ୍ପି ନେଲା, ନୀରବରେ ପଢ଼ି ହସି ହସି ଗଡ଼ିଗଲା–Oh my lord ! ମୁଁ ଲାଜରା ହୋଇଗଲି । ଲୀଳା କହିଲା–ଏଇଟି କାହାକୁ ଦେବ ?

 

‘ଯେ ମୋତେ ଭଲ ନ ପାଇବ ?’

 

‘ତୁମକୁ ଭଲ ନ ପାଏ କିଏ ?’

 

‘ଭଲପାଇବା ବାଲା ଲେଦୁ ।’ (ନାହିଁ)

 

‘ଏମିତି ବିଜ୍ଞାପନରେ କ’ଣ ଫଳ ହେବ ?’

 

‘ମନକୁ ଯେତେବେଳେ ନ ଆସୁଛନ୍ତି, ପ୍ରଚାର ବିଭାଗର ଆଶ୍ରୟ ନେବାକୁ ବାଧ୍ୟ ।’

 

ଦିନ ଦୁଇଟାବେଳେ ବିଶ୍ରାମ ଘରେ ପହଞ୍ଚିଲୁ । ରୋଷେଇର ଆୟୋଜନ ଲାଗିଗଲା । କିଏ ପାଣି ଆଣିଲା, କିଏ ବାସନ ମାଜିଲା, କିଏ ଚୂଲୀ ଲଗାଇଲା । ଗୋଟାକେତେ ଢେପା ଅଳସୁଆ ମନ୍ଦିର ପିଣ୍ଡାରେ ଶୋଇ ସଶବ୍ଦ ହାଇ ମାରୁଥାନ୍ତି । କାର୍ଯ୍ୟ କଥା ଶୁଣିଲେ କାଠ ମାଡ଼ିପଡ଼େ, ରୋଷେଇ ସରୁ ନ ସରୁଣୁ ଏମାନେ ଆଗେ ପତର ପକାଇ ବସିଯାନ୍ତି । କେହି କେହି ଛାତ୍ର କାର୍ଯ୍ୟରେ ଅସ୍ଵାଭାବିକ ଉତ୍ସାହ ଦେଖାଉଥାନ୍ତି । ଝିଅଙ୍କର ଟିକିଏ ହସ, ଟିକିଏ ଆଦର ଗେଲ ଏମାନଙ୍କ ପ୍ରେରଣା ।

 

କେତେକ ଝିଅ ପ୍ରକୃତରେ କର୍ମପ୍ରବଣା । ରୋଷେଇ କରି ଖୋଇବାରେ ଏମାନଙ୍କର ଆନନ୍ଦ । କର୍ମ ଦେଖେଇ ହେବାର ପ୍ରବୃତ୍ତି ନାହିଁ । କେତେକ ବେଶଭୂଷଣରେ ଅତି ସଚେତନ, ମଝିରେ ମଝିରେ ଆଢ଼ୁଆଳକୁ ଯାଇ ବେଶ ସଜାଡ଼ି ଆସୁଥାନ୍ତି । ରୂପର ଲାଳନା, ବେଶର ବିନ୍ୟାସ ବୟସଗତ ଅଭ୍ୟାସ । ଅବିବାହିତା ପକ୍ଷରେ ଦୂଷଣୀୟ ନୁହେଁ । ଟିକିଏ ମାତ୍ରାଧିକ୍ୟ ହିଁ ଦୃଷ୍ଟିକଟୁ ହେଉଥାଏ । କିଏ କର୍କଶମୁଖୀ, ଶିଠା ଓଠରୁ ଟିକିଏ ହେଲେ ହସ ବାହାରୁ ନ ଥାଏ, ଚାଲିଲେ ପୃଥିବୀ ଭାରି ଭାରି ଲାଗେ । ଯେତେ କାମ ପଡ଼ୁ ପଛକେ କେଉଁ ଯୁବତୀର କଣ୍ଠରେ ଗୁଞ୍ଜନ, ମୁଖରେ ହସ । ତଡ଼ିତ ପରି ଚଞ୍ଚଳା । ପଲକେ ପଲକେ ପୃଥିବୀକି ଆଉ ପ୍ରକାରେ କରି ଦେଉଥାଏ-। ଏ ପୃଥିବୀ ବସନ୍ତର, ଯୌବନର, ପ୍ରେମର, ରୂପପାୟୀର କଳ୍ପଲୋକ ।

 

ଏତିକି ବେଳେ ନର୍ମଦା କୂଳରୁ ଦଳର ନେତା ଡାକ ଛାଡ଼ିଲେ—ନୌକାବିହାର । ପକ୍ଷୀ ବସାରେ ଲୋଷ୍ଟ୍ରପାତ ହେଲେ ସେମାନେ ଯେପରି କିଲିକିଲିଆ ହୋଇ ପଳାଇଯାନ୍ତି, ଯୁବକ ଯୁବତୀମାନେ ସେହିପରି ଦୌଡ଼ିଲେ । ଅବଶ୍ୟ ସେଠି ଭୟ; ଏଠି ଆନନ୍ଦ । ହାଣ୍ଡି ଚୂଲୀକି ଜଗି ରହିଲେ କେତୋଟି ମାତ୍ର ଝିଅ ।

 

ନର୍ମଦା କୂଳକୁ ଯାଇ ଛିଡ଼ା ହେଲୁ । ବାଲିକୁଦ, କାହିଁ କେଉଁଠି ଛୋଟ ଛୋଟ ଗୁଳ୍ମ, ପୁଷ୍ପ ବିରଳ, ବିନ୍ଦୁଏ ମଧୁ ଲାଗି ଭ୍ରମର ସଙ୍ଗେ ପ୍ରଜାପତିର ଲଢ଼େଇ ଲାଗି ଯାଉଥାଏ ।

 

ନର୍ମଦାର ଶଯ୍ୟା ପ୍ରସ୍ତରମୟ, ସଂକୀର୍ଣ୍ଣ । ଜଳ ଗଭୀର, ଉପର ସ୍ତରର ଗାମ୍ଭୀର୍ଯ୍ୟ ଭୀତିପ୍ରଦ, ତଳେ ଚୋରା ସ୍ରୋତର ଚାଞ୍ଚଲ୍ୟ ଅଧିକ ଭୟଙ୍କର । ଛୋଟ ଛୋଟ ନୌକା; ଆଠଜଣରୁ ବେଶୀ ବସିବେ ନାହିଁ । ତେଣୁ ଦଳ ଦଳ ହୋଇ ଗଲୁ । ଛାତ୍ରଛାତ୍ରୀ ମିଶି ମୋ ନୌକାରେ ସାତଜଣ ବସିଲେ । ମାଝି ଆସ୍ତେ ଆହୁଲା ମାଇଲା, ନୌକା ଚାଲିଲା ନଦୀ ମଝିରେ । ଏଠି ସ୍ରୋତ ନୀଳତମ, ତେଣୁ ଦୁଇ ପାଖରେ ଶଙ୍ଖମଲମଲ ପାହାଡ଼ ଏତେ ସ୍ଵଚ୍ଛ ଦିଶୁଥାଏ । ଶ୍ଵେତ, କୃଷ୍ଣ, ପାଣ୍ଡୁର, ପୁଣି ବାରମିଶା ରଙ୍ଗର ପାହାଡ଼; ନିଦାପଥର, ଟିକିଏ ହେଲେ ସନ୍ଧି ନାହିଁ, ତେଣୁ ଗଛବୃଛ କି ଗୁଳ୍ମ ଗୋଟିଏ ହେଲେ ଉଠି ପାରିନାହିଁ । ତଥାପି ଏ ଲଣ୍ଡା ପାହାଡ଼ ସ୍ଵତନ୍ତ୍ର ଗୌରବରେ ସ୍ଫୀତ, ନିଜ ଆଭିଜାତ୍ୟରେ ଅଭିଭୂତ ।

 

ଜମାଟ ଚନ୍ଦ୍ରିକାର ଏଇ ସ୍ଵପ୍ନପୁରୀ, ତା’ ଭିତରେ ଏଇ ନୀଳ ଯମୁନା । ଏକ ଅନ୍ୟର ପରିପୂରକ । ଗମ୍ଭୀର ଚତୁର୍ଦ୍ଦିଗ, ଗମ୍ଭୀର ସୂର୍ଯ୍ୟ, ଗମ୍ଭୀର ପର୍ବତ । ସେଥିଲାଗି ଆହୁଲାର କଳ କଳ ଛଳ ଛଳ ଏତେ ମଧୁର । ନିର୍ବାକ ବିସ୍ମୟରେ ଚାହିଁ ରହିଲୁ–ଭଙ୍ଗୁର, ଦନ୍ତୁର ସ୍ତର ପରେ ସ୍ତର ବିସ୍ତୃତ ଶ୍ଵେତ ମର୍ମର ଶିଳା ଶ୍ରେଣୀକୁ—ନିର୍ଜୀବ ଏ, ତଥାପି ଜୀବନର ସଂଗ୍ରାମରେ କ୍ଷତବିକ୍ଷତ; ନର୍ମଦା ନୀଳୋର୍ମିର ନର୍ମତା କେବେ ଉପଭୋଗ କରି ନାହିଁ । ସୃଷ୍ଟିଦିନୁ ସେ କେବଳ ସଂଘର୍ଷର ସମ୍ମୁଖୀନ ହୋଇଛି; ସେଥିଲାଗି ଏତେ ଶକ୍ତ ସେ ।

 

ନର୍ମଦା ବିଜୟିନୀ, ପାହାଡ଼କୁ ଉପଳ, ଉପଳକୁ ବାଲୁକା କରିବାରେ ତା’ର ଗୌରବ; କର୍ମ ତା’ର ମନ୍ଥର, ସିଦ୍ଧି ସୁନିଶ୍ଚିତ । ଧୂଆଁଧାର ତା’ର ଐତିହାସିକ କୀର୍ତ୍ତି । ଅଜସ୍ର ଫଣାରେ ସେ ତା’ର ଶୈଳକୁ ଦଂଶନ କରୁଛି । ଖଣ୍ଡ ଖଣ୍ଡ ଶିଳା ଖସୁଛି, ଦିନେ ଏଇ ପାହାଡ଼ ଭୁଶୁଡ଼ି ପଡ଼ିବ ।

 

ନୌକା ଆମର ଫେରିଲା । ଝିଅମାନେ ଗାଇଲେ–

 

ନାମ ନା ଜାନା ପ୍ରିୟା

ନାମ ନା ଜାନା ଫୁଲେର ମାଲା ନିୟା

ହିୟାୟେ ଦିବେ ହିୟା ।

 

ଅନୁଭବ କଲି—ଶ୍ଵେତ ମର୍ମର ପ୍ରାସାଦର ରାଜକନ୍ୟା ନର୍ମଦା, ତା’ର ନୀଳ ବାହୁର ଶୀତଳ ସ୍ପର୍ଶ । ସତେ ଅବା ଅଜଣା ଫୁଲର ମାଳା ଗଳାରେ ଲମ୍ବାଇ ଚୁମ୍ବନ ଦେଉଛି । ସେ ଦାଗ ନିଭି ନାହିଁ, ନିଭିବ ନାହିଁ । ସତେ ଅବା ତା’ରି ବୁକୁର ସ୍ପନ୍ଦନ ମୋ ବୁକୁରେ ରହି ଦେଉଛି ବଞ୍ଚିରହିବାର ନିତ୍ୟ ନୂତନ ଆସ୍ଵାଦ ।

 

ଅପରାହ୍ନ କିରଣରେ ଝଟକି ଉଠିଲା ଶ୍ଵେତ ମର୍ମର—କିରଣ ଆଉ ମର୍ମର ଶୈଳ, ତାରତମ୍ୟ—ଗୋଟିଏ ତରଳ, ଅନ୍ୟଟି ଘନ । ଗୋଟିଏ ଚନ୍ଦ୍ରିକା ବା ଅନ୍ଧାରକୁ ପଥ ଛାଡ଼ି ଦେଇ ଚାଲିଯିବ, ଅନ୍ୟଟି ଖେଳା ଲୀଳା କରୁଥିବ—ନର୍ମଦା, ରୌଦ୍ର ଚନ୍ଦ୍ରିକା ବା ତିମିର ସଙ୍ଗେ ।

 

ନୌକାରୁ ଓହ୍ଳେଇଲୁ, ମନରେ କିଛି ହରାଇବାର ଅଶାନ୍ତି । ଆଉ ଗୋଟିଏ ଦଳ ଚାଲିଲେ–ଅନ୍ତରରେ ଉଦ୍ଦାମ ଉତ୍ସୁକତା ଘେନି ।

 

ଖାଇପିଇ ବିଶ୍ରାମ ନେଉଛି–ହଠାତ ଏ କ’ଣ ହେଲା ? ଚମକି ପଡ଼ିଲୁ, ବାସ୍ତବିକ ଘଟଣାଟି ଚମକପ୍ରଦ ।

 

ନର୍ମଦା ଘାଟରେ ଡଙ୍ଗୀଟିଏ, ନୀଳ ଚପଳ ଢେଉରେ ଦୋହଲୁଥାଏ, ନନ୍ଦିତାର ଲୋଭ ହେଲା—ବସି ଆହୁଲା ଚଳାଇ ମାର୍ବଲ ପାହାଡ଼ର କନ୍ଦି ବିକନ୍ଦିରେ ବୁଲନ୍ତା ! ସୁନ୍ଦରୀ ନନ୍ଦିତା ଗୋଟିଏ ପାଦ ବଢ଼ାଇଲା । ଲାଲଫିତା ପରି ଅଳତାଘେରା ଗୌର ପାଦଟିକୁ ସାଦର ଅଭ୍ୟର୍ଥନାରେ ଗ୍ରହଣ କଲା, ଡଙ୍ଗୀ ସୁନ୍ଦର ଦିଶିଲା । ନନ୍ଦିତା ଆଉ ଗୋଟିଏ ପାଦ ବଢ଼ାଇଲା । ଡଙ୍ଗୀ ଘନ ଜଘନର ଭାରା ବୋହିବାରେ ଅସାମର୍ଥ୍ୟ ଜଣାଇଲେ ବି ଲୋଭ ସମ୍ବରଣ କରି ପାରିଲା ନାହିଁ । ନନ୍ଦିତା ବସିଲା—ସାକ୍ଷାତେ Lady of the lake. ଲାଲ୍‍ ଓଠରେ ରକ୍ତ ପିଚିକି ଉଠିଲା-। ପୂରିଲା ମୁହଁରୁ ପାଖୁଡ଼ା ପାଖୁଡ଼ା ଛିଟିକି ପଡ଼ିଲା ହସ । ନନ୍ଦିତା ଆହୁଲା ଚଳେଇଲା, ଡଙ୍ଗୀ ଚାଲିଲା । ନୀଳ ଜଳରେ ଚାଲିଲା ନନ୍ଦିତାର ଛାଇ । ନର୍ମଦା ହସିଲା, ମାର୍ବଲ ପର୍ବତରେ ଚମକିଲା ନୂଆ ବିଜୁଳି । କିଛି ଦୂର ଯାଇ ଏ କ’ଣ ? ଆରେ ଏ କ’ଣ ? ନନ୍ଦିତା କାହିଁ ? କାହିଁ, କାହିଁ ସମସ୍ତେ ହେଉଛନ୍ତି, କିଛି ହେଲେ ବୁଦ୍ଧି ସ୍ଫୁରୁନାହିଁ । ଜଣେ ଯୁବକ ଡେଇଁ ପଡ଼ିଲା—ଏଇ ଯେ ନନ୍ଦିତା-। ଦେହରେ ଶାଢ଼ି, ବ୍ଲାଉସ୍‍ ମିଞ୍ଜି ଯାଇଛି, ନନ୍ଦିତା ଜଳଦେବୀ ପରି କୂଳରେ ଆସି ଛିଡ଼ା ହେଲା । ଆଖିର କଳା ବୋହି ଆସି ମୁଖକୁ ସକଳଙ୍କ ଚନ୍ଦ୍ରମାର ଶ୍ରୀ ଦେଇଛି । ନନ୍ଦିତା ହସିଲା ।

 

ସମସ୍ତଙ୍କ ଆଖିରେ ଧମକ—ଆହୁରି ହସୁଛି ! ନିଜେ ଡୁବିଥାନ୍ତା ଆମକୁ ବି ଡୁବାଇଥାନ୍ତା । ନନ୍ଦିତା ଜୋରରେ ହସିଲା—ମୃତ୍ୟୁ ମୁଖରୁ ସେ ଫେରି ଆସିଛି । ସେତେବେଳେ ମୋ ମନରେ ପଦେ ଗୀତ ଗୁଣୁଗୁଣେଇଲା—

 

‘ଖେଳା-ଲୋକ ଖଞ୍ଜନାକ୍ଷି ତୁ କି ସାହସ କଲୁରେ ।’

 

ବସରେ ଜିନିଷପତ୍ର ନଦା ହେଲା । ସେତେବେଳେ ମର୍ମର ରାଜ୍ୟକୁ ନଇଁ ଆସିଥିଲା ଅସ୍ତାତପ । ଗୋଧୂଳିଶ୍ରୀର ସ୍ଵତନ୍ତ୍ର ପ୍ରଦର୍ଶନୀ ଆଜି ହୋଇଥିଲା କେବଳ ଆମ ପାଇଁ । ତା’ ଦେଖିବା ସୌଭାଗ୍ୟ ଆମର ନ ଥିଲା । ସଜୀବ ସ୍ଵପ୍ନ ମୁଲକରୁ ଆଖିକି ଓଟାରି ଘେନି ବସ୍‍ ଚାଲିଲା ଦ୍ରୁତଗତିରେ ।

 

ଫେରନ୍ତା ବାଟରେ ବାରାଣସୀ, ସାରନାଥରେ କେତେ ମୂର୍ତ୍ତି ମନ୍ଦିର ଦେଖିଲୁ, ହରିଶ୍ଚନ୍ଦ୍ର ଘାଟରୁ ଗଙ୍ଗାରେ ଜଳଯାତ୍ରା କରି ରାମନଗର ରାଜାଙ୍କ ଆତିଥ୍ୟ ଗ୍ରହଣ କଲୁ; ବୌଦ୍ଧକଳା ପ୍ରଦର୍ଶନୀ ଓ ହିନ୍ଦୁ ବିଶ୍ଵବିଦ୍ୟାଳୟ ଦେଖି କଲିକତା ଗାଡ଼ି ଧରିଲୁ ।

 

ଗାଡ଼ିରେ ପ୍ରସ୍ତାବ ହେଲା–ସମସ୍ତେ ଗୀତ ଗାଇବେ । ମୁଁ ପ୍ରତିବାଦ କଲି—ପକ୍ଷୀ ରାଜ୍ୟରେ କୋକିଳ ଗାୟକ, ପତଙ୍ଗ ରାଜ୍ୟରେ ଭ୍ରମର । ମଣିଷ ସମାଜରେ ବଛା ବଛା କେତେ ଜଣ ଗାୟକ ଗାୟିକା ଅଛନ୍ତି । ମୁଁ ତା’ ଭିତରେ ନୁହେଁ, ଅଧିକନ୍ତୁ ମୁଁ ଗାଇଲେ ଶ୍ରୋତା ସ୍ଥାନ ଛାଡ଼ି ପଳାଇଯିବେ । ହୁଏତ ଭଦ୍ରତାରେ କିଛି କହିବେ ନାହିଁ । ତେଣୁ ମୋତେ ବାଦ୍‍ ଦିଅ । ଦଳର ଜିଦ୍‍, ମୋ ଦାବିଟା ଏକଦମ୍‍ କାଟ ଖାଇଗଲା । ପୁଣି ମୋଠାରୁ ଅଗାୟକ କଣ୍ଠ ଫିଟାଇଲେ ! ମୋର ସାହସ ବଢ଼ିଲା । ଡକ୍ଟର ଭଟ୍ଟାଚାର୍ଯ୍ୟ ଗାଇଲେ କୀର୍ତ୍ତନ, ପ୍ରତିଭା ଗାଇଲା ମୀରା ଭଜନ, ନମିତା ରବୀନ୍ଦ୍ର ସଙ୍ଗୀତ, ତୁଷାର ଆଧୁନିକ । ନେପାଳୀ ଛାତ୍ର କଇରଲା ବଜାଇଲା ବଂଶୀ; ମୁଁ ଗାଇଲି ନାହିଁ, ଆବୃତ୍ତି କଲି ଲୋକଗୀତ ।

 

୧୯୫୭, ଜାନୁୟାରୀ ସାତ ତାରିଖ ସକାଳେ ବୋଲପୁରରେ ପହଞ୍ଚିଲି । ରିକସା ଖଣ୍ଡିଏ କରି ଆସିଲି ଘରକୁ । ଗୃହିଣୀ ପିତୃଗୃହକୁ ଚାଲି ଯାଇଛନ୍ତି । ଶୂନ୍ୟ ଗୃହର ଜମାଟ ନିର୍ଜନତା ମୋତେ ଆକ୍ରମଣ କଲା । ଦେଖା ଦେଲା—ଗୋଟିଏ ଫିକା ମଲଙ୍ଗା ମଶା, କେତେ ଦିନ ହେଲା ରକ୍ତ ପିଇ ନାହିଁ; ଦୁଃଖିଶ୍ୟାମ—ଗୋଟିଏ ବୁଲାକୁକୁର, ବଳକା ଭାତ ମୁଠାକରେ ତା’ର ଆଶା, କେତେ ଦିନ ହେଲା ସେ ମୁଠିକ ନ ପାଇ ଧଡ଼ିଆ ହୋଇଯାଇଛି । ଚୂନୀ—ବିରାଡ଼ି, ଏ ବି ପୋଷା ନୁହେଁ, ଲୁଚି ଲୁଚି ଆସେ, ଯାଏ । ନିତାନ୍ତ ଅଲୋଡ଼ା । ଶିକାରୁ ଦହି ବା ମାଛ ଲୁଟି କରି ଖାଏ, ବାସନତକ ଚାଟି ସଫା କରେ, ଏବେ ବ୍ୟର୍ଥମନୋରଥ ହୋଇ ଫେରି ଯାଉଛି । ଘରଟା ମାଡ଼ି ମାଡ଼ି ପଡ଼ିଲା । ହସି ପଦେ କଥା କହିବାକୁ, ଏତେ ବଡ଼ ବାଧାରେ ଟିକିଏ ସେବା ଯତ୍ନ କରିବାକୁ କେହି ନାହିଁ । କାରୁଣ୍ୟ ଆଉ ବୈଗୁଣ୍ୟରେ ଭାଜି ପଡ଼ିଲା—ନିଦ୍ରା ହୋଇଗଲା । ସ୍ୱପ୍ନରେ ଗୋଟାଏ ନାଟକର ଅଭିନୟ ଚାଲିଲା—ଅଜନ୍ତା, ଏଲୋରା ଆଉ ଧୂଆଁଧାରର ।

☆☆☆

 

Unknown

ରାଜଗିରି ଓ ନାଳନ୍ଦା

 

ବୋଇଲା—‘ଏକୁଟିଆ ବାଆରା, ମୁଣ୍ଡି ମୁଣ୍ଡି ସାହାଡ଼ା’ । ମୁଣ୍ଡି ସାହାଡ଼ା ବା ମୁଣ୍ଡି କିଆ ଯାହା କହ, ମୁଁ ଏକୁଟିଆ ବୁଲିଛି; ମୋ ଉପରେ ଦୋଷ ନଦି ତୁମର ଯେତେ ଆନନ୍ଦ, ରୋକଠୋକ୍‍ ସତ କଥା କହି ମୋର ଆନନ୍ଦ କିଛି ଊଣା ନୁହେଁ । ମାନୁଛି, ମୁଁ ଗୋଠଛଡ଼ା, ଗୋଠରୁ ଯାଏ ଗୋଠରେ ମିଶିବାକୁ, ମିଶି ମିଶେ ନାହିଁ, ଟିକିଏ କରଛଡ଼ା ଦେଇ ଲୋକଙ୍କ ଚାଲିଚରଣ ଦେଖିବାକୁ ଭାରି ଭଲ ଲାଗେ । ତା’ ବୋଲି ମୋତେ ଗୋଠଖଣ୍ଡିଆ କହିପାରିବ ନାହିଁ । “ଆଛା, ହେଲା ଏବେ ତୁମେ ଜଣେ ଲେଖକ ଅବା ଭାବୁକ, ସ୍ତ୍ରୀକୁ ସଙ୍ଗରେ ନ ନେବାରେ କି ଯୁକ୍ତି ଅଛି ? ତେବେ ତାକୁ ସହଧର୍ମିଣୀ ବୋଲିବ କିଆଁ ? ତୁମେ କେତେ କେତେ ବାହାର ଲୋକଙ୍କ ସଙ୍ଗେ ମିଶୁଛ, ସ୍ତ୍ରୀ ସେଇ ପୁରୁଣା ଘରକୁ ଯାବୁଡ଼ି ଧରି ବସିଛନ୍ତି, କେବଳ ଗୃହକୋଣବାସିନୀ ନୁହନ୍ତି, ବୁଝିଲେ ଗୃହାରଣ୍ୟବାସିନୀ । ଖର୍ଚ୍ଚ ? ବାଃ, ନିଜ ବେଳକୁ ଆଗୁସାର, ସ୍ତ୍ରୀ କଥା ପଡ଼ିଲା ବେଳକୁ ଖର୍ଚ୍ଚର ବାହାନା ?”

 

‘ଆଜ୍ଞା, ଯାହା କହିଲେ ଏଥିରେ ଟିକିଏ ହେଲେ ମିଛ ନାହିଁ । କିନ୍ତୁ ଆପଣଙ୍କ ପରି ଯେଉଁମାନେ ସ୍ତ୍ରୀକୁ ଗଣ୍ଠିଲି ବୋଇଲେ ଘୋର ଆପତ୍ତି ଉଠାନ୍ତି, ମୁଁ ସେମାନଙ୍କ ଦଳର ନୁହେଁ । ସତରେ ସ୍ତ୍ରୀ ବୋଇଲେ ଗଣ୍ଠିଲି, ଏଠି ଗଣ୍ଠିଲିର ଅର୍ଥ ଗଣ୍ଠିଲି । ଗଣ୍ଠିଲିଟି ସଙ୍ଗରେ ନ ନେଲେ ବୋଝରୁ ହୁଏତ ତ୍ରାହି ମିଳେ, କିନ୍ତୁ ଭ୍ରମଣ ସୁଖ ନ ଥାଏ । ସେହିପରି ସ୍ତ୍ରୀ ।‘

 

‘ଯଦି ଏମିତି ବୁଝିବାବାଲା, ତେବେ ସ୍ତ୍ରୀକୁ ଭ୍ରମଣସଙ୍ଗିନୀ କଲ ନାହିଁ କାହିଁକି ?’ ତା’ର ଉତ୍ତର ‘ନେଇ ନାହିଁ ବୋଲି ନେଇ ନାହିଁ; ସେଥିଲାଗି ସ୍ତ୍ରୀକୁ ଏକ ନୁହେ, ଶହେ ସଲାମ ଦେବାକୁ ରାଜି; ତୁମ ଆଗରେ କାଇଲି ମାନିବି କିଆଁ ? ସେ ଭ୍ରମଣ ଲାଗି କେବେ ଜିଦ ଧରି ବା ଅଭିମାନ କରି ବସି ନାହାନ୍ତି । ମୋ ତରଫରୁ ବି ଚେଷ୍ଟା ନାହିଁ, ନାହିଁ ବୋଲି ନାହିଁ । ମୋ ଯିବାରେ ସେ ରାଜି, ସେ ନ ଯିବାରେ ମୁଁ ରାଜି । ତୁମହରା ହମରା ରାଜି, କ୍ୟା କରେଗା କାଜି ?’

 

ସବୁ ଥର ପରି ଏଥରକ ବଡ଼ ଦିନ ଛୁଟି ଆସିଲା । ଗୃହିଣୀ ବୋଇଲେ କିଛି ଭଲ ଲାଗୁନାହିଁ; ଗୋଟାଏ ଜାଗାରେ ଖଡ଼ା ବଡ଼ି ଥୋଡ଼, ଥୋଡ଼ ବଡ଼ି ଖଡ଼ା । ଚିହ୍ନା ମୁହଁ, ଘଷରା କଥା । ଚାଲ କୁଆଡ଼େ ଯିବା । ଗୃହିଣୀଙ୍କ ମନର ଅଶାନ୍ତି ଗୃହକୁ ସଂକ୍ରାମିତ କଲା, କ୍ରମେ ମୋ ମନ ବି ଅଶାନ୍ତିରେ ବ୍ୟାଧିଗ୍ରସ୍ତ ହୋଇ ପଡ଼ିଲା । ଗୃହ ଭଲ ନ ଲାଗିଲେ ବନବାସ, ଚାଲ ଏଥର ରାଜଗିରି ଆଉ ନାଳନ୍ଦା ।

 

ଗୃହିଣୀ ସଜଡ଼ାସଜଡ଼ିରେ ଲାଗିଗଲେ; ବୋଇଲା ଗୃହିଣୀ ଗୃହ, ସେ ଯହିଁ ଯିବେ ତହିଁ ଗୃହ । ଗୃହଟା ଗଲା ନାହିଁ ସତ୍ୟ, ଗୃହର ଗୋଟାଏ ରୀତିମତ ଛାୟାମୂର୍ତ୍ତି ଆମ ସାଥିରେ ଚାଲିଲା–ବାଲଟି, ଡେକଚି, ବାସନକୁସନ, କରେଇ, ଲୁହାଖଡ଼ିକା, ଟ୍ରଙ୍କ, ବେଡିଂ—ଆଉ ନ ଗଲା କ’ଣ-?

 

ଶାନ୍ତିନିକେତନ ମେଳା, ବନ୍ୟା ଉପରେ ଜୁଆର ପରି ଗହଳି ଉପରେ ମଣିଷ ସୁଅ ନଦି ହୋଇଯାଉଛି । ଧୂଳିର ଗୋଟାଏ ଆସ୍ତରଣ ଉପରକୁ ଉଠୁଚି, ଉଠୁଚି । ଦୋକାନ ପତ୍ର ଲମ୍ବିଛି କେଉଁଠୁ କେଉଁଯାଏ, ବୁଲୁଛି ନାଗର ଦୋଳା, ସବୁ ଶବ୍ଦକୁ ଡୁବାଇ ଶୁଭୁଛି ପେଁକାଳି, ସବୁ ଚେହେରାକୁ ଲୁଚାଇ ଉଡ଼ୁଛି ବେଲୁନ୍‍ । ରାସ୍ତା ଲୋକ ଗହଳରେ ଉଜୁନ୍ତୁରି ହୋଇ ପଡ଼ିଛି । ବିନା ଠେଲାପେଲାରେ ଚାଲିବା ଅସମ୍ଭବ; ତେଣୁ ଜିନିଷପତ୍ର ଧରି ଆମେ ରିକ୍‍ସା ପାଖକୁ ଗଲୁ । ବୋଲପୁରରୁ ଧାଡ଼ି ଲମ୍ବିଛି, ବ୍ୟସ୍ତ, ବିଶୃଙ୍ଖଳ । ବାଟ କଟେଇ କଟେଇ ରିକ୍‍ସା କୌଣସି ମତେ ଷ୍ଟେସନରେ ପହଞ୍ଚିଲା । କିଛି ସମୟ ପରେ ଦାନାପୁର ପାସେଞ୍ଜର ଆସିଲା, ଲୋକେ ଚେମଣି ପରି ଓହଳିଥାନ୍ତି । ବୋଧେ ମେଳା ଦେଖିବାକୁ ଆସିଛନ୍ତି, ଓହ୍ଳେଇବେ । ଓହ୍ଳେଇଲେ, କିନ୍ତୁ ଯେତିକି ଓହ୍ଳେଇଲେ ତା’ଠାରୁ ଅଧିକ ପଶିଲେ । ସମସ୍ତେ ପଇସା ଦେଇ ଟିକଟ କରିଛନ୍ତି, ବିନା ଟିକଟରେ ଗଲେ ଚାଲାଣ, ଟିକେଟ କରି ଜାଗା ନ ପାଇଲେ ସେ କଥା ବୁଝିବାକୁ କେହି ନାହିଁ ।

 

ଆମେ କୌଣସି ମତେ ଛିଡ଼ାହୋଇ ଗଲୁ । ଦୁଇ ଚାରିଟା ଷ୍ଟେସନ ପରେ ଭିଡ଼ କମିଲା, ସେତେବେଳକୁ ରାତି ପହରେ, ଟିଫିନ୍‍ କ୍ୟାରିଅରରୁ କାଢ଼ି ପରଟା, ତରକାରୀ ଖାଇଲୁ । ପେଟ ଥଣ୍ଡା ହେଲାରୁ ନିଦ ଝାଙ୍କିଲା । କୁନା ଆଉ ତା ବୋଉ ଶୋଇଲେ । ଜଣେ ପିଲା, ଆଉ ଜଣେ ପିଲାଙ୍କ ପରି । ଗାଡ଼ି ଦୋହଲିଲେ ସେ ଭାବନ୍ତି—ଦୋଳିରେ ବସିଛନ୍ତି । ସଙ୍ଗେ ସଙ୍ଗେ ଆଖି ନିଦରେ ସିଇଁ ହୋଇଯାଏ । ମୁଁ ଗାଡ଼ି କାନ୍ଥକୁ ଆଉଜି ଘୁମାଇଲି ମାତ୍ର । ଘୁମର ନିଦ୍ରା ଅଂଶଟି ଶରୀର ସୁଖ ପାଇଁ, ଜାଗରଣ ଅଂଶଟି ଜିନିଷପତ୍ର ଉପରେ ନଜର ରଖିଲା । ଅଳସ ଆଖିରେ ସିନ୍ଦୂରା ଫାଟିଲା, କୁହୁଡ଼ି ଭିତରୁ ସୂର୍ଯ୍ୟ ଉଠିଲେ, କିରଣରେ ତାରୁଣ୍ୟର ଆବେଗ ନାହିଁ । ଗାଡ଼ି ବକ୍ତିଆରପୁରରେ ପହଞ୍ଚିଲା । ଏଠୁ ଅଣଓସାରିଆ ଲାଇନ୍‍, ଖେଳଣା ଗାଡ଼ି, ଇଞ୍ଜିନ୍‍ ପାଖେ ଛିଡ଼ା ହେଲେ ଡର ମାଡ଼େ ନାହିଁ । ଏ ଲାଇନ୍‍ ପାଟଣା ଜିଲା—ବୋର୍ଡ଼ଦ୍ଵାରା ପରିଚାଳିତ । ଷ୍ଟେସନ ବା ଗାଡ଼ିର ଉନ୍ନତି ଲାଗି ବୋର୍ଡ଼ ହାତରେ ଯଥେଷ୍ଟ ବିଭବ ନାହିଁ । କଚା ଷ୍ଟେସନ, ଆଣ୍ଠୁଏ ଧୂଳି । ଗାଡ଼ିଟି ଜାଣ ଗୋଟିଏ ଟ୍ରାମ, ମୋଟେ ତିନୋଟି ଡବା । ଏ ଫେର୍‍ ଏକସପ୍ରେସ୍‍, କିନ୍ତୁ ଗତି ଘଣ୍ଟାକେ ଦଶ ମାଇଲରୁ ଅଧିକ ନୁହେଁ, ଗାଡ଼ିକି ଚାହିଁ ଯାତ୍ରୀ ବଳି ପଡ଼ିଛନ୍ତି, ଜିନିଷପତ୍ର ଅଛି; କିନ୍ତୁ ସେ ସବୁ ରଖିବା ପାଇଁ ଜାଗା ନାହିଁ । ତେଣୁ ମଣିଷ ଗଲା ବାଟରେ, ବସିବା ଜାଗାରେ, ପାଇଖାନା ଦୁଆରେ ସେ ସବୁ ଆବୁରୁ ଜାବୁରୁ ହୋଇ ଗଦା ହୋଇଗଲା । ବହୁ ଧସ୍ତାଧସ୍ତି, କଳିଗୋଳ ପରେ କେତେକ ପଶିଲେ, କେତେକ ଗାଡ଼ି ଦୁଆରେ ଓହ୍ଳେଇଲେ, ଠିଆ ହୁଅନ୍ତୁ ବା ବସନ୍ତୁ ଯେ ଯାହା ଭାଗ୍ୟ ଆଦରି ରହିଲେ । ଧୂଳି ଉଡ଼େଇ ଲମ୍ଫ ଦେଇ ‘ହନୁମାନ୍‍’ ଗାଡ଼ି ଚାଲିଲା, ଏଇ ଅବସ୍ଥାରେ ଲୋକେ ଓହ୍ଲଉଥାନ୍ତି, ମଧ୍ୟ ଚଢ଼ୁଥାନ୍ତି । ଏଥିରୁ ତା’ର ଗତି କଳି ହେବ ।

 

ଚତୁର୍ଦ୍ଦିଗରେ ଆଖୁ, ସୋରିଷ, ଧୂଆଁପତ୍ର, ବୁଟ ଖେତ; ମଝିରେ ଖଣ୍ଡିଏ ଖଣ୍ଡିଏ ଗ୍ରାମ । ପାଚିଲା ଲଙ୍କାମରିଚ ଖଳାରେ ଶୁଖୁଥାଏ, ଦୂରରୁ ଫଗୁ ବୁଣା ହେଲା ପରି ସୁନ୍ଦର ଦିଶୁଥାଏ । ଧୂସର ବଉଦ ପରି ଦୂରରୁ ଦେଖାଗଲା ରାଜଗିରିର ଗିରିମାଳା, ଷ୍ଟେସନରେ ପହଞ୍ଚିଲା ବେଳକୁ ପ୍ରାୟ ଗୋଟାଏ ।

 

ଟମ୍‍ଟମରେ ଜିନିଷପତ୍ର ନଦା ହେଲା, ଆବଖାବଡ଼ିଆ ରାସ୍ତା, ଗାଡ଼ି ପଡ଼ୁଥାଏ, ଉଠୁଥାଏ, କେଉଁଠି ଏଭଳି ଅଣେଇ ହୋଇ ଯାଉଥାଏ—ସାକ୍ଷାତେ ଓଲଟି ପଡ଼ିବ । ଗତ ବର୍ଷ ଘୋଡ଼ାରୁ ପଡ଼ି ହାତ ଭାଙ୍ଗିଛି, ଏବେ ସାମାନ୍ୟ ଆପଦରେ ବି ଶଙ୍କା ଆସୁଛି । ଧୂଳିଆ ରାସ୍ତାରେ ବୁଲି ବୁଲି ଶ୍ଵେତାମ୍ବର ଧର୍ମଶାଳାରେ ପହଞ୍ଚିଲୁ—ମ୍ୟାନେଜର ମଥୁରାଜି, ବସନ୍ତମୁହାଁ, ପେଟଟି ତଳେ ଥୋଇ ବସିଛନ୍ତି । ପଚାରି ବୁଝିଲେ—ଆମେ ହିନ୍ଦୁ । ଜୈନ ଧର୍ମଶାଳାରେ ହିନ୍ଦୁଙ୍କ ଲାଗି ସେତିକି ବେଳେ ସ୍ଥାନ ମିଳେ, ଯେତେବେଳେ ଜୈନ ନ ଆସନ୍ତି । ଶୀତଦିନ, ଉଷ୍ମପ୍ରସ୍ରବଣରେ ସ୍ନାନ ପ୍ରୀତିକର । ବହୁଲୋକ ଆସି ଧର୍ମଶାଳା ପୂର୍ଣ୍ଣ କରିଦେଲେଣି, ମଥୁରାଜି ମନା କରିଦେଲେ, ସଙ୍ଗେ ସଙ୍ଗେ ଜଣେ ଜୈନ ଆସି ରହିଲେ । ଇଚ୍ଛା ହେଲା—ଜୈନ ହୋଇଯାନ୍ତି ହେଲେ । ଭାବି ଦେଖିଲି—ମୁଁ ତ ଅଜୈନ ନୁହେଁ । ବଡ଼ଦିନ ଛୁଟି; ହୋଟେଲ, ଧର୍ମଶାଳା ସବୁଆଡ଼େ ଭିଡ଼ ! କୋଉଠି ରହିବା ? ଖାଇବା ତ ଦୂରର କଥା । ଶୀତ ଦିନ, ରାତିରେ ଟିକିଏ ଆଶ୍ରା ନ ପାଇଲେ ଆମ ଅବସ୍ଥା କ’ଣ ହେବ ? ଟମ୍‍ଟମ୍‍ବାଲା ବଡ଼ ବିରକ୍ତ ହେଲାଣି; ‘ମୋ ଭଡ଼ା ଦିଅ, ମୁଁ ଚାଲିଯିବି । ତୁମ ଦୁଃଖ ତୁମର, ଏକାନ୍ତ ତୁମର ।’ ଜିନିଷପତ୍ର ଧର୍ମଶାଳା ପିଣ୍ଡାରେ ଥୋଇ ପଦବ୍ରଜରେ ଭଡ଼ାଘର ଖୋଜି ବାହାରିଲୁ ।

ସନାତନ ଧର୍ମଶାଳାର ମ୍ୟାନେଜର ଦୁଧନାଥଜିଙ୍କ ଦୃଷ୍ଟି ଆମ ଉପରେ ପଡ଼ିଲା । ଲଣ୍ଡିତ ମୁଣ୍ଡ, ପାଚିଲା ଦାଢ଼ି, କପାଳରେ ଚିତା, ହାତରେ ଜପାମାଳି, ମାଳି ଗଡ଼ାଉଥାନ୍ତି, ଏଣେ ଲୋକଙ୍କ ସଙ୍ଗେ କଥାଭାଷା ହେଉଥାନ୍ତି । ସେ କଲିକତାର କେଉଁ ବାଣିଜ୍ୟ ଅଫିସରେ ପିଅନ କାମ କରୁଥିଲେ, ଘର ଉତ୍ତର ପ୍ରଦେଶ । ତାଙ୍କ ଧର୍ମଭାବ ଦେଖି ଧର୍ମଶାଳା ମାଲିକ ତାଙ୍କୁ ମ୍ୟାନେଜର ଭାବେ ନିଯୁକ୍ତ କରିଛନ୍ତି । ସତକର୍ମର ପୁରସ୍କାର ପରଲୋକରେ ନୁହେଁ, ଇହଲୋକରେ ବି ମନୁଷ୍ୟ ଉପଭୋଗ କରେ । ଦୁଧନାଥଜି ବଡ଼ ସମ୍ମାନରେ ଆମକୁ ନେଇ ରଖାଇଲେ ।

ଯେଉଁ କୋଠରୀରେ ରହିଲୁ, ସେଥିରେ ନୂଆ ପଲସ୍ତରା କରାହୋଇଛି । କାହିଁକି ? ଦୁଧନାଥଜି କହିଲେ, ଏଇ ଧର୍ମଶାଳାର ନିର୍ମାଣ କାଳ ୧୯୦୪, ଏହାର ନିର୍ମାତା ହରେକୃଷ୍ଣ ଦାସ ସରାଓଗୀ ଜଣେ ନାମଜାଦା ବ୍ୟବସାୟୀ ଥିଲେ । ୧୯୩୪ ମୁଙ୍ଗେର ଭୂମିକମ୍ପରେ ଏହାର ଉପର ମହଲା ଅଜାଡ଼ି ହୋଇପଡ଼ିଥିଲା । ବହୁ ବର୍ଷ ପର୍ଯ୍ୟନ୍ତ ଭଗ୍ନ ଅବସ୍ଥାରେ ରହିଲା ପରେ ଏବେ ମରାମତି କରା ହୋଇଛି, ହରେକୃଷ୍ଣ ଦାସ ଯେଉଁ ବିସ୍ତର ଅର୍ଥ ସଞ୍ଚୟ କରିଥିଲେ ତହିଁରେ । ପୁତ୍ର ଅଳସ ବିଳାସରେ ଦିନ କାଟିଲେ, ପିତୃକୀର୍ତ୍ତି ରକ୍ଷା କଲେ ନାହିଁ । ଅର୍ଜନ ନ କରି ବହୁ ବ୍ୟୟ କଲେ ବି ସଞ୍ଚିତ ଅର୍ଥ ଶେଷ ହେଲା ନାହିଁ । ସେଇ ଟଙ୍କାକୁ ଚାହିଁ ନାତି ବି ବ୍ୟବସାୟ କରୁନାହାନ୍ତି । କଲିକତାରେ ହରେକୃଷ୍ଣଙ୍କର ଛ’ଟି ବଡ଼ କୋଠା ଅଛି, ଏବେ ସେଥିରୁ ମାସିକ ସାତ ହଜାର ଟଙ୍କା ଭଡ଼ା ମିଳେ, ସଞ୍ଚିତ ଅର୍ଥ ବି ବହୁତ ଅଛି । ଅଳସ ଅୟସ ହିଁ ନାତିଙ୍କର ଜୀବନର ଏକମାତ୍ର ବ୍ରତ ହୋଇଅଛି । କିପରି ସଦଜ୍ଞାନ ଉପୁଜିଲା, ଏବେ ସେ ବଡ଼ ବାପାଙ୍କ କୀର୍ତ୍ତିର ପୁନରୁଦ୍ଧାର କରୁଅଛନ୍ତି-

 

ଘରଣୀ ସିନା ଘର ଛାଡ଼ିଲେ, ଘରକରଣା ଅଭ୍ୟାସ ତାଙ୍କୁ ଛାଡ଼ିଲା ନାହିଁ । ଧର୍ମଶାଳା ଘରକୁ ଦିନକେ ଦଶ ବାରଥର ଓଳେଇ ପୋଛି ଏକଦମ୍‍ ଚିକ୍‍ ଚିକ୍‍ କରିଦେଲେ । କଅଁଳ ହାତରେ ଆଉଁସା ଘଷାରେ ଘରକୁ ବଡ଼ ଆରାମ୍‍ ଲାଗିଥିବ ପରା । ସୃଷ୍ଟିଦିନୁ ସେ ଏତେ ଗୁଡ଼ାଏ ଆଦର ଯତ୍ନ କେଉଁଠୁ ପାଇନାହିଁ । କହିଲି ‘ତୁମେ ତ ଆଚ୍ଛା ଲୋକ, ପେଟରେ ନିଆଁ ହୁଳା ଜଳୁଛି, ସଫାସଫି କରୁଛ କ’ଣ ?’ ଗୃହିଣୀ ଟିକିଏ ହସି କହିଲେ ‘ଭୋକ ହେଲାଣି, ନା ?’

 

‘ତୁମର ଆଉ ଟିକିଏ ମଣ କରିବାର ଅଛି ?’

 

‘ହଇଏ, ରୋଗୀ ଫୋଗୀ ଥିବେ, ଟିକିଏ ଓଳାଓଳି ଧୁଆଧୋଇ ନ କଲେ କେମିତି ରନ୍ଧାବଢ଼ା କରିବା କହିଲ ?’

 

ଗୁହିଣୀ ଆମ ବିକଳ ଦେଖି ନିଜ କାର୍ଯ୍ୟକାରୀ ଶକ୍ତିକି ଦଶଗୁଣ ବଢ଼ାଇଦେଲେ, ଦଶମିନିଟ ମଧ୍ୟରେ ଘରଟି ହସିଲା । କହିଲି—‘ରାତି ଅନିଦ୍ରାରୁ ବଳି ବାଧା ନାହିଁ, ତା’ ଉପରକୁ ଭୋକ । ଚାଲ ହୋଟେଲକୁ ଯିବା ।'

 

ଗୃହିଣୀ କହିଲେ, ତା’ ହେବ ନାହିଁ, ଅର୍ଥାତ ରନ୍ଧାବଢ଼ା ହେବ । ଯାଅ ବଜାରରୁ କିଛି ପନିପରିବା ଆଣ !

 

‘ଯେ ଆଜ୍ଞା ।‘

 

ଗୃହିଣୀ ସ୍ପିରିଟ, ଦିଆସିଲି ସଙ୍ଗରେ ଆଣିଥିଲେ, ଷ୍ଟୋଭ ଲଗାଇଲେ, ଡେକଚି ବସିଲା, ପାଣି ତାତିଲା, ଧୁଆହୋଇ କର୍ପୂରଗୁଣ୍ଡି ଚାଉଳ ପଡ଼ିଲା, ତା’ ସଙ୍ଗେ କିଛି ଭଜା ମୁଗ, ବିଲାତୀ ଆଳୁ ଆଉ କୋବି । କୋବି ଆଳୁ ଚକଟା ହେଲା, ଖଲିପତ୍ରରେ ଗରମ ଖେଚୁଡ଼ି ବଢ଼ାହେଲା, ଚିପୁଡ଼ା ହେଲା ଲେମ୍ବୁ, ପଡ଼ିଲା ଚାମୁଚ ଦୁଇ ଲେଖାଏଁ ଗୁଆ ଘିଅ । କହନ୍ତି, ଭୋକବେଳେ ଆମ୍ବିଳା ଆମ୍ବ ସୁଆଦ, ଆମ ଆମ୍ବ ଯେ ମିଠା ! ପରମ ତୃପ୍ତିରେ ଖାଇଦେଲୁ । ତା’ପରେ ଘର ସଜଡ଼ା ସଜଡ଼ି ହେଲା, ଗୋଟିଏ ଅଳଗୁଣି ବାନ୍ଧିଲୁ, ମେଲା ଦୁଆର ବାଟେ ଥଣ୍ଡା ପବନ ହୁ ହୁ ହୋଇ ପଶି ଆସୁଥାଏ । ଗୋଟିଏ ସତରଞ୍ଜି ଟାଙ୍ଗିଲୁ । ସୁରେଇଟିଏ କିଣି ପାଣି ଛାଣି ରଖିଲୁ । ଗୃହିଣୀ ବାସନ ମାଜି ବସିଲେ, ମୁଁ କାଢ଼ିଲି ପାଣି, ସହଯୋଗର ଏ ଆସ୍ୱାଦଟିକ ବଡ଼ ଭଲ ଲାଗିଲା ।

ଏଥିଲାଗି ମୋର ଲୋଭ କମ୍‍ ନୁହେଁ, କିନ୍ତୁ ହାତ ଅନଭ୍ୟସ୍ତ । ମୋ କାମ ଗୃହିଣୀଙ୍କ ମନକୁ ପାଏ ନାହିଁ । ତାଙ୍କ କଳନାରେ ଗୃହକର୍ମରେ ମୁଁ ଗୋଟିଏ ଅପଦାର୍ଥ । ମୁଁ ଏହା ମୁଣ୍ଡପାତି ସ୍ଵୀକାର କରିନେବାକୁ ରାଜି ନୁହେଁ । ବୁଝନ୍ତୁ, ପରିବାକଟା କାମଟା ଏଭଳି କିଛି କଷ୍ଟ ନୁହେଁ, ମୋ ଦେହି ଯାହି ତାହି ହେବ, ହୁଏତ ବଙ୍କାଢଙ୍କା ହେବ, ହେଉ କ୍ଷତି କ’ଣ ? ଗୃହିଣୀ ବୋଲିବେ—ଏଥିରେ ବି କଳାବିଦ୍ୟାର ଆବଶ୍ୟକତା ଅଛି । କଦଳୀ କଟା ହେବ, ପ୍ରତ୍ୟେକ ଖଣ୍ଡ ସିଧା, ସମାନ-। ଅବାଧ୍ୟ ହୁଏ, ମୁଁ ସେ ବଙ୍କାଢଙ୍କା ତରକାରୀ ସିଝା ଖାଇବି । ଗୃହିଣୀ ଦ୍ଵିତୀୟ ପ୍ରଶ୍ନ ପଚାରନ୍ତି–ହାତ କାଟିଲେ ତୁମପାଇଁ ଔଷଧ କୋଉଠୁ ଆଣିବି ?

ଶେଯ ପକେଇବା କାମଟି ଗୃହିଣୀଙ୍କର ଏକାନ୍ତ ଏକଚାଟିଆ, ସେଥିରୁ ସେ କାହାକୁ ଭାଗ ଦେବେ ନାହିଁ । ତାଙ୍କ ରାସ୍ତାରୁ ପାଖେଇ ଗଲେ ଯଥେଷ୍ଟ । ଅସ୍ଥାୟୀ ନୂତନ ନୀଡ଼ ବ୍ୟବସ୍ଥା ମଧ୍ୟରେ ଲୁଗାକଚା କାମଟା ବି ବାଦ ପଡ଼ିଲା ନାହିଁ । ଜାଗାଟା ଯେମନ୍ତ ଧୂଳିଆ, ଥରେ ବୁଲି ଆସିଲେ ଲୁଗାପଟା ମସିଆ ହୋଇଯାଏ । ଦିନେ ରାଗିଯାଇ କହିଲି, “ବାହାରକୁ ଆଉ ଆସିଲ କାହିଁକି ? ମୁଣ୍ଡରେ ଘର ଚିନ୍ତା, କାର୍ଯ୍ୟ ତ ଘର କାର୍ଯ୍ୟ, ସବୁବେଳେ ଘର—ଘର, ବାହାର ଜଗତଟା ତୁମ ନିକଟରେ ଗୋଟାଏ ବିରାଟ ଅସାଫଲ୍ୟ ।’’ ଗୃହିଣୀ କହିଲେ, “ବାହାରେ ଚଳିବାର ଅସୁବିଧା ହେବାରୁ ତ ଲୋକେ ଘର କଲେ ।’’

ସନ୍ଧ୍ୟା । ଗୃହିଣୀ କହିଲେ, “ଆରେ, ଆରେ, ବେଲଣା ପେଡ଼ିଟା ତ ଛାଡ଼ି ଅଇଲି, ରୁଟି ବେଲିବି କେମିତି ? ଥାଳୀ ପଟେ ତ ଆଣିଲି ନାହିଁ, ରୁଟି ଚକଟିବି କେମିତି ?”

‘ଅଧ ଶଗଡ଼େ ଜିନିଷ ତ ଆଣିଲ, ଆଉ କ’ଣ ଘରଟାକୁ ଉଡ଼େଇ ଆଣିଥାନ୍ତ ?”

‘କିଛି ତ ଆଣିବ ନାହିଁ, କହୁନା, ଏଇଲେ ରୁଟି କେମିତି ହେବ ?’

‘ମୁଁ କହିବି ?’

‘ସବୁବେଳେ ବାହାରେ ବାଁ ଖାଡ଼ିଆ ଦେଇ ବୁଲି ବୁଲି ତୁମକୁ ଘର କାମ କିଛି ହେଲେ ଦିଶୁ ନାହିଁ ।‘

କଥାଟା ହୁଏତ ସତ, ତା’ ବୋଲି ଏଇଆ ଉଘେଇବେ ? ତାଙ୍କୁ ଗୋଟାଏ ଜବାବ୍‍ ଦିଆଯାଉ—‘ତୁମକୁ ବାହାର କାମ ଯେମିତି ଦିଶୁ ନାହିଁ ।’

 

ଗୃହିଣୀଙ୍କ କ୍ରୋଧର ଉତ୍ତାପଟା ଯେପରି ଡିଗ୍ରିରେ ଉଠୁଥିଲା, ବୋମା ହୋଇ ହଠାତ୍‍ ମୋ ଉପରେ ହୁଏତ ଫୁଟିଥାନ୍ତା । ମୁଁ ଟିକିଏ ହସି ଦେଇ ନିଆଁ ଝୋଲ ପକାଇ ବାରୁଦଟାକୁ ଆଗରୁ ଜାଳି ଦେଲି । ତା’ପରେ ସମସ୍ୟାକୁ ମୁଣ୍ଡରେ ଘେନି ବଜାରକୁ ବାହାରି ପଡ଼ିଲି । ଜଣେ ଦୋକାନୀ ପାଖରେ ପହଞ୍ଚି କହିଲି, ‘ତୁମ ଜାଗାର ଅତିଥି ଆମେ, ଖଣ୍ଡିଏ ଥାଳୀ ଦିଅ ।’ ଦୋକାନୀ ନୀରବ ହେଲା, ଏ ଅନୁରୋଧରେ ସେ ଏତେ ଆଶ୍ଚର୍ଯ୍ୟ ହେଲା ଯେ କିଛି—କାଳ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇପାରିଲା ନାହିଁ । ହୁଏତ ମନେମନେ ଭାବିଲା—“ତୁମ ପରି ଅତିଥି, ତୁମ ପରି ବାବୁ, ତୁମଠାରୁ ଢେର ବଡ଼ ବଡ଼ ବାବୁ ଏଠିକି ଆସନ୍ତି, କିନ୍ତୁ କେହି ଏମିତି......”

 

‘ବଡ଼ ଅସୁବିଧାରେ ପଡ଼ିଛୁ ।’

 

‘ଆମର ଅଳ୍ପ ଥାଳୀ, ଆମେ ଫେର୍‍ ଚଳିବୁ କେମିତି ?’

 

‘ଆମେ ଯେ ଚୂଡ଼ାନ୍ତ ଅସୁବିଧାରେ ପଡ଼ିଛୁ । ତୁମର ଟିକିଏ ଅସୁବିଧା ହେବ, ଜଣେ ଖାଇବା ପରେ ଥାଳୀ ଧୋଇଦେଲେ ଆଉ ଜଣେ ଖାଇପାରେ ।’

 

‘ସବୁବେଳେ ଏମିତି ପର ଉପକାର କଲେ ଆମେ ଆଉ ଚଳି ପାରିବୁ ନାହିଁ ।’

 

‘ମୋର ମନେ ହେଉଛି, ତୁମେତ ଏଉଳି ଉପକାର କେବେ କରିନାହଁ ।’

 

‘କରିନାହିଁ ମାନେ ମୁଁ ଲୋକଙ୍କୁ ଜାଣେ ।’

 

‘କ’ଣ ଜାଣ ?’

 

‘ସମସ୍ତେ କ’ଣ ଭଲ ଲୋକ ?’

 

‘ସମସ୍ତେ କ’ଣ ଖରାପ ଲୋକ ?’

 

‘କିଏ ଭଲ, କିଏ ମନ୍ଦ କେମିତି ଜାଣିବା ?’

 

‘ବ୍ୟବହାରରୁ ।’

 

‘ଆମର ଏତେ ନାଟରେ କିଏ ପଶେ ହୋ ? ଆମ ଦୁଃଖରେ ଆମେ ଚଳୁ ।’

 

‘ତୁମ ଦୁଃଖରେ ତୁମେ ଚଳିଲେ ତ ହେବ ନାହିଁ, ଦୁନିଆ ଦୁଃଖ ତୁମକୁ ଦେଖିବାକୁ ହେବ, ଯେମିତି ଦୁନିଆ ତୁମ ଦୁଃଖ ଦେଖୁଛି ।’

 

‘ହଁ, ଦୁନିଆ ଖାଲି ଅଜାଡ଼ି ପକାଉଛି !’

 

‘ଅଜାଡ଼ି ପକାଇଲେ କ’ଣ ଅଧିକ ହୁଅନ୍ତା ? ଦୁନିଆ ନ ଥାଇ ତୁମେ ଯଦି ଏକୁଟିଆ ଥାନ୍ତ କ’ଣ ଚଳିପାରନ୍ତ ? ଏ ଲୁଗାଖଣ୍ଡି ଯାହାକୁ ପିନ୍ଧିଚ, କ’ଣ ବୁଣି ପାରନ୍ତ ? ଏ ଘର ଖଣ୍ଡି; ଯହିଁରେ ବସବାସ କରୁଛ, କ’ଣ ତୋଳି ପାରନ୍ତ ? ଖାଲି ପଇସା ଦେଇ କିଣିଛ ବା କରିଛ ବୋଲି କହିଲେ ଯଥେଷ୍ଟ ହେବନାହିଁ ।’

 

‘ମୁଁ କ’ଣ ତା’ ବୁଝିନାହିଁ ?’

 

‘ଯଦି ବୁଝିଛ, ତେବେ ଖଣ୍ଡିଏ ଥାଳୀ ପାଞ୍ଚ ସାତ ଦିନ ଲାଗି ଦେବ, ଏଥିଲାଗି ଏତେ କୁନ୍ଥୁ କୁନ୍ଥୁ ?’

 

“ଆଜ୍ଞା, ତା’ ହୋଇ ପାରିବନାହିଁ ।‘

 

‘କାହିଁକି ? ଅବିଶ୍ୱାସ ! ଥାଳୀର ଦାମ୍‍ ଖୁବ୍‍ ହେଲେ ଦେଢ଼ଟଙ୍କା ହେବ, ମୁଁ ଦୁଇଟଙ୍କା ଜମା ଦେଉଛି, ନିଅ ।’

 

‘ଆଜ୍ଞା, ଆପଣଙ୍କଠାରୁ ଟଙ୍କା ନେବି ? ନା, ହଁ, ଆପଣ କ’ଣ ଫେରାଇ ଦେବେ ନାହିଁ-?’

 

‘ନାଇଁ, ତୁମେ ରଖ, ରଖ ।’

 

ମୁହଁରେ ନାହିଁ, ପେଟରେ ହଁ । ଦୋକାନୀ ଟଙ୍କା ଦୁଇଟି ରଖିଲା, ଥାଳୀ ଖଣ୍ଡ ଦେଲା । ଏଥିରେ ଅଟା ଚକଟା ହେଲା, ବେଲଣା କାଠିଟିଏ ଯୋଗାଡ଼ କଲାରୁ ରୁଟି ବେଲା କାମ ବି ଚଳିଗଲା ।

 

ରାତି, ଧର୍ମଶାଳାରେ ଆଲୁଅର ବ୍ୟବସ୍ଥା ନାହିଁ । ଲଣ୍ଠନଟିଏ ଆଣିଥିଲେ ଭଲ ହୋଇଥାନ୍ତା । କିଏ ଜାଣେ ଭୂମିକମ୍ପର ଏଇ ଉଚ୍ଛିଷ୍ଟ ଆମର ବାସସ୍ଥାନ ହେବ ବୋଲି ? କିଣିବା ? ଏ ଗୋଟିଏ ବଦଖର୍ଚ୍ଚ । ଘରେ ବିଜୁଳିବତୀ ଅଛି, ଲଣ୍ଠନଟା କି କାର୍ଯ୍ୟରେ ଲାଗିବ, ବଜାରକୁ ଯାଇ ଗୋଟିଏ ଡିବି କିଣିଲି । କନା ଟିକିଏ ମାଗି ବଳିତା ବଳି ପକାଇଲି, ବସାରେ ତେଲ ଭର୍ତ୍ତି କରି ଦେଖିଲାବେଳକୁ, ହେ ଭଗବାନ୍‍, ସେଇଟା କଣା । ତା’ ଆରଦିନ ବଦଳାଇ ଆଉ ଗୋଟାଏ ଡିବି ଆଣିଲି । ଦୁର୍ଯୋଗକୁ ସେଇଟା ବି ସେଇଆ । ଦୋକାନୀଟା ଆଖି ଥାଇ କଣା ନା କ’ଣ ? ନୋହିଲେ ଖାଲି କଣା ଡିବି ବିକୁଥାନ୍ତା କାହିଁକି ? ଲୋକଗହଳି; ପାଣି ଭର୍ତ୍ତି କରି ଦେଖିବାକୁ ଦୋକାନୀକୁ ତର କାହିଁ ? କିଏ ମାଗୁଛି ଅଟା, କିଏ ମାଗୁଛି ଚିନି । ଯେ ବେଶୀ ଜିନିଷ କିଣୁଛି, ଦୋକାନୀର ତା’ ଉପରେ ନଜର ବେଶୀ, ଡିବି ବିକ୍ରି ଉପରେ ବେଶୀ ସମୟ ସେ ନଷ୍ଟ କରିବ କାହିଁକି ? କେତେ ଠିଆ ହେବା ? ଯାହା ମିଳିଲା ଘେନି ଚାଲ ପଳେଇଯିବା । କଣା ଡିବିଟା ଦେଖି ଗୃହିଣୀଙ୍କର ରାଗଟା ତଳିପାରୁ ତାଳୁକୁ ଚହଟିଗଲା । ସତେ ଯେମିତି ବୋକା ଦେଖି ଦୋକାନୀଟା ମୋତେ ଠକି ଦେଇଛି ! କହିଲି “ଦଢ଼ ଡିବିଟାଏ ମୁଁ କ’ଣ ଚକରେ ଗଢ଼େଇ ଥାନ୍ତି ?”

 

‘ହକ ପଇସା ଦେଇ କଣା ଡିବି କିଏ କିଣେ ?’

 

‘ଯାହାର ନିତାନ୍ତ ଦରକାର ଥାଏ, ଅଥଚ ଭଲ ଡିବିଟିଏ ପାଏନାହିଁ ।’

 

‘ଏକା ତୁମକୁ ମିଳୁନାହିଁ ।’

 

‘ଯେ ଗଲେ ବି ତା’ର ଏଇ ଦଶା ହେବ, ଅଧ ଶଗଡ଼େ ଡିବି ଗଦେଇଛି, ଦୋକାନୀ କ’ଣ ପ୍ରତ୍ୟେକଟିରେ ପାଣି ପୂରାଇ ଆଣିଛି ? ଦୋଷଟା କାରିଗରର, ସେ ଯାହିତାହି ଜିନିଷ ଗଢ଼ି ପଇସା ଠକି ନେଇଛି ।’

 

‘ଦୋଷଟା ଯାହାର ହେଉ, ଏବେ କେମିତି କାମ ଚଳିବ, କହ ।’

 

ଡିବି ତଳେ ବହଳ କରି କାଗଜ ରଖାଗଲା; ଗୃହିଣୀ ରୋଷେଇରେ ଲାଗିଲେ, ମହମବତୀଟିଏ ଲଗାଇ ମୁଁ ପଢ଼ି ବସିଲି । ଏ ପରିବେଶରେ ଲେଖାଲେଖି ଅସମ୍ଭବ । କୁନା ଦାସଙ୍କର ନିର୍ଜନତା ଲୋଡ଼ା ନାହିଁ, ଗହଳ ପ୍ରତି ସେ ସଚେତନ ନୁହନ୍ତି । ସେ ଗୋଟିଏ କବିତା ଲେଖିଲେ–

 

ଏକ ବାଘ ଥିଲା

ସେ ଖାଲି ମଣିଷ ଖାଇଲା ।

ଏବେ ସେ ଖାଉନି

ଏକ ଥିଲା ଝିଅ, ତା’ର ନାମ ବିନି ।

ସେ ବଡ଼ ବୀର

ତା’ ହାତରେ ଥାଏ ଧନୁଶର

କହେ ଖାଲି ଯମପୁରକୁ ଯିବ ଆସ

ସେଠି ଖାଲି ମଲା ମଣିଷ କରନ୍ତି ବାସ ।

ସେଠି ନ ଥାନ୍ତି ଅସୁର

ଲୋକେ ହୁଅନ୍ତି କାରବାର

ଏକ ଲୋକ ଟର୍ପେଡ଼ୋ ବନ୍ଧୁକ କିଣିଲା

ସବୁ ଯୁଦ୍ଧରେ ସେ ଜିଣିଲା

‘ଢୁ’ କରି ଫୁଟାଇ ତାକୁ ମାଇଲା ।

 

ଛ’ ବର୍ଷ ବୟସ୍କ କୁନା ଦାସଙ୍କର ପହିଲି କବିତା ଏ । ଏଥିରେ ଭାବର ସଂହତି ନାହିଁ, ତାଙ୍କର ଅନର୍ଥକ ଦରୋଟି କଥା ଓ ଚପଳ ମନର ଅସଂଲଗ୍ନ ଭାବମୂର୍ତ୍ତି ହୋଇଅଛି ।

 

ପଙ୍ଗତ ହେଲା । କୋବି, ଆଳୁ, ବିଲାତୀ ବାଇଗଣ, ବିଟ୍‍, ଗାଜର, ମଟର ଛୁଇଁ ସିଝା, ଗୋଟିଏ ମାତ୍ର ତରକାରୀ, ବିଶୁଦ୍ଧ ମଇଁଷି ଘିଅରେ ଛୁଙ୍କ ହୁଏ । କେହି ଯେପରି ମନେ ନ କରନ୍ତି ଯେ ଏଠି ଖାଣ୍ଟି ଘିଅ ମିଳେ । ଦାଲଦା ବାହାରିଲା ଦିନୁ କି ସହର କି ମଫସଲ ସର୍ବତ୍ର ଖାଣ୍ଟି ଘିଅ ଦୁଃସ୍ଵପ୍ନ ହୋଇଅଛି । ଏବେ ଗରିବ ଲୋକେ ଠକାମି ଶିଖୁଛନ୍ତି, ଦାଲଦା ସଙ୍ଗେ ମଇଁଷି ଘିଅ ମିଶାଇ ତରଳାଇ ଦେଉଛନ୍ତି, ଏହା ବସିଗଲା ପରେ ତା’ ଉପରେ କିଛି ଖାଣ୍ଟି ମଇଁଷି ଘିଅ ରଖୁଛନ୍ତି-। ଯେ ବାରିବ ଉପର ମଇଁଷି ଘିଅ ଦେଖି ବାରିବ, ବେଶ୍‍ ସୁବାସିତ । ଦାମ୍‍ ଅଢ଼େଇ ଟଙ୍କାରୁ ତିନି ଟଙ୍କା । ସହର ଘିଅ-ରଙ୍କ ବାବୁଙ୍କୁ ଏ ଚମତ୍କାର । ଆମେ ଯୋଉ ମଫସଲରେ ବୁଲି ଘିଅ ଆଣିଲୁ, ସେଠି ଠକ ସଭ୍ୟତା ପଶି ନାହିଁ । ଘିଅକୁ ବଳି ଦୁଧ । ଦାମ୍‍ ସେରକୁ ତିନି ଅଣାରୁ ଆଠ ଅଣା-। ଗଉଡ଼ମାନେ ଭାରତର ସର୍ବତ୍ର ସମାନ, ଯେମିତି ଖଣ୍ଡଗିରି ସେମିତି ରାଜଗିରି । ସେମାନେ ଦୁଧରେ ପାଣି ମିଶାଇବେ ଇ ମିଶାଇବେ । ଯଦି ପଚାରିବ—ଖାଣ୍ଟି ? ‘ଆଖି ଛୁଉଁଛି, ମହାପୁରୁଙ୍କ ଦ୍ଵାହି’; ମିଛକୁ ସତ କରିବା ଲାଗି ଆଖି ଛୁଇଁଲେ ଫୁଟେ ନାହିଁ, ମହାପୁରୁଙ୍କ ସହସ୍ର ଦ୍ଵାହି ପକାଇଲେ ବି ସେ ସରୁ କାନମୋଡ଼ାଟିଏ ଦିଅନ୍ତି ନାହିଁ, ଏ ବିଶ୍ଵାସ ଲୋକଙ୍କ ମନରେ ବଦ୍ଧମୂଳ ହୋଇଗଲାଣି-। ନିଜେ ବିଶ୍ଵାସ ନ କଲେ ବି ବ୍ୟବସାୟ ଉପଲକ୍ଷ୍ୟରେ ଆଖି କାନ ଛୁଇଁ ସେମାନେ ଖରିଦଦାରଙ୍କ ମନରେ ବିଶ୍ୱାସ ଜନ୍ମାନ୍ତି । ଦୁଧ ସେରେ ଦୁଇ ସେର କିଣିବା ଲାଗି ବେଶ୍‍ ଦର କଷାକଷି ଚାଲେ-

 

“କେତେ ?’’

 

“ବାରଣା ।’’

 

“ଦୁଇ ଅଣାକୁ ଯଦି ଦେବୁ ଦେଇଯା ।’’

 

“ନା ବାବୁ’ ଦୁଇଅଣାକୁ ଦୁଧ ସେର ବିକିବା ଅପେକ୍ଷା ବାଛୁରୀ ପେଇଦେବା ଭଲ ।’’

 

“ଏଥିରୁ ତ’ ତିନି ଭାଗ ପାଣି, ପାଏ ଦୁଧର ଦାମ୍‍ କ’ଣ ମୁଁ ଦେଇନାହିଁ ?”

 

“ପେଟ ଦେଖେଇ ନେବା କଥା, ଦୁଃଖୀ ଲୋକ ।”

 

‘‘ତା ନେ, କିନ୍ତୁ ଦୁଧ ପାଇଁ ଆଉ ଅଧିକ ଦିଆଯିବ ନାହିଁ ।’’

 

‘‘ଏତେ ପାଣି, ଧର୍ମ ସହିବଟିକିରେ ?’’

 

ଦୁଧବାଲା କହେ “ବାବୁ, ଯାତ୍ରୀ କ’ଣ ବୁଝିବେ ? ଯେତେ ଖାଣ୍ଟି ଦୁଧ ଆଣେ ପଛକେ ସେମାନେ ଦର କରି ବସିବେ । ଆମକୁ ପୋଷେଇବ କୋଉଠୁ ?” ଦିନେ ବିଚାରିଲି—ଗଉଡ଼ ଘରକୁ ଯାଇ ଆଣିଲେ, ଯାଉ ପଛେ ଆଠଣା, ଖାଣ୍ଟି ଦୁଧ ମିଳିବ । ତା’ ଦୁଆରେ ଡାକିଲି—ଦୁଧ ମିଳିବ ?

 

“ହଁ ।”

 

“ସେର କେତେ ?’’

 

‘‘ଆଠ ଅଣା ।’’

 

‘‘ଦୁହିଁ କରି ଦେବ ?’’

 

‘‘ଏଇଲେ ଦୁହାଁ ହୋଇଛି, ଉଷୁମ ଛାଡ଼ିନାହିଁ ।’’

 

‘‘ପାଣି ମିଶାଇନ ?’’

 

‘‘ମହାପ୍ରହୁ, ରାତ୍ରିକାଳ, ମିଛ କହିବି ?’’

 

ଦିନରେ ଧର୍ମଦେବତା, ରାତିରେ ଧ୍ରୁବ ସପ୍ତର୍ଷିମଣ୍ଡଳ ଜଗି ବସିଛନ୍ତି, ମିଛ ଆଉ କେତେବେଳେ କୁହାଯାଏ ? ବିଶ୍ଵାସ କରି ଆଣିଲି । ଗଉଡ଼ୁଣୀର ବୟସ ଚାରିକୋଡ଼ି, ବୁଝିଲେ ପରଲୋକକୁ ଟିକଟ କାଟିଲାଣି । ସେ ମିଛ କହିବ ? କାହିଁକି ବା ନ କହିବ ? ନୀତିଶାସ୍ତ୍ରବିତ୍‍ମାନେ ଯାହା କହନ୍ତୁ, ବ୍ୟବସାୟରେ ମିଛ ଚଳେ, ବୁଢ଼ୀ ପାଣି ମିଶେଇଲା, ସାଇଯାକ ସମସ୍ତେ ଏହିପରି କରନ୍ତି, ବଡ଼ବଡ଼ିଆମାନେ ବି କରୁଥିଲେ । ନରକରେ ପଡ଼ିବ ? ଭାଇବନ୍ଧୁ କୁଟୁମ୍ବଙ୍କୁ ସଙ୍ଗରେ ଘେନିଗଲେ ଦୁଃଖ ବାଧିବ ନାହିଁ । ବୁଢ଼ୀ ଫନ୍ଦିଫିକର କରି ଦି ପଇସା ଅରଜିବାକୁ ଚାହେଁ, ପେଟ ପୋଷ, ନାଇଁ ଦୋଷ । ଦୁନିଆ ତ’ ତାକୁ ନାନା ବାଟରେ ଠକୁଛି, ସେ ଠକିଲେ ଶୁଝ ଯିବ ସିନା, ପାପ ହେବ କେମିତି ? ମୁଁ ଦେଖିଲି, ଦୁଆର ମୁହଁରେ ତ ଶସ୍ତାରେ ପାଣି ମିଳୁଛି; ଦୂରକୁ ଯାଇ ବେଶୀ ପଇସା ଦେବା ଦରକାର କ’ଣ ? ତୀର୍ଥଜଳ ନୁହେଁ ତ । ଦି’ ଦିନର ବାଧା, ଶେଯରେ ପଡ଼ୁ ପଡ଼ୁ ନିଘୋଡ଼ ନିଦରେ ଶୋଇ ପଡ଼ିଲୁ । ବଡ଼ିଭୋରରୁ ଉଠି ରାଜଗିରି କୁଣ୍ଡକୁ ଗାଧୋଇ ବାହାରିଲୁ, ହାତରେ ଲୁଗାପଟା ବ୍ୟାଗ୍‍, ପୁଷ ମାସର ପାହାଡ଼ୀ ପବନ ମଞ୍ଜ ଥରେଇ ଦେଉଥାଏ । ପୁରୁଷେ ଉଞ୍ଚ ସୋରିଷ ବଢ଼ିଚି । ଫୁଲ, ଛୁଇଁ ଗଛ ଦେହଯାକ ସିଇଁ ହୋଇଯାଇଛି । ବିଲର ଚଲା ବାଟରେ କାହିଁ ବା ହିଡ଼େ ହିଡ଼େ ଚାଲିଛୁ, ଦେଖିଲୁ—ଜଣେ ଲୋକ, ପାତଳା କୁହୁଡ଼ି ଭିତରେ ତନ୍ଦ୍ରାଳୁ ଚେହେରା ଘେନି ଖଜୁରି ଗଛକୁ ଆଉଜି ବସିଛି, ସାକ୍ଷାତେ ଋଷି ତପସ୍ୟା କରୁଛନ୍ତି ।

 

ଗଛକୁ ଲଗାଇ ବାନ୍ଧିଛି ତାଳବାହୁଙ୍ଗାର ଖଣ୍ଡେ ଚାଳି, ସାମ୍ନାରେ ଜଳୁଛି ଅତଡ଼ାଏ ନିଆଁ, ବାଘଛାଲ ଉପରେ ନୁହେଁ, ପାଳ ଉପରେ ବସିଛି ଜଣେ ସିଅଳ, ତା’ ଆଗରେ ସୋମରସ ନୁହେଁ, ଥୁଆ ହୋଇଛି ଦୁଇ ମାଠିଆ ଖଜୁରି ରସ, ଫେଣ ଗଜ ଗଜ । ଆଉ ଜଣେ ସିଅଳ ଗଛ ପରେ ଗଛ ଚଢ଼ି ରସ ଆଣି ସେଥିରେ ଅଜାଡ଼ୁଛି । ସୂର୍ଯ୍ୟକିରଣ ପଡ଼ିନାହିଁ, ନିଶ୍ଚୟ ଖଜୁରି ରସ ।

 

ପଚାରିଲି—‘ସଜ ?’

 

ସିଅଳ ଜବାବ୍‍ ଦେଲା ‘ହଁ ।’

 

“ଦି ଅଣାର ଦିଅ ।’’

 

ଟିକିଏ ଚାଖି ପକାଇ “ଏ ହେ, କି ଆମ୍ବିଳା, ଏଗୁଡ଼ାକ ରସ ନୁହେଁରେ ତୁଚ୍ଛା ମଦ ।’’

 

‘‘ମିଛ କହିଲ ?’’

 

‘‘ସତ କହିଛି ।’’

 

‘‘ବହୁତ ଖରାପ ।’’

 

‘‘ବହୁତ ଆଚ୍ଛା, ଗଜା ଗଛର ରସ କ’ଣ ମିଠା ହୁଏ ?’’

 

‘‘କ’ଣ ଆମ୍ବିଳା, ପାଣିଚିଆ ହୁଏ ?’’

 

ସିଅଳ ନୀରବ ରହିଲା, ବଢ଼େଇ ଦେଲା ତା’ର କଳା କୋଚଟ ହାତ—ପଇସା ଦିଅ । ଦେଲୁ, ମଦତକ ଇଡ଼ି ଦେଇ ବିରକ୍ତ ହୋଇ ଚାଲିଲୁ । ଆମ କ୍ରୋଧ ବା ଅଭିମାନରେ ସେ ବିଚଳିତ ହେଲା ନାହିଁ, ଅନ୍ୟ ଗ୍ରାହକଙ୍କ ଆଡ଼କୁ ନଜର ଦେଲା—ସେମାନେ ଖଜୁରି ରସପାୟୀ ନୁହନ୍ତି, ମଦ୍ୟପ ।

 

ରାଜଗିରି କୁଣ୍ଡ—

 

ରାଜଗିରି ବୌଦ୍ଧ ଓ ଜୈନ ତୀର୍ଥକ୍ଷେତ୍ର, ଜଗତପ୍ରସିଦ୍ଧ । ସେଥିଲାଗି ବହୁ ଭିକ୍ଷୁ, ତୀର୍ଥଙ୍କର ଆସନ୍ତି । ପ୍ରାଚୀନ ଧ୍ୱଂସାବଶେଷ, ଗୌରବମୟ ସ୍ମୃତିଚିହ୍ନ ଅଛି, ସେଥିଲାଗି ବହୁ ଐତିହାସିକ ଆସନ୍ତି, କିନ୍ତୁ ବହୁ ସଂଖ୍ୟାରେ ଜନତାର ଆଗମନର ହେତୁ—ରାଜଗିରି କୁଣ୍ଡ; ଉଷ୍ମପ୍ରସ୍ରବଣ ରାଜଗିରିର ସର୍ବଶ୍ରେଷ୍ଠ ଆକର୍ଷଣ । ଅବୌଦ୍ଧ, ଅଜୈନ, ଅନୈତିହାସିକ ମୁଁ, ଜନତାର ସଙ୍ଗେ ଜଣେ ହୋଇ ଆସିଛି ରାଜଗିରି କୁଣ୍ଡରେ ସ୍ନାନ କରିବା ପାଇଁ, ପୁଣ୍ୟଲାଭ ନୁହେଁ, ସ୍ଵାସ୍ଥ୍ୟସଂଗ୍ରହ ହିଁ ଲକ୍ଷ୍ୟ । କୁଣ୍ଡର ଜଳ କ୍ଷୁଧାବର୍ଦ୍ଧକ, ଚର୍ମରୋଗନାଶକ, ବାତରୋଗର ଉପକାରକ । ଦେବତାଙ୍କ ଅନୁଗ୍ରହ ବା ତୀର୍ଥର ମାହାତ୍ମ୍ୟ ହେତୁରୁ ହେଉ, ଆରୋଗ୍ୟ ହେବା ବିଶ୍ୱାସରେ ଅନ୍ୟ ରୋଗୀ ବି ଅଳ୍ପ ସଂଖ୍ୟାରେ ଏଠାକୁ ଆସନ୍ତି ନାହିଁ । ଶୀତ ଦିନ, ପୁଣି ବଡ଼ ଦିନ ଛୁଟି, ଏଇ ସୁଯୋଗରେ ବଡ଼ ବଡ଼ ଅଫିସର ବି ଆସିଛନ୍ତି, କୋଡ଼ିଏ ତିରିଶ ମାଇଲ ଦୂରରୁ ମଟର ଗାଡ଼ିରେ ଧନୀ ଲୋକେ ଆସିଛନ୍ତି ଆରାମ ପାଇଁ । ରାଜଗିରିର ଲୋକସଂଖ୍ୟା ଶତକରା ଶହେ ବଢ଼ିଛି । ସକାଳୁ ରାତି ବାରଟା ପର୍ଯ୍ୟନ୍ତ ଧାଡ଼ି ଚାଲିଛି, ଲୋକେ ଆସୁଛନ୍ତି, ଯାଉଛନ୍ତି । ସ୍ନାନ ପ୍ରଧାନ ଲକ୍ଷ୍ୟ, ତା’ ସଙ୍ଗେ ଶାଖା ପରି ତୀର୍ଥସ୍ଥାନ ଦେଖା । ଅସ୍ଥାୟୀ ବଜାର ବସିଛି, ରାସ୍ତା ଧାରେ ଧାରେ ଗାମୁଛା କାନି ପକାଇ ମାଗନ୍ତା ବସିଛନ୍ତି—ରୋଗୀ, ବୃଦ୍ଧ, ପତିତ । ଆସିଛନ୍ତି ବାଉଁଶରାଣୀ, ଭାଲୁ ନାଟବାଲା ।

 

ସ୍ନାନର ସୁବିଧା ଲାଗି ପ୍ରସ୍ରବଣକୁ ବହୁ ଭାଗରେ ବିଭକ୍ତ କରାଯାଇଛି । ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ସ୍ଵତନ୍ତ୍ର କୁଣ୍ଡର ବ୍ୟବସ୍ଥା ଅଛି । କୁଣ୍ଡଗୁଡ଼ିକର ଭିନ୍ନ ଭିନ୍ନ ନାମ ଅଛି—ସୂର୍ଯ୍ୟ କୁଣ୍ଡ, ଗଙ୍ଗାଯମୁନା କୁଣ୍ଡ, ବ୍ରହ୍ମକୁଣ୍ଡ । ପଥର ନାଳିବାଟେ ପାଣି ଉପରୁ ଛୋଟ ଛୋଟ ଧାରାରେ ପଡ଼ୁଛି । ଉକ୍ତ କୁଣ୍ଡମାନଙ୍କ ମଧ୍ୟରେ ବ୍ରହ୍ମ କୁଣ୍ଡଟି ଗୋଟିଏ ପୁଷ୍କରିଣୀ–ଚାରିପଟେ ପଥର ପାଚେରୀ । କୁଣ୍ଡର ଗୋଟିଏ କଣରେ ଗାଢ଼ କଳାକୃଷ୍ଣ ମୂର୍ତ୍ତି, ତାଙ୍କ ପାଦରୁ ଧାରା ଝରୁଛି । କୁଣ୍ଡଟିକୁ ଉଷ୍ମ ଜଳରେ ପୂର୍ଣ୍ଣ କରି ସୁବିଧାମତେ ଜଳ ନିଷ୍କାସନ କରିବାର ବ୍ୟବସ୍ଥା ଅଛି । ଏଠି ସ୍ତ୍ରୀ ପୁରୁଷ ଉଭୟେ ସ୍ନାନ କରୁଛନ୍ତି । ବେକେ ପାଣି, ଦିଶୁଛି ଖାଲି ମୁଣ୍ଡମାଳ; ପଣ୍ଡା ସଂକଳ୍ପ କରି ପଇସା ଛାଣିବାରେ ବ୍ୟସ୍ତ, ରୂପ ଡାହାଣୀ ଏକ ଲୟରେ ଦେଖୁଛି ନାରୀର ଯୌବନଠାଣି । ଏଠି ଏତେ ରୋଗୀ ଖୁନ୍ଦା ଖୁନ୍ଦି ହୋଇ ଗାଧୋଉଛନ୍ତି ଯେ ଯେତିକି ପୁରୁଣା ରୋଗ ଭଲ ହେବାର ଆଶା, ସେତିକି ନୂଆ ରୋଗ ଆମଦାନୀ ହେବାର ଆଶଙ୍କା ।

 

ସ୍ତ୍ରୀ ଏଠାରେ ପ୍ରବଳା । ସ୍ଵତନ୍ତ୍ରୀକୃତ ଦୁଇଟି କୁଣ୍ଡ ଛଡ଼ା ପୁରୁଷଙ୍କ ଲାଗି ନିର୍ଦ୍ଦିଷ୍ଟ ତିନୋଟି କୁଣ୍ଡ ସେ ସବଳେ ଅଧିକାର କରିଅଛି । ପାଖକୁ ଯିବା ଅଭଦ୍ରତା, କିଛି କହିବା ଏପରିକି ସେଆଡ଼କୁ ଚାହିଁବା ବି ଅଭଦ୍ରତା । ଲଜ୍ଜାକୁ ବିସର୍ଜନ ଦେଇ ଛାତିରୁ ଲୁଗାପଟା କାଢ଼ି ଯେଉଁ ପ୍ରୌଢ଼ା, ପୃଥୁଳା ମହିଳା ଜଣକ ସେଠି ବସିଛି, ଯେତେ କହିଲେ ବି ସେ ଉଠୁନାହିଁ । ତାକୁ ଗଣ୍ଠିବାତ ଧରିଛି । ଯେ ଯାହା କହୁଛି ସହି ସେ ଓଳିଏ ଲେଖାଏଁ ବସି ରହୁଛି—ରୋଗ କୌଣସିମତେ ଭଲ ହେଉ । ସେ କଣରେ ଯେଉଁ ଜଣକ ବସିଛି, ସେ ସଦ୍ୟ ଯୁବତୀ, ଚନ୍ଦ୍ରଲେଖା ପରି ଚେହେରା, ତା’ ପାଖକୁ ଯିବାକୁ କେହି ସାହସ କରୁ ନାହାନ୍ତି । ବେଳେବେଳେ ଭାରି କଳିଗୋଳ ଲାଗୁଛି । ଏ ଯୁଦ୍ଧରେ ନାରୀ ସ୍ଵୟଂ ଦୁର୍ଗା, ଖଡ୍‍ଗ ଖର୍ପର ନ ଧରି ବି ଗଡ଼ ପରେ ଗଡ଼ ଜୟ କରି ଯାଉଛି । ସେ ଯେପରି ହୁଙ୍କାର ଦେଇ ଉଠୁଛି, ସେଥିରେ ପଳାୟନ ବା ପଶ୍ଚାତ ଅପସରଣ ପୁରୁଷ ପକ୍ଷରେ ଏକମାତ୍ର ନିରାପଦ ପନ୍ଥା ।

 

ଏଠି ସାବୁନ୍‍ ଲଗାଇବା ମନା । ବାବୁ, ଆଇନ୍‍ ହୋଇଛି ଢେର, ମାନୁଛି କିଏ ? ଏଡ଼େ ସୁନ୍ଦର ଗରମ ପାଣି, ସାବୁନ ଲଗେଇ ଦେବାକୁ ଲୋଭ ନ ହେବ କାହାର ? ଏଠି ମାଇପୀ ପୁଲିସ ନାହାନ୍ତି; ପୁରୁଷ ପୁଲିସ୍‍ ଗାଧୋଇବା ଦେଖିବା ମାତ୍ରେ ତ ଦାଗୀ ହୋଇଗଲେ, ଆଉ ଦୋଷ ବାଛିବେ କ’ଣ ? ଲୋକେ ତୀର୍ଥ ଜଳରେ କଳୁଷ ଛଡ଼େଇବାକୁ ଆସିଛନ୍ତି, କଳୁଷ ତ ଦେହର ମଳିରେ ଲୁଚି ରହିଲା, ସ୍ନାନ କରି ଲାଭ କ’ଣ ? ପୁଣି ଦେହରୁ ଛାଡ଼ିଲେ ବି ଏହା ଲୁଗାପଟାରେ ଲୁଚି ରହିବା ବିଚିତ୍ର ନୁହେଁ । ତେଣୁ ଗଣ୍ଡିରାଏ ଲେଖାଏଁ ଲୁଗାପଟା କେହି କେହି ସାବୁନ୍‍ ଲଗାଇ କାଚୁଛନ୍ତି, କୁଣ୍ଡ ଏକଦମ୍‍ ଧୋବାତୁଠ ହୋଇଯାଇଛି ।

 

ସ୍ନାନାର୍ଥିନୀଙ୍କ ଦେହରେ ସାବୁନ୍‍ ଛିଟା ପଡ଼ୁଛି, ସେଥି ପ୍ରତି କଚାଳିର ଖାତିର ନାହିଁ । କଥା କହିଲେ ଓଲଟି ଦୋଷ—‘ତୁମେ କହିବାକୁ କିଏ ସେ ? ଏଇ ଜାଗାର ଲୋକ, ବୁଝିଲେ କୁଣ୍ଡର ଅଧିକାରୀ ଆମେ । ତୁମେ ଦି ଦିନିଆ, କାଲି କୁଆଡ଼େ ଯିବ, ଏତେ ଆଡ଼ା କାହିଁକି ?’ ‘ଗୋଟିଏ ଦିନ ରହିଲେ ବି ପ୍ରକୃତିର ଏହି କରୁଣା ଉତ୍ସ ଉପରେ ଆମର ଖାଣ୍ଟି ମାନବିକ ଅଧିକାର ଅଛି ।’

ପୁଲିସକୁ ଖବର ଦେଲୁ, ଏ ଅତ୍ୟାଚାର ଅସହ୍ୟ । କିନ୍ତୁ ଏଠା ପାଣି ଯେପରି ଗରମ୍‍, ପୁଲିସର ମିଞ୍ଜାସ ସେହିପରି ଥଣ୍ଡା । ସେ ନିର୍ବିଷ ସର୍ପ, କେସ୍‍ ଦେବାର ଅଧିକାର ତା’ର ନାହିଁ, ଖାଲି ଜଗୁଆଳି; ଆମ କଥାକୁ ସମ୍ମାନ ଦେବା ତଥା ନିଜ ବାହାଦୁରୀ ଜାରୀ କରିବା ଲାଗି ସେ ମନା କଲା—କ୍ଷମତାହୀନ ସ୍ଵର ବଡ଼ କ୍ଷୀଣ, କଚାଳି ଧନୀ ସମ୍ପ୍ରଦାୟର, ଜିଦରେ ଜୋର କରି ଲୁଗା ପିଟିଲେ; ଆମେ ନୀରବ ଦାର୍ଶନିକ ପାଲଟିଲୁ । ଛିଡ଼ା ହେଉଛି ନୂଆ ନୂଆ ସହର, ଗଢ଼ା ହେଉଛି କାରଖାନା, ଚାଳଘର ଜାଗାରେ କୋଠାଘର ମୁଣ୍ଡ ଟେକୁଛି, ଡିବି, ଦୀପର ସ୍ଥାନ ଅଧିକାର କରୁଛି ବିଜୁଳିବତୀ । ନୂଆ ନୂଆ ପୋଷାକରେ ଭାରତୀୟର ରୂପାନ୍ତର ହେଉଛି । ବଡ଼ ସଭ୍ୟ ଦିଶୁଛି, ବେଶରୁ ଭଦ୍ରଲୋକ ଚିହ୍ନାଯାଏ । କିନ୍ତୁ ଯୁଗ ଯୁଗର କ୍ଳେଦ ରୂପେ ଜମିଥିବା ଭାରତୀୟ ଦୁରଭ୍ୟାସ ଏବେ ବି ଦୂର ହୋଇନାହିଁ ।

କୁଣ୍ଡର ତିନି ଦିଗରେ ପାହାଡ଼—ବୈଭାର, ବିପୁଳାଚଳ, ଉଦୟଗିରି, ରତ୍ନଗିରି, ଗୃଧ୍ରକୂଟ; ପୁରାଣ ସ୍ମୃତିରେ ମହୀୟାନ୍‍ । ଆଧୁନିକ ରାଜଗିରି ସହର ନିକଟରେ ବିମ୍ବୀସାର ଓ ଅଜାତଶତ୍ରୁଙ୍କ ରାଜ୍ୟର ଧ୍ଵଂସାବଶେଷ । କୁଣ୍ଡର ଉଷ୍ମଧାରା ଶୀତଳ ହୋଇ ଏହି ଅଞ୍ଚଳକୁ ଶସ୍ୟଶାଳୀ କରିଛି । ଉକ୍ତ ପର୍ବତମାନଙ୍କରେ ବୌଦ୍ଧ ଓ ଜୈନ କୀର୍ତ୍ତି, କୁଣ୍ଡ ନିକଟରେ ହିନ୍ଦୁର ଯଜ୍ଞକୁଣ୍ଡ, ଗୋଜିଆ ଗୋଜିଆ ଦେଉଳରେ ମହାଦେବ, କାର୍ତ୍ତିକ ଓ ଗଣେଶ ପ୍ରଭୃତି ଦେବତା ପୂଜିତ-। ଗୋଟିଏ ଛୋଟ ଦେବମୂର୍ତ୍ତି ପାଖରେ ଛିଡ଼ାହୋଇ କୁନା କହିଲା, ‘ବାପା, ଦେଖ ଆମେ କେମିତି ଦିଅଙ୍କଠୁଁ ବଡ଼ ।’ ମୁଁ କହିଲି, ‘ମହିମାରେ ହେଲେ ସିନା ହେବ ।’

‘ମହିମା କ’ଣ ?’

‘ଗୁଣରେ ବଡ଼ ହେବା ।’

‘ବୋଉ ତ ଦୁଇ ଚାରି ପଇସା ଦେଇ ଗଣେଶ, କାର୍ତ୍ତିକ ମୂର୍ତ୍ତି କିଣିଛି; ଯାହାଙ୍କର ମହିମା ଅଛି ସେ କ’ଣ ବିକାକିଣା ହୁଅନ୍ତି ?’

ଅଧିକ ତତ୍ତ୍ଵ ଭିତରକୁ ନ ଯାଇ ମୁଁ ନୀରବ ହେଲି । ଏଇ କୁଣ୍ଡ ନିକଟରେ ଦିନେ ଜୟନ୍ତୀଲାଲ ମାରୱାଡ଼ିଙ୍କ ସଙ୍ଗେ ଦେଖା ହେଲା, ସେ କଲିକତାର ଜଣେ ବଡ଼ ବ୍ୟବସାୟୀ, ବେଶ୍‍ ସୂଖାଳାପୀ । ନାନା କଥା ପ୍ରସଙ୍ଗ ମଧ୍ୟରେ ପଚାରିଲେ, ‘କ’ଣ ତୀର୍ଥ ଭ୍ରମଣରେ ଆସିଛନ୍ତି ?’

‘ନା, ସ୍ଵାସ୍ଥ୍ୟ ପରିବର୍ତ୍ତନ ପାଇଁ ।’

‘ତା ସଙ୍ଗେ କିଛି ଧର୍ମ ଅର୍ଜନ ବି କରୁଛନ୍ତି ।’

‘ମୋ ବିଶ୍ଵାସ, ଧର୍ମ ଫୁଟେ କର୍ମରେ—ଯାବତୀୟ ନିତିଦିନିଆ କର୍ମରେ । ଧର୍ମକୁ ଯେ ମାଳି କୋଥଳିରେ ରଖିଛି, ନିଜ ଜୀବନରେ ଅଙ୍ଗୀଭୂତ ନ କରିଛି, ସେ ତୀର୍ଥବ୍ରତ କରିବା ନ କରିବା ସମାନ ।’ ଧର୍ମର ଏ ବ୍ୟାଖ୍ୟାଟି ବଡ଼ ଭଲ ଲାଗିଲା । ତା’ ପରେ ସେ କହିଲେ, ‘ଓଡ଼ିଆ ବଡ଼ ଧର୍ମପ୍ରାଣ ।’

‘ଚିତା ଚଇତନ, ଦିଅଁ ଦେଉଳ ଦେଖି କହୁଛନ୍ତି ?’

‘ନା, ଓଡ଼ିଆ ଧର୍ମର ପ୍ରକୃତ ଅର୍ଥରେ ଧାର୍ମିକ, ସେ ସଚ୍ଚୋଟ, ହୃଦୟବାନ୍‍, ବିଶ୍ୱାସୀ । ବ୍ୟବସାୟ କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କା ଆମେ ବିଶ୍ଵାସ କରି ଓଡ଼ିଆଙ୍କ ହାତରେ ଛାଡ଼ିଦେଇ ବରବାଦ୍‍ ହେବାର ଶଙ୍କା ନ ଥାଏ; ଏଇତକ ଚରିତ୍ର ହାସଲ କରିବା ଲାଗି ଗୋଟିଏ ଗୋଟିଏ ଜାତିକୁ ଯୁଗ ଯୁଗ ତପସ୍ୟା କରିବାକୁ ହୁଏ । ଏବେ ଲଫଙ୍ଗାଙ୍କ ସଙ୍ଗେ ପଡ଼ି କାହାର କାହାର ଚରିତ୍ର ଭ୍ରଷ୍ଟ ହେଲାଣି—ତଥାପି ଆମେ ସେମାନଙ୍କ ଉପରେ ଭରସା ରଖିଛୁ ।’

 

ବିପୁଳାଚଳ—

 

ନାମରେ ବିପୁଳ, ପ୍ରକୃତରେ ଶିଶୁପ୍ରତିମ, ଏହାର ଉଚ୍ଚତା ମାତ୍ର ୧୦୩୬ ଫୁଟ, କ୍ଷୁଦ୍ର ହେଲେହେଁ ଏହା ମହତ୍‍, ମହୀୟାନ୍‍ । ବୁଦ୍ଧଦେବ ରାଜଗୃହକୁ ଆସି ଏହାର କୌଣସି ଗୋଟିଏ ଗୁମ୍ଫାରେ ରହିଥିଲେ, ପୁଣି ମହାବୀର ଏହା ଉପରେ ଛିଡ଼ା ହୋଇ ଧର୍ମପ୍ରଚାର କରିଥିଲେ; ଏହାର ପ୍ରତ୍ୟେକ ପ୍ରସ୍ତର ଦୁଇ ମହାତ୍ମାଙ୍କ ଚରଣ ସ୍ପର୍ଶରେ ପବିତ୍ର; ତେଣୁ ଏହି ପାହାଡ଼ ଖାଲି ମାଟି ପ୍ରସ୍ତରର ଏକ ସ୍ତୂପ ନୁହେଁ, ଯଥାର୍ଥରେ ଅତୀତର ଗୌରବୋଜ୍ଵଳ କୀର୍ତ୍ତିସ୍ତମ୍ଭ !

 

ଏହାର ପାଦଦେଶର ଏକାଂଶରେ ମକଦୁମ କୁଣ୍ଡ; ମକଦୁମସା ନାମକ ବିହାରର ଜଣେ ମୁସଲମାନ ଏହି ପାହାଡ଼ର କନ୍ଦରରେ ବାସ କରିଥିଲେ । ଏବେ ମୁସଲମାନଙ୍କର ଏହା ଏକ ତୀର୍ଥସ୍ଥାନ । ଏଠି କେତୋଟି ଉଷ୍ମ ଜଳକୁଣ୍ଡ ଅଛି, କେବଳ ମୁସଲମାନମାନଙ୍କ ଲାଗି ଉଦ୍ଦିଷ୍ଟ । ସାଧୁମାନଙ୍କ ରହଣି ଲାଗି କେତେକ ଗୃହ ଓ ପ୍ରାର୍ଥନା ଲାଗି ମସଜିଦ ନିର୍ମିତ ହୋଇଅଛି ।

 

ଅନ୍ୟାଂଶରେ ସୂର୍ଯକୁଣ୍ଡ, ଏହା ହିନ୍ଦୁଙ୍କର । କୁଣ୍ଡକୁ ଲାଗି ହଟକେଶ୍ୱର ମହାଦେବ, ଚତୁର୍ମୁଖୀ ମହାଦେବ, ମହାଦେବ ବିଷ୍ଣୁ, ଗଣେଶ, କାର୍ତ୍ତିକେୟଙ୍କ ମନ୍ଦିର ରହିଅଛି । ମୂର୍ତ୍ତି ପ୍ରାଚୀନ; ମନ୍ଦିର ଆଧୁନିକ, ସମ୍ଭବତଃ ପ୍ରାଚୀନ ଧ୍ୱଂସାବଶେଷ ଉପରେ ନିର୍ମିତ ହୋଇଅଛି ।

 

ବିପୁଳଗିରି ସୁଗମ; କୌଣସି ଧର୍ମପ୍ରାଣ ମାରୱାଡ଼ୀ ବିପୁଳ ଅର୍ଥ ବ୍ୟୟରେ ଶିଖରଦେଶ ପର୍ଯ୍ୟନ୍ତ ସୋପାନ ନିର୍ମାଣ କରିଅଛନ୍ତି, ଶ୍ଵେତାମ୍ବର, ଦିଗମ୍ବର, ସନାତନ ଧର୍ମଶାଳା ବି ସେଇମାନଙ୍କ କୀର୍ତ୍ତି । ଗୃହିଣୀ କହିଲେ, “ସେମାନେ ପର୍ବତ ପ୍ରମାଣେ ଧନ ଆଉ ପାପ ଅର୍ଜନ କରନ୍ତି; ଏ ବିପୁଳ ପାପକୁ ଧୂଳିଏ ଧନରେ ପ୍ରାୟଶ୍ଚିତ କରନ୍ତି, ତା’ର ଫଳ ଏଇ ସୋପାନ, ଦେଉଳ, ଧର୍ମଶାଳା । ଚା’ରେ ଚମଡ଼ାଗୁଣ୍ଡ, ଚିନିରେ କାଚଗୁଣ୍ଡ ମିଶାଇ ସେମାନେ ପ୍ରତିଦିନ ଶତ ଶତ ବ୍ୟକ୍ତିଙ୍କୁ ରୋଗଗ୍ରସ୍ତ କରନ୍ତି, ହତ୍ୟା କରନ୍ତି—ଆତତାୟୀ । ଏ ଦେଶରେ ଜଣକୁ ଜଣେ ମାଇଲେ ଫାଶି, କିନ୍ତୁ ଯେ ସମଗ୍ର ଜାତିକି ରୁଗ୍‍ଣ କରେ ତାକୁ ସାତଖୁଣ ମାଫ୍‍ ।’’

 

ମୁଁ କହିଲି, “ଏଥିଲାଗି ସବୁ ମାରୱାଡ଼ୀଙ୍କୁ ଦୋଷ ଦେବା ଠିକ୍‍ ନୁହେଁ । ଦଳେ ଅସାଧୁ ଅଛନ୍ତି—ଯେ କୌଣସି ଉପାୟରେ ସେମାନେ ଅର୍ଥ ସଞ୍ଚୟ କରନ୍ତି । ଅର୍ଥର ଇନ୍ଦ୍ରଜାଲ ବଳରେ ଅଫିସରଙ୍କୁ ବଶ କରନ୍ତି; ସେମାନଙ୍କ ଲାଗି ଅନ୍ୟମାନଙ୍କର ବଦନାମ; ଗାଆଁରୁ ଜଣେ ବଡ଼ ଚୋର ବାହାରିଲେ ଗାଆଁଟା ଚୋର ଗାଆଁ ନାମରେ ପରିଚିତ ହୋଇଯାଏ ।’’

 

“ସାଧୁ ବ୍ୟବସାୟୀମାନେ ସେମାନଙ୍କୁ ବାସନ୍ଦ ନ କରନ୍ତି କାହିଁକି ? ସରକାର ମଣିଷମରାକୁ ଧରୁଛନ୍ତି; ସମାଜର ଏଇ ଶତ୍ରୁକୁ ଦଣ୍ଡିତ କରିପାରନ୍ତି ନାହିଁ ?”

 

“ଆମର ନାନା ଗଲତି ଅଛି । ତଥାପି ଏଇ ଅମର କୀର୍ତ୍ତି ତଳେ ନିର୍ମାତାର ବିଶ୍ଵଲାଗି ଯେ ଗଭୀର କଲ୍ୟାଣ କାମନା ନିହିତ ଅଛି ତାହା ଅସ୍ଵୀକାର କରିବାର ବାଟ ନାହିଁ । ଏ ସୋପାନତକ ନ ଥିଲେ ଆମେ ଏବେ ଜଙ୍ଗଲ କଣ୍ଟା, ଢେଲା ଢିମା ଭିତରେ ବଡ଼ କଷ୍ଟରେ ଉପରକୁ ଉଠିଥାନ୍ତେ । ମହତ୍‍ ବ୍ୟକ୍ତିର ଜୟ ହେଉ ।’’

 

“ଶନୈଃ ପନ୍ଥାଃ, ଶନୈଃ କନ୍ଥାଃ, ଶନୈଃ ପର୍ବତଲଘନଂ”—ହଟକେଶ୍ୱର ମହାଦେବଙ୍କ ପୀଠରୁ ଆମେ ଧୀରେ ଧୀରେ ପାହାଡ଼ ଉପରକୁ ଉଠିଲୁ । ଛୋଟ ଛୋଟ ଅନେକଗୁଡ଼ିଏ ଶୃଙ୍ଗ, ପଥରେ ଖୁବ୍‍ ବଡ଼ ଉଠାଣି ବା ଗଡ଼ାଣି ନାହିଁ । ବିଶେଷ କଷ୍ଟ ନ ହେବା କଥା । କିନ୍ତୁ ଲତା ଆଉ କୁନାର ଏ ପହିଲି ପାହାଡ଼ଚଢ଼ା । ପାଦ ଯେତେବେଳେ ଘୋଳି ହେଲା ଲତା ରାଗିଯାଇ କହିଲେ, “ମଲା ମୋ ମହାବୀରି, ପାହାଡ଼ ଉପରକୁ ଉଠୁଥିଲେ କାହିଁକି ? ତଳେ ବସି ଧର୍ମପ୍ରଚାର କରିଥିଲେ କ’ଣ ହୋଇ ନ ଥାନ୍ତା ।’’

 

‘ମହାପୁରୁଷଙ୍କୁ ‘ମଲା’ ତଳେ ପକାଇ ଦେଉଛ ? ନ ପାରୁଛ ନ ଉଠ ।

 

‘ମୁଁ କ’ଣ ସତରେ ଗାଳି ଦେଲି ? ଟିକିଏ କଷ୍ଟ ହେବାରୁ ସେମିତି କହି ଦେଲି ନା ।

 

‘ସେମିତି କହିଦେଲ ?’

 

‘ସେ ପାହାଡ଼ ଉପରେ ଧର୍ମପ୍ରଚାର କରୁଥିଲେ କାହିଁକି ?’

 

‘ପାହାଡ଼ ନିର୍ଜନ, ଏହାର ବାୟୁମଣ୍ଡଳ ନିର୍ମଳ । ଏଠି ସଂସାର କଥା ଭୁଲି ହୁଏ, ଶିଷ୍ୟଙ୍କ ମନରେ ଧର୍ମୋପଦେଶ ସହଜରେ ପ୍ରବେଶ ଲାଭ କରେ ।’

 

ପଥର ଦୁଇ ପାଖରେ ଗୁଳ୍ମ, ବଡ଼ ବଡ଼ ବୃକ୍ଷ ନାହିଁ, ପାହାଡ଼ ଶିଖରରେ ତିନୋଟି ଛୋଟ ଛୋଟ ମନ୍ଦିର, ସେଥିରେ କଳା ପଥରରେ ନିର୍ମିତ ଜୈନ ମହାତ୍ମାମାନଙ୍କର ମୂର୍ତ୍ତି ପୂଜିତ ହେଉଅଛି-। ଏହି ମନ୍ଦିର ନିକଟରେ ଦୁଇଜଣ ବିହାରୀ ଭଦ୍ରଲୋକଙ୍କ ସହିତ ସାକ୍ଷାତ ହେଲା । ଜଣେ କହିଲେ, ‘ମୁଁ ଭୁବନେଶ୍ଵର ଦେଖିଛି, ଲିଙ୍ଗରାଜ ମନ୍ଦିର ଅପେକ୍ଷା ପରେଶନାଥ କାଚ ମନ୍ଦିରକୁ ମୁଁ ଅଧିକ ପସନ୍ଦ କରେ । କୋଣାର୍କ ମନ୍ଦିର ଦେଖିନାହିଁ, ଏଭଳି ଏକ ମନ୍ଦିର ଅଛି ବୋଲି ଶୁଣିନାହିଁ-।’

 

ପଡ଼ୋଶୀ ପ୍ରଦେଶର ଜଣେ ଶିକ୍ଷିତ ପ୍ରୌଢ଼ ଓଡ଼ିଶା ଯାଇଛି, ଅଥଚ କୋଣାର୍କ ମନ୍ଦିରର ନାମ ପର୍ଯ୍ୟନ୍ତ ଶୁଣିନାହିଁ । ଔଦ୍ଧତ୍ୟ ? ନା, ବୋକାମି । କାଚ ମନ୍ଦିର ପ୍ରଶଂସାରେ ବ୍ୟାଧିଗ୍ରସ୍ତ ରୁଚିର ଯେଉଁ ନିର୍ଲଜ୍ଜ ପରିଚୟ ମିଳିଲା, ତାହା ମୋତେ ବିବ୍ରତ କରିନାହିଁ, କାରଣ କାଞ୍ଚନ ଛାଡ଼ି କାଚ ଗ୍ରହଣ କରିବା ବ୍ୟକ୍ତିର ସଂଖ୍ୟା ପୃଥିବୀରେ ଅଧିକ ।

 

ଉଚ୍ଚତମ ଶୃଙ୍ଗର ଭଗ୍ନ ଅତୀତ ଉପରେ ଛିଡ଼ା ହୋଇ ଥରେ ଚତୁର୍ଦ୍ଦିଗକୁ ଅନାଇଲି—ବିନ୍ଦୁ ବିନ୍ଦୁ ଗ୍ରାମ, ତା ଚତୁର୍ଦ୍ଦିଗରେ ଶସ୍ୟକ୍ଷେତ୍ର । ଚୁନା ଇତିହାସ ଉପରେ ତିଆରି ହେଉଛି ନୂଆ, ପୁଣି ଅର୍ଖନୂଆ ଏଇ ରାଜଗିରି । ବୁହା ହେଉଛି ଗେଟି, ଗଡ଼ି ଚାଲିଛି ରୋଲର, ଢଳା ହେଉଛି ପିଚୁ-। ଅଜାତଶତ୍ରୁଙ୍କ ଭଙ୍ଗା ରାଜଧାନୀକି ଲାଗି ଗଢ଼ା ହେଉଛି ରାସ୍ତା । ତୋଳା ହେଉଛି ନୂତନ ସୌଧ-। ନବଯୁଗର ବାର୍ତ୍ତାବହ ହୋଇ ଆସିଛି ରେଲଗାଡ଼ି, ଚାଲିଛି ବିଜୁଳି କଳ । ନୂଆ ପୁରୁଣାର ସନ୍ଧିକ୍ଷଣରେ ରହି କ୍ଷଣେ ଦରନିଭା ଅତୀତ ପ୍ରତି ପାଶ୍ଚାତଦୃଷ୍ଟି, କ୍ଷଣେ ଭବିଷ୍ୟତ ପ୍ରତି ପୁରୋଦୃଷ୍ଟି ପକାଇଲି—ଶେଷରେ ଦୃଷ୍ଟି ମୋର ନିବଦ୍ଧ ହେଲା ଚିର ଚଞ୍ଚଳ, କ୍ରିୟାଶୀଳ ଏଇ ବର୍ତ୍ତମାନ ଉପରେ-। ତା’ର ରୋମାଞ୍ଚକର ସ୍ପର୍ଶ ଲାଗି ମନ ଅସ୍ଥିର ହେଲା । ମୁଁ ଫେରିଲି ।

 

ତା’ପରେ ରାଜଗିରି କୁଣ୍ଡରେ ସ୍ନାନ କଲୁ । ଗୃହିଣୀ ଓଦା ଗାମୁଛାରେ ଗୋଟିଏ ଚୁମୁଳା କରି ମୁଣ୍ଡରେ ଥୋଇଲେ, ତା’ ଉପରେ ରଖିଲେ ଗୋଟିଏ ପାଣି ମାଠିଆ । ଦେହରେ ଚକଚକିଆ ଶାଢ଼ି ତରଙ୍ଗି ତରଙ୍ଗି ଲତାଇଛି, ତା ଉପରେ ଗରମ୍‍ କୋଟ, ପାଦରେ ଚଟି, ହାତରେ ସୁନା କାଚ । ଏ ବେଶ ଭୂଷଣରେ ମୁଣ୍ଡରେ ପାଣି ମାଠିଆଟି ! ଅପରିଚିତ ଜାଗା ବୋଲି ପାଣି ବୋହିନେବା ଆଘାତ ମନରେ ବାଜୁ ନ ଥାଏ । ମାଠିଆଟି ମୁଣ୍ଡରୁ କାନ୍ଧକୁ, କାନ୍ଧରୁ କାଖକୁ ଓହ୍ଳାଇ ଗତିକି ତ୍ରିଭଙ୍ଗୀ ଠାଣି ଦେବା ସଙ୍ଗେ ସଙ୍ଗେ ଚବ ଚବ ଶବ୍ଦରେ ମୋ ମନକୁ ହିଲ୍ଲୋଳିତ କରୁଥାଏ ।

 

ଗୃଧ୍ରକୂଟ—

 

ବଡ଼ି ଭୋରରୁ ଘଡ଼ିଭାତ ଖାଇ ଦିନେ ଗୃଧ୍ରକୂଟ ଦେଖି ବାହାରିଲୁ । ଧର୍ମଶାଳା ଦୁଆରେ ଡୋଲି ଘେନି ଘେନି ଦୁଇଜଣ ଯୁଆନ୍‍ ଛିଡ଼ା ହୋଇଛନ୍ତି, ଦିନକେ ପାଞ୍ଚ ପହାଡ଼ ବୁଲାଇ ଆଣିବେ; ଅଠରଟଙ୍କା ନେବେ । ଏହି ଡୋଲି ଅସମର୍ଥ ବୃଦ୍ଧ, ରୋଗୀ ଅଥବା ସ୍ଥୂଳକାୟ ଧନୀଙ୍କ ଲାଗି ଉଦ୍ଦିଷ୍ଟ-। ଆମେ ବୁଲିବା ଲାଗି ଆସିଛୁ, ଆମର ଆଶ୍ରା ଚରଣ ଦାସ !

 

ସୋରିଷ କ୍ଷେତେ କ୍ଷେତେ ଯାଇ ରାସ୍ତାକୁ ଉଠିଲୁ । କିଛି ଦୂର ପିଚୁ, ତା’ ପରେ ଧୂଳି; ଓଃ, ଆଣ୍ଠୁଏ ଧୂଳି; ଖାଲୁଆ ଶଗଡ଼ ସରି; ମଝି ସିରାରେ ଢେଲା ଢିମାମାନ ଚାହିଁଛି । ଦୁଇ ପାଖରେ, ସାମ୍ନାରେ ପାହାଡ଼; ବୁଦୁବୁଦିକିଆ ଜଙ୍ଗଲ, ଲାଲ୍‍ ଧୂଳିର ପୁଟ ବସିଛି; ଗଛବୃଛର ସବୁଜ ସତେଜ ଶ୍ରୀ ନାହିଁ । ଏ ଜଙ୍ଗଲ କାଟି ଏବେ ଲୋକେ ସହର ଗଢ଼ୁଛନ୍ତି, ଆଗେ ବି ଗଢ଼ିଥିଲେ । କାଳଚକ୍ରର ଗତିରେ ସେ ମଣିଷ ଯାଇଛନ୍ତି, ଭାଙ୍ଗି ପଡ଼ିଛି ସହର, ମାଡ଼ିବସିଛି ଜଙ୍ଗଲ । ଜଙ୍ଗଲ ଆଉ ମଣିଷର ଯୁଦ୍ଧ ସତେ କି ଯୁଗ ଯୁଗ ଧରି ଲାଗି ଆସିଛି । ରାଜଗିରି ଦିନେ ରାଜଧାନୀ ଥିଲା, ଏବେ ଏହାର ଅଧିକାରୀ ଜଙ୍ଗଲର ଜନ୍ତୁ । ଜଙ୍ଗଲ ଭିତରେ ଗଦା ଗଦା ଖପରା, ହୁଏତ ଏ ଚାଉଳଘୁମା, ମାଠିଆ ବା ହାଣ୍ଡିର ଅଂଶ; ଏ ଅସ୍ଥି, ମଣିଷ ନା ପଶୁର ? ସ୍ତ୍ରୀ ନା ପୁରୁଷର ? ଗଦା ଗଦା ଇଟା; ଏ ଥିଲା ସେକାଳ ରଜା, ମନ୍ତ୍ରୀ ବା ସାଧବପୁଅର ଗୃହାଂଶ । ସବୁ ଯାଇଛି; ଆହା ନିଭିଯାଇଛି ସମସ୍ତ ସ୍ମୃତି ଚିହ୍ନ ।

 

ଚାରିମାଇଲ ଗଲାପରେ ମନିଆର ମଠରେ ପହଞ୍ଚିଲୁ, ଭିତରେ କେହି ନାହାନ୍ତି; କେବଳ ଗୋଟିଏ ସ୍ମୃତି ସଙ୍କେତ ରୂପେ ରକ୍ଷିତ । ବାହାରୁ ଦେଖିଲେ ନିତାନ୍ତ ବୈଚିତ୍ର୍ୟହୀନ, ତଳେଇ ଭାବିଲେ ଯୁଗ ପରେ ଯୁଗର ଯବନୀ ଖୋଲିଯାଏ, ବହୁକାଳର ଇତିହାସ ଆଖି ଆଗରେ ନାଚିଯାଏ । ଏହାର ଚାରିପାଖେ ଖୋଳା ହୋଇ ଏବେ ବହୁ ନର ଓ ପଶୁକଙ୍କାଳ ମିଳିଛି । ଐତିହାସିକମାନଙ୍କ ମତରେ ଏଠାରେ ନରବଳି ପ୍ରଥା ପ୍ରଚଳିତ ଥିଲା । ବହୁ ନାଗନାଗୁଣୀ, ଯକ୍ଷ ଯକ୍ଷିଣୀ ଓ ହିନ୍ଦୁ ଦେବଦେବୀଙ୍କର ପୂଜା ହେଉଥିଲା । ସେ ଯୁଗର ମଣିଷ ଗଲା, ତା’ ଦେବତା, ମଣିଷ ଗହୀର ମାଟିରେ ପୋତି ହୋଇ ପଡ଼ିଲେ । ପୁଣି ମଣିଷ ଆସିଲେ, ନୂଆ ଦେବତା ଦେଖା ଦେଲେ, ମଣିଷଙ୍କ ପରି ଦେବତା ମଧ୍ୟ ମରଣଶୀଳ । ମନିଆର ମଠ କହେ—ମଣିଷ, ତା’ର ଦେବତା, ଧର୍ମ ବିଶ୍ଵାସ ସବୁ ଅସ୍ଥିର, ଅସ୍ଥାୟୀ । କାଳ ସତ୍ୟ, ଅଧିକ ସତ୍ୟ କାଳ-ଜୟୀ ମହାପୁରୁଷ, ଯାହାଙ୍କର ବାଣୀ ଏ ଗିରି ଶିଖରରୁ ନିଃସୃତ ହୋଇଥିଲା—ଏ ବାଣୀ ମରିନାହିଁ, ମରିବ ନାହିଁ ।

 

ବେଶ୍‍ କଷ୍ଟ ହେଲାଣି । ଏମିତି ନିର୍ଜନ ଜଙ୍ଗଲ ଇତିହାସଖୋଜାଳି ବା ଧର୍ମାତ୍ମାଙ୍କୁ ସାଜେ-। ଆମେ ଧାର୍ମିକ ବା ଐତିହାସିକ ନୋହୁଁ । ଆସିଛୁ ତ ଆସିଛୁ ଗୋଟିଏ ମୋହରେ ।

 

ନିର୍ମଳ ହୋଇ ଦିଶୁଛି ଗୃଧ୍ରକୂଟର ତରୁତୃଣହୀନ ଶିଖର—ସତେ ଖୁବ୍‍ ପାଖରେ, କିନ୍ତୁ ବାଟ ମାଇଲକରୁ ଊଣା ହେବ ନାହିଁ । ଖରା ବେଶ୍‍ କାଟୁଛି, ଆଗକୁ ପାଦ ପକେଇବାକୁ ମନ ହେଉନାହିଁ । ପଛକୁ ପାଞ୍ଚମାଇଲ, ଆଗକୁ ମୋଟେ ମାଇଲିଏ; ଆଗକୁ ଯିବାକୁ ହିଁ ହେବ । କୁନା କହିଲା, “ମୋତେ କାଖେଇ ବା କାନ୍ଧେଇ କରି ନିଅ । ‘‘ବୋଇଲା—‘ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ପରକୁ ରଖିବ ?’ କ’ଣ କରିବାକୁ ହେବ ଭାବୁଛୁ, ଏହି ସମୟରେ ଈଶ୍ୱରପ୍ରେରିତ ପରି ଖଣ୍ଡେ ଟମ୍‍ ଟମ୍‍ ଗାଡ଼ି ଆସି ପହଞ୍ଚିଲା । ବସିଥିବା ଭଦ୍ରଲୋକ ଆମ ମନ୍ଥର ଗତିରୁ ଅବସ୍ଥାଟା କଳନା କରି ପଚାରିଲେ—

 

‘ଖୁବ୍‍ କଷ୍ଟ ହେଉଛି ବୋଧହୁଏ ?’

 

‘ଗୃଧ୍ରକୂଟ ଆଉ କେତେ ବାଟ ?’

 

‘ମାଇଲିଏ ।’

 

‘ଓ’–

 

‘ଯଦି କିଛି ମନେ ନ କରନ୍ତି, ଆସନ୍ତୁ ।’

 

ଟିକିଏ ଭାବିଲି—ଯଦି ଏଥିରେ ଭଲ ମନ୍ଦ ଥାଏ, ଲୋକଟା ଯଦି ଡାକୁ ବା ଗୁଣ୍ଡାଶ୍ରେଣୀର ହୋଇଥାଏ ? ପାଖକୁ ଯାଇ ଦେଖିଲି—ମୁଖମଣ୍ଡଳ ପ୍ରଶାନ୍ତ, ଏତ ଆମର ଅପରିଚିତ ନୁହନ୍ତି । କିନ୍ତୁ କିଏ ସେ ? କେଉଁଠି ଦେଖିଥିଲି ? ଗୃହିଣୀ କହିଲେ ‘ସେ ପରା ଦିଗମ୍ବର ଧର୍ମଶାଳାର ମ୍ୟାନେଜର ।’ ଜଙ୍ଗଲକୁ କାହିଁକି ? ମ୍ୟାନେଜର ବାବୁ କହିଲେ, ‘ବିମ୍ବୀସାରଙ୍କ ରାସ୍ତାର ଧ୍ଵଂସାବଶେଷ ଉପରେ ନୂଆ ରାସ୍ତା ଗଢ଼ା ହେଉଛି, କଣ୍ଟ୍ରାକ୍ଟରୀ ନେଇଛି । ବୁଦ୍ଧଦେବଙ୍କ ଦୁଇହଜାର ପାଞ୍ଚଶତ ବର୍ଷୀୟ ଜୟନ୍ତୀ । ତାଙ୍କର ଏକ ପ୍ରିୟ କ୍ଷେତ୍ର ଗୃଧ୍ରକୂଟ ଉପରକୁ ଏ ରାସ୍ତା ଯାଉଛି । ଦେଶ ବିଦେଶରୁ ବହୁ ଲୋକ ଆସିବେ, ତେଣୁ ବିହାର ସରକାରଙ୍କର ଏ ଆୟୋଜନ ।’

 

ମ୍ୟାନେଜରବାବୁ ମାଇଲିକର ତିନିଭାଗ ଟମଟମରେ ବସାଇ ନେଲେ, ଓହ୍ଳାଇଲେ ଯେଉଁଠୁ ଗାଡ଼ି ଆଗକୁ ଯିବ ନାହିଁ । ପଥର ପିଟା ହୋଇ ରାସ୍ତା ପାଖରେ ଗୋଡ଼ି ଗଦା ହେଉଛି, ପାଞ୍ଚମାଇଲ୍‍ ଦୂରରୁ ଟ୍ରକରେ ବୁହାହେଉଛି ପାଣି । ଢେଲା ଢିମାରେ ସିମେଟ୍‍ ଜାବ ଦେଇ ମିସ୍ତ୍ରୀମାନେ ରାସ୍ତା ଗଢ଼ୁଛନ୍ତି । ଏଥିରେ ଗାଡ଼ି ନୁହେଁ, କେବଳ ମଣିଷ ଚାଲିବେ । ଏ ରାସ୍ତାର ଉତ୍ତରରେ ଜୀବକାମ୍ର ବନ ଥିଲା, ଶିଷ୍ୟ ଜୀବକ ବିଶ୍ରାମ ଲାଗି ବୁଦ୍ଧଙ୍କୁ ଏହି ତୋଟାଟି ଦାନ କରିଥିଲେ । ଏବେ ଆମ୍ର ବୃକ୍ଷର ସତ୍ତା ନାହିଁ, ନିବିଡ଼ ଜଙ୍ଗଲ ମାଡ଼ି ବସିଅଛି—ଖାଲି ପତ୍ର ଶିଝୁ, କୋଶ କୋଶ ବ୍ୟାପିଛି । ଏଇ ଶିଝୁବଣ, ଯେପରି ଆକାରରେ ବିଶାଳ, ସେହିପରି ସଂଖ୍ୟାରେ ଅଗଣିତ । ମ୍ୟାନେଜର ସାହେବ ବିଦାୟ ନେଲାବେଳେ ଆମକୁ କହିଗଲେ—‘ପାହାଡ଼ ଉପରକୁ କେହି ଉଠିବାର ଦେଖୁନାହିଁ, ଦ୍ଵିପହରବେଳା; ବଣ; ସ୍ତ୍ରୀ ପିଲାଙ୍କୁ ସଙ୍ଗେ ଘେନି ଯାଉଛନ୍ତି, ଦେହରେ ସୁନା ଅଳଙ୍କାର, ସାବଧାନ ଥିବେ ।’

 

ସୁନା ହାର, କାନର ଦୁଲ୍‍ କାଢ଼ି ପକେଟରେ ରଖିଲି, ହାତରେ ଗୃହିଣୀଙ୍କ ସଧବା ଚିହ୍ନ ସୁନାକାଚ ରହିଲା । ହାତରେ ଧଇଲି ଖଣ୍ଡେ ବଣୁଆ ଡାଳ, ଡକେଇତ ହାବୁଡ଼ିଲେ ଅବଶ୍ୟ ଖଣ୍ଡେ ପଟେ ଯୁଦ୍ଧ ହେବ । ମନରେ ସାହସ ଭରି କହିଲି ‘ଚାଲ; ବୁଦ୍ଧଃ ମେ ଶରଣଂ’ ।

 

ଗୃଧ୍ରକୂଟ ପାଞ୍ଚୋଟି ପାହାଡ଼—ପାହାଡ଼ ତଳେ ଢେଲା ଢିମାରେ ଗୋଟିଏ ପଥର ବେଦୀ ହୋଇଛି । ଏଠି ଅଜାତଶତ୍ରୁଙ୍କ କାରାଗୃହ ଥିଲା, ଖୋଳା ହୋଇ ଏବେ ଗୋଟିଏ ହାତକଡ଼ା ମିଳିଛି । ସେ ନିଜ ପିତା ବିମ୍ବୀସାରଙ୍କୁ ଏଇ ଜେଲଖାନାରେ ବନ୍ଦୀ କରି ରଖିଥିଲେ । ଜେଲ୍‍ ଭିତରୁ ବିମ୍ବୀସାର ଗୃଧ୍ରକୂଟ ଶିଖରେ ବୁଦ୍ଧଙ୍କୁ ଦେଖୁଥିବାର କିଂବଦନ୍ତୀ ଅଛି ।

 

ନୂଆ ରାସ୍ତାରେ କିଛି ଦୂର ଯିବା ପରେ ପ୍ରାୟ ଦୁଇହଜାର ପାଞ୍ଚଶହ ବର୍ଷ ପୂର୍ବେ ନିର୍ମିତ ପୁରାତନ ରାସ୍ତାରେ ଚାଲିଲୁ । ଏଇ ବିମ୍ବୀସାରଙ୍କ କୀର୍ତ୍ତି, ମଧ୍ୟେ ମଧ୍ୟେ ହୁଏତ କିଛି ମରାମତି ହୋଇଥିବ । କିଛିଦିନ ପରେ ଏହାର ନବ କଳେବର ହେବ, ବର୍ତ୍ତମାନ ଅତୀତକୁ ଘୋଡ଼ାଇ ପକାଇବ । ବିରାଟ କାଳ ସିନ୍ଧୁକର ଢାଙ୍କୁଣି ସରଳ, ଖୋଲିଲେ ସ୍ତର ପରେ ସ୍ତର ଦିଶେ—ବିଚିତ୍ର, ବିସ୍ମୟକର ।

 

ଏ ଗୋଟିଏ ଭଗ୍ନ ସ୍ତୂପ, ଭଗ୍ନାବଶେଷ ମାତ୍ର ଅଛି । ଏଠି ବୃଦ୍ଧଙ୍କ ଦର୍ଶନ ଲାଗି ବିମ୍ବୀସାର ରଥରୁ ଓହ୍ଳାଇ ପଦବ୍ରଜରେ ଗୃଧ୍ରକୂଟ ଉପରକୁ ଉଠିଥିଲେ; ସୈନ୍ୟମାନେ ବିଦାୟ ଗ୍ରହଣ କରିଥିଲେ । ଏ ଗୋଟିଏ ପ୍ରାକୃତିକ ଗୁମ୍ଫା, ପାହାଡ଼ ପ୍ରମାଣେ ପ୍ରସ୍ତର ଖଣ୍ଡ ଏହାର ଛାତ, ଦୁଇ ପଟେ ଛୋଟ ବଡ଼ ପ୍ରସ୍ତରର କାନ୍ଥ, ଭିତରେ ଗୋଟିଏ ବୌଦ୍ଧ ମୂର୍ତ୍ତି, ମସ୍ତକବିହୀନ । ହୁଏନସାଂ ଏ ଗୁମ୍ଫା କଥା ଉଲ୍ଲେଖ କରିଅଛନ୍ତି, ହୁଏତ ବୁଦ୍ଧ ଏଠାରେ ଧ୍ୟାନସ୍ଥ ହୋଇଥିବେ, ଏହାର ଧୂଳିକଣା ପବିତ୍ର । କିନ୍ତୁ ଏଡ଼େ ଅପରିଚ୍ଛନ୍ନ କାହିଁକି ? ଢିମା ପଥରରେ ପୋଡ଼ା ଦାଗ, ପାଉଁଶ ବୁଣା ହୋଇଛି, ହାଣ୍ଡି ଭଙ୍ଗା ହୋଇ ପଡ଼ିଛି, ଲୋକ ବଣଭୋଜି କରିଛନ୍ତି, ବୁଣି ଯାଇଛନ୍ତି ଆବର୍ଜନା, ନିର୍ମଳ କରିବ କିଏ ? କାହାର ଗୃହ ନୁହେଁ, ସ୍ଵାର୍ଥର ଦାୟିତ୍ଵ ନାହିଁ । ଗୁଡ଼ିଏ ଜୀର୍ଣ୍ଣ ସ୍ମୃତି, ତେଣୁ ପରମାର୍ଥର ଦାୟିତ୍ଵ ହିଁ ଅଧିକ । ଅତୀତ ହେଲେ ବି ତା’ର ମର୍ଯ୍ୟାଦା ଅଛି, ଆଭିଜାତ୍ୟ ଅଛି । ତାକୁ ଏଭଳି ହାନି କରିବା କ’ଣ ଉଚିତ ? ଯୌବନର ଔଦ୍ଧତ୍ୟ ? ଏ ବା କେତେଦିନ ରହିବ ? ଚାରିଆଡ଼େ ବଡ଼ ବଡ଼ ପଥରମାନ ଛିଡ଼ା ହୋଇଛି, ଦନ୍ତୁର, ବନ୍ଧୁର । ମଧ୍ୟେ ମଧ୍ୟେ ଶିଉଳିର ଚକି, ନିଭୁଛି, ପୁଣି ଜଳୁଛି, ବଜ୍ରାଘାତରେ ପିଠି ଫାଟିଛି, ରାଶି ରାଶି ଉପଳ ମଧ୍ୟରେ ଆତ୍ମଗୋପନ କରିଛନ୍ତି ସେଦିନର ବୃହତ ଶିଳା; ବାଁ ପଟେ ଜଙ୍ଗଲ, ଲମ୍ବିଛି ଗୋଟିଏ ଗୋଟିଏ ଧାର; ଜଳ ନାହିଁ । ସାମୟିକ ଧାରାର ସଂଗ୍ରାମ ଛନ୍ଦ ଛାପି ହୋଇ ରହିଛି ପାହାଡ଼ର ସ୍ତରେ ସ୍ତରେ ।

 

ଅତୀତର ଜରାଜୀର୍ଣ୍ଣ ସନ୍ତାନ–ଗୃଧ୍ରକୂଟ, ପୃରାଣପ୍ରସିଦ୍ଧ ଏ ମହାମହିମ ବୃଦ୍ଧଙ୍କର ଶ୍ରଦ୍ଧା, ପ୍ରୀତି ଆକର୍ଷଣ କରିଥିଲା । ସେ ରହୁଥିଲେ ଏହାର କନ୍ଦରରେ ଅଥବା ପତ୍ର କୁଟୀର ନିର୍ମାଣ କରି ଏହାର ଶୀର୍ଷଦେଶରେ । ଶିକ୍ଷା ଦେଉଥିଲେ—ଜଗତର କଲ୍ୟାଣ ସାଧନ କର, ଏ ଜୀବନ ହିଁ ସ୍ରଷ୍ଟାର ଶ୍ରେଷ୍ଠ କଲ୍ୟାଣ । ଶୁଣୁଥିଲେ ଆନନ୍ଦ, ସାରିପୁତ୍ତ—ଶତ ଶତ ସହସ୍ର ସହସ୍ର ଶିଷ୍ୟ । ଏବେ ସେ ଜୀବକାମ୍ର ବନ ନାହିଁ । ବେଣୁବନ ବିହାର ନାହିଁ । ସମସ୍ତ ଚୈତ୍ୟ ଚୂର୍ଣ୍ଣ ବିଚୂର୍ଣ୍ଣ—ତଥାପି ମନେ ହେଉଛି ଏ ପାହାଡ଼ରେ ଯେପରି କି ଝଙ୍କୃତ ହେଉଛି ବୁଦ୍ଧଙ୍କ ଉଦାର ବାଣୀ; ତାହା ହଜିବାର ନୁହେଁ, କାରଣ ତା’ର ସ୍ଥାନ ଗିରିକନ୍ଦରାରେ ନୁହେଁ, ମନୁଷ୍ୟର ନିତ୍ୟ ନବୀଭୂତ ଅନ୍ତରର ଅନ୍ତଃସ୍ଥଳରେ ।

 

ଜାପାନୀମଠ—

 

ମେଘେ ଶୀତ ନା ମାଘେ ଶୀତ ? ସେ ଦିନ ମାଘକୁ ଉତ୍ସାହିତ କରି ମେଘ ଆମ କତିରେ ପହଞ୍ଚିଲା, ଅର୍ଥାତ୍‍ ଶୀତ ଦିନକୁ କୋହଲା ପାଗ, ଶିରିଶିରିଆ ପବନ ମଞ୍ଜ ଦୋହଳାଇ ଦେଲା । କଜ୍ଜଳ ମେଘରେ ପର୍ବତ ଗମ୍ଭୀର, ତା’ର ନୀଳ ଛାୟା ଚିତ୍ତର ସମସ୍ତ ଚାଞ୍ଚଲ୍ୟକୁ ଘନ କରି ଦେଇଥାଏ । କଥା ଅଛି—‘ଟୁପୁ ଟୁପୁ କଥା ମନକୁ ଭେଦେ, ଟୋପି ଟୋପି ପାଣି ଦେହକୁ ଭେଦେ-।’ ସଙ୍ଗରେ ଛତା ଆଣି ନାହୁଁ । ଦରଓଦା ହୋଇ ଆମେ ଜାପାନୀ ମଠରେ ଆଶ୍ରୟ ନେଲୁ-। ମଠର ମହନ୍ତ ଜ୍ୟୋତସୁ ଏନ୍‍ ସଟୋ, ଲଣ୍ଡିତ ମୁଣ୍ଡ, ବର୍ଣ୍ଣ ଗୌର, ତେଜୀୟାନ ଆଖି । ଶାନ୍ତ, ଶ୍ରୀମନ୍ତ ଚେହେରାରେ ଆଧ୍ୟାତ୍ମିକ ଦ୍ୟୁତି, ଏହା ବୈରାଗ୍ୟର ନୁହେଁ, ଆଦର ଓ ପ୍ରୀତିର । ମହନ୍ତ ମହାରାଜ ମୋ ପରିଚୟ ପାଇ ନିଜ ମଠରେ ଦୁଇଦିନ ରହିବା ଲାଗି ନିମନ୍ତ୍ରଣ କଲେ, ବୁଲାଇ ବୁଲାଇ ମଠ ଦେଖାଇଲେ, ମଠ ବୋଇଲେ ଦୁଇ ମହଲା ଛୋଟ କୋଠାଟିଏ, ଉପର ମହଲାରେ ବୃହତ ପିତ୍ତଳ ବୌଦ୍ଧ ମୂର୍ତ୍ତି, କେତେକ ଫଟୋ ଓ ଜାପାନୀ ଧର୍ମଗ୍ରନ୍ଥ ରହିଅଛି । ତଳ ମହଲାରେ ଭିକ୍ଷୁଙ୍କ ବାସସ୍ଥାନ, ଅତିଥି ଅଭ୍ୟାଗତଙ୍କ ଲାଗି ଗୋଟିଏ କୋଠରୀ । ଭିକ୍ଷୁ ସ୍ଵୟଂ ପୂଜାଧୂଜା କରନ୍ତି-। ମଠଟି ଭାରତୀୟଙ୍କ ଚାନ୍ଦାରେ ଚଳେ ।

 

ନାଳନ୍ଦା ଓ ରାଜଗିରିରେ ବୈଶାଖ ପୂର୍ଣ୍ଣିମା ଦିନ ଦୁଇହଜାର ପାଞ୍ଚଶହ ବାର୍ଷିକ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ ହେବ । ନିର୍ଘଣ୍ଟ ପ୍ରସ୍ତୁତ କରିବା ଲାଗି ଆଜି ୫୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡକାଯାଇଛି-। ଆସିଛନ୍ତି ନାଳନ୍ଦା ପାଲୀ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ସାତକଡ଼ିବାବୁ, ସେଠା ଅଧ୍ୟାପକ ଜଗଦୀଶ କଶ୍ୟପ, ବିହାରର ଜଣେ ମନ୍ତ୍ରୀ, କେତେକ ହାକିମ, ଓଡ଼ିଶାରୁ ମୁଁ । ଆଜିର ସଭାପତି ଭାରତୀୟ ସୁପ୍ରିମ କୋର୍ଟର ଚିଫ ଜଷ୍ଟିସ୍‍ ଜି.ପି. ସିଂହ । ଉପର ମହଲାରେ ବୁଦ୍ଧଙ୍କ ମୂର୍ତ୍ତି ସାମ୍ନାରେ ବସିଲୁ, ଗୋଟିଏ ବୃହତ୍‍ ନାଗରା ରଖାହୋଇଛି । ସେଭଳି ବଡ଼ ଉତ୍ସବ ହେଲେ ଏ ବାଜେ । ଆଜି ପାତ୍ର ଆକାରର ବୃହତ୍‍ ଘଣ୍ଟାଟି ମାତ୍ର ତିନିଥର ବାଜିଲା—ଉପସ୍ଥିତ ବ୍ୟକ୍ତିଙ୍କ ଗୁଞ୍ଜନ କମି କମି ନିସ୍ତବଧତାରେ ହଜିଗଲା । ଦୁଇଜଣ ଜାପାନୀ ଆଉ ଜଣେ ଭାରତୀୟ ପାଲୀ ଭାଷାରେ ଗୋଟିଏ ସ୍ତୁତି ବୋଲିବାର କଥା । ଠିଆ ହୋଇ କି ବସିକରି, ପୁଣି ବୁଦ୍ଧଙ୍କ ସାମ୍ନାକୁ ଯାଇ କି ଯେଉଁଠି ବସିଛନ୍ତି ସେଇଠି ବୋଲିବେ ସ୍ଥିର କରି ନ ପାରି ପାଞ୍ଚମିନିଟ ଗଡ଼ାଇ ଦେଲେ । ଉପସ୍ଥିତଙ୍କ ଭିତରୁ ଜଣେ କହିଲା, ଯୋଉଠି ପ୍ରାର୍ଥନା ବୋଲିଲେ ବି ତାହା ଭଗବାନଙ୍କ ନିକଟରେ ପହଞ୍ଚିବ । କଥାଟା ଏପରି ଭଙ୍ଗୀରେ କୁହାଗଲା ଯେ ଦଶମିନିଟ ଧରି ଗଢ଼ା ହୋଇଥିବା ସଭାର ଗାମ୍ଭୀର୍ଯ୍ୟ ଗୋଟିଏ ହସର ତୋଫାନରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା, କିନ୍ତୁ ସମଷ୍ଟିର ପ୍ରାଣ ସତ୍ତା ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରି ପାରିଲା । ପ୍ରାର୍ଥନାର ସ୍ଵର ଯେପରି କର୍କଶ, ସେଥିରେ ସଙ୍ଗୀତର ସୁଲଳିତ ମୂର୍ତ୍ତି ଭଗବାନ୍‍ ଅବିଚଳିତ ରହି ନ ପାରନ୍ତି, ସେ ହୁଏତ ବିଶ୍ୱର ଏହି ଅଂଶରୁ ସ୍ଵ ଅସ୍ତିତ୍ଵ କାଢ଼ିନେବେ । କିମ୍ବା ଆମେ ମାନବ, କର୍କଶ ସ୍ଵର ସହିବାର ଧୈର୍ଯ୍ୟ ଶକ୍ତି ଆମର ନାହିଁ !

 

ସଙ୍ଗୀତ ପରେ ଜଗଦୀଶ କଶ୍ୟପ ହିନ୍ଦୀରେ, ଜ୍ୟୋତସୁ ଏନ୍‍ ସଟୋ ଇଂରେଜୀରେ ଜୟନ୍ତୀର ଗୁରୁତ୍ଵ ବୁଝାଇଲେ । ତା’ପରେ ବି. ପି. ସିଂହ କହିଲେ, ଧର୍ମ ଜରିଆରେ ପ୍ରାଚ୍ୟ ଦେଶମାନଙ୍କ ମଧ୍ୟରେ ଯୁଗ ଯୁଗ ଧରି ଯେଉଁ ଏକତ୍ଵ ପ୍ରତିଷ୍ଠିତ, ତାହା ପୃଥିବୀ ଇତିହାସରେ ଗୌରବମୟ । କେହି କେହି କହନ୍ତି—ଜନ୍ମସ୍ଥାନରୁ ବୌଦ୍ଧଧର୍ମ ନିର୍ବାସିତ ହୋଇଅଛି । କିନ୍ତୁ ବୁଦ୍ଧଙ୍କ ବାଣୀ ହିନ୍ଦୁ ଅହିନ୍ଦୁ, ବୌଦ୍ଧ-ଅବୌଦ୍ଧ ସମସ୍ତଙ୍କ ମନମନ୍ଦିରରେ ପ୍ରତିଷ୍ଠିତ । ବୌଦ୍ଧଧର୍ମ ଆମ ଦୈନିକ ଜୀବନ ପ୍ରବାହ ସଙ୍ଗେ ଜଡ଼ିତ । ଭାରତର ଧର୍ମଗତ ଉଦାରତା ପୃଥିବୀରେ ଅନ୍ୟତ୍ର ବିରଳ । ଏକ ସଙ୍ଗେ ବିଭିନ୍ନ ଧର୍ମର ବିକାଶ ଏଠି ଘଟିଛି, ଏକ ମତ ଅନ୍ୟ ମତକୁ ମାଡ଼ି ମକଚି ଅଗ୍ରସର ହୋଇନାହିଁ । ବୃଦ୍ଧଙ୍କ ଶ୍ରେଷ୍ଠ ବାଣୀ—ବଞ୍ଚ, ବଞ୍ଚାଅ । ନିଜେ ବଞ୍ଚିବା ଲାଗି ବହୁ ଜୀବନର ରସ ଶୋଷଣ କର ନାହିଁ ।

 

ଅମ୍ବିକା ପ୍ରସାଦ—

 

ଜାପାନୀ ମଠରେ ସେ ହୋଇଥିଲେ ଗୋଟିଏ ପ୍ରଶ୍ନବାଚକ । ଚାଲିଟା ରସ୍‍ ରସ୍‍ , କଥାଗୁଡ଼ାକ ଠୋସ୍‍ ଠୋସ୍‍ । କାଳୀଗାଈର ଭିନେ ଗୋଠ । ଡାହାଣ ହାତରେ ଏ ବାବୁ ଘଡ଼ି ବାନ୍ଧିଛନ୍ତି କାହିଁକି ? ହାତ ହଲେଇ କଥା କହିଲାବେଳେ ଘଡ଼ିରେ ପ୍ରତିଫଳିତ ସୂର୍ଯ୍ୟ କିରଣ ଆଖିରେ ବାଜେ । ସତେ ଯେପରି ଗୋଟିଏ ଝଲ-ମଲିଆ ଛୁରା ଆଖିରେ ଭୁଷି ଦେଉଛନ୍ତି । ମଡ଼ମଡ଼ିଆ ଚେହେରା, ହାତ ଚିପା ଲମ୍ବା ପଞ୍ଜାବୀ ଜଙ୍ଘ ଡେଇଁଛି, ଆଖି ଡୋଳାରେ କୋମଳତାର ଆଭାସ ନାହିଁ । ଦୃଷ୍ଟି କଟୁ, ମନଭେଦୀ ଶର, ନାକ ତଳେ ଟିପେ ନିଶ । ସେ ମୋ ସଙ୍ଗେ ପରିଚୟ ଜମେଇଲେ । ଓଡ଼ିଆ ଶିଳ୍ପୀ ଉପେନ୍ଦ୍ର ମହାରଥୀଙ୍କର ପ୍ରଶଂସା କରିବାରୁ ମୁଁ ତାଙ୍କ ଆଡ଼କୁ ଅଜାଣତରେ ଟିକିଏ ଢଳିଲି । କିନ୍ତୁ ତାଙ୍କ ସଙ୍ଗେ ଆଳାପର ସ୍ମୃତି ଗୋଟିଏ ଦିନରୁ ବେଶୀ ବଞ୍ଚିବାର ନୁହେଁ । ସେ ମୋ ପରିଚୟ ପଚାରିଲେ, ଭାବିଲି—ଏ ସାଧାରଣ ଶିଷ୍ଟତା, ଏଥିରେ ଆନ୍ତରିକତା ନ ଥାଏ । ଆଶ୍ଚର୍ଯ୍ୟ, ମୋ ଠିକଣା ମନେରଖି ରାତି ଆଠଟାବେଳେ ମୋ ବସାରେ ଆସି ହାଜର ହୋଇଗଲେ, ହାତରେ ଦୁଇଟି ପାଲୁଡ଼୍ରିନ । ଶୁଣିଥିଲେ ମୋ ସ୍ତ୍ରୀକୁ ଜର । ଓଷଦ ପାଇଁ ମୁଁ ତାଙ୍କୁ ଅନୁରୋଧ କରି ନ ଥିଲି, ଏଇଟି ତାଙ୍କର ଅତି ଭଲପଣର ପରିଚୟ । ଶ୍ରଦ୍ଧା ବଢ଼ିଲା, କେବେ ତ ଏପରି କେହି କରି ନ ଥିଲେ, ତାଙ୍କୁ ଡାକି ଚୌକି, ଟୁଲ୍‍ ତ’ ନାହିଁ, ଶେଯରେ ବସାଇଲି । ବନ୍ଧୁ ମୋର କବି । ହିନ୍ଦୁସ୍ଥାନୀ ହୋଇ ସେ ସ୍ଵରଚିତ ବଙ୍ଗଳା କବିତା ଆବୃତ୍ତି କଲେ । ମୋ ନିଜ ଲେଖା ଆବୃତ୍ତି କରିବା ଲାଗି ମୋତେ ଅନୁରୋଧ କଲେ । ଲେଖା ସିନା ମନରୁ ବାହାରେ, ମନରେ ରହେ କୋଉଠି ? ବଡ଼ କଷ୍ଟରେ ମୁଁ ଏଠୁସେଠୁ ଦି’ ପଦ ଓଡ଼ିଆ କବିତା ବୋଲିଲି । ନ, ଦଶ, ସାଢ଼େ ଦଶ ବାଜିଲା, ବନ୍ଧୁଙ୍କ ଆଳାପ ଶାଖାପ୍ରଶାଖା ମେଲିଲା, ଏ ଅବସ୍ଥା ଦେଖି ଗୃହିଣୀ ତାଙ୍କୁ ନିମନ୍ତ୍ରଣ କଲେ-। ବନ୍ଧୁ ଖାଇସାରି କହିଲେ, ଆସନ୍ତୁ, ରେଡିଓ ଶୁଣିଯିବେ । ‘କୋଉଠିକି ?’ ‘ଜଣେ ବନ୍ଧୁଙ୍କ ଘରକୁ ।’ ‘ରାତି ଏଗାରଟା ବେଳେ ପିଲାପିଲିଙ୍କି ଘେନି ଅପରିଚିତ ଘରେ ରେଡ଼ିଓ ଶୁଣିବି ?’

 

ତା’ ପରଦିନ ରାଜଗିରି କୁଣ୍ଡରେ ଭେଟ ହେଲା । ଭାବିଲି—ନ ହୋଇଥିଲେ ଭଲ ହୋଇଥାନ୍ତା, ଗୁଡ଼ାଏ ଗପିବେ । ଆଶ୍ଚର୍ଯ୍ୟ, ବନ୍ଧୁ ପଦଟିଏ କଥା ଅପବ୍ୟୟ କଲେ ନାହିଁ । ବାହାରୁ ଉଦାସୀନ ଜଣାଗଲେ ବି ତାଙ୍କ ମନ କୌଣସି କାରଣରୁ ବିକ୍ଷୋଭିତ ହେଉଥାଏ; କହିଲେ, ‘ମୁଁ ଗୋଟେ ଆଡ଼େ ଯାଉଛି, ପରେ ଦେଖା ହେବ,’ ମନେମନେ ଭାବିଲି—‘ନ ଦେଖା ହେଲେ କ୍ଷତି କ’ଣ ?’ ଦୁଃଖର କଥା, ଅଧଘଣ୍ଟାକ ମଧ୍ୟରେ ପୁଣି ଭେଟ ହେଲା । ଅଲୋଡ଼ା ବନ୍ଧୁ ମୋର ଦଧିପାନରେ ବ୍ୟସ୍ତ । ଗଉଡ଼ ପଇସା ମାଗିଲା । ‘ନାହିଁ, ଅମକ ଠିକଣାରୁ ନେଇଯିବୁ ।’ ଜଗନ୍ନାଥ ବଳରାମ ତ ଦିନେ ଏଇଆ କରିଥିଲେ, ତେବେ ସେ ରତ୍ନମୁଦି ବନ୍ଧା ଦେଇଥିଲେ । ଏ ମହାତ୍ମା କିଛି ନ ଦେଲେ ନୁହେଁ, ଦେଲେ ଗୋଟିଏ ଠିକଣା । ଗଉଡ଼ ଟିକିଏ ଗୁଣୁଗୁଣୁ ହେଲା, ଟିକିଏ ଧିକଚିକ୍‍ କଲା । ବାବୁ ତା’ ଲାଗି ଦୟା କରି ପକେଟଟା ଦୁଇ ତିନି ଥର ଅଣ୍ଡାଳିଲେ । ଦହି ତ ପେଟକୁ ଗଲାଣି, ଆଉ କ’ଣ ହେବ ? ଗଉଡ଼ ଚାଲିଗଲା; ବାବୁ ମଧ୍ୟ ନିର୍ବିକାର ଚିତ୍ତରେ ଚାଲିଲେ, ଯେମିତି କିଛି ଘଟି ନାହିଁ । ମୋ ସଙ୍ଗେ ପୁଣି ହସି ହସି ଆଳାପ ଜମେଇଲେ; କହିଲେ, ଚାଲନ୍ତୁ, ଆପଣଙ୍କୁ ଅମକ ଡାକ୍ତରଙ୍କ ସଙ୍ଗେ ପରିଚିତ କରେଇଦେବି ।’

 

‘କି ଦରକାର ପରିଚୟ ? ଅପରିଚିତ ରହିବା ଭଲ ।’

 

‘ନାଇଁ, ଚାଲନ୍ତୁ, ପରିଚୟରେ ହିଁ ବ୍ୟକ୍ତି ଜୀବନର ବିସ୍ତାର ।’

 

‘ବିସ୍ତାର ଲୋଡ଼ା ନାହିଁ, ଆତ୍ମ ନିମଗ୍ନ ରହିବାରେ ହିଁ ମୋର ଆନନ୍ଦ ।’

 

‘ଏଥିରେ କ୍ଷତି କ’ଣ ?’

 

‘ଲାଭ କ’ଣ ?’

 

‘ଏ ଜିନିଷଟି କ୍ଷତି ଆଉ ଲାଭର ଊର୍ଦ୍ଧ୍ଵରେ, ଚାଲନ୍ତୁ ।’

 

ଇଚ୍ଛା ବିରୁଦ୍ଧରେ ଚାଲିଲି । ଅମ୍ବିକା ମୋତେ ଡାକ୍ତରଙ୍କ ଟେବୁଲ ପାଖେ ଛିଡ଼ା କଲେ; ଡାକ୍ତର ଚୌକିରୁ ଉଠିଲେ ନାହିଁ । ତା’ ପରେ ପରିଚିତ କଲେ, ଡାକ୍ତରଙ୍କ ମନରେ କୌଣସି ଆଲୋଡ଼ନ ନାହିଁ; ସେ ମୋ ଆଡ଼କୁ ଚାହିଁଲେ ନାହିଁ, କିଛି ପଚାରିଲେ ନାହିଁ, କେବଳ ନୀରବ ହୋଇ ଚିଠିପତ୍ର ପଢ଼ିଲେ । ପରିଚୟ ଭାରରେ ସେ ଅସ୍ଥିର, ପରିଚୟର ସୁଯୋଗ ନେଇ କେହି କେହି ତାଙ୍କୁ ଫି ଦେଉ ନ ଥିବେ । ତାଙ୍କର ପରିଚୟ ଲୋଡ଼ା ନାହିଁ, ମୋର ବି; ଦୁହିଁଙ୍କର ମତ ପରସ୍ପର ଜାଣିବାର ସୁଯୋଗ ମିଳିଥିଲେ ଆମେ ବନ୍ଧୁ ହୋଇ ଯାଇଥାନ୍ତୁ । ତା’ ହେଲା ନାହିଁ । ଅମ୍ବିକା ଏ ମଧ୍ୟରେ ଅନ୍ତର୍ହିତ ହୋଇ ଯାଇଥିଲେ । ମୁଁ ମନରେ ଆଘାତ ଘେନି ଫେରିଲି । ଅମ୍ବିକାଟା ପାଗଳ ନା କ’ଣ ?

 

ନାଟକୀୟ ରୀତିରେ ବଜାରର ଗୋଟାଏ କୋଣରୁ ଅମ୍ବିକା ପୁଣି ବାହାରିଲେ, ସମସ୍ତ କ୍ରୋଧର ଉଚ୍ଛ୍ଵାସ ଅଜାଡ଼ି ହୋଇ ପଡ଼ିଲା ତାଙ୍କ ଉପରେ । ହୃଦୟର ମଙ୍ଗ ସଳଖ ରଖି ସେ ଝଡ଼ର ତୋଡ଼ଟା ସହିଲେ, ଆଶ୍ଚର୍ଯ୍ୟ ଭାବରେ ସହିଲେ, ତା’ ପରେ ଉପରଠାଉରିଆ କଥାବାର୍ତ୍ତା ହେଲା । ମୁଁ ବାକ୍‍ କୃପଣ ହେଲି, କାରଣ ଆନ୍ତରିକ କ୍ରୋଧ ଓ ଘୃଣା ଗାମ୍ଭୀର୍ଯ୍ୟକୁ କଠିନତର କରୁଥାଏ ।

 

ଆଶ୍ଚର୍ଯ୍ୟ, ସେ ଦବି ନ ଥାନ୍ତି, ବାକସ୍ରୋତ ଦ୍ରୁତ ଗତିରେ ଛୁଟି ଥାଏ । ବଜାରର ଗୋଟିଏ କୋଣରେ ଛିଡ଼ା ହୋଇ ସ୍ତ୍ରୀକୁ ଛିଡ଼ା କରି ମୋର କଥାଭାଷା ହେବାର ଆଗ୍ରହ ତିଳାର୍ଦ୍ଧ ନ ଥାଏ । ସୌଜନ୍ୟ ହିଁ ମୋର କଣ୍ଠ ରୁଦ୍ଧ କରୁଥାଏ, କିପରି କହିବି—ହେ ଅଲୋଡ଼ା ବନ୍ଧୁ, ତୁମେ ଯାଅ, ଯାଅ । କିନ୍ତୁ ବିଭ୍ରାନ୍ତିକର ସାହଚର୍ଯ୍ୟ ଜାହିର କରିବା ଲାଗି ସେ ରହିଲେ, ଓଃ ରହିଲେ ।

 

ବେଳା ଏଗାରଟା । ବନ୍ଧୁ ଚା’ ଲାଗି ନିମନ୍ତ୍ରଣ କଲେ । ଲୋକଟାର କାଣ୍ଡଜ୍ଞାନ ନାହିଁ ନା କ’ଣ ? ଗୃହମନ୍ତ୍ରୀ ସଙ୍ଗେ ସଙ୍ଗେ ପ୍ରସ୍ତାବଟା ପ୍ରତ୍ୟାଖ୍ୟାନ କଲେ । ହେ ଅଲୋଡ଼ା ବନ୍ଧୁ, ଏବେ ତୁମେ ଯାଅ । ତୁମ ସହିତ ଆଳାପ ପ୍ରୀତିକର ନୁହେଁ । ତୁମ ପ୍ରଳାପ ଶୁଣିବା ଲାଗି ମୋର ଧୈର୍ଯ୍ୟ ନାହିଁ । ତୁମେ ଯାଅ, ଯାଅ । ବନ୍ଧୁ ଆଳାପକୁ ଲମ୍ବେଇବାକୁ ଚେଷ୍ଟା କଲେ । ଗୋଟାଏ ନୂଆ ପ୍ରସ୍ତାବ ବାଢ଼ିଲେ—‘ପାଟଣା ଅତି ପାଖ, ରାଜଗିରି ଆସି ପାଟଣା ନ ଦେଖିବାରେ କିଛି ଅର୍ଥ ଅଛି ?’

 

‘ନା’ ।

 

‘ତେବେ ଚାଲନ୍ତୁ ।’

 

‘ଆଗ୍ରହ ନାହିଁ ।’

 

‘କାହିଁକି ?’

 

‘ତା’ଠାରୁ ବଡ଼ ବଡ଼ ସହର ଦେଖିଛି ।’

 

‘ତଥାପି ନୂଆର ଆକର୍ଷଣ ତ’ ଅଛି, ସବୁ ସହର କ’ଣ ଏକା ଛାଞ୍ଚରେ ଗଢ଼ା ? ଏକା ପ୍ରକାର ଲୋକ ବସବାସ କରନ୍ତି ?’

 

‘ରହିବା ଲାଗି ସୁବିଧା ଜାଗା ମିଳି ନ ପାରେ ।’

 

‘ମୁଁ ଠିକ୍‍ କରିଦେବି, ଜଣେ ଭଦ୍ରଲୋକଙ୍କ ପାଖକୁ ପତ୍ର ଲେଖିଦେବି । ତାଙ୍କ ବସାରେ ରହିବେ ।’

 

‘ସେ ଆପଣଙ୍କର ପରିଚିତ, ମୋର ନୁହନ୍ତି ।’

 

‘ବନ୍ଧୁ ବନ୍ଧୁ, ବନ୍ଧୁରେ ବନ୍ଧୁ ।’

 

‘କାହା ଅନୁଗ୍ରହ ଚାହେଁ ନାହିଁ । ଚିଠି ନେଇ କାହା ବସାରେ ରହିବାର ତିକ୍ତ ଅଭିଜ୍ଞତା ମୋର ଯଥେଷ୍ଟ ହୋଇଛି ।’

 

‘ତାହେଲେ ପାଟଣା ଅଦେଖା ରହିଯିବ ?’

 

‘ରହୁ, ବହୁ ଜିନିଷ ଅଦେଖା ରହିଛି, ଏଇଟି ତା’ ସଙ୍ଗେ ରହୁ ।’

 

‘ନା, ସେ କେମିତି ହେବ ?’

 

‘ସେମିତି ହେବ, ମୁଁ ପାଟଣା ଯିବି ନାହିଁ । କାରଣ ମୋ ଅପେକ୍ଷା ଏଥିରେ ଆପଣଙ୍କର ଆଗ୍ରହ ଅଧିକ ।’

 

ଅମ୍ବିକା ଦବିଲେ, ବୁଝିଲେ ତାଙ୍କ ସହିତ ମୋ ସମ୍ପର୍କ ଆଉ ଗାଢ଼ ନୁହେଁ । ଠିଆ ହୋଇ ଏଭଳି ଗପୁ ଗପୁ ବାର ବାଜିଲାଣି, ଭାତ ଶୁଖି ଚଣା ଚାଉଳ, ଗୃହିଣୀ ମୋ ଉପରେ ଦାନ୍ତ କଡ଼ମଡ଼ କରୁଥାନ୍ତି । ବନ୍ଧୁ ବିଦାୟ ନେବା ଆଗରୁ ଆଗେ ମୁଁ ନମସ୍କାର କଲି । ଅଲୋଡ଼ା ବନ୍ଧୁ ମୋର ଗଲେ କିନ୍ତୁ ଅନୁତାପ ମୋର ମୁଣ୍ଡ ନୁଆଁଇ ଦେଲା । କାହିଁକି ଏପରି କଲି ?

☆☆☆

 

ନାଳନ୍ଦା

 

ସାରା ଭାରତରେ ପ୍ରାଚୀନ ବିଶ୍ଵବିଦ୍ୟାଳୟର ଏଭଳି ସୁବୃହତ୍‍ ଧ୍ଵଂସସ୍ତୂପ ଅନ୍ୟତ୍ର ଦୁର୍ଲଭ-। ଏହାର ଅଧ୍ୟାପକ ଓ ଛାତ୍ରବୃନ୍ଦ ବିଦ୍ୟା, ବିନୟ ଓ ସଦାଚାର ଲାଗି ପ୍ରସିଦ୍ଧ ଥିଲେ । କଠୋର ସଂଯମ ଓ ଶୃଙ୍ଖଳା ମଧ୍ୟରେ ସେମାନେ ଜୀବନ ଅତିବାହିତ କରୁଥିଲେ । ପ୍ରବେଶ ଲାଭ ପୂର୍ବରୁ ଛାତ୍ରମାନଙ୍କର ମୌଖିକ ପରୀକ୍ଷା ହେଉଥିଲା, ଏହା ଅତ୍ୟନ୍ତ କଠିନ ଥିଲା । ଦଶଜଣଙ୍କ ମଧ୍ୟରୁ ସାତ ଆଠଜଣ ଉତ୍ତୀର୍ଣ୍ଣ ହୋଇ ନ ପାରି ଫେରି ଯାଉଥିଲେ । ଶତାଧିକ ମଣ୍ଡଳୀରେ ଛାତ୍ରମାନଙ୍କୁ ବିଭକ୍ତ କରି ଅଧ୍ୟାପନ କରାଯାଉଥଲା; ବୌଦ୍ଧ ଶାସ୍ତ୍ର, ବେଦ, ବ୍ୟାକରଣ, ଦର୍ଶନ, ଆୟୁର୍ବେଦ, ନ୍ୟାୟ, ଧାତୁ ବିଦ୍ୟା ଇତ୍ୟାଦି ବହୁ ବିଷୟରେ ଶିକ୍ଷା ଦିଆଯାଉଥିଲା ।

 

ଖ୍ରୀଷ୍ଟପର ପଞ୍ଚମ ଶତକରେ ଗୁପ୍ତବଂଶୀୟ ରାଜା ପ୍ରଥମ କୁମାର ଗୁପ୍ତଙ୍କ ସମୟରେ ଏହି ମହାବିହାରର ଶୁଭାରମ୍ଭ ହୋଇଥିଲା, ପରବର୍ତ୍ତୀ ଗୁପ୍ତବଂଶୀୟ ରାଜାମାନେ ଏହାର ବିଶେଷ ଶ୍ରୀବୃଦ୍ଧ ସାଧନ କରିଥିଲେ । ଏହି ବିହାରର ବ୍ୟୟ ନିର୍ବାହ ଲାଗି ମହାରାଜ ହର୍ଷବର୍ଦ୍ଧନ ଶତାଧିକ ଗ୍ରାମ ନିଷ୍କର କରିଥିଲେ । ଉକ୍ତ ଗ୍ରାମବାସୀମାନେ ଚାଉଳ, ଘିଅ, ପନିପରିବା ଆଦି ଯାବତୀୟ ଖାଦ୍ୟ ଯୋଗାଉଥିଲେ । ହର୍ଷ ନିଜକୁ ନାଳନ୍ଦା ପଣ୍ଡିତମାନଙ୍କର ଦାସ ବୋଲି ବର୍ଣ୍ଣନା କରି–ଅଛନ୍ତି । ଏହା ପଣ୍ଡିତମାନଙ୍କ ବିପୁଳ ମହତ୍ତ୍ଵ ଓ ହର୍ଷଙ୍କ ଏକାନ୍ତ ବିନୟ ଭାବ ପ୍ରତିପାଦନ କରେ । ଅଷ୍ଟମ ଶତାବ୍ଦୀରେ କାନ୍ୟକୁବଜର ରାଜା ଯଶୋଧର୍ମଦେବଙ୍କ ମନ୍ତ୍ରୀପୁତ୍ର ଏହି ବିହାରକୁ ବହୁ ସମ୍ପତ୍ତି ଦାନ କରିଥିଲେ । ନବମ ଶତାବ୍ଦୀରେ ସୁବର୍ଣ୍ଣଦ୍ଵୀପ (ସୁମାତ୍ରା)ର ରାଜାଙ୍କ ଅନୁରୋଧରେ ରାଜା ଦେବପାଳ ଏହାର ବ୍ୟୟ ନିର୍ବାହ ଲାଗି ପାଞ୍ଚଖଣ୍ଡି ଗ୍ରାମ ନିଷ୍କର କରି ଦେଇଥିଲେ । ଦଶମ ଶତାବ୍ଦୀରେ ନାଳନ୍ଦା ଅଗ୍ନିକାଣ୍ଡରେ ବିନଷ୍ଟ ହୋଇ ରାଜା ମହୀପାଳଙ୍କ ଦ୍ଵାରା ପୁନନିର୍ମିତ ହେଲା । ୧୧୯୭ ରୁ ୧୨୦୭ ମଧ୍ୟରେ ବକତିଆର ଖିଲିଜି ଏକ ଦୁର୍ଗ ବୋଲି ମନେକରି ଏହି ମହାବିହାରକୁ ଧ୍ଵଂସ କରି-ଥିଲେ, ସମସ୍ତ ଭିକ୍ଷୁଙ୍କୁ ହତ୍ୟା କରିଥିଲେ, ବହୁ ଶତାବ୍ଦୀର ସାଧନାରେ ନିର୍ମିତ ଗ୍ରନ୍ଥାଗାରରେ ଅଗ୍ନି ସଂଯୋଗ କରିଥିଲେ । ଅର୍ଦ୍ଧଦଗ୍‍ଧ ଗ୍ରନ୍ଥରେ କ’ଣ ଅଛି ଯେତେବେଳେ ଜାଣିବାକୁ ମନ ହେଲା, ତାହା ପଢ଼ିବା ଲାଗି ଜଣେ ହେଲେ ଶିକ୍ଷକ ବା ଛାତ୍ର ବଞ୍ଚି ନ ଥିଲେ ।

 

ରାଜଗିରିରୁ ରେଲ୍‍ଗାଡ଼ିରେ ମାତ୍ର ଘଣ୍ଟାକର ବାଟ, ଆମେ ସାଢ଼େ ନ’ଟାବେଳେ ନାଳନ୍ଦା ଷ୍ଟେସନରେ ପହଞ୍ଚିଲୁ । ଟମଟମରେ ବସି ଅଧଘଣ୍ଟାକ ମଧ୍ୟରେ ପାଲୀ ଇନଷ୍ଟିଚ୍ୟୁଟରେ ପହଞ୍ଚିଲୁ , ସଡ଼କ ଧାରେ ଧାରେ ହରଡ଼ ଖେତ, ଉଦ୍ୟାନରେ ଆଧୁନିକ ରୀତିରେ ଫୁଲ-ଗଛ ଲଗାଯାଇଛି; ଇନଷ୍ଟିଚ୍ୟୁଟରେ ଗୋଟିଏ ଛୋଟ ପାଠାଗାର ଅଛି । କଶାୟ ବସନଧାରୀ ପୃଥିବୀର ବିଭିନ୍ନ ଅଞ୍ଚଳର ଛାତ୍ରମାନେ ପାଲୀ ଅଧ୍ୟୟନ କରୁଛନ୍ତି । ଅନୁଷ୍ଠାନରେ ମାତ୍ର ପନ୍ଦରମିନିଟ ରହି ଟମ୍‍ଟମବାଲା ଦୟାରୁ କିଛି ହରଡ଼ ଛୁଇଁ ଖାଇ ଖାଇ ନାଳନ୍ଦା ଅଭିମୁଖରେ ଚାଲିଲୁ, ଏଠାରୁ ମାତ୍ର ଦଶମିନିଟର ରାସ୍ତା । ଚତୁର୍ଦ୍ଦିଗରେ ଶସ୍ୟ-କ୍ଷେତ୍ର, ଆଖପାଖରେ ପାହାଡ଼ ପର୍ବତ ନାହିଁ, ସମତଳ କ୍ଷେତ୍ରରେ ଏହି ମହା ବିହାରର ଧ୍ଵଂସ ସ୍ତୂପ ଗମ୍ଭୀର ଗୌରବରେ ଛିଡ଼ାହୋଇଛି । ଶିକ୍ଷକ ଓ ଛାତ୍ରମାନେ ଯେଉଁଠି ରହୁଥିଲେ, ଯେଉଁଠି ଅଧ୍ୟାପନା ହେଉଥିଲା, ସମବେତ ପ୍ରାର୍ଥନା ହେଉଥିଲା, ରନ୍ଧନ ଭୋଜନ ହେଉଥିଲା, ସମସ୍ତ ବୁଲି ଦେଖିଲୁ; ଦେଖିଲୁ ବହୁ ଚୈତ୍ୟ, ବିହାର, ମନ୍ଦିର ଆଉ ସ୍ତୂପ । ଏକ ଯୁଗର ଧ୍ଵଂସାବଶେଷ ଉପରେ ଅନ୍ୟଯୁଗର ଗୃହ ନିର୍ମିତ ହୋଇଅଛି । ଗୋଟିଏ ଗୃହର ବିଭିନ୍ନ ସ୍ତର ଏବେ ବି ଦେଖିବାକୁ ମିଳେ । ବାୟୁ ଓ ଆଲୋକ ସଞ୍ଚାଳନ ଲାଗି ସ୍କାଇଲାଇଟ ଦିଆଯାଇଛି । ଦରଜାରେ ଚୌକାଠ ବଦଳରେ ଖିଲାଣ ବ୍ୟବହୃତ ହୋଇଅଛି । ଜଳ ଲାଗି ସୁଗଭୀର କୂପ, ଜଳ ନିଷ୍କାସନ ଲାଗି ନାଳ ନିର୍ମିତ ହୋଇଅଛି । ଧାତୁ ତରଳାଇବା ପ୍ରଣାଳୀ ଏଠାରେ ଶିକ୍ଷା ଦିଆଯାଇଥିଲା, ସେ କାଳର ଚୂଲୀ ଅଦ୍ୟାପି ଅକ୍ଷୁଣ୍ଣ ଅବସ୍ଥାରେ ରହିଅଛି । ମନ୍ଦିର ଓ ବିହାରର ଚତ୍ଵର ମାତ୍ର ଅବଶିଷ୍ଟ ଅଛି । ତହିଁରେ ଥିବା ମୂର୍ତ୍ତି ମଧ୍ୟରୁ କାହାର ମସ୍ତକ ବା ହସ୍ତ ପଦ ନାହିଁ । ସ୍ଥାନେ ସ୍ଥାନେ ଶିଳ୍ପୀ ନିପୁଣହାତରେ ଯେଉଁ ସୁଠାମ ଠାଣି ଆଙ୍କି ଦେଇଥିଲା ତାହା ଅଦ୍ୟାପି ଜୀବନ୍ତ ରହିଅଛି । ଶିଳ୍ପୀର ପ୍ରାଣ ମରିବାର ନୁହେଁ, ସେ ବଞ୍ଚି ରହିଛି ଅମ୍ଳାନ ଜ୍ୟୋତିରେ ସଂସ୍କୃତିର ଏଇ ଶ୍ମଶାନ ଭିତରେ, ଆଙ୍କି ଯାଇଛି ଯୁଗ ଯୁଗର ଅମର ଇତିହାସ ।

 

ନିକଟରେ ନାଳନ୍ଦା ଯାଦୁଘର, ଏଥିରେ ଏହି ଧ୍ଵଂସ ସ୍ତୂପରୁ ସଂଗୃହୀତ ମୂର୍ତ୍ତି ସବୁ ରଖାଯାଇଛି । ଦୁଆରେ ଚାଉଳରଖା ସୁବୃହତ୍‍ ଘୁମାଟି ବିଶେଷ ଦୃଷ୍ଟି ଆକର୍ଷଣ କରେ । ଭିତରେ ଭୂମିସ୍ପର୍ଶ, ଧର୍ମଚକ୍ର, ଅଭୟ ମୁଦ୍ରା, ବରଦ ମୁଦ୍ରା ପ୍ରଭୃତି ବିଭିନ୍ନ ମୁଦ୍ରାରେ ବୁଦ୍ଧଙ୍କର ବହୁ ମୂର୍ତ୍ତି ରହିଅଛି, ଚତୁର୍ଭୁଜ ବୋଧିସତ୍ତ୍ଵ, ଅବଲୋକିତେଶ୍ଵର, ଚତୁର୍ଭୁଜ ବିଷ୍ଣୁ, ବୋଧିସତ୍ତ୍ଵ ମୈତ୍ରେୟ (ପୁରୁଷ ମୂର୍ତ୍ତି, ସ୍ତ୍ରୀ ଭୂଷଣ), ଉମା ମହେଶ୍ଵର ଯାଦୁଘରର ଶ୍ରୀ ବୃଦ୍ଧି କରୁଅଛି । ସେ ଯୁଗର ଶିଳାଲେଖ, ସିଲ୍‍, ଲୁହା ଚାମୁଚ, ଜଞ୍ଜିର, କୋଲପ, ଘଣ୍ଟା, ପଥର କଂସା, ତୂଣୀର, ଖଣ୍ଡାଖୋଳ ଏପରିକି ପୋଡ଼ା ଚାଉଳ ବି ସୁରକ୍ଷିତ ହୋଇଅଛି ।

 

କାଳସ୍ରୋତରେ ଭାସିଯାଉଛି ସୃଷ୍ଟିର ଅମର ଅବଦାନ, ମଣିଷ ତାକୁ କୂଳକୁ ଟାଣି ଆଣିଛି, କୋଳରେ ଯାକି ଧରିଛି । ଧ୍ଵଂସ ମୁଖରୁ ସୃଷ୍ଟିକୁ ରକ୍ଷା କରିବ—ସେ ସୁନ୍ଦର ପୂଜାହାରୀ । ଆଟମ୍‍ ଯୁଗରେ ଏହା କେତେ କାଳ ତିଷ୍ଠି ପାରିବ ? ବହୁ ଶତାବ୍ଦୀର ଶ୍ରମ ଓ ସାଧନା ମୁହୂର୍ତ୍ତକେ ଧୂଳିସାତ୍ ହେବା ବିଚିତ୍ର ନୁହେଁ, ତଥାପି ସୌନ୍ଦର୍ଯ୍ୟପିପାସୁ ଆତ୍ମା ଆଶା-ଜୀବୀ—ସେ ବଞ୍ଚାଇବ ତା’ର ପିତୃ ପିତାମହଙ୍କର ଅମର କୀର୍ତ୍ତି, ସେ ଯେତେ ଦିନ ବଞ୍ଚିଛି । ତା’ ପରେ ଭାସିଯିବ ତ ଯାଉ । ମଣିଷ ନ ଥିଲେ ଏ ସୃଷ୍ଟିର ମୂଲ୍ୟ କ’ଣ ଅଛି ?

 

ନାଳନ୍ଦାରୁ ଫେରି ଆସିଲୁ, ଚିତ୍ତରେ ବିପୁଳ ଦାହ । ଆହା, ମୁଁ ଏହି ବିହାରର ଛାତ୍ର ହୋଇଥାନ୍ତି କି !

☆☆☆

 

ବିହାରର ଗୋଟିଏ ଗ୍ରାମ

 

ନାଳନ୍ଦା ଫେରନ୍ତି ବାଟରେ ଗୋଟିଏ ଗାଆଁ—ମୋହନପୁର । ନାଆଁଟି ବେଶ୍‍ ସୁନ୍ଦର ତ-! ଷ୍ଟେସନ ମାତ୍ର ମାଇଲିଏ ବାକି । ଗାଡ଼ି ଚାରିଟାବେଳେ ଆସିବ, ଏବେ ଗୋଟାଏ ବାଜିଛି-। ଭୋକଶୋଷରେ ଏକ ବୈଚିତ୍ର୍ୟହୀନ ଷ୍ଟେସନରେ ତିନି ଘଣ୍ଟା କଟାଇବା କିମିତି ? ଚାଲ ଏ ଗାଆଁକୁ ଯିବା, ଚୁଡ଼ା ମୁଢ଼ି ଯାହା ମିଳିବ, କିଣି ଖାଇବା । ପ୍ରସ୍ତାବ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେଲା-

 

ଗାଆଁ ମୁଣ୍ଡରେ ଗୋଟିଏ ଦେଉଳ, ନାଳନ୍ଦା ରୀତିର ସରୁ ଇଟାରେ ତିଆରି । ସନ୍ଦେହ ହେଲା—ଲୋକେ ବୋଧହୁଏ ଭଙ୍ଗା ନାଳନ୍ଦା ବିଶ୍ଵବିଦ୍ୟାଳୟର ଇଟା ବୋହି ଆଣି ଦେଉଳ ତୋଳିଛନ୍ତି । ଆମେ ଇଟାକୁ ନିରେଖୁଥିବାର ଦେଖି ଜଣେ ଶିକ୍ଷିତ ଯୁବକ କହିଲା, “ଏଭଳି ଇଟା ଆମର ଏଠି ପୋଡ଼ା ହୁଏ । ଗ୍ରାମଟି ଅତି ପ୍ରାଚୀନ, ଏଠା ଲୋକେ ହୁଏ ତ ନାଳନ୍ଦା ଗଢ଼ିଥିବେ, ଛାତ୍ରଛାତ୍ରୀମାନେ ନାଳନ୍ଦାରେ ପଢ଼ିଥିବେ, ଏଠାର ବଡ଼ବଡ଼ ପଣ୍ଡିତମାନେ ସଦ୍‍ଗ୍ରନ୍ଥ ରଚନା କରିଥିବେ । ଏବେ ଗ୍ରାମର ସେ ଶ୍ରୀ ବା ସୌଭାଗ୍ୟ ନାହିଁ । ଲୋକେ ମୁଠିଏ ଖାଇ ଖଣ୍ଡିଏ ପିନ୍ଧି କୌଣସିମତେ ବଞ୍ଚିଛନ୍ତି । ଛିଡ଼ା ହୋଇଛି ଡେଙ୍ଗା ଡେଙ୍ଗା କାନ୍ଥ । ଏ ଯେଉଁ ଛାତକୁ ମୁଣ୍ଡାଇଥିଲା, ତାହା କେଉଁ ଯୁଗରୁ କାଳପେଟରେ ଜୀର୍ଣ୍ଣ ହୋଇଗଲାଣି । ପଡ଼ିଛି ଏଇ ଅରମା ଡିହ, ତା’ର ଅଧିକାରୀ ପ୍ରେତଲୋକରେ କି ମର୍ତ୍ତ୍ୟଲୋକରେ, ପୁଣି ମଣିଷ ଜନ୍ମ ପାଇ ରହିଛନ୍ତି, କିଏ କହିବ ? ନାଳନ୍ଦାର ଗୌରବ ହଜିଯାଇଛି, ନିଭିଯାଇଛି ଏ ଗ୍ରାମର ମହତ ସତ୍ତା ।’’ ଯୁବକର ଆବେଗଭରା କଥା ହୃଦୟ ସ୍ପର୍ଶ କଲା ।

 

ଗାଆଁ ମୁଣ୍ଡରେ ମନ୍ଦିର—ଦେବତା ଗାଆଁର ଆବର୍ଜନାରୁ ଦୂରରେ ରହିଛନ୍ତି । ଧୂଳିଧୂସର ଜଞ୍ଜାଳ କୋଳାହଳରେ ମନ୍ଦିରର ପବିତ୍ରତା ରହନ୍ତା ନାହିଁ । ନିର୍ଜନ ବାତାବରଣ ଧର୍ମଚର୍ଚ୍ଚା ଲାଗି ପ୍ରଶସ୍ତ । ଦେଉଳରେ ରାଧାକୃଷ୍ଣ, ହନୁମାନଜୀ, ଗରୁଡ଼ ପ୍ରଭୃତି ଦେବତା ଅଛନ୍ତି । ଗୁଡ଼ିଏ ପୁରାଣ କନା ଗୁଡ଼ା ହୋଇ ଥାକ ଥାକ ରଖାଯାଇଛି । ପଣ୍ଡା ପୁରାଣ ପଢ଼େ । ଧର୍ମପ୍ରାଣ ବ୍ୟକ୍ତିମାନେ ଏହି ପ୍ରାଙ୍ଗଣରେ ବସି ଶୁଣନ୍ତି ।

 

ଦେଉଳର ଅଳ୍ପ ଦୂରରେ ଧାନଖଳା; ଗୁଡ଼ିଏ ଚକାଚକା ମୂଳବାଡ଼ିଆ ଧାନଗଦା ମରିଛି । ଅଗିଆକଟା ରୀତି ଏଠି ନାହିଁ, ଅଗମଳାରେ ଘର ଛପର ହୁଏ । ସକାଳୁ ବେଙ୍ଗଳା ଉଠିଯାଇଛି । ଏବେ ଧାନ ଉଡ଼ା ହେଉଛି । କୁଲାକୁଲା ଧୂସମିଶା ଧାନ ଜଣେ ଲୋକ ପୁଞ୍ଜିଏ ପୁଞ୍ଜିଏ କରି ଖେଳାଇ ବୁଣିଯାଉଛି । ତା’ ପରେ ଏପାଖ ସେପାଖ କରି ଦୁଇଜଣ ଲୋକ କୁଲା ବାଡ଼ଉଛନ୍ତି । ଓଡ଼ିଶୀ ଧାନଉଡ଼ା ରୀତି ବି ଏହିପରି ।

 

ଜମିଦାରବାବୁ–ମୋଟାସୋଟା । ଥନ୍ତଲପେଟ, ମଇଳା ଲୁଗା ଖଣ୍ଡିଏ ନାହି ତଳକୁ ପିନ୍ଧି ଗଦାକୁ ଆଉଜି ବସିଛନ୍ତି, ବୋଲ ଜଗିଛନ୍ତି । ଧୂସର ସୁଅ ପ୍ରତ୍ୟକ୍ଷରେ ତାଙ୍କ ଉପରେ ପଡ଼ୁନାହିଁ, ପଛଆଡ଼ୁ ଉଡ଼ି ବୁଲିଆସି ତାଙ୍କ ଶରୀରକୁ ବିଭୂତିମଣ୍ଡିତ କରିସାରିଲାଣି ! ଆମକୁ ଦେଖି ଚମକି ଉଠିଲେ—କିଏ ସେ ? ପୋଲିସ ନୁହନ୍ତି, ପୋଷାକରୁ ବୁଝାଯାଉଛି; ଡିପୋଟି ନୁହନ୍ତି, ଅର୍ଦ୍ଦଳି ନାହିଁ; ଆୟକର ଟିକସବାଲା ନୁହନ୍ତି । ଜମିଦାରବାବୁ ଆଶ୍ୱସ୍ତ ହେଲେ । ଆମେ ସେ ସବୁ କିଛି ନୋହୁଁ, ଖାଲି ମଣିଷ; ଯାହା ଟିକିଏ ବାବୁ ଭେକ ଅଛି । ତାଙ୍କ ଦାୟିତ୍ଵ ପନ୍ଦରଅଣା ଊଣା ପଡ଼ିଗଲା । ସେ ବୁଝିନେଲେ—ଆମକୁ କେବଳ ନିରୋଳ କଥାରେ ବିଦାୟ ଦିଆଯାଇପାରେ । ତାଙ୍କର ଜମିବାଡ଼ି କେତେ, କେତେ ଲୋକବାକ ଲାଗିଛନ୍ତି, କେତେ ହଳ ବଳଦ ବାନ୍ଧିଛନ୍ତି, ଜମିରେ କି କି ଫସଲ ହୁଏ, ସରକାର କିପରି ଜମିଦାରୀ ଉଠେଇବାର ଅପଚେଷ୍ଟା କରୁଛନ୍ତି, ଯେଉଁମାନଙ୍କ ନାକ କାଟିଲେ କଥା ବାହାରେ ନାହିଁ, ସେମାନେ କିପରି ମୁହଁ ବଢ଼ିଆ ହେଉଛନ୍ତି ଇତ୍ୟାଦି ବହୁ କଥା କହିଲେ । ଆମ ଦେଶର ନାନା କଥା ପଚାରିଲେ । କେବଳ ପଚାରିଲେ ନାହିଁ ଗୋଟିଏ କଥା—ଉଦୁଉଦିଆ ଦିପହର, ହୋଟେଲ କି ବଜାର ନାହିଁ; ସଙ୍ଗରେ ସ୍ତ୍ରୀ, ପିଲା; ଖାଇଛ କି ନାହିଁ ? ସେ ସୁଚତୁର, ଜାଣନ୍ତି—ଏ ପ୍ରଶ୍ନରେ ଦାୟିତ୍ଵ ଅଛି । ମୂଳହୁଁ ପଙ୍କରେ ନ ପଶିଲେ ଭଲ—କି ହୋ, ଆମେ କ’ଣ ଜାଣିଥିଲୁ ତୁମେ ଖାଇନାହଁ ବୋଲି ? ଆସିଲ, ପରିଚୟ ହେଲା, ଏବେ ଯାଅ—ଯାଅ ।

 

ଆମେ ଗଲୁ; ଗାଆଁଟି ସାତସାଇ ବୟାଳିଶ କନ୍ଦି । ଅଧିକାଂଶ ଖପରୁଲୀ ଘର । ନିତାନ୍ତ ଗରିବ ଲୋକେ ଛପରଘରେ ଅଛନ୍ତି । ମୋଟରେ ଗ୍ରାମରେ ଶହେଟି ଘର–ବ୍ରାହ୍ମଣ, କାୟସ୍ଥ, କୋଲରି, ମହାତୋ, ପଧାନ, ବଣିଆ ପ୍ରଭୃତି ବିଭିନ୍ନ ବର୍ଣ୍ଣର ଲୋକ । ଖିଅର କରିବା ପାଇଁ ଗୋଟିଏ ଘର ବାରିକ, ଲୁଗା ସଫା କରିବା ପାଇଁ ତିନି ଘର ଧୋବା, ହାଣ୍ଡି ଗଢ଼ିବା ପାଇଁ ଗୋଟିଏ ଘର କୁମ୍ଭାର ଅଛନ୍ତି । ସାମନାରେ ଉହା—ବୋଇଲେ ପିଣ୍ଡି ଉପରେ ଗୋଟିଏ ଗାତ, ଉପରେ ଛାତ ନାହିଁ । ପାଗଯୋଗ ଦେଖି କୁମ୍ଭାର ଉହା ନଦେ । ଘରର କାନ୍ଥଗୁଡ଼ାକ ଜାଦୁଆ, ଲିପାପୋଛା ହୁଏ ନାହିଁ । ଫାଟମାନ ଆଁ କରି ଚାହିଁଛି । ଏପଟେ ସେପଟେ ସଜନାଗଛ, ବାରମାସ ତରକାରୀ; କେତେବେଳେ ଶାଗ, କେତେବେଳେ ଫୁଲ, କେତେବେଳେ ବା ଛୁଇଁ ।

 

ଗାଆଁ ରାସ୍ତା ଅସହଯୋଗରେ ଅଚଳନ୍ତି ଅବସ୍ଥାକୁ ଆସିଯାଇଛି । କେଉଁଠି ଆଣ୍ଠୁଏ ଧୂଳି, ଶଗଡ଼ଚକ ପୋତି ହୋଇପଡ଼େ, ପହିଆ ମାରିବାକୁ ହୁଏ । କେଉଁଠି ଆଣ୍ଠୁଏ ଖାଲ, କେଉଁଠି ଜଙ୍ଘେ ଢିପ । ଶଗଡ଼ ପଡ଼େ, ଉଠେ, ଚକ ଅଣେଇ ଅଣେଇ ହୋଇ ଚାଲେ, ବିକଳରେ କେଁ କଟର ରଡ଼ି ଦିଏ । ଗାଆଁ ରାସ୍ତା ତିଆରି କରିବାର ଦାୟିତ୍ଵ କାହାରି ନାହିଁ, ହୁଏତ ସମସ୍ତଙ୍କର; କିନ୍ତୁ ସମସ୍ତେ ଏକଜୁଟ ହେଲେ ତ ?

 

ଗାଆଁ ମଝିରେ ଗୁଡ଼ିଏ ବୌଦ୍ଧମୂର୍ତ୍ତି, ବୋଧହୁଏ ନାଳନ୍ଦାର, ଜାତି ହରେଇ ଏବେ ହିନ୍ଦୁ ହୋଇଛନ୍ତି । କଥା ଅଛି–‘ମାନିଲେ ଦେବତା, ନ ମାନିଲେ ପଥର’; ୟାଙ୍କୁ ଲୋକେ ଦେବତା ବୋଲି ମାନନ୍ତି, ଚୋରଚଣ୍ଡାଳରୁ ହୀନ ବ୍ୟବହାର କରନ୍ତି, ଏହା ହିଁ ବିଚିତ୍ର । ଲୋକେ ରହିଛନ୍ତି ଘରେ, ଏ ପଡ଼ିଛନ୍ତି ବାହାରେ । ଏ ଖରା ଖାଉଛନ୍ତି, ଛେଚା ବରଷା ଖାଉଛନ୍ତି, ଝଡ଼ଧୂଳିରେ ଅଧା ଅଧା ପୋତି ହୋଇ ପଡ଼ିଛନ୍ତି; ମଣିଷର ଆଖି ଦେଖି ଦେଖୁନାହିଁ ।

 

ଦେବତାଙ୍କର ଖଞ୍ଜାପଡ଼ା ନାହିଁ, ଭୋଗରାଗ ହୁଏ ନାହିଁ, ଧୂପଦୀପ ଜଳେ ନାହିଁ । କେହି କେହି ବୃଦ୍ଧ ବ୍ରାହ୍ମଣ ମୁନ୍ଦିଏ ମୁନ୍ଦିଏ ପାଣି ଢାଳିଦିଅନ୍ତି, ଫୁଲ ଗୋଟେ ଅଧେ ତାଙ୍କ ଉପରକୁ ଫିଙ୍ଗି ଦିଅନ୍ତି । ଏ ଅନାଦର, ଅପମାନରେ ଦେବତାର ଛାତି ଫାଟିଯାଉ ନାହଁ ଯାହା ! ଓଃ, ସେ ସହୁଛି; କାରଣ ସେ ପଥର । ଦେବତା କି ମଣିଷ କେହି ଏହା ସହନ୍ତା ନାହିଁ । ତଥାପି ଯଦି କୌଣସି ଐତିହାସିକ ମୂର୍ତ୍ତିଟି ଯାଦୁଘରକୁ ଆଣିବାର ପ୍ରୟାସ କରେ, ଦେଖିବ ଗ୍ରାମର ଜାତୀୟତା !

 

ଗୋଟିଏ ଛକଜାଗାରେ ମାଆ ମଙ୍ଗଳାଙ୍କ ବେଢ଼ା, ଓସ୍ତଗଛ ମୂଳେ କେତେଖଣ୍ଡି ପଥର, ବହଳ ହୋଇ ସିନ୍ଦୂର ବୋଳା ହୋଇଛି, ରୂପା ଆଖି ଲଗାଯାଇଛି । ମଙ୍ଗଳା ଗାଁ ଲୋକଙ୍କ ସୁଖଦୁଃଖର ସାକ୍ଷୀ, ରୋଗବ୍ୟାଧି ହେଲେ ଲୋକେ ପହିଲେ ମଙ୍ଗଳାଙ୍କୁ ଗୁହାରି ଜଣାନ୍ତି ।

 

ମଙ୍ଗଳାଙ୍କ ସାମନାରେ ଗୋଟିଏ ବାମ୍ଫୀ, ସେଥିରେ ତେଣ୍ଡା ପଡ଼ିଛି । ସରୁ ଲମ୍ବା କାଠରେ ପାଳଦଉଡ଼ି ଲଗା ହୋଇଛି, ବାଲଟିରେ ତିନିଜଣ ଯୁଆନ ପାଣି ତେଣ୍ଡୁଛନ୍ତି । କୋବି, ଆଳୁ, ଧୂଆଁପତ୍ର, ହଳଦୀ, ଲଙ୍କାମରିଚ, ବୁଟ, ସୋରିଷ—ଗହୀରରେ କେଉଁଠି ଟିକିଏ ହେଲେ ଜମି ପଡ଼ିଆ ନାହିଁ । ଆଖି ଯେତେଦୂର ପାଉଛି—ସବୁଜ, ସବୁ ସବୁଜ ।

 

ଗାଆଁର ଗଳି ଭିତରକୁ ବୁଲିଗଲୁ; ଗଳି ଭିତରେ ଗଳି, ବଡ଼ ଅଣଓସାରିଆ । କୁଟା ଗୋଛାଏ ଘେନି କିଏ ଆସୁଛି, ପାଦ ଦିଓଟି ଛଡ଼ା କିଛି ଦିଶୁ ନାହିଁ । କିଏ ଗୋରୁଙ୍କ ଲାଗି ଭୁସି କାଟୁଛି, କିଏ ବଳଦ ମୋହୁଁଛି । ଏ ଲୋକଟିର ଦାଣ୍ଡଘର ଗୁହାଳ, ଗୋରୁମୂତ ରାସ୍ତା ଉପରକୁ ବୋହି ଆସିଛି । ଏ ଗଳି ମଝିରେ ଗଜା ବରଗଛଟିଏ, ବୁଢ଼ା ମଇଁଷିଟି ଶୋଇ ପାକୁଳି କରୁଛି । ଏ ଗୋଟିଏ ଧୋବାଘର, ଲୁଗା ମଇଳା ହେବ ବୋଲି ଘରଭିତରେ ପାଳ ଘାଣ୍ଟିଛି । ଏ ଅଞ୍ଚଳରେ ବେଶୀ ଶୀତ ହୁଏ । ଗରିବ ଲୋକେ ଖଟ କାହୁଁ ପାଇବେ ? ପାଳ ଉପରେ ଶେଯ ପକାଇ ଶୁଅନ୍ତି-। ଏ ଗୋଟାଏ ଅରମା ଗଳି, ଲୋକେ ୟା ଭିତରକୁ ଅଳିଆମଳିଆ ଫିଙ୍ଗନ୍ତି, ସ୍ଥାନେ ସ୍ଥାନେ ଖତିଆରି ଗଦେଇଛନ୍ତି । ଗୋବରତକ କାନ୍ଥରେ ଛପା ହୋଇଛି—ଘଷି । ଜମି ଉର୍ବର; କିନ୍ତୁ ଖତ ପଡ଼ିଲେ କଅଣ ଅଧିକ ଗୁଣ କରନ୍ତା ନାହିଁ ? ଜାଳ ସମସ୍ୟା ଦୂର ନ ହେବା ପର୍ଯ୍ୟନ୍ତ ଲୋକଙ୍କୁ ବୁଝାଇ ଲାଭ କଅଣ ?

 

ଗୋଟିଏ ଗଳି ମୋଡ଼ରେ ପହଞ୍ଚିଲୁ–ଦୋକାନ । ବୁଟଭଜା, ମୁଢ଼ି, ଗୁଡ଼ଫେଣି, କିଛି ଦୋକ୍ତା, ଗୁଆ । ସମସ୍ତ ଦୋକାନଟି ବିକିଲେ ଦଶ ଟଙ୍କାରୁ ଅଧିକ ହେବ ନାହିଁ । ଦୋକାନକୁ ଚାହିଁ ଦୋକାନୀ । ଗୋଟିଏ ନବେବର୍ଷର ବୁଢ଼ା, ଆଖିକି ସାମାନ୍ୟ ଦୃଶ୍ୟ ହେଉଛି; କିନ୍ତୁ କାନକୁ ମୋଟେ ଶୁଭୁ ନାହିଁ । ଚମ ସବୁ ଓହଳି ପଡ଼ିଛି, ଗୋଟିଏ ଖଟିଆରେ ବସିଛି । ପଚାରିଲି–“ଏ ବୟସରେ ଏ ସବୁ କାହିଁକି ?” ବୁଢ଼ା କହିଲା, “ବସିଲେ ଚଳୁଛି କୋଉଠି ?” ଯାହି ଦି ପଇସା ନୁଣ ତେଲକୁ ହୁଏ-। ପୁଅ ବିଲବାଡ଼ି କଥା ବୁଝେ । ମାଇପେ ଏ ବୁଟ ମୁଢ଼ି ଭାଜି ଦିଅନ୍ତି । ପଇସେ ଅଧଲେ ଯେ ମାଗିଲା ମୁଁ ଦିଏ । ଆମ ନଜର ବୁଢ଼ା ଉପରେ, କିନ୍ତୁ କୁନା ଏକଲୟରେ ବୁଟ ଭଜାକୁ ଚାହିଁଛି-। ପକେଟ ଦରାଣ୍ଡିଲି—ଗୋଟିଏ ସୁଉକି ବୁଢ଼ାକୁ ଦେଲି, ଅଣାକର ବୁଟଭଜା ଦିଅ । ବୁଢ଼ା ଚାରଣୀଟି ଧରି ଜଣେ ଓସ୍ତାଦକୁ ଡାକିଲା—‘‘ଦେଖିବଟି ପୁଅ, ଏ ସୁଉକିଟି ଚଳିବ ?” ଓସ୍ତାଦ୍‍ ଗମ୍ଭୀର ହୋଇ ଓଲଟେଇ ପାଲଟେଇ ଦେଖିଲା, କହିଲା—ଓଁହୁଁ, ଅର୍ଥାତ୍‍ ଚଳିବ ନାହିଁ । ଏ ମଧ୍ୟରେ ବୁଟ ଭଜାରୁ ଅଧାଅଧି ଉଦରସ୍ଥ ହୋଇଗଲାଣି, ଫେରାଯିବ କିପରି ? ଖଣ୍ଡିଏ ଦଶଟଙ୍କିଆ ନୋଟ ଦେଇ ଜଣେ ଶିକ୍ଷିତ ଯୁବକଙ୍କୁ ମହାଜନ ନିକଟକୁ ପଠାଇଲି ।

 

ଏବେ ଆମେ ଏକୁଟିଆ ନୋହୁ, ପଛରେ ପ୍ରାୟ ପଚାଶ ଷାଠିଏ ପିଲା; ଫୁଙ୍ଗୁଳା, ଲଙ୍ଗଳା କେହି ନାହାନ୍ତି, ମୁଣ୍ଡରେ ଚୁଟି, ଲୁଗାପଟା ବଡ଼ ଅସଣା । ସ୍ତ୍ରୀମାନେ ଦରଜା ଦରମେଲା କରି ଚାହିଁଛନ୍ତି । ପୁରୁଷଙ୍କ ଆଖିରେ ପ୍ରଶ୍ନବାଚକ—କିଏ ଏ ? ପଟୁଆର ଗୋପୀସାଉ ଦୁଆରେ ପହଞ୍ଚିଲା । ଗୋପୀ ଧନୀ କି ମଧ୍ୟବିତ୍ତ ନୁହେଁ, ଜଣେ ଗରିବ ଚାଷୀ । ଦୁଇ ତିନି ବିଘା ଜମି ଅଛି । ଦୋକାନ ଖଣ୍ଡିଏ ଥିଲା । ଏକୁଟିଆ ଲୋକ, ଦଇବେ ବୁଢ଼ା । ଚାଷ ଦେଖିବ କି ଦୋକାନରେ ବିକିବ-? ଜାତିରେ ବଣିଆ, ପୈତୃକ ବ୍ୟବସାୟ ଅଳଙ୍କାରଗଢ଼ା ସେ ଛାଡ଼ିଛି । ଗୋଟାଏ ଲୋକ, କେତେ ଆଡ଼େ ଧନ୍ଦି ହେବ ? ପୁଣି କାହିଁକି ? ପୁଅ ନାହିଁ, ଭାରିଯା ଦି ବରଷ ହେଲା ଖସିଯାଇଛି । ଏବେ ଭାଉଜ ସକାଶେ ଘର, ନଇଲେ ଜମିତକ ବିକି ଲେଙ୍ଗୁଟି ମାରି ଚାଲିଗଲେ ଦୋଷ ଦିଅନ୍ତା ନାହିଁ ।

 

ଦୁଆରେ ପହଞ୍ଚୁ ପହଞ୍ଚୁ ଛିଡ଼ା ହୋଇ ଗୋପୀ ସାଉ ଦଣ୍ଡବତଟିଏ କଲା—

 

ତା’ର ଅର୍ଥ—ଆଜି ମୋହର ଭାଗ୍ୟ ଦେଖ

ଦେଖିଲି ବନ୍ଧୁଙ୍କର ମୁଖ ।

 

ଦେହ ପାଉଁଶିଆ କଳା, ଆଖି ପଶିଲା ପଶିଲା, ତାଳୁ ଚନ୍ଦା; ଚାରି ପାଖରେ ପାଚିଲା ବାଳର ଘେରଟିଏ ଅଛି, ପିନ୍ଧା ଖଣ୍ଡିଏ ଗାମୁଛା; ଗୋପୀ ଧୂଳିଧୂସର ହୋଇ ଏଇ ବିଲରୁ ଫେରିଛି । ଏପର୍ଯନ୍ତ ଦାନ୍ତରେ ତିରଣ ଦେଇ ନ ଥିଲା । ଦାନ୍ତ ତ ପ୍ରାୟ ସବୁ ଝଡ଼ିଯାଇଛି; ଯାହି ଗୋଟେ ଦିଟା ଅଛି ସେଥିରେ ଡିହେ ଦି’ ଡିହେ ମାରି ଦାନ୍ତଘଷା ଇତି କଲା । ତା’ ପରେ ସ୍ନାନ, ସେ ଆହୁରି ସଂକ୍ଷିପ୍ତ । ସ୍ନାନ ପୂର୍ବରୁ ସେ ଦେହରେ ତେଲ ଦି ଚାପୁଡ଼ା ଚାପୁଡ଼ାଏ ମାରି ହେଲା, ତା’ ପରେ ଆଖି ବୁଜି ଗୋଟାଏ ମନ୍ତ୍ର ପଢ଼ିଲା, ଗୁଞ୍ଜନ ଧ୍ଵନିଟି କେବଳ ଆମ କାନରେ ବାଜିଲା । କୂଅ ବା ପୋଖରୀକି ଗଲା ନାହିଁ, ଢାଳେ ପାଣିରୁ ତିନି ଭାଗ ସେ ମୁଣ୍ଡରେ ଢାଳିଦେଲା, ଅମାନିଆ ହୋଇ ଗୋଟେ ଦିଟା ଧାରା ଦେହକୁ ଗଡ଼ିଆସିଲା । ପୋଛାପୋଛି ହୋଇ ବୁଢ଼ା ଲୁଗା ବଦଳି ପକାଇଲା । ତା’ପରେ ଅଗଣା କାନ୍ଥରେ ଟଙ୍ଗା ମହାଦେବ, ଗଣେଶ ଓ ଠାକୁରାଣୀଙ୍କ ଫଟୋ ଉପରେ ଟୋପିଏ ପାଣି ଛିଞ୍ଚି ଦେଲା, ଚନ୍ଦନ ଟୋପାଟାଏ ଛାଟି ଦେଲା, ଫୁଲଟିଏ ଲେଖାଏ ଦେଲା—ଭୋଗରାଗ ଥାଉ, ପରେ ହେବ । ଅତିଥି–ଅତିଥି ।

 

ଆମକୁ କେଉଁଠି ବସାଇବ, ବୁଢ଼ା ବଡ଼ ଅଡ଼ୁଆରେ ପଡ଼ିଗଲା, ପିଣ୍ଡାଟା ଯେ ନିତାନ୍ତ ଅଣଓସାରିଆ । ମଶିଣା ତ’ପଡ଼ିବ ନାହିଁ, ବସିଲେ ଆବୁଆବୁଆ ଲାଗିବ, କାଟିବ । ଦାଣ୍ଡଘରଟା ଗୁହାଳ, କାହିଁକି ଏପରି କଲା ? ସେ କଅଣ ଜାଣିଥିଲା, ଏପରି ଅତିଥି ଦୁଆରକୁ ଆସିବେ ବୋଲି-? ଭାବିଭାବି ବୁଢ଼ା ଦିଖଣ୍ଡ କାଠପଟା ଆଣି ଦୁଆରେ ପକାଇ ଦେଲା । ବସିଲୁ । ଗିଲାସେ ନିରୁତା ସିଝାଦୁଧ ଆଣି କୁନାକୁ ଦେଲା । ମନରେ କି ଆନନ୍ଦ ! ପାଦ ତଳେ ଲାଗୁ ନ ଥାଏ, ସତେ ଯେପରି କୋଟିନିଧି ପାଇଛି । କେଉଁ ଯୁଗର ପୁରୁଣା ବନ୍ଧୁ ସଙ୍ଗେ କେତେ କାଳକେ ଦେଖା ମିଳିଛି-। ସେ ଭୁଲିଗଲା—ଆମେ କେଉଁ ଦେଶର, କେଉଁ ଜାତିର । ବଡ଼ ସନ୍ତର୍ପଣରେ କହିଲା, “ଅଗଣାରେ ଟିକିଏ ପାଦ ପଡ଼ିବ ନାହଁ ?”

 

ଆମେ ସଙ୍ଗେ ସଙ୍ଗେ ଉଠିଲୁ । ନୁଆଣି ଦୁଆରବନ୍ଧ, କାଳେ ମୁଣ୍ଡରେ ବାଜିଯିବ, ବୁଢ଼ା ସାବଧାନ କରିଦେଲା । ପହିଲେ ଗୁହାଳ ପଡ଼ିଲା—ପଥର ଗୁହାଳ, ଗାଈ ଦିଓଟି ଚରି ଯାଇଛନ୍ତି । ଅଗଣାରେ ବାଛୁରୀଟି ବନ୍ଧା ହୋଇ ମଝିରେ ମଝିରେ ‘ହମା’ ରଡ଼ି ଦେଉଛି—ତା’ ଅର୍ଥ ଭୋକ ହେଲାଣି, ମୋତେ ଫିଟାଇଦିଅ ।

 

ଅଗଣାଟି ଛୋଟ, ବେତାରେ ବେତାଏ ଭୁସି ରଖାଯାଇଛି । ଗୋଟାଏ କଣରେ ଢିଙ୍କି ପଡ଼ିଛି, ଆଉ ଗୋଟାଏ କଣରେ ଉଖୁଡ଼ି ମୂଷଳ ରଖାହୋଇଛି–ଢିଙ୍କିରେ ଧାନ କୁଟା ହୁଏ, ମୂଷଳରେ ଚାଉଳ କଣ୍ଡାଯାଏ । ଅଗଣାରେ ଚୁଲୀ, ରନ୍ଧା ଏବେ ସରିଛି, ରଡ଼ ନିଆଁ ଡହକୁଛି । ଦୁଇ ଚାରିଫଡ଼ା ଘଷି ଚୁଲୀକି ଲାଗି ପଡ଼ିଛି । ଉହ୍ନେଇଟିଏ ରଖାହୋଇଛି, ବୁଢ଼ା ବିଲରୁ ଫେରିଲେ ନିଆଁ ପୁହନ୍ତି । କାନ୍ଥକୁ ଡେରାହୋଇଛି ଗୋଟିଏ ନାରିୟେଲ (ନାରିକେଳ) ହୁକ୍‍କା । ଧୂଆଁ ଟିକିଏ ନ ଖାଇଲେ, ବୁଢ଼ା ମଣିଷ ଚଳିପାରିବେ ?

 

ଅତିଥିଚର୍ଚ୍ଚା କରିବାକୁ ଗୋପୀର ମନ ହେଲା; କିନ୍ତୁ ସାହସ କୁଳେଇଲା ନାହିଁ । ଏତେ ବଡ଼ ବଡ଼ ଅତିଥିଙ୍କୁ ସେ କଅଣ ଦେଇପାରିବ ? ଦହି ବଢ଼ାଟିଏ ଧରିଥାଏ, ଦେବ କି ନ ଦେବ ଆଗକୁ ପଛକୁ ହେଉଥାଏ; କେଉଁ ପଦାର୍ଥ ଏ ବାବୁ ଖାଇନାହାନ୍ତି, ଛାର ଦହି ଟୋପାଏ ଦେବି ? ଆଉ ବା ମୋ ପାଖରେ କଅଣ ଅଛି ?

 

ବୁଢ଼ାର ଏ ଅବସ୍ଥା ଦେଖି ପଚାରିଲି—“ସେ କଅଣ ?”

 

“ଟିକିଏ ଦହି ।”

 

“ଆଣ, ଆଣ ।’’

 

ସାହୁ ସଫା ଟିଣ ଗିଲାସଟିଏ ଥୋଇଲା । ସଜ ଦହି, ଟିକିଏ ବୋଲି ଖଟା ନାହିଁ; ବଡ଼ ତୃପ୍ତିରେ ଗିଲାସେ ଲେଖାଏଁ ପିଇଦେଲୁ । ଗୋପୀ ଆମର ବ୍ରହ୍ନ ଚିହ୍ନିଲା । ଦରିଦ୍ର ସେ; କିନ୍ତୁ ପ୍ରାଣରେ ତା’ର ଦାରିଦ୍ର୍ୟର ସଙ୍କେତ ନାହିଁ । ଦହିରେ ପେଟ ପୂରିଲା ନାହିଁ ସତ, କିନ୍ତୁ ଆନ୍ତରିକତାରେ ପ୍ରାଣ ଆମର ପରିପୂର୍ଣ୍ଣ ହୋଇଗଲା ।

 

ସାଉର ପେଟ ପିଠିରେ ଲାଗିଲାଣି, ବେଳା ଦୁଇଟା, ସକାଳୁ ଟୋପାଏ ପାଣି ବି ପିଇ ନାହିଁ; ତଥାପି ସେ ତା’ର ଫସଲ କିଆରି ନ ଦେଖାଇ ଛାଡ଼ିଲା ନାହିଁ । ‘ଏ ମୋ ଧୂଆଁପତ୍ର କିଆରି, ଦିନା-କେତେ ଗଲେ କଟା ହେବ, ଏଥିରେ ବର୍ଷକ ହୁକ୍‍କାଖିଆ ଚଳେ । ଏଠି ଦଶ ଗଛ ହଳଦୀ କରିଛି, ତିଅଣରେ ପଡ଼େ । ଏଠି ମୂଳା ଶହେ ଗଛ ହୋଇଥିଲା, ଶେଷ ଧରିଲାଣି । ଏ ଫୁଲକୋବି, ଫୁଲ ଧରିନାହିଁ । ଏଠି ଅରାଏ ବୁଟ କରିଛି, ଛତୁଆ କରେ । ଏ ଲଙ୍କା କ୍ଷେତ, ଭାରି ରାଗ, ତାଡ଼ କରିବେ ? ଲଙ୍କା ତୋଳିଲାବେଳେ ବୁଢ଼ାକୁ ଟିକିଏ ମନେ ପକାଇବେ । ବାବୁ, ମୁଁ କାହା ଦୁଆରକୁ କିଛି ମାଗିଯାଏ ନାହିଁ; ଲୁଗାପଟା ଛଡ଼ା କିଛି କିଣେ ନାହିଁ ।’

 

‘ତୁମେ ଜଣେ ରଜା ।’

 

‘ରଜା ?’ –ବୁଢ଼ା କିରିକିରେଇ ହସିଲା ।

 

ବୁଢ଼ା କେତେ ପନିପରିବା ଦେଉଥିଲା, ଆଣିଲି ନାହିଁ । କହିଲି, “ତୁମ ପ୍ରାଣର ଆନନ୍ଦ ପାଇଲୁ, ଏଇ ଆମର ମୂଳଧନ । ଏହାଠାରୁ ଅଧିକ ମୂଲ୍ୟବାନ ପଦାର୍ଥ କିଏ କଅଣ ଦେଇପାରିବ-?’

 

ଗୋପୀ ଫେରିଲା, ଆଖିରେ ତା’ର ଲୁହ । ଆମେ ଫେରିଲୁ—ପ୍ରାଣରେ ଗୋପୀର ତରଳ ଶ୍ରଦ୍ଧା ।

 

ରବୀନ୍ଦ୍ର କୁମାର ନାଳନ୍ଦା କଲେଜରେ ଦ୍ଵିତୀୟ ବାର୍ଷିକ ଛାତ୍ର ସାହୁର ଅତିଥି ଚର୍ଚ୍ଚା ଦେଖି ତାଙ୍କର କର୍ତ୍ତବ୍ୟବୋଧ ଜାଗ୍ରତ ହେଲା—ଯୌବନ ବୟସ, ପ୍ରାଣ ଉଦାର । ‘କିଛି କରିବା ଉଚିତ’—ରବୀନ୍ଦ୍ର ଭାବିଲେ । ଘରେ ବାପା, ଭାଇ ମୁରବି, ନ ପଚାରି ନିମନ୍ତ୍ରଣ କରିବା ଠିକ୍‍ ହେବ ନାହିଁ । କିଛି ନ କହି ସେ ଆମକୁ ତାଙ୍କ ଘରକୁ ଡାକି ନେଲେ । ମଧ୍ୟବିତ୍ତ ପରିବାର, ମାଟିଘର; କିନ୍ତୁ କାନ୍ଥ ପଲସ୍ତରା ହୋଇ ଚୂନ ଲିପାହୋଇଛି । ସିମେଣ୍ଟ ପିଣ୍ଡା, କାନ୍ଥରେ ଭାରତର ମାନଚିତ୍ର; ଲେଖାହୋଇଛି—

 

‘ହିନ୍ଦୁ ମୁସଲିମ୍‍ ଶିଖ୍‍ ଇସାଇ

ଦେଖ ସଭି ହେ ଭାଇ, ଭାଇ ।’

 

ରବୀନ୍ଦ୍ର ବାପା ଜଣେ ମୋହରିର୍‍, ବେଶ୍‍ ଦି’ ପଇସା ଉପାୟ କରନ୍ତି, ଭାଇ ଚାଷବାସ ବୁଝନ୍ତି । ଜମି ପ୍ରାୟ ତିରିଶ ବିଘା ଅଛି । ସେ ମୋତେ ନେଇ ତାଙ୍କ ବାପଭାଇଙ୍କ ସଙ୍ଗେ ପରିଚିତ କରେଇଦେଲେ । ଗୋଟିଏ କଣ ଘରେ ବସି ମୁଁ ଭାଇଙ୍କ ସଙ୍ଗେ ସୁଖଦୁଃଖ ହେଲି । ମୋ ସ୍ତ୍ରୀ ଅନ୍ତଃପୁରକୁ ଗଲେ—ମାଇପିଙ୍କ ସଙ୍ଗେ ଦୋସ୍ତି ଜମେଇବା ଲାଗି । ଘରେ ପଶୁପଶୁ ଚାଳ ବାଜିଲା ପରି ସେ ଶୁଣିଲେ—‘ଦଶ କି କୋଡ଼ିଏ ଜଣ ଡାକିଆଣିଚି, ମୁଁ କୁଆଡ଼ୁ ପୁରୀ ଛାଣିଦେବି ?’ ଏ ରବୀନ୍ଦ୍ରଙ୍କ ମାଆ । ଭାରତୀୟଙ୍କ ଅତିରଞ୍ଜନ କରିବା ଶକ୍ତି ପୃଥିବୀରେ ବିରଳ । ଆମେ ସଂଖ୍ୟାରେ ମାତ୍ର ଅଢ଼େଇ ଜଣ—ମୁଁ, ମୋ ସ୍ତ୍ରୀ ଆଉ ଜଣେ ପିଲା । ଦଶତ ଦୂରର କଥା, ଦଶର ଅଧ ପାଞ୍ଚ ବି ନୋହୁଁ । ରବୀନ୍ଦ୍ର ଆଦର୍ଶବାଦୀ—ଏଭଳି ଭଦ୍ରଲୋକଙ୍କୁ କଅଣ ରୁଟି ଦିଆଯାଏ ? ତାଙ୍କ ମାଆ ବାସ୍ତବବାଦିନି, ଏତେ ଲୋକଙ୍କୁ ଖାଣ୍ଟି ଘିଅରେ ପୁରୀ ଛାଣି କାହିଁକି ଦିଆଯିବ ? ଏଗୁଡ଼ାକ ଅଫାଉଲା, ବନ୍ଧୁ କି ବାନ୍ଧବ ନୁହନ୍ତି ଯେ, ଖାଇ ଗାଇବେ । ଉଡ଼ା ଚଢ଼େଇ, କୁଆଡ଼ୁ ଆସିଛନ୍ତି, କୁଆଡ଼େ ଯିବେ । କାହିଁକି ଏ ବଦଖର୍ଚ୍ଚ ? ରବୀନ୍ଦ୍ର ଅତିଥିଭବନରେ ଏମିତି କେତେ ଅଫାଉଲାଙ୍କୁ ଲୋକେ ଖୁଆଇବାର ଦେଖିଛି । ତାକୁ ଏକଥା ସୁଖ ଲାଗୁ ନାହିଁ । ରବୀନ୍ଦ୍ର ମା’ ବିନା ସ୍ୱାର୍ଥରେ କେହି କିଛି କରିବା କ୍ୱଚିତ୍‍ ଦେଖିଛି । ପୁଅ ଯାହା ସାହା ଖର୍ଚ୍ଚ କରୁଛି, ବଡ଼ ହେଲେ କଅଣ କିଛି ରଖିବ ?

 

ସେ କେତେ କଅଣ କହିଥାନ୍ତେ, ହଠାତ୍‍ ଅଟକି ଯାଇ ଜିଭ କାମୁଡ଼ି ପକାଇଲେ—‘ମୁଁ ଚଣ୍ଡାଳୁଣୀ କଲି କଅଣ ? ଏ ଯେ ଅତିଥି ! ଶୁଣିଲେ ପରା ।’ ଲଜ୍ଜାରେ ଟିକିଏ ଛୋଟ ହୋଇଗଲେ-। ତା’ ପରେ ଉପସ୍ଥିତ କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦେବାଲାଗି ମୁହଁରେ ଟିକିଏ ହସ ଫୁଟାଇ କହିଲେ, ‘ଆୟିୟେ ।‘ ତା’ପରେ ଚୂଲୀରେ କରେଇ ବସିଲା, ମଇଁଷି ଘିଅ ଢଳା ହେଲା, ପୁରୀ ଛଣାଗଲା-। ଛ’ଟି ପିଲା ଏକଲୟରେ କରେଇକି ଚାହିଁ ବସିଥାନ୍ତି, ପାଟିରୁ ତରଳ ପଦାର୍ଥ ବିଶେଷ ନିର୍ଗତ ହୋଇ ବାରମ୍ବାର ଉଦରସାତ ହେଉଥାଏ । ଏ ତ ଗୋଟିଏ ନୂଆ ଜିନିଷ, ବହୁକୁଟୁମ୍ବୀ ପରିବାରରେ କ୍ଵଚିତ୍‍ ଦେଖାଯାଏ । ଖଣ୍ଡିଏ ଖଣ୍ଡିଏ ଆଶା କରିବା ଅନ୍ୟାୟ ନୁହେଁ ।

 

ଅତିଥି ଚର୍ଚ୍ଚାରେ କୌଣସି ତ୍ରୁଟି ଦେଖାଗଲା ନାହିଁ । ମୁଁ ରବୀନ୍ଦ୍ର ମାଆର ଗାଳି ଶୁଣି ନାହିଁ, ପରମ ତୃପ୍ତିରେ ଖାଇଲି । ମୋ ସ୍ତ୍ରୀଙ୍କ ପେଟରେ ଭୋକ, ମନରେ କଷ୍ଟ, ତାଙ୍କୁ ଘିଅ ପୁରୀ ରୁଚିଲା ନାହିଁ । ପରେ ଯେତେବେଳେ କଥା ପଡ଼ିଲା, ମୁଁ ବୁଝାଇଲି—‘ମଧ୍ୟବିତ୍ତ ପରିବାର ସବୁ ଏଇଆ, ‘କହନ୍ତି ଯେଡ଼େ, ନୁହଁନ୍ତି ତେଡ଼େ,’ ‘ହାତରେ ନ ଥାଇ ଧନ, ପୁଅ ବାହା କରି ମନ,’ ଦେଖେଇ ହେବା ଇଚ୍ଛାଟି ବେଶୀ । ଦେଖ ରବୀନ୍ଦ୍ର ଦାଣ୍ଡ-ଦୁଆରେ ଚୂନ ବୋଳିଛି, ଭିତର ଘରେ ପଣେ ମୂଷାଗାତ । ରୁଟି ଦେବାର ଶକ୍ତି ଅଛି, ପୁରୀ ଛାଣୁଛି; ଫଳରେ ଜଟିଳତା । କିନ୍ତୁ ଗୋପୀ ସାହୁର ବାହାର ଭିତର ସମାନ; ଦେଖେଇ ହେବା ଲାଗି କିଛି ନାହିଁ, ଲୁଚେଇବାକୁ ବି କିଛି ନାହିଁ । ଜମିଦାରଟା ସିନା ଧନରେ ବିପୁଳ, ଶରୀରରେ ପୃଥୁଳ, ହୃଦୟ ବୋଲି ତା’ର କିଛି ନାହିଁ । ସବୁ ମେଦରେ ମିଶିଛି, ଜୀର୍ଣ୍ଣ ହୋଇଯାଇଛି ।’

 

ବିଦାୟ ରାଜଗିରି–

 

ବୈଚିତ୍ର୍ୟହୀନ ଜୀବନ ନିରର୍ଥକ । ଗୋଟିଏ ଶଗଡ଼ ସରିଲେ ଚାଲି ଚାଲି ଯେଉଁ ଜୀବନ ଘଷରା ହୁଏ, ସେଥିରେ ଆମୋଦ ତ ଦୁରର କଥା, କିଛି ହେଲେ ଆସ୍ଵାଦ ନ ଥାଏ । ସେତେବେଳେ ନିଜ ନିକଟରେ ନିଜେ ହୁଏ ଗୋଟିଏ ଜଟିଳ ପ୍ରଶ୍ନ । ତା’ର ସମାଧାନ ହେବା ପୂର୍ବରୁ ହୁଏତ ସେ ଆଖି ବୁଜେ । ଏ ଜୀବନ ଯଦି ଏତେ ନଶ୍ଵର, ତାକୁ ବିଚିତ୍ର ଆନନ୍ଦ ନ ଚଖାଇବା କାହିଁକି ? ପୁନର୍ଜନ୍ମ ହେବ କି ନାହିଁ, କିଏ ଜାଣେ ? ଏ ଜନ୍ମଟି ଯଦି ବୃଥା ହୁଏ, ଆର ଜନ୍ମଟି ଯେ ବ୍ୟର୍ଥ ନ ହେବ, କିଏ କହିବ ? ରୁଟିନ୍‍ର ପଂଝାରୁ ଜୀବନକୁ ମୁକୁଳେଇବା ଆମ ଭ୍ରମଣର ଗୋଟିଏ ଉଦ୍ଦେଶ୍ୟ ଥିଲା, ତାହା ଚରିତାର୍ଥ ହୋଇଅଛି । ଏବେ କାର୍ଯ୍ୟର ଆହ୍ଵାନ ଆସିଛି, ବିଦାୟ ରାଜଗିରି ।

 

ଦୁଃଖ ରହିଗଲା, ବୈଭାର ଗିରି ଶିଖରକୁ ଉଠି ପାରିଲୁ ନାହିଁ, ଅଥଚ ଏହାର ପ୍ରାଣ ବନ୍ୟାରେ ହିଁ ଆମେ ପ୍ରତିଦିନ ସ୍ନାନ କରୁଛୁ । ବୁଦ୍ଧ ଏହି ପର୍ବତରେ ଶିଷ୍ୟମାନଙ୍କୁ ନାନା ଉପଦେଶ ପ୍ରଦାନ କରିଥିଲେ । ତା’ର ସ୍ମାରକ ରୂପେ ଏଠି ଗୋଟିଏ ସ୍ତୂପ ନିର୍ମିତ ହୋଇଥିଲା, ତା’ର ଚିହ୍ନବର୍ଣ୍ଣ ନାହିଁ । ବିଦାୟ ଦିନ ଆମେ ବୈଭାରରେ ଉଠିଲୁ । ପଥେ ପଥେ ବହୁତ କ୍ଷୁଦ୍ର ବୃହତ୍‍ ଗୁମ୍ଫା ଅଛି, ମେଳାବେଳେ ସନ୍ନ୍ୟାସୀମାନେ ରହନ୍ତି । ଅଳ୍ପ ଦୂରରେ ଜରାସନ୍ଧର ବୈଠକଖାନା, ଏ ଗୋଟିଏ ବୃହତ୍‍ ପ୍ରସ୍ତର ପ୍ରାଙ୍ଗଣ, ଜନଶ୍ରୁତିକି ଉପଜୀବ୍ୟ କରି ଏବେ ନିର୍ମିତ ହୋଇଅଛି । ଏଠାରୁ ପ୍ରାୟ ଚାରି ମାଇଲ ଦୂରରେ ଗୋଟିଏ ସ୍ଥାନ ଅଛି, ଲୋକେ କହନ୍ତି—ଭୀମ ମଲ୍ଲଯୁଦ୍ଧରେ ଏହି ସ୍ଥାନରେ ଜରାସନ୍ଧକୁ ବିନାଶ କରିଥିଲେ, ଅସମୟରେ ପଡ଼ି ଭଗବାନଙ୍କୁ ଗଧର ପାଦ ଧରିବାକୁ ହୋଇଥିଲା-। କିଂବଦନ୍ତୀ, ଇତିହାସ ଓ ଧର୍ମର ସ୍ପର୍ଶରେ ଏ ସ୍ଥାନଟି ବିଚିତ୍ର ପ୍ରତିଷ୍ଠା ଲାଭ କରିଅଛି, ବିଶ୍ଵାସ ଅବିଶ୍ଵାସର ପ୍ରଶ୍ନ ନାହିଁ, ଏହି ମୃତ୍ତିକା କାଳକ୍ରମେ ମଣିଷ ମନରେ କିପରି ମହତ୍ତ୍ଵ ଅର୍ଜନ କରିଅଛି, ତାହାହିଁ ଭାବିବାର କଥା ।

 

ଏଇ ବୈଠକ ଘରେ ସେହି ଦୁର୍ବୃତ୍ତ ରାଜା ଥିଲେ ସାଦର ଅଭ୍ୟର୍ଥନା ତ ମିଳି ନ ଥାନ୍ତା, ବରଂ ମୁଣ୍ଡ ଉଡ଼ିଯିବାର ଶଙ୍କା ଥିଲା । ଏବେ ନିର୍ଭୟରେ ବସାଯାଉ, ବାଧାଦେବାକୁ ଅସ୍ତ୍ରହସ୍ତ ଦ୍ଵାରପାଳ ନାହାନ୍ତି, ମନକୁ ବାଜି ଉଠୁଥିବା ବିଚିତ୍ର ବାଦ୍ୟ ନାହିଁ ବା ବୋବାଳି ଛାଡ଼ୁଥିବା ଗଧ ନାହିଁ ।

 

ବୈଠକ ଘରେ ଦଣ୍ଡେ ବସି ବିଚାରିଲୁ—ଯେପରି ବିପୁଳାଚଳ, ଗୃଧ୍ରକୂଟ, ସେହିପରି ବୈଭାର—ଏହାର ଶୃଙ୍ଗରେ ଗୁଡ଼ିଏ ଜୈନ ମନ୍ଦିର ଅଛି, କାରୁକାର୍ଯ୍ୟ ଦିଗରୁ ବୈଚିତ୍ର୍ୟହୀନ । ଉଠି ଲାଭ କ’ଣ ? ଜିନିଷପତ୍ର ବାନ୍ଧିବାକୁ ହେବ, ଚିତ୍ତର ଚାଞ୍ଚଲ୍ୟରେ କ’ଣ ଦେଖାଯିବ ? ବିଦାୟ ବୈଭାର, ବିଦାୟ ରାଜଗିରି ।

 

ଦଶଟାବେଳେ ଟମ୍‍ଟମରେ ଜିନିଷପତ୍ର ନଦା ହେଲା, ଦୁଧନାଥଜିଙ୍କୁ ନମସ୍କାର ଜଣାଇ ଷ୍ଟେସନ ଅଭିମୁଖେ ଚାଲିଲୁ । ଧୂଳିଆ ବଜାର, ବାଁ ପାଖେ ଗୋଟିଏ ଚାଳଘର, ତା’ ଭିତରେ ବୁଲୁଛି ଘଣା, ବଳଦଟି ଅନ୍ଧ । ତାକୁ ଅଡ଼େଇବାକୁ ହେଉନାହିଁ, ସେ ଅଭ୍ୟାସବଶତଃ ଘୁମେଇ ଘୁମେଇ ଚାଲିଛି । ଗୋଟିଏ ପିଲା ବାଡ଼ି ବୁଲଉଛି—ଶୋଇଥିବା କୁକୁରଟି ଏକ ଆଖିରେ ତା’ ଆଡ଼କୁ ଅନାଇଛି, କାଳେ ବାଡ଼ିଟା ଛିଟିକି ତା’ ଦେହରେ ବାଜିଯିବ ! କେଉଟୁଣୀ ଚୁଡ଼ା କୁଟୁଛି, କେଉଟ ଗୋଟିଏ ହାତରେ ଧାନ ଖରଡ଼ୁଛି, ଅନ୍ୟ ହାତରେ ଚୁଡ଼ା ଶୁଖଉଛି । ବସ୍‍ ଚାଲିଛି ପାଟଣା ଅଭିମୁଖେ, ଟ୍ରକ୍‍ ବୋହି ଆଣୁଛି ଇଟା ନୂତନ ନିର୍ମାଣ ଲାଗି । ଜୋତା ସିଲାଇ କରୁଛି ମୋଚି । ବୃଷଭ ଅସାବଧାନୀ ପରିବାବାଲାଙ୍କଠାରୁ ଜବରଦସ୍ତି କର ଆଦାୟ କରୁଛି । ଅନାବଶ୍ୟକ କୋବିପତ୍ରଗୁଡ଼ାକ ଚୋବାଉଛି ଗର୍ଭିଣୀ ଛେଳି । ଆମେ ଏକ୍‍ସପ୍ରେସରେ ବସିଲୁ, କୁଲିକି ବିଦାୟ ଦେଲୁ । ଗାଡ଼ି ଚାଲିଲା । ରାଜଗିରିର ଗିରିଗୁଡ଼ିକ ପଛରେ ପଡ଼ିରହିଲେ, ଧୀରେ ଧୀରେ ଦୂରତାର ଅନ୍ଧକାରରେ ହଜିଗଲେ, ସେତେବେଳେ ନମସ୍କାର ଜଣାଇଲି—ବିଦାୟ ରାଜଗିରି ।

☆☆☆

 

ବାଦାମ୍‍ ପାହାଡ଼

 

ତଥାପି ଏ ମନ ସବୁବେଳେ ଭୋକିଲା, କେତେ ଦୃଶ୍ୟ ଦେଖିଲି, କାହିଁରେ ତା’ର ପେଟ ପୂରିଲା ନାହିଁ । ସେ ଚାହେଁ ପୃଥିବୀକି ନିଜ ଭିତରେ ପାଇବାକୁ, ସମସ୍ତ ରସକୁ ସୋମରସ ପରି ପାନ କରିଦେବାକୁ । ଡାକୁଛି ସଂସାରର ଟିକି ଟିକି କାରବାର, ଅମଣିଆଁ ମନକୁ ବାନ୍ଧିବାକୁ ଦିଗେ ଦିଗେ ନାଗଫାଶ । ବିଦ୍ରୋହୀ ବନ୍ଦୀ ପରି କାରାଗାରର ପାଚେରୀ ଡେଇଁ ଦିନେ ବାହାରି ପଡ଼ିଲି ବାଦାମ୍‍ ପାହାଡ଼ ଦେଖି । ମନ ଭିତରେ କେତେ ନୈରାଶ୍ୟ, ଦୁର୍ଭାବନା ଅଳନ୍ଧୁ ପରି ଜମିଥିଲା । ବାଦାମ୍‍ ପାହାଡ଼ର କଳ୍ପିତ ବାଦାମୀ ଉଷାର ସୁରଭି ନିଃଶ୍ଵାସରେ ସବୁ ଝରି ପଡ଼ିଲା—ଦେଖାଗଲା ସନ୍ଧ୍ୟାର ଇନ୍ଦ୍ରଜାଲରେ ମୋ ହାବିଷ୍ଟ ଉପତ୍ୟକା, କୋକିଳର କୁହୁ ସ୍ଵନରେ ଏକାନ୍ତ ଆତ୍ମୀୟ କଣ୍ଠର ଦରଦ ଓ ଅନୁରାଗ ଫୁଟି ଉଠିଲା । ବାୟୁମଣ୍ଡଳ ରୋମାଞ୍ଚିତ; ବନର ସବୁଜ ହିଲ୍ଲୋଳରେ, ଝର୍ଝର ଝରଣାରେ ବହୁଦିନରୁ ହଜିଯାଇଥିବା ନିଜକୁ ଖୋଜି ପାଇଲି; ହିସାବୀ ସଂସାରୀ ନୁହେଁ, ସ୍ଫୀତବକ୍ଷ ବିଦ୍ଵାନ୍‍ ନୁହେଁ, ଯଶଲିପ୍‍ସୁ କବି ନୁହେଁ, ଏକ ସହଜ ମୁଁ; ଯେମିତି ବନ, ନଦୀ, ବୃକ୍ଷ, ସେମିତି ଗୋଟିଏ ମୁଁ । ମେଘ ସଙ୍ଗେ ମେଘ, ପ୍ରଜାପତି ସଙ୍ଗେ ପ୍ରଜାପତି, ପକ୍ଷୀ ସଙ୍ଗେ ପକ୍ଷୀ, ଫୁଲ ସଙ୍ଗେ ଫୁଲ, ବହୁରୂପୀ, ବହୁବ୍ୟାପୀ, ସରସ, ସୋଲ୍ଲାସ ।

 

ରାସ୍ତା ଦୁଇ ପାଖରେ ଜମି, କ୍ଷୁଦ୍ରରୁ କ୍ଷୁଦ୍ରତମ; ଆମ ଅସହଯୋଗ ଓ ଅସାମଞ୍ଜସ୍ୟର ଇତିହାସ । ଏଇଠାରୁ ଆମ କଳି ତକରାଳ ନିତି ନିତି ବୁହା ହୋଇ ଯାଉଛି ଥାନା ଆଉ କଚେରିକି । ସଂଖ୍ୟାତୀତ ଜୀବନ ଆଜି ଛିନ୍ନବିଚ୍ଛିନ୍ନ, ପଙ୍କିଳ, ଶୋଷିତ, ପିଷ୍ଟ । ବନ ଗଛପରି ଏଇ ଜମିମାଳରେ ଉଠିଛି କେତୋଟି ବୁଦୁବୁଦିକିଆ ସାନ୍ତାଳ ଘର—ବିକ୍ଷିପ୍ତ, ବିଶୃଙ୍ଖଳ । ଖରା ବର୍ଷାର ଦାଉ ଓ ବନ୍ୟ ଜନ୍ତୁର ଭୟ ନେଇଛି ମୃଣ୍ମୟ ରୂପ । ଗିରିଗହ୍ଵର ଓ ବୃକ୍ଷମୂଳ ଅପେକ୍ଷା ହୁଏତ ଏ ଗୃହ ଅଧିକ ନିରାପଦ । ଗ୍ରାମ ନିର୍ମାଣରେ କୌଣସି ଯୋଜନା ନାହିଁ, ଯେ ଯେପରି କଲା, ଯେ ଯେତେବେଳେ ଆସି ଘର କରି ରହିଲା । କାହା ଦାଣ୍ଡ ଦୁଆରକୁ କାହା ବାଡ଼ିଦୁଆର, କାହା ଖଳାକୁ କାହା ବଗିଚା । କିନ୍ତୁ ଲାଲ୍‍ ମାଟିରେ ଲିପା ହୋଇ ଘର ସୁନ୍ଦର ଦିଶୁଛି । ଆଦିବାସୀ ବଡ଼ ପରିଚ୍ଛନ୍ନ ହେଲେ ବି ଚାଳ ଅପେକ୍ଷା ଚଟାଣ ଉପରେ ତା’ର ଅଧିକ ଦୃଷ୍ଟି ।

 

ପ୍ରାୟ ଦିନ ନ’ଟାରେ ବାଙ୍ଗରପୁସିରେ ପହଞ୍ଚିଲୁ । ନୁହେଁ ଗ୍ରାମ, ନୁହେଁ ସହର, ମିଶାମିଶି ଭାବ । ହେଲେ ବି ସହର ମାଡ଼ୁଛି; କାରବାରୀ ଜାଗା, ବଡ଼ ବଡ଼ ଦୋକାନ ଅଛି, ଡାକ୍ତରଖାନା, ମାଇନର ସ୍କୁଲ ଅଛି । କାମିଜିପିନ୍ଧାଙ୍କ ସଂଖ୍ୟା ନିତାନ୍ତ କମ୍‍ ନୁହେଁ, ସାନ୍ତାଳ ନୂଆ କରି ଚାହା ଖାଇ ଶିଖୁଛି । ଗାଆଁ ସଙ୍ଗେ ସହରର ସମ୍ପର୍କ ବଢ଼ୁଛି, ଗାଆଁର ରୂପ ରୁଚି ବଦଳୁଛି ।

 

ଆଗରେ ପାର୍ବତୀୟ ଘାଟି, ସାଲୁସ୍‍ ବା କଳିଙ୍ଗା ଘାଟି ପରି ଉଚ୍ଚ ନୁହେଁ, ଜଙ୍ଗଲୀ ପାହାଡ଼ ଶୃଙ୍ଗ ଭିତରେ ବସ୍‍ ଗଳି ଗଳି ଗଲାବେଳେ ସବୁଜ ହିଲ୍ଲୋଳ ପ୍ରାଣକୁ ବାଚାଳ କରେ—ଶୃଙ୍ଗ କଥା କହେ, ତରୁ ନୃତ୍ୟ କରେ, ସ୍ଥାବର ଜଙ୍ଗମ ହୁଏ । ଶୃଙ୍ଗ, ତରୁ ଆଉ ମଣିଷର ଛାତି ଏକ ସ୍ଵରରେ ବାଜିଉଠେ ।

 

ବସ୍‍ ପହଞ୍ଚୁ ପହଞ୍ଚୁ ବାଦାମ୍‍ ପାହାଡ଼ ଗାଡ଼ି ଛାଡ଼ି ଦେଇଥିଲା । ଟ୍ରକ୍‍ଟିଏ ବି ମିଳିଲା ନାହିଁ-। ବାଧ୍ୟ ହୋଇ ରାଇରଙ୍ଗପୁର ଏସ୍‍. ଡି. ଓ. ଙ୍କ ଶରଣ ନେଲି । ଅମରବାବୁ ଶିଖ୍‍, ବଳିଷ୍ଠ ଦେହ, ମୁଣ୍ଡରେ ପଗଡ଼ି, ଦୀର୍ଘ ଦାଢ଼ି, ମନ ସରଳ, ଉଦାର । ଆମ ପରିଚୟ ପାଇ ଖଣ୍ଡିଏ ଘରୋଇ ଗାଡ଼ି ବ୍ୟବସ୍ଥା କରି ଦେଲେ ।

 

କଚେରୀ ପିଣ୍ଡାରେ ଶହ ଶହ ଲୋକ ଭେଳା ଭେଳା ହେଉଥାନ୍ତି, ବାଦୀ, ପ୍ରତିବାଦୀ, ମାମଲତକାର ଟାଉଟରଦଳ । ଆଖିରେ ନିଆଁ ଝକ୍‍ ଝକ୍‍ କରୁଥାଏ, କାହାକୁ ପୋଡ଼ିବ, କାହାକୁ ଜାଳିବ ସେଇ ଚିନ୍ତା; ଓକିଲଙ୍କ ଆଡ଼ମ୍ବର ଚାଲି, ମୋହରିରଙ୍କ ଶିକାରୀ ଆଖି ପାରିଧି ଖୋଜି ବୁଲୁଥାଏ । ନିରୀହ ସର୍ବହରା ମୁହଁରେ ‘କଣ କରିବି’ ଭାବ, ଗାଡ଼ିରେ ବସିଲୁ । ଘାଉଁ ଘାଉଁ ଶବ୍ଦ ଭିତରେ ଶୁଣା ଯାଉଥାଏ—‘ମାରକଣ୍ଡ ଜେନା ହାଜର ହାୟ’—ଆହା ବିଚରା ମାର୍କଣ୍ଡ ଜେନା, କ’ଣ ସେ କରିଛି ?

 

ଧୂଳିଆ ଆକାଶ, ଖଣ୍ଡିଆଭୂତ ଚକାଭଉଁରୀ ଖେଳୁଥାନ୍ତି; ସୂର୍ଯ୍ୟ ଜ୍ଵଳନ୍ତ କମାଣର ମୁଖ ପରି ଭୟଙ୍କର ଦିଶୁଥାଏ । ପ୍ରକୃତି ମୁଖରେ ନିର୍ବେଦ ଭାବ । ଜ୍ଵଳନ୍ତ ଅଗ୍ନି କୁଣ୍ଡରେ ପହଁରି ପହଁରି ଗାଡ଼ି ପହଞ୍ଚିଲା ବାଦାମ୍‍ ପାହାଡ଼ରେ । ସେତେବଳକୁ ବାର ଉପରେ ଗୋଟାଏ । ହୋଟେଲ୍‍ ଦୁଆରେ ଅଷ୍ଟିନ୍‍ ଗାଡ଼ିରୁ ସାହେବ ଠାଣିରେ ଓହ୍ଲାଇ ପଡ଼ିଲୁ, ହୋଟେଲବାଲା ବି ପାଛୋଟି ଘେନିଗଲା । ଭୋକ, ପୁଣି ବେପରୁଆ ଭାବ, ଯାହା ହେବ ଦିଆଯିବ, ଛୋଟ ଲୋକ ପରି ଦରଦାମ୍‍ ଗୋଟାଏ ବୁଝିବା କ’ଣ ? ଆମ ଉଦାସୀନତା, ସୁଟ୍‍, ଟୋପି, ମଟର ଗାଡ଼ି ଦେଖି ମାଲିକ କ’ଣ ଠଉରେଇଲେ କେଜାଣି, ଆଚ୍ଛା କରି ଦି ପଇସା କଷିଦେଲେ । ଲାଭଖୋର ମନୋବୃତ୍ତି ଏ ଜାତିକି ଅନ୍ତଃସାରଶୂନ୍ୟ କରିଛି, ଛୋଟରୁ ବଡ଼ ପର୍ଯନ୍ତ ସବୁଠି ଏଇଆ । ଦଳେ ଦଲାଲ୍‍ ଧର୍ମକୁ ଆଖିମିଟିକା ମାରୁଛନ୍ତି; ଦେଶ, ଜାତି ବା ସ୍ଵାଧୀନତା ଅପେକ୍ଷା ସେମାନଙ୍କ ଆଖିରେ ଧନ ବଡ଼ । ଦେଶପ୍ରେମିକର ମୁଖା ପିନ୍ଧି ବେଳକାଳ ଦେଖି ବୁକୁରେ ଛୁରା ମାରନ୍ତି ଏଇମାନେ—ହୋଟେଲ ମାଲିକ ସେଇ ଦଳର ଗୋଟିଏ ଚୁଟିଆ ମୂଷା ମାତ୍ର ।

 

ଟାଟା ଡାକବଙ୍ଗଳାଟି ପାହାଡ଼ର ନୀଳ ପାଦ ଉପରେ ବିନ୍ଦୁଏ ସାବୁନ ଫେଣ ପରି ରହିଛି-। ପାହାଡ଼ର ସମସ୍ତ ତାତି ସେଇ ଘରେ ଜମା ହୋଇଛି । ଚଉକି, ଟେବୁଲ୍‍, ଚଟାଣ, କାଛ, ଖଟ, ଶେଯ ସବୁ ଗରମ । କଳପାଣି ଟକ୍‍ ଟକ୍‍ ଫୁଟୁଥାଏ, ଫୁଟା ପାଣିର ବାମ୍ଫ ପରି ପବନ ବୋହୁଥାଏ-। ତାତିଲା କରେଇରେ ଜୀଅନ୍ତା ମାଛପରି ସାରା ଦି’ ପହରଟା ଆମେ ଭାଜି ହେଉଥାଉ-

 

ଟିକିଏ ଶୀତୁଳି ପଡ଼ିଲାରୁ ଆଖପାଖ ଜାଗା ବୁଲି ଦେଖିଲୁ । ମ୍ୟାନେଜର ବାବୁ ଜଣେ ମହାରାଷ୍ଟ୍ରୀ, କଳା ବାଙ୍ଗରା ଚେହେରା, ହିନ୍ଦୀରେ ଯାହା ପ୍ରବେଶ ଅଛି, ଶ୍ରମିକଙ୍କ ସଙ୍ଗେ କଥାବାର୍ତ୍ତା ଚଳେଇବା ଲାଗି ଯଥେଷ୍ଟ । କିନ୍ତୁ ଇଂରେଜୀରେ ଯେଉଁ ଦଖଲ ଅଛି, ଅଫିସ୍‍ କାମ ଚଲେଇବା ଲାଗି ଯେତିକି ଦରକାର, ତାଠୁଁ ଅନେକ ବେଶୀ । ଅବସର ବେଳେ ସେ ଖାଲି ଖବରକାଗଜ ନୁହେଁ, ବହି ମଧ୍ୟ ପଢ଼ାପଢ଼ି କରନ୍ତି । ଟିକିଏ ବେଶୀ ଭଦ୍ର, ଆନ୍ତରିକତା ତା’ ଭିତରେ କେଉଁଠି ଲୁଚି ରହୁଥାଏ, ଦିଶୁ ନ ଥାଏ । ସେ ବାଦାମ୍‍ ପାହାଡ଼ର ଲୁହା ଖଣି ବିଷୟରେ ଆମକୁ କିଞ୍ଚିତ୍‍ ଧାରଣା ଦେଲେ । ୧୯୦୮ରେ ମୟୁରଭଞ୍ଜ ମହାରାଜାଙ୍କ ଭୁତତ୍ତ୍ଵବିତ୍‍ ପି. ଏନ୍‍. ବୋଷ ଗୋରୁମହିଷାଣି ଓ ବାଦାମ୍‍ ପାହାଡ଼ ଲୁହାଖଣି ଆବିଷ୍କାର କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ମହାରାଜାଙ୍କ ସାଧ୍ୟାତୀତ ଥିଲା । ୧୯୨୧ରେ ଟାଟା କମ୍ପାନୀ ଏଠାରୁ ଲୁହା ପଥର ନେବା ଆରମ୍ଭ କଲେ । ବର୍ଷକୁ ପ୍ରାୟ ସାଢ଼େ ତିନିଲକ୍ଷ ବା ଚାରିଲକ୍ଷ ଟନ୍‍ ପର୍ଯ୍ୟନ୍ତ ଲୁହାପଥର ଏଠାରୁ ଟାଟା କାରଖାନାକୁ ପଠାଯାଏ । ମହାରାଜା ଟନ୍‍ ପିଛା ଚାରିଅଣା କରି ସଲାମି ପାଉଥିଲେ, ଏବେ ଓଡ଼ିଶା ସରକାର ପାଞ୍ଚଅଣା ଲେଖାଏଁ ପାଉଛନ୍ତି, ଲୁହା ଦର ବହୁତ ବଢ଼ିଲେ ବି ସଲାମିର ପରିମାଣ ବଢ଼ୁନାହିଁ । ଶାଗ ଦରରେ ସୁନା ବିକା ହେଉଛି । କମ୍ପାନୀ ଟନ୍‍ ପିଛା ଷାଠିଏ ସତୁରି ଟଙ୍କାରୁ ଅଧିକ ଲାଭ କରୁଛନ୍ତି । ପ୍ରତିଦିନ ଚାରିହଜାରରୁ ପାଞ୍ଚହଜାର ପର୍ଯ୍ୟନ୍ତ କୁଲି ଖଣିରେ କାମ କରନ୍ତି । ଧାନକଟା, ବିଲବଛାବେଳେ ସଂଖ୍ୟା କମିଥାଏ, କୁଲି ଯୋଗାଇବା ଲାଗି କାନତରାଟି ଅଛନ୍ତି । ଅଧିକାଂଶ ମଜୁରିଆ ମୟୂରଭଞ୍ଜୀ ସାନ୍ତାଳ, ପିନ୍ଧା ଛିଣ୍ଡାକନା, ମାଇପେ ପିଲାଝିଲାଙ୍କୁ ଖଣ୍ଡିଏ କନାରେ ଖଣି ପାଖରେ ଶୁଆଇ ଦେଇ କାମ କରୁଥାନ୍ତି । ସଙ୍ଗରେ ପଖାଳ ଘେନି ଆସିଥାନ୍ତି, ତୁଚ୍ଛା ଭାତ, ଲୁଣ ଆଉ ପିଆଜ ଘେନି ଖାଉଥାନ୍ତି । ଜଣେହେଲେ କାହାର ଲୋଭନୀୟ ସ୍ଵାସ୍ଥ୍ୟ ନାହିଁ, ରୋଗିଣା ଦେହକୁ ହାଡ଼ଭଙ୍ଗା ଖଟଣି । ଦିନକୁ ମଜୁରୀ ଦଶଅଣା, ବୋନସ୍‍ ମିଶି ଏକଟଙ୍କା ଚାରିଅଣା ପଡ଼େ-

 

ଏତେଗୁଡ଼ିଏ ମଜୁରିଆଙ୍କ ଲାଗି ମାତ୍ର ତିନିଗୋଟି ନୈଶ ବିଦ୍ୟାଳୟ ଅଛି । ଗୋଟିଏ ବଙ୍ଗଳା ମାଇନର ସ୍କୁଲ, ଗୋଟିଏ ଓଡ଼ିଆ ଆଉ ଗୋଟିଏ ହିନ୍ଦୀ ପ୍ରାଥମିକ ସ୍କୁଲ କମ୍ପାନୀ ଚଳାଉ-ଅଛନ୍ତି । ନୂଆ ହୋଇ ଗୋଟିଏ କ୍ଲବ୍‍ ଖୋଲାହୋଇଛି । ମାସିକ ପଞ୍ଚାବନ ଟଙ୍କା ଗ୍ରାଣ୍ଟ୍‍ ମିଳେ । ଓଡ଼ିଆମାନେ ସ୍ଵପ୍ରଦେଶରେ ଯେପରି, ପ୍ରବାସରେ ସେହିପରି ଅବହେଳିତ । ଏଠାରେ ତା’ର କିଛି ହେଲେ ବ୍ୟତିକ୍ରମ ହୋଇ ନାହିଁ । ପ୍ରଧାନ ପ୍ରଧାନ ଚାକିରିରେ ଓଡ଼ିଆଙ୍କ ସଂଖ୍ୟା ନଗଣ୍ୟ, ଦେହରେ ପ୍ରାଦେଶିକତାର ଗନ୍ଧ ଲାଗିଯିବ, ଓଡ଼ିଆ ନେତା କିଛି କହନ୍ତି ନାହିଁ । ଚାକିରି ବାକିରିରେ ସ୍ଥାନୀୟ ଲୋକଙ୍କ କଥା ପଡ଼ିଲେ ବିଚାର କରାଯିବ ବୋଲି ମହାରାଜାଙ୍କ ସଙ୍ଗେ କମ୍ପାନୀର ଚୁକ୍ତି ହୋଇଥିଲା, କମ୍ପାନୀ କେବଳ ବହୁ ସଂଖ୍ୟାରେ ସ୍ଥାନୀୟ କୁଲି ରଖି ସେ ଚୁକ୍ତି ପାଳନ କରିଛନ୍ତି ।

 

ପାହାଡ଼ ଉପରକୁ ବିଦ୍ୟୁତ୍‍ ଆଲୋକ ଯାଇଛି । ଟ୍ରଲି ସବୁ ତା’ର ମାର୍ଗରେ ଲୁହା ପଥର ବୋହିନେଇ ଗାଡ଼ିରେ ଲଦୁଛନ୍ତି । ପାହାଡ଼ ଉପରକୁ ରେଲ୍‍ ଲାଇନ୍‍ ଉଠିଛି, ବିନା ଇଞ୍ଜିନରେ ରେଲ୍‍ ଡବାମାନଙ୍କରେ ଲୁହା ପଥର ନଦା ହୋଇ ତଳକୁ ଆସୁଛି । ଏପରି ଭାରସାମ୍ୟ ରଖାଯାଇଛି ଯେ ବୋଝେଇ ଡବା ତଳକୁ ଖସୁଛି, ଖାଲି ଡବା ଆପେଆପେ ଉପରକୁ ଉଠି ଯାଉଛି । ମାଟି ତଳର ଏହି ଗୁପ୍ତ ସମ୍ପଦ ଦେଶର ଉନ୍ନତିରେ ଲାଗିବାର ଦେଖି ଖୁସି ହେଲି, କେବଳ ଏତିକ ଦୁଃଖ ରହିଲା ଯେ କମ୍ପାନୀ ଓଡ଼ିଶାକୁ ଖଣିଜ ପଦାର୍ଥରେ ପ୍ରତିଦିନ ଦରିଦ୍ର କଲେ ହେଁ ଅନ୍ୟ ଦିଗରେ ତା’ର ସମୃଦ୍ଧି ଲାଗି କିଛି କରୁ ନାହିଁ, ନିଜେ ସମୃଦ୍ଧ ହେବାରେ ହିଁ ଲାଗିଛି ।

 

ଦାବାନଳ ଶିଖା ପରି ଅସ୍ତ ସୂର୍ଯ୍ୟ ବାଦାମ୍‍ ପାହାଡ଼ର ଗୋଟିଏ କଣରେ ଜଳୁଥାଏ । ତା’ର ଝାସରେ ସାରା ପ୍ରକୃତି ଯେପରି କି ମଳିନ, ମୁମୂର୍ଷୁ । ଅଜସ୍ର ତୂଷାନଳ କଣା ପରି ବାୟୁହୀନ ସଂସାର ଉପରେ ଅସ୍ତ କିରଣ ଅଜାଡ଼ି ହୋଇ ପଡ଼ୁଥାଏ । ଆମେ ଡାକବଙ୍ଗଳାକୁ ଫେରିଲୁ । ସକାଳୁ କମ୍ପାନୀ ଗାଡ଼ିରେ ବାଦାମ୍‍ ପାହାଡ଼ ଦେଖିଯିବାର କଥା । ପୂଜାହାରୀକି ଖାଇବା ବରାଦ୍‍ ଦେଲୁ; ରାଜକୀୟ ବ୍ୟବସ୍ଥା । ଆଗରୁ ମେଘାସନ, ଖିଚିଂ, କପ୍ତିପଦାର ଶମୀବୃକ୍ଷ ଦେଖି ଫେରିଛୁ । ପକେଟ ଖାଲି ଖାଲି ଲାଗିଲାଣି । ‘ଅଳ୍ପ ଧନ, ବିକଳ ମନ ।’ ହୁଏତ ଗାଡ଼ିଭଡ଼ା ଅକୁଳାଣ ହେବ । କାହାକୁ ହାତ ପତାଇ ମାଗିବା ? ମାଗିବାଠୁଁ ହୀନ ନାହିଁ । ବରଂ ଟିକିଏ କଷ୍ଟ ସହିଗଲେ ଭଲ । ଚିନ୍ତା ପଡ଼ିଲା—ସକାଳେ କ’ଣ ଖାଇବା ? ଦୋକାନରେ ବସି ପକେଟରେ ହାତ ମାରି ଯାହା ଜଳଖିଆ ଖିଆଯିବ, ସେଥିରେ ହୁଏତ ସୁଟ୍‍ପିନ୍ଧା ବାବୁମାନଙ୍କ ପ୍ରତି ସାହୁର ଗୋଟିଏ ବିତୃଷ୍ଣା ଆସିଯିବ । ମାନେ ଖଡ଼ାଖିଆ ଫକଡରାମ୍‍ । ଅଥଚ ବାହାରେ ଆଡ଼୍‍ଡ଼ା ଛବିଶ କାହାଣ । ତା’ ଅପେକ୍ଷା କିଛି ନ ଖାଇଲେ ତ ଆମ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବ; ବାବୁଜାତିର ଭବିଷ୍ୟତ ସମ୍ବନ୍ଧରେ କେହି ସନ୍ଦିହାନ ହେବେ ନାହିଁ ।

 

ଜଣେ କହିଲା, ‘ଦିନେ ଗଲେ ଯୁଗେ ଯାଉଛି । ଆଗେ ରାତି ପାହୁ, ଅଶାନ୍ତିମୟ ସଂସାରରୁ ଯେଉଁ ମୁହୂର୍ତ୍ତରେ ଯେତକ ଶାନ୍ତି ମିଳୁଛି, ସେତକ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରା ହେଉ । ଭବିଷ୍ୟତ ଚିନ୍ତାରେ ତାକୁ ନଷ୍ଟ କରିବା କାହିଁକି ?’

 

ଆମ ଭିତରେ ଶରତ ବୋଲି ଜଣେ ଛାତ୍ର ଥାଏ । ସେ କହିଲା, “ଆଗର ଖାଲ ଖମା ଦେଖି ବାଟ ଚାଲିବା ଭଲ, ନଇଲେ ଝୁଣ୍ଟି ହାତଗୋଡ଼ ଭାଙ୍ଗିବାର ଆଶଙ୍କା ଅଛି । ଭାବିବା ଯଦି ଏତେ କଷ୍ଟ କାମ, ସେଇଟି ମୋ ଉପରେ ନଦି ଦିଆହେଉ ।“

 

ଡାକବଙ୍ଗଳାରେ ରେଫ୍ରିଜିରେଟରଟିଏ ଥାଏ, ରାତିର ବଳକା ଭାତତକ ପଖାଳି ଶରତ୍‍ କାଚ ଗିଲାସରେ ରଖିଦେଲା । କଦଳୀ ଟିକ୍‍ ଟିକ୍‍ କରି କାଟି ଆଉ ଗୋଟିଏ ପାତ୍ରରେ ରଖିଦେଲା, କ’ଣ ନା ପୁଡିଂ ହେବ ! ଶରତର ଫାଜିଲାମି କଦଳୀକି ପୁଡିଂ ତ କରିପାରିଲା ନାହିଁ, ଆମର ଭାଗ୍ୟ ଏହା ଅନ୍ତତଃ ଫୁଡିଂ ସ୍ତରରେ ରହିଗଲା । ସକାଳୁ ଲୁଣ ଲଙ୍କା ପିଆଜ ଆଣି ଓଡ଼ିଆ ସାହେବମାନେ ଚୌକିରେ ବସି ଟେବୁଲରେ ଥୋଇ Cold ବ୍ରେକଫାଷ୍ଟ କଲେ । କିଛି ସମୟ ଲାଗି ହେଉ ପଛେ, ସାନ୍ତାଳଙ୍କ ଭାଗ୍ୟ ଆମେ ଭୋଗ କଲୁ । ପୁରୀ ଲୁଚି ସୁସ୍ଵାଦୁ ହୋଇପାରେ, କିନ୍ତୁ ବୈଶାଖୀ ତାତିରେ ଏଇ ବରଫ ଥଣ୍ଡା ପଖାଳ ଯେ କିପରି ତୃପ୍ତିକର ହୋଇଥିବ ତାହା ଅନୁଭବୀ ଛଡ଼ା କେହି ବୁଝିପାରିବେ ନାହିଁ । ଆମର ଆଶ୍ଵସ୍ତି ଜାନ୍‍ ରହିଲା, ମାନ୍‍ ବି ରହିଲା ।

 

ପୂଜାହାରୀକି ଆବାକାବା ଲାଗୁଥାଏ । ଏଭଳି ସାହେବ ଟାଟା ଡାକବଙ୍ଗଳା କେବେ ଦେଖି ନାହିଁ । ଯାତ୍ରାରେ ରଜା ବାହାରିଲା ପରି ଏମାନେ ସାହେବ ବେଶ ଧରି ଆସିଛନ୍ତି ମାତ୍ର, ଯଥାର୍ଥ ସାହେବ ନୁହନ୍ତି । ସାହେବ ବୋଇଲେ ଟଙ୍କାର ମଣିଷ, ଟଙ୍କା ଥିବ, ତାକୁ ଚାହିଁ ଆଡ଼ାଚୌଡ଼ା ଥିବ । ଆମର ଯାହିତାହି ଆଡ଼ା ଅଛି, କିନ୍ତୁ ପକେଟ ମାଙ୍କଡ଼ଚିତ ମାରୁଛି । ଆମକୁ ସାହେବ, ନିକୋଛିଆ ପକ୍ଷରେ ବାବୁ ଭାବରେ ଗ୍ରହଣ କରିବା ଲାଗି ତା ମନର କୁନ୍ତୁକୁନ୍ତୁ ଭାବ ଚକ୍ଷୁକୋଣରୁ ଅଧରକୁ ସଂକ୍ରାମିତ କରୁଥାଏ । ବିଦ୍ୟା, ବପୁ, ବେଶଭୁଷଣ ପଚାରେ କିଏ ? ପକେଟରେ ଅର୍ଥ ନ ଥିବାର ଜଣା ପଡ଼ିଲେ ମାନ୍ୟଧର୍ମ ଊଣା ପଡ଼ିଯାଏ । ତା’ ବୋଲି ପୂଜାହାରୀ ଆଗରେ ଆମେ ଅପ୍ରସ୍ତୁତ ହେବୁ ? ବୁଝାଇ ଦେଲି—ଏମାନେ ଇସ୍କୁଲରେ ପଢ଼ନ୍ତି, ରୋଜଗାରିଆ ବାବୁ ନୁହନ୍ତି, ବାପମାଆ ଆଉ ପଢ଼ାଖର୍ଚ୍ଚ ଦିଅନ୍ତି, ସେଥିରୁ ପଇସେଅଧଲେ ବଳେଇ ବାଦାମ୍‍ ପାହାଡ଼ ଦେଖି ଆସିଛନ୍ତି । ସ୍ଥାନୀୟ ଏ. ଏସ୍‍. ଆଇ ଶରତର ବନ୍ଧୁ; ସେ କମ୍ପାନୀ ଗାଡ଼ି ପଠେଇବା ଲାଗି ଆମକୁ ନିର୍ଭରତା ଦେଇଥାନ୍ତି । ପ୍ରତୀକ୍ଷା କରି ରହିଲୁ, ଅଳସ ପ୍ରତୀକ୍ଷା ବଡ଼ ପୀଡ଼ାଦାୟକ । ନିଜେ ନିରୁପାୟ, ଅନ୍ୟ ଆମ ପ୍ରୟୋଜନକୁ ଚାହିଁ କାର୍ଯ୍ୟତତ୍‍ପର ନୁହେଁ । କାନ୍ଥଘଡ଼ିର ଟିକ୍‍ ଟିକ୍‍ ଶବ୍ଦ ମର୍ମ ଭିତରେ ବାଜୁଥାଏ, ଅନ୍ତରର ନିର୍ବେଦତାକୁ ନିବିଡ଼ତର କରୁଥାଏ ମାତ୍ର—ଘଡ଼ିକଣ୍ଟା ପାଞ୍ଚରୁ ଛ’, ଛ’ରୁ ସାତ, ସାତରୁ ଆଠ ବୁଲି ବୁଲି ଚାଲିଲା । ଅଥଚ ଆମେ ଯେଉଁଠି ସେଇଠି, ନିଷ୍ଫଳ ପ୍ରତୀକ୍ଷା, ନିରର୍ଥକ ବିରକ୍ତି । ନିଷ୍କମ୍ପ ଅଗ୍ନିଶିଖା ପରି ସୂର୍ଯ୍ୟରଶ୍ମି ଜଳି ଉଠୁଥାଏ, ଆମ ବିରକ୍ତିର ସେ ଯେପରିକି ଏକ ଜ୍ଵଳନ୍ତ ରୂପାନ୍ତର । ଅତି ଚିହ୍ନା, ଘଷରା ମୁହଁ ଦେଖିବାର ଆଗ୍ରହ ନ ଥାଏ, ଗପି ଗପି ସବୁ ଗପ ଶେଷ କରିଛୁ, ପଢ଼ିବା ଲାଗି ପାଖରେ ବହି ନାହିଁ, ପ୍ରତୀକ୍ଷାରେ ଉଚ୍ଚ ସ୍ତରର ଚିନ୍ତା ଅସମ୍ଭବ । କ’ଣ କରିବୁ ? ଶୁଷ୍କ ତର୍କବିତର୍କ, ପରସ୍ପର ଉପରେ ଦୋଷାରୋପ—ଶେଷକୁ କଳି । ସୂର୍ଯ୍ୟ କିରଣ ପ୍ରଖରତର ହେଲା, ପବନ ନିସ୍ତବ୍‍ଧ, ଝିଙ୍କାରୀ ସତେ ବା ଖରାର ଦାଢ଼ରେ ଆହୁରି ଶାଣ ଦେଉଛି !

 

ପୁଲିସ୍‍ କାହିଁ ହଜିଗଲେ, ଚାକିରିଆ ଲୋକ, ହଠାତ୍‍ ଉପରୁ କିଛି ଆଦେଶ ପାଇ କୁଆଡ଼େ ଚାଲିଯାଇଥିବେ କି କୁଆଡ଼େ ଅଶାନ୍ତି ଉପଦ୍ରବ ସମ୍ବାଦ ପାଇ ଧାଇଁଥିବେ । ଆମେ ନିରାଶ ହୋଇ ଶୂନ୍ୟକୁ ଗୁଡ଼ାଏ ଫୋନ୍‍ କଲୁ, ପ୍ରେତ ଉତ୍ତର ଗୁଡ଼ାଏ ବି ପାଇଲୁ, ଯାହାର ଅଗ ନାହିଁ, ମୂଳ ନାହିଁ । ଶେଷକୁ ମ୍ୟାନେଜର ସାହେବ କହିଲେ—ଗାଡ଼ି ପଠାଯାଉଛି । ଆମ ଆନନ୍ଦରେ ପ୍ରକୃତିର ଚେହେରା ବଦଳିଗଲା । ଯାହାହେଉ—‘ବିଳମ୍ବେନ କାର୍ଯ୍ୟସିଦ୍ଧିଃ’, କାର୍ଯ୍ୟଟି ଶୀଘ୍ର ସିଦ୍ଧି ହୋଇଥିଲେ ବୋଲିଥାନ୍ତୁ—‘ଶୁଭସ୍ୟ ଶୀଘ୍ରଂ’ । କେଉଁଟି ସତ, କେଉଁଟି ମିଛ ?

 

ପୁଣି ଘଣ୍ଟାଏ ଗଡ଼ିଗଲା; କେବଳ ଘଣ୍ଟା ଶବ୍ଦ ମନକୁ ବିଷାକ୍ତ କରୁଥାଏ, ଘଞ୍ଚ ନୀରବତାରେ ନିଃଶ୍ଵାସ ରୁଦ୍ଧ, ଚିତ୍ତ ସ୍ଥବିର । ହଠାତ୍‍ କ୍ରିଂ—କ୍ରିଂ—କ୍ରି°; କାଳର ନିଶ୍ଚଳ ସମୁଦ୍ରରେ ଏ ଗୋଟିଏ ଢେଉ; ଭଲ ହେଉ, ମନ୍ଦ ହେଉ, ଦହୁତ ନାହିଁରେ ଏ କିଛି, ତେଣୁ କାମ୍ୟ । କଥା କ’ଣ ? ଗାଡ଼ି କାହିଁକି ଆସୁ ନାହିଁ ?

 

ଉତ୍ତର ଆସିଲା, ସ୍ଵର ବଡ଼ ଗମ୍ଭୀର—ବିପଦ, ହଠାତ୍‍ ଗୋଟିଏ ବିପଦ୍‍ ଘଟିଯାଇଛି । ଆକସ୍ମିକତାରେ ହିଁ ବିପଦ ଭୟଙ୍କର ହୁଏ, କଥା କ’ଣ ? ଜଣେ ଯୁବକର ହାତ କଟିଯାଇଛି । ଆମ ବାଦାମ୍‍ ପାହାଡ଼ ଦେଖା ନ ହେଲା ପଛେ ଶୀଘ୍ର ଲୋକଟିକୁ ଡାକ୍ତରଖାନାରେ ପହଞ୍ଚାଇ ଦିଅନ୍ତୁ । ପାହାଡ଼ ଦେଖା ଏକ କାବ୍ୟିକ ବିଳାସ; ଏ ଯୁଗର କବି ପ୍ରକୃତି ଅପେକ୍ଷା ମଣିଷ ଜୀବନକୁ ବଡ଼ କରି ଦେଖେ । ପ୍ରକୃତିର ବର୍ଣ୍ଣବିଳାସ ନୁହେଁ, ଜୀବନର ରସବୈଚିତ୍ର୍ୟ ହିଁ ଏ ଯୁଗ କାବ୍ୟର ଉପଜୀବ୍ୟ । ହତଭାଗା ଲୋକଟି ପ୍ରତି ଗଭୀର ସମବେଦନା ଆଖିରେ ଧାରା ଆଣିଲା ନାହିଁ ସତ, କିନ୍ତୁ ବେଦନାର ଗୋଟାଏ ଉଷ୍ମ ତରଳ ଧାତୁସ୍ରୋତ ଆମ ଶିରା ପ୍ରଶିରାରେ ଭେଦିଗଲା । ବ୍ୟାକୁଳ ହୋଇ ଆମେ ଏକା ନିଃଶ୍ଵାସକେ ଡାକ୍ତରଖାନା ପର୍ଯ୍ୟନ୍ତ ଚାଲିଗଲୁ । ସତର ଅଠରବର୍ଷର ଯୁବକ, ପୂଜାହାରୀ କାମ କରେ, ନିତାନ୍ତ ମଫସଲୀ, ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇଛି, କଳ କେମିତି ଚାଲୁଛି କଳରେ ହାତ ଲଗାଇଛି, ପାପୁଲିଠାରୁ ଡାହାଣ ହାତଟି କଟି ଯାଇଛି । ବ୍ୟାଣ୍ଡେଜ୍‍ ବନ୍ଧା—ଯାଇଛି, ଚେତା ଫେରି ନାହିଁ । ବିଚରା ଘର କେଉଁଠି ? ଶିକ୍ଷାର ସୁଯୋଗ ପାଇ ନାହିଁ, ପିତା ମୃତ, ନିତାନ୍ତ ଅକୁଳାଣ ପଡ଼ିବାରୁ କେତେ ଆଡ଼ ଖୋଜି ବୁଲି ଦଶ ବାରଟଙ୍କାର ଚାକିରି ଖଣ୍ଡିଏ ପାଇଥିଲା । ପଡ଼ା ଗାଆଁରେ ମାଆ, ଏତେ ବୁଢ଼ୀ ଯେ କୋଉ କାମକୁ ପାରୁ ନାହିଁ, ସେଥିକି ଫେର ଧଇଁ ଶ୍ୱାସ, ଜୀବନକୁ ଘୋଷାରି ଘୋଷାରି ବଞ୍ଚିବା କଥା । ପୁଅ ରୋଜଗାର ତା’ର ଏକମାତ୍ର ଭରସା । ଜମିବାଡ଼ି ନାହିଁ, ଘର ଡିହ ଖଣ୍ଡିକ ସମ୍ବଳ, କେମିତି ଚଳିବ ସେ ? କମ୍ପାନୀର ଶ୍ରମିକ ନୁହେଁ, ସେ କାହିଁକି କ୍ଷତିପୂରଣ ଦେବ ? ଯାହା ଘରେ ଚାକିରି କରୁଛି, ସେ ଏ ଅକାମିକା ଲୋକଟିକୁ ପୋଷିବ କାହିଁକି ? ଏ ବିପଦରେ ତା’ ମୁହଁକୁ କିଏ ଚାହିଁବ ? ସମାଜ ନା ସରକାର ? ଅବାଟରେ ଗଲେ ସମାଜ ଅଟକାଏ, ଚୋରି କଲେ ସରକାର ଜିହଲରେ ଭର୍ତ୍ତି କରନ୍ତି । କିନ୍ତୁ ଅକାମିକା ହେଲେ ଯମର ଶରଣ ନେବା ଛଡ଼ା କି ଉପାୟ ଅଛି ? ଏ ଧର୍ମ ଦେଶରେ ହୁଏତ ସେ ଭିକାରିଙ୍କ ସଂଖ୍ୟା ବଢ଼ାଇବ ।

 

ନାଃ, ଏଥର ଚାଲ ମ୍ୟାନେଜର ବାବୁଙ୍କ ପାଖକୁ । ଗାଡ଼ି ଆସୁନାହିଁ କାହିଁକି ? କାହିଁକି ? ମ୍ୟାନେଜର ଗମ୍ଭୀର ଅଭିବାଦନ ଜଣାଇଲେ, ଚକ୍ଷୁ ସ୍ଥିର; ବିରକ୍ତ ? ଆମେ ତାଙ୍କ ଉପରେ ଅଯଥା ଏକ ଭାର ହୋଇଛୁ ବୋଲି ? ତା ନ ହେଲେ ହସି ହସି ଆମକୁ ଗ୍ରହଣ ନ କରନ୍ତେ କାହିଁକି ? କର୍ତ୍ତୃତ୍ଵ ଅଭିମାନରେ ଭଦ୍ରତା ବିସର୍ଜନ ଦେଲେ ? ପୁଣି କି ଆଭାସ ? ବିପଦ୍‍, ବିପଦ୍‍, ଓଃ । ମ୍ୟାନେଜର କହିଲେ—ଏଠାକୁ ପାଞ୍ଚମାଇଲ୍‍ ଦୂର, ଦୁର୍ଗମ ପାହାଡ଼, ଲୋକଟି ଜଙ୍ଗଲ ସଫା କରୁଥିଲା, ତାକୁ ସାପ କାମୁଡ଼ି ଦେଇଛି, ସଙ୍ଗେ ସଙ୍ଗେ ଅଚେତା ହୋଇ ପଡ଼ିଗଲା, ସାପଟା ବୋଧେ ବିଷାକ୍ତ, ସାଥିମାନେ ତାକୁ ଗାଡ଼ି ରାସ୍ତାକୁ ବୋହି ଆଣିଛନ୍ତି । କ’ଣ କରିବି ? ‘ମଣିଷ ଜୀବନ ବଡ଼ ନା, ଆମ ବାଦାମ ପାହାଡ଼ ଦେଖା ବଡ଼ ? ଗାଡ଼ିରେ ପକାଇ ଶୀଘ୍ର ଡାକ୍ତରଖାନାକୁ ଘେନି ଆସନ୍ତୁ ।’

 

ଗାଡ଼ି ଚାଲିଗଲା । ମୃତ୍ୟୁ ରାଜ୍ୟରୁ ସତେ କି ହତଭାଗା ମଜଦୁରଟି ଫେରିବ ? ବିଷାକ୍ତ ସାପ, ଆଠ ଦଶଘଣ୍ଟା ପରେ ଅଫିସକୁ ସମ୍ବାଦ ଆସିଛି । ଚିକିତ୍ସା ? ଖାଲି ମନ ବୁଝିବା କଥା, ମୃତ ନା ଜୀବନ୍ତ ? ହୁଏତ ଏଇ ପରୀକ୍ଷା ମାତ୍ର ହେବ ।

 

ହଠାତ୍‍ ଗୋଟିଏ ପଡ଼ା ଗାଆଁରେ ତାର ପହଞ୍ଚିବ । ତାର ଆସିଛି ? ବୁଢ଼ା ବାପର ହାଲୁକ ଶୁଖିଯିବ, ଭଲରେ ମଫସଲ ଗାଆଁକୁ କେହି ତାର ପଠାଏ ନାହିଁ । ବୁଢ଼ୀ ମାଆର ଛାତିରୁ କ’ଣ ଗୋଟାଏ ଖସିପଡ଼ିବ ।

 

ଭାରିଯା ବାଇଆଣୀ ପରି ଦାଣ୍ଡବାଡ଼ି ହେଉଥିବ । ବୁଢ଼ା ଥରା ହାତରେ ତାର ବାର୍ତ୍ତାଟି ଧରି କେଉଁ ବାବୁଙ୍କ ପାଖକୁ ପଢ଼େଇବାକୁ ଦେବେ । ବାବୁ କ’ଣ ପଢ଼ିବେ ? ମୁର୍ଦ୍ଧନା ଫାଟିଯିବ ନାହିଁ ତ ?

 

କମ୍ପାନୀ କ୍ଷତିପୂରଣ ଦେବ, ଜୀବନ ପାଇଁ ଜୀବନ ନୁହେଁ, କେତୋଟି ଜଡ଼ ମୁଦ୍ରା ମାତ୍ର । ସେଥିରେ ଏ ପରିବାର କେତେ ଦିନ କାଳ କାଟିବ ? ଗୋଟିଏ ମଥାର ସିନ୍ଦୁର ଲିଭିଯିବ, ଜଣକ ହାତର କାଚ ଫିଟାଯିବ, ଗୋଟିଏ ଘରର ସୁଖଶ୍ରୀ ନିଭିଯିବ । କଳରେ ସିନା ସେ ଅଗଣିତ ଭିତରେ ଜଣେ ନଗଣ୍ୟ କୁଲି; ନିଜ ଘରେ ସେ ପିତା, ପୁତ୍ର, ସ୍ଵାମୀ, ଭାଇ, ଶ୍ରେଷ୍ଠ ମଣିଷ,— ସମ୍ରାଟ ।

 

ବାଦାମ ପାହାଡ଼ ସେତେ ଉଚ୍ଚ ନୁହେଁ, ଚଢ଼ିବା ବି ଦୁଃସାଧ୍ୟ ନୁହେଁ । ପ୍ରତିଦିନ ଶତ ଶତ ଲୋକ ତା’ ଉପରକୁ ଯାଉଛନ୍ତି, ଡାକବଙ୍ଗଳାର ସାହେବ ହୋଇ ଗାଡ଼ିର ଆଶ୍ରା ଆମେ ଲୋଡ଼ିଲୁ । ଫଳରେ ପାହାଡ଼ ମୂଳରୁ ହିଁ ଫେରିଲୁ, ନିଜ ଅକର୍ମଣ୍ୟତାରେ ବିବ୍ରତ ହୋଇ । ପରନିର୍ଭରତାର ପରିଣତି ଆମ ଆଗରେ ସ୍ପଷ୍ଟ ହୋଇଗଲା, ଆତ୍ମଗ୍ଳାନି ଶିରା ପ୍ରଶିରାକୁ ଯେପରି ଛିଣ୍ଡାଇ ପକାଇଲା-। ସାମ୍ନାରେ ଦେଖାଗଲା ଘୋର ଅନ୍ଧକାର, ଜଣେ ଯୁବକର ହାତରୁ ଟୋପା ଟୋପା ଲୁହ ଝରି ପଡ଼ୁଛି, ଆଉ ଗୋଟିଏ ଯୁବକ ଅଚେତନ, କେଉଁ ପଲ୍ଲୀ କୋଣରେ ଦେଖାଗଲା ଏକ ବିଧବା ସ୍ତ୍ରୀ, ଏକ ବୃଦ୍ଧା ମାତା, ବାଦାମ ପାହାଡ଼ ଉପରେ ଅଭିଶାପ ବର୍ଷଣ କରୁଛନ୍ତି, ତଥାପି ସେ ଛିଡ଼ା ହୋଇଛି ଅଚଳ, ଅଟଳ । ଆତ୍ମଗ୍ଳାନି ଆଉ କାରୁଣ୍ୟ—ଗୋଟିକ ପରେ ଅନ୍ୟଟି ମନ ଦଖଲ କରୁଥାଏ, ବାଦାମ ପାହାଡ଼ ଅଦେଖା ରହିଲା, କିନ୍ତୁ ବୋଧ ହେଲା ଜୀବନର ବହୁ ଗଳି କନ୍ଦି ଭିତରେ ଆମେ ପଶି ଯାଇଛୁ ।

☆☆☆

 

Unknown

ଖଣ୍ଡାଧାର ପଥେ

 

ସବୁଜ ଜଙ୍ଗଲ ରାଜ୍ୟରେ ଉଡ଼ି ଯାଉଁ ଯାଉଁ ମୋର ପଦ୍ମଭୁକ୍‍ ସ୍ଵପ୍ନ ଭାଜିଲା, ଯେତେବେଳେ ବସ୍‍ ହଠାତ୍‍ ଅଟକିଗଲା—‘ବାବୁ, ଏ ଲୋକଟିକୁ ଗଡ଼କୁ ନେଇଯାନ୍ତୁ ।’

 

‘କଣ ହେଲା ତା’ର ?’

 

କୋକେଇରେ ମୁର୍ଦ୍ଦାର ପରି ଯେଉଁମାନେ ତାକୁ ସୁଦୂର ମଫସଲରୁ ବୋହି ଆଣିଥିଲେ, ସେମାନଙ୍କ ଭିତରୁ ଜଣେ କହିଲା, “ବାବୁ ଏ ଲୋକଟି ବରଫଳ ତୋଳି ଖାଉଥିଲା, ପଡ଼ି ଅଣ୍ଟା ଭାଙ୍ଗି ଯାଇଛି ।’’

 

“ବରଫଳ ?’

 

‘ପେଟ ପୋଡ଼ିଲେ ତ ମଣିଷ ମାଉଁସ ମଣିଷ ଖାନ୍ତି, ବରଫଳ କଣ ?’

 

‘କଅଣ ନଅଙ୍କ ପଡ଼ିଛି ?’

 

‘ଗଲା ସନ ଛିଟ୍‍ଛଟିଆ ପାଳକକୁ ଏ ବର୍ଷ ମରୁଡ଼ି, ଯାହି ଗଣ୍ଡେ ଗଣ୍ଡେ ହୋଇଥିଲା, ବ୍ୟବସାୟୀ ବୋହିନେଲେ । ଏବେ ମୂଲ ମିଳୁନାହିଁ, ଲୋକେ ଓପାସ ରହୁଛନ୍ତି, ନ ହେଲେ ଅଖାଦ୍ୟ ଖାଉଛନ୍ତି ।’

 

ଏ କଥା ଶୁଣି ଜଣେ ଯାତ୍ରୀ କହିଲା, “ଏ ଭାରତବର୍ଷ ! ଏଠି କାହିଁ ଶହ ଶହ ଭରଣ ଧାନ ଭମା ଖାଇ ଯାଉଛନ୍ତି, କୋଉଠି ଦାନା ଅଭାବରେ ଲୋକେ ବରଫଳ, ତିନ୍ତୁଳିପତର, କଇଁମୂଳ ଖାଉଛନ୍ତି । ଜିଭ ଲହ ଲହ କରୁଥିବା ଅଶାନ୍ତିର ନିଆଁକୁ ପେଟତଳେ ଯାକି ବିଶ୍ଵଶାନ୍ତି ପ୍ରତିଷ୍ଠାର ଉଦ୍ୟମ ହେଉଛି । ଘରଦ୍ଵାର ଭାସି ଗଲାବେଳେ, ଜମିବାଡ଼ିରେ ବାଲି ଚରି ଗଲାବେଳେ, ଏ ଦେଶର ପ୍ରଭୁ ବଖାଣୁଛନ୍ତି ବନ୍ୟାର ଉପକାରିତା । ଗାଡ଼ି ଭିଡ଼ କମେଇବା ଲାଗି ସେ ବଢ଼ାଉଛନ୍ତି ଭଡ଼ା । ଯୋଜନା ପରେ ଯୋଜନାରେ ଧନିକର ମହଲା ପରେ ମହଲା ଉଠୁଛି, ଦରିଦ୍ର ହେଉଛି ଦରିଦ୍ରତର । ଜାତୀୟ ଆୟ ବୋଇଲେ ପୁଞ୍ଜିପତିର ଆୟ ବଢ଼ୁଛି । କେଉଁଝରର ଏ ଦରିଦ୍ର ପଲ୍ଲୀଟିକି ପଚାରେ କିଏ ?”

 

ଡ୍ରାଇଭର ହର୍ଣ୍ଣ ଦେଲା, ବସ୍‍ ଛାଡ଼ିବ । ପଚାରିଲି, “କ’ଣ ନେଲ ନାହିଁ ?”

 

“ଯେତୋଟି ସିଟ୍‍ ସେତେଜଣ ବସିଛନ୍ତି, ସେ ଏଠି ଶୋଇବ କୋଉଠି ?”

 

“ଆମେ ପଛେ ଛିଡ଼ା ହେଉଛୁ ।’’

 

‘ଏତେ ହେଙ୍ଗାମାରେ ପଶେ କିଏ ? ଏ ବସ୍‍ର କୋଉ ବାବୁ ଥାନାରେ ଇତାଲା ଦେବେ–Over-loading !’

 

ଡ୍ରାଇଭର ଗାଡ଼ି ଛାଡ଼ିଦେଲା । ରାସ୍ତା କଡ଼ର ଘାସ ଉପରେ ପଡ଼ି ରହିଲା ଏକୋଇଶି ବର୍ଷର ଜୁଆନ୍‍ ଭେଣ୍ଡା ।

 

ମନୁଷ୍ୟତା ସଙ୍ଗେ ନିର୍ମମ ନ୍ୟାୟବୋଧର କିପରି ଅମେଳ ଘଟିଛି ସେଇ କଥା ପଡ଼ୁ ପଡ଼ୁ ଜଣେ ଯାତ୍ରୀ କହିଲା, “ଏ ମୁଲକରେ କାହିଁ ନ ଶୁଣିଲା କଥା ଶୁଣିବେ । ଏବେ ଜଣେ ଶିକ୍ଷକ ଗୋଟିଏ ପିଲାକୁ ମାରୁ ମାରୁ ମାରି ପକେଇଛି—ପାଠ ନ ଆସିଲା ବୋଲି ନୁହେଁ, ଦୁଷ୍ଟାମି କଲା ବୋଲି ନୁହେଁ, ଦରମା ଦେଲା ନାହିଁ ବୋଲି । ମାଟିବଂଶ ଅବଧାନଙ୍କ ଯୁଗରେ ବେତ ନାଆଁ ଥିଲା ଜ୍ଞାନମଞ୍ଜି—ପିଠିରେ ବେତ ବାଜିଲେ ଜ୍ଞାନର ଗଛ ଉଠିବ, ଫୁଟିବ, ଫଳିବ । ତେଣୁ ଅଭିଭାବକମାନେ ପିଲାଙ୍କ ପିଠିରେ କେତୁଟା ନୋଳା ବସିଛି ଗଣି ତା’ ପେଟ ଭିତର ପାଠ ଅନୁମାନ କରୁଥିଲେ । ଏ ଅଗ୍ରଗତି ଯୁଗରେ ସେ ରୀତି ଅଚଳ, ମାଡ଼ ଆଇନତଃ ଉଠି ଯାଇଅଛି । ବେତ ମେଜ ଉପରେ ନ ରହି ଆଲମାରି ପଛରେ ରହିଛି—ବୋଇଲେ ମାଡ଼ଟା ମାଷ୍ଟ୍ରଙ୍କ ଚୋରା କାରବାର ହୋଇଛି । ବେଳ କାଳ ଦେଖି ତହିଁରେ ଭୂତ ଲାଗେ—ପିଲାଙ୍କ ପିଠିରେ ବୋହିଯାଏ ଗୋଟିଏ ଝଡ଼—ବାଜେ ଶଙ୍ଖ-ବଂଶୀ-ବୀଣା; ଆଖିରେ ଆଖିରେ ନାଚେ ବର୍ଷା କାଳ ।’’

 

‘ମଣିଷର ହେଟା ପ୍ରକୃତି ନ ବଦଳିବା ଯାଏ ଆଇନର ବଳ କଅଣ ? ଏଠା ମାଷ୍ଟ୍ରଙ୍କ ମାଡ଼ର ପ୍ରକୃତି, ଅବଧାନୀ ବା ଏ ଯୁଗର ସାବଧାନୀ ମାଡ଼ଠାରୁ ଭିନ୍ନ । ୟା ମୂଳରେ ରହିଛି ଅର୍ଥଲୋଭ । ବ୍ୟବସାୟୀ, ଓକିଲ, ଡିପୋଟି, କାନତରାଟି, ଡାକ୍ତର, ଇଞ୍ଜିନିଅର ଜମିବାଡ଼ି କିଣି କୋଠାବାଡ଼ି ତୋଳି ସ୍ଵର୍ଗୀୟ ସୁଖରେ ରହିବେ; ଶିକ୍ଷକଙ୍କର ଅପରାଧ କ’ଣ ? ସେ କାହିଁକି ଇହ ଜୀବନର କୁମ୍ଭିପାକ ଏଇ ଦାରିଦ୍ର୍ୟ ଭିତରେ ପଡ଼ି ସଢ଼ିବ ? ଛାତ୍ରହତ୍ୟା ଏଇ ବିଷମ ଚିନ୍ତାର ପରିଣତରେ ହିଁ ଘଟିଛି ।’

 

ଆଉ ଜଣେ ଯାତ୍ରୀ କହିଲେ, “ଦେଶର ଅର୍ଥନୈତିକ ବିକାଶ ସଙ୍ଗେ ମନୁଷ୍ୟତାର କ’ଣ ବିକାଶ ହେଉଛି ? ଯେ ଟିକିଏ ସୁବିଧା ଅବସ୍ଥାରେ ଅଛି, ସେ ତଳିଆ ଜୀବଙ୍କୁ କି ଦୃଷ୍ଟିରେ ଦେଖୁଛି-? ଯେତେ ଆଇନ୍‍ କରନ୍ତୁ, ଘରଆଡ଼େ ଟିକିଏ ବୋଲହାକ ନ କଲେ ହାକିମଙ୍କ କଡ଼ା ଦୃଷ୍ଟିରେ କଣ ପିଅନ୍‍ ତିଷ୍ଠି ପାରିବ ? ପୁଞ୍ଜିପତି ଯେଉଁ ଆବର୍ଜନା ଭିତରେ ଶ୍ରମିକଙ୍କୁ ରଖେଇଥାଏ, ସେଥିରେ କେଉଁ ମନୁଷ୍ୟତାର ପ୍ରମାଣ ମିଳେ ? କିନ୍ତୁ ସେହି ପୁଣି ତ ବଛା ହୋଇ ଆସି ସଭାରେ ବକ୍ତୃତା ଝାଡ଼େ, ଲୋକଙ୍କୁ ଦେଶ-ହିତୌଷିତା ଶିକ୍ଷା ଦିଏ । ଏ ତ ବଡ଼ ବଡ଼ କଥା, ଆଜି ଗୋଟିଏ ସାମାନ୍ୟ ଘଟଣା ଦେଖି ମୋ ମନ ବିଷେଇ ଉଠିଲା । ବାବୁ ବାବୁଆଣୀ ଦୁଇଜଣ ଷ୍ଟେସନରେ ପୁରୀ ରସଗୋଲା ଜଳଖିଆ କଲେ, ସଙ୍ଗରେ ଆଠ ଦଶ ବର୍ଷର ପିଲାଟିଏ, ଡାହାଣା କହିବେ ବୋଲି ସେ ତେଣିକି ଚାହୁଁ ନ ଥାଏ । ତାକୁ ଟିକିଏ ହେଲେ ଦେଲେ ନାହିଁ । କ’ଣ ନା ଘରକୁ ଗଲେ ପଖାଳ ଖାଇବ ! ଗାଡ଼ି ଦୋହଲରେ ପିଲାଟି ଘୁମଉଥାଏ, ତା’ ଉପରେ ହୁକୁମ୍‍ ପରେ ହୁକୁମ—ଜିନିଷ ଉପରେ ନିଘା ରଖ—ନଇଲେ ଫେର୍‍ ଚିହ୍ନିବୁ । ଭାବିଥିଲି ବାବୁଙ୍କ ପୁଅ, ଏବେ ବୁଝିଲି ଚାକର-। ଚେହେରାଟି କେଡ଼େ ସୁନ୍ଦର, କିନ୍ତୁ ନୁଖୁରା ମାଖରା, ଛିଣ୍ଡା ପ୍ୟାଣ୍ଟଟା ପିନ୍ଧିଛି । ନିଗ୍ରୋଙ୍କ ପ୍ରତି ଆମେରିକା ସାହେବଙ୍କ ଦୁର୍ବ୍ୟବହାର ବଖାଣିବାରେ ଶତଜିହ୍ୱ ହେଲେ ବି ଆମେ ଜାଣିଶୁଣି ଘରେ ଘରେ ଏଇ ଦାସତ୍ଵକୁ ପ୍ରଶ୍ରୟ ଦେଉଛୁ । ଆମ ଧର୍ମ ତ ଗୀତା ଭାବବତର ଖୋଳ ଭିତରେ, ପ୍ରକୃତ ଆଚରଣରେ କାହିଁ ? ଭାରତ ସ୍ଵାଧୀନ ହେଲେ ବି ଚାକର ନିହାତି ଘୃଣିତ, ମୁହୁର୍ମୁହୁଃ ଗାଳିଗୁଲଜରେ ଜର୍ଜରିତ ଗୋଟାଏ କରୁଣ ଜୀବ ହୋଇ ରହିଛି ।’’

 

ଆଉ ଜଣେ କହିଲା, “ଏବେ ବଣରେ ରଜାଙ୍କ ପାରିଧି ନାହିଁ, ମଣିଷ ମଣିଷକୁ ନିଃସଂକୋଚରେ ପାରିଧି କରିବାରେ ଲାଗିଛି । ମଣିଷକୁ ମାରିବା ଲାଗି ଯେଉଁମାନେ ନୂଆ ନୂଆ ଫାନ୍ଦ ପାତୁଛନ୍ତି, ସେମାନଙ୍କର ଧନ ଜନ ଗୋପ ଲକ୍ଷ୍ମୀ କାହିଁରେ ଊଣା ଅଛି ? ଚାହାରେ ଚମଡ଼ାଗୁଣ୍ଡ, ଅଟାରେ କପାମଞ୍ଜି ଚୂନା ମିଶାଇ ଏମାନେ ତ ସୁନାପୁଅ ହୋଇ ବସିଛନ୍ତି । କାହିଁ ଗୋଟାଏ କଖାରୁ କି କେରାଏ ଧାନ ଚୋରି କରି କିଏ ବିଚରା ମାମୁଁ ଘରେ ଘଣା ପେଲୁଛି ।

 

ଲାଭଖୋର ପଣ କ୍ରମେ ସହରରୁ ମଫସଲରେ ବ୍ୟାପିଲାଣି । ଆମେ ବ୍ୟକ୍ତିଗତ ସୁଖ ସୁବିଧା ଦୃଷ୍ଟିରେ ଜଗତକୁ ଦେଖୁଛୁ । ସମୂହ ଲାଗି ତୃତୀୟ ଦୃଷ୍ଟି କ’ଣ ଆମର ଫିଟିଲାଣି ?”

 

ଏମିତି କଥାବାର୍ତ୍ତା ହେଉଁ ହେଉଁ କେଉଁଝର ଗଡ଼ରେ ପହଞ୍ଚିଲୁ । ଉଦୁଉଦିଆ ଦ୍ଵିପ୍ରହର । ଚଳନ୍ତ ଗୃହର ଏଇ ପରିବାରଟି ମୁହୂର୍ତ୍ତକ ମଧ୍ୟରେ ଛିନ୍ନବିଛିନ୍ନ ହୋଇଗଲା । ଆଉ ଥରେ କ’ଣ ଏ ମିଳନ ସମ୍ଭବ ? ପାଛୋଟି ନେବାଲାଗି ଆସିଥିବା ବନ୍ଧୁବାନ୍ଧବଙ୍କ ସାଦର ସମ୍ଭାଷଣରେ ଭାସିଗଲାବେଳେ ଛାତିରେ ଗୋଟିଏ ଅଙ୍କୁଶ ବାଜୁଥିଲା, ରାସ୍ତାକଡ଼ରେ ପଡ଼ିଥିବା ଦୁର୍ଗତର ଚାହାଣି ସେ ।

 

ରାବଣଛାୟା–

 

ସକାଳୁ କେଉଁଝର ଗଡ଼ରୁ ରାବଣଛାୟା ଯାତ୍ରା । ଯାତ୍ରାସାଥୀ ଫ୍ରିଡା ଟପ୍ନୋ, ଜିଲା ଗ୍ରାମମଙ୍ଗଳ ଅଫିସର, ଗାଙ୍ଗପୁରର ଆଦିବାସୀ ମହିଳା । ନାରୀ ବୋଲି ସେ ଜିଲାରେ କେଉଁଠି ଅବହେଳିତ ହେଉନାହାନ୍ତି, ବିଭାଗର ପରିଚାଳନାରେ ତାଙ୍କ କୃତିତ୍ଵ ସୁପ୍ରକଟିତ ହୋଇଅଛି, ଶ୍ରଦ୍ଧା ଓ ସମ୍ମାନର ଅର୍ଘ୍ୟ ତାଙ୍କ ପାଦ ତଳେ ଲୋଟୁଛି, କହିଲି—ମିସ୍ ଟପ୍ନୋ, ଏତେ କଡ଼ା ନାମରେ ଆପଣଙ୍କୁ ଡାକିବାକୁ ଭଲ ଲାଗୁନାହିଁ, ଡାକିବି ହାକିମା । ଟପ୍ନୋ ଟିକିଏ ହସିଲେ—ଅର୍ଥାତ୍‍ ଏଥିରେ କିଛି କ୍ଷତି ନାହିଁ । ଧର୍ମ ବ୍ୟକ୍ତିଗତ ବିଶ୍ଵାସର ବିଷୟ । ଯେ ଯେଉଁ ଧର୍ମ ଏ ଦେଶରେ ଗ୍ରହଣ କରୁ ମୋର ଆପତ୍ତି ନାହିଁ । କିନ୍ତୁ ବିଦେଶୀ ନାମ ଦେଇ ସମାଜରୁ ବ୍ୟକ୍ତିକି ଅଲଗା କରିବା ଗୋଟିଏ ଅପଚେଷ୍ଟା । ଏ ଦାସତ୍ଵ ଗ୍ଳାନିକର, ବ୍ୟକ୍ତିର ବିକାଶରେ ଗୋଟିଏ ବଡ଼ ଅନ୍ତରାୟ ।

 

ମୋର ଦ୍ଵିତୀୟ ସାଥୀ କେଉଁଝରର ପରମାନନ୍ଦ ମିଶ୍ର, ବୃତ୍ତିରେ କିରାନୀ, ଫୂର୍ତ୍ତିରେ କବି-। ବହୁ ବଡ଼ ହାକିମଙ୍କ ଭିତରେ ସେ ଦିଶନ୍ତି ନାହିଁ, କିମ୍ବା ମରୁଭୂମି ଭିତରେ ଓଏସିସ୍‍ ପରି ଏକା ସେଇ ଦିଶନ୍ତି । ଲୋକଗୀତି ସଂଗ୍ରାହକ, ସଂସ୍କୃତିପ୍ରେମୀ ।

ପଚାଶ ମାଇଲ୍‍ ଗତିରେ ଜିପ୍ ଛୁଟିଛି । ଗୋଟିଏ ଦୃଶ୍ୟକୁ ଅନୁଭବରେ ପାଇବା ଆଗରୁ ଆଉ ଗୋଟିଏ ସାମ୍ନାରେ ଉପସ୍ଥିତ । ତେଣୁ ସେଇଟି ଛାଡ଼ୁଛି, ଯାହା ପାଉଛି, ସବୁ ଛାଡ଼ିଛି । ଏଠି ପ୍ରତ୍ୟେକ ବସ୍ତୁର ସ୍ଵତନ୍ତ୍ର ସତ୍ତା ଥିଲେ ହେଁ ମନରେ ତା’ର ବ୍ୟାପ୍ତି ନାହିଁ । ସମୂହ ଆସନ ଜମାଇ ବସିଛି । ସେ ଅଶେଷ ରୂପରେ ଯାଉଛି, ଅସୀମ ରୂପରେ ଆସୁଛି । ତେଣୁ ଯାହା ହରାଉଛି, ତାକୁ ନୂତନ ରୂପରେ, ନୂତନ ରଙ୍ଗରେ ପାଉଛି । ପୁରାତନ ପ୍ରତି ମୋହ ନୂତନର ଆଗ୍ରହ ମଧ୍ୟରେ ନିଭି ଯାଉଅଛି ।

ଜିପ୍‍ ମୋଡ଼ି ବୁଲିଲା, କଚା ରାସ୍ତା, କାଠ ପୋଲ । ପ୍ରାୟ ୫ ମାଇଲ ଯିବା ପରେ ଗାଡ଼ି ରହିଲା ସୀତାବିଞ୍ଜ ଆଶ୍ରମ ସ୍କୁଲ ହତା ସାମ୍ନାରେ । ସେଠୁଁ ପଦବ୍ରଜରେ ଅରଣ୍ୟେ ଅରଣ୍ୟେ ଚାଲିଲୁ-

ପବନର ସାମୟିକ ଦୀର୍ଘଶ୍ଵାସରେ ନିଃଶବ୍ଦ ଅରଣ୍ୟ ମର୍ମରିତ । ସୋପାନ ପରେ ସୋପାନ ଉଠି ପାହାଡ଼ ଉପର ସମତଳ ଭୂମିରେ ପହଞ୍ଚିଲି । ଲଣ୍ଡା, ଗୋଟାଳିଆ ପାହାଡ଼, ସେତେ ବୃହତ୍‍ ନୁହେଁ, ମଝିରୁ ଫାଟି ଦ୍ଵିଖଣ୍ଡିତ, ବୋଧେ ବଜ୍ରପାତରେ । ସେଇ ଫାଟ ଭିତରୁ ଫଣା କାଢ଼ିଛନ୍ତି କେତୋଟି ଲତା, ଯିବାକୁ ଚାହାନ୍ତି ଉପରକୁ, ସେତେ ଉପରକୁ ଯେତେ ବଢ଼ିବା ସମ୍ଭବ । କିନ୍ତୁ ପାହାଡ଼ ସେଠି ସରିଛି, ତେଣୁ ଉଚ୍ଚାକାଂକ୍ଷାକୁ ବଳି ଦେଇ ଗୁଡ଼େଇ ପୁଡ଼େଇ ହେଉଛନ୍ତି, ନିଜ ଉପରେ ନିଜେ ।

 

ଲଣ୍ଡା ପାହାଡ଼ଟି ଦୁଇଭାଗରେ ବିଭକ୍ତ, ଗୋଟିଏ ଛତିର ବେଣ୍ଟ, ଅନ୍ୟଟି ଛତିର ଛାତ । ଏଇ ଛତି ତଳେ ହିଁ ଫ୍ରେସକୋ, ଓଡ଼ିଶାର ଏଇ ଏକମାତ୍ର ପ୍ରାଚୀନ ଚିତ୍ରଲିପି । ଛବିର ଗୋଟିଏ ଅଂଶ ଅଦୃଶ୍ୟ, ଦୂରରୁ ରେଖାର କଳନା କରି ହେଉନାହିଁ, ଅନ୍ୟ ଅଂଶରେ ଗୋଟିଏ ଦରଲିଭା ଅଶ୍ଵ, ହସ୍ତୀ ଓ କେତେକ ମନୁଷ୍ୟର ଚିତ୍ର ରହିଅଛି । ବର୍ଣ୍ଣରେ ଜ୍ଵଳନ୍ତ ଆଭା ନାହିଁ, କେବଳ ଈଷତ୍‍ ଲୋହିତ ରେଖାଗୁଡ଼ିକ ଜଳ ଜଳ ଚାହିଁଛି । ଛାତିର ଜଳ ଆସ୍ତେ ଆସ୍ତେ ଭେଦି ଚିତ୍ରକୁ ବିକଳାଙ୍ଗ କରି ଦେଇଛି । କେବଳ ପ୍ରାଚୀନ ଛବିର ଜୀର୍ଣ୍ଣ କଙ୍କାଳ ଏ; ଉତ୍କଳରେ ଅନ୍ୟତ୍ର ନ ଥିବାରୁ, ପ୍ରାଚୀନ ସ୍ମୃତି ସଂକେତ ହିସାବରେ ଏହାର ମୂଲ୍ୟ ବେଶୀ । ଓଡ଼ିଶାର ସିଗିରିଆ ବା ଅଜନ୍ତା ଏ, ଖୁବ୍‍ ସମ୍ଭବ, ସେହି ସମୟରେ ହିଁ ଏହା ଅଙ୍କିତ ହୋଇଥିଲା । ଏଇ ଗୋଟିଏ ଧରଣର ଚିତ୍ରଶିଳ୍ପ, ଲଙ୍କାର ସିଗିରିଆରୁ ମଧ୍ୟ ଏସିଆ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ବୌଦ୍ଧ । ଆଖ-ପାଖର ବୌଦ୍ଧ ସ୍ମୃତି ସଂକେତ ଏହି ବିଶ୍ଵାସକୁ ଦୃଢ଼ୀଭୂତ କରେ ।

 

ସୁନ୍ଦରରେ ଦେବତାର ଅଧିଷ୍ଠାନ, ତେଣୁ ତାହା ପୂଜ୍ୟ । ସୀତାବିଞ୍ଜ ଗ୍ରାମବାସୀ ଏହି ଚିତ୍ରକୁ ଯୁଗ ଯୁଗ ଧରି ପୂଜୁଛନ୍ତି । ମୁଣ୍ଡରେ କେରାଏ ଚୁଟି, ହାତରେ କମଣ୍ଡଳୁ, ଥାଳିରେ ଫୁଲ, ଘଣ୍ଟି, ଶଙ୍ଖ ଘେନି ସେ ଦିନ ଦେହୁରି ଆସିଲା । କୌତୁକରେ ତାକୁ ପଚାରିଲୁ—ଏ ଚିତ୍ର କିଏ ଆଙ୍କିଛି ? ଦେହୁରି କହିଲା—ଏ ଦେବତାଙ୍କ କୀର୍ତ୍ତି । ମାନବା କାହୁଁ କରିବେ ? ଯେତେବେଳେ ସୀତା ଲଙ୍କାରୁ ଫେରିଲେ ଅଯୋଧ୍ୟାର ଲୋକେ କୌତୂହଳୀ ହୋଇ ପଚାରିଲେ—ରାବଣକୁ ଦେଖିଛ ?

 

ସୀତା କହିଲେ—ହଁ ।

 

‘ତା ରୂପ ଆଙ୍କି ପାରିବ ?

 

ସୀତା ପଥରରେ ଆଙ୍କିଲେ—ସୁବର୍ଣ୍ଣମୟ ଲଙ୍କାର ରାଜା ରାବଣର ଚିତ୍ର, ତା’ର ଅକଳନ୍ତୀ ସୈନ୍ୟ, ଅଶ୍ଵ, ଗଜ । ସେହିଦିନରୁ ଏହି ପହାଡ଼ର ନାମ ରାବଣଛାୟା, ଗ୍ରାମର ନାମ ସୀତାବିଞ୍ଜ ହେଲା ।

 

ରାବଣଛାୟାରୁ ଓହ୍ଲାଇ ଧୀରେ ଧୀରେ ଆଗେଇଲୁ । ନିଶ୍ଚଳ ବନପଥ, ବେଳେବେଳେ କୋକିଳ ବା କୁମ୍ଭାଟୁଆର ସ୍ଵରରେ ଝଙ୍କାରିତ । ଝିଙ୍କାରୀ ଆପଣା ସଙ୍ଗୀତରେ ମଗ୍ନ, ଯେପରିକି ଏ ଗ୍ରୀଷ୍ମ ଋତୁଟା ତା’ର, ଅନ୍ୟର ଅନଧିକାର ଚର୍ଚ୍ଚାରେ ବାଧା ଦେଉ ନାହିଁ, ଏ ତା’ର ଉଦାରତା । ଖରା ପ୍ରଖରତର ହେବା ସଙ୍ଗେ ସଙ୍ଗେ ବନର ଗାମ୍ଭୀର୍ଯ୍ୟ ବଢ଼ିଲା, ଗଛଲତା ଝାଉଁଳିଲେ, ପତ୍ରେ ପତ୍ରେ ଅବସାଦ ଆଉ କ୍ଳାନ୍ତିର ଛାୟା, ଛିଡ଼ା ହୋଇ ସତେ ଅବା ଘୁମାଉଛନ୍ତି !

 

ଅଘଞ୍ଚ ଅରଣ୍ୟରେ ରାଶି ରାଶି ଭଗ୍ନ ଇଷ୍ଟକ ଗଦା ହୋଇଛି, ଅବା ଖଣ୍ଡ ଖଣ୍ଡ ହୋଇ ଇତସ୍ତତଃ ପଡ଼ିଛି । ପ୍ରାଚୀନ ବୌଦ୍ଧ ବିହାରର ଏତିକି ମାତ୍ର ଅବଶେଷ ରହିଅଛି । ବୋଧହୁଏ ୟା ତଳକୁ ଧ୍ଵଂସ ଆଉ ଯାଇପାରେ ନାହିଁ । ପ୍ରାଚୀନ କୀର୍ତ୍ତି ନିଶ୍ଚିହ୍ନ କରିବାରେ କାଳର ଅନ୍ତରାୟ ହୋଇଛନ୍ତି, ଏଇ କେତେ ଖଣ୍ଡ ଅବାଧ୍ୟ ଇଷ୍ଟକ, ଯାହା ଆପାତ ଜଡ଼ ହେଲେ ବି ପ୍ରାଚୀନ କାହାଣୀରେ ମୁଖର, ଘୋଷଣା କରୁଛି—ମଣିଷ କାଳଜୟୀ, ଗୋଟିଏ କୀର୍ତ୍ତି ନଷ୍ଟ ହେଲେ ସେ ସହସ୍ର ସର୍ଜନ କରୁଛି ।

 

ଆଗରେ ଗୋଟିଏ ଗୁମ୍ଫା, ପଥର ସନ୍ଧିରେ ଟୋପାଟିଏ ସୂର୍ଯ୍ୟ କିରଣ ଗଳି ପଡ଼ିଛି, ଗୋଟିଏ ଗ୍ୟାସ୍‍ବତୀ ପରି ଜଳୁଛି । ବହଳ ହୋଇ ଜମିଥିବା ଶୁଷ୍କ ପତ୍ରରେ ପାଦର ଖସ୍‍ ଖସ୍‍ ଶବ୍ଦ ଶୁଣି ଦଳେ ଚେମଣି ଉଡ଼ିଗଲେ; ବୌଦ୍ଧ ସନ୍ନ୍ୟାସୀଙ୍କ ଆଗରୁ ଏଠି ଏହିମାନେ ଥିଲେ, ଏବେ ବି ରହିଛନ୍ତି । ଭିକ୍ଷୁଙ୍କ ମନ୍ତ୍ରୋଚ୍ଚାରଣ ନାହିଁ, ଶାଳ ମଞ୍ଜରୀରେ ମଧୁମକ୍ଷିର ଗୁଞ୍ଜନ । ମଧୁ ବୃଷ୍ଟି, ମଧୁରଂ ମଧୁରଂ ସର୍ବତ୍ର ମଧୁରଂ, ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାନ କରି ବି ମଧୁପର ମଧୁତୃଷା ମେଣ୍ଟୁ ନାହିଁ । ଅଳ୍ପ ଦୂରରେ ସୀତାଙ୍କ ଗନ୍ତାଘର । ଏ ଗୋଟିଏ ଗୋଟାଳିଆ ପାହାଡ଼, ଧୂସର ତମ୍ବୁ ପରି ଦୂରରୁ ଦିଶେ, ମଝିରୁ ଫାଟିଛି, ଆର ପାଖର ଗରମ ପବନ ସେବାଟେ ଶୀତଳ ହୋଇ ଏ ପାଖକୁ ଆସେ । ଫାଟରୁ ଚଢ଼େଇଗୋଡ଼ୀ ଲତା ଉଠି ପାହାଡ଼ଯାକ ମାଡ଼ୁଛି ।

ସୀତା ତ ଚିରଦୁଃଖିନୀ, ତାଙ୍କର ଗୋଟାଏ ଗନ୍ତାଘର ଆସିଲା କାହୁଁ ? ଲୋକେ କେବେ ଭୁଲିନାହାନ୍ତି ଯେ ସୀତା ରାଜନନ୍ଦିନୀ ରାଜବଧୁ ଥିଲେ, ସୀତାଙ୍କ ମନ୍ଦିର, ହସ୍ତାଙ୍କିତ ଚିତ୍ର, ଲବକୁଶଙ୍କ ଇନ୍ତୁଡ଼ିଶାଳ ଏଠି ଅଛି । ମୁଦକୋଠି ଭଳି ଦିଶୁଛି, ଏ ଆଉ କ’ଣ ହୋଇପାରେ ? ନିଶ୍ଚୟ ସୀତାଙ୍କ ଗନ୍ତାଘର, ଯାହା କିଛି ଧନ ଦଉଲତ ସୀତାଙ୍କ ହାତ ପାଣ୍ଠିରେ ଥିଲା, ସବୁ ଏଥିରେ ସାଇତି ରଖିଯାଇଛନ୍ତି । ଏକା ଏ କାହିଁକି, ସମସ୍ତ କେଉଁଝର ହିଁ ସତୀଙ୍କ ଚରଣସ୍ପର୍ଶରେ ଗୋଟିଏ ପବିତ୍ର ଗନ୍ତାଘର ହୋଇଅଛି । ପୃଥିବୀର କେଉଁଠି ଆଉ ଗୋଟିଏ ଅଞ୍ଚଳରେ ଏତେ ଖଣିଜ ପୁରି ରହିଛି ? ଏ ଆଉ ଏଇଭଳି ଗନ୍ତାଘରର ଚାବି ଯେତେବେଳେ ମାନବା ଖୋଲିବେ, ସେତେବେଳେ ଆଉ ପୃଥିବୀର ଦାରିଦ୍ର୍ୟ ରହିବ ନାହିଁ, ଅବଶ୍ୟ ଏହା ଯଦି କେତୁଟା କୃପଣ କୁବେରଙ୍କ ଅକ୍ତିଆରରେ ନ ରହେ ।

ଲବକୁଶ ପାହାଡ଼—

ପାହାଡ଼ ଉପରେ ପାହାଡ଼, ବୌଦ୍ଧସ୍ତୂପ ପରି ତା’ର ଚୂଳ, ଉପତ୍ୟକାର ପ୍ରାଙ୍ଗଣରେ ବହୁ କାଠଚମ୍ପା, ଫୁଲ ଗଛରେ ଯେତିକି ଫୁଟିଛି, ତଳେ ସେତିକି ଲୋଟୁଛି । ଉପତ୍ୟକା ପଥେ ପଥେ ଯାଇ ଆମେ ଗୋଟିଏ ଦାନ୍ତରଙ୍ଗଣି ଫୁଲଗଛ ମୂଳେ ବସିଲୁ । ପାହାଡ଼ ଆସ୍ତେ ଢାଲୁ ହୋଇ ଗହୀରରେ ମିଶିଯାଇଛି । ଦୂରରେ ତୋଟା, ଗ୍ରାମ, ବିଲ, ତା’ପରେ ଧୂସର ରହସ୍ୟ, ଯାହା ଆଖି ଭେଦିପାରେ ନାହିଁ, ମନ କଳନା କରେ । ପାହାଡ଼ୀ ଝିଙ୍କାରୀ, ଶକ୍ତିଶାଳୀ ତା’ର କଣ୍ଠସ୍ଵର, ଓଡ଼ିଶୀ ନୃତ୍ୟରେ ନର୍ତ୍ତିକୀର ଚରଣ ଛନ୍ଦେ ଛନ୍ଦେ ଘାଗୁଡ଼ି ଶବ୍ଦ ପରି ଶୁଭୁଛି ତା’ର ଝଙ୍କାର, ଯାହା ପାହାଡ଼ୀ ଶ୍ରୀକି ଦେଉଛି ଗତି, ଦିଗବଳୟକୁ କରୁଛି ତନ୍ଦ୍ରାଚ୍ଛନ୍ନ ।

 

ଅଳ୍ପ ତଳକୁ ଖସି ଗୋଟିଏ ଗୋଟିଏ ଗହ୍ୱରରେ ପ୍ରବେଶ କଲୁ; ପ୍ରାକୃତିକ । ନିତାନ୍ତ ଅନୁଚ୍ଚ; ତେଣୁ ଶୋଇ ଶୋଇ ଗୁରୁଣ୍ଡି ଭିତରେ ପଶିବାକୁ ହେଲା । ଲବକୁଶଙ୍କ ଇନ୍ତୁଡ଼ିଶାଳ ଏ, ବ୍ୟାଘ୍ର ଭଲ୍ଲୁକ ଶାବକଙ୍କ ଇନ୍ତୁଡ଼ିଶାଳ ହୋଇଥାନ୍ତା, ଯଦି ବହୁ ଲୋକ ଚଳାଚଳ ହେଉ ନ ଥାନ୍ତେ । ଏଠି ବହୁ ଆକାର ପ୍ରକାରର ମାଟି ଆଉ ପିତ୍ତଳର ଘୋଡ଼ା, ଭଙ୍ଗା, ଦଦରା, କଳଙ୍କି; ମନସ୍କାମନା ପୂର୍ଣ୍ଣ ହେଲା ପରେ ଲୋକେ ଏ ସବୁ ଭେଟି ଠାକୁରାଣୀଙ୍କି ଦେଇଛନ୍ତି, ଗୋଟିଏ ଗୋଟିଏ ଜମୁ ଜମୁ ଗଦାଏ ହୋଇଛି । ଏଠି ଠାକୁରାଣୀ ବୋଇଲେ ସୀତା ଠାକୁରାଣୀ—ଗୋଟିଏ ଲିଙ୍ଗ ମୂର୍ତ୍ତି, ଉପରେ ଚାନ୍ଦୁଆ ଟଣା, ପିଠି ପଟେ ମୟୂର ଚନ୍ଦ୍ରିକା, ସାମ୍ନାରେ ଚନ୍ଦନପେଡ଼ି, ଧୂପଦାନି, ଦୁଇ ଚାରୋଟି ଦୀପ-। ସିଂହାସନର ଚାରିପାଖେ ଚିତା ଲେଖାହୋଇଛି, ଧାନ ଶିଷା ଉପରେ ଟିପ ।

 

ସୀତା ଏଠି ପ୍ରକୃତିଦେବୀ । ତାଙ୍କର ମୂର୍ତ୍ତି ନାହିଁ, ମନ୍ଦିର ନାହିଁ, ପ୍ରସାଦ କାରବାର ନାହିଁ, ପଣ୍ଡା ନାହାନ୍ତି । ସତେ ଅବା ସେ ଏହି ବନରେ ତପସ୍ଵିନୀ ହୋଇ ରହିଛନ୍ତି । ଜଣେ କାନତରାଟିଙ୍କର କିଛିଦିନ ତଳେ ଭାଗ୍ୟୋଦୟ ହେବାରୁ ସେ ଗୋଟିଏ ଦେଉଳ ତୋଳେଇବାକୁ ଲାଗିଗଲା । ସୀତା ସପନେଇ କହିଲେ—‘ଆରେ ମୁଁ ତ ଚିରଦୁଃଖିନୀ, ଦେଉଳ କ’ଣ ହେବ ? ଅରଣ୍ୟରେ ହିଁ ମୋର ଜୀବନ ବିତିଛି । ଅନ୍ଧାରରେ ବନ୍ଦିନୀ ହେବାଠାରୁ ଏ ଖୋଲା ପାହାଡ଼ୀ ପବନ, ଆଉ ଆଲୁଅ ଢେର ଭଲ ।‘ ତା’ ପରେ ଦେଉଳତୋଳା ବନ୍ଦ ହେଲା ।

 

ଏଇ ଗୁହା ଅନ୍ଧକାରରେ ଦୁଇଜଣ ଲୋକ ଗୁହାରିଆ ପଡ଼ିଛନ୍ତି । ସାତଦିନ ପର୍ଯ୍ୟନ୍ତ ନିରାହାର, ପ୍ରାଣ ବଞ୍ଚେଇବାକୁ ଟୋପିଏ ପାଦୁକ ପାଣି ମାତ୍ର । ସୀତାଦେବୀଙ୍କ କରୁଣା ଲାଗି ଏ କାୟକ୍ଳେଶ ବରଣ କରିଛନ୍ତି; ହୁଏତ କିଛି ଦୁରାରୋଗ୍ୟ ରୋଗ ଭୋଗୁଛନ୍ତି । ଚିକିତ୍ସାଳୟ ବହୁ ଦୂରରେ, ପୁଣି ବ୍ୟୟବହୁଳ ଚିକିତ୍ସା ଲାଗି ସମ୍ବଳ ନାହିଁ । ଟୁଣୁକାଟୁଣୁକି ଓଷଦ ଯେ ଯାହା ବତେଇଲା ବ୍ୟବହାର କରି ବିଫଳ ହୋଇ ଦେବାଶ୍ରୟ ଗ୍ରହଣ କରିଛନ୍ତି । ପଡ଼ିଛନ୍ତି, ଆହା ବଡ଼ ନିଃସହାୟ ଭାବରେ । ସୀତା ଭୟ ଦେଖାଇ ଧୃତି ପରୀକ୍ଷା କରିବେ, ନିରେଖି ଦେଖିବେ ତା’ର ଅବିଚଳିତ ନିଷ୍ଠା, ଅନ୍ତରର ଶୁଚିତା । ତା’ପରେ ଶୂନ୍ୟବାଣୀ ହେବ—ଆରେ ଯା, ତୋ ମନସ୍କାମନା ପୂର୍ଣ୍ଣ ହେଲା ।

 

ସୀତାଙ୍କ ଦୁଇ ପାଖରେ ଦୁଇଟି ଲିଙ୍ଗମୂର୍ତ୍ତି—ଏ ହେଲେ ଲବକୁଶ । ବନ୍ଧ୍ୟାମାନେ ସେଇ ଲିଙ୍ଗ ଦୁଇଟିକି କାଖେଇ ଠାକୁରାଣୀଙ୍କ ଚତୁର୍ଦ୍ଦିଗରେ ସାତଘେରା ବୁଲନ୍ତି, ତା’ ପରେ ସନ୍ତାନ ପ୍ରାପ୍ତ ହୁଅନ୍ତି ବୋଲି ଲୋକବିଶ୍ୱାସ ପ୍ରଚଳିତ ଅଛି । ସନ୍ତାନ ନ ହେଲେ ଲୋକ ଦେବତାଙ୍କୁ ଦୋଷ ଦିଅନ୍ତି ନାହିଁ, ଭାଗ୍ୟ ଉପରେ ଦୋଷ ଢାଳନ୍ତି । କଥା ଅଛି—

 

ଯାହା ଦେଇ ନାହିଁ କପାଳ

ତା’ ଦେବେ ନାହିଁ ଗୋପାଳ ।

 

କୌଣସି ପାପରୁ ଭାଗ୍ୟର ଦ୍ଵାର ରୁଦ୍ଧ ହୋଇଥିଲେ ଦେବତା ତାହା ଖୋଲିଦିଅନ୍ତି, କିନ୍ତୁ ଭାଗ୍ୟଲିପି ବଦଳେଇବା ସାଧ୍ୟ ତାଙ୍କର ନାହିଁ ।

 

ମୁକ୍ତାପୁର ଆଶ୍ରମ ବିଦ୍ୟାଳୟ—କାଖରେ, କାନ୍ଧରେ ପିଲା, ପ୍ରାୟ ଦୁଇଶହ ସ୍ତ୍ରୀ ପୁରୁଷ ଆସି ଆଶ୍ରମ ବିଦ୍ୟାଳୟରେ ପହଞ୍ଚିଲେ । ଥାଳିରେ ଥାଏ କାଠଚମ୍ପା ଫୁଲ, ସିଆଳି ପତ୍ର ଦନାରେ ହଳଦିଆ ଚାଉଳ, ଢାଳରେ ହଳଦୀ ପାଣି । ପିଢ଼ା ଉପରେ ଛିଡ଼ା ହେଲୁ । ଜଣେ ସ୍ତ୍ରୀଲୋକ, ମୋ ମାଆ କି ମାଉସୀର ବୟସ ହେବ, ହଳଦୀ ପାଣିରେ ଗୋଡ଼ ଧୋଇ ଗାମୁଛାରେ ପୋଛିଦେଲା । ତା’ ପରେ ଗୋଟିଏ ଥାଳିରେ କିଛି ଟଙ୍କା ଆଣି ଭେଟି ଦେଲା, ତାକୁ ଦି ଗୁଣ କରି ଆମେ ଗ୍ରାମବାସୀଙ୍କି ଥାଳି ଫେରାଇ ଦେଲୁ । ଏ ଭଳି ଅର୍ଘ୍ୟ ପ୍ରତି ଅଫିସରଙ୍କୁ ମିଳେ, ରାଜାଙ୍କ ଅମଳରୁ ଚଳି ଆସୁଛି । ଆମେ ଯେତେ ବୁଝେଇଲେ ଶୁଣୁଛି କିଏ ?

 

ରାଜା ଇନ୍ଦ୍ର, ତାଙ୍କ ସଙ୍ଗେ ସଙ୍ଗେ ସବୁ ଅଫିସର ଏଠି ଦେବତା ହୋଇ ରହିଥିଲେ । କେଉଁଝରଟା ସ୍ଵର୍ଗ ପାଲଟି ଯାଇଥିଲା । ରାଜଦର୍ଶନ ହୁଏ ଭେଟିରେ, ଅଫିସରଙ୍କ ଦର୍ଶନ ହୁଏ ବେଠିରେ । ଏ ଦିଜଣଙ୍କ କ୍ଷମତା କେଉଁ ଦେବତାଠୁଁ ଊଣା ? କିନ୍ତୁ ଏ ସ୍ଵର୍ଗରେ ଏତେ ଦୁଃଖଦାରିଦ୍ର୍ୟ, ଶୋକ ହାହାକାର କାହିଁକି ? କାହିଁକି ଏଠି ସମସ୍ତ ଶିଶୁ ଉଲଗ୍ନ, କିଶୋର କିଶୋରୀଙ୍କର କଉପୁନୀ ମାତ୍ର ପରିଧାନ ? ଅସାର କୁସଂସ୍କାର, ଅନ୍ଧବିଶ୍ୱାସର ବୋଝ ବହି କାହିଁକି ମଣିଷ ଏଠି ଆଦିମ ଅବସ୍ଥାକୁ ଖସିଆସିଛି ?

 

ଭୀମକୁଣ୍ଡ—ଜିପ୍ ଶବ୍ଦରେ ଗୋଟି ଗୋଟିକିଆ ଛଡ଼ା, ଗାଈ ଲାଙ୍ଗୁଳ ଟେକି ଚିରା ମାରିଲେ, ସାମ୍ନାରେ ଏକାଠି ହୋଇ ତରଙ୍ଗ ତରଙ୍ଗ ଚାହିଁଲେ—ଏଇଟା ଅରଣା ମଇଁଷି ନୁହେଁ, ବାରହା କି ଭଲ୍ଲୁକ ନୁହେଁ, ବନ୍ୟ ହସ୍ତୀ ବି ନୁହେଁ । ଆଖିରେ ଆଖିରେ ଫୁଟିଲା ପ୍ରଶ୍ନବାଚକ—କ’ଣ, ତେବେ କ’ଣ ? ଗୋଟାଏ ବିଚିତ୍ର ଜୀବ, ଶିଙ୍ଘ ନାହିଁ, ଲାଙ୍ଗୁଳ ନାହିଁ, ଚରୁ ନାହିଁ । ଦୌଡ଼ୁଛି, ଖାଲି ଦୌଡ଼ୁଛି । ଦେଖୁଦେଖୁ ପହ୍ଲକ ଯାକ ଗାଈ ଜିପ୍‍ ଦି ପାଖେ ଦୌଡ଼ିଲେ ସତେ କି ଆମକୁ ଟପିଯିବେ-!

 

ପଥହୀନ ଶାଳ ଅରଣ୍ୟ ପାରି ହେଲା ପରେ ବୈତରଣୀ, ଶିଳାବନ୍ଧୁର ତାର ଶଯ୍ୟା । ଗୋଟାଏ ପ୍ରାହାସିକ ବୃହତକାୟ ଜନ୍ତୁର ଭଙ୍ଗାରୁଜା କଙ୍କାଳ, କାଳର ଆଘାତେ ଆଘାତେ ଯେପରି ବିଦୀର୍ଣ୍ଣ, ସେହିପରି ତା’ର ଅବୟବ ଛିନ୍ନବିଛିନ୍ନ । ପାହାଡ଼, ଉପତ୍ୟକା, ଖୋଲ, କନ୍ଦରା, କେଉଁଠି ଗୋଟାଏ ଗୁଳ୍ମ, ବୁଦାଏ ବେଣା । କେଉଁଠି ସ୍ଵଚ୍ଛ ଅଭ୍ରରେଣୁର ବାଲିବନ୍ତ, ଗଦା ହୋଇଛି ଭଳିକି ଭଳି ପୁଞ୍ଜି ପୁଞ୍ଜି ଉପଳ; ଶ୍ଵେତ, ନୀଳ, ପୀତ, ଲୋହିତ ବା ମିଶାମିଶି ରଙ୍ଗର । କେଉଁଠି ଭଗ୍ନ ପ୍ରସ୍ତର ସନ୍ଧିରୁ ଉଠିଛି ଅନାମିକା ଗୁଳ୍ମ, କିଶଳୟକୁ ଶେଷ ଚୁମ୍ବନ ଦେଇ ପକ୍ଵପତ୍ର ଝଡ଼ୁଛି; ସୁନାରଙ୍ଗର ଫୁଲ, ହଳଦୀଲଗା କୁଆଁରୀର ଦେହ ପରି ମହକୁଛି । କେଉଁଠି ଚନ୍ଦ୍ରିକାରେ ଇନ୍ଦ୍ରଧନୁର ଆଭା ଉକୁଟାଇ ମୟୂର ଉଡ଼ିଯାଉଛି ।

 

ଶତ ଶତ କ୍ଷୁଦ୍ର ଶୈଳ ମଧ୍ୟରେ ଭୀମକୁଣ୍ଡ ପ୍ରପାତ, ଭୀଷଣ ଗର୍ଜନରେ ଖୋଲ ଭିତରକୁ ଲମ୍ଫ ଦେଉଛି । ନର୍ମଦାର ଧୂଆଁଧାର ସହିତ ଏହାର ସାମଞ୍ଜସ୍ୟ ଅଛି । କିଂବଦନ୍ତୀ ଅଛି, ତୃଷାତୁର ହୋଇ ଥରେ ଭୀମ ଏହି କୁଣ୍ଡରେ ପଣା କରି ପିଇଥିଲେ । ଭୀମ ଯେପରି ଅତିକାୟ ରୂପେ କଳ୍ପିତ, ଏ ବିଶାଳ କୁଣ୍ଡରେ କୁଣ୍ଡେ ସରବତ ନ ପିଆଇଲେ ଲୋକକଳ୍ପନା ତୁଷ୍ଟ ହେବ କିପରି ? ପ୍ରକୃତରେ ସ୍ଥାନଟା ଯେପରି ଭୟଙ୍କର ଭୀମ ଛଡ଼ା ଏଠି ସାଧାରଣଙ୍କ ବିଚରଣ ଅସମ୍ଭବ ।

 

ମୁଣ୍ଡ ଉପରେ ଗ୍ରୀଷ୍ମ ସୂର୍ଯ୍ୟ, ରଗଡିର ଏ ଶିଖରୁ ସେ ଶିଖ ପାଦ ପକାଇ ନୃତ୍ୟ କରୁଛି ମରୀଚିକା, ଝିଙ୍କାରୀ ହୋଇଛି ତା’ର ଘୁଙ୍ଗୁର । ଶିଳା ଉତ୍ତପ୍ତ, ଜୋତା ପିନ୍ଧିଲେ ପାଦ ଟଳ ହେଉନାହିଁ, ନ ପିନ୍ଧିଲେ ଫୋଟକା । ସ୍ଵେଦରେ ସ୍ନାନ କଲୁ । ଶୋଷରେ ତାଳୁକା ଶୁଖିଗଲା । ଆମେ ଦୌଡ଼ିଲୁ, ବୋଧହେଲା ଜଳନ୍ତା ପାହାଡ଼ ଲମ୍ବ ଲମ୍ବ ହାତ ମେଲାଇ ଆମକୁ ଧରିବା ଲାଗି ପଛେ ପଛେ ଧାଇଁଛନ୍ତି, ରୌଦ୍ରର ଜ୍ଵାଳାମୟ ଲେହନରେ ଦେହରୁ ସତେ କି ସବୁ ମାଂସ ଖସି ପଡ଼ିଛି ।

 

ତୁଣ୍ଡ ଡୁମୁରିଆ ଆଶ୍ରମରେ ମଧ୍ୟାହ୍ନ କଟିଲା, ଲୋକଗୀତ ଓ ଗଳ୍ପ ସଂଗ୍ରହ ଚାଲିଲା । ବାଣିଆ ନାୟକ, ପାଚିଲା ବୁଢ଼ା, ପିନ୍ଧା ଖଣ୍ଡିଏ ଚିରା ଗାମୁଛା । ପଗଡ଼ିଟା ଚିରା ଚାଲୁଣି । ଦେହଟା ସିନା ଭଙ୍ଗା, ମନଟା ରସରସିଆ ଥିଲା, ଏବେ ଅଛି । ଯେ କୌଣସି ବିଷୟୁକୁ ଉପଲକ୍ଷ୍ୟ କରି ବୁଢ଼ା ଗୀତ ଗାଇପାରେ । ଗାଇଲା—‘ହେଇ ଦେଖ ଭାଇ ଉଡ଼ାଜାହାଜ, ବସିଛନ୍ତି ଲୋକ କେଡ଼େ ମଉଜ’ ଇତ୍ୟାଦି ।

 

ଗନ୍ଧମାଦନ ଉପତ୍ୟକାରେ—

 

ଏହି ଉପତ୍ୟକା ଭୂୟାଁପୀଢ଼ିର ଅନ୍ତର୍ଗତ, ଆଦିବାସୀବହୁଳ ଅଞ୍ଚଳ । ପାହାଡ଼ ଉପରେ ଘର; ବଣର ଫଳ, ମୂଳ, ଶାଗ ଶିକାର ଖାଇ ଆଦିବାସୀମାନେ ଚଳୁଥିଲେ । ଏବେ ସରକାରଙ୍କ ଚେଷ୍ଟାରେ ସମତଳ ଭୂମିକି ଓହ୍ଲାଇଛନ୍ତି, ଚାଷ ଲାଗି ଜମି, ହଳ ଲାଗି ମାଗଣା ବଳଦ ଦିଆହୋଇଛି-। ତଥାପି ଲୋକେ ‘ପୋଡ଼ୁ’ ଚାଷ ଲାଗି ମୂଲ୍ୟବାନ୍‍ ଜଙ୍ଗଲ ଜାଳି ନଷ୍ଟ କରି ଦେଉଛନ୍ତି । କଠିନ ଶ୍ରମ କରିବାର ଅଭ୍ୟାସ ନାହିଁ, ଚାଷବେଳେ ଶିକାର ଖୋଜି ବୁଲୁଥିବେ, ହାଣ୍ଡିଆ ଖାଇ ଗଡ଼ୁଥିବେ-। ଆଳସ୍ୟରୁ ଭୋକରେ ଛଟପଟ ହେଉଥିବେ ପଛେ, ଖଟି ଖାଇବେ ନାହିଁ । ତେଣୁ ଏ ଅଞ୍ଚଳରେ ଶ୍ରମିକ ଅଭାବରୁ ରାସ୍ତା ତିଆରି ହୋଇ ପାରୁନାହିଁ । ଜଙ୍ଗଲରୁ ଜାଳ ନ ଆଣି ରାସ୍ତାର କାଠ ପୋଲରୁ ଲୋକେ ପଟା କାଢ଼ି ନେଇଛନ୍ତି । ଶ୍ରମକାତରତାର ଏହାଠାରୁ ଉଜ୍ଜ୍ୱଳତର ଦୃଷ୍ଟାନ୍ତ ଆଉ କେଉଁଠି ଅଛି ? ଦିଗ୍‍ବଳୟରେ ଧୂସର ବଉଦ ପରି ଦିଶିଲା, ଧୀରେ ସ୍ପଷ୍ଟତର ହେଲା ତା’ର ଶୃଙ୍ଗ-। ବନ୍ଧୁ ଚିହ୍ନାଇ ଦେଲେ ଏ ଗନ୍ଧମାଦନ, କେଉଁଝରର ଉଚ୍ଚତମ ପର୍ବତ-। ହିଂସ୍ରଜନ୍ତୁ ଓ ସରୀସୃପସଙ୍କୁଳ, ଔଷଧ ଗୁଳମରେ ଭରା । ତା ଉପରକୁ ଉଠିବାର ସୌଭାଗ୍ୟ ହେଲା ନାହିଁ-। ପ୍ରୀତିପୂର୍ଣ୍ଣ ଚକ୍ଷୁରେ ଅନାଉଁ ଅନାଉଁ ସେ ଅନ୍ତର୍ହିତ ହେଲା ।

 

ପହଞ୍ଚିଲୁ ଗୋଟିଏ ଭୂୟାଁ ଗ୍ରାମରେ, ନାଆଁ ଜାଗର । ତହସିଲଦାରଙ୍କ ଆୟୋଜନ । ଭୂୟାଁମାନେ ଆମକୁ ଚାହିଁ ବସିଥିଲେ । ପହଞ୍ଚିଲା ମାତ୍ରେ ଶଙ୍ଖ ଧ୍ୱନି ହେଲା । ଜଣେ ବୃଦ୍ଧା ହଳଦୀପାଣିରେ ପଦ ଧୋଇଦେଲା, ଆଉ ଜଣେ ବେକରେ କାଠଚମ୍ପାର ମାଳ ଦେଲା, ଥାଳିରେ ଥାଳିଏ ହରଡ଼ ଆଣି ଭେଟି ଦେଲା । ଅତିଥି ସତକାର ଏ । ମନାକଲେ କେହି ଶୁଣିବେ ନାହିଁ । ଭୂୟାଁପୀଢ଼ ଅଫିସର ନରସିଂହବାବୁ ରୋଷେଇର ସରଞ୍ଜାମ ସଙ୍ଗେ ଘେନି ଆସିଛନ୍ତି, ଜଙ୍ଗଲ ଜାଗା, କିଛି ମିଳିବ, ନ ମିଳିବ ଏଇ ଆଶଙ୍କାରେ । ଜାଗର ଗ୍ରାମରୁ ଡାକେ ବାଟରେ ବାହ୍ମୁଣୀ, ଗୋଟିଏ ଛୋଟ ପାହାଡ଼ୀ ନଦୀ, ଗନ୍ଧମାଦନରୁ ବୋହି ଆସୁଛି । ସରକାର ଏ ନଈଟିକି ବନ୍ଧେଇଛନ୍ତି । ପ୍ରଚୁର ଜଳ । ପରମ ତୃପ୍ତିରେ ସ୍ନାନ କଲୁ । କ୍ଷୁଧା । ରୋଷେଇ ଶେଷ ହେବାକୁ ଡେରି ଅଛି । ଭୂୟାଁମାନେ ଶିଆଳିପତ୍ର ଦନାରେ ଗଙ୍ଗେଇଲିଆ, ମକାଲିଆ, ଶିମ୍ବ ମଞ୍ଜି, ସିଝା, ପାଚିଲା କେନ୍ଦୁ ଆଣି ହାଜର କଲେ । ମାଣ୍ଡିଆଜାଉ, ମକାଭାତ ସଙ୍ଗେ ଶିମ୍ବମଞ୍ଜି ସିଝା ବା ଶାଗ ଏଠା ଲୋକଙ୍କ ପ୍ରଧାନ ଖାଦ୍ୟ ।

 

କେଉଁଝରର ଚାଙ୍ଗୁନାଟ ସୁପ୍ରସିଦ୍ଧ । ଦେଖିବାକୁ ଆଗ୍ରହ ହେଲା, ଜାଣେ ଏଟା ସମୟ ନୁହେଁ । ଟାଇଁଟାଇଁଆ ଖରା, କିଏ ଖାଇଛନ୍ତି, କିଏ ନାହିଁ । ଶୁଖିଲା ମୁହଁ, ନୀରସ ମନ । ପାହାଡ଼ରେ ସପନ ନାହିଁ, ମରୀଚିକା; ବଣରେ ରହସ୍ୟ ନାହିଁ, ନିଆଁ ଧୂଆଁ । ଝରଣା ଝରୁଛି, କଳଧ୍ଵନି ନାହିଁ । ପବନ ବୋହୁଛି, ଝାଞ୍ଜି । ଗାଆଁଟା ଖାଲି ଗାଆଁ—ଧୂଆଁ ଧୂଳିର । ସେଥିରେ ସପନ ଲହଡ଼ି ମାରୁ ନାହିଁ । ମୋ ଅନୁରୋଧ ବେରସିକପଣ, ଅସଙ୍ଗତ, ଅସ୍ଵାଭାବିକ । କିନ୍ତୁ ତାଙ୍କ ସମୟକୁ ମୁଁ ରହିପାରୁଛି କେଉଁଠି ? ବୁଢ଼ା ବୁଢ଼ା ଭୂୟାଁ ହଁଟାଏ ଭରିଦେଲେ । କିନ୍ତୁ ସେମାନେ ନାଚନ୍ତି ନାହିଁ, ତରୁଣ ତରୁଣୀଙ୍କ କାର୍ଯ ଏ ।

 

ରାଣୀ ପୁଅ ଧରଣୀଧର ଭୂୟାଁଙ୍କ ରାଜ୍ୟ, ଭୂୟାଁମାନେ ଆଧୁନିକ ହେଲେଣି । ତାଙ୍କ ଝିଅ ବୋହୂ ଦାଣ୍ଡରେ ନାଚିବେ ? ଇଜ୍ଜତ, ମହତ ନାହିଁ ନା କ’ଣ ? ବହୁ ଠେଲାପେଲା ହେଉଥିବା ଦେଖି କହିଲି—ଯଦି ସଭ୍ୟ ହେଉଛ ସରସ ଭାବରେ ହୁଅ । ନୀରସ, ପ୍ରାଣହୀନ ସଭ୍ୟତାରେ କି ମୂଲ୍ୟ ? ସଭ୍ୟ ହେବା ଚେଷ୍ଟାରେ ଯାହା ସାର, ଶ୍ରେଷ୍ଠ ଯଦି ଛାଡ଼ିଦିଅ, ତେବେ କିମ୍ଭୂତକିମାକାର ହୋଇଯିବ । ବହୁ ପ୍ରବର୍ତ୍ତନା ପରେ ଚାରିଜଣ ଜୁଆନ୍‍ ବାହାରି ପଡ଼ିଲେ, ହାତରେ ବଡ଼ ବଡ଼ ଚାଙ୍ଗୁ । ଧାଙ୍ଗଡ଼ୀମାନେ ଗାଆଁ ଭିତରୁ ଗାଇଲେ—

 

ପାଣିରେ ପଡ଼ିଲା ପୋକ

ତୁମେ ତ ବାବୁ ହେ ପାଠୁଆ ନୁକ

ଆମେ ତ ଗଜମୁରୁଖ, ହେ ତୁମେ ତ ପାଠୁଆ ନୁକ ।

ବେଳ ଗଲା ଗଡ଼ି ଗଡ଼ି

ମନେ କରୁଥାଉ ଘଡ଼ିକି ଘଡ଼ି

ପାଖରୁ ନ ଯାଅ ଛାଡ଼ି,

ଗଳାର ହାର ହେ ପାଖରୁ ନ ଯାଅ ଛାଡ଼ି ।

 

ଧାଙ୍ଗଡ଼ାମାନେ ଗାଇଲେ—

 

ତାଳପତ୍ର ଖର ଖର

କିଛି ରାଗ ନାହିଁ ତୁମ ଆମର

ଜୀବ ଥିବ ଯେତେ କାଳ

ଲେଉଟି ଅନା ହେ ଜୀବ ଥିବ ଯେତେ କାଳ ।

 

ତାପରେ ଧାଙ୍ଗଡ଼ୀମାନେ ଆସିଲେ, ସର୍ବାଙ୍ଗ ବସ୍ତ୍ରାବୃତ୍ତ, ଯେମିତି କ’ଣ ଭୁଆସୁଣୀ । ନଇଁ ନଇଁ ଚାଙ୍ଗୁର ତାଳେ ତାଳେ ନାଚିଲେ । ସେଥିରେ କିଛି ହେଲେ ଉନ୍ମାଦନା ନ ଥିଲା ।

 

ବାରୁଣିମେଳା—

 

ଭୂୟାଁପୀଢ଼ ବାଟରେ ଶୁଆକାଟି ଆଶ୍ରମ ସ୍କୁଲ ଦେଖିଲୁ, ଛାତ୍ରସଂଖ୍ୟା ୧୧୦ । ଅଧିକାଂଶ ଆଦିବାସୀ । ସରକାରୀ ଟଙ୍କାର ଆକର୍ଷଣରେ ହେଉ ପଛେ, ଯେ ଆସିଛନ୍ତି ଆସିଛନ୍ତି । ବନ୍ୟ ଜୀବନକୁ ଫେରିଯିବା ଲାଗି ଆଉ ଆଗ୍ରହ ନାହିଁ । ପ୍ୟାଣ୍ଟ କାମିଜି ପିନ୍ଧିଛନ୍ତି, ଟେରି ଭାଙ୍ଗିଛନ୍ତି, ବାହାରୁ ଦେଖିଲେ ଆମ ଆଡ଼ ପିଲା ଓ ଏ ପିଲାଙ୍କ ମଧ୍ୟରେ ତାରତମ୍ୟ ବାରି ହେବ ନାହିଁ । ମନେ ହେଲା ଦିନେ ଏମାନେ ଆମ ସଙ୍ଗେ ପୂରା ମାତ୍ରାରେ ମିଶିଯିବେ ।

 

କାଠ କାମରେ ଧୁରନ୍ଧର, ଲୁଗାବୁଣାକୁ ତତ୍ପର । ବଗିଚା କାମରେ ମଧ୍ୟ ଏମାନଙ୍କୁ କେହି ଟପି ପାରିବ ନାହିଁ । ଖରାଦିନେ କିଆରିରେ କିଆରିଏ ବନ୍ଧାକୋବି, ଅମୃତଭଣ୍ଡା ପଇଡ଼ରୁ ବଡ଼, କଦଳୀ କାନ୍ଦି ଏତେ ବଡ଼ ହୋଇଛି ଯେ ଜଣେ ଲୋକ ତଳୁ ଉଠାଇ ପାରିବ ନାହିଁ । ଝରଣା ପାଣି ମଡ଼ାଇ ଏମାନେ ବଗିଚା କରିଛନ୍ତି । ଆଶ୍ରମ ହତାରେ ଛାତ୍ର, ଶିକ୍ଷକ ସମସ୍ତେ ବସିଲେ; କନ୍ଧ, ଜୁଆଙ୍ଗ, ଭୂଇଁଆ ବୋଲିଲେ ହଳିଆ ଗୀତ, ଦୋଳି ଗୀତ, ଚାଙ୍ଗୁନାଟ ଗୀତ, ଭାଷା ଖାଣ୍ଟି ଓଡ଼ିଆ । ମୋ ଝୁଲାମୁଣି ପୂର୍ଣ୍ଣ ହୋଇଗଲା ।

 

ରାତି ବାରଟାବେଳେ ବାରେଣି ମେଳାରେ ପହଞ୍ଚିଲୁ । ଏଠି ରଜାଙ୍କର ଗୋଟିଏ ଉଆସ ଅଛି, ନାଆଁ ଉଆସ, ଚାଳଘର । କେଉଁଝର ରଜା ଯୁଦ୍ଧବେଳେ ଯାପାନୀ ବୋମା ମାଡ଼ ଭୟରେ ଏଠି ରହୁଥିଲେ, ଏବେ ମରାମତି ଅଭାବରୁ ଗୋଟାକୁ ଗୋଟା ଭୁଶୁଡ଼ି ପଡ଼ୁଛି । ସେଥିରୁ ଗୋଟିକରେ ଜିନିଷପତ୍ର ରଖି ଆମେ ମେଳା ଦେଖି ଗଲୁ ।

 

ମେଳା ଭାଜିଲାଣି, ଦୋକାନପତ୍ର ଉଠାଇ ଦୋକାନୀ ରୋଷେଇରେ ଲାଗିଛି, ଗୋଟିଏ ଦୁଇଟା ପାନଦୋକାନରେ ମିଞ୍ଜି ମିଞ୍ଜି ବତୀ ଜଳୁଛି । ଦଳେ କାନିପାରି ଧଣ୍ଡ ପରି ଶୋଇ ଯାଇଛନ୍ତି, ଆଉ ଦଳେ ତାଆସ ଖେଳରେ ମାତିଛନ୍ତି । ଗୋଟାଏ କୁକୁର କେବେ ରୋଷେଇ ପାଖେ ନାକଉଛି, କେବେ ତାଆସ ଖେଳ ପାଖେ ଧକଉଛି । ଯୁଆଡ଼େ ଗଲେ ବି ତା’ ପିଠିରେ ଗୋଟେ ଗୋଟେ ଗୋଇଠା ବସୁଛି ।

 

ଗୋଟିଏ ଜାଗାରେ ଲୋକେ ଜମିଛନ୍ତି; ଯାତ୍ରା । ଏ ଗୋଟିଏ ଗଣ୍ଡ ଯାତ୍ରାଦଳ । ଓଡ଼ିଆ ଉଚ୍ଚାରଣ ବେଶ୍‍ ସ୍ପଷ୍ଟ; ଆଶ୍ଚର୍ଯ୍ୟ ହେଲି, ଏମାନେ ଓଡ଼ିଆ ଭାଷାକୁ କେତେ ନିଜର କରିପାରିଛନ୍ତି ।

 

ରାତି ଦୁଇଟାବେଳେ ଆମେ ରାଜ ଉଆସକୁ ଫେରି ଆସିଲୁ । ଆଣ୍ଠୁଏ ଧୂଳିରେ ଗଡ଼ିପଡ଼ିଲୁ । ଯେଉଁ ନିଦ ହେଲା, କେବେ ପଲଙ୍କ ଉପର ଗଦିରେ ହୋଇ ନ ଥିବ ।

 

ଜୁଆଙ୍ଗ ଗାଆଁରେ—

 

କାକର ଶୁଖିନାହିଁ । ସୂର୍ଯ୍ୟ ଅଦ୍ୟାପି ପାହାଡ଼ ତଳେ, ଉପରକୁ କିରଣ ପିଚକାରୀ ମାରୁଛନ୍ତି । ଖାଲ ଢିପ ଗହୀର, ଉଞ୍ଚ ହିଡ଼, ସାମ୍ନାରେ ଧୂଆଁ ପତ୍ର ଖେତ, ପାହାଡ଼ ତାଳୁରେ ଏଇ ଯେ ଗୋଟିଏ ଜୁଆଙ୍ଗ ଗାଆଁ ।

 

ବୁଦିବୁଦିକିଆ ଘର, ଅଣଓସାରିଆ, ଅନ୍ଧାରିଆ । ଚାଳକୁ ପିଲାର ହାତ ପାଇବ । କାନ୍ଥରେ ଝରକା ନାହିଁ । କିନ୍ତୁ ଘର ଲିପା ପୋଛା ହୋଇ ସଫା ସୁତୁରା । ଚୋରୋଟି ଖମ୍ବ ଉପରେ କାଠ ଭାଡ଼ି ଘର, କାଠ ବାଡ଼ରେ ମାଟି ଛଟାହୋଇଛି, ଉପରେ ଚାଳ, ଏଥିରେ ଛେଳି ରହନ୍ତି । ଲଣ୍ଡିଗୁଡ଼ିକ ଭାଡ଼ି ସନ୍ଧିବାଟେ ତଳକୁ ଗଳିପଡ଼େ । ଖମ୍ବ ମଞ୍ଚାରେ ଗୋରୁଙ୍କ ଲାଗି କୁଟା ରଖାହୋଇଛି ।

 

ମାଇପଙ୍କ ଦେହରେ ଗୋଛା ଗୋଛା ତୁଚ୍ଛାତିତୁଚ୍ଛ ଅଳଙ୍କାର । କାନରେ ଫିରିଫିରା, ହାତରେ କଙ୍କଣ । ବେକର କେରା କେରା ମାଳି, ପୋହଳା ବିଶେଷ ଦୃଷ୍ଟି ଆକର୍ଷଣ କରେ ।

 

ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ଅଧିକ ପରିଶ୍ରମୀ । ପୁରୁଷ ନିଆଁ ପୋହୁଁଥିବା ବେଳେ ସ୍ତ୍ରୀ ଶିଳରେ ମାଣ୍ଡିଆ ପେଷୁଛି, ଘରର ଯାବତୀୟ ଆଡ଼ତିପତ୍ର କରୁଛି । ଏ ସବୁ ପରେ ସେ ପୁରୁଷ ସଙ୍ଗେ ବିଲକୁ କାମ କରିଯିବ ।

ସ୍ତ୍ରୀ ମୂଷଳରେ ଧାନ କୁଟୁଛି, ମୂଷଳର ଉପର ମୋଟା, ତଳ ମୁଣ୍ଡ ସରୁ । ଧାନ ଶୁଖେଇବା ଦରକାର ହେଉନାହିଁ, ମଝିରେ ମଝିରେ ପାଛୁଡ଼ୁଛି । ଢିଙ୍କିରେ ଦିଜଣ କୁଟାଳି, ଜଣେ ଶୁଖାଳି । ପୁଣି ଢିଙ୍କି ବସେଇବା ଲାଗି ଖଣ୍ଡେ ଚାଳି ଦରକାର । ହାତକୁଟା ଢିଙ୍କି ଲାଗି କିଛି, ଲୋଡ଼ା ନାହିଁ । ଏ ଗୋଟିଏ ବଡ଼ କାଠ ହେମଦସ୍ତା, ଘର କଣରେ ରହେ । ଏଥିରେ ବେଶୀ ଧାନ କୁଟାଯାଇପାରେ ନାହିଁ । ଘଣ୍ଟାକେ ଯାହା କୁଟାଯାଏ, ଦିନକ ଲାଗି ଗୋଟିଏ ପରିବାରକୁ ଯଥେଷ୍ଟ ।

ଜୁଆଙ୍ଗ ସ୍ତ୍ରୀ ବଡ଼ ଲାଜକୁଳୀ । ଛୋଟୀ ଯୁବତୀଟି ଲାଉ ତୁମ୍ବା ଧରି ଝରଣାକୁ ପାଣି ଆଣି ଯାଉଥିଲା, ଦଉଡ଼ି ଆସି ଘରେ ପଶିଗଲା; ଷାଠିଏବର୍ଷର ବୁଢ଼ୀ ଲୁଗାକାନିରେ ମୁହଁକୁ ଘୋଡ଼ାଇ ପକାଇଲା । ଢିଙ୍କିର ପାହାର, ଶିଳର ବଟା ବନ୍ଦ ହୋଇଗଲା । ଘରଲିପା ରହିଲା ଅଧା । ମନ ହେଲା, ଆମେ ଲୁଚୁଁ, ତା’ହେଲେ ସମସ୍ତେ ବାହାରିବେ, କାମ ଯଥାରୀତି ଚାଲିବ ।

ଗ୍ରାମ ମଝିରେ ଗ୍ରାମଶିରୀ ଠାକୁରାଣୀ, ଗୋଟାଏ ପଥରମୁଣ୍ଡା । ଶୀତୁଳିଆ ପବନ ତାଙ୍କ ଦେହରେ ଭେଦେ ନାହିଁ; ଛେଚା ବର୍ଷାର ମାଡ଼, ଖରାର ତାତି ସହିପାରନ୍ତି, କାରଣ ସେ ଦେବତା । ଜୁଆଙ୍ଗର ବିପଦରେ ତ୍ରାଣକର୍ତ୍ତା, ପରାମର୍ଶଦାତା । ସେଠି ମୁଣ୍ଡିଆଟିଏ ନ ମାରି ସେ ଜଙ୍ଗଲରେ ପଶେ ନାହିଁ । ଠାକୁରାଣୀଙ୍କ ପାଖେ ମଣ୍ଡଘର । ଏଟି ସାଧାରଣ ସଭା ଘର, କୋଠରେ ତିଆରି । ଗାଆଁ ଲୋକ ଏଠି ଏକାଠି ହୁଅନ୍ତି, ସୁଖଦୁଃଖ ପଡ଼େ, ନ୍ୟାୟ ନିଶାପ ହୁଏ । ଘରଟି ମହୁଡ଼ମରା, ଅତି ଅଳ୍ପ ଉଚ୍ଚ । ଦୁଆରେ ଡାଳି ଆଉ ବାଉଁଶକଣିର ତାଟି ଲାଗିଛି । କାନ୍ଥରେ ଝୁଲୁଛି ଧନୁତୀର । ଜୁଆଙ୍ଗ ଶିକାର-ବିଳାସୀ । ଟଙ୍ଗା ହୋଇଛି ଚାଙ୍ଗୁ, ବଡ଼ଗଣ୍ଡି ପ୍ରଭୃତି ବାଜା, ଚାଙ୍ଗୁନାଟ ଜୁଆଙ୍ଗଙ୍କ ଜାତୀୟ ନୃତ୍ୟ । ଝୁଲୁଛି ଗୋଟାଏ ମୟୂରପୁଚ୍ଛ, ନାଟରେ ବେଶଭୁଷଣ ଲାଗି ବୋଧେ ଲୋଡ଼ା ହୁଏ-। କାନ୍ଥକୁ ଲାଗି ଥୁଆ ହୋଇଛି ବଡ଼ ବଡ଼ ଘୁମା, ଏଥିରେ କୋଠଧାନ ରହେ, ପୁଣ୍ୟପର୍ବକୁ ଅଗ୍ରୀମ ଚାନ୍ଦା, ଆପଦବିପଦକୁ ଭରସା ।

 

ମଣ୍ଡଘର ମଝିରେ ନିଆଁ ଅତଡ଼ାଏ ଜଳୁଛି, ମୁଣ୍ଡାଏ ଶାଳକାଠ ମୁହାଁହୋଇଛି । ପଞ୍ଝାଏ ସ୍ତ୍ରୀପୁରୁଷ ତାକୁ ଘେରି ବସିଛନ୍ତି, ପିଙ୍କା ଖାଉଛନ୍ତି । ଆଖି ଲାଲ୍‍, ହାଣ୍ଡିଆ ନିଶା ସତେ ବା ଛାଡ଼ିନାହିଁ-। ଆମକୁ ଦେଖି ଉଠିପଡ଼ିଲେ, ଖଣ୍ଡେ ଖଣ୍ଡେ ପଟା ବସିବାକୁ ଦେଲେ କିନ୍ତୁ ଗୋନାସା ଆମକୁ ଆହ୍ଵାନ କରୁଥିଲା । ଜୁଆଙ୍ଗେ ବାଟ କଢ଼େଇ ନେବା ଲାଗି ଆମକୁ ଗୋଟିଏ ଜୁଆନ୍‍ ସଙ୍ଗରେ ଦେଲେ । ନବ ଯବାନ୍‍, ସଦ୍ୟ ବିବାହିତ । ତେଲ ପଚପଚ ମୁଣ୍ଡଟି ସାଉଁଳିଛି । ବାଳରେ ମାରିଛି ଗେଟାପାରଚା ଲାଲ୍‍ ପାନିଆ, ଗୋଟିଏ ଭଦଭଦଳିଆ ପର । କାନ୍ଧରେ ଖଣ୍ଡେ ତଉଲିଆ, ବାରୁଣିମେଳାରୁ କିଣା, ଟୋକା ତାକୁ ଥରକୁ ଥର ଦେଖୁଥାଏ ।

 

ଏ ଗାଆଁରେ କେହି ଜଣେ ହେଲେ ପାଠ ପଢ଼ିନାହାନ୍ତି, ପିଲାମାନେ ଗାଈ ଚରେଇ ଯା’ନ୍ତି, ବଡ଼ମାନେ ଚାଷକୁ ବା ଶିକାର କରି । ପଣସ, ମାଣ୍ଡିଆ, ବଣର ଫଳମୂଳ, ମାଂସ ପ୍ରଧାନ ଖାଦ୍ୟ । ଜୁଆଙ୍ଗ ଦୁଧ ଖା’ନ୍ତି ନାହିଁ । ସେ ଭାରି ମନୁଆ, ଇଚ୍ଛା ହେଲେ କାମ କରେ, ନୋହିଲେ ନାହିଁ । ଏକଜିଦିଆ, ଯାହା ବୁଝିଥିବ ସେଇଆ । ତହସିଲ୍‍ଦାର ବୁଝିଲେ ଏ ଇଲାକାର ପ୍ରଭୁ, ଚାଙ୍ଗୁ ନାଟ ଲାଗି କେତେ ଫୁସୁଲେଇଲେ । ହେଲା ନାହିଁ, କାରଣ ଜୁଆଙ୍ଗର ମନ ନ ଥିଲା ।

 

ଗୋନାସା—

 

ଅଧାରେ ମଣିଷଚଲା ରାସ୍ତା, ବାମ ଦିଗରେ ତିଖ ହୋଇ ଉଠିଛି, ଆଖି ପାଉନାହିଁ, ଚୂଳ ବୃକ୍ଷର ପତ୍ରେ ପତ୍ରେ ମେଘ ଘଷି ହୋଇ ଯାଉଛନ୍ତି—ପୂର୍ବାହ୍ନ କିରଣରେ ଚିତ୍ରଳ ଏକ ବିଚିତ୍ର ପ୍ରାଗୈତିହାସିକ ଜୀବ ପରି ଦିଶୁଛି—ଏଇ ଗୋନାସା ।

 

ଆଗରେ ଗୋଟିଏ ପ୍ରାକୃତିକ ଗୁମ୍ଫା, ଦୁଇଜଣ ବାବାଜି ରହିଛନ୍ତି, ରହନ୍ତି ନାହିଁ, ବାରୁଣି ବୁଡ଼କୁ ଆସିଛନ୍ତି । ବୁଡ଼ ହେବ, ଦୁଇପଇସା ହାତପୈଠ ହେବ, ମହାଦେବ ଦେଖା, ଆଳୁବିକା ଦୁଇ କାର୍ଯ୍ୟ ହେବ, ଚତୁବର୍ଗ ନୋହିଲା ନାହିଁ, ଦୁଇଟା ବର୍ଗ ତ ହେବ, ଏଥିଲାଗି ଦୁହେଁ ବାବାଜି ସାଜିଛନ୍ତି-। ଜଣେ ଗୁରୁ, ଜାତିରେ ଗୋପାଳ; ଶିଷ୍ୟ ଜଣେ ଭୁୟାଁ । ଅଳ୍ପ ଦିନ ଆଗେ ଘର ଛାଡ଼ି ଆସିଛନ୍ତି, ଗଞ୍ଜେଇ ବାସନାରେ କି ମୁକ୍ତି କାମନାରେ ମା’ ଗଙ୍ଗେଙ୍କୁ ଜଣା । ମୁଣ୍ଡରେ ସିନ୍ଦୂର କଲି, ପିନ୍ଧା କଉପୁନୀ । ଜଟା ନୂଆ ବୋଳା, ଅଠା ଧରିନାହିଁ, ବିରଳ ଦାଢ଼ି ମୁଖର ପ୍ରକୃତ ସ୍ଵରୂପ ଘୋଡ଼େଇବାକୁ ସମର୍ଥ ହୋଇନାହିଁ ।

 

ଅହୋରାତ୍ର ଧୁନି ଜଳୁଛି, ବାୟୁମଣ୍ଡଳ ଉଷ୍ମ ରଖିବ, ଏଣେ ଭାଲୁ ହୁରୁଡ଼େଇବ । ଧୁନି ଚାରିପାଖେ ଲାଲ ଧଳା ମୁରୁଜରେ ଗୋଟିଏ ଆୟତକ୍ଷେତ୍ର ଅଙ୍କିତ, ତା’ ଉପରେ ପଦ୍ମଫୁଲ ସଜ୍ଜିତ, କନାରେବ ବିଭୁତି ସୁରକ୍ଷିତ । ଗୁମ୍ଫା ଭିତରେ ମୂର୍ତ୍ତିଏ ଠାକୁର— ଶ୍ରୀକୃଷ୍ଣ ? ହନୁମାନଜି ? ପାଟକନା ଗହଳରେ ଚିହ୍ନି ହେଉନାହିଁ । ଠାକୁରଙ୍କ ସାମ୍ନାରେ ବାଘଛାଲ, ଗୁରୁ ଏହା ଉପରେ ଧ୍ୟାନରେ ବସୁଥିବେ, ଗୋଟିଏ ଶଙ୍ଖ, ପଟେ ଘଣ୍ଟ, ପୂଜାବେଳେ ବଜା ହେଉଥିବ । ଗୋଟିଏ ବଂଶୀ, ଗୋଠଚରାବେଳୁ ଗୁରୁଙ୍କ ବଜେଇବା ଅଭ୍ୟାସ ଥିବ । ଗୋଟିଏ ଘିଅ ଘଡ଼ି, ଆଳତି କାଠି ବୁଡ଼ା ହେଉଥିବ । ପଟେ ପିତ୍ତଳ ଥାଳି—ମାନେ କାସ୍‍ବକ୍‍ସ । ଭଗତେ ଧୁନିକି ପ୍ରଣାମ କଲାବେଳେ କିଛି ପକାଇ ଦେଉଥିବେ । ବାବାଜି ମୋଠୁଁ ପ୍ରଣାମ ଆଶା କରିନାହାନ୍ତି, ଜାଣନ୍ତି ଆଜିକାଲିକା ବାବୁଙ୍କଠୁଁ ଭକ୍ତିଧର୍ମ ଲୋପ ପାଇଯାଇଛି । ଦକ୍ଷିଣା ଚାହିଁବା ଆଗରୁ ଥାଳିରେ ପକାଇ ଦେଇଥିଲି । ବିଦାୟବେଳେ ଗୋଟିଏ ମାତ୍ର କଥା ପଚାରିଥିଲି—ଆପଣଙ୍କ ଦୀକ୍ଷା କ’ଣ ? ବାବାଜି କହିଲେ—ଆତ୍ମପୂଜା । ଏ ସ୍ପଷ୍ଟୋକ୍ତିରୁ ବୁଝିଲି— ସେ ସରଳ ଲୋକ, ସତ୍ୟ ଲୁଚାଇ ନାହାନ୍ତି । ଏ ତାଙ୍କର ପ୍ରକୃତ ଧର୍ମ ।

 

ତା’ ପରେ ଆମେ ଆଦ୍ୟା ବୈତରଣୀରେ ପହଞ୍ଚିଲୁ । ନଈ ମୁହାଁଣ ଦେଖିଛି, ମୁଣ୍ଡ ଦେଖି ନାହିଁ । କଥା ଅଛି, ପିଲା ବୟସରୁ ଚାଲି ଚାଲି ଦୁଇ ଜଣ ବୁଢ଼ା ହେଲେ ପଛେ ନଈ ମୁଣ୍ଡ ଦେଖି ପାରିଲେ ନାହିଁ । ମନେ ହୁଏ ଏହା ଅତ୍ୟୁକ୍ତି ।

 

ମୁହାଁଣରେ ନଦୀର ପୂର୍ଣ୍ଣତମ ବିକାଶ, ମଝିରେ ସଂଗ୍ରାମ ଆଉ ସାଧନା, ଉତ୍ପତ୍ତିରେ କ୍ଷୀଣତମ ସମ୍ଭାବନା ମାତ୍ର । ସାମାନ୍ୟ ଅଶ୍ରୁଧାର, କେଉଁଠି ପ୍ରସ୍ତର ସନ୍ଧିରେ ହଜିଯାଏ, ବଣ ପଥେ ପଥେ ପୁଣି କେଉଁ ଗଭୀର ଗିରି ଖୋଲରେ ବାହାରେ, ବହିଯିବାର ଉତ୍ସାହ ତା’ର ପୁଞ୍ଜି, ଉଦ୍ୟମ ତା’ର ଧର୍ମ, ବିପୁଳତାର ଲକ୍ଷ୍ୟ । ଉନ୍ନତ ଜୀବନର ଭରସା ମିଳିବ, ସମୁଦ୍ର ଭେଟିବାର ବିଶ୍ୱାସ ଜନ୍ମିବ, ସେହି ଆଦିମ ଧାରଟି ଦେଖିବା ଲାଗି ତେଣୁ ଆଗ୍ରହ ଆମର ବେଶୀ ।

 

ଖଣ୍ଡାଖାଇ ବୃକ୍ଷ ମୂଳରୁ ଝିର ଝିର ହୋଇ ଧାରଟିଏ ଝରୁଛି, ପ୍ରସ୍ତର ଗୋରୁମୁଣ୍ଡର ନାସା ବାଟେ ସେ ପାଣି ବୋହି ଯାଉଛି । ଏଇ ଆଦ୍ୟା ବୈତରଣୀ, ପବିତ୍ର ତୀର୍ଥ । ଏ ବର୍ଷ ବାରେଣି ବୁଡ଼ ପଡ଼ିଛି । ଶତସହସ୍ରଙ୍କ ଭକ୍ତି ବିଶ୍ଵାସକୁ ସମ୍ମାନ ଦେବାଲାଗି ଟୋପାଟିଏ ପାଣି ମୁଣ୍ଡରେ ଛିଞ୍ଚିଲି ।

 

ଆଗେ ଜୁଆଙ୍ଗମାନେ ଗୋମାଂସ ଭକ୍ଷଣ କରୁଥିଲେ । ଜଣେ ଜୁଆଙ୍ଗ ଗୋରୁ ମାରି ତା’ ମୁଣ୍ଡକୁ ଝରଣା ମୁହଁରେ ରଖିଥିଲା । (ତା’ର ଗୋଟିଏ ନାକ ପୁଡ଼ାରେ ପାଣି, ଅନ୍ୟ ପୁଡ଼ାରେ ବାଲି ବୋହିଲା ।) ଜଣେ ସନ୍ନ୍ୟାସୀ କହିଲେ—ଆଦ୍ୟା ବୈତରଣୀର ପିତା ଏଇ ପର୍ବତ, ଏହାର ନାମ ଆଜିଠାରୁ ଗୋନାସା ହେଲା । କେଉଁଝରର କେତୋଟି ପାହାଡ଼କୁ ମିଶାଇ ଗୋଟିଏ ଗୋରୁର କଳ୍ପନା କରାଯାଇଛି । ଜରାଷଣ୍ଢ ପାହାଡ଼ ଗୋରୁର ଗଣ୍ଡି, ଗୋନାସା ମୁଣ୍ଡ । ପ୍ରକୃତରେ ଗୋନାସାର ଆକୃତି ଗୋରୁର ମୁଣ୍ଡ ପରି । ଦୁଇ ଦିଗର ପାହାଡ଼ ଗୋରୁର ଶିଙ୍ଘ, ମଝିଟି ତାର ଥୋମଣି ପରି ଦିଶେ ।

 

ଆଦ୍ୟା ବୈତରଣୀ ଧାରରେ ଗୋଟିଏ କୁମ୍ଭୀବୃକ୍ଷ, ପକ୍ଵ ପତ୍ର ଲାଲ, ରକ୍ତ ଶ୍ଵେତ ମିଶା ଶିରୀଷ କେଶର ପରି ଫୁଲର କେଶର । କୁମ୍ଭିପାଟିଆମାନେ ଏହି ବୃକ୍ଷର ବକଳ ପରିଧାନ କରନ୍ତି ।

 

ଦମଘୁ ରୁଡ଼ ଗଛର ମୋଟା ମୋଟା ଚେର ଘେରି ଗୋଟିଏ ପଥର ଗଦାକୁ ବାନ୍ଧି ରଖିଛି-। ତା’ ଉପରେ ଗଙ୍ଗାମୂର୍ତ୍ତି, ମୁଣ୍ଡରେ ସିନ୍ଦୂର । ଗଙ୍ଗାର ସମ୍ପର୍କ ନ ରଖିଲେ ନଦୀର ପବିତ୍ରତାରେ ଆଞ୍ଚ ଆସେ ପରା !

 

ଉତ୍ପତ୍ତି ସ୍ଥଳରେ ଦଣ୍ଡେ ବସି ବୃକ୍ଷ ମାଳେ ମାଳେ ପ୍ରକୃତିର ପବିତ୍ର ସ୍ନେହର ନିଃସରଣ ମର୍ମେ ମର୍ମେ ଉପଭୋଗ କଲି । ଦେହେ ଦେହେ ବାଜିଲା ତା’ର ସୁରଭିତ ନିଃଶ୍ୱାସ । ସବୁଜ କୋଳରେ ସ୍ନେହରଙ୍କ ପ୍ରବାସୀ ପୁତ୍ର ମୁଁ ମୁହୂର୍ତ୍ତେ ନିଦ୍ରା ଗଲି ।

 

ଖଣ୍ଡାଧାର—

 

ପ୍ରଧାନପାଟ ସଙ୍ଗେ କୈଶୋର ସ୍ଵପ୍ନରେ ଆଳାପ କରିଛି, ଡୁଡୁମାରେ ନଚାଇଛି ସଂଗ୍ରାମଶୀଳ ଯୌବନ, ବାଗ୍ରାରେ ଝରିଛି ମୋର ଅଶ୍ରୁ । ପ୍ରପାତ ଦେଖି ମନର ତୃଷା ମରି ନାହିଁ । ପର୍ବତ ମୂକ, ଅନ୍ତରର ନିବେଦନ ତା ନିକଟରେ ବ୍ୟର୍ଥ । ଅରଣ୍ୟର ବିପୁଳ ବିସ୍ତାରକୁ ମନ ଗୋଟିଏ ସୀମିତ ରୂପରେ ଆପଣାର କରିପାରେ ନାହିଁ । କିନ୍ତୁ ପ୍ରପାତ ? ତା’ର ଭାଷା ଓଜସ୍ଵିନୀ, ସେ ସୁନ୍ଦର ସଙ୍ଗେ ସୁଖାଳାପ ଜମେଇ ଦିଏ; ଭସାଇ ନିଏ, ଯାହା ଭାସିଲେ ଆନନ୍ଦ ପାଏ; ଫୁଟାଏ, ଯାହା ଫୁଟିବାର ସମ୍ଭାବନା ହରାଇଥାଏ; ନଚାଏ, ଯାହା ବାସ୍ତବତାର ହିମ ସ୍ପର୍ଶରେ ଜଡ଼ ହୋଇଥାଏ । ତେଣୁ ପ୍ରପାତ ମୋର ଏତେ ପ୍ରିୟ ।

 

ପାହାଡ଼ର ଚଉଦଳରେ ଗୋଧୂଳି ମଖମଲୀ ମଣ୍ଡଣି ମଣ୍ଡନ କରୁଛି, ଆମେ ଖଣ୍ଡାଧାରରେ ପହଞ୍ଚିଲୁ । ବିପୁଳ ଆକାରରେ ପର୍ବତ ଛିଡ଼ା ହୋଇଛି, ଯେପରି ଗୋଟିଏ ଦୁର୍ଗର ପ୍ରାଚୀର । ପୋଖରୀ ଘାଟରେ ଛିଡ଼ା ଜଣକ ପରେ ଜଣେ ଖେଳପ୍ରିୟ ବାଳକ ଯେପରି ଜଳକୁ ଲମ୍ଫ ଦିଅନ୍ତି, ସେହିପରି ଲମ୍ଫ ଦେଉଛି ଝରଣା । ଏ ତା’ର ନିତ୍ୟ ଖେଳ । ବାଳସ୍ତାବତ୍‍ କ୍ରୀଡ଼ାସକ୍ତ । ବାଲ୍ୟଖେଳ-ସ୍ମୃତି ମୋର ନିଭି ନିଭି ଆସିଲାଣି । ପ୍ରୌଢ଼ତ୍ଵର ଦୃଢ଼ଗାମ୍ଭୀର୍ଯ୍ୟରେ ଧ୍ୟାନସ୍ଥ ହେବାକୁ ସୁଖ ଲାଗୁଛି । ଆଜି ହଠାତ୍‍ ମନ କ୍ରୀଡ଼ାଚପଳ ହୋଇ ଉଠିଲା କାହିଁକି ? କଳ୍ପନାରେ ଝରଣା ସ୍ରୋତର ଦଉଡ଼ି ଧରି ଦୋଳି ଖେଳିଲି, ଛୁଇଁଲି ପର୍ବତ ମନ୍ଦିରର ଚୂଡ଼ା । ଅରଣ୍ୟେ ଅରଣ୍ୟେ ବସନ୍ତର ପୁଷ୍ପିତ ସମାରୋହ, ଗୋଧୂଳିର ଚନ୍ଦ୍ରାତପ, ମୁହୂର୍ତ୍ତକ ପରେ ଲମ୍ଫ ଦେଲି ଝରଣାର ସଙ୍ଗେ, ଖେଳିଲି ତା’ର ବୁଦ୍‍ବୁଦରେ, ଧାଇଁଲି ତା’ର ସ୍ରୋତରେ, ରଙ୍ଗ ହେଲି ବାଷ୍ପଳ ଇନ୍ଦ୍ରଧନୁରେ । ଜଳ ଆଉ ରକ୍ତର ତାରତମ୍ୟ ଘୁଞ୍ଚିଗଲା । ନିବିଡ଼ ଆଲିଙ୍ଗନରେ ଅନୁଭବ କଲି ପ୍ରବାସୀ ଭ୍ରାତାର ସ୍ନେହଳ ଆତ୍ମା, ଯାହା ଉଡ଼େଇ ନେଲା, ଯେଉଁଠି କଳ୍ପନାର ଡେଣା ଥକିଯାଏ, ଯେଉଁଠି ବାଲ୍ୟ ବାର୍ଦ୍ଧକ୍ୟର ତଫାତ୍ ନାହିଁ—ଯେଉଁଠି ଜୀବନ ମାନେ କ୍ରୀଡ଼ା, ଆନନ୍ଦ ।

 

ଯେତେବେଳେ ଗୋଧୂଳି ହାତପୋଛା ଶେଷ ରକ୍ତ ଚନ୍ଦନ ଛରା ଆକାଶକୁ ଛାଟିଦେଲା, କେଉଁଝର ଓ ବଣେଇ ସୀମାନ୍ତର ଏହି ପ୍ରପାତରୁ ଆମେ ଆଖି ଫେରାଇଲୁ । ଗୋଟାଇଲୁ ରଙ୍ଗୀନ୍‍ ଉପଳ । ପ୍ରପାତକୁ ଦୂରରୁ, ପାଖରୁ, ପର୍ବତ ଉପରୁ, ତଳୁ ଦେଖିଲୁ । ଯେ ସୁନ୍ଦର, ଯେଉଁ ଦିଗରୁ ଦେଖିଲେ ବି ସେ ସୁନ୍ଦର ।

 

ପ୍ରପାତର ଅଦୂରରେ ଗୋଟିଏ ମଠ, ଖଣ୍ଡାଧାରରୁ ଶିଆର କାଟି ବାବାଜି ପାଣି ମଡ଼ାଉଛନ୍ତି, ଫୁଲ ଫଳରେ ବଗିଚା ହସୁଛି । ଆମକୁ ଗୋଟିଏ ପାଚିଲା ଅମୃତଭଣ୍ଡା ଉପହାର ଦେଲେ । ବିଦ୍ୟା ନାହିଁ, ନିରକ୍ଷର ମୁଖରୁ ଜଣାଯାଉଛି, ଯନ୍ତ୍ର ମନ୍ତ୍ର ଯାହା ଥିବ, ତହିଁରେ ମୋର ବିଶ୍ୱାସ ନାହିଁ, ଯେଉଁ ଅଧ ଶଗଡ଼େ ଶାଳଗ୍ରାମ ପୂଜୁଛନ୍ତି, ସେମାନଙ୍କ ପ୍ରତି ମୋର ଭକ୍ତି ନାହିଁ । ବାବାଜି ତାଙ୍କ ପ୍ରୀତିରେ ହିଁ ମୋର ନମସ୍ୟ ।

 

ଜିପରେ ଚଢ଼ିବାକୁ ଯାଉଛି, ଦୁଇଜଣ ଆସି ହାବୁଡ଼ିଲେ—କଳା କଟ କଟ ଚେହେରା, ବଳାଗଣ୍ଠି ଯାଏ ବହଳ ଧୂଳି, ମୁଣ୍ଡବାଳ ଆଖି ଉପରେ ଅଡ଼ୁଆ ତଡ଼ୁଆ ହୋଇ ପଡ଼ିଛି । ମୁଖରେ ବାଟଚଲାର କ୍ଳାନ୍ତି । ପଚାରିଲି—ତୁମେ ସବୁ କିଏ ?

 

‘ଆଜ୍ଞା ବଣେଇରୁ ଆସୁଛି ।’

 

‘କୁଆଡ଼େ ?’

 

‘ଖଣ୍ଡାଧାର ଦେଖି ।’

 

‘କେତେବେଳେ ବାହାରିଥିଲ ?’

 

‘ବଡ଼ି ସକାଳୁ ।’

 

‘କେତେ ବାଟ ?’

 

‘ଚଉଦ କୋଶ । ବଣ ବୁଦାରେ ବଡ଼ କଷ୍ଟରେ ଆସିଛୁ ।’

 

ମଫସଲୀ ଲୋକ, ଅଙ୍ଗୁଳିର କାଠିନ୍ୟରୁ ଜଣାଯାଏ ହଳଧର । ମେଳା ମେଳଣ ନୁହେଁ, ଦିଅଁ ଦେଉଳ ନୁହେଁ, ପ୍ରପାତ ଦେଖି ଆସିଛନ୍ତି ଚୌଦକୋଶ ବନ ପଥ ଅତିକ୍ରମ କରି !

 

ମୁଁ ଅପେକ୍ଷା କଲି, ଘଡ଼ିକ ପରେ ସେ ଫେରିଲା ।

 

‘କ’ଣ ଦେଖିଲ ?’

 

‘ଭାରି ସୁନ୍ଦର ବାବୁ ।’

 

‘ତୁମ ମନ ?’

 

‘ନା, ପ୍ରପାତ ।’

 

‘ନା, ଉଭୟ । ଖଣ୍ଡାଧାର ଦେଖି ଆସିଥିଲି । ତା’ଠାରୁ ସୁନ୍ଦରତର ଆଉ ଗୋଟିଏ ଝରଣା ଆବିଷ୍କାର କଲି । ଏ ମୋର ବଡ଼ ଲାଭ ।

☆☆☆

 

ଗୋପବନ୍ଧୁଙ୍କ ଜନ୍ମସ୍ଥାନ

 

ପ୍ରାଚୀନ ପରମ୍ପରାରେ ନମସ୍ୟ ହେଲେ ବି ପୁରୀ, ଭୁବନେଶ୍ଵର କାଶୀ, ରାମେଶ୍ଵର, ମଥୁରା, ହରିଦ୍ଵାର ଏ ଯୁଗର ଶ୍ରେଷ୍ଠ ତୀର୍ଥକ୍ଷେତ୍ର ନୁହେ । ଧର୍ମ ନୁହେ, ଦେଶପ୍ରୀତି ଏ ଯୁଗରେ ମାହାତ୍ମ୍ୟର ମାନଦଣ୍ଡ ହୋଇଅଛି । ସେ ହିସାବରେ ମହାପୁରୁଷଙ୍କ ଜନ୍ମସ୍ଥାନ ଏ ଯୁଗର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର—ଏହାର ପ୍ରତ୍ୟେକ ଧୂଳିକଣା ପବିତ୍ର । ସେଥିଲାଗି ବିଭିନ୍ନ ଦେଶର ଲୋକେ ଏହି ଚିରସ୍ମରଣୀୟ ସ୍ଥାନ ଦର୍ଶନ କରିବାକୁ ପରମ ସୌଭାଗ୍ୟ ମନେ କରନ୍ତି । କବି କାବ୍ୟ ଓ କର୍ମୀଙ୍କ କର୍ମ ଶ୍ରେଷ୍ଠ ସ୍ମୃତି ମନ୍ଦିର ହେଲେ ମଧ୍ୟ ପ୍ରତିଭାପୂଜକ ବଂଶଧରମାନେ ସେମାନଙ୍କ ସ୍ମୃତିମନରେ ଚିର ଜୀବନ୍ତ ରଖିବା ଲାଗି ସେମାନଙ୍କ ଜନ୍ମସ୍ଥାନରେ ବିଭିନ୍ନ ଶିକ୍ଷା ଓ ସଂସ୍କୃତିମୂଳକ ଅନୁଷ୍ଠାନମାନ ସ୍ଥାପନ କରନ୍ତି । ଏହାଦ୍ଵାରା ପୂଜ୍ୟପୂଜା ବ୍ୟତିକ୍ରମ ନ ହେବା ସଙ୍ଗେ ସଙ୍ଗେ ଦେଶବାସୀଙ୍କର ପରମ ଉପକାର ସାଧିତ ହୁଏ । ନବୀନ ପ୍ରତିଭା ଜନ୍ମ ନେବା ଲାଗି ପ୍ରେରଣା ପାଏ ।

 

ଓଡ଼ିଶାର କବି ଓ କର୍ମୀଙ୍କ ଜନ୍ମସ୍ଥାନକୁ ତୀର୍ଥକ୍ଷେତ୍ର ବୋଲିବାକୁ ଲଜ୍ଜା ହୁଏ । ଅଦ୍ୟାପି ଏହା ଦରିଦ୍ର, ଅବହେଳିତ ଓ ଅନୁନ୍ନତ ଅବସ୍ଥାରେ ରହିଅଛି ।

 

ଉପେନ୍ଦ୍ରଭଞ୍ଜ, ଗୋପାଳକୃଷ୍ଣ, କବିସୂର୍ଯ୍ୟ, ରାଧାନାଥ, ଫକୀରମୋହନ ଓ ନନ୍ଦକିଶୋରଙ୍କ ଜନ୍ମସ୍ଥାନ ଦେଖିବା ପରେ ଏ ଜାତିର ଶ୍ରେଷ୍ଠ ସନ୍ତାନ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ମୋତେ ନିବିଡ଼ ଭାବରେ ଆକର୍ଷଣ କଲା । ଏହା ପ୍ରାଣ ପ୍ରତି ଏକ ମହାପ୍ରାଣର ଆହ୍ଵାନ, ଯାହା ମୋତେ ଆକର୍ଷଣ, ଆଲୋଡ଼ନ କରି କ୍ରମେ ଅଭିଭୂତ କରିଦେଲା । ଏକ ଦିଗରେ ସ୍ଵାର୍ଥପର ସଂସାରର ନିବିଡ଼ ଜଞ୍ଜାଳ, ଅନ୍ୟ ଦିଗରେ ଶାନ୍ତ, ସୁଶ୍ରୀ ସୁଆଣ୍ଡୋ । କ୍ଷଣେ ଇତସ୍ତତଃ ହୋଇ ଶେଷରେ ତା ହୋଇ ଆସିଲି ଭାର୍ଗବୀର ଏଇ ବାଲୁକାବିସ୍ତୀର୍ଣ୍ଣ ପୁନ୍ନାଗଶ୍ୟାମଳ ବେଳାଭୂମିକି ।

 

ମଇ ୩ ତାରିଖରେ ପୁରୀରୁ ସାକ୍ଷୀଗୋପାଳ ଗଲି । ସାଥିରେ ଶାନ୍ତିନିକେତନର ଗବେଷକ ନରେନ୍ଦ୍ରନାଥ ମିଶ୍ର । ଲୋକେ ଭୟ ଦେଖାଇଲେ ଆପଣମାନେ ବାବୁ—ଅଣଓସାରିଆ କିଆଗୋହିରୀ, ବେଣା କୋଇଲେଖାଭାରା କତିକରା ସରୁ ହିଡ଼—ଟେକା ବିଲ—ଆପଣମାନେ ସୁଆଣ୍ଡୋ ଯାଇପାରିବେ ନାହିଁ; ତେଣୁ ବଳଦଗାଡ଼ି କରନ୍ତୁ । କିଏ କହିଲା ୫ ମାଇଲ, କିଏ କହିଲା ୭ ମାଇଲ, କିଏ କହିଲା ୧୦ ମାଇଲ—ଲୋକଙ୍କ ଭିତରେ ତର୍କସଭା ଜମିଉଠିଲା । ଜଣେ ମୁସଲମାନ ଭାରି ଜାଣିଲାବାଲା ପରି ମୁହଁକୁ ଗମ୍ଭୀର କରି କହିଲା, ବେଶୀ ଦୂର୍‍ ନେହି, ନଈକା ଆରପାଖମେ ସୁଆଣ୍ଡୋ ପଡ଼େଁଗା; ଏଇ ସାଧାରଣଙ୍କ ତର୍କସ୍ରୋତରେ ବେଶୀ ସମୟ ଭାସିବାକୁ ଇଚ୍ଛା ହେଲା ନାହିଁ । ଛି, ଏମାନଙ୍କ ଆଖିରେ ଆମେ ଏକ ଅକର୍ମା, ଦୁର୍ବଳ ବାବୁ ! ଚାଲ, ଏ ପାଦ ଆମକୁ ଯୁଆଡ଼କୁ ବୋହିନେବ । ଏ କରୁଣା ଅସହ୍ୟ ! ବାବୁତ୍ଵର ଚିହ୍ନ ଏଇ କମିଜ ଖଣ୍ଡମାନ ଛିଣ୍ଡେଇ ଫିଙ୍ଗି ଦେବାକୁ ଇଚ୍ଛା ହେଲା । କହିଲି, ଆମେ ଚା ବିସ୍କୁଟ ଖିଆ, ଗାଡ଼ିସର୍ବସ୍ଵ ବାବୁ ନୋହୁଁ; ଦରକାର ପଡ଼ିଲେ ଆମେ ତୁମ ପରି ସବୁ ଦୁଃଖ କଷ୍ଟ ସହିପାରୁ ।

 

ବେଳା ୫ଟା, ଖରା ନଇଁ ଆସିଥାଏ । ସାଥିକି ଯୁଟିଲେ ଜଣେ ବରାଳ ବାଲୁଙ୍କେଶ୍ଵରଙ୍କ ମାଳୀ—ଆମ ସାହସର ପୁରସ୍କାର ସ୍ଵରୁପ ବୋଧହୁଏ ଭଗବାନ ଏ ଜଣକୁ ପଠାଇଲେ । ମୁଣ୍ଡରେ ଗୋଛାଏ ଚୁଟି—ଦିହଯାକ ଚିତାର ଛାଞ୍ଚ ଛାପା—ବାଁ ହାତରେ ବରାଳଙ୍କ ବିଭୂତି । ବୁଢ଼ା ଆମକୁ ଭାରି ହୋବ ଦେଲା—ଏଇ ବାଟ ଦିକୋଶ—ଏକା ନିଶ୍ଵାସକେ ପହଞ୍ଚିଯିବ ।

 

ଲମ୍ବା ଲମ୍ବା ପାଦ ପକାଇ ଚାଲିଲୁ । ଏଇ ଦଳୁଆ ପୋଖରୀ—ଫୁଟିଛି ଗୋଟିଏ ଗୋଟିଏ ପଦ୍ମ; ଏଇ ବୁଢ଼ାବର—ପେଟରେ ତା’ର ତାଳଗଛ; ଏଇ ନଡ଼ିଆମାଳ—ପକାଉଛି ନୂଆ ନୂଆ ଚଆଁର; ଏଇ କିଆଗୋହିରି—କେତେ ନୂଆ ନୂଆ ଫୁଲ ଫୁଟି ଝଡ଼ିଯିବଣି । ଏଇ ଆମ୍ବତୋଟା–ଝୁଲୁଛି ପେନ୍ଥା ପେନ୍ଥା ଆମ୍ବ—ଏହା ଭିତରେ ପ୍ରକୃତି ହୁଏତ ଏଠିସେଠି ଟିକିଏ ଅଦଳବଦଳ କରିଛି । ବୁଢ଼ା ଗଛ, କୁରାଢ଼ି ମାଡ଼ରେ ପଡ଼ିଛି ଶୋଇ; ନୂଆ ଗଛ ଆଞ୍ଜୁଳା ଆଞ୍ଜୁଳା ଆଲୁଅ ପିଇବା ଲାଗି ମେଲିଦେଇଛି ତା’ର ଶାଖା । ଏଇ ଗୋଟିଏ ଛୋଟ ପଲ୍ଲୀ—ଗୁଆ ନଡ଼ିଆ ମାଳ—ଦୁଆରେ ଥୁଆ ହୋଇଛି ଶଗଡ଼, ଡେରାହୋଇଛି ଲଙ୍ଗଳ—ଚୁଲି ପାରି ଖେଳୁଛନ୍ତି ଦଳ ଦଳ ଲଙ୍ଗଳା ଛୁଆ–ଏହି ଗାଁଆରୁ କେତେ ଗଲେଣି—କେତେ ହୁଏତ ନୂଆ ହୋଇ ସଂସାରକୁ ଆସିଛନ୍ତି-। ଏ ସମସ୍ତ ଦିନେ ଗୋପବନ୍ଧୁଙ୍କୁ ମୁଗ୍‍ଧ କରିଥିବ । ଏଇ ପଥରେ ପଡ଼ିଥିବ ତାଙ୍କର ପଦଧୂଳି–ଦେବତାର ବିଭୂତି—ତେଣୁ ଏ ପଥ ମୋର ପ୍ରିୟ, ସେ ଯେଉଁ ପକ୍ଷୀ ସହିତ କଣ୍ଠ ମିଳାଇ ଗାଇଥିବେ, ଏ ପକ୍ଷୀଟି ହୁଏତ ତା’ର ସନ୍ତାନ; ତେଣୁ ମୋର ଅତି ପ୍ରିୟ ।

 

ଏହି ଗହୀର ବିଲ—ଶରତର ମଥାନ ଧାନ—ଓସାରିଆ ହିଡ଼ ଦେଖି ଖାଲି ପାଦରେ ଚାଲିଯାଇଥିବେ ଗୋପବନ୍ଧୁ । ଧାନ ଶୀଷାରୁ ଟୋପି ଟୋପି କାକର ଲାଗି ଓଦାହୋଇ ଯାଇଥିବ ଖଦଡ଼ କରିଆ । ପାଦରେ ବାଜିଥିବ ଚକା ଚକା ବୁଢ଼ିଆଣୀ ଜାଲର ପଦ୍ମ । ମୁଣ୍ଡ ଉପରେ ଉଡ଼ିଯାଇଥିବ ଭରତିଆ—ଶରତର ବନ୍ଦନା ଗାଇ । କେତେ ଭାବ ଆସିଥିବ ତାଙ୍କ କବି ମନରେ–ସେ ଭାବରୁ ଗୋଟିଏ ବିନ୍ଦୁ ଯଦି ମୋ ମନରେ ପଶନ୍ତା !

 

ଦୁଇଟି ଟିକି ଟିକି ପାଦ ଏଇ ବାଟରେ ଧାଇଁଥିବ, ଯମର ତୋଟିରୁ ମଣିଷକୁ ଓଟାରି ଆଣିବା ପାଇଁ । ସଂସାର ଗୋଟାକର ଦୁଃଖ ବେଦନା ସେ ମନରେ—ସବୁରି ପାଇଁ ଦରଦ—କିଛି ଦେଇ ନ ପାରିଲେ ବିନ୍ଦୁଏ ଲୁହ । ମୁଁ ଚାଲିଛି ସେଇ ବାଟରେ—ଆଖିରେ ଲୁହ ନାହିଁ—ମନରେ କି ଏକ କରୁଣ ଭାବ—କେତେ କିଛି ଥିଲା—ଆଜି ଯେପରି ନାହିଁ । ଜଣକ ଭିତରେ ସାରା ଦେଶକୁ ପାଇଥିଲୁ, ସେଇ ଜଣକୁ ହରାଇ ସାରା ଦେଶ ଯେପରି କି ଆମ ଆଖି ଆଗରୁ ଲୁଚିଗଲା ।

 

ଭାରି ଜାଣିବାକୁ ଇଚ୍ଛା ହେଲା, ଗୋପବନ୍ଧୁଙ୍କ ବିଷୟରେ ଏ ସାଧାରଣ ଲୋକଟିର ଧାରଣା କ’ଣ । ଗୋପବନ୍ଧୁଙ୍କ ବିଷୟରେ ବଡ଼ ବଡ଼ ଲୋକଙ୍କ ବକ୍ତୃତା ଶୁଣିଛି, ଶ୍ରାଦ୍ଧସଂଖ୍ୟାରେ ସାହିତ୍ୟ-ରଥୀମାନଙ୍କ ଶ୍ରେଷ୍ଠ ରଚନା ପଢ଼ିଛି; ଗୋପବନ୍ଧୁ ସାଧାରଣ ନିରକ୍ଷର ମନରେ କି ଛବି ଆଙ୍କିଛନ୍ତି, ଦେଖିବାକୁ ମନ ହେଲା—ପଚାରିଲି । ଲୋକଟି ଘଡ଼ିଏ ନୀରବ ହେଲା—ଭାବିଲି, ପ୍ରଶ୍ନଟା ଟାଙ୍ଗରା ମୁଣ୍ଡିଆରେ ବାଜି ଛତୁ ହୋଇଗଲା ପରା !

 

ଯଥାର୍ଥରେ ମହାପାତ୍ରେ କଥାରେ ଟିକିଏ ଲୁହ ବୋଳିବାକୁ ଚେଷ୍ଟା କରୁଥିଲେ ! ସେ ଭାବୁଥିଲେ, ଗୋପବନ୍ଧୁଙ୍କ ବିଷୟରେ ଯାହା ତାହା କହିଗଲେ ବାବୁ ଭାବିବେ କ’ଣ । ମହାପାତ୍ରେ ମନରେ ବଳ, ସାହସ ଓ ଭାଷା ଗଦେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ । ତୋଟିକି ନିର୍ମଳ କରି ଆରମ୍ଭ କଲେ, ବାବୁ, ଏ ସଂସାରରେ ଅନେକ ଲୋକ ଆତଯାତ ହେଉଛନ୍ତି । କେତେ ପୋଡ଼ି ପାଉଁଶ ହୋଇ ଧୂଳି ସାଥିରେ ଉଡ଼ି ଯାଉଛନ୍ତି; ଆଉରି କେତେ ନୂଆ ନୂଆ ସଂସାରକୁ ଆସୁଛନ୍ତି, ଆସିବେ । ହେଲେ ଗୋପବନ୍ଧୁଙ୍କ ପରି ଆଉ ଜଣେ ଜନ୍ମ ହେବ ନାହିଁ । ସେ ଥିଲେ ପର ମନ ଚିହ୍ନିବାବାଲା । ତାଙ୍କ ମନରେ ପରମେଶ୍ଵର, କାନ୍ଧରେ ଲକ୍ଷ୍ମୀ, ତୁଣ୍ଡରେ ସରସ୍ଵତୀ । ଯାହାର ଦୁଃଖ, ସେ ଯେତେ ଭାବୁ ନ ଥିଲା, ଗୋପବନ୍ଧୁ ତାଠୁଁ ବେଶୀ ଭାବୁଥିଲେ । କାହାର ଟୋପାଏ ଲୁହ ତାଙ୍କ ଆଖିରେ ଦଶ ଟୋପା ହେଉଥିଲା । ମନେ ପଡ଼ୁଛି ସତେଇଶି ସାଲ ଦୁର୍ଭିକ୍ଷ କଥା—ଏକା ତାଙ୍କର ଯୋଗୁଁ ଶଗଡ଼ ଶଗଡ଼ ଚୁଡ଼ା ଚାଉଳ ବୋହି ଆସିଲା । ନିଜେ ମହାତ୍ମା ଗାନ୍ଧି ବି ଟାଣିହୋଇ ଆସିଲେ । ମାରୱାଡ଼ିମାନେ ଗାନ୍ଧିଙ୍କ କଥାରେ ଗୋଦାମ ଖାଲି କରିଦେଲେ । ମଣିଷ କୌଣସି ମତେ ତିଷ୍ଠିଗଲେ । ଗୋରୁଙ୍କ ଅବସ୍ଥା ବାରଗଣ୍ଡା ଦି’କଡ଼ା; ଖାଲି କଣ୍ଟା ଝୁଲୁଥାଏ । ଗଛ ପତର ଶୁଖି ଯାଇଥାଏ; ଘାସ ଆସିବ କୋଉଠୁ ? ଯାହାର ପୁରୁଣା ନଡ଼ା କୁଟା ଥିଲା, ସେ ସବୁ ଲୁଚେଇ ଦେଲା-। ନଡ଼ା ବିଡ଼ାକୁ ହୋଇଥାଏ ପାଞ୍ଚ ପଇସା; ଗୋପବନ୍ଧୁ ଧନୀଙ୍କ ଦୁଆରୁ ନଡ଼ାକୁଟା ଚାନ୍ଦା କରି ଶହ ଶହ ଗୋରୁଗାଈଙ୍କି ବଞ୍ଚେଇଲେ ।

 

ବରାଳ ବାଲୁକେଶ୍ୱରଙ୍କଠାରେ ତାଙ୍କର ଭାରି ଭକ୍ତି; ଯେତେବେଳେ ଆସନ୍ତି, ଦର୍ଶନ କରିଯାନ୍ତି, ପ୍ରସାଦ ପାନ୍ତି; ମାଳୀଙ୍କ ସୁଖ ଦୁଃଖ ପଚାରନ୍ତି । ବାବୁ ଦେଲେ ନେଲେ କ’ଣ ଅଧିକ ହେବ ?

 

ବାଟରେ ବରାଳ ବାଲୁକେଶ୍ଵରଙ୍କ ଦେଉଳ ପଡ଼ିଲା—ସେତେବେଳକୁ ରାତିକି ସମ୍ବର୍ଦ୍ଧନା ଜଣେଇବା ଲାଗି ଗୋଧୂଳି ରତ୍ନଫାଟକ ସବୁ ତିଆରି କରି ସାରିଥାଏ । ଗୁଆ ନଡ଼ିଆ ମାଳରେ ଝିଙ୍କାରି ଗାଉଥାଏ ଦିନର ବିଦାୟ ବ୍ୟଥା । ମହାପାତ୍ରେ ଏଇଠି ଅଟକିଲେ; ଏ ତାଙ୍କର ଗାଆଁ । ସେଠୁଁ ଗୋପବନ୍ଧୁଙ୍କ ଗାଆଁ ଗହିରେ ବାଟ, ଚାଷ ଯୋଗୁଁ ଶଗଡ଼ ସରି ନିଭି ଯାଇଥାଏ । ହିଡ଼ ବାଟ ଛିଡ଼ି ନ ଥାଏ । ଅତୁଠରେ ଭାର୍ଗବୀ ପାରି ହେଲୁ ! ଲୁଗାପଟା ଓଦା ହୋଇଗଲା । ତା ପରେ ନଈ ବନ୍ଧେ ବନ୍ଧେ ଚାଲିଲୁ । ନଈ କାଣ୍ଡିଆରେ ବାଇଗଣ, କଦଳୀ, ରାଶି, ଆଖୁ ପ୍ରଭୃତି ଫସଲ ହୋଇଥାଏ । ଭାର୍ଗବୀ ପାଣିରେ ସନ୍ଧ୍ୟାର ଶେଷ ବିନ୍ଦୁ ଝାସ ଦେଲା ଝିଙ୍କାରୀ ଶବ୍ଦରେ ଘନେଇ ଆସିଲା ରାତ୍ରି—ସୁଆଣ୍ଡୋ ହେଲା ରହସ୍ୟାବୃତ । ପୋଲାଙ୍ଗରେ ଜୁଳୁଜୁଳିଆର ଜଳିଲା ନିଭିଲା ଦୀପ; ମୁଣ୍ଡରେ ବୋଝ; ବାଡ଼ି ଠକ ଠକ କରି କିଏ ସେ ଚାଲିଥାଏ—ପଚାରିଲାରୁ ସୁଆଣ୍ଡୋକୁ ବାଟ ଦେଖେଇଦେଲା ।

 

କିଛି ଦିଶୁ ନ ଥାଏ, ଖାଲି ନଡ଼ିଆ ମାଳର ସାଇଁ ସାଇଁ ଶବ୍ଦ—କାହା ଘରୁ ମେଞ୍ଚାଏ ଆଲୁଅ ଆସି ଦାଣ୍ଡରେ ପଡ଼ିଥାଏ ପଚାରି ଗୋପବନ୍ଧୁଙ୍କ ଦୁଆରେ ପହଞ୍ଚିଗଲୁ । ଡାକିଲାରୁ ତାଙ୍କ ପୁତୁରା ସଦାନନ୍ଦବାବୁ ଆସି ରହିବାର ସବୁ ସୁବିଧା କରିଦେଲେ । ଭାରି ଗରମ ହେଉଥାଏ; ଖାଇ ସାରିଲା ପରେ ଗୋପବନ୍ଧୁଙ୍କ ଓସାରିଆ ସିମେଣ୍ଟ ପିଣ୍ଡାରେ ସଉପ ମଶିଣା ପକାଇ ଶୋଇପଡ଼ିଲୁ ।

 

ସକାଳୁ ଉଠି ତାଙ୍କ ଘରଦ୍ଵାର ବୁଲି ଦେଖିଲୁ । କାନ୍ଥରେ ଅନେକ ଚିତ୍ର ଅଙ୍କା ହୋଇଛି–ଅଧା ଅଧା ନିଭିଗଲାଣି—ଏ ଗୋପବନ୍ଧୁଙ୍କ ସମୟର; ପଥରଖୁଣ୍ଟି ବସା ଚାଳ ଘର ଉପରେ କାଠ ଛାତ, ଇଟା କୋଠି, ପକା ଅଗଣା । ଦାଣ୍ଡରେ ଗୋଟିଏ ପୋଖରୀ ଅଛି, ଦୁଇ ବାଟି ଜମି–୬୦୦ ନଡ଼ିଆ ଗଛ, ୧୫୦ ଗୁଆ ଗଛ—ଏ ହେଲା ଗୋପବନ୍ଧୁଙ୍କ ସମ୍ପତ୍ତି—ତାଙ୍କ ଭାଇନା ନାରଣ ଦାସଙ୍କ କୀର୍ତ୍ତି ।

 

ଗୋପବନ୍ଧୁବାବୁ ଠିକ୍‍ ଯେଉଁ ଜାଗାରେ ଜନ୍ମ ହୋଇଥିଲେ, ସଦାନନ୍ଦବାବୁ ମୋତେ ସେ ଜାଗାଟି ଦେଖାଇଲେ । ଟିକିଏ ଧୂଳି ଆଣି ମୁଣ୍ଡରେ ମାଇଲି । ବାସ୍ତବିକ୍‍, ଏ ଭୂମି ଧନ୍ୟ, ଯେଉଁ ମୁହୂର୍ତ୍ତରେ ସେ ଜନ୍ମ ହୋଇଥିଲେ, ସେ ମୁହୂର୍ତ୍ତ, ଅମୃତମୟ ।

 

ତା’ ପରେ ତାଙ୍କର ସହପାଠୀ ବୁଢ଼ା ହାଲୁ ଦାସ ଓ ସମସାମୟିକ ବନ୍ଧୁଦାସଙ୍କଠାରୁ କେତେକ ତଥ୍ୟ ସଂଗ୍ରହ କଲି ।

 

ଗୋପବନ୍ଧୁଙ୍କ ପ୍ରଥମ ବିଦ୍ୟାଗୁରୁଙ୍କ ନାମ ମାନ ନାହାକ; ବାଲ୍ୟ ଶିକ୍ଷା ଶେଷ ହେଲା ପରେ ସେ ରୂପଦେଈପୁର ମିଡ଼ିଲ୍‍ ସ୍କୁଲରେ ପଢ଼ିଲେ । ସେ ଅତି ଧୀର, ଶାନ୍ତ, ଶିଷ୍ଟ ଥିଲେ । ପଢ଼ା ପ୍ରତି ବିଶେଷ ନଜର ଥିଲା; ଶୋଇଲାବେଳେ ଗୋଡ଼ରେ ଗୋଟିଏ ଦଉଡ଼ି ବାନ୍ଧି ଝରକାରେ ଦଉଡ଼ିକି ଲଟକେଇ ଦେଉଥିଲେ । କଡ଼ ଲେଉଟାଇଲାବେଳେ ଦଉଡ଼ି ଝିଙ୍କା ଓଟରାରେ ତାଙ୍କ ନିଦ ଭାଜି ଯାଉଥିଲା । କଥା କହିଲାବେଳେ ତାଙ୍କ ତୁଣ୍ଡ ଟିକିଏ ଲାଗୁଥିଲା; ସକାଳୁ ଉଠିବା ମାତ୍ରେ ସେ ଦି’ପା ବାଟ ଚାଲି ଯାଉଥିଲେ; ତା’ ପରେ ନିତ୍ୟକର୍ମ କରୁଥିଲେ ।

 

ତାଙ୍କ ନନା ଦୈତ୍ୟାରି ଦାସ ତାଙ୍କ ଉପରେ ଚାଷବାସ ବୁଝିବାର ଭାର ଦେଇଥିଲେ । ଗୋପବନ୍ଧୁ ଭାରି ଉଦାସିଆ । ସଂସାର ପ୍ରତି ତାଙ୍କର ବିଶେଷ ଆସକ୍ତି ନ ଥିଲା । ସେ କହିଲେ, ମୋ ଦେହି ଚାଷବାସ ହେବ ନାହିଁ । ତା’ ବୋଲି ସେ ଏକଦମ୍‍ ସଂସାରୀ ନ ଥିଲେ କହିବା ଠିକ୍‍ ହେବ ନାହିଁ । ତାଙ୍କ ଭାଇନା ଥରେ ତାଙ୍କୁ ନଡ଼ିଆ ତୋଳେଇବାକୁ ପଠାଇଲେ । ଗୋପବନ୍ଧୁ ତ କାହାକୁ କିଛି କହନ୍ତି ନାହିଁ । ଏହି ସୁବିଧା ନେଇ ଭୋଇ ଭୋଇଆଣୀ ଯେ ଯୁଟିଲା ସେ ପୁଞ୍ଜାଏ ଦିପୁଞ୍ଜା ନଡ଼ିଆ ଘେନି ଚାଲିଗଲା । ଗୋପବନ୍ଧୁ ମୁହଁରେ କିଛି କହିଲେ ନାହିଁ । ଭାଇନାଙ୍କୁ ସମସ୍ତ କଥା କହି ମୂଲିଆ ମୂଲିଆଣି ନେଇଥିବା ନଡ଼ିଆର ମୂଲ୍ୟ ମଜୁରୀରେ ମଜୁରା କରାଇଲେ ।

 

ଗୋଟିକି ଗୋଟି ଦୁଃଖ ବେଦନା କ୍ରମେ ଗୋପବନ୍ଧୁଙ୍କୁ ଅଧିକ ଉଦାସୀନ କରିଦେଲା । ମାତୃକଷ୍ଟ, ପିତୃକଷ୍ଟ, ପୁତ୍ରକଷ୍ଟ, ଶେଷରେ ପତ୍ନୀକଷ୍ଟ ! ଗୋପବନ୍ଧୁଙ୍କ ଉଦାସୀନତା ଦୂର କରିବା ଲାଗି କୁଳବୃଦ୍ଧ ମଧୁସୂଦନ ତାଙ୍କୁ ପୁଣି ଥରେ ବିଭା କରିବା ଲାଗି ପ୍ରବର୍ତ୍ତାଇଲେ । କିନ୍ତୁ ଗୋପବନ୍ଧୁଙ୍କ ମନ ଏକବାରେ ଭାଙ୍ଗି ଯାଇଥିଲା । ଏଇ ସମୟରେ ତାଙ୍କ ଭାଇନା ନାରଣ ଦାସଙ୍କର ବି ପତ୍ନୀୟୋଗ ଘଟିଲା । ପୁଣି ଥରେ ବିଭା କରିବା କଥା ଦିହିଙ୍କ ଭିତରେ ଆଲୋଚନାରେ ସ୍ଥିର ହେଲା । ଗୋପବନ୍ଧୁ କହିଲେ, ଦିହେଁଯାକ ମୁକୁଟ ପିନ୍ଧି ବରବେଶ ହୋଇ ବେଦୀରେ ବସିବା; ଲୋକେ କ’ଣ କହିବେ ? ତୁମେ ଆଗେ ବିଭା ହୁଅ, ମୁଁ ପରେ ବିଭା ହେବି । ନାରଣ ଦାସେ ଏ ପ୍ରସ୍ତାବରେ ରାଜି ହେଲେ । କାଳେ ଭାଇନା ବିଭା ନ ହେବେ, ସେଥିଲାଗି ସେ ଏପରି କହିଥିଲେ । ପ୍ରକୃତରେ ବିଭା ହେବାକୁ ତାଙ୍କର ଇଚ୍ଛା ନ ଥିଲା । ବଡ଼ ବଡ଼ ଲୋକେ ତାଙ୍କୁ କନ୍ୟା ସହିତ ୫/୭ ହଜାର କରି ଲାଞ୍ଚ ଯାଚିଥିଲେ; ଗୋପବନ୍ଧୁଙ୍କ ମନରେ ଏ ପ୍ରଲୋଭନ ଲାଗି ଜାଗା ନ ଥିଲା ।

 

ଗୋପବନ୍ଧୁ ନାନା ଭାବରେ ଓଡ଼ିଶାର ସେବା କଲେହେଁ ନିଜ ଗାଆଁରେ କିଛି କରିପାରି ନ ଥିଲେ । ତାଙ୍କ ଗାଆଁରେ ସବୁବେଳେ ଦି ବାଡ; ମାଲିମକଦ୍ଦମା କଳିଗୋଳ ତ ଲାଗି ରହିଥିଲା । ଗୋଳ ମାଳ ତୁଟେଇବାକୁ ବହୁ ଚେଷ୍ଟା କରି ସେ ବିଫଳ ହୋଇଥିଲେ । ନୀଳକଣ୍ଠବାବୁ, ଗୋଦାବରୀଶବାବୁ ପ୍ରଭୃତି ସତ୍ୟବାଦୀରୁ ଆସି ଦି’ବାଡ଼କୁ ଏକାଠି କଲେ । କିନ୍ତୁ ଦୁଷ୍ଟ ଲୋକେ ଭିତରେ ଭିତରେ ନାନା କଳି ଭେଉଥିଲେ । କଙ୍କଡ଼ାକୁ ଗୋଳିପାଣି ସୁହାଏ । ଥରେ ଜଣେ ବଦମାସ ଗୋଟେ ଲଙ୍ଗଳା କଟୁରି ଧରି ଗୋପବନ୍ଧୁଙ୍କୁ ହାଣିବାକୁ ଚମକି ଆସିଲା । ସେ ହସି ହସି କହିଲେ, ଆରେ ପାଗଳ, ଦୁଷ୍ଟ ବୁଦ୍ଧି ଛାଡ଼ ।

 

କେତେକ ବିବରଣୀ ସଂଗ୍ରହ କଲା ପରେ ଗାଆଁଟି ବୁଲି ଦେଖିଲୁ । ଗୋଟିଏ ପରିବାର ବଢ଼ି ଏ ବ୍ରାହ୍ମଣ ଶାସନଟି ହୋଇଛି । ୧୨ଟି ବ୍ରାହ୍ମଣ ଘର, ଦି’ ଘର ଚଷା, ତିନିଘର ତନ୍ତୀ, ୧୨ଟି ହରିଜନ ଘର, ମୋଟ ଲୋକ ସଂଖ୍ୟା ୨୫୦ ।

 

ଗାଁ ମୁଣ୍ଡରେ ଠାକୁରାଣୀ—ନାଁ ଯାଗେଶ୍ଵରୀ; ପୌରାଣିକ ନାମ ଲକ୍ଷ୍ମଣଚଣ୍ଡୀ—ଗାଆଁର ଅଧିଷ୍ଠାତ୍ରୀ ଦେବୀ । ଲକ୍ଷ୍ମଣ ଧନୁହୁଳରେ ଏହି ମୂର୍ତ୍ତି ଖୋଳି ସୀତାଙ୍କୁ ପୂଜା କରିବାକୁ ଦେଇଥିଲେ ବୋଲି କିମ୍ବଦନ୍ତୀ ଅଛି ।

 

ସ୍ଵୟଂ ରାମଚନ୍ଦ୍ର ଏହି ଯାଗେଶ୍ଵରୀ ଘାଟରେ ସ୍ନାନ କରି ଆଞ୍ଜୁଳାଏ ବାଲିରେ ଶିବ ଲିଙ୍ଗ ପ୍ରତିଷ୍ଠା କରିଥିଲେ—ଏ ହେଲେ ବାଲୁକେଶ୍ୱର ମହାଦେବ; ମହାଦେବଙ୍କ ଗମ୍ଭୀରା କେବଳ ଜାଗର ଦିନ ଧୁଆ ହୁଏ—ଶିବମୂର୍ତ୍ତି ଆଞ୍ଜୁଳାଏ ବାଲି କୁଢ଼ା ହେଲା ପରି ଦିଶେ ।

 

ଏ ଗାଆଁରେ ଅନ୍ୟ ଏକ ଠାକୁରଙ୍କ ନାମ ବାଟ ଲୋକନାଥ । ତାଙ୍କ ପ୍ରତିଷ୍ଠା ପଛରେ ଏକ କିମ୍ବଦନ୍ତୀ ଅଛି । ଜଣେ ଚାଷୀ ଲୋକନାଥଙ୍କୁ କାନ୍ଦିଏ କଦଳୀ ଯାଚିଥିଲେ । ଚାଷ କାମରେ ବ୍ୟସ୍ତ ରହି କଦଳୀ ନେବାକୁ ଭୁଲିଗଲା । ଯେତେବେଳେ ମନେ ପଡ଼ିଲା, ସେତେବେଳକୁ କଦଳୀ ଅଧାଅଧି ପଚି ଯାଇଥିଲା । ତାକୁ ବାଟରେ ନାଗସାପ କାମୁଡ଼ିଲା । ଲୋକନାଥ ଅବତରିଥିବା ଜଣେ ଭକ୍ତ ତାକୁ ବେତରେ ବାଡ଼େଇ ଚେତା କରାଇଲେ । ଲୋକନାଥ ସ୍ଵପ୍ନେଇବାରୁ ସେଠି ବାଟ ଲୋକନାଥଙ୍କ ପ୍ରତିଷ୍ଠା ହେଲା ! ଯେ ଲୋକନାଥଙ୍କ ନିକଟକୁ ଯାଇ ନ ପାରିବ, ସେ ଏଠି କଦଳୀ ଭୋଗ କରିବ ।

 

ଗାଆଁ ବୁଲି ସାରି ଭାର୍ଗବୀରେ ସ୍ନାନ କଲୁ—ଗୋପବନ୍ଧୁ ଏଇ ଘାଟରେ ସ୍ନାନ କରୁଥିଲେ; କି ଶୀତଳ ଜଳ ! ପ୍ରାଣରେ ପୂରି ଆସିଲା ଅପୂର୍ବ ତୃପ୍ତି । ଏଇ ଭାର୍ଗବୀ—ତା କୂଳର ଏଇ ଗଛଲତା । ଏ ସ୍ଥାନର ଉଷା ଓ ପ୍ରଦୋଷ, ରୌଦ୍ର ଓ ଜ୍ୟୋସ୍ନା, ମେଘ ଓ ଅନ୍ଧାର, ଗୋପବନ୍ଧୁଙ୍କୁ କବି ହେବା ଲାଗି ଦେଇଥିଲେ ପ୍ରେରଣା । ସେଇ ପ୍ରକୃତିର ସଂସ୍ପର୍ଶରେ ମୁଁ ଲାଭ କଲି ଗୋପବନ୍ଧୁଙ୍କ ଆତ୍ମାର ସ୍ପର୍ଶ । ଗୋପବନ୍ଧୁଙ୍କ କବିପ୍ରାଣ ଏହି ପ୍ରକୃତି ଭିତରେ ବଞ୍ଚି ରହି ଯେପରି କି ତାକୁ ରଖିଛି ଚିର ସବୁଜ ।

 

ପୋହଳା ରଙ୍ଗର ସକାଳ ଖରା ଫିକା ପଡ଼ି ଶେଷକୁ ସଫା ଧଳା ହୋଇଗଲା । ଗୋପବନ୍ଧୁଙ୍କ ଗାଆଁରୁ ବିଦାୟ ଘେନି ଆସିଲି—ଏଇ ଛୋଟ ଗାଆଁଟିର କରୁଣ ମୂର୍ତ୍ତି ଆଖି ଆଗରେ ଭାସି ଉଠିଲା । ଗୋଟିଏ ପ୍ରାଇମେରୀ ସ୍କୁଲ ବି ନାହିଁ, ଯେଉଁ ଛୋଟିଆ ପଲ୍ଲୀଟି ଦିନେ ସାରା ଓଡ଼ିଶାରେ ଚେତନା ଆଣିଥିଲା, ସେ ନିଜେ ଆଜି ଶୋଇଛି । ତାକୁ ଉଠାଇବ କିଏ ?

☆☆☆

 

କୁଲ୍‍ଟିରେ ଦୁଇ ଦିନ

 

ପ୍ରବାସୀ ଓଡ଼ିଆ ଜୀବନ ଏକ ଯୁଦ୍ଧ; ଏଇ ଯୁଦ୍ଧ ସଦାସର୍ବଦା ଲାଗି ରହିଛି—ଦୁଃଖ, ଅଶାନ୍ତି, କ୍ଷୁଧା ଆଉ ଅତ୍ୟାଚାର ବିରୁଦ୍ଧରେ । ଯେଉଁ ଓଡ଼ିଆ ଶହ ଶହ ବର୍ଷ ଧରି ଜୀବନକୁ ତୁଚ୍ଛ କରି ଭାରତ-ବିଜୟୀ ଶତ୍ରୁମାନଙ୍କ ସହିତ ଲଢ଼ିଥିଲେ, ସେମାନଙ୍କ ବଂଶଧର ଏବେ ଦୁଃଖ ଦୁର୍ଦ୍ଦଶା ସହିତ ଲଢ଼ୁଛନ୍ତି, ହୁଏତ କିଞ୍ଚିତ ନଇଁଛନ୍ତି, କିନ୍ତୁ ଭାଜି ପଡ଼ି ନାହାନ୍ତି । ଆଜିର ଲଢ଼େଇ ଦେଶର ସୀମା ଲାଗି ନୁହେଁ, ନିଜର ସୀମା ଠିକ୍‍ ରଖିବା ଲାଗି; ଦେଶକୁ ବଞ୍ଚେଇବା ପାଇଁ ନୁହେଁ, ନିଜେ ବଞ୍ଚିବା ଲାଗି । କେଉଁ ଲୁହା କମ୍ପାନୀର ନିଆଁ କୁଣ୍ଡରେ ଚାଲିଛି ତା’ର ତପସ୍ୟା, କେଉଁ କୋଇଲା ଖଣିର ଅନ୍ଧାର ସଙ୍ଗରେ ଅନ୍ଧାର ହୋଇ ସେ ପାଉଛି ନିର୍ବାଣ । ଏ ତପସ୍ୟାରେ ଫଳାକାଂକ୍ଷା ନାହିଁ, କେବଳ ଲଢ଼ି ଲଢ଼ି ନିଜକୁ ଝଡ଼େଇଦେବା କଥା ।

 

ଏଇ ପ୍ରବାସୀ ଜୀବନକୁ ଅନୁଭବରେ ଆଣିବା ପାଇଁ ଯାଇଥିଲି କୁଲ୍‍ଟି । ଆସାନସୋଲ୍‍ ପାଖାପାଖି, ପଶ୍ଚିମବଙ୍ଗଳା ଓ ବିହାର ସୀମାରେ ଏଇ ଛୋଟିଆ ଜାଗାଟି, ଅଧା ପଲ୍ଲୀ, ଅଧା ସହର-। ଭାରତୀୟ ଲୁହା ଓ ଇସ୍ପାତ କମ୍ପାନୀରେ କାମ କରିବା ଲାଗି ଆସିଛନ୍ତି ହଜାର ହଜାର କୁଲି ମଜୁରିଆ । ତା’ ଭିତରେ ଓଡ଼ିଆଙ୍କ ସଂଖ୍ୟା ପ୍ରାୟ ୩ ହଜାର । ଏମାନେ ଦିନେ ଏକ ବିରାଟ ‘ବହୁ’ ଭିତରେ ହଜି ଯାଇଥିଲେ । ନିରାଶା ଆଉ ଦୁଃଖର ବୋଝ ମୁଣ୍ଡରେ ଧରି ସେମାନେ ନିଜର କି ପରିଚୟ ଦେବେ ? ଧୂଆଁ, ଧୂଳି, ଆବର୍ଜନା ଭିତରେ କାମ କରୁଥିବା ଲୋକର ପରିଚୟ ବା କିଏ ଚାହେଁ ? ଏକମାତ୍ର ପରିଚୟର ସଂକେତ ଶ୍ରମ—ସେମାନେ ଶ୍ରମିକ । ଏଇ ଶ୍ରମିକ ଗୋଟିଏ ଜାତି, ସେମାନଙ୍କର ଗୋଟିଏ ଧର୍ମ—ଶ୍ରମ । ଶ୍ରମରେ ସେମାନେ ସିନ୍ଧୁକୁ ରତ୍ନାକର କରିବେ, ଉପଳଖଣ୍ଡ ମାତ୍ର ନେବେ । ଜୀବନର ଧୂଆଁ ଧୂସ ଶ୍ରମିକର, ଆଲୋକ ଓ ଉତ୍ତାପ ଧନିକର । ତେଣୁ ତା’ର ଉଦ୍ୟମରେ ଉନ୍ମାଦନା ନାହିଁ । କେବଳ ବାହାର ତାଗିଦରେ ପେଟଦାୟରେ ଜୀବନମୂର୍ଚ୍ଛା ଶ୍ରମ-। ଏ ଜୀବନ ହାଡ଼ଭଙ୍ଗା ଶ୍ରମରେ ଶ୍ରାନ୍ତକ୍ଲାନ୍ତ, ମୃତ୍ୟୁରେ ଏହାର ବିଶ୍ରାମ । ହାହାମୟ ବାସ୍ତବ ଜୀବନକୁ ଭୁଲିବା ପାଇଁ ସେ ଖାଇଛି ମଦ । ଏଇ କଳ ତା’ର ଚରିତ୍ରକୁ କରିଛି ଆତ୍ମସାତ୍‍-। ସେ ଖସିଛି ପାତାଳର ତଳକୁ । ମଣିଷ ବୋଲି ତାକୁ କିଏ ସ୍ଵୀକାର କରେ ?

 

ଏଇ ନର୍ଦ୍ଦମା କୂଳରେ ତା’ର ଘର । ବୋହିଯାଉଛି ତେଲ-ଚିକିଟା ମଇଳା ପାଣିର ସୁଅ-। ବସ୍ତି ଭିତରକୁ ପଶି ଆସୁଛି ଲାଙ୍ଗୁଡ଼ା ପୋକର ପଟୁଆର । କଳା କୁହୁଡ଼ି ଅନ୍ଧାର କରି ଧାଇଁଛି କୋଇଲା ଟ୍ରକ୍; ଘୁଷୁରି ଆଉ କୁକୁଡ଼ାଙ୍କ ସାଥିରେ ଶ୍ରମିକ ପିଲାଏ ମଣିଷ ହେଉଛନ୍ତି ।

 

ଏଇ ଶ୍ରମିକମାନଙ୍କୁ ସାହିତ୍ୟ ଶିଖେଇବି, ଆଗେଇବାର ସୂତ୍ର ବତେଇବି ! ସକାଳ ୯ଟା-। ବାହାରିଲି ବସ୍ତି ବୁଲି । ରାସ୍ତା ଧାରରେ ଏକ ମସ୍ତ ଖାଲ, ସେଥିରେ ଧାଡ଼ି ଧାଡ଼ି ହୋଇ ବସ୍ତିର କୁଡ଼ିଆ ଛିଡ଼ା ହୋଇଛି । ରାସ୍ତା ଉପରକୁ ଏ ମୁଲକର ଭଲମନ୍ଦ କିଛି ଜଣାଯାଏ ନାହିଁ-। ବେରାସ୍ତାରେ ଚାଲିବାକୁ ଏମାନଙ୍କୁ ସମସ୍ତ ସୁବିଧା ଦିଆଯାଇଛି । ଶୁଣ୍ଡି ବିକୁଚି ମଦ, ଗଞ୍ଜେଇ ଧୂଆଁରେ ତ୍ରିନାଥମେଳା ମଉଛା ଧୁମ୍‍ ଚାଲିଛି ।

 

ଏ ବସ୍ତିର ଅଧିକାଂଶ ଶ୍ରମିକ ସୋନପୁର, ସମ୍ବଲପୁର ଓ ପାଟଣା ଅଞ୍ଚଳର । ମାଇପେ ସମ୍ବଲପୁରୀ ଶାଢ଼ି ପିନ୍ଧିଛନ୍ତି; ବନ୍ଦରିଆ, କତରିଆ, ସୁନାପାଣି କାଚ, ପୋହଳା, ଲଗେଇଛନ୍ତି । ଏମାନେ ବି କଳରେ କାମ କରନ୍ତି । ପ୍ରତ୍ୟକ ଦୁଆର ଲିପାହୋଇ ଚିତା ମୁରୁଜ ଦିଆଯାଇଛି । ଢାଳେ ପାଣି, ଖଣ୍ଡେ ପିଢ଼ା ଲିପା ଜାଗାରେ ଥୁଆ । ପାଣିରେ ଅତିଥି ଗୋଡ଼ ଧୋଇବେ, ପିଢ଼ାରେ ବସିବେ । ବନ୍ଦେଇବା ଲାଗି ଧୂପ ଆଉ ଦୀପ, ଅରୁଆ ଚାଉଳ ଆଉ ବରକୋଳି ପତ୍ର, ଫୁଲ ହାର । ମୁଁ ପହଞ୍ଚିଲା କ୍ଷଣି ଶଙ୍ଖ ବାଜି ଉଠିଲା । ସାଥୀଙ୍କି ପଚାରିଲି—ଏ ସବୁ କାହିଁକି ? ସାଥୀ କହିଲେ—ଦେବତାର ପୂଜା । ଜଣେ ଶ୍ରମିକ ଆଗକୁ ଆସି କହିଲା—ବାବୁ, ଏଇ କାଠ ଆଉ ପଥର ଦିଅଁଙ୍କୁ କୋଡ଼ିଏବର୍ଷ ହେଲା ପୂଜା କରିଆସୁଛି । କେତେ ଡାକୁଛି, ଟିକିଏ ହେଲେ ତ ଗୁହାରି ଶୁଣୁ ନାହିଁ । ତମେ ଦେବତା, ଆମ ଦୁଃଖରେ ମନ ତଟିଲା, ଧାଇଁ ଆସିଲ । କେଉଁ ଦେବତା ଆମ ଲାଗି ସ୍ଵର୍ଗରୁ ଓହ୍ଲାଇ ଆସୁଛି ?

 

ହଜାର ହଜାର ଦୁଆରେ ଏଇ ପୂଜା ପାଇବାକୁ ହେବ । ଦୋଳଗଡ଼ିରେ ଠାକୁର ଚଉଦଳରେ ବସି ଏଇପରି ଭୋଗ ଖାନ୍ତି; ଯେ ବାସନ୍ଦ ହୋଇଛି, କେବଳ ତା’ ଦୁଆର ଛାଡ଼ିଯାନ୍ତି । ମୋ ଆଖିରେ ସମସ୍ତେ ସମାନ; କାହା ଦ୍ଵାର ଛାଡ଼ି ଯିବି ? ହେଉ ପଛେ ମୋ ଆଦର୍ଶବିରୋଧୀ, ଅସ୍ଵସ୍ତିକର, ଜନତାର ସନ୍ତୋଷ ବିଧାନ ଲାଗି ଏ ପୂଜା ଗ୍ରହଣ କରିବାକୁ ହେବ । କ୍ଷତବିକ୍ଷତ ପ୍ରାଣରେ ପୁଣି ଆଘାତ ଦେବା ଅସୁନ୍ଦର ।

 

ଏ କଣ କୁସଂସ୍କାର ? ନା, ଏହା ଏକ ଉନ୍ନତ ଜାତିର ଉଜ୍ଜ୍ୱଳ ପରମ୍ପରା, ମହତ ସଂସ୍କୃତିର ସଂକେତ । ଏହା ଭିତରେ ସେମାନଙ୍କ ଐଶ୍ଵର୍ଯ୍ୟପୂର୍ଣ୍ଣ ପ୍ରାଣ ଓ କୋଣାର୍କ ଯୁଗ ସଭ୍ୟତାର କାରୁକଳାପୂର୍ଣ୍ଣ ରୁଚି ପୂରି ରହିଛି । ନର୍ଦ୍ଦମାର ଆବର୍ଜ୍ଜନା, ଚିମ୍ନିର ଧୂଆଁ ଓ ସଭ୍ୟ ମଣିଷର ଘୃଣା ତାକୁ ମାରିପାରି ନାହିଁ । ଏ ପୂଜା ତା’ର ବଞ୍ଚିବାର ଏକ ବ୍ୟାକୁଳତା, ସବୁଜ, ସତେଜ ପ୍ରାଣପ୍ରାଚୁର୍ଯ୍ୟର ଏକ ଜୀବନ୍ତ ଦୃଷ୍ଟାନ୍ତ ।

 

ଫୁଲମାଳା ଗୋଛାଏ ଧରି ଅଣଓସାରିଆ ବସ୍ତି ଭିତରେ ଚାଲିଲି । ଗଳି ରାସ୍ତା ଅତି ସଂକୀର୍ଣ୍ଣ । ସାବଧାନରେ ନ ଚାଲିଲେ ଦେହରେ ଦୁଇପଟ ଚାଳିଆର ଖୁଞ୍ଚା ବାଜେ । ଠିଆ ହୋଇ ବା ନଇଁ ନଇଁ ଭିତରକୁ ଯିବା ସମ୍ଭବ ନୁହେଁ । ବସି ବସି ସେଇ ଚାଳିଆ ଗୁମ୍ଫାରେ ବସିଲି । ମାଟିର ଚଟାଣରେ ବୁଣା ହୋଇଛି ଟୋପା ଟୋପା ସୂର୍ଯ୍ୟ କିରଣର ସୁଉକି, ଦୋଅଣି, ଅଧୁଲି । ସବୁ ଝରକା ଚାଳରେ, ତେଣୁ କାନ୍ଧରେ ରଖିବା ଦରକାର ହୋଇନାହିଁ । ଦହକୁଚି କୋଇଲା ଚୂଲୀ । ଶୀତଦିନେ ବି ଦେହରୁ ଝାଳ ବୋହୁଛି । ଗୋଟିଏ ଦିଓଟି ପିଲା ଖଣ୍ଡିଆ କତରାରେ ଶୋଇ କେଁ କାଁ ହେଉଛନ୍ତି । ଆହାରେ ହତଭାଗା ! ତୁମେ କାହିଁକି ଏଠି ଜନ୍ମ ହେଲ ? ତୁମେ କ’ଣ ସ୍ଵାଧୀନ ଭାରତର ପିଲା ? ବୁଝିଲି । ସବୁ ଦୁଃଖ ଦେହରେ ନ ଲିଭେଇଲେ ତୁମେ ପୃଥିବୀର ଭାରା ଦୂର କରିବ କେମିତି ? ଗୋଟିଏ ନୁହେଁ, ଦୁଇଟି ନୁହେଁ, ଘରେ ଘରେ କୃଷ୍ଣ ! କଂସ ସଂଖ୍ୟା ବା କେତେ-? ଧନୁଯାତ୍ରା ମଉଛା ଲାଗିଛି ତ ଲାଗୁ । ସେହି ସଭାକୁ ପିଲାର ଦେହ ଆଉ ଭୀମର ବଳ ଘେନି ଯାଅ । ତୁମକୁ ଦେଖିଲା କ୍ଷଣି ମଞ୍ଚାରୁ ମାମୁଁ ମାନେ ଛାଏଁ ଛାଏଁ ଖସିପଡ଼ିବେ ।

 

ମାଆ ମାଉସୀ, କିଛି ନ କହି ବହୁତ କହୁଛି ତୁମର ଲୁହ—ନରମ ଆଖି । ଅପାତ୍ରରେ ଏ ପୂଜା ଏକ ତିରସ୍କାର, ଏଇଥିପାଇଁ ମୋତେ ଡାକିଥିଲ ? ମୁଁ ତୁମ ପାଇଁ କ’ଣ କରିଛି ? ଲେଖନୀ ମୋର ହୁଏତ ଅଶ୍ରୁ ଝରାଇଛି, ବିଦ୍ୟୁତ୍‍ ବୃଷ୍ଟି କରିନାହିଁ । ଦୁର୍ବଳର ସମବେଦନା ଅଶ୍ରୁର ସିନ୍ଧୁରେ ଆହୁରି ଗୋଟିଏ ନଦୀ ମିଶାଇଦିଏ ମାତ୍ର ।

 

ମଜଦୁର ଭାଇ, କାହିଁକି ସଂକୀର୍ତ୍ତନ କରୁଛ ? ନାଚି ନାଚି କାହିଁକି ଦେହରୁ ବଳ ଝଡ଼ଉଛ-? ଚୈତନ୍ୟ ତୁମକୁ କେବେ ସବଳ କରିନାହାନ୍ତି, କରିବେ ନାହିଁ । ନିଜର ଚେତନା ହିଁ ତୁମକୁ ଦେବ ବଳ, ଐଶ୍ଵର୍ଯ୍ୟ । ସାରା ଜୀବନ ତ ନରକରେ କଟୁଛି । ଅନ୍ତେ ସ୍ଵର୍ଗକୁ ଯାଇ କି ଲାଭ-? ଭାବିଛ କି ସ୍ଵର୍ଗରେ ପୁଞ୍ଜିପତି ନାହାନ୍ତି ବୋଲି ?

 

ହଜାରଟି ଦ୍ଵାର ବୁଲି ବୁଲି ଦିନ ଗୋଟାକ ବେଳେ ପହଞ୍ଚିଲି ବସ୍ତିର ଆଖଡ଼ା ଘରେ । ଚାରିପଟେ ଖଡ଼ର ବାଡ଼ । ଉପରେ ମହୁଡ଼ ମରା ଚାଳ । ବୁଢ଼ା ବୁଢ଼ୀ ଯୁବକ ଯୁବତୀ ଦଳ ଦଳ ହୋଇ ଆସି ପହଞ୍ଚିଲେ । ସଂଗୃହୀତ ପାନ, ସିଗାରେଟ, ଜଳଖିଆ ବାଣ୍ଟି ଦିଆଗଲା । କିଛି ସମୟ ଦୁଃଖ ସୁଖ ହେଲା ପରେ ସେମାନେ ଗାଇଲେ ଗୀତ—କରମା, ଡାଲ୍‍ଖାଇ, ବାରମାସୀ, ହୁମୋ, ଛିଲୋଲାଇ ପ୍ରଭୃତି ଦରଭୁଲା ଗାଉଁଲି ଗୀତ । ଏଇ ଗୀତ ଭିତରେ ସେମାନେ ଫେରି ପାଇଲେ ନିଜକୁ । ଘୋର ମରୁଭୂମି ଭିତରେ ସେ ଆନନ୍ଦର ଉତ୍ସ ଟିକ ଶୁଖି ଯାଇ ନାହିଁ । ଦଦରା ଖୋଳପା ଭିତରେ ସେମାନେ ବଞ୍ଚିଛନ୍ତି, ଗୀତ ତା’ର ପ୍ରମାଣ । ସେଇ ଉତ୍ସରୁ କ୍ଷଣକ ଲାଗି ବୃଦ୍ଧ ଫେରି ପାଇଲା ତାରୁଣ୍ୟ, ତରୁଣୀ ଲାବଣ୍ୟ, ତରୁଣ ତା’ର ଉଦ୍ଦାମତା । ବସ୍ତି ଭିତରେ ସ୍ଵପ୍ନ ଆଉ ଆଶାର ଲହଡ଼ି ଛୁଟେଇ ଏହା ମୁମୂର୍ଷୁ ପ୍ରାଣରେ ଜୀବନ୍ୟାସ ଦେଲା ।

 

ଦିନ ୪ଟା ବେଳେ ସଭା । ଆସିଛନ୍ତି ସହସ୍ର ସହସ୍ର କୁଲି ମଜଦୁର୍‍ । ଆଖିରେ ଆଗ୍ରହ, ମନରେ ଉତ୍ତେଜନା । କିଛି ନୂଆ କଥା ଶୁଣିବେ, କ’ଣ କହିବି ? ପ୍ରାଚୀନ ଗୌରବର ଗାଥା ଗାଇବି-? କୋଣାର୍କ, ପୁରୀ ମନ୍ଦିର ସଙ୍ଗେ ଏମାନଙ୍କର ସଂପର୍କ କ’ଣ ? ଏମାନେ ବି ଦିଲ୍ଲୀ, କଲିକତା ଗଢ଼ୁଛନ୍ତି, ନଦୀ ଯୋଜନାରେ ଭାରତକୁ ନୂଆ ରୂପ ଦେଇଛନ୍ତି । କୋଣାର୍କ ମନ୍ଦିରରେ ଶିଳ୍ପୀଙ୍କ ନାମ ନାହିଁ, ନୂତନ ଭାରତରେ ଏମାନେ ସବୁ ହେଲେ ବି କିଛି ନୁହନ୍ତି । ଏମାନଙ୍କ ଗରିମା ଗୌରବ ପ୍ରାଚୀନମାନଙ୍କ ଅପେକ୍ଷା ଊଣା ନୁହେଁ, ଯଦି ବା ପରିବେଶ ଅସୁନ୍ଦର । ସଭ୍ୟ ଜୀବନକୁ ଶ୍ରୀଯୁକ୍ତ କରିବା ପାଇଁ ସେମାନେ ନିଜ ଦେହକୁ ସମସ୍ତ ଆଧିବ୍ୟାଧି ଝାଡ଼ି ଝାଡ଼ି ନେଇଛନ୍ତି, ଏହାକୁ ସଛନ୍ଦ ଓ ସ୍ଵଚ୍ଛନ୍ଦ କରିବା ଲାଗି ନିଜେ ଛନ୍ଦୋହୀନ ହୋଇଛନ୍ତି, ସଭ୍ୟଙ୍କୁ ସମସ୍ତ ବାଣୀରେ ମୁଖର କରି ନିଜେ ମୂକ ହୋଇଛନ୍ତି । ସଭ୍ୟମାନଙ୍କ ଭିତରେ ମୁଁ ବି ଜଣେ ଧାର୍‍ତା । ଶାନ୍ତିନିକେତନ ଆନ୍ତର୍ଜାତିକ ପୀଠ-। ଶାନ୍ତି ଆଉ ସୁଖର ବାଣୀ ଶୁଣେଇବା ଲାଗି ମୋତେ ଡାକିଛନ୍ତି । କହିଲି–“ଶାନ୍ତିନିକେତନ ଅଶାନ୍ତି ଦରିଆର ଗୋଟିଏ ଟାପୁ ନୁହେଁ । ଜୀବନରେ ଶ୍ରୀ ଓ ଶାନ୍ତି ଭରିବା ଏହାର ଉଦ୍ଦେଶ୍ୟ-। ଏହା ଏକ ଖାପଛଡ଼ା ସ୍ଵର୍ଗ ନୁହେଁ, ମାଟିର ମଣିଷର ପ୍ରାଣ ସଙ୍ଗେ ମିଶି ରହିଥିବା ଏକ ତନ୍ତୁ-। ଜଗତର ଜଣେ ଲୋକ ଦୁଃଖ, ଅଶାନ୍ତିରେ ଥିବା ପର୍ଯ୍ୟନ୍ତ ଶାନ୍ତିନିକେତନର ଲକ୍ଷ୍ୟ ଅପୂର୍ଣ୍ଣ । ଏହା ମଣିଷ ମନରେ ଯେତେ କାନ୍ଥ ବାଡ଼ ଅଛି ସବୁ ଭାଙ୍ଗି ଚୂନା କରିଦିଏ । ତା ଆଖିରେ ସବୁ ମଣିଷ ସମାନ । ଦୁନିଆ ଏକ ଶାନ୍ତିର ଘର । ସେଥିରେ ସବୁ ମଣିଷ ଏକାନ୍ନବର୍ତ୍ତୀ ପରିବାର । କେହି ପ୍ରଭୁ ନୁହନ୍ତି, କେହି ଦାସ ନୁହନ୍ତି । ସମସ୍ତେ ଗୋଟିଏ ଅଙ୍ଗର ଅପରିହାର୍ଯ୍ୟ ପ୍ରତ୍ୟଙ୍ଗ । ଜୀବନକୁ ପରିପୂର୍ଣ୍ଣ କରିବା ସମସ୍ତଙ୍କର ସାଧନା । ସେଇ ଶାନ୍ତିର ସୀମା ବିସ୍ତୃତ ହୋଇ ବିଶ୍ଵମୟ ହେଉ, ଏହାହିଁ ମୋର କାମନା ।”

 

“ଆଜି ଭାଗ୍ୟର ଡୋରି ବିଧାତା ହାତରେ ନାହିଁ । ମଣିଷ ତା’ଠାରୁ ଛଡ଼ାଇ ଆଣିଛି । ଏଇ ମଣିଷ ମଣିଷଙ୍କ ନାକରେ ଦଉଡ଼ି ଲଗାଇ ନଚାଉଛି । ମାରିବାକୁ ସେଇ, ତାରିବାକୁ ସେଇ ! କାହିଁକି ଭଗବାନଙ୍କୁ ଡାକୁଛୁ ? ସେ ସ୍ଵର୍ଗରୁ ଓହ୍ଲାଇ ମଜ୍‍ଦୁର୍‍ ଦେହର ମଇଳା, ଆଖିରୁ ଲୁହ ପୋଛିବେ ନାହିଁ । ଡାକିବୁ ତ ନିଜକୁ ଡାକ । ନିଜ ଭିତରର କଥା ତ ତୁ ନିଜେ ଶୁଣୁନାହୁଁ, ଭଗବାନ୍‍ କାହିଁକି ଶୁଣିବେ ? ସେ ବହୁତ କିଛି ହୁଏତ ଏ ଦୁନିଆରେ କରିଛନ୍ତି, ଦୁଃଖ ଦୂର କରିବାର ଶକ୍ତି ଯେ ତାଙ୍କର ନାହିଁ, ଏହାର ପ୍ରମାଣ ପ୍ରତ୍ୟେକ ଶ୍ରମିକ ଶ୍ରମିକା । ନିଜେ ନିଜକୁ ଠିଆକର । ସେ ଇଚ୍ଛା ନ ଥିଲେ କେହି ତୋତେ ଛିଡ଼ା କରେଇ ପାରିବେ ନାହିଁ । ନିଜର ବଳ, ସାହସ ଠୁଳ କର । ଅଳ୍ପ ଦିନ ମଧ୍ୟରେ ଦେଖିବୁ, ତୁ ଦୁଃଖର ଦାସ ନୋହୁଁ, ପ୍ରଭୁ । ନିଜ ଦୁନିଆର ନିଜେ ମାଲିକ୍‍ ।”

 

“ମୁଁ ନେତା ନୁହେଁ । ପ୍ରତ୍ୟକ୍ଷ କ୍ଷେତ୍ରରେ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହୋଇ ପାରିନାହିଁ । ମୋ ହାତରେ ଖଣ୍ଡା ବା ବନ୍ଧୁକ ନାହିଁ । ସେଇ ଅସ୍ତ୍ରରେ ଯଥାର୍ଥ ଓ ସ୍ଥାୟୀ ବିଜୟ ହାସଲ କରିବା ବି ସମ୍ଭବ ନୁହେଁ । ମୋର ସୁଖଶାନ୍ତିର ମୂଳାଧାର ଏଇ ଲେଖନୀ—ମୋ ମନର ସମସ୍ତ ଐଶ୍ଵର୍ଯ୍ୟକୁ ସେ ଦେଇଛି ରୂପ । ସେଇ ଲେଖନୀଟି ଆଜିଠାରୁ ତୁମର ହେଉ । ଏହା ନିରୁପାୟକୁ ଦେବ ଉପାୟ, ମନ ଭିତରେ ଜାଳି ରଖିବ ଚିର ଅନିର୍ବାଣ ବହ୍ନି ।”

☆☆☆

 

ମେଘାସନେ

 

ତେଲ ଲୁଣ ଧୂଆଁ ଧୂଳିର ସଂସାର ଆଜି ପୁଣି ପାଦକୁ ଟାଣି ଧରୁଥିଲା । ପିଲାଝିଲା, କୁଣିଆଁମଇତ୍ର, ପଡ଼ୋଶୀ ଗ୍ରାମବାସୀ, ଯା’ଆସ, ନେଣଦେଣ, ଖାଆପିଅ, ହସଖୁସି । ଜ୍ୟେଷ୍ଠମାସର କରତ ଦାଢ଼ୁଆ ଖରା କହୁଥାଏ—ପଦାକୁ ବାହାର ନାହିଁ । ଗୁଳୁଗୁଳିର ରଡ଼ ଦହକ ହାଡ଼କୁ ଶିଝାଇ ଗାଳି ଦେଉଥାଏ ପେଜ—ଯାହାକୁ ଆମେ କହୁଥାଉ ଝାଳ । ବିଞ୍ଚି ନ ହେଲେ ଦେହ ଜଳାପୋଡ଼ା କରୁଥାଏ । ଖାଲି କଲବଲ ଛଟପଟ ହେବା ଦିନ । ଗୁମ୍ଫ ଘର, ଝରକା ମୁହଁ ପଶ୍ଚିମକୁ, ମଶାଙ୍କର ମିଳିତ ଶଙ୍ଖଧ୍ଵନି । ଅସରପା ଚଡ଼େଇ ପାଲଟି ଯାଇଥାନ୍ତି । ମଶାରି ନ ଟାଣିଲେ ରକ୍ଷା ନାହିଁ, ଟାଣିଲେ ବି । ଘରକେ ଆମ୍ବ ପଣସ ବିଲାତୀ ଆଳୁ, ଆଉ ଘରକେ କୋଠି, ପେଡ଼ି ପେଟରା, ଅଗଡ଼ମ୍‍ ବଗଡ଼ମ୍‍—ଭାଡ଼ିରେ ବିହନ ଓଳିଆ, ବୁଢ଼ା ଜନ୍ଦା ଧାର ଲାଗିଛନ୍ତି, ପକ୍ଷୀଲଗା ପିମ୍ପୁଡ଼ି, ଧାନ ପୋକ ପହ୍ଲ ପହ୍ଲ—ଏଇ ଆମ ଘର ଝିଙ୍କାରି ଡାକୁଚି—ଚଷାଭାଇ ଧାନ ବୁଣ୍‍ । ଟିକିଟିକି ଜଞ୍ଜାଳ ମନକୁ ଏଣେତେଣେ ଭିଡ଼ି ଧରିଛି । ଏଇ ସମୟରେ ଶୁଣିଲି ମେଘାସନର ମେଘମନ୍ଦ୍ର ସ୍ଵର–ଅତି ମଧୁର । ଜଞ୍ଜାଳୀ ଦୁନିଆର ସମସ୍ତ ଗୁଞ୍ଜନକୁ ଡୁବାଇ ଏଇ ସ୍ଵର ପ୍ରଧାନ ହୋଇ ଉଠିଲା-। ବୁକୁ ଭିତରେ ଫୁଟି ଉଠିଲା ଶତ ସହସ୍ର କଦମ୍ବ ।

 

ମୁଁ ନିଜର ନୁହେଁ—ସମସ୍ତଙ୍କର, ଘରର ନୁହେଁ ବାହାରର, କେବଳ ସୀମାର ନୁହେଁ—ଅସୀମର ବି । ନିଖିଳର ସବୁଜ ଆଉ ନୀଳିମା ମୋତେ ହାତ ଠାରି ଡାକିଛି, ନଦୀର ତରଙ୍ଗ, ପର୍ବତର ଶୃଙ୍ଗ, ପ୍ରପାତର ଗୌରବ, ବନାନୀର ବିଜନତା, ଉଷା ଆଉ ସନ୍ଧ୍ୟାର ସଜଳ ସ୍ନେହ ମୋତେ ସ୍ଵାର୍ଥପର ସୀମା ଭିତରୁ ଦୂରକୁ ଟାଣି ନେଇଯାଇଛି । ଦୂରକୁ ନିକଟ, ନିକଟକୁ କରିଛି ଦୂର-। ଶତ ସହସ୍ର ପଥ—ରକ୍ତ, ଧୂସର, ସବୁଜ, ରୁକ୍ଷ, ବିପଥ ବି—ହିଂସ୍ର, କଣ୍ଟକିଳ, ବନ୍ଧୁର, ଦୁର୍ଗମ–ଶୁଣାଇଛି ମୋହିନୀ ସଙ୍ଗୀତ—ହାଡ଼ୁଆ ପାଦକୁ ଯୋଗାଇଛି ପ୍ରେରଣା—ନିଃଶ୍ୱାସର ଶେଷ ବିନ୍ଦୁ ଭସାଇଦେବା ପୂର୍ବରୁ—ଜଗତର ସୁଗମ ଦୁର୍ଗମ ବହୁ ସ୍ଥାନରେ ଚରଣନ୍ୟାସ ରଖି ଯା—ନ ରହୁ ସେ ସଂକେତ, ମୁହୂର୍ତ୍ତର ତୃପ୍ତି ହିଁ ଯଥେଷ୍ଟ । ମୁହୂର୍ତ୍ତର ଜୀବ—ମୁହୂର୍ତ୍ତକୁ ଜୀବନ ଜୁଆରରେ ଉଦବେଳିତ କରି ଯା । ପଥର କର୍କଶ ଶିଳା କୋମଳ ହେଉ, ପକ୍ଷୀର ଗାନ, ଝରଣାର ତାନ ଅର୍ଥପୂର୍ଣ୍ଣ ହେଉ । ପତ୍ରର ଶ୍ୟାମଳ ତରଙ୍ଗରେ ଲଗାଇ ଦେ ପଥିକ ପ୍ରାଣର ଉଦବେଳ ପ୍ରାଚୁର୍ଯ୍ୟ ପାଗଳ ହୁଅ, ପାଗଳ କର ।

 

ଜମିବାଡ଼ି, ଘରଦ୍ଵାର, ଅର୍ଥ ଅନର୍ଥରେ ବ୍ୟସ୍ତ ଏଇ କ୍ଷୁଦ୍ର ମନ ଭିତରେ ଏତେ ବଡ଼ ବୃହତ ‘ମୁଁ’ କିପରି ଲୁଚି ରହିଥିଲା ? ସୀମାର ସୀମା ଡେଇଁ, ଦିଗ୍‍ବଳୟର ବଳୟ ଚୂର୍ଣ୍ଣ ବିଚୂର୍ଣ୍ଣ କରି ଆତ୍ମବିସ୍ତାର କଲା ସେ । ସାରା ବିଶ୍ୱ ଯେପରି କି ତା’ର ନୀଡ଼ ! ତା’ର ଡେଣାରେ ଝଞ୍ଜାର ଶକ୍ତି, କଣ୍ଠରେ ଅନନ୍ତ ସାଗର ଧ୍ଵନି, ପ୍ରାଣରେ ଆକାଶର ଅଜସ୍ରତା । ସେହି ‘ମୁଁ’ ଆଜି ନିଜକୁ ରେଣୁ ରେଣୁ କରି ବୁଣି ଦେବାକୁ ଚାହେଁ ପ୍ରାଣେ ପ୍ରାଣେ—ସ୍ଥାବର ଜଙ୍ଗମେ । ପ୍ରକୃତିର ଅନନ୍ତ ପ୍ରାଣ ସଙ୍ଗେ ଆଜି ଏକ ବୃହତ୍‍, ମହତ୍‍ ପ୍ରାଣର ବିନିମୟ । ପତ୍ରରୁ ଆଣିବି ତା’ର ଗାଢ଼ ସବୁଜ ଶ୍ରୀ, ଫୁଲରୁ ଆଣିବି ପ୍ରଫୁଲ୍ଲତା, ଝରଣା ଢେଉରୁ ଚଞ୍ଚଳତା, ପର୍ବତରୁ ଗାମ୍ଭୀର୍ଯ୍ୟ, ବନର ମର୍ମର ମଞ୍ଜୁଳତା; ପତ୍ରପୁଷ୍ପପୁଟରେ ଭରିଦେବି ମୋ ପ୍ରାଣର ମଧୁ । ଜଡ଼ ଜଙ୍ଗମର ଭେଦ ଦୂରକୁ ଫିଙ୍ଗିଦେବି । ସମସ୍ତଙ୍କୁ ତିଳ ତିଳ କରି ପାଇବି ମୋର ପ୍ରାଣରେ—ତିଳ ତିଳ ଅନୁଭୂତ ହେବି ନିଖିଳର ପ୍ରାଣରେ ।

 

ତାମ୍ର ସୂର୍ଯ୍ୟ ଉଜ୍ଜ୍ୱଳତର, ହୋଇଆସୁଛି; ଆରମ୍ଭିଲି ମୋର ଯାତ୍ରା—ଗ୍ରାମରୁ ଭୁବନେଶ୍ଵର । ଚିହ୍ନାଜଣା ଗଛବୃଛ, ଜଣାଶୁଣା ଏଇ ଭାର୍ଗବୀ ନଦୀ, ସଡ଼କ ପାଖ ପଡ଼ା ଗାଆଁ, କରୁଣ ସ୍ମୃତି କୌଶଲ୍ୟାଗାଙ୍ଗ ପୋଖରୀ, ରକ୍ତାକ୍ତ ଧଉଳି ପର୍ବତ, ତ୍ୟାଗପୂତ ଦୟାନଦୀ, ଗୌରବସମାଧି ଶିଶୁପାଳଗଡ଼, ଲକ୍ଷ ଲକ୍ଷ ଗତାୟୁଙ୍କର ବିଶ୍ଵାସପୀଠ କଙ୍କାଳମୟ ମନ୍ଦିର—ବହୁବାର ଦେଖିଥିଲେ ବି ଆଖିକି ଅଟକାଏ, କାନରେ ନୂଆ ନୂଆ କଥା କହେ । ମୁଁ ବଢ଼ି ଚାଲିଛି । ସେମାନେ ମୋ ମନରେ ବି ବଢ଼ି ଚାଲିଛନ୍ତି ।

 

ଅଧା ଦେଖାର ଅତୃପ୍ତି ମନକୁ କୁହୁଳାଉଥାଏ, ବସ୍‍ ଆସି ପହଞ୍ଚିଲା ଭୁବନେଶ୍ଵର ଇଷ୍ଟେସନରେ । ପୁରୁଣା ଭୁବନେଶ୍ଵରର ଶେଷ ବିନ୍ଦୁରେ ବସି ଅନାଇଲି ପଶ୍ଚିମ ଦିଗ୍‍ବଳୟକୁ—ଅସ୍ତରାଗର ସର୍ବଶେଷ ପ୍ରଭା ଝାସ ଦେଉଛି ଅନ୍ଧକାରର ସମୁଦ୍ରରେ । ଆଲୋକ ମାଳାରେ ଆକାଶର ତାରା ନିଷ୍ପ୍ରଭ, ଶତ ଶତ ନୂତନ ସୌଧ, ବିକାଶର ଅଜସ୍ର ସମ୍ଭାବନା ଘେନି ଛିଡ଼ାହୋଇଛି ନବ ଉତ୍କଳର ନୂତନ ରାଜଧାନୀ ଭୁବନେଶ୍ଵର—ପଛରେ ମୋର ଦୁଇହଜାର ବର୍ଷ ତଳର ଅତୀତ—ଗୌରବମୟ, ଚୂର୍ଣ୍ଣ ବିଚୂର୍ଣ୍ଣ, କିନ୍ତୁ ଉଦ୍ଦୀପ୍ତ । ଦୁଇ ସ୍ଵାଧୀନ ଯୁଗ ମଧ୍ୟରେ ନିବିଡ଼ ଅନ୍ଧକାର—ରକ୍ତ ଆଉ ଅଶ୍ରୁର ଇତିହାସ । ଭଙ୍ଗା ଆଉ ଗଢ଼ାର ମିଳନ ବିନ୍ଦୁରେ ବସି ମନ କେଉଁ ରାଜ୍ୟକୁ ଉଡ଼ି ଯାଉଥିଲା, ବାଜିଲା ଗାଡ଼ିର ଘଣ୍ଟା, ଆସିଲା ଏକସପ୍ରେସ୍‍ ।

 

ମଣିଷ ମୁଣ୍ଡମାଳ, ଗଣ୍ଠିଲିପତ୍ର, ଟ୍ରଙ୍କ ବାକ୍‍ସ ଖୁନ୍ଦାଖୁନ୍ଦି । କୌଣସିମତେ ଗୋଡ଼ ଦି’ଟାକୁ ଗାଡ଼ି ଭିତରକୁ ଗଳାଇ ନେଲି ସିନା, ଦେହଟାକୁ ଟାଣି ନେଇ ସିଧା ରଖିବା କାଠିକର ପାଠ ହେଲା । ଭାରସାମ୍ୟ ଠିକ୍‍ ରଖିବାରେ ୫/୭ ଜଣଙ୍କ ଦେହରେ ଯେଉଁ ପ୍ରକାର ଧକ୍‍କା ଲାଗିଲା ଆଉ ବେଳ ହୋଇଥିଲେ ଲୋକେ ଏହାକୁ ମଲ୍ଲଯୁଦ୍ଧ କହିଥାନ୍ତେ । ବେଞ୍ଚ ତଳେ ଲୋକ, ଉପରେ ଗଣ୍ଠିଲି ମଝିରେ ଲୋକ, ପ୍ରତି ଗଳି ସନ୍ଧି ଭିତରେ ଲୋକ—ତଥାପି ଲୋକ ଆସୁଛନ୍ତି—ଆସୁଛନ୍ତି । ଯେଉଁମାନେ ପଶି ଆସିଛନ୍ତି ସେମାନେ ବେହୋସ୍‍ ଅବସ୍ଥାରେ, ଯେଉଁମାନେ ବାହାରେ ରହିଛନ୍ତି, ସେମାନଙ୍କ ବ୍ୟସ୍ତତାର ସୀମା ନାହିଁ । ଧସ୍ତାଧସ୍ତି ମଧ୍ୟରେ କଳିତକରାଳ ବି ଲାଗି ଯାଉଛି । ତୃତୀୟ ଶ୍ରେଣୀ ଡବାକୁ ଜ୍ୟେଷ୍ଠମାସ ଗ୍ରୀଷ୍ମ, ଭାଜି ସନ୍ତୁଳି ହୋଇଗଲି । ଭଦ୍ରକ ଷ୍ଟେସନଠି ବସିବାକୁ ଟିକିଏ ଜାଗା ମିଳିଲା । ନିଃଶ୍ୱାସଟା ଯେମିତିକି ଏ ପର୍ଯ୍ୟନ୍ତ ବନ୍ଦ ଥିଲା—ଚାଲିଲା ।

 

ବାଲେଶ୍ଵରରେ ପହଞ୍ଚିଲା ବେଳକୁ ବାରିପଦା ବସ୍‍ ଛିଡ଼ା ହୋଇଛି । ଚଢ଼ିଲୁ । ଘୋର ଅନ୍ଧକାର ଭିତରେ ଯୋଡ଼େ ଜଳନ୍ତା ଆଖି ପହଁରି ପହଁରି ଚାଲିଲା—ଗଛବୃଛଙ୍କର କଞ୍ଚା ନିଦ ଭାଜିଗଲା ସାକ୍ଷାତେ ଗୋଟାଏ ପାଗଳ ହାତୀ ଗରଜି ଗରଜି ଯାଉଛି !

 

ଆଖି କଷା ପଡ଼ିଲା ନାହିଁ, ରାତି ପାହିଲା । ମୟୂରଭଞ୍ଜର ଗାନ-ଚତୁର ପକ୍ଷୀ ଅଭିନନ୍ଦନ ଜଣାଇଲା । ପ୍ରିୟମ୍ବଦା ବାରିପଦା, ଅନୁସୂୟା ବଳାଙ୍ଗୀ ମଧ୍ୟରେ ଶକୁନ୍ତଳା ଉଷା ଆମକୁ ଅଭ୍ୟର୍ଥନା କଲା ।

 

କେଶବ ସାମଲ ବାରିପଦାର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ, ସୁପରିଚିତ, କନ୍ୟା ଲିଲି ଶାନ୍ତିନିକେତନର ଛାତ୍ରୀ, ତାଙ୍କ ଘରେ ଡେରା ପକାଇଲୁ । ଦେହ ହାଉ ହାଉ ଜଳୁଥାଏ, ଡଙ୍ଗା ପରି ଲମ୍ବା କୁଣ୍ଡରେ ଥଣ୍ଡା ପାଣି ଭରି ଆରାମରେ ଗାଧୋଇଲି—ତା’ପରେ ଜଳଖିଆ—ଏଥିରେ ଖିଆ ପ୍ରଧାନ, ପିଆ ଗୌଣ; ଫ୍ୟାନ ତଳେ ନିଦ୍ରା, ଗୋଟାକ ବେଳେ ରେଡ଼ିଓ ଗୀତରେ ନିଦ ଭାଜିଲା । ମନରେ ତୃପ୍ତି ଓ ଶାନ୍ତି ଫେନିଳ ହୋଇ ଉଠୁଥାଏ । ଚାରିଟା ବେଳେ ବାରିପଦା ବୁଲି ବାହାରିଲୁ ।

 

ରାଜବାଟି ଶୂନ୍ୟ; ଜଣେ ଗାର୍ଡ଼ ବନ୍ଧୁକ କାନ୍ଧରେ ପକାଇ ଘନୀଭୂତ ଶୂନ୍ୟତାକୁ ଜଗି ରହିଛି । ରାଜୋଦ୍ୟାନ ଶ୍ରୀହୀନ—ହେନା ଉପୁଡ଼ି ପଡ଼ିଛି, କାମିନୀର ପତ୍ର ଶୁଷ୍କ, ଗୋଲାପ ମୂଳର ମଳା ଭାଙ୍ଗି ଯାଇଛି, ସୂର୍ଯ୍ୟମୁଖୀର ଗୋଟାକେତେ ଶୁଖିଲା କଢ଼ି ଝୁଲୁଛି, ବୁଢ଼ୀଆଣୀ ଐନ୍ଦ୍ରଜାଲିକ ଜାଲରେ ସାରା ଉଦ୍ୟାନକୁ ବାନ୍ଧି ପକାଇଛି । ପିକ ଅପମାନରେ ପଳାଇ ଯାଇଅଛି, ଭ୍ରମର ନୂତନ ଉଦ୍ୟାନ ଅନୁସନ୍ଧାନରେ ଏଣେତେଣେ ଧାଇଁଅଛି । ଅବସାଦ ଆଉ ଅବହେଳାର ରାଜତ୍ଵ ଚାଲିଛି । ଆଭିଜାତ୍ୟର ଓଢ଼ଣିଟି ଖସି ପଡ଼ିଛି, ଏକଛତ୍ର ଶାସନର ବିଭୀଷିକା ନାହିଁ ।

 

“ଏଇ ମୋର ଭଞ୍ଜଭୂମି ଏଇ ମୋର ରାଜା

ଯୁଗେ ଯୁଗେ ମୁଁ କରୁଥିବିରେ ଏ ଭୂମିର ପୂଜା ।”

 

ଏ ଗୀତଟି ଦିନେ ଉଚ୍ଚ ଇଂରେଜୀ ବିଦ୍ୟାଳୟରେ ବାଧ୍ୟତାମୂଳକ ଥିଲା, ପାଠ୍ୟାରମ୍ଭ ପୂର୍ବରୁ ଶିକ୍ଷକମାନଙ୍କ କର୍ତ୍ତୃତ୍ଵରେ ପିଲାଏ ଏହା ସବୁଦିନ ସକାଳେ ଗାଉଥିଲେ, ଏବେ ଭୁଲିଗଲେଣି-

 

“ସ୍ଵର୍ଣ୍ଣ ଦୀପାଲୋକେ ଉଠୁଥିଲା ଯହିଁ ଅଗୁରୁ ଧୂପର ଘଟା

ତିମିରକୁ ତହିଁ ବିଜନ୍ତି ବିଜନେ ପକ୍ଷବାତେ ଚମଚଟା ।’’

 

ରାଜବାଟି ଆଉ ଦରବାର ଘରକୁ ଅନାଇଲେ ଏ ଉକ୍ତିଟି ମନେପଡ଼େ । ପ୍ରଜାମାନଙ୍କ ମଧ୍ୟରେ ନବ ଜୀବନର ଉନ୍ମାଦନା । ବିରାଟ ଜୀବନସମୁଦ୍ରରେ ପ୍ରବାହ ମିଶାଇ ଦେବାପାଇଁ ସେମାନଙ୍କୁ ଏଇ ପ୍ରଥମ ସୁଯୋଗ ମିଳିଛି । ସଂକୀର୍ଣ୍ଣତାର ବିଷବାଷ୍ପ ଉଡ଼ିପାଇ ଅଛି—ଜୀବନକୁ ବୃହତ୍‍, ମହତ୍‍ ଓ ସମୃଦ୍ଧ କରିବାର ଅଦମ୍ୟ ଆକାଂଖା ମୁଖେ ମୁଖେ ଫୁଟି ଉଠୁଅଛି । ରାଜ ଅମଳର ‘ଭଞ୍ଜପ୍ରଦୀପ’ ନାହିଁ, କିନ୍ତୁ ଜୀବନକୁ ସ୍ନିଗ୍‍ଧ କରୁଛି ‘ଚନ୍ଦ୍ରିକା’ ।

 

ସନ୍ଧ୍ୟାବେଳେ ‘ରୂପଶ୍ରୀ’ ପକ୍ଷରୁ ନିମନ୍ତ୍ରଣ ଆସିଲା । ବାରିପଦାର ଜଣେ ନବ୍ୟ ନାଟ୍ୟକାରଙ୍କ ନାଟକ ଅଭିନୀତ ହେଉଥାଏ । ରଚନାରେ ପ୍ରତିଭାର ସୁସ୍ପଷ୍ଟ ଛାୟା ପ୍ରତିଫଳିତ; ଅଭିନୟ ବି ସୁନ୍ଦର, ହେଲେ ଓଡ଼ିଆ ଜୀବନ ପ୍ରକୃତରେ ଯାହା ନୁହେଁ, ସେଇଆ ଏଥିରେ ଦେଖା ହୋଇଥାଏ । ନାଟକର ଶସ୍ତା ଉତ୍ତେଜନା ରକ୍ତ ସ୍ରୋତକୁ ପ୍ରଖରତର କରେ, ଆଖିରେ ଅଶ୍ରୁ, ଛାତିରେ ଦାହ ଆଣେ । କିନ୍ତୁ ସବୁ କାଳ ଲାଗି ମନରେ ସାଇତି ରଖିବାର ଖୋରାକ ସେଥିରେ କିଛି ନ ଥାଏ । ଆମ ଚତୁର୍ଦ୍ଦିଗରେ ଘୋର ଦାରିଦ୍ର୍ୟ, ଅଶିକ୍ଷା, ରୋଗ ଶୋକର ଘନ ଛାୟା ଘୋଟି ଯାଇଅଛି । ବହୁ ଲୋକ କୁଲି ମଜୁରିଆ ହୋଇ ପ୍ରବାସରେ କୌଣସିମତେ ଜୀବନ ବଞ୍ଚେଇ ପଡ଼ି ରହିଛନ୍ତି । ଇନ୍ତୁଡ଼ି ନିଆଁ ଲିଭିବା ପୂର୍ବରୁ ଛୁଆ ମରୁଛି । ବନ୍ୟା, ମଡ଼କ, ମହାମାରୀ ଏବେ ବି ଜୀବନକୁ ବିପନ୍ନ କରୁଛି । ଅନ୍ନ ଆଉ ବସ୍ତ୍ର ଲାଗି ଏବେ ବି ଏ କଙ୍କାଳମୟ ଜାତିର ସମସ୍ତ ଶକ୍ତି ବ୍ୟୟିତ ହୁଏ । ସେ ଏ ଯୁଗର ନୂଆ କୋଣାର୍କ ଗଢ଼ିବ କିପରି ? ଜୀବନର ଯଥାର୍ଥ ଚିତ୍ର ନ ଦେଇ ଲୋକଙ୍କୁ ନିଶା ଖୁଆଇ ଶୁଆଇବାରେ କି କୃତିତ୍ଵ ରହିଅଛି ? ମଦ ଆଉ ବେଶ୍ୟା ଛଡ଼ା କ’ଣ ନାଟକ ଲେଖା ଯାଇପାରେ ନାହିଁ ? ବୃଦ୍ଧିର ବ୍ୟଭିଚାର ଛଡ଼ା ଏ ଆଉ କ’ଣ ହୋଇପାରେ ? ଲେଖକଙ୍କୁ ଉତ୍ସାହ ସଙ୍ଗେ ସଙ୍ଗେ କିଛି କିଛି ଉଷ୍ମ ଭର୍ତ୍ସନା ଶୁଣାଇ ଫେରିଲି ।

 

ତା’ ପରଦିନ ‘ଚଣ୍ଡାଳୁଣୀ’ ଅଭିନୀତ ହେଲା । ବିଷୟବସ୍ତୁ ସାର୍ବଜନୀନ, ପୃଥିବୀର କାବ୍ୟ ଜଗତକୁ ଓଡ଼ିଆର ଏଇ ଶ୍ରେଷ୍ଠ ଦାନ ଦିନେ ନା ଦିନେ ଅବଶ୍ୟ ସ୍ଵୀକୃତ ହେବ, ପୁରୁଷର ସଂକୀର୍ଣ୍ଣତା, ସ୍ଵେଚ୍ଛାଚାରିତା ବିରୁଦ୍ଧରେ ନାରୀର ଏଇ ବିପ୍ଳବ ବିଶ୍ଵର ସହାନୁଭୂତି ଆକର୍ଷଣ କରିବ । ଏଥିରେ ଶ୍ରେଷ୍ଠ ସାମ୍ୟବାଦ ପ୍ରଚାର କରା ଯାଇଅଛି । ଯେ କୌଣସି ଦେଶର ଶ୍ରୀ ନିର୍ଭର କରେ ଏଇ ସାମ୍ୟବାଦ ଉପରେ । ଯେଉଁଠି ସାମ୍ୟ ସେଇଠି ଶ୍ରୀ । ଯେଉଁଠି କେତେକ ବ୍ୟକ୍ତିଙ୍କର ଖିଆଲ ସମାଜ ଉପରେ ରାଜତ୍ଵ କରେ, ଗୃହ ଗୃହିଣୀର ବନ୍ଦୀଶାଳା ହୁଏ, ସେଠି ଜୀବନର ସ୍ଵଚ୍ଛନ୍ଦ ବିକାଶ ନାହିଁ, ଅଗ୍ରଗତି ଅସମ୍ଭବ । ଜାତିଭେଦ ପ୍ରଥା ଉଠାଇବା, ସମସ୍ତଙ୍କୁ ଦେବପୂଜାର ସମାନ ଅଧିକାର ଦେବା ଲାଗି ଯେଉଁ ମହାପୁରୁଷ କଳ୍ପନା କରିଥିଲେ ତାଙ୍କ ଉଦ୍ଦେଶ୍ୟରେ ପ୍ରଣତି କଣାଇଲି ।

 

ଆଜି ମେଘାସନ ଯିବାର କଥା, ରାତି ପ୍ରାୟ ଦୁଇ ଘଡ଼ି ଅଛି, ପ୍ରସ୍ତୁତ ହେଲି । ଥାନାକୁ ଫୋନ୍‍ କରି ମାଜିଷ୍ଟ୍ରେଟ ସାହେବ ଦୁଇଟି ଆଗ ସିଟ୍‍ ରିଜର୍ଭ ରଖିଥାନ୍ତି । ମାଜିଷ୍ଟ୍ରେଟଙ୍କ ଅତିଥି, ତେଣୁ ଥାନାବାଲାଙ୍କ ଆଦର ଯତ୍ନର ସୀମା ନ ଥାଏ ।

 

ନିରାଟ ଖରାଦିନ; ମାତ୍ର ଅସରାଏ ଟାଣ ବର୍ଷା ହୋଇଯିବାରୁ ବୁଢ଼ାବଳଙ୍ଗରେ ମୁନ୍ଦିଏ ପାଣି ଗଡ଼ିଆସିଛି । ବହୁ ଠେଲାପେଲାରେ ବସ୍‍ ପାରିହେଲା । ବାରିପଦାରୁ ପୋଡ଼ାଡିହା ଓ କପ୍ତିପଦା ରାସ୍ତାଟି ଖରାଦିନିଆଁ । ବର୍ଷାଦିନେ ଏ ଦିଗକୁ ଯାନବାହନ ଚଳାଚଳ ବନ୍ଦ । ବୁଢ଼ାବଳଙ୍ଗ, ଆଉ କେତୋଟି ଛୋଟ ଛୋଟ ପାହାଡ଼ୀ ନଈ ନାଳ ଆଧୁନିକ ଜଗତରୁ ଆଦିମ ମେଘାସନକୁ ବିଛିନ୍ନ କରି ରଖିଛି । କେବଳ ଗଞ୍ଜାମ ଜିଲା ଛଡ଼ା ଓଡ଼ିଶାରେ ପ୍ରାୟ ସର୍ବତ୍ର ରାସ୍ତାର ଅବସ୍ଥା ଏହିପରି । ଖାଲ ଖମାରେ ଧକର ଚକର ହୋଇ ଥାନମୁଣ୍ଡାରେ ପହଞ୍ଚିଲାବେଳକୁ ଦେହମୁଣ୍ଡ ଦରଜ ହୋଇ ଯାଇଥିବ । ବର୍ଷାଦିନେ ରାସ୍ତାଗୁଡ଼ିକ ଚକଟାଚକଟି, ନର୍ଦ୍ଦମାରୁ ହୀନ; ଠାଏ ପାଦ ପକାଇଲେ ଆଉ ଠାଏ ପଡ଼େ । ମଝିରେ ଆଣ୍ଠୁଏ ଗହିରା ଶଗଡ଼ ସରି, ଗୋରୁଗାଈ ଖୋଜରେ ରାସ୍ତାଗୋଟା ଛିଦ୍ରମୟ । କଚଡ଼ାଏ ଦି କଚଡ଼ା ନ ଖାଇ ଯଦି ଥାନମୁଣ୍ଡାରେ ପହଞ୍ଚିବ, ତେବେ ବୁଝିବାକୁ ହେବ, କରମ ଭାରି ସଳଖ ।

 

ଉଦଳା ରାସ୍ତାର ଦୁଇ ପାଖରେ ଶାଳ ଜଙ୍ଗଲ, ଲଟାବୁଦା ନାହିଁ, ସଫାସୁତୁରା । ମଝିରେ ମଝିରେ ସାନ୍ତାଳୀ ଗାଆଁ କୁଡ଼ିଆ ଘର—କାନ୍ଥ ନାଲି ମାଟିରେ ଲିପା ହୋଇଛି । ଜଙ୍ଗଲ ମଝିରେ ଗହିରକୁ ଗହିର ଧାନବିଲ, ହଳିଆ ଗୀତ ବୋଲି ଧାନ ବୁଣୁଛନ୍ତି । କେଉଁ କେଉଁ ବିଲରେ ବୁଆ ଚାରି ଚାରି ଆଙ୍ଗୁଳ ହୋଇଗଲାଣି, ଟେକାଳିଆ ବିଲରେ ଆଖିକି ଅଞ୍ଜନ ଲେପ ପରି ନରମ ଲାଗୁଥାଏ । ବସ୍‍ ଉଦଳାରେ ପହଞ୍ଚିଲା । ଉଦଳାର ଏସ୍‍. ଡି. ଓ. ଦୁର୍ଗାଚରଣ ରାୟ ଶଶିଭୂଷଣ ରାୟଙ୍କ ଜ୍ଵାଇଁ, ରାଧାନାଥ ଜୀବନୀ ପ୍ରଣେତା । ଡାକବଙ୍ଗଳାରେ ରହିବାର ସମସ୍ତ ସୁବିଧା କରିଦେଲେ ।

 

ଉଦଳାରେ ହା: ଇ: ସ୍କୁଲ ଅଛି, କଚେରି ଅଛି, ସବ୍‍ଡିଭିଜନାଲ ହେଡ଼କ୍ଵାଟର୍‍ । ମେଘାସନ ଅଞ୍ଚଳକୁ ଚାହିଁଲେ ଉଦଳା ଗୋଟିଏ ଛୋଟକାଟର କଟକ । ଉଦଳାରୁ ପୋଡ଼ାଡିହାକୁ ରାସ୍ତା ଅଛି, ବସ୍‍ ନାହିଁ । ଏସ୍‍. ଡି. ଓ.ଙ୍କ ଜିପ୍‍ ପ୍ରସ୍ତୁତ ହେଲା । ସେ ଆମକୁ ପୋଡ଼ାଡିହାରେ ଛାଡ଼ି ଦେଇ ଗସ୍ତରେ ଯିବାର କଥା । ତାଙ୍କ ଜିନିଷପତ୍ରରେ ଜିପ୍‍ ଭର୍ତ୍ତି । ଯେତେ ବସନ୍ତେ ୩/୪ ଜଣ ବଳି ପଡ଼ିଲେ । ତା’ ଭିତରେ ଜଣେ ଅଧେ ବପୁବନ୍ତ ବି ଥିଲେ; ଗାଡ଼ିରେ ଜାଗା କଶଟକୁ ଏମାନେ ବଡ଼ ବିପଦ—ଯାହାହେଉ ଯିବାକୁ ତ ହେବ; ଜିନିଷ ଉପରେ ଜିନିଷ, ତା’ ଉପରେ ମଣିଷ ନଦା ହେଲେ କିମ୍ବା ହାବେଳିରେ ବାରୁଦ ପରି ଗାଡ଼ିରେ ମଣିଷ ଖୁନ୍ଦା ହେଲେ । ଦଶ ମାଇଲ ପରେ ଓହ୍ଲାଇଯିବୁ—ଏଇ ଆଶ୍ୱାସନା କଷ୍ଟକୁ ଲଘୁ କରୁଥାଏ ।

 

ମେଘାସନ ଭୀଷଣ ଜଙ୍ଗଲ ଜାଗା—ବାଘ ଭାଲୁ ଭୟ । ବନ୍ଧୁକଟିଏ ଆଉ ବାଣୁଆ ଜଣେ ଦେବାପାଇଁ ଆମେ ଏସ୍‍. ଡି. ଓ. ସାଇବଙ୍କୁ ଅନୁରୋଧ କରିଥିଲୁ । ସାଇବ କହିଲେ—ବନ୍ଧୁକ କ’ଣ ହେବ ? ବାଘ କି ହାତୀ ଯଦି ସାମ୍ନାରେ ହାବୁଡ଼ିଯାଏ, ତାକୁ କ’ଣ ସଙ୍ଗେ ସଙ୍ଗେ ବନ୍ଧୁକରେ ମାରିପାରିବେ ? ବରଂ କିଛି ନ ନେଇ ଯିବା ଭଲ । ମନରେ ହିଂସା ନେଇ ଗଲେ ବଣଜନ୍ତୁଙ୍କ ମନରେ ବି ହିଂସା ଆସିବ, ସହଜରେ ଭେଟଣା ହେବ । ଏ ଉପଦେଶରେ ମନ ମାନୁ ନ ଥାଏ । ସକାଳୁ ବିପରୀତ ବି ଦେଖିଲୁ । ସାଇବ ଆମକୁ ବନ୍ଧୁକ ନେବାକୁ ମନା କଲେ, ଅଥଚ ନିଜେ ବନ୍ଧୁକଟି ସଙ୍ଗରେ ଘେନି ଗଲେ । ବୁଝିଲି—ସେ ଯାଉଛନ୍ତି ଗାଆଁକୁ, ଆମେ ଯାଉଛୁ ବଣକୁ-। ବଣରେ ବାଘଭାଲୁ, ଗାଆଁରେ ମଣିଷ; ବୋଧେ ମଣିଷ ବାଘଭାଲୁ ଅପେକ୍ଷା ଅଧିକ ହିଂସ୍ର-!

 

ପୋଡ଼ାଡିହା ଡାକବଙ୍ଗଳା—ପଛଆଡ଼େ ଶିମିଳିପାଳ ପର୍ବତ ଶ୍ରେଣୀ, ଡାହାଣରେ ମେଘାସନ, ବାମ ପଟେ ଶମୀ ବୃଷ । ଚାରିଆଡ଼େ ଜଙ୍ଗଲ—ରାତି ହେଲେ ବାଘ ଭାଲୁ ଡାକବଙ୍ଗଳା ଚାରିପଟେ ଚରାବୁଲା କରନ୍ତି । ପ୍ରାଣକୁ ପାଣି ନ ଛଡ଼େଇଲେ କେହି ରାତିରେ ବାହାରକୁ ବାହାରେ ନାହିଁ । ଏହିପରି କୌଣସି ଅସତର୍କ ମୁହୂର୍ତ୍ତରେ ଡାକବଙ୍ଗଳାର ଚୌକୀଦାରକୁ ବାଘ ଝିଙ୍କି ନେଇ ଯାଇଛି । ତା’ର ପିଲାଏ ଅଥାତା ହୋଇଥିଲେ, ଏବେ ସଦାଶୟ ସରକାର ତା’ର ସ୍ତ୍ରୀକୁ ସେଇ କାର୍ଯ୍ୟରେ ନିଯୁକ୍ତ କରିଅଛନ୍ତି । ସୁଖର କଥା, କାର୍ଯ୍ୟ ପରିଚାଳନାରେ କୌଣସି ଅଦକ୍ଷତା ପ୍ରକାଶ ପାଇନାହିଁ । ଘରଦ୍ଵାର, ଖଟ ଚୌକି, ଆଲମାରୀ ଯେପରି ସଫା ସୁତୁରା, ବାସନକୁସନ ବି ସେହିପରି ଜିକ୍‍ ଜିକ୍‍ କରୁଛି ।

 

ଡାକବଙ୍ଗଳାର ବାଁହାତି ଗୋଟିଏ ନଣ୍ଡା ପାହାଡ଼ ଦିଶୁଥାଏ—ଗୋଟାଳିଆ ପଥରର ପାହାଡ଼; ଖଣ୍ଡ ଖଣ୍ଡ ହୋଇ ପଥର ଏଥିରେ ଖଞ୍ଜା ହୋଇ ନାହିଁ । ସାକ୍ଷାତେ ଏକ ଦୀର୍ଘ ଶମ୍ଭୁ ମୂର୍ତ୍ତି ! ୟାକୁ ସ୍ଥାନୀୟ ଲୋକ ଶମୀବୃକ୍ଷ କହନ୍ତି । “ଶମୀଲତା ଆହା ଛେଦୁଛନ୍ତି ଋଷି ନୀଳୋତ୍ପଳ ଦଳ ଧାରେ ।’’ ଏ ପୁରାଣବର୍ଣ୍ଣିତ ଅଗ୍ନିଗର୍ଭ ଶମୀବୃକ୍ଷ ନୁହେଁ; ଗୋଟିଏ ଟାଙ୍ଗରାମୁଣ୍ଡିଆ ପାହାଡ଼ । ପାହାଡ଼ ଚୂଳରେ ଗୁମ୍ଫା, କଥା ଅଛି, ୟା ଭିତରେ ଅଜ୍ଞାତବାସ ବେଳେ ପଞ୍ଚୁପାଣ୍ଡବ ଅସ୍ତ୍ରଶସ୍ତ୍ର ଲୁଚେଇ ରଖୁଥିଲେ । ପାହାଡ଼କୁ ଘେରି ଗୋଟିଏ ବୃହତ୍‍ ସର୍ପ ଅସ୍ତ୍ରଭଣ୍ଡାର ଜଗି ରହୁଥିଲା । ଏବେ ତଥା କଥିତ ଗୋଟିଏ ସଂକେତକୁ ସେହି ଔପନ୍ୟାସିକ ସର୍ପର ଚିହ୍ନ ବୋଲି ଲୋକେ ଦେଖାନ୍ତି । ଲୋକମତରେ କପ୍ତିପଦା ପୁରାଣପ୍ରସିଦ୍ଧ ବିରାଟ ରାଜ୍ୟ ଥିଲା, ଦ୍ଵାପର ଯୁଗର ଶମୀବୃକ୍ଷ କଳିଯୁଗରେ ପଥର ପାଲଟି ଯାଇଅଛି ।

 

ପାହାଡ଼ର ଉଚ୍ଚତା ପ୍ରାୟ ୫୦୦ ଫୁଟ ହେବ । ଗୋଟାଳିଆ ମାଙ୍କଡ଼ା ପଥରଟା ପାଣିମାଡ଼ ଖାଇ ସାଉଁଳିଆ ହୋଇ ଯାଇଅଛି । ମାଙ୍କଡ଼ ପରି ହାମୁଡ଼ି ହାମୁଡ଼ି ଉଠିବାକୁ ହୁଏ । ହାତରେ ଧରିବାକୁ ବା ଭରାଦେଇ ଉଠିବାକୁ ଗୁଳ୍ମ ବା ଗଛ ଡାଳ ନାହିଁ । ଠାଏ ଠାଏ ଯେଉଁ ଘାସ ଅଛି ତାକୁ ଧରୁ ଧରୁ ଉପୁଡ଼େ । ଛୋଟିଆ ଲୋକର ଆଶ୍ରୟ ନେଲେ ଆଶ୍ରୟ ତ ମିଳେ ନାହିଁ, ଅଧିକନ୍ତୁ ପ୍ରାଣ ଯାଏ ।

 

ମଝିରେ ଅଟକି ଥକା ମାରିବାର ଉପାୟ ନାହିଁ । ପୁଣି ଏକା ଦମକେ ଅନେକ ଦୂର ଉଠିଲେ ଊର୍ଦ୍ଧ୍ଵଶ୍ଵାସ ଉଠେ । ଜଣାଯାଏ—ପାହାଡ଼ଟା ଯେପରି ଆହୁରି ଉପରକୁ ଉପରକୁ ଉଠିଯାଉଛି, ଯାହା ଆସିଛୁ ସେ ଯେପରି କିଛି ନୁହେଁ, ଯାହା ଯିବାକୁ ହେବ—ବହୁତ । ରାତିରେ ଛନକା ପଶିଯାଏ । ଟିକିଏ ନିଃଶ୍ୱାସ ନେଇ ପୁଣି ସାହସ ବାନ୍ଧୁ । ଉଠ, ଉଠ କହି ଉଠୁ । ପାହାଡ଼ ଉପରକୁ ବେଶୀ ତିଖ, ବାଟ ସାଉଁଳିଆ, ଗୋଡ଼ ଖସୁଥାଏ । ଉପରକୁ ଆଖି ପାଉ ନ ଥାଏ, ତଳକୁ ଚାହିଁଲେ ମୁଣ୍ଡ ବୁଲଉଥାଏ ।

 

ସୂର୍ଯ୍ୟ ଅସ୍ତ ପାହାଡ଼ର ପାଖାପାଖି, ଏଇ ଆମର ଆଶ୍ୱାସନା—ନା, ବେଳ ହେବ ନାହିଁ । ବେଳ ହୋଇଥିଲେ ସତେ ସେମିତି ଉଠିଥାନ୍ତୁ ! ନିଜ ନିଜର ଭୟତକ ଛାତି ତଳେ ଛପାଇ ରଖି ମୁହଁ ଆଣ୍ଟ ଦେଖାଇ କହିଲି—ହଁ, ଭାରି ପାହାଡ଼ଟେ ତ, ଏଇଆକୁ ଉଠି ପାରିବେନି, ଏମିତି, ୟା ଠଉଁ ବଳି କେଡ଼େ କେଡ଼େ ପାହାଡ଼ ଉଠିଛି । ବେଳ ଥିଲେ ଦେଖିଥାନ୍ତ ! ଏଣେ ମନେମନେ ଆଲୋକ ଦେବତାଙ୍କୁ ସ୍ତୁତି କରୁଥାଏଁ—ହେ ଲଜ୍ଜାନିବାରଣ ପ୍ରଭୁ, ତୁମେ ଡୁବିଯାଅ, ଡୁବିଯାଅ ।

 

ଶମୀବୃକ୍ଷରୁ ଛୋଟ ବଡ଼ ଅନେକ ପାହାଡ଼ ଦେଖାଯାଉଥାଏ; ନିବିଡ଼ ଜଙ୍ଗଲରେ ବୁଦୁବୁଦିକିଆ ଗାଆଁରୁ କୁଞ୍ଚୁକୁଞ୍ଚିକା ଧୂଆଁ ଉଠୁଥାଏ । ଗୋଧୂଳି ପୂର୍ବର ଈଷତ୍‍ ପାଣ୍ଡୁର କିରଣ ସେଇ ଧୂଆଁକୁ ଦେଇଥାଏ ସ୍ଵପ୍ନର ରଙ୍ଗ । ନୀଡ଼ଫେରା ପକ୍ଷୀ ବନର ରଙ୍ଗୀନ କୁହୁଡ଼ିରେ ଉଡ଼ି ଉଡ଼ି ଆକାଶର ଧୂଆଁଳିଆ ବାଦଲରେ ମିଶି ଯାଉଥାନ୍ତି । ଆମେ ଓହ୍ଲେଇଲୁ ।

 

ପାହାଡ଼ ମୂଳରେ ଗୋଟିଏ ଜବର ପଥର ପଡ଼ିଛି—ସ୍ନେହାଳୁ ଶମୀବୃକ୍ଷର ପୁତ୍ର ପରି କୋଳରେ ବସିଛି । କେବେ କେଉଁଠି ଥିଲା, କିପରି ଅତଡ଼ା ଛିଡ଼ି ଏଠି ପଡ଼ିଛି, କିଏ ଜାଣେ ? ତା’ର ମୁଣ୍ଡ ଫାଟି ଯାଇଛି—ବୋଧେ ବଜ୍ର ପଡ଼ି । ସେଇ ଫାଟ ବାଟେ ଉଠିଛି ଗୋଟିଏ ବୃକ୍ଷ—ଜନ୍ମରୁ ତା’ର ଜୀବନ ସଂଗ୍ରାମ ଲାଗି ରହିଛି । ପଥରକୁ ଠେଲି ସେ ମୋଟା ହୋଇ ପାରୁନାହିଁ । ତେଣୁ ତା’ର ପତ୍ରେ ପତ୍ରେ ଲାଳନାର ଲାଳିତ୍ୟ ନାହିଁ, ପୌରୁଷକ୍ଲିଷ୍ଟ ରୁକ୍ଷତା ବଳକଳରେ ଫୁଟି ଉଠିଛି । ସେଇ ପଥର ତଳେ ଗୋଟିଏ ଗୁମ୍ଫା, ସେଥିରେ ଜଣେ ସାଧୁବାବା ବସି ଜପତପ କରନ୍ତି । ଏବେ ତାଙ୍କର ମଠ ଆଉ କୋଠି ତିଆରି ହେଲାଣି । ଏବେ ସେ ବାବାଜି ନୁହନ୍ତି, ମହନ୍ତ । ଭକ୍ତଙ୍କ ସୁଅ ବୋହିଆସୁଛି, ମଠର ଢେର୍‍ ଢେର୍‍ ବଡ଼ତି ହେଉଛି ।

 

ମଠର ଡାକେ ବାଟରେ କୁଶଭଦ୍ରା ନଈ, ବଡ଼ ବଡ଼ ପଥର ଆଉ ବାଲିଗିରିଡ଼ା ଭରା ପାହାଡ଼ୀ ଝରଣା—ଝଙ୍କାଳିଆ ଗଛ ସବୁ ନଈ ଭିତରକୁ ଝୁଙ୍କି ପଡ଼ିଛନ୍ତି । ଖରାଦିନେ ବି ଗୋଟିଏ ସରୁ ପାଣିଧାର ଚାଲିଥାଏ, ଆଖପାଖ ଗାଆଁର ଭରସା । ମୁଣ୍ଡରେ କାଖରେ ମାଠିଆ ମାଠିଆ ପାଣି ଧରି ଝିଅ ବୋହୂ ଲୀଳାୟିତ ଗତିରେ ଚାଲିଥାନ୍ତି ।

 

ସେତେବେଳକୁ ନୀଳ ଆକାଶ ଲାଲ ମେଘରେ ଗୋଟିଏ ଚାନ୍ଦୁଆ ହୋଇଗଲାଣି । ଡଗ ଡଗ ଚାଲିଲୁ । କେଜାଣି ଭାଲୁ ହାବୁଡ଼ରେ ପଡ଼ିବୁ ! ରାସ୍ତାରେ ମହା ମହା ତରୁମାନ ତିଖ ହୋଇ ଉଠିଯାଇଛନ୍ତି—ସତେ ଆକାଶକୁ ମୁଣ୍ଡେଇ ଧରିଛନ୍ତି ! ବୟୋବୃଦ୍ଧ, ତେଣୁ ତରୁ ସମାଜର ନମସ୍ୟ । ପ୍ରବୀଣ ଦାର୍ଶନିକ ପରି ବସି ନୀରବରେ ଚିନ୍ତା କରୁଛନ୍ତି ।

 

ମାଛି ଅନ୍ଧାର ବେଳକୁ ଜାମୁଡ଼ିହାରେ ପହଞ୍ଚିଲୁ । ଏଇ ଗାଆଁର ଘର ସବୁ ଗୋଟିଗୋଟିକିଆ । କାହା ସାଙ୍ଗେ କାହାର ଯେପରି ସଂପର୍କ ନାହିଁ, ଗ୍ରାମ ଗଠନରେ କୌଣସି ସମୂହ ମନର ଉନ୍ମେଷ ନାହିଁ, ଜାଗାର ତ ଅଭାବ ନାହିଁ, ଯେ ଯେଉଁଠି ପାରିଛି ଘର ତୋଳିଛି । ଏ ଗାଆଁରେ ଏତିକି ସୁବିଧା—ଏକ ଘରେ ନିଆଁ ଲାଗିଲେ ଅନ୍ୟ ଘରକୁ ଚିହିଙ୍କି ଯାଏ ନାହିଁ, ଅସାବଧାନତାରେ ସମସ୍ତେ ଦଣ୍ଡଭାଗୀ ହୁଅନ୍ତି ନାହିଁ । କିନ୍ତୁ ଏକ ଘରେ ଚୋରି ହେଲେ ଅନ୍ୟ ଘର ଲୋକେ ତା’ର ଟେର୍‍ ପାଇ ପାରନ୍ତି ନାହିଁ । ପୁରୀର ଶାସନ ବାଡ଼ ପରି ଏ ଗାଆଁ କୌଣସି ରାଜା ବସେଇ ନାହାନ୍ତି, ଗୋଚାରଣ କରୁ କରୁ ସୁବିଧା ଦେଖି ଲୋକେ ଏଠି ବସବାସ କରିଛନ୍ତି । ପୁରୀ ଶାସନକୁ ପଶିଗଲେ ପ୍ରାଚୀନ ସଂସ୍କୃତିର ବହୁ ସଂକେତ ମିଳେ । ଏଠି ସେ ସବୁ ଦୁର୍ଲଭ, ଆଦିବାସୀ ପ୍ରଭାବରେ ରଚିତ ଲୋକଗୀତ ଓ କଥା ହିଁ ଏ ଗାଆଁର ସଂସ୍କୃତି ସମ୍ପଦ ।

 

ବଙ୍ଗଦେଶ ଓ ବାଲେଶ୍ୱର ଅଞ୍ଚଳ ପରି ଏ ଗାଆଁର ଘର ସବୁ ମହୁଡ଼ମରା, କୁଟା ଛପର-। ୨/୩ ବର୍ଷରେ ଥରେ ଛପର ହୁଏ । ପାଣି ପଡ଼ି ଚାଳ ସଢ଼ିଯିବ ବୋଲି ଘରକୁ ଲାଗି ଗଛବୃଛ ନାହିଁ । ଗ୍ରାମଦେବତୀଙ୍କ ନାଁ ‘ଅନ୍ଧାରୀ’ । ଜାଗାକୁ ଚାହିଁ ନାମଟି ଯଥାର୍ଥ ହୋଇଅଛି-। ଏଠି ଗୋପାଳଙ୍କ ସଂଖ୍ୟା ବେଶୀ । ଗୋଲା, ଧୋବା, ମହାନ୍ତ ବି ଅଛନ୍ତି । ବ୍ରାହ୍ମଣ, କ୍ଷତ୍ରିୟ ଶ୍ରେଣୀର ଲୋକ ଦୁର୍ଲ୍ଲଭ ।

 

ଆମ ଯାତ୍ରା ସାଥୀ କୈଳାସବାବୁଙ୍କ ଘର ଏଇ ଗାଆଁରେ, ତାଙ୍କ ଅଗଣାରେ ଘଡ଼ିଏ ବସି ଝାଳ ମାଇଲୁ । ମୁଢ଼ି କଞ୍ଚାଲଙ୍କା ପିଆଜ, ତା’ପରେ ଖଜା ପଣସ, ଶେଷକୁ ଦୁଧ, ମହୁ ଆଉ ଫୁଟି କାକୁଡ଼ି ଆସିଲା । ଏଠି ପ୍ରଚୁର ମହୁ ମିଳେ । ଦୁଧ ସଙ୍ଗେ ମହୁ ଆଉ ଫୁଟି କାକୁଡ଼ି ଚମତ୍କାର ଲାଗେ । ପେଟେ ପେଟେ ଖାଇ ଗୋଟିଏ ପେଟ୍ରୋମାକ୍‍ସ ଧରି ଜଙ୍ଗଲେ ଜଙ୍ଗଲେ ଡାକ ବଙ୍ଗଳାକୁ ଫେରିଲୁ । ବାଟରେ ଗୋଟିଏ ବଣୁଆ କଙ୍କଡ଼ାବିଛା ହାବୁଡ଼ିଲା—ପ୍ରାୟ ଚାଖଣ୍ଡେ ଲମ୍ବ, ବେଶ୍‍ ମୋଟା । ନାହୁଡ଼ଟା ଟେକି କ୍ଷିପ୍ର ଗତିରେ ଆମକୁ ମାରିବାକୁ ଗୋଡ଼ାଇଲା । ସେ ତ କେଉଁଠି ଛିଡ଼ା ହେଉ ନ ଥାଏ, ଢେଲା ବାଜିବ କିପରି ? ଆମେ ବି ଏଣେତେଣେ ଦଉଡ଼ୁଥାଉ, ଲକ୍ଷ୍ୟ ଠିକ୍‍ ରହୁ ନ ଥାଏ । ମଣିଷ ବ୍ୟୁହ ଭିତରେ ବିଛାଟା ଘଡ଼ିଏ ଯାଏ ଖୁବ୍‍ ଯୁଦ୍ଧ କଲା, ଶେଷକୁ ବହୁ ଆକ୍ରମଣରେ ସ୍ଥିର ହୋଇ ପଡ଼ି ରହିଲା । ଲାଙ୍ଗୁଡ଼କୁ ସୂତାରେ ବାନ୍ଧି ଡାକବଙ୍ଗଳାକୁ ଆଣିଲୁ—କ୍ଷତବିକ୍ଷତ ବନ୍ଦୀ ।

 

୧୯୫୩ ଜୁନ୍‍ ୫ ତାରିଖ ସକାଳ; କପ୍ତିପଦାର ସୂର୍ଯ୍ୟ ପର୍ବତେ ପର୍ବତେ ଦୀର୍ଘ କିରଣମାନ ଲମ୍ବାଇ ଦେଲା । ସେହି କିରଣ ସଙ୍ଗେ ଉଡ଼ି ଚାଲିଲା ଆମର ମନ ଶୃଙ୍ଗରୁ ଶୃଙ୍ଗାନ୍ତର । କେଉଁ ଯୁଗର ଏଇ ପୁରୁଣା ମେଘାସନ, ପର୍ବତ ମେଳରେ ଚକା ପକାଇ ବସିଛି । ଅନନ୍ତ ଶତାବ୍ଦୀର କେଉଁ ଅଣୁରେ ମୁଁ, ଏହାର ରୁଦ୍ରକାନ୍ତ ଦୃଶ୍ୟ ଉପଭୋଗ କରିବାକୁ ଯାଉଛି ! ଗୋଟିଏ ମୁହୂର୍ତ୍ତର ଏଇ ମିଳନ; ମେଘାସନ ଅଚଳ, ହୁଏତ ବିଚଳିତ ହେବ ନାହିଁ । ରକ୍ତମାଂସର ଭାବରସର ମଣିଷ ମୁଁ, ଏହି ମୁହୂର୍ତ୍ତଟି ମୋର ସାରା ଜୀବନକୁ ଆଚ୍ଛନ୍ନ କରି ରଖିବ ।

 

ମେଘାସନ ଡାକବଙ୍ଗଳାରୁ ପ୍ରାୟ ୧୫ ମାଇଲ ବାଟ । କାନ୍ଧରେ ଭାର ବୋହି ସାତୁଟା ଘାଟି ପାରି ହେବାକୁ କିଏ ରାଜି ହେବ ? ରଜା ଅମଳ ହୋଇଥିଲେ ପାଇକ ଯାହାକୁ ଲୋଡ଼ିଥାନ୍ତା, ତଡ଼ି ଆଣିଥାନ୍ତା । ମନର ଗୁଞ୍ଜନକୁ କେହି ଭ୍ରୂକ୍ଷେପ କରନ୍ତା ନାହିଁ । କ୍ଷମତାର ରାଜତ୍ଵ ! ଲୋକ ସରକାର ଅମଳରେ ଲୋକଙ୍କ ଦିମାକ ଯଥେଷ୍ଟ ବଢ଼ିଛି । କେହି କାହା କଥା ଖାତିରିରେ ଆଣୁ ନାହିଁ-। ‘ଶିଳଶିଳୁପତା ଗଗନେ ଉଡ଼ୁଛନ୍ତି, ତୁଳା କହୁଛି—ମୋତେ ରଖ ।’ କେଡ଼େ କେଡ଼େ ଲୋକଙ୍କ କଥା ତ ଫୁଟୁକିରେ ଉଡ଼େଇ ଦେଉଛନ୍ତି, ଆମେ ଏମିତି କିଏ ଯେ ଆମ କଥାରେ ଧାଇଁ ଆସିବେ-! ଅଜଣା, ଅଶୁଣା, କାହୁଁ ଅଇଲା, ଦାରୋଗା କି ମେଜେଷ୍ଟର ନୋହୁଁ, ଜମିଦାର କି ସାହୁକାର ନୋହୁଁ, ଡିହରେ ବାଡ଼ିରେ ପଡ଼ିନାହାନ୍ତି, ଆମେ ଖାଲି ମଣିଷ, ଖୁବ୍‍ ବେଶୀ ହେଲେ ବାବୁ; ଏମିତି କେତେ ବାବୁ ଦେଖାଯାଇଛି । ଖାଲି ମଜୁରୀଗଣ୍ଡାକ ପାଇଁକି ଆମ ପାଇଁ ଏତେ କଷ୍ଟ ସହିବେ କାହିଁକି ? ୪/୫ ଥର ଲୋକ ପଠାଇଲୁ । କିଏ କହିଲା—ସେ କୁଣିଆ ଘର ଯାଇଛନ୍ତି, କିଏ କହିଲା–ହଳକୁ, କିଏ କହିଲା–ହାଟକୁ, କିଏ କହିଲା—ବେରାମ—ଏମିତି କେତେ କଅଣ । ଚିନ୍ତାମଣିବାବୁ କହିଲେ—ସିଧା ଆଙ୍ଗୁଠିରେ ଘିଅ ବାହାରିବ ନାହିଁ,—ସ୍ଥାନୀୟ ଲୋକ; ଲୋକଙ୍କ କଦର ତାଙ୍କୁ ଜଣା । ଦୁଖାକୁ ଡାକି କହିଲେ—ଆରେ ଯିବୁ କି ନାହିଁ ସଫା ସଫା କହି ଦେ । ଅଫିସର ବାବୁ ଏସ୍‍. ଡି. ଓ. ଙ୍କ ପାଖକୁ ଚିଠି ଲେଖିଲେଣି । ତୁ ଯୋଉ ଜମି ପଟା ନେଇଛୁ, ଛଡ଼ାଇ ନେବେ । ଅସମୟ ବେଳେ ସରକାରୀ କାମ ନ କଲେ ସରକାର ଜମି ପଟା ଦେବେ କିଆଁ ?

 

ଦୁଖାର ରକ୍ତ ପାଣି ଫାଟିଗଲା । ପାଟି ଖନି ମାଇଲା । କେଡ଼େ ଠୋସରେ କଥା କହୁଥିଲା, ଏବେ ଜଡ଼ । ଜୀବନ ସାରା କେବଳ ପର ଦୁଆରେ ମୂଲ ଲାଗିଛି, ସୁନା ଧାନ ସାଆନ୍ତ କୋଠିରେ ଭରି ପେଟରେ ଓଦା କନା ଦେଇ ଶୋଇଛି । ତା’ ଭାଗ୍ୟକୁ ଲୋକ ସରକାର ହେଲା । ଜମି ନ ଥିଲା, ଲୋକକୁ ଜମି ମିଳିଲା । ଏ ଜମି ଫେର୍‍ ଛଡ଼ାଇ ନେବେ ? ନାଃ, ସେ ଯିବ, ଯେତେ କଷ୍ଟ ପଡ଼ୁ ପଛେ ଯିବ । ଦୁଖା ଶିକା ବାହୁଙ୍ଗି ଧରି ବାହାରିଲା ।

 

ଲୁହା ଶାବଳ ପରି ଛେରା ପିଟା ଦେହ, ମୁଦ୍‍ଗର ପରି ବାହା, ପିତ୍ତଳ ତସଲା ପରି ମୁହଁ, ସ୍ଥିର, ସଜଳ ଆଖି, ଡୋଳା ଦିଓଟି ଯେପରି କି ଖଡ଼ି ଗୋଟାଳି, ସରୁ ଅଣ୍ଟା, ଓସାରିଆ ଛାତି, ଟାଆଁସିଆ ବାଳ, ଶମ୍ବର ଚାଲି । ଏଇ ଆମର ଦୁଖା, ପ୍ରକୃତରେ ଦୁଃଖୀ । ଏବେ ନୂଆ ହୋଇ ସୁଖ ପାଉଛି । ବଣ ଭିତରେ ଗୋଟିଏ ଗେରଦ ଘେରା—ମଝିରେ ଦୁଇ ବଖରା ଚାଳ ଘର । ତିନୋଟି ପିଲା ଗଡ଼ୁଛନ୍ତି । ତା’ର ଭାର୍ଯ୍ୟା ଉଘାଡ଼ ବାଉଁଶରେ ଉକୁଚା ଦଉଡ଼ିକି ଧରି ଧାନ କୁଟୁଛି । ଦୁଖା ଭାର କାନ୍ଧେଇଲା—ପିତ୍ତଳ ହଣ୍ଡା, ବାଲ୍‍ଟି, ଢାଳ, ଦୁଇ ତିନି ଦିନର ରୋଷେଇ ସରଞ୍ଜାମ ଆଉ ଆମର ବିଛଣା ପତ୍ର, ଓଜନ ମହଣକରୁ ବେଶୀ ହେବ ।

 

ଯାତ୍ରାରେ ଆମର ସାଥୀ ଜାମୁଡିହା ଗାଆଁର କୈଳାସବାବୁ, ମାଇନର ସ୍କୁଲର ଶିକ୍ଷକ, ମଧ୍ୟ ଜଣେ ଗାୟକ । ମଫସଲୀ ଦୋଳି ଗୀତଠାରୁ ସିନେମା ଗୀତ ପର୍ଯ୍ୟନ୍ତ ସବୁଥିରୁ କାଣ୍ଡେ କାଣ୍ଡେ ମାଲୁମ୍‍ । ଜାତିରେ ଗୋପାଳ, ତେଣୁ ବଂଶୀବାଦନ ବଂଶଗତ । ଗମ୍ଭୀର ପର୍ବତ, ଗଭୀର ଅରଣ୍ୟ, ତା’ ଭିତରେ ତାଙ୍କ ପରିହାସ ରସିକତା ଆମ ଯାତ୍ରାକୁ କରିଥାଏ ଜୀବନ୍ତ ।

 

ଆମର ଦୁଇ ନମ୍ବର ସାଥୀ ଜଣେ କଲେଜ ଛାତ୍ର—ନବ ଯୌବନ ସଙ୍ଗେ ଗଳ୍ପ କବିତା ଲେଖା ଆରମ୍ଭ କରିଛନ୍ତି, ବନକୁ ଝରଣାକୁ ଚାହିଁ ମୁହେଁ ମୁହେଁ କବିତା ଯୋଡ଼ି ବୋଲି ଦେଉଥାନ୍ତି । ତୃତୀୟ ନମ୍ବର ସାଥୀ ଅଧ୍ୟାପକ ଚିନ୍ତାମଣି ବେହେରା । ସୌଖୀନ ଗତି, ମେଘାସନର ପାଦ ଦେଶରେ ଘର, ଅଥଚ ସେ ଏ ପର୍ଯ୍ୟନ୍ତ ଏହି ପର୍ବତ ଦେଖିନାହାନ୍ତି । ସେଥିଲାଗି ତାଙ୍କର ଦୁଃଖ ନାହିଁ, ମନୋବୃତ୍ତିରେ ସହରୀ, ପାହାଡ଼ ଚଢ଼ିବାକୁ ସୁଖ ପାନ୍ତି ନାହିଁ । ଆଜି ଏ ଦଳରେ ସେ ଅକଡ଼ିଆରେ ପଡ଼ି ଯାଇଛନ୍ତି । ଚତୁର୍ଥ ସାଥୀ ନରେନ୍ଦ୍ର ନାଥ ମିଶ୍ର, କଥା କଥାକେ ତର୍କ କରିବାକୁ ଆଗୁସାର, ପରଦୁଃଖକାତର, କିନ୍ତୁ କାହାରି ଦୁଃଖ ଦୂର କରିବା ଲାଗି ଅସମର୍ଥ ।

 

ତା’ ପରେ ଭାରୁଆ ଦୁଖା; ପାହାଡ଼ୀ ରାସ୍ତା ଆମକୁ ପାହୁଣ୍ଡକ କୋଶେ । ନିଜ ଦେହଟା ବୋହି ନେଲା ବେଳକୁ ଆକ୍ରାନ୍ତ, ଅଥଚ ଦୁଖା ମହଣିକିଆ ଭାରଟା ଧରି ପଥର ଢିମାକୁ ଦଳି ଚକଟି ଘାଟି ଉପରେ ଘାଟି ଡେଇଁ ଚାଲିଥାଏ । ଚାଲି ଚାଲି ଆମର ପାଦ ହୁଗୁଳି ପଡ଼ୁଥାଏ, କିନ୍ତୁ ଦୁଖା ଦେହରେ କି ଶକ୍ତି ! ସେ ଆମଠୁଁ ଭଲ ଖାଏ ନାହିଁ, ଅଧିକ ସ୍ୱାସ୍ଥ୍ୟକର ଜାଗାରେ ରହେ ନାହିଁ । କେବଳ ଏତିକି ଯେ ସେ ଜୀବନ ଯୁଦ୍ଧର ଜଣେ ନିତ୍ୟ ସୈନିକ । ଏହି ଯୁଦ୍ଧରୁ ସେ ସମସ୍ତ ବଳ ଆହରଣ କରି ଦେହରେ ଖୁନ୍ଦିଛି, ପଥର ମେଳରେ ରହି ସେ ପଥର ହୋଇଛି । ଏଇ ବାଙ୍ଗରା ମଣିଷଟି ଗୋଟିଏ ସଚଳ ପାହାଡ଼ । ତା’ ଭାରଟା ସତେ କି ଶୂନ୍ୟେ ଶୂନ୍ୟେ ଉଠିଯାଉଛି, ହାତରେ ବାଡ଼ି ଖଣ୍ଡେ ଧରି ସେ ଡେଙ୍ଗେ ଡେଙ୍ଗେ ଚାଲିଯାଉଛି ।

 

ତା’ ପରେ ବଳଭଦ୍ର—ଏ ଜଣେ ସ୍ଥାନୀୟ ଭଦ୍ରଲୋକ, ପ୍ରକୃତରେ ଭଦ୍ରଲୋକ; ପାଠଶାଠ କିଛି ପଢ଼ା ଅଛି, କଠିନ କାମ କରିବାକୁ ସର୍ବଦା ଆଗୁସାର । ଆପଦ ବିପଦ ପ୍ରତି ବେଖାତିର ଭାବ ଆଖିରେ ଫୁଟି ଉଠୁଛି । ସାହସ ପରିମାଣରେ ବଳିଷ୍ଠ ଦେହ ନାହିଁ, ମନ ସର୍ବଦା ସଚଳ, କ୍ରିୟାଶୀଳ । ଥାନମୁଣ୍ଡରେ ପହାଞ୍ଚିଲା ପରେ ସମସ୍ତେ ଧକେଇ ପଡ଼ୁ । ପାଣି ବୋହି ଆଣିବା, ଜାଳ ଚିରିବା, ଜଳଖିଆ ସଜାଡ଼ିବା, ରୋଷେଇବାସ କରିବା, ପରଷିବା କାମ ସବୁ ବଳଭଦ୍ରବାବୁ କରୁଥାନ୍ତି । ଦୁଖା ବାଡ଼କୁ ବତା । ପ୍ରତିଦାନର କୌଣସି ଆଶା ନାହିଁ, ତଥାପି ଏ ପରୋପକାର, ବହୁ ବର୍ଷର କଲେଜ ଶିକ୍ଷା ଯେଉଁ ଗୁଣ ହାସଲାତ କରେଇ ପାରି ନାହିଁ, ବଳଭଦ୍ର ସେ ସବୁ ଗୁଣର ଅଧିକାରୀ କିପରି ହେଲେ ? ଏପରି ନିଃସ୍ୱାର୍ଥପର ସେବା କାହୁଁ ଶିଖିଲେ ?

 

ସପ୍ତମ ସାଥୀ ଜଣେ ମଫସଲୀ ପ୍ରୌଢ଼; ବସିବା ମାତ୍ରେ ବଟୁଆ ଖୋଲନ୍ତି । ପାକୁଳି ଚାଲିଥାଏ । ଆମ ସାଥିରେ ସେ ବି ଜଣେ ବାବୁ । କୁଟାଖଣ୍ଡିକ ଦୁଇଖଣ୍ଡ କରେ ନାହିଁ । ଶୋଇଲାବେଳେ ଏମିତି ଘୁଙ୍ଗୁଡ଼ିମାରେ ଯେ ବିଚାରୁ ଦନ୍ତା ଆସି ଦୁଆରେ ଗରଜୁଛି । ଗାଆଁର ଏ ଜଣେ ଅକର୍ମା ଲୋକ । ଦୁଃଖେ ସୁଖେ ଚଳେ । କେଜାଣି କାହିଁକି ତା ମନରେ ପର୍ବତ ଦେଖିବା ଇଚ୍ଛା ଜାଗ୍ରତ ହେଲା । ମେଘାସନରେ ଠାକୁର ଠାକୁରାଣୀ ନାହାନ୍ତି । ଏହା ଏକ ତୀର୍ଥସ୍ଥାନ ନୁହେଁ । ତେବେ ମଫସଲିଆ ଗୋପାଳ ମନରେ କାହିଁକି ଏ ପର୍ବତ ପ୍ରୀତି ?

 

ଆମର ଶେଷ ସାଥୀ ଜଣେ କିଶୋର । ବୟସ ୧୪/୧୫ ମଧ୍ୟରେ, କଣ୍ଠସ୍ଵର ବଦଳୁଛି, ବଡ଼ ହସକୁରା, ଲାଜକୁଳା ବି । ବାନର ପରି ପାହାଡ଼ ଉପରକୁ ଡେଇଁ ଡେଇଁ ଚାଲିଥାଏ । ପାହାଡ଼ ଉଠା ଯେମିତି କି ତା’ର ଗୋଟାଏ ଖେଳ ! ଭଲ ଗୀତ ବୋଲି ଜାଣେ, କିନ୍ତୁ ଭଲ ଲୋକଙ୍କ ଆଗରେ କ’ଣ ମଫସଲିଆ ଗୀତଗୁଡ଼ାକ ବୋଲାଯାଏ ? ସମସ୍ତେ ଲଗେଇବାରୁ ବହୁ କଷ୍ଟରେ ପଦେ ଦୋଳି ଗୀତ ଗାଇଲା—

 

ପିଢ଼ାରେ ବୋବାଏ ବଣି

ଆସ ଚମ୍ପାଫୁଲ ଗାଧୋଇ ଯିବା ବରଷି ଆସୁଛି ପାଣି ।

 

ଗୀତ ପଦକ ବୋଲି ପିଲାଟି ମୁହଁକୁ ତଳକୁ ପୋତିଦେଲା । ଗୋରା ତକତକ ମୁହଁଟି ଲାଜରେ ରଙ୍ଗା ପଡ଼ିଗଲା । ସତେ ଯେମିତି ଗୋଟେ କିଛି ଗୁରୁତର ଅପରାଧ କରିପକାଇଲା !

 

ଏମିତି ଗୋଟିଏ ସୈନ୍ୟଦଳ ଘେନି ଆମର ମେଘାସନ ଅଭିଯାନ ଆରମ୍ଭ ହେଲା । କାହା ହାତରେ ବେତ, କାହା ହାତରେ ବାଉଁଶ ବାଡ଼ି, କାହା ହାତରେ ଖଣ୍ଡେ ବଣୁଆ ଡାଳ, କାହା ହାତରେ ବଂଶୀ ବା ଘଣ୍ଟା, କିଏ ବା ଖାଲି ହାତରେ ! ହାତର ଅସ୍ତ୍ର ବଣୁଆ ରାହାକୁ ସାହା । ଘଣ୍ଟାଟି ହିଂସ୍ର ଜନ୍ତୁ ହୁରୁଡ଼େଇବା ପାଇଁ । ଖାଲି ମନକୁ ବୁଝେଇବା କଥା ! ନୋହିଲେ ଘଣ୍ଟାର କ୍ଷୀଣ ଶବ୍ଦ ଶୁଣି କେଉଁ ହିଂସ୍ର ଜନ୍ତୁ ହୁରୁଡ଼ି ପଳାଇବ ? ସମସ୍ୟା ହେଲା—ସେଇଟି ବକେଇବ କିଏ ? ‘ନିଜ ରକ୍ଷଣ ଅସମ୍ଭବ ।’ ପାଦ ଗଣି ଗଣି ଯିବାକୁ ହେଉଥାଏ । ଟିକିଏ ଅସାବଧାନ ହେଲେ ରାସାନ୍ତଳେ-। ଉପରେ ପଥର ଢିମା ଚାହିଁଛି—ଟିକିଏ ଅମନଯୋଗୀ ହେଲେ ମୁଣ୍ଡ ଛତରଛାଡ଼-। ଚାରିଦିଗକୁ ସତର୍କ ଦୃଷ୍ଟି ରଖି ଚାଲି ଥାଉ । ଅମନୋଯୋଗୀ ନ ହେବା ପର୍ଯ୍ୟନ୍ତ ବାଘ ମଣିଷକୁ ନେଇ ପାରେ ନାହିଁ । ଢିଲା ଦେଇ ଚାଲିବାରେ, ବାଟରୁ କଣ୍ଟା ଆଡ଼େଇବାରେ ବାଡ଼ି ସାହାଯ୍ୟ କରୁଥାଏ ।

 

ନିର୍ଜନ ବନରେ ବଂଶୀ ସ୍ଵର ଅତି ମଧୁର । ଗଛଲତା ଏଇ ସ୍ଵରରେ ଚଞ୍ଚଳ ହୋଇ ଉଠୁଥାନ୍ତି, ଦରଫୁଟା କଢ଼ି ଫୁଟି ଉଠୁଥାନ୍ତି । ମଣିଷ କଥା କ’ଣ କହିବା ? କିନ୍ତୁ ବଣୁଆ ହାତୀ ଭୟରେ ବାଧ୍ୟ ହୋଇ ବଂଶୀ ବଜାଉ ନ ଥାଉ । ହାତୀ ସଙ୍ଗୀତପ୍ରିୟ, କିନ୍ତୁ ମଧୁର ସ୍ଵରରେ ଆକୃଷ୍ଟ ହୋଇ ଆସି ବାଦକକୁ ଶେଷ କରିଦିଏ ।

 

ଦିନ ୧୦ଟା, ପାହାଡ଼ିଆ ଜାଗା । ଅନେକ ଦିନୁ ବର୍ଷା ହୋଇ ନାହିଁ, ଭୂଇଁ ଏକଦମ୍‍ ପାଚିଗଲାଣି । ପବନ ଶୂନ୍‍ । ପକ୍ଷୀ ନୀରବ, ତେଣୁ ଝିଙ୍କାରୀ ମୁଖର । ଖାଲି ପାଦ, ରାସ୍ତା ନିଆଁ ପରି ଗରମ । ବାଘକୁ ଡରୁଥିଲୁ, ଏବେ ବାଘୁଆ ଖରା କବଳରେ ପଡ଼ିଲୁ । ଜ୍ୟେଷ୍ଠ ମାସ ଖରା ମହାବଳଠାରୁ ତ କମ୍‍ ଭୟଙ୍କର ନୁହେଁ । ମୁନିଆ ଗୋଡ଼ି, ଅଚଞ୍ଛା ପଥର, ଆବୁ ଆବୁକା ଢେଲା ଢିମା, ଚନ୍ଦାମୁଣ୍ଡିଆ ପାହାଡ଼, ବୁଦିବୁଦିକିଆ ବଣ, ତା’ପରେ ନିବିଡ଼ ଜଙ୍ଗଲ, ଉଞ୍ଚ ପର୍ବତ, ଗହୀରା ଉପତ୍ୟକା, ଶୁଖିଲା ପଥୁରିଆ ନଈ । ପାଣି ଧାର ଚିହ୍ନରେ ପାହାଡ଼ ଦେହରେ ଶିରା ପ୍ରଶିରା । ମେଘାସନ ଶୃଙ୍ଗରୁ ଲୀଳାୟିତ ଗତିରେ ମେଘ ଖଣ୍ଡେ ଖସି ଆସୁଥାଏ । ତାକୁ ଦେଖି ନାଚି ଉଠୁଥାଏ ମୟୂର । ସାରସାରୀ ଓ ହୁଳୁହୁଳିଆର ରବରେ ନିଦ୍ରାଳୁ ଅରଣ୍ୟ ବେଳେବେଳେ ଜାଗ୍ରତ ହେଉଥାଏ । ବୃଦ୍ଧ ଶାଳ, ଅତି ଦୀର୍ଘ ଆମ୍ର, ଅଶନାଦି ବୃକ୍ଷ ଆଲୋକବିନ୍ଦୁ ଲାଗି ପ୍ରତିଯୋଗିତା କରୁଥାନ୍ତି ।

 

ଗୁଳିଗୁଳି—ଗଭୀର ଛାଇକି ସତୃଷ୍ଣ ନୟନରେ ଅନାଇ ନିର୍ଧୁମ ଖରାରେ ଚାଲିଥାଉ । ବରତା ଘାସର ଜଙ୍ଗଲ, ଫଟା ପଥରରେ ସାଉଁଳିଆ ମୋଟା ଶିଅ ଅଜଗର ଅହିରାଜର ଭ୍ରମ ଜନ୍ମାଉଥାନ୍ତି । କେଉଁଠି ବୁଢ଼ା ଶାଳଗଛ ଝଙ୍କା ପବନରେ ଅଜାଡ଼ି ହୋଇ ପଡ଼ି ଏକ ମାତ୍ର ସରୁଆ ରାସ୍ତାଟି ବନ୍ଦ କରି ଦେଇଅଛି । କେଉଁଠି ଗୁମ୍ଫା, ତଳକୁ ଗଭୀର ଉପତ୍ୟକା, କେଉଁଠି ନିଘଞ୍ଚ ଜଙ୍ଗଲ, କେଉଁଠି ବୃକ୍ଷଲତାଶୂନ୍ୟ ପ୍ରାନ୍ତର । ଗଭୀର ଅନ୍ଧାର, ନିର୍ଲିପ୍ତ ନିର୍ଜନତା, ତା’ ମଧ୍ୟରେ ଝିଙ୍କାରୀର ସ୍ଵର ନୃତ୍ୟଶୀଳା ନାରୀର ନୂପୁର ନିକ୍ଵଣ ପରି ଶୁଣାଯାଉଥାଏ । ବାଁ ପଟେ ଉଚ୍ଚ ପାହାଡ଼, ତିଖ ଉଠାଣି ରାସ୍ତା, ଝାଳରେ ସୁଡ଼ୁବୁଡ଼ୁ, ପାଟି ଶୁଖିଲା କାଠ, କାହା ପାଦ ପଥରରେ ରଗଡ଼ି ହେଉଥାଏ ତ, ଝୁଣ୍ଟି କାହା ଆଙ୍ଗୁଠିରୁ ପଗେ ଉଡ଼ି ଯାଉଥାଏ । ପାଣି-ପାଣି-ପାଣି । କାହିଁ ? ଆଗେ ମିଳିବ । କେତେ ତ ଆଗେଇଲୁଣି, କାହିଁ ? ଅତଟ ପାହାଡ଼ରେ ଗୋଟିଏ ପାଦ ଆଗେଇଲା ବେଳକୁ ଦେହଟା ପାଦରୁ ଭୁଶୁଡ଼ି ପଡ଼ୁଥାଏ । ଏଇ ଅବସ୍ଥାରେ ଖଣ୍ଡାପତ୍ରୀ (କିଶୋର ସାଥୀ) କହିଲା—ଆଖି ଦେଖୁଥା, କାନ ଶୁଣୁଥା, ମନ ଜାଣୁଥା, ଆଉ ଦିନେ ମେଘାସନ ନାହିଁ—ନାହିଁ—ନାହିଁ ।

 

ଗୋଟିଏ ପାହାଡ଼ୀ ଝରଣା—ଧାରାର କ୍ରମ ଦେଖା ଯାଉନାହିଁ । ଆଙ୍ଗୁଠି ଓସାରରେ ଝିରିଝିରି ପାଣି ଝରୁଛି । ଆମେ ଯେଉଁଠି ବସିଲୁ, ସେଠି ମୁନ୍ଦିଏ ବେଶୀ ପାଣି ଜମିଛି । ପ୍ରାୟ ୫ ଶଗଡ଼ ତାତିଲା ପଥର ଉପରେ ସେଇ ପାଣି ଏକଦମ୍‍ ଚା ହୋଇଯାଇଛି । ଶରୀର ଉତ୍ତପ୍ତ, ଘୋର ମଧ୍ୟାହ୍ନ, ଜାଣୁ ଏ ପାଣି ପିଇଲେ ସର୍ଦ୍ଦିଜର ହେବ; ତଥାପି ପେଟେ ପିଇଲୁ, ମୁଣ୍ଡ ଧୋଇଲୁ, ଆଖିରେ ପାଣି ଛାଟିଲୁ; କାରଣ ଜର ହେଲେ ଔଷଧ ଖିଆଯିବ । ପ୍ରାଣ ଚାଲିଗଲେ ତା’ର ଆଉ କି ପ୍ରତିକାର ହୋଇପାରିବ ?

 

ସୂର୍ଯ୍ୟଙ୍କ ଉପରେ ରାଗ, କାହିଁକି ଅଗ୍ନିବୃଷ୍ଟି କରୁଛି ? ପବନ ଉପରେ ରାଗ, କାହିଁକି ଶୀତଳ ହୋଇ ବହୁ ନାହିଁ ? ପାହାଡ଼ ଉପରେ ରାଗ, କାହିଁକି ଏତେ ଉଚ୍ଚ ହେଲା ? ନିଜ ଉପରେ ରାଗ, କାହିଁକି ଆସିଲି ? ଏ ରାଗରେ କୌଣସି ଯୁକ୍ତି ନ ଥାଏ । ଗରମରେ କଲବଲ ହୋଇ କ’ଣ ଯେ ଭାବୁଥାଉ କିଛି ଠିକ୍‍ ଠିକଣା ନାହିଁ । ଭୋକରେ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଲାଣି । ସକାଳେ କ’ଣ ଟିକିଏ ଜଳଖିଆ ହୋଇଥିଲା । ଭୋକକୁ ଶୋଷ, ଶୋଷକୁ ବାଟଚଲା, ବାଟ ଚଲାକୁ ପାହାଡ଼ ଉଠାଣି, ପାହାଡ଼ ଉଠାଣିରେ ଜ୍ୟେଷ୍ଠ ମାସର ଖରା, ସେଥିକି ଦ୍ଵିପ୍ରହର ଗୁଳୁଗୁଳି । ପ୍ରାଣକୁ ଏକଦମ୍‍ ପେଡ଼ି ଦେଲା । କି ପ୍ରକୃତି ଶୋଭା ଦେଖିବୁ ?

 

ହଳଦୀଘଷା ନଦୀ କୂଳରୁ ଉଠି ଛୋଟେଇ ଛୋଟେଇ ପୁଣି ଚାଲିଲୁ । ପରାସି ଘାଟି, କାଠଚଟି, ବାଉଁଶ ଘାଟି, ଆମ୍ବ ଘାଟି, ବଡ଼ ଘାଟି, ଚଢ଼େଇଚୁଆ ଘାଟି—ଏମିତି ଘାଟି ପରେ ଘାଟି, ଶୃଙ୍ଗ ପରେ ଶୃଙ୍ଗ, ଉଠାଣି ପୁଣି ଗଡ଼ାଣି, ଗଡ଼ାଣି ପୁଣି ଉଠାଣି; ନିଘଞ୍ଚ ଜଙ୍ଗଲ, କୁଆର ଥଣ୍ଟ ନାହିଁ କି ଚଢ଼େଇର ବେଣ୍ଟ ନାହିଁ । କୋଉ ଗଛ ମୂଳରେ କୁରାଢ଼ିର ଛୋଟ ବାଜି ନାହିଁ, କୋଉ ପକ୍ଷୀ ଦେହରେ ଶିକାରୀର ଗୁଳି ବାଜି ନାହିଁ; ବାଘମାମୁଁଙ୍କ ରାଜଧାନୀ ଅଞ୍ଚଳ ପାରି ହୋଇ ଦିନ ଚାରିଟାବେଳେ ଭଞ୍ଜବସାରେ ପହଞ୍ଚିଲୁ । ଏଇ ଦୁଇ ବଖରା କୋଠାଘର ମହାରାଜା ରାମଚନ୍ଦ୍ର ଭଞ୍ଜଙ୍କ ସମୟରେ ନିର୍ମିତ ହୋଇଥିଲା, ଖୁବ୍‍ ସମ୍ଭବ, କବିବର ରାଧାନାଥଙ୍କ ଅନୁରୋଧରେ । ଏବେ ସରକାରୀ ଦୃଷ୍ଟି ତା’ ଉପରେ ପଡ଼ୁନାହିଁ, ମରାମତି ଅଭାବରୁ କେଉଁଦିନ ତଳେ ଅଜାଡ଼ି ହୋଇ ପଡ଼ିବ କିଏ ଜାଣେ ? ରାଧାନାଥଙ୍କ ପ୍ରକୃତି-ରସିକତା ରସଗ୍ରାହୀ ଭଞ୍ଜରାଜାଙ୍କ ଅନ୍ତରରେ ପ୍ରତିଫଳିତ ହୋଇଥିଲା—ଏ ସୌଧ ନିର୍ମାଣ କରି ଏ ଅଞ୍ଚଳରେ ବିହାର କରୁଥିବାରୁ କବି ତାଙ୍କୁ ‘ମେଘାସନ କୁଞ୍ଜବିହାରରସିକ’ ଆଖ୍ୟା ଦେଇଥିଲେ । ନିତାନ୍ତ ଦୁର୍ଗମ ହୋଇଥିବାରୁ ଏଠାକୁ ବିଶିଷ୍ଟ ଭ୍ରମଣକାରୀମାନେ ପ୍ରାୟ ଆସନ୍ତି ନାହିଁ । ସରକାରଙ୍କ ତରଫରୁ ମଧ୍ୟ କୌଣସି ସୁବିଧା କରାଯାଇ ନାହିଁ । ଓଡ଼ିଶାର ଅନ୍ୟାନ୍ୟ ସୁଦୃଶ୍ୟ ସ୍ଥାନ ପରି ଏହା ଅବହେଳିତ । ଏବେ ଦୁଃଖକଷ୍ଟ, ବାଧା ବିପଦ, କ୍ଷୁଧା ତୃଷା ଛଡ଼ା ଏଠି କ’ଣ ଅଛି ? ଜୀବନକୁ ପାଣି ନ ଛଡ଼େଇଲେ କାହିଁକି କିଏ ଆସିବ-? ଜାଣୁ ଜାଣୁ କିଏ ଦୁଃଖ ବିପଦ ବରଣ କରିବାକୁ ଚାହେଁ ?

 

କୋଶ କୋଶ ବ୍ୟାପୀ ଜଙ୍ଗଲ ଭିତରେ ଏ ଗୋଟିଏ ଘର ଆମର ଆଶ୍ରୟଦାତା । ମାଆ କୋଳ ପରି ଶାନ୍ତିମୟ ୟାର ଶୀତଳ ଚଟାଣ । ହିଂସ୍ରଜନ୍ତୁଙ୍କ ବିରୁଦ୍ଧରେ ଏ ଏକ ଦୁର୍ଗ । ଗଡ଼ଖାଇ ପରି ଏହାର ଚଉକତିରେ ଘେରିଛି ନେକଡ଼ନଚା ଓ ପୁଟୁଳିଡିହା ନାଳ । ପ୍ରସ୍ତରମୟ; ଆଣ୍ଠୁଏ, ଅଣ୍ଟାଏ, ଜଙ୍ଘେ ଗହୀର ପାଣି, ସବୁବେଳେ ସୁଅ ଚାଲିଛି । କୋଠାଘରଠାରୁ ୫୦ ହାତ ଆକ୍ରାନ୍ତରେ ଜମି ସଫା ହୋଇଛି । ଗଛବୃଛ ନାହିଁ, ଅଣ୍ଟାଏ ଛାତିଏ ଉଞ୍ଚ ଘାସ ବଢ଼ିଛି—ବଡ଼ ଅରମା । ରଜାଙ୍କ ଅମଳରେ ଏଠି ଗୋଲାପ ଫୁଟୁଥିଲା, ଏବେ ପୋକଶୁଙ୍ଘାକୁ ବିଛୁଆତି, କନିଶିରୀକି କଣ୍ଟେଇକୋଳି, ବେତକୁ ବେଣାବରତା ଘାସ ଡେଇଁ ଡେଇଁ ବଢ଼ୁଛନ୍ତି ।

 

ନାଳରୁ ଢୋଲେ ଢୋଲେ ପାଣି ପିଇ ଭଞ୍ଜବସା ଚଟାଣରେ ଫାଁ ଗାଳି ପଡ଼ିଗଲୁ । ସାକ୍ଷାତେ ଦେହରୁ ସମସ୍ତ ବଳ କିଏ ଚୁପୁଡ଼ି ନେଇଯାଇଛି । ଗାଡ଼ିରେ ରଗଡ଼ି ହୋଇ ପାଦ ହାଉହାଉ ପୋଡ଼ୁଥାଏ । ଦେହ ଯେ କ’ଣ ହୋଇ ଯାଉଥାଏ ! ଗହଳ ଘାସକୁ ଦୋଳାଇ ଖେଳାଇ ବହି ଆସୁଥାଏ ଶୀତଳ ପବନ । ଆଖି ଦି’ଟା ଆପେଆପେ ବୁଜି ହୋଇ ଆସିଲା । ଦିନ ଅଛି ଘଡ଼ିଏ—ବଳଭଦ୍ର ଡାକିଲେ—ଉଠ, ଜଳଖିଆ ହୋଇଗଲା—ଅଟା ହାଲୁଆ ! ଭଲ ମନ୍ଦ ବାରିବାକୁ ଭୋକର ତର ସହୁ ନାହିଁ । ମୁହୂର୍ତ୍ତକ ମଧ୍ୟରେ ସେତକ ତୋଟିରେ କୁଆଡ଼େ ଗଳିଗଲା ଜଣାଗଲା ନାହିଁ—ପେଟର ନିଆଁକୁ ଏ ଯେମିତି ଆହୁତି ଦିଆଗଲା । ଖାଇ ସାରି ବଙ୍ଗଳାର ଚାରିପାଖେ ଘେରାଏ ବୁଲି ଆସିଲି—ପଡ଼ିଆରେ ଲାଲ୍‍, ହଳଦିଆ ରଙ୍ଗର କି ଅଜଣା ବଣ ଫୁଲ ଫୁଟିଥାଏ—ସତେ ଯେମିତି ଶାଗୁଆ ଭୂଇଁରେ ଚିତା ଲେଖାଯାଇଛି । ସେ ଫୁଲଫୁଟା ଜାଗାରେ ପାଦ ଦେଇଛି କି ନାହିଁ, ଉଡ଼ି ଉଠିଲେ ହଜାର ହଜାର ପ୍ରଜାପତି—ଫୁଲ ପାଖୁଡ଼ାଗୁଡ଼ାକ ସତେ ଅବା ପ୍ରାଣ ପାଇ ନୂଆ ନୂଆ ପ୍ରାଣୀରେ ପରିଣତ ହୋଇଗଲେ; ସାରା ଆକାଶ ଚୂର୍ଣ୍ଣବିଚୂର୍ଣ୍ଣ ଇନ୍ଦ୍ରଧନୁରେ ଚିତ୍ରବିଚିତ୍ର ହୋଇଗଲା । ଗୋଟିଏ ଜାଗାରେ କେବେ ଏକାବେଳକେ ଏତେ ପ୍ରଜାପତି ଦେଖି ନ ଥିଲି । ଏଇ ଗୋଟିଏ ଦୃଶ୍ୟରେ କ୍ଳେଶର ସମସ୍ତ ମୂଲ୍ୟ ମିଳିଗଲା ପରା !

 

ବନ୍ଧୁମାନେ ସେତେବେଳେ ନେକେଡ଼େନଚା ଓ ପୁଟୁଳୁଡ଼ିହା ନାଳରେ କାନିଖିଆ ଦେଉଥାନ୍ତି । ଚାରିହଜାର ଫୁଟ ପାହାଡ଼ ଉପରେ ମାଛ ! ଜଣେ ଗୋଟେ ଲମ୍ବା କଟୁରି ଧରି ପହରା ଦେଉଥାଏ । କାଳେ ପାଣି ପିଇବାକୁ ଆସି ବାଘ କାହାକୁ ଝିଙ୍କି ନେବ !

 

ଏଇ ସମୟରେ କାହୁଁ ଘୋଟି ଆସିଲା ଖଣ୍ଡିଏ ବଣୁଆ ମେଘ—ଘଡ଼ଘଡ଼ି ନାହିଁ, ଚଡ଼ଚଡ଼ି ନାହିଁ, ବେଶ୍‍ ଅସରାଏ କାଚି ଦେଇଗଲା । ବଉଦର ଘନିଷ୍ଠତାରେ ଗମ୍ଭୀର ବନ ସରସର ମର ମର ସଙ୍ଗୀତ ଗାଇ ଉଠିଲା । ତା’ ସଙ୍ଗେ ତାଳ ଧଇଲେ ନାଳକୂଳର ଭେକ ଆଉ ଗଛ ଚୂଳର ମୟୂର । ସମସ୍ତଙ୍କ ସ୍ଵରକୁ ଡୁବାଇ ଗର୍ଜ୍ଜି ଉଠିଲା ଡାହୁକ । ଯେମିତି କି ଏ ବର୍ଷାକାଳଟା ଗୋଟା ସୁଦ୍ଧା ତା’ର ଆଉ କିଏ ଅଧିକାର ଜାରି କରିବା ଅନ୍ୟାୟ । ଶୁଖିଲା ମାଟିରେ ପାଣି ପଡ଼ିଲା କ୍ଷଣି ମାତି ଉଠିଲେ ଜୋକ—ଏକ, ଦୁଇ, ତିନି, ଶହ ଶହ, ହଜାର ହଜାର । କାଦୁଅ ଟୋପା ପରି ଛିଟିକି ଲାଗିଲେ ଦେହମୁଣ୍ଡ, ହାତଗୋଡ଼, ଥାନ ଅଥାନରେ । ପାଣିରେ ଜୋକ, ଶୁଖିଲାରେ ଜୋକ—ଜୋକମୟ ପୃଥିବୀ ! ଦେହକୁ ଲମ୍ବା ଲମ୍ବା କରି ଜିଆ ନାଡ଼ ପରି ଚାଲିଥାନ୍ତି, ପାଦେ ଚାଲିବା ଅସମ୍ଭବ । ଜୋକର ଆତଙ୍କ ବାଘ ଆତଙ୍କରୁ ବଳିଗଲା ।

 

ଗୋଧୂଳିର ଶେଷ ଦୀପ ନିଭି ନାହିଁ । ଆକାଶର ଏ କଣେ ସେ କଣେ ବିନ୍ଦୁ ବିନ୍ଦୁ ରକ୍ତ ଦୀପ୍ତି ଲାଗି ରହିଛି, ଋତୁର ଶେଷ ପୁଷ୍ପ ପରି । ଉଇଁ ଆସିଲା ଚନ୍ଦ୍ର । ଆଜି ଦେବସ୍ନାନ ପୂର୍ଣ୍ଣିମା, ପୁରୀ ସହର ଯାତ୍ରା କୋଳାହଳରେ କମ୍ପି ଉଠୁଥିବ । ଆମର ଏଠି କି ନିବିଡ଼ ନିର୍ଜ୍ଜନତା !

 

ଭସାଣିଆ ମେଘ ଚନ୍ଦ୍ରିକାର ପ୍ଲାବନରେ କେଉଁ ଦୂର ଦେଶକୁ ଭାସି ଯାଉଥାନ୍ତି, ଉଡ଼ି ଯାଉଥାନ୍ତି କେଉଁ ଅଜ୍ଞତନାମା ପକ୍ଷୀ । ମାଦକ ସ୍ଵପ୍ନଭରା ନିର୍ଜ୍ଜନତା ପ୍ରାଣର ତୀରେ ତୀରେ ବସି କହୁଥାଏ—ମା ଭୈଃ । ବାସ୍ତବିକ ଏଡ଼େ ରମଣୀୟ ସ୍ଥାନରେ ଭୟ କରିବା ପାପ । ଏ ମନୋହର ଚାନ୍ଦିନୀ ତଳେ ବିଭୀଷିକା ଲୁଚି ରହିବ କିପରି ? ଯେଉଁଠି ଆନନ୍ଦ ଉପଭୋଗ କରିବା କଥା ସେଠି ଭୟ କରିବା ଅନ୍ୟାୟ । ଏ ବନରେ ସମସ୍ତେ ନିର୍ଭୀକ । ଗଛଲତା ନିଶ୍ଚିନ୍ତ, କାଠୁରିଆର ଭୟ ନାହିଁ, ପକ୍ଷୀ ଆନନ୍ଦରେ କଳଧ୍ଵନି କରୁଛି, ବାଣୁଆର ଭୟ ନାହିଁ । ବାଘ, ଭାଲୁ, ସାପଙ୍କ କଥା ତ ନାହିଁ—ସେମାନଙ୍କ ରାଜ୍ୟ ଏ । ଖାଲି ମଣିଷ—ପୃଥିବୀର ଶ୍ରେଷ୍ଠ ଜୀବ ଭୟରେ ଅସ୍ଥିର । ଗୋଟିଏ କୀଟ, ପତଙ୍ଗଠାରୁ ବି ହୀନ । ବଣର ମଣିଷ ଘରକୁ ଆସି ଭୟାଳୁ ହୋଇଛି । ଏଇ ଭୟ ପରମ୍ପରାଗତ, ଭୁତ ପରି ଆମ ପିଛା ଧରିଥାଏ, ଆଖିର ସାମ୍ନାରେ ଶତ ଶତ ହିଂସ୍ର ଜନ୍ତୁଙ୍କୁ ଚଳାଇ ନେଉଥାଏ, ଛାତି ଭିତରକୁ କରିଥାଏ ଏକ ଜଙ୍ଗଲ ।

 

ଚିତ୍ତ ଅସ୍ଥିର, ଚଞ୍ଚଳ; ଜୀବନର ମାୟାକୁ ମୁରୁଛି ପାରିନାହୁଁ । ନିଜକୁ ନିରାପଦ ରଖିବା ଲାଗି ଆଜନ୍ମ ଚେଷ୍ଟା, ଘରର କାନ୍ଥ ଓ ବାଡ଼ିର ବାଡ଼କୁ ଟାଣ କରିଛୁ । ପରିବେଶ ପ୍ରତିକୂଳ—ତେଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଦୁର୍ଗ । ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବା ଲାଗି ମଣିଷର ଯୁଗେ ଯୁଗେ ଆୟୋଜନ । ସେଥିରୁ ଜନ୍ମ ନେଇଛି ସଭ୍ୟତା ! ଘରର ଆବଦ୍ଧ ଜୀବ ମୁଁ । ଶତ ଶତ କ୍ରୋଶ ବ୍ୟାପୀ ଏ ନିବିଡ଼ ନିର୍ଜ୍ଜନତାର ଭାର ସହ୍ୟ କରିବି କିପରି ?

 

ବହଳ ଚାନ୍ଦିନୀ ପିଠଉ ପରି ଭୂଇଁରେ ଲେସି ହୋଇଯାଇଛି । ଏଇ ଖୋଲା ବୃତ୍ତାକାର ପ୍ରାନ୍ତରଟି ଚନ୍ଦ୍ରିକାର ଗୋଟିଏ ପୁଷ୍କରିଣୀ ପରି ଦେଖାଯାଉଛି ।

 

ତା’ପରେ ସାରି ସାରି ସରଳ ବକ୍ର ବୃକ୍ଷଲତା, ଗହଳ ଗୁଳ୍ମ, ଘନଛାୟା ତା’ ମଧ୍ୟରେ ଟୋପି ହୋଇ ନିଗିଡ଼ି ପଡ଼ୁଛି ଚନ୍ଦ୍ରିକା । ଭୂଇଁରେ ସତେ କି କୋଟି କୋଟି ଫୁଲ ଫୁଟି ଲୋଟିଯାଉଛି, ଜଳିଉଠୁଛି ଲକ୍ଷ ଲକ୍ଷ ଚନ୍ଦ୍ରଉଦିଆ । ଝିଙ୍କାରିର ଗମ୍ଭୀର ସ୍ଵର ଗଭୀର ରାତ୍ରିର ସଂକେତ ଦେଲା । ଆଖିକି ନଇଁ ଆସିଲା ନିର୍ଜ୍ଜନତାର ସଖୀ ନିଦ୍ରା ! ରାତ୍ରି ସାରା ଏହିପରି କେତେ ଅଭିନୟ ଚାଲିଥିବ, ମେଘାସନର ନିର୍ଜୀବ ପାଷାଣଖଣ୍ଡ ପରି ମୁଁ ପଡ଼ି ରହିଲି । ବାତାୟନର ଚାନ୍ଦିନୀ କ୍ଲାନ୍ତ ଦେହରେ ପ୍ରଲେପ ଦେଉଥାଏ, ମନରେ ଭରିଥାଏ ଉଜ୍ଜ୍ୱଳ ସ୍ଵପ୍ନ । ହଠାତ୍‍ ଆଖି ପଡ଼ିଲା ଉଦିତ ସୂର୍ଯ୍ୟ ଉପରେ, ସେ ଯେପରି ଆମର ଏ ଆଳସ୍ୟକୁ ଉପହାସ କରୁଅଛନ୍ତି ! ରାତିର ସେ ପୃଥିବୀ ଆଉ ଦିନର ଏ ପୃଥିବୀ ମଧ୍ୟରେ କେତେ ତଫାତ୍‍ !

 

ବଳଭଦ୍ର ରାତି ଦିଘଡ଼ିରୁ ଉଠି ଆମ ଯାତ୍ରା ଆୟୋଜନରେ ଲାଗିଥାନ୍ତି, ରୋଷେଇ ଅଧାଅଧି । ତାଙ୍କ କର୍ତ୍ତବ୍ୟନିଷ୍ଠା ଆମକୁ ଚଞ୍ଚଳ କଲା । ସ୍ନାହାନ ପ୍ରକାର ସାରି ବାରଣ୍ଡାରେ ଧାଡ଼ି ହୋଇ ବସିଗଲୁ । ଦୁଖା ‘ରାଇ’ ପତ୍ର ପକାଇ ପାଣି ଛିଞ୍ଚି ଦେଇଗଲା । ଗରମ ଭାତ, ଡାଲମା, ମେଘାସନୀ ଧନିଆଁ ପତ୍ର ଚଟଣି । ବେଶ୍‍ ଖୁସିରେ ଖାଇଲୁ । ଆମ ଭିତରେ ବ୍ରାହ୍ମଣ, ଖଣ୍ଡେଇତ, ପ୍ରଧାନ, ଗୋପାଳ, ଆଦିବାସୀ ଇତ୍ୟାଦି ସବୁ ଜାତିର ଲୋକ ଥାନ୍ତି । ଭେଦର ପ୍ରଶ୍ନ କାହା ମନରେ ଉଠୁ ନଥାଏ । ଯେ ପରଷିଲେ ବି ସମସ୍ତେ ଖାଉଥାନ୍ତି । ସର୍ବଘଟ ଦିବାକର । ଗାଆଁର ସଂକୀର୍ଣ୍ଣ ବାୟୁମଣ୍ଡଳରେ ଏ ବିଷବାଷ୍ପର ଜନ୍ମ । ପୃଥିବୀର ଏ ବିପୁଳ ବିସ୍ତାରରେ ସେ ପ୍ରଶ୍ନ ଉଠିବ କିପରି ? ଏକ ଧର୍ମ, ଏକ ଜାତି, ଏକ ପୃଥିବୀ, ଏକ ଆକାଶ; ଏ ମୁହୂର୍ତ୍ତରେ ଆମେ ଅଭିନ୍ନ ଏକକ ।

 

ସାମ୍ନାରେ ପଛରେ ଚତୁର୍ଦ୍ଦିଗରେ ଅକଳନ୍ତୀ ଶାଳ—ଦୀର୍ଘ, ପୃଥୁଳ । ମେଘାସନର ଅସଲ ଶୃଙ୍ଗ ଦେଖି ବାହାରିଲୁ । ସବା ଆଗରେ ଦୁଖା, ମୁଣ୍ଡି ଶାଳପରି ଚେହେରା; ବନର ବନ୍ଧୁ, ପାହାଡ଼ର ସାଥୀ, ମେଘାସନୀ ଠାକୁରରାଣୀଙ୍କ ଭକ୍ତ । ଶୂନ୍ୟ ହାତ, ଶୂନ୍ୟ କାନ୍ଧ, ତେଣୁ ଏକ ତରୁଣ ହାତୀ ପରି ପାହାଡ଼କୁ ପାହାଡ଼ ଡେଇଁ ଚାଲି ଯାଉଥାଏ । ପାହାଡ଼ର ଜୀବ ସେ । ପାଳୁଅ ଖୋଳି ମହୁ ମାରି ବର୍ଷକେ ୫/୭ ଥର ଆସେ । ଏକୁଟିଆ । ହାତରେ ଖଣ୍ଡେ କୁରାଢ଼ି ବା କୋଦାଳ । ଛାତିଟା ଯେପରି କବାଟ ପରି ଓସାରିଆ, ତା’ ଭିତରେ ସାହସ ସେହିପରି ଖୁନ୍ଦି ହୋଇଛି । ଦୃଢ଼ ବିଶ୍ୱାସରେ ସେ ନିର୍ଭୀକ । ଛାର ବାଘଟେ କ’ଣ କରିବ ? ମେଘାସନୀ ଠାକୁରାଣୀଙ୍କ ନାଁ ଧଇଲେ କୋଉ, ଜୀବର ସାଧ୍ୟ ଅଛି, ଏ ଦେହ ଛୁଇଁବ ! ମେଘାସନରେ ପ୍ରକୃତରେ କୌଣସି ଠାକୁର ଠାକୁରାଣୀ ନାହାନ୍ତି । ତେବେ ଦୁଖାର ବିଶ୍ଵାସ—ଠାକୁରାଣୀ ପର୍ବତରେ ଅଦୃଶ୍ୟ ଭାବରେ ଅଛନ୍ତି । ତା’ ନ ହେଲେ ଏତେ ଜୀବଜନ୍ତୁଙ୍କୁ ଚଳାଉଛି କିଏ ? ପଡ଼ି ଦେଉଛି କିଏ ? ତାଙ୍କର ଦୟା ନ ଥିଲେ; କାହାର ଏଡ଼େ ଛାତି, ଏ ଜଙ୍ଗଲରେ ପଶିବ ? ସତକୁ ସତ କେତେ ବର୍ଷ ହେଲା ଏମିତି ସେ ମେଘାସନରେ ବୁଲୁଛି, କେବେ ବାଘ ହାବୁଡ଼ରେ ପଡ଼ି ନାହିଁ ।

 

ପିନ୍ଧା ଖଣ୍ଡେ ଲୁଗା, ଖଣ୍ଡେ ଗେଞ୍ଜି, ମୁଣ୍ଡରେ ଟୋପି, ହାତରେ ଲାଠି । ଜାଣୁ ଏ ଲାଠିର ମୂଲ୍ୟ କିଛି ନାହିଁ, ତେବେ ସାହସ—ଖାଲି ହାତରେ ଯାଉନାହୁଁ । ରାସ୍ତା କଡ଼େ ବରତା ଘାସ, ଅରମାରେ ମଣିଷଖିଆ ବାଘ ଛକି ରହେ—ବାଟୋଇ ହାବୁଡ଼ିଲେ ଝାମ୍ପ ମାରେ । ସେଥିଲାଗି ଖୁବ୍‍ ଲଗାଲଗି ହୋଇ ଚାଲିଥାଉ । ଆଗରେ ପଛରେ ଦୁଇ ଜଣ ଭୀମସେନ—ଦୁଖା ଆଉ ବଳଭଦ୍ର, ବନ ସଂଗ୍ରାମରେ ଅଭ୍ୟସ୍ତ । ମଝିରେ ଆମେ ଅଲ୍ୟଳ ନ ଜଣ—କିଏ ବାପ ମାଆଙ୍କର ଗୋଟିଏ, କିଏ ୪/୫ ରେ ଏକ, କିଏ ସୁଶିକ୍ଷିତ, କିଏ ବା ଗଣ୍ଡ-ମୂର୍ଖ –କିନ୍ତୁ ଚିତ୍ତରେ ନିବିଡ଼ ସାମ୍ୟ—ଭୟ । ବରତା ଘାସକୁ ବାଡ଼ିରେ ବାଡ଼େଇ ବାଡ଼େଇ ଚାଲିଥାଉ, କାଶ ନ ମାଡ଼ିଲେ କାଶୁ, ଗୀତ ବୋଲିବାର ପ୍ରେରଣା ନ ଆସିଲେ ବି ଗୀତ ବୋଲୁ । ଘଣ୍ଟା ବଜାଉଥାଉ । ବଡ଼ ପାଟିରେ କଥାବାର୍ତ୍ତା ହେଉଥାଉ ।

 

ବାଘକୁ ବୁଝାଇ ଦେଉଥାଉ ଯେ ଆମେ ସଂଖ୍ୟାରେ ଅନେକ, ମଧ୍ୟ ନିରସ୍ତ୍ର ନୋହୁଁ । ଆମ ଛାତିରେ ତାକତ, ଦେହରେ ବଳ ଅଛି, ବାଘ ଆସିଲେ ଅସୁବିଧାରେ ପଡ଼ିଯିବ ! ତେଣୁ ମାନ ମହତକୁ ଜଗି ସେ ଆପଣା ବାଟରେ ଯାଉ । ଦୁର୍ଲ୍ଲଭ ବ୍ୟାଘ୍ର ଜନ୍ମ ବ୍ୟର୍ଥ ନ କରୁ । କିନ୍ତୁ ପ୍ରାଣ ପୁଚୁ ପୁଚୁ, ଟିକିଏ ଖଡ୍‍ କିନେ ହେଲେ ଛାତି ଧଡ଼ ଧଡ଼ ପଡ଼ୁଥାଏ, ତାତିଲା ରକ୍ତ ମଥାକୁ ଚମକି ଆସୁଥାଏ । ଉଦ୍ୟତଅସ୍ତ୍ର ହୋଇ ଛିଡ଼ା ହୋଇ ଯାଉଥାଉ । ଯେମିତି ଗୋଟାଏ ମଣିଷ ଦୁର୍ଗ ! ଆମେ ଯେଉଁ ଅସ୍ଵାଭାବିକ ଚିତ୍କାର କରୁଥାଉ, ବାଘର ବୁଦ୍ଧିଶୁଧି ଥିଲେ, ମନୋବିଜ୍ଞାନରେ ଅ, ଆ, ଜ୍ଞାନ ଥିଲେ ବୁଝିପାରିବ—ଏ ଖାଲି ହତାଶ ସୈନିକର ହାହତୋସ୍ମି ବାଣୀ, ଟିକିଏ ହୁଙ୍କାର ଦେଲେ ଚିତ୍‍ପଟାଙ୍ଗ; କିନ୍ତୁ ବାଘ ଆମର ଆଡ଼ମ୍ବର ଦେଖି ଡରିଗଲା ନା କ’ଣ ? ନୋହିଲେ ତା’ ଘରେ ଜବରଦସ୍ତି ପଶି ଆମେ ତାକୁ ଯେଉଁ ଅପମାନ ଦେଉଥାଉ, ସେଥିରେ ଯେଡ଼େ ଭୀରୁ ହେଲେ ବି ଲାଙ୍ଗୁଡ଼ରେ ଛିଡ଼ା ହୋଇଯାନ୍ତା, କିମ୍ବା ବିଚାରିଲା—ଯେଉଁମାନେ ଭୀରୁ ସେମାନେ ମୃତ । ରଜା ହୋଇ ମୁର୍ଦ୍ଦାରଗୁଡ଼ାକୁ ଫେର୍‍ ମାରିବାରେ କି ପୌରୁଷ ଅଛି ? କିମ୍ବା ଭବିଲା—ନା, ବିଶିଷ୍ଟ ଦୂର ଅତିଥି, ଏମାନେ ନିରାପଦରେ ଫେରିଯାନ୍ତୁ, ଛାର ପୁଳାଏ ମାଂସ ଲାଗି ମହିମାମୟ ମେଘାସନର ଦୁର୍ନାମ ନ ହେଉ ।

 

ରାସ୍ତାଯାକ ସଢ଼ା ପତର, ଜୋକ ଭର୍ତ୍ତି । ଗୋଡ଼ ପଡ଼ିବା ମାତ୍ରେ ଠକ୍‍ ଠାକ୍‍ ଡେଉଁଥାନ୍ତି । ପହ୍ଲ ପହ୍ଲ । ଆଉ ରକ୍ଷା ନାହିଁରେ ବାପା । ଜୋକକୁ ଚାହିଁବ ନା ବାଘକୁ । ଜୋକ କବଳରୁ ରକ୍ଷା ପାଇବା ପାଇଁ ତଳିପାରୁ ଜଙ୍ଘ ପର୍ଯ୍ୟନ୍ତ ବହଳ କରି ସୋରିଷ ମାଲପା ଆଉ ଲୁଣ ମାଖିଥାଉ । ଅଣ୍ଟାରେ ଲୁଣ ପୁଡ଼ାଟିମାନ ଖୋଷିଥାଉ । ଜୋକ ଲାଗିବା ଜଣାଗଲେ ତା’ ମୁହଁରେ ଟିକିଏ ଲୁଣ ଲଗାଇ ଦେଉ, ସେ ଖସିପଡ଼େ । ତା’ ଛଡ଼ା ମେଘାସନରେ ଗୋଟେ ପ୍ରକାର ମାଛି ଅଛନ୍ତି, କାମୁଡ଼ିଦେବା ମାତ୍ରେ ଦେହ ଫୁଲିଯାଏ, ଜର ଆସେ; ଏତିକି ଆଶ୍ୱାସନା—ସେ ମାଛି ବହୁ ପରିମାଣରେ ଦେଖାଯାନ୍ତି ନାହିଁ ।

 

ଆମ୍ବଗଛକୁ ଚିହ୍ନି ହେଉନାହିଁ—ମହା ମହା ମେରୁ, ବୃକ୍ଷ କୁଳରେ ମହନ୍ତ ମହାରାଜାଙ୍କ ପରି ଦେଖା ଯାଉଥାନ୍ତି, ଏତେ ମୋଟା ଯେ ଦୁଇଜଣଙ୍କ ରେଖ ପାଇବ ନାହିଁ । ଶାଖା ଉପରେ ମେଘ ଚାଲବୁଲ କରୁଛନ୍ତି—ପତ୍ର ଗହଳରେ ବିଜୁଳି ଚମକ ଦେଉଛି । କିନ୍ତୁ କି ଛୋଟ ଛୋଟ ଆମ୍ବ–ଗୁଆ ପରି, ଏକାବେଳକେ ୨/୪ଟା ଯାକିଦେଇ ହେବ । ପର୍ବତ ମୂଷିକ ପ୍ରସବ କରିଛି-! ଆମ୍ବ ସବୁ ପୋହଳା ପରି ପାଚି ଝଡ଼ିଥାଏ, ଶୋଷରେ ତୋଟି ଫାଟିଯାଉଛି, ଏତେବେଳକୁ ଏ ଆମ୍ବ ଅମୃତ । ରସଟୋପାକ ମହୁ ପରି, ହେଲେ ମହୁରେ ଶୋଷ ବଢ଼େ, ଆମ୍ବରସରେ ଶୋଷ ମରେ ।

 

ଏମିତି ପାହାଡ଼େ ପାହାଡ଼େ ସାତ ମାଇଲ ବାଟ ଆସିଲୁ । ପଥରରେ ପାଦ ଖସୁଥାଏ । ଦାଢ଼ୁଆ ଘାସପତର, କଣ୍ଟା, ବିଛୁଆତି ବାଜି ହାତଗୋଡ଼ ହାଉ ହାଉ ପୋଡ଼ୁଥାଏ । ଗରମ ବେଳକୁ ଏ କଷ୍ଟ ଏକବାରେ ମର୍ମକୁ ଭେଦୁଥାଏ । ବହୁ ଶୃଙ୍ଗ ଆଉ ଛୋଟ ଛୋଟ ଘାଟି ଡେଇଁ ପହଞ୍ଚିଲୁ ଗୋଟିଏ ଘାସ ବଣରେ, ପ୍ରାୟ ଦୁଇ ପୁରୁଷ ଉଞ୍ଚ ଘାସ, ରାସ୍ତା ବନ୍ଦ, ଯିବା କୁଆଡ଼େ ? ଆଗକୁ ଝୁଙ୍କି ପଡ଼ିଥିବା ଗଛଡାହି କଣ୍ଟା ଲଟାକୁ ଚୋଟେ ଚୋଟେ ପକାଇ ଘାସ ଆଡ଼େଇ ଦୁଖା ଆମକୁ ବାଟ କଢ଼ଉଥାଏ । ଭଇଞ୍ଚି କଣ୍ଟାରେ ରକ୍ତସ୍ନାନ । ଏଠି ବାଘ ସାପ ବା ହାତୀକି ଭୟ କଲେ ଚଳିବ ନାହିଁ । ଯେ କୌଣସି ସ୍ଥାନରେ ସେ ଥାଇପାରେ, ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ । ଆତ୍ମରକ୍ଷା ଚେଷ୍ଟା ବାତୁଳତା । ‘ନିରାଶ୍ରୟଂ ମାଂ ଜଗଦୀଶ ରକ୍ଷ ।’ ଯାହା ହେବ ହେଉ, ଚାଲ । ଗୋଟିଏ ପାହୁଣ୍ଡ ଆଉ ଆଗେଇବାକୁ ମନ ହେଉ ନ ଥାଏ । ଏଇଠୁ ଫେରଯିବା । ଏଇ କ’ଣ ହେଲାନି ? ଆଉ ଗଲେ କ’ଣ ଅଧିକ ହେବ ? ଫେର୍‍ ମନ ଭିତରୁ ଗୁଞ୍ଜନ ଉଠୁଥାଏ—ଏତେ ବାଟ ଆସି ଏଇଠି ଅଟକିଲ ? ଏଇ ତ ଥରେ; ଆଉ ସତେ କ’ଣ କେବେ ମେଘାସନ ଆସିବ ? ଦିଗଦିଗନ୍ତର ସବୁଜ ମର୍ମର ଅନ୍ତରର ଅନ୍ତଃସ୍ଥଳରେ ପ୍ରବେଶ କଲା । ଅପୂର୍ବ ଶକ୍ତି ଆଉ ସାହସରେ ନିର୍ଜୀବ ଶିରାପ୍ରଶିରା ପୁଣି ପୂରି ଉଠିଲା । ଦେହର ସମସ୍ତ ଶକ୍ତି ସାମର୍ଥ୍ୟ ଏକାଠି ଠୁଳ କରି ପୁଣି ଆଗେଇଲୁ, ନଇଁ ନଇଁ ବସି ବସି ଗଳି ଗଳି ପଡ଼ି ଉଠି ଶେଷରେ ପହଞ୍ଚିଲୁ ମେଘାସନର ଦର୍ପିତ ଶୃଙ୍ଗରେ ।

 

ମେଘାସନର ବିଜୟ ! କ୍ଷୁଧା, ତୃଷା, ଗ୍ରୀଷ୍ମ, ବାଧା—ବିଘ୍ନ—ବିପଦ ଆମକୁ ପରାସ୍ତ କରିପାରି ନାହିଁ—ବାସ୍ତବରେ ଏ ଦୁର୍ଗମ ପର୍ବତ ଅରଣ୍ୟ ରାଜ୍ୟ ଆମେ ଜୟ କରିଛୁ; କେତେ ବର୍ଷର ଆଶା, ଏକ ସପ୍ତାହର ଉଦ୍ୟମ, ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ—ତାର ଫଳ ଏଇ ବିଜୟ, ଆମ ରକ୍ତ ଅଶ୍ରୁ ଆଉ ସ୍ଵେଦରେ ସିକ୍ତ । ଅସାଧ୍ୟ ସାଧନର ଗୌରବ ମୁଖେ ମୁଖେ ଫୁଟି ଉଠୁଅଛି ।

ମେଘାସନ ପୃଥିବୀର ଉଚ୍ଚତମ ପର୍ବତର ଏକଷଷ୍ଠାଂଶ; ହିମାଦ୍ରି ବିଜୟ ତୁଳନାରେ ଆମର ଜୟ ଅକିଞ୍ଚିତ୍‍କର ବୋଧ ହୋଇପାରେ, କିନ୍ତୁ ଆମର ଶକ୍ତି, ସାହସ ଆଉ ଅଭ୍ୟାସକୁ ଚାହିଁଲେ ଏଥିରେ ଗର୍ବ କରିବାର ଯଥେଷ୍ଟ ହେତୁ ଅଛି । ଯେଉଁମାନେ ଗୌରୀଶଙ୍କର ଶୃଙ୍ଗ ଆରୋହଣ କରନ୍ତି, ସେମାନେ ପୃଥିବୀର ବଛା ବଛା ସୈନିକ, ଆରୋହଣ ସାଧନାରେ ସିଦ୍ଧି ଲାଭ କରିଅଛନ୍ତି । ହୃଷ୍ଟପୁଷ୍ଟ ବଳିଷ୍ଠ ବପୁ, ଦୃଢ଼ ମନ ଅଛି, ଜୀବନକୁ ସାଧନାପୀଠରେ ବଳି ଦେବା ଲାଗି ସଦା ତତ୍ପର । ଆମେ ଦଳେ କଞ୍ଚା ସୈନ୍ୟ, ଅସ୍ଥିର ପାଦ, ଅସ୍ଥିର ମନ, ଅପ୍ରସ୍ତୁତି, ଏକାଦିନକେ ଏ ବିରାଟ ପ୍ରଚେଷ୍ଟା ।

ମେଘାସନ ଶୃଙ୍ଗଟି କ୍ଷୁଦ୍ର, ମୁଣ୍ଡ ଟାଙ୍ଗରା, କୌଣସି ଗଛପତ୍ର ନାହିଁ, ଯୁଗ ଯୁଗ ଧରି ଜଣେ ଋଷି ଯେପରିକି ସମାଧିସ୍ଥ । ବଜ୍ର ପଡ଼ି ଅନେକ ସ୍ଥାନରେ ମୁଣ୍ଡ ଫାଟିଯାଇଛି । ଦୁଃଖ ଯନ୍ତ୍ରଣା ପ୍ରତି ନିର୍ବିକାର, ୪୫୦୦ ଫୁଟ ଉଚ୍ଚ, କାଳର ଏଇ ବୟସ୍କ ସନ୍ତାନଟି ସଂସାରର ରୀତି ନୀତି ଦେଖି ସତେ ଯେପରି ପଥର ପାଲଟି ଯାଇଛି ।

ଚତୁର୍ଦ୍ଦିଗରେ ବହୁ ଆଡ଼ମ୍ବରପୂର୍ଣ୍ଣ ପର୍ବତ ଗଡ଼ଜାତର ପର୍ବତମାନଙ୍କୁ ଶାସନ କରୁଅଛନ୍ତି-। ରଜା ମୂକ, ମୌନ । ତାଙ୍କର କୌଣସି ବିଶେଷତ୍ଵ ନାହିଁ, ସ୍ଥବିରତାରେ ଅବନତ, ନିତାନ୍ତ ଅକର୍ମଣ୍ୟ ।

 

ପକ୍ଷୀର କାକଳି ନାହିଁ, ଝରଣାର ଝଙ୍କାର ନାହିଁ, ବନର ମର୍ମର ନାହିଁ, ସବୁ ନୀରବ, ନିଶ୍ଚଳ । ଚତୁର୍ଦ୍ଦିଗରେ ହଜାର ହଜାର ଗିରିଶୃଙ୍ଗ—ନୀଳ ଶ୍ୟାମଳ, ଧୂସର କପିଶ, କର୍କଶ ମସୃଣ । ଗ୍ରାମ ଓ ସହରର କୌଣସି ସଂକେତ ନାହିଁ, କେବଳ ଏକ ସବୁଜ ସମୁଦ୍ର ବାୟୁ ହିଲ୍ଲୋଳରେ ତରଙ୍ଗିତ । ଯେପରି ପୃଥିବୀ ମନୁଷ୍ୟର ବାସଭୂମି ହୋଇ ନାହିଁ । ଆମେ କେତେଜଣ ଆଡ଼ାମ୍‍ ପୃଥିବୀର ପହିଲି ମଣିଷ; ସୃଷ୍ଟିକର୍ତ୍ତା ଆମକୁ ଏଇ ପର୍ବତରେ ଛାଡ଼ି ଦେଇ ଯାଇଛନ୍ତି ।

Image